10 अप्रैल 2018

ଓଡ଼ିଆ ଲିପିରେ ବିଲକ୍ଷଣ - କିଛି ନମୁନା

ଗତ ୫ ବର୍ଷ ଧରି କ୍ରମାଗତ ଭାବରେ ଆମ୍ଭେ ଓଡ଼ିଅାରେ ବ୍ଲଗ୍‌ ଲେଖିଆସୁଥିଲେ ସୁଦ୍ଧା ଓଡ଼ିଆ ଭାଷା ଓ ଲିପି ଉପରେ କେବେ ନିଜକୁ ପ୍ରକାଶ କରି ନଥିଲୁ। ଏବେ ଐତିହାସିକ ଏପ୍ରିଲ୍‌ ମାସ ଅବସରରେ କିଛି ସୂଚେଇ ଦେବା ପାଇଁ ଇଚ୍ଛା କଲୁ।

ପୁରୁଣାକାଳିଆ କମ୍ପ୍ୟୁଟରର ANSI(American National Standard Institute) ବା ASCII (American Standard Code for Information Interchange) ଅଥବା ISCII (Indian Standard Code for Information Interchange) ଫଣ୍ଟ୍‌ର ଯୁଗ ସରିଲାଣି। ଏବେ ୟୁନିକୋଡ଼୍‌ (Unicode) ଯୁଗରେ ଅନେକ କିଛି ବ୍ୟବସ୍ଥିତ ହୋଇଥିଲେ ସୁଦ୍ଧା ତାହାକୁ ଗ୍ରହଣ କରିବାରେ ଆମେ ବହୁତ ପଛରେ ରହିଯାଇଛେ! ଏଇ ଯେମିତି...
ସ+୍+ବ = ସ୍ବ (ଭୁଲ୍‌) ‘ବ’ଫଳା ଥିଲା ଅତୀତରେ। ମାତ୍ର ଏବେ...
ସ+୍+ୱ = ସ୍ୱ (ଠିକ୍‌) ‘ୱ’ଫଳା ଏଇଟା, ୧୯୯୮ରୁ।
କ+୍+ଯ = କ୍ଯ (ଭୁଲ୍‌) ‘ଯ’ଫଳା ଥିଲା ଅତୀତରେ। ମାତ୍ର ଏବେ...
କ+୍+ୟ = କ୍ୟ (ଠିକ୍‌) ‘ୟ’ଫଳା ଏଇଟା, ୧୯୯୮ରୁ।

ଖି, ଥି, ଧି - Linux କମ୍ପାନୀ ବିକଶିତ କରିଥିବା​‌ Lohit Odia (ଲୋହିତ ଓଡ଼ିଆ) ଫଣ୍ଟରେ ଏଭଳି ଦିଶୁଥିବା ‘ଇ’କାର ଯୁକ୍ତ ଅକ୍ଷର ନାହିଁ। ସମୟକ୍ରମେ ଖି, ଥି, ଧି ଏଇ ତିନିଟି ଅବାନ୍ତର ବୋଲି ଗବେଷକମାନେ ଚିହ୍ନଟ କରିସାରିଛନ୍ତି। କାରଣ ତ୍ମ, ତ୍କ, ତ୍ପ, ତ୍ସ ରେ ତଳେ ଥିବା ସେହି ମାତ୍ରାଗୁଡ଼ିକ ଇ’କାରକୁ ସୂଚାଉ ନାହିଁ। ତେଣୁ ଅକ୍ଷରର ଉପରେ ରହିବା ବ୍ୟତୀତ ଇ’କାରର ଅନ୍ୟ ରୂପ ଅଗ୍ରାହ୍ୟ ଓ ଅବାନ୍ତର।

ଇ’କାରର ଏଭଳି ବିକୃତି କେବଳ ସମ୍ଭବ ହୋଇଛି ବିଶ୍ୱର ସର୍ବାଧିକ ଲୋକପ୍ରିୟ କଂପ୍ୟୁଟର OS Microsoft Windowsର ଫଣ୍ଟଫେସ୍‌ ପ୍ରୟୋଗ ଯୋଗୁ। Windows7 OS ପ୍ରଥମେ ଛାଡ଼ିଥିବା ଓଡ଼ିଆ ଫଣ୍ଟଫେସ୍‌ର ନାମ Kalinga ଏବଂ ଏହାକୁ ସେ ଏକ ଘରୋଇ କମ୍ପାନୀ ପୁଣେର Modular Infotechକୁ ବରାଦ ଦେଇ ବନାଇଥିଲା। ସେତେବେଳେ ହିଁ ଏହି ଇ’କାର ବିକୃତି ପୁଣି ପ୍ରଶ୍ରୟ ପାଇଥିଲା, ଅଣଓଡ଼ିଆ ଅନଭିଜ୍ଞ ଫଣ୍ଟ ବିକାଶକାରୀଙ୍କ କାର୍ଯ୍ୟରେ। ଏପରିକି Windows10 OSରେ ଆସିଥିବା Nirmala UI ଫଣ୍ଟ୍‌ଫେସ୍‌ରେ ୧୪ଟି ଭାରତୀୟ ଭାଷାର ଲିପି ସ୍ଥାନ ପାଇଥିଲେ ସୁଦ୍ଧା ଖ, ଥ, ଧ ତିନିଟି ଅକ୍ଷରରେ ଇ’କାର ଏକ ବିପର୍ଯ୍ୟୟ ହୋଇ ରହିଗଲା। 

ଏପରିକି Nirmala UI ଫଣ୍ଟ୍‌ଫେସ୍‌ରେ ‘ୱ’ ଫଳାକୁ ପୁଣି ‘ବ’ ଫଳା କରିବାକୁ ଯାଇ ୟୁନିକୋଡ଼୍‌ ଫଣ୍ଟ୍‌ କୋଡ଼ିଂକୁ ଫାଙ୍କିବାକୁ ଚେଷ୍ଟା କରାଯାଇଛି। ଯାହାକି ପ୍ରାକୃତିକ ୟୁନିକୋଡ଼୍‌ ଫଣ୍ଟ୍‌ଫେସ୍‌ରେ ଧରାପଡ଼ିଯାଉଛି। 

ଏପରିକି ‘ଧ୍ୟ’ ବି ଏକ ପ୍ରବଞ୍ଚନା। କାରଣ ସେଇ ସମାନ ‘ୟ’ ଫଳା ଥାଇ କ୍ୟ, ବ୍ୟ, ଲ୍ୟ, ଟ୍ୟ ଯେମିତି ଦେଖାଯାଉଛି, ‘ଧ’ ରେ ‘ୟ’ ଫଳା ଦେବା ପରେ ସେମିତି ଦିଶିବା ଉଚିତ। କିନ୍ତୁ ଫଣ୍ଟ୍‌ଫେସ୍‌ରେ ସେଭଳି ରଖାଯାଇ ନଥିବାରୁ ଅଡ଼ୁଆ ହେଉଛି।

ଓଡ଼ିଆ ଭାଷା ବା ଲିପି ପାଇଁ କୌଣସି ଶୀର୍ଷ ଘରୋଇ ସଂସ୍ଥା ବା ସରକାରୀ ସଂସ୍ଥା ଦଖଲ ରଖି ନଥିବାରୁ ସଂକଟ ବଢ଼ିଚାଲିଛି। ତେଣୁ ସରକାରୀ ଭାବରେ ଓଡ଼ିଆ ଭାଷା ପାଇଁ ବିଭିନ୍ନ ସଫ୍ଟୱେର ଟୁଲ୍‌ ଜାରି କରିବା ପାଇଁ ସବୁବେଳେ ଦାବି ହୋଇ ଆସୁଛି। ମାତ୍ର ତାହାକୁ ଶୁଣିବାକୁ କେହି ନାହିଁ କି,  ଶୁଣିଲେ ବି ବୁଝିବାକୁ କେହି ନାହିଁ।

ସତରେ କ’ଣ ଏସବୁକୁ କୌଣସି ଏକ ରାଜ୍ୟସ୍ତରୀୟ ଭାଷା ଆୟୋଗ ଅନୁମୋଦନ ଓ ପ୍ରଚଳନ କରିବା ପର୍ଯ୍ୟନ୍ତ ଆମେ ଜଗି ଥିବା?

ବି.ଦ୍ର.: ମସଲା ଆହୁରି ଅଛି। ୟେ ଏକ ଝଲକ ମାତ୍ର। ଚାଲନ୍ତୁ ଏ ଭାଷାକୁ ବଞ୍ଚାଇ ରଖିବାକୁ କାମ କରିବା। ଏଇ ବ୍ଲଗ୍‌ ଲିଙ୍କ୍‌କୁ ବାଣ୍ଟନ୍ତୁ ଏବଂ ଚର୍ଚାକୁ ବଢ଼ାନ୍ତୁ।
କଥା ହୁଅନ୍ତୁ: ୯୯୩୭୩୫୩୨୯୩ (ବିମଳ ପ୍ରସାଦ)