12 अप्रैल 2020

କେମିତି ହେବ କରୋନାକାଳୀନ ଯାତ୍ରୀ ପରିବହନ

ଭୁବନେଶ୍ୱର, /୪: ଲକ୍‌ଡାଉନ୍‌ ଅବଧି ସରିବାର ତାରିଖ ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ସେତିକି ଉତ୍ସୁକତା ବଢିବାରେ ଲାଗିଛି। ଲକ୍‌ଡାଉନ୍‌ ଅବଧି ସଂପ୍ରସାରିତ ହେବ ନାହିଁ ବୋଲି କେନ୍ଦ୍ର ସରକାର ପ୍ରଥମେ ସୂଚନା ଦେଇଥିଲେ ମଧ୍ୟ ଏବେ କେତେକ ଗଣମାଧ୍ୟମ ଓ ବିଶେଷଜ୍ଞ ସଂସ୍ଥା ଲକ୍‌ଡାଉନ୍‌କୁ ଲମ୍ବାଇବା ପାଇଁ ଚାପ ପକାଇଲେଣି। ତେଣୁ ସପ୍ତାହଟେ ପାଇଁ ଲକ୍‌ଡାଉନ୍‌ କୋହଳ କରି ପୂଣି କଠୋର ଭାବେ ଲାଗୁ କରିବାର ସମ୍ଭାବନା ଦିଶିଲାଣି। ଜଳ ସ୍ଥଳ ଓ ଆକାଶ ପଥରେ ଯାତ୍ରୀପରିବହନ ଉପରେ କଟକଣା ଲାଗୁହେବା ନିଶ୍ଚିତ। ଯାତ୍ରୀ ପରିବହନ ଦ୍ୱାରା ହିଁ ସମାଜର ଅଧା ଜୀବନଯାତ୍ରା ଚଳଚଞ୍ଚଳ ହୋଇଥାଏ। ତେବେ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନା ଚୂଡାନ୍ତ ହୋଇ ନଥିବାରୁ ଯାତ୍ରୀ ପରିବହନର ରୂପରେଖ ଜଣାପଡୁନାହିଁ। ତାହା ସଙ୍ଗେ ବିଭିନ୍ନ ଅନୁଷ୍ଠାନ, ଦପ୍ତର ଓ ବଜାର ଚାଲୁ ହେବା ଦ୍ୱାରା ଜୀବନଯାତ୍ରା ସ୍ୱାଭାବିକ ହୋଇଥାଏ। କୋଭିଡ୍‌-୧୯ ଭୂତାଣୁ ସ୍ପର୍ଶବାହିତ ହୋଇଥିବା ବେଳେ ଏହାର ଔଷଧୀୟ ପ୍ରତିଷେଧକ ବା ଔଷଧ ନାହିଁ। ତେଣୁ ଏହା କେବଳ ଏକ  ବିଶ୍ୱମହାମାରୀ ନୁହେଁ ବରଂ ବିଶ୍ୱର ଏକ ଜୈବିକ ଆତଙ୍କ ପାଲଟିଛି।

ଭାରତରେ ଲକ୍‌ଡାଉନ୍‌ ପ୍ରତ୍ୟାହାର ପରେ ଯାତ୍ରୀ ପରିବହନରେ ଯେଉଁ କଟକଣା ଲାଗୁ ହେବ ତାହା ବେଶ୍‌ ଅନୁମିତ। ଭାରତୀୟ ରେଳବାଇ ଏକ ପ୍ରମୁଖ ଯାତ୍ରୀପରିବହନ ବ୍ୟବସ୍ଥା ହୋଇଥିବା ବେଳେ ସବାରି ଗାଡ଼ି ବା ପାସେଞ୍ଜର ଟ୍ରେନ୍‌ ପ୍ରଚଳନକୁ ଅନୁମତି ମିଳି ନପାରେ। ସେଇ ଗାଡ଼ିଗୁଡ଼ିକରେ ମାତ୍ରାଧିକ ଭିଡ଼ ହେଉଥିବାରୁ ମାତ୍ରାଧିକ ସଂସ୍ପର୍ଶର କାରଣ ପାଲଟିଥାଏ। ସେହିଭଳି ଏକ୍ସପ୍ରେସ୍‌, ସୁପରଫାଷ୍ଟ, ଇଣ୍ଟରସିଟି ପ୍ରଭୃତି ଗାଡ଼ିର ଅଣଆରକ୍ଷିତ ଡବାରେ ଯାତ୍ରା ଉପରେ କଟକଣା ସୁନିଶ୍ଚିତ। ତେବେ ଏହା ଦ୍ୱାରା ନାଗରିକର ଅଧିକାର କ୍ଷୁନ୍ନ ହେଉଛି ଏବଂ ମାନବାଧିକାର ଉଲ୍ଲଘଂନ ହେଉଛି ବୋଲି ସାଧାରଣ ଲୋକେ ସ୍ୱର ଉଠାଇପାରନ୍ତି। ତେଣୁ ଲକ୍‌ଡାଉନ୍‌ ପ୍ରତ୍ୟାହାର ଯୋଜନାରେ ସ୍ପଷ୍ଟ ସର୍ତ୍ତ ଉଲ୍ଲେଖ କରାଯାଇପାରେ ଏବଂ ଏହା ସହ ବ୍ୟବସ୍ଥାଗତ ପରିବର୍ତ୍ତନ ଅଣାଯାଇପାରେ। ଯେମିତିକି ଜନଶତାବ୍ଦୀ ଗାଡ଼ିର ସବୁ ଆସନ ସଂରକ୍ଷିତ ବର୍ଗରସେମିତି ସବୁ କିସମ ଯାତ୍ରୀବାହୀ ରେଳଗାଡ଼ିର ସମସ୍ତ ଆସନ ଆରକ୍ଷିତ ରହିବ। କରୋନା ଭଳି ବିଶ୍ୱମହାମାରୀରେ ସଂସ୍ପର୍ଶ ଠାବ କରିବା ଗୁରୁତ୍ୱପୂର୍ଣ ହୋଇଥିବାରୁ ଯିଏ ଯେଉଁ ଶ୍ରେଣୀରେ ଯାତ୍ରା କଲେ ସୁଦ୍ଧା ସମସ୍ତ ଯାତ୍ରୀଙ୍କର ନାମ, ଠିକଣା, ବୟସ, ଲିଙ୍ଗ, ମୋବାଇଲ ନମ୍ବର ରେଳବାଇ ସର୍ଭରରେ ରହିବ। ଏଥିପାଇଁ କେବଳ କାଉଣ୍ଟର ଉପରେ ନିର୍ଭରଶୀଳ ଜନତାଙ୍କ ପାଇଁ ସଫ୍ଟୱେରରେ ପରିବର୍ତ୍ତନ କରିବାକୁ ପଡ଼ିବ। ମୋବାଇଲ ଆପ୍‌ ପୂର୍ବରୁ ପ୍ରଚଳିତ ରହିଥିବାରୁ ରେଳଯାତ୍ରୀମାନଙ୍କ ଦ୍ୱାରା ତାହାର ବ୍ୟାପକ ବ୍ୟବହାର ପାଇଁ ସରକାର ଆଗୁଆ ଘୋଷଣା କରିବା ଆବଶ୍ୟକ। କାଉଣ୍ଟରରେ ଟିକଟ କାଟିବା ପାଇଁ ନୂଆ ସ୍ପଷ୍ଟ ଫର୍ମ ପ୍ରଚଳନ କରିବାକୁ ହେବ।

ସଡ଼କ ପରିବହନ କ୍ଷେତ୍ରରେ କେବଳ ଯାତ୍ରୀଗାଡ଼ିରେ ଯାତ୍ରୀପରିବହନକୁ କଡ଼ାକଡ଼ି କରାଯିବ। ବ୍ୟକ୍ତିଗତ ଗାଡ଼ିରେ ନିଜ ପରିବାର ବା ଜ୍ଞାତ ସଦସ୍ୟ ଯାତ୍ରା କରିପାରିବେ। ସର୍ବସାଧାରଣ ପରିବହନ ସାଧନ ଯେମିତିକି ବସ୍‌, ସିଟିବସ୍‌ ଇତ୍ୟାଦିରେ ଯେତିକି ଆସନ ଅଛି, କେବଳ ସେତିକି ଯାତ୍ରୀ ଯାତ୍ରା କରିବାର ଅନୁମତି ରହିବ। ଗାଡ଼ିରେ ଉଠିବା ପୂର୍ବରୁ ସମସ୍ତେ ସାବୁନ୍‌ରେ ହାତ ଧୋଇବେ ବା ହସ୍ତପ୍ରକ୍ଷାଳକ ବ୍ୟବହାର କରିବେ। କଣ୍ଡକ୍ଟର, ହେଲ୍‌ପର, ଏପରିକି ଡ୍ରାଇଭରଙ୍କୁ ଇନ୍‌ଫ୍ଲୁଏଞ୍ଜା ବା ଫ୍ଲୁ ଭଳି କୌଣସି ବେମାରି ନଥିବ। ଗାଡ଼ିର ଏହି ଷ୍ଟାଫ୍‌ମାନେ  ଗ୍ଲୋଭ୍‌ସ୍‌ ଓ ମାସ୍କ ବ୍ୟବହାର କରିବେ। କଣ୍ଡକ୍ଟର କେବଳ ଭଡ଼ା ଆଦାୟ ନକରି ଟିକଟ ମଧ୍ୟ ଦେବେ ଏବଂ ତହିଁର କାର୍ବନ କପି ରଖିବେ, ଯେଉଁଥିରେ ପ୍ରତି ଯାତ୍ରୀଙ୍କର ମୋବାଇଲ ନମ୍ବର ଉଲ୍ଲେଖ ରହିଥିବ। ଯେଉଁ ଅଞ୍ଚଳରେ ସଂକ୍ରମଣ ବ୍ୟାପକ ଥିବ, ସେହି ଅଞ୍ଚଳକୁ ଯାତାୟତ କରୁଥିବା ବସ୍‌ଗୁଡ଼ିକର ଯାତ୍ରୀମାନଙ୍କୁ ଠାବ କରାଯାଇପାରିବ। ଏହି ସବୁ କଟକଣାଗୁଡ଼ିକୁ ଅନୁପାଳନ ଜନିତ ସହଯୋଗ ପାଇଁ ଘରୋଇ ବସ୍‌ ମାଲିକ ସଂଘର ସହଯୋଗ ଲୋଡ଼ିବାକୁ ହେବ। ସେହିଭଳି ଟ୍ରକ୍‌ମାଲିକ ସଂଘ ମଧ୍ୟ ପ୍ରତିଶ୍ରୁତି ଦେବେ ଯେ ସେମାନେ ଯାତ୍ରୀ ପରିବହନ କରିବେ ନାହିଁ। ଅନୁମୋଦିତ ରାସ୍ତାକଡ଼ ହୋଟେଲ ଓ ଢାବାଗୁଡ଼ିକ ହିଁ କେବଳ ଖୋଲା ରହିବ। କ୍ୟାବ୍‌ ଚାଳକ ଓ ଅଟୋରିକ୍ସା ଚାଳକମାନଙ୍କ ପାଇଁ ମଧ୍ୟ ମାସ୍କ, ଗ୍ଲୋଭ୍‌ସ୍‌ ଓ ହସ୍ତପ୍ରକ୍ଷାଳନ କଟକଣା ଲାଗୁ ହେବ। କାଶ ଛିଙ୍କରେ ଆକ୍ରାନ୍ତ କୌଣସି ନାଗରିକ ସର୍ବସାଧାରଣ ଯାନରେ ଯାତ୍ରା ନକରିବାକୁ କଟକଣା ରହିବ।

ବିମାନ ଯାତ୍ରାରେ ଯେମିତି କୋଭିଡ୍‌-୧୯ ସଂକ୍ରମଣର ଭୟ ରହିଛି, ସେହି ଭୟ ସହଜରେ ଦୂର ହେବ ନାହିଁ। ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ନିଜେ କଟକଣା ଜାରି କରିବା ସହ ସରକାରଙ୍କ କଟକଣା ଓ ବିଧିବିଧାନ ପାଳନ ପାଇଁ ସମସ୍ତ ବ୍ୟବସ୍ଥା ରଖିବ। କେଉଁଠି କ’ଣ ତଥ୍ୟ ରହିବ ଏବଂ କେମିତି ଯାଞ୍ଚ ତନଖି ଓ ନିଦାନ ଆଦି ହେବ ତାହାର ବ୍ୟବସ୍ଥା ବିମାନବନ୍ଦରରେ ବିକାଶ କରିବାକୁ ହେବ। ଯାତ୍ରୀମାନଙ୍କର ଏକ ସମନ୍ୱିତ ଡାଟାବେସ୍‌ ଯେଭଳି ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ ସର୍ଭରରେ ରହିବ, ତାହା ସୁନିଶ୍ଚିତ କରିବାକୁ ହେବ। ବିମାନ ସଂସ୍ଥା କୌଣସି ପୂର୍ବ ବ୍ୟବହୃତ ରୁମାଲ, ତୌଲିଆ ଆଦି ଯାତ୍ରୀଙ୍କୁ ଦେବାର ପରମ୍ପରା ଭାଙ୍ଗିବ। ସବୁ ଯାତ୍ରୀ ନିଜ ମୁହଁ ହାତ ପୋଛିବା ଓ ଖାଦ୍ୟପାନୀୟର ବ୍ୟବସ୍ଥା କରିବେ। ସେଇ ଅନୁସାରେ ହୁଏତ ଉଚ୍ଚଶ୍ରେଣୀର ଯାତ୍ରାଭଡ଼ା ସଂଶୋଧିତ ହୋଇପାରେ। ବିମାନ ଉଡୁଥିବା ବେଳେ ବିମାନ ଭିତରର ତାପମାତ୍ରା ସର୍ବନିମ୍ନ କେତେ ରହିବ, ତାହା ଉପରେ ମଧ୍ୟ କଟକଣା ଲାଗୁ କରାଯାଇପାରେ। ଦେଶ ଭିତରର ଯାତ୍ରୀମାନଙ୍କ ସହ ସଦ୍ୟ ବିଦେଶାଗତ ଯାତ୍ରୀମାନେ ବସିବେ ନାହିଁ। ବିଦେଶାଗତ ଯାତ୍ରୀମାନଙ୍କ ପାଇଁ ଅଲଗା ଆସନ ଧାଡି ଧାର୍ଯ୍ୟ କରାଯିବ। କୋଭିଡ୍‌-୧୯ ଭୂତାଣୁ ସଂକ୍ରମଣ ସବୁପ୍ରକାର ସ୍ୱାସ୍ଥ୍ୟରକ୍ଷା ଓ ସ୍ୱାସ୍ଥ୍ୟଯତ୍ନର ନୀତିନିୟମକୁ ଭାଙ୍ଗି ଆଜି ସମସ୍ତଙ୍କୁ ଅସ୍ପୃଶ୍ୟ ଓ ସନ୍ଦିଗ୍‌ଧ ସଜେଇ ଦେଇଥିବାରୁ ଏଭଳି ଅନେକ ବିଜ୍ଞାନସମ୍ମତ କଟକଣା ଦ୍ୱାରା ଭାରତ ଏ କରୋନା ଯୁଦ୍ଧକୁ ଜିତି ପାରିବ।



@bimalodisha , 9937353293

11 अप्रैल 2020

ଲକ୍‌ଡାଉନ୍‌ ପରେ ଫେରିବେ କି ଦାଦନଶ୍ରମିକ?

ଭୁବନେଶ୍ୱର, ୬/୪ (ଇମିସ): ୧୪ ଏପ୍ରିଲ୍‌ ୨୦୨୦ ପରେ ଆଉ ଲକ୍‌ଡାଉନ୍‌ ଅବଧି ବଢ଼ିବ ନାହିଁ ବୋଲି ସରକାରୀ ଭାବେ ସ୍ପଷ୍ଟ ହୋଇସାରିଛି। ତେବେ ବିମାନ, ରେଳଗାଡ଼ି ଓ ବସ୍‌ ଚଳାଚଳ ୧୫ ତାରିଖରୁ ସ୍ୱାଭାବିକ ହେବ କି ସେଥିରେ କଟକଣା ଲାଗୁ ହେବ, ତାହା ଉପରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ଆଜି ସୁଦ୍ଧା ହୋଇନାହିଁ। ଏଥିରେ ଦ୍ୱିରୁକ୍ତି ନାହିଁ ଯେ ଲକ୍‌ଡାଉନ୍‌ ଘୋଷଣା ଏକ ଆକସ୍ମିକ ନିଷ୍ପତ୍ତି ଥିଲା। ଏଥିପାଇଁ ପ୍ରାକ୍‌ପ୍ରସ୍ତୁତି ନଥିଲା। ଗଯାନବାହନ ବନ୍ଦ ପାଇଁ ନୁହେଁ, ବରଂ କଳକାରଖାନା, ଶିଳ୍ପ ଓ ଉଦ୍ୟୋଗ ସବୁ ବନ୍ଦ ହୋଇଯିବା ଯୋଗୁ ସେଥିରେ କର୍ମରତ ଶ୍ରମିକମାନେ ନିଜ ଘରକୁ ଫେରିବାକୁ ବାଧ୍ୟ ହୋଇ ମଧ୍ୟ ଫେରିପାରିନାହାନ୍ତି। ଭିଟାମାଟିକୁ ବାହୁଡ଼ିବାର ମାତ୍ରାଧିକ ମୋହ ଯୋଗୁ ଯେତେ ଟଙ୍କା ଲାଗୁ ପଛେ କିଛି ସଂଖ୍ୟାରେ ଶ୍ରମିକମାନେ ଆମ୍ବୁଲାନ୍ସରେ ଫେରିଆସିଛନ୍ତି। ଅଥବା ସଡ଼କପଥରେ ଚାଲି ନପାରି ସମାନ୍ତରାଳ ଜଙ୍ଗଲୀ ପାଦଚଲା ରାସ୍ତା ସନ୍ଧାନ କରି ଆଉ କିଛି ନିଜ ଗାଆଁରେ ପହଞ୍ଚିଛନ୍ତି। ସେମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ବା ଘର ଠାରୁ ଦୂରରେ ଏକାନ୍ତବାସରେ ରଖାଯାଇଥିଲେ ମଧ୍ୟ ନିଜ ଆତ୍ମୀୟ ସ୍ୱଜନ ପ୍ରିୟ ପରିଜନଙ୍କ ମୁହଁ ଦେଖି ସେମାନେ ଆଶ୍ୱସ୍ତ ଅଛନ୍ତି। ଏପରକି କେହି କେହି ମାଲଗାଡ଼ିରେ ବା ପରିବା ଗାଡ଼ିରେ ଆସିପାରିବାକୁ ଏକ ପାରିବାପଣିଆ ବିଚାରିଛନ୍ତି। ଏଭଳି ପ୍ରକ୍ରିୟା ଜାରି ରହିଛି ଏବଂ ଏପ୍ରିଲ୍‌ ୧୪ ତାରିଖ ପର୍ଯ୍ୟନ୍ତ ମଧ୍ୟ ଲାଗି ରହିବ। କାରଣ ଲକ୍‌ଡାଉନ୍‌ ହେଉଛି ଦେଶବାସୀଙ୍କ ଜୀବନରକ୍ଷାର ଏକ ଉପାୟ, ଜୀବିକା ରକ୍ଷାର ନୁହେଁ। ବରଂ ଯାହା ଯେତିକି ରୋଜଗାର କରିଥିଲେ, ସେତକ ସବୁ ଖର୍ଚ ହୋଇସାରିଛି ଅନେକ ଦାଦନ ଶ୍ରମିକଙ୍କର। ଏବେ କେବଳ ଅନ୍ତଛତ୍ର ଓ ମାଗଣା ଧର୍ମଶାଳା (ସଂପୃକ୍ତ ରାଜ୍ୟର ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ର ବୁଝନ୍ତୁ) ଭରସା।

ଯେଉଁମାନେ ବିମାନରେ ଫେରିବାକୁ ଟିକଟ କାଟିଛନ୍ତି ଅବା ସେଥିପାଇଁ ରେଳଗାଡ଼ିର ଉଚ୍ଚଶ୍ରେଣୀରେ ଟିକଟ କରିଛନ୍ତି ଅବା ବର୍ଥ ଆରକ୍ଷିତ କରିଛନ୍ତି, ସେଇ ମଣିଷମାନଙ୍କ କଥା ଏଠାରେ ଚର୍ଚା କରୁନାହୁଁ। ଯେଉଁ ବର୍ଗର ଶ୍ରମିକମାନଙ୍କର ମାସିକ ଅନ୍ୟୂନ ୫ଟି ଶବ ଓଡ଼ିଶାକୁ ଫେରିବା ପାଇଁ ସରକାରୀ ଓ ବେସରକାରୀ ସଂଗଠନର ଠେଙ୍ଗି ଛିଡ଼ିଯାଉଥିଲା, ସେଇ ଅସହାୟ ଓ ନିରୀହ ଦାଦନଶ୍ରମିକଙ୍କ କଥା କହୁଛୁ। କାରଣ ସେମାନେ ଟିକଟ କାଟି ନାହାନ୍ତି କି କାଟିଥିଲେ ବି ଆସନଟିଏ ବସିବା ପାଇଁ ପାଇବେ ନାହିଁ। ତେବେ ସେମାନେ ଆସିବେ କେମିତି? କେବେ ଆସିବେ? ଏ ପ୍ରଶ୍ନର ଉତ୍ତର ସେମାନଙ୍କ ନିଜ ପାଖରେ ନାହିଁ କି, ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିବା ଅଧିକାରୀଙ୍କ ପାଖରେ ନାହିଁ। ଏଥିପାଇଁ କୌଣସି ଯୋଜନା ମଧ୍ୟ ପ୍ରସ୍ତୁତ ହୋଇନାହିଁ। ସେମାନେ ଯେଉଁଠି ବି ଥାଆନ୍ତୁ ନା କାହିଁକି ଏପ୍ରିଲ ୧୪ ତାରିଖର ଯଥେଷ୍ଟ ପୂର୍ବରୁ ସେମାନଙ୍କର ସଙ୍ଗରୋଧ ଅବଧି ପୂରଣ ହୋଇସାରିଥିବ। କିନ୍ତୁ ତଥାପି ସେମାନଙ୍କୁ ଛତର ଖାଇବାକୁ ପଡ଼ିବ। କାରଣ ଉତ୍ତରପ୍ରଦେଶ ସରକାର ନିଜ ରାଜ୍ୟର ଏଭଳି ଶ୍ରମିକମାନଙ୍କୁ ଦିଲ୍ଲୀର ଆନନ୍ଦବିହାର ବସ୍‌ ଟର୍ମିନସ୍‌ରୁ ସହସ୍ରାଧିକ ବସ୍‌ରେ ନିଜନିଜ ଗାଆଁକୁ ନେଇଯିବା ଭଳି ଓଡ଼ିଶା ସରକାର ଇଜ୍ଜତର ସହ ଓଡ଼ିଆ ଦାଦନଶ୍ରମିକଙ୍କୁ ଫେରାଇଆଣିବାକୁ କୌଣସି ପରିକଳ୍ପନା କରି ନାହାନ୍ତି। ଅର୍ଥାତ୍‌ ଏପ୍ରିଲ୍‌ ୧୬ ତାରିଖରେ ମଧ୍ୟ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ସେଭଳି ଶ୍ରମିକମାନେ ପହଞ୍ଚିପାରିବେନି। 

କୋଏମ୍ବାଟୁରରେ ଫସିଥିବା ଭଂଜନଗର ବ୍ଲକ୍‌ର ଦାଦନଶ୍ରମିକ 
ଏହା ନିଶ୍ଚିତ ଯେ ସଂକ୍ରମଣ ରୋକିବାକୁ ରେଳଯାତ୍ରୀଙ୍କ ଖାଦ୍ୟପାନୀୟ ଓ ଏହାର ପରିବେଷଣ ଉପରେ କଟକଣା ଲାଗିବା ସହ ଜେନେରାଲ ଡବାର ଯାତ୍ରା ଉପରେ କଟକଣା ନିଶ୍ଚିତ। ତେଣୁ ଭୁବନେଶ୍ୱରରେ ପୂର୍ବତଟ ରେଳବାଇର ମୁଖ୍ୟାଳୟ ଥିବାରୁ ଓଡ଼ିଶା ସରକାର ବରିଷ୍ଠ ରେଳ ଅଧିକାରୀମାନଙ୍କ ସହ ଗମ୍ଭୀରତାର ସହ ଆଲୋଚନା କରି ଫସିରହିଥିବା ଶ୍ରମିକଙ୍କ ପରିବହନ ପାଇଁ ଯୋଜନା ପ୍ରସ୍ତୁତ କରିବା ଦରକାର। ଏହା ସହ ସେମାନେ କୋଭିଡ୍‌-୧୯ ସଂକ୍ରମିତ ନୁହନ୍ତି ବୋଲି ସେମାନେ ଅବସ୍ଥାନ କରୁଥିବା ସହରରେ ହିଁ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯିବା ଦରକାର। କାରଣ ଓଡ଼ିଶାର ସବୁ ଗାଆଁରେ ଏବେ ବହିରାଗତ ଆଗନ୍ତୁକଙ୍କ ଧଡ଼ା ପଡ଼ିଛି, ଯାହାକି ଏଭଳି ରୋଗ ବିରୋଧରେ ଓଡ଼ିଶାର ଗ୍ରାମାଞ୍ଚଳର ଏକ ପାରମ୍ପରିକ ପ୍ରାଚୀର। ସେଇ ପ୍ରାଚୀରକୁ ଭେଦ କରିବାକୁ ରାଜ୍ୟ ସରକାର ଆଗୁଆ ବ୍ୟବସ୍ଥା କରନ୍ତୁ। ସଂକ୍ରମଣ ରୋକିବାକୁ ରେଳଗାଡ଼ିରେ ଯେତେପ୍ରକାର ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇପାରିବ, ସେତେ ଭଲ। ତେବେ ନିୟମିତ ଗାଡ଼ିରେ ଭିଡ଼ ହେବାର ନିଶ୍ଚିତ ଆଶଙ୍କା ଥିବାରୁ ରାଜ୍ୟବାସୀଙ୍କ ଦାଦନ ଦୁଃଖ ଟାଳିବାକୁ କିଛି ଇଜ୍ଜତଦାର ପନ୍ଥା ଅବଲମ୍ବନ କରିବା ସର୍ବାଦୌ ଆବଶ୍ୟକ। 

ଘରବାହୁଡ଼ା ବ୍ୟାକୁଳତାରେ ଦିନ ଗଣୁଥିବା ଓଡ଼ିଆ ଦାଦନଶ୍ରମିକମାନେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ ହେବା ପୂର୍ବରୁ ପାଣି ଠାରୁ ପାଉଁରୁଟି ପର୍ଯ୍ୟନ୍ତ ସବୁ ଜିନିଷ ଦୁଇ ଗୁଣାରୁ ପାଞ୍ଚଗୁଣା ଦାମ୍‌ରେ କିଣି ନିଜ ସର୍ବସ୍ୱ ହରାଇସାରିଛନ୍ତି। ପୁଣି କଳକାରଖାନା, ଶିଳ୍ପ, ଉଦ୍ୟୋଗ ଆରମ୍ଭ ହେଲେ ସେମାନେ ପୁଣିଥରେ ସେଠାକୁ ଫେରିବା ପାଇଁ ଟଙ୍କା ଯୋଗାଡ଼ କରିପାରିବେ ନାହିଁ। ଓଡ଼ିଶାରେ କାମଧନ୍ଦାର ଗୁରୁତର ସଙ୍କଟ ରହିଥିବାରୁ, ଓଡ଼ିଶାର ଲକ୍ଷଲକ୍ଷ ଦାଦନଶ୍ରମିକଙ୍କୁ ସେମାନଙ୍କ ପସନ୍ଦର କର୍ମସଂସ୍ଥାନ ସ୍ଥଳକୁ, ମାନେ ରାଜ୍ୟ ବାହାରକୁ ପୁଣି ପଠାଇବା ପାଇଁ କରୋନା ମୁକାବିଲା ଟିମ୍‌ରେ ଥିବା ବିଶେଷଜ୍ଞମାନେ ବିସ୍ତୃତ ଯୋଜନା କରିବା ନିହାତି ଦରକାର।

@bimalodisha

10 अप्रैल 2020

ବିନା ଇଣ୍ଟରନେଟ୍‌ରେ ଭିଡିଓ କଲ୍‌

କହାଯାଏ ଓ ବ୍ୟବସ୍ଥା ବି ସ୍ୱୀକାର କରେ ବିଜ୍ଞାନ ଓ ପ୍ରଯୁକ୍ତି (Science & Technology) ବଳରେ ବିକାଶ ପ୍ରଖର ହୋଇପାରିବ। ପ୍ରଯୁକ୍ତି ବି ତ ବିଜ୍ଞାନ! ହେଲେ ପ୍ରଯୁକ୍ତିକୁ ବିଜ୍ଞାନ ଠାରୁ ଭିନ୍ନ କରି କାହିଁକି କହାଯାଉଛି? ବିଜ୍ଞାନ ମୂଳତଃ  ଜ୍ଞାନ ପ୍ରସାର ଉଦ୍ଦେଶ୍ୟରେ ଥାଏ ବା ଯାହା ଶିକ୍ଷାଦାନ କରାଯାଏ। କିନ୍ତୁ ପ୍ରଯୁକ୍ତିର ଲକ୍ଷ୍ୟ ହେଉଛି ଉତ୍ପାଦ ନିର୍ମାଣ କରିବା ଏବଂ ପ୍ରଯୁକ୍ତି ହେଉଛି ବିଜ୍ଞାନର ବ୍ୟାବହାରିକ ପ୍ରୟୋଗ। ଅନ୍ୟ ଶବ୍ଦରେ କହିଲେ ବିଜ୍ଞାନ ହେଉଛି ଏ ଭୌତିକ ଓ ପ୍ରାକୃତିକ ସୃଷ୍ଟିର ଗଠନ ଓ ଆଚରଣର ଅଧ୍ୟୟନ। ଏବଂ ପ୍ରଯୁକ୍ତି ହେଉଛି ବାସ୍ତବ ଉଦ୍ଦେଶ୍ୟରେ ବୈଜ୍ଞାନିକ ଜ୍ଞାନର ପ୍ରୟୋଗ।

ଆପଣଙ୍କ ହାତରେ ଥିବା 4G ସିମ୍‌ଯୁକ୍ତ ସ୍ମାର୍ଟଫୋନ୍‌ରେ WhatsApp Video Call କରିବାର ବା ଅନ୍ୟ ଆପ୍ଲିକେସନ୍‌ରେ ଭିଡିଓ କଲ୍‌ କରିବାର ଅଭିଜ୍ଞତା ହୁଏତ ଆପଣଙ୍କର ଥିବ। ହେଲେ ଆଜି ଜାଣିବା ବିନା ଇଣ୍ଟରନେଟ୍‌ରେ ଭିଡିଓ କଲ୍‌ ବିଷୟରେ। ମାନେ ଡାଟା ବନ୍ଦ ଥାଇ।  ଆପଣଙ୍କର ହ୍ୟାଣ୍ଡ୍‌ସେଟ୍‌ ଯଦି Samsung ବା MI କମ୍ପାନୀର ହୋଇଥାଏ ବା ଅନ୍ୟ କୌଣସି ଉନ୍ନତ ବ୍ରାଣ୍ଡ୍‌ର (Oppo, Realme ଆଦି) ହୋଇଥାଏ, ତେବେ 4G ନମ୍ବରରୁ ସେଇଭଳି ହ୍ୟାଣ୍ଡ୍‌ସେଟ୍‌ ଥିବା କଲ୍‌ ଗ୍ରହୀତାଙ୍କ 4G ନମ୍ବରକୁ କଲ୍‌ କରି ତାହା ପରେ Video Call ବୋତାମ ଚିପି କଲ୍‌ ଗ୍ରହୀତାଙ୍କ ସ୍ୱୀକାରୋକ୍ତି ଅନୁଯାୟୀ ପାଣି ଭଳି ସ୍ପଷ୍ଟ ଭିଡିଓରେ ପରସ୍ପରର ଚେହେରା ଦେଖି କଥାବାର୍ତ୍ତା ହୋଇପାରିବେ। 

- ୨୦୧୯ ମସିହାରୁ ଏହି ତାରିଖ ଭିତରେ କିଣାଯାଇଥିବା ସମସ୍ତ ଆଧୁନିକ ଓ ନୂଆ ହ୍ୟାଣ୍ଡ୍‌ସେଟ୍‌ରେ ଏଭଳି ବିନା ଇଣ୍ଟରନେଟ୍‌ରେ ଭିଡିଓ କଲ୍‌ ସମ୍ଭବ।
- ଏତିକି ସୁନିଶ୍ଚିତ କରିବେ ଯେ ଆପଣଙ୍କ ହ୍ୟାଣ୍ଡ୍‌ସେଟ୍‌ ସମସ୍ତ system update ଗ୍ରହଣ କରିଅଛି।
- ‘ଜିଓ’ ରୁ ‘ଜିଓ’କୁ ଏଭଳି କଲ୍‌ ବେଶ୍‌ ସୁବିଧାଜନକ।
- ଏୟାରଟେଲ୍‌ 4G ରୁ ଏୟାରଟେଲ୍‌ 4G କୁ ମଧ୍ୟ ଏଭଳି ଭିଡିଓ କଲ୍‌ ସମ୍ଭବ।
- ଏହି ସୁବିଧାକୁ କହାଯାଏ VoLTE ସୁବିଧା। 4G ର ଅନ୍ୟନାମ LTE ଏବଂ VoLTE ମାନେ Voice Over LTE ବା Video Over :LTE.
-  DoT ଏହାକୁ ଏବେ ବି ନିଜ ବିଧିବିଧାନ(Protocol)ରେ ନାଗରିକମାନଙ୍କ (ଗ୍ରାହକମାନଙ୍କ) ସୁବିଧା ପାଇଁ ପ୍ରଦାନ କରିନାହିଁ। ବରଂ ହ୍ୟାଣ୍ଡ୍‌ସେଟ୍‌ ନିର୍ମାତାମାନଙ୍କ ପ୍ରତିଦ୍ୱନ୍ଦ୍ୱିତାମୂଳକ ଆଚରଣ ଯୋଗୁ ସମ୍ଭବ ହୋଇପାରୁଛି। କାରଣ VolTE କଲ୍‌ ବା HD କଲ୍‌ କେବଳ ସେହି ଅପରେଟରଙ୍କ ନମ୍ବର ମଧ୍ୟରେ ସମ୍ଭବ ହୋଇପାରୁଛି।
- ଗୋଟିଏ VoLTE ଅପରେଟରରୁ ଅନ୍ୟ ଏକ VoLTE ଅପରେଟରକୁ ବିନା ଇଣ୍ଟରନେଟ୍‌ବାଲା ଭିଡିଓ କଲ୍‌ ସମ୍ଭବ ହେଉ ନାହିଁ। 

ହଁ, ଅନ୍ୟତମ ଅପରେଟର Vodafone/ Idea ବି 4G VoLTE ହୋଇଥିଲେ ସୁଦ୍ଧା ତାହା ପରୀକ୍ଷିତ ନୁହେଁ।

ନିଜର ସ୍ୱଜନ, ପ୍ରିୟଜନ ଓ ପରିଜନଙ୍କୁ ଦୂରରେ ଥାଇ ବି ପାଖରେ ଅନୁଭବ କରନ୍ତୁ ଭିଡିଓ କଲ୍‌ରେ। ଏପରିକି ନିଜ କାର୍ଯ୍ୟ କ୍ଷେତ୍ରରେ ନିଜର ସନ୍ଦେହ ମୋଚନ ପାଇଁ ଏହାକୁ ଏକ ଶିକ୍ଷଣ ମାଧ୍ୟମ ରୂପେ ବ୍ୟବହାର କରନ୍ତୁ।

ବିମଳ ପ୍ରସାଦ, ଭୁବନେଶ୍ୱର @bimalodisha