27 जून 2018

ଜଳସଂପଦ ରାଜନୀତିର ଖେଳଣା-ମନ୍ତ୍ରୀ ନିରଂଜନ !

ଆପଣଙ୍କର ମନେ ଥାଇପାରେ ଚଳିତ ବର୍ଷ(୨୦୧୮) ଏପ୍ରିଲ ୧୬ ତାରିଖରେ କୋଲକାତା ଠାରେ ହୋଇଥିଲା ପ୍ରଥମ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଞ୍ଚଳିକ ଜଳସଂପଦ ସମ୍ମିଳନୀ। ଉଦ୍ଦେଶ୍ୟ ଥିଲା, ଆଭ୍ୟନ୍ତରୀଣ ଓ ଆନ୍ତଃରାଜ୍ୟ ନଦୀ ଉପତ୍ୟକା ସମସ୍ୟାଗୁଡ଼ିକୁ ଆପୋଷ ଆଲୋଚନା ଜରିଆରେ ସମାଧାନ କରିବା। ଏଥିରେ ଭାଗ ନେଇଥିଲେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଂଗର ଜଳସଂପଦ ମନ୍ତ୍ରୀ ଓ ସେମାନଙ୍କର ସଚିବମାନେ। ଏଥିରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏବଂ କେନ୍ଦ୍ର ଜଳ ଆୟୋଗ (Central Water Commission) ଅଧ୍ୟକ୍ଷ ଯୋଗ ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟକର କଥାଟି ହେଲା, ଏହି ସମ୍ମିଳନୀରେ ଓଡ଼ିଶାର ଜଳସମ୍ପଦ ମନ୍ତ୍ରୀ ଯୋଗ ଦେଇ ନଥିଲେ। ବରଂ ସେଠାକୁ ପ୍ରତିନିଧି କରି ପଠାଯାଇଥିଲା ଜଣେ ପୂର୍ବତନ ମନ୍ତ୍ରୀ ତଥା ଏବେର ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ। କିନ୍ତୁ ଦେଢ଼ ମାସ ତଳୁ (୩ ମାର୍ଚ ୨୦୧୮) ଜଳସଂପଦ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳି ନଥିଲା। ତେବେ ନିରଂଜନଙ୍କୁ ମନ୍ତ୍ରୀ କରାଯାଇଛି କାହିଁକି? ସେ କ’ଣ ଏକ ଖେଳଣା ମାତ୍ର?

ରାଜ୍ୟର କୌଣସି ସଚେତନ ନାଗରିକଙ୍କୁ ଏହା ଅଡ଼ୁଆ ଲାଗିଲାନି କି କୌଣସି ଗଣମାଧ୍ୟମକୁ ମଧ୍ୟ ଏହା ଆନ୍ଦୋଳିତ କଲା ନାହିଁ। ରାଜ୍ୟର ଶାସକ ଦଳ ସବୁ ଗଣମାଧ୍ୟମକୁ ନିଜ ପକେଟ୍‌ରେ ପୂରାଇ ସାରିଥିବାରୁ ତଥା ସାମ୍ବାଦିକମାନଙ୍କୁ ଆପ୍ୟାୟିତ କରି ରଖିଥିବାରୁ ଏହା କାହାରି ମନରେ ପ୍ରଶ୍ନବାଚୀ ବି ସୃଷ୍ଟି କଲା ନାହିଁ କି ଏବେ ବି କରି ନାହିଁ।

ଓଡ଼ିଶାର ଏବେକାର ବଡ଼ ଜଳସଂପଦ ମୁଦ୍ଦା ହେଉଛି - ମହାନଦୀ ଜଳ। ଆଉ ମହାନଦୀକୂଳିଆ ଯୁବକ ହେଉଛନ୍ତି ସ୍ୱୟଂ ଜଳସଂପଦ ମନ୍ତ୍ରୀ ନିରଂଜନ। ଅଥଚ ତାଙ୍କୁ ସେହି ସମ୍ମିଳନୀକୁ ପଠାନଯାଇ ପଠାଯାଇଥିଲା ସୂର୍ଯ୍ୟନାରାୟଣଙ୍କୁ। ନିରଂଜନଙ୍କ ଉପରେ କ’ଣ ଭରସା ପାଇଲା ନାହିଁ? ନିରଂଜନ ଓକିଲକୁ ସୂର୍ଯ୍ୟନାରାୟଣ ବି ଓକିଲ। ଉଭୟେ ଯୁକ୍ତି କରିବାରେ ଏବଂ ଇଂଲିଶ୍‌ କହିବା ଲେଖିବାରେ ମାହିର। କେଉଁ ବିଶେଷ ଯୋଗ୍ୟତା ପାଇଁ ସୂର୍ଯ୍ୟନାରାୟଣଙ୍କୁ ପ୍ରତିନିଧି କରାଗଲା ସେଇ ଆଞ୍ଚଳିକ ସମ୍ମିଳନୀରେ। ଅନ୍ୟ ରାଜ୍ୟରୁ ସତସତିକା ମନ୍ତ୍ରୀମାନେ ଆସିଥିବା ବେଳେ ଓଡ଼ିଶାରୁ ଯାଇଥିଲେ ଜଣେ ପ୍ରତିନିଧି। ଏହି ଶାସକୀୟ ବିକାର ଉପରେ ଅନ୍ୟ ରାଜ୍ୟର ଧାରଣା କ’ଣ ହୋଇଥିବ ତାହା ଅନୁଧ୍ୟାନ ସାପେକ୍ଷ।

ଆମ୍ଭଙ୍କୁ ସବୁଠୁ ବେଶି ଆନ୍ଦୋଳିତ କରୁଥିବା ପ୍ରଶ୍ନଟି ହେଉଛି. ଯଦି ନିରଂଜନ ପୂଜାରୀ ଜଣେ ଅଯୋଗ୍ୟ ବିଧାୟକ, ତେବେ ତାଙ୍କୁ ଜଳସଂପଦ ଭଳି ଏକ ଓଜନିଆ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପଦବୀ ଦିଆଯାଇଛି କାହିଁକି? ସେଇ ସମାନ ତାରିଖ (୩ ମାର୍ଚ ୨୦୧୮)ରେ ଅନ୍ୟ ଏକ ଓଜନିଆ ବିଭାଗ ‘‘ପୂର୍ତ ବିଭାଗ’’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଟେକି ଦେଇଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାନ୍ଧରେ। ଆପଣଙ୍କୁ ଲାଗୁନି କି ପଶ୍ଚିମ ଓଡ଼ିଶା ପ୍ରତି ରାଜଧାନୀର ନିକୃଷ୍ଟ ଆଚରଣ?

ରାଜ୍ୟବାସୀ ଏମିତି କଥାକୁ ଭୁଲି ଯାଆନ୍ତି ଏବଂ ଦଶ ବର୍ଷ ପରେ ପୁଣି କେହି ଏହା ଉପରେ ସ୍ତମ୍ଭ ଲେଖିଲେ ବା ପୁସ୍ତକ ଲେଖିଲେ, ସେତେବେଳେ ଶୀତଳଗୃହ ମଧ୍ୟରେ ଗରମ ହେବାରେ ସଭାସଦ୍‌ମାନେ ଆନନ୍ଦ ପାଆନ୍ତି! କ’ଣ ଏମିତି ଚାଲିଥିବ ଏ ରାଜ୍ୟ?

ପାକିସ୍ତାନ ରାଜନୀତିରେ ଯେମିତି କଶ୍ମୀର ଏକ ଭୋଟ୍‌ ବ୍ୟାଙ୍କ୍‌। ଓଡ଼ିଶାର ଶାସକଦଳ ପାଇଁ ସେମିତି ମହାନଦୀ ଜଳ ମୁଦ୍ଦା ଏକ ଭୋଟ୍‌ ବ୍ୟାଙ୍କ୍‌ ହୋଇପଡ଼ିଛି। କାଳେ ନମ୍ର ସ୍ୱଭାବର ଯୁବ ମନ୍ତ୍ରୀ ନିରଂଜନ କୌଣସି ସମାଧାନ ପନ୍ଥାରେ ରାଜି ହୋଇଯିବେ - ସମ୍ଭବତଃ ଏହି ଆଶଙ୍କାରେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ଖେଳଣା ଭଳି ବ୍ୟବହାର କରି ଥାଇପାରନ୍ତି। କାରଣ ମହାନଦୀ ଜଳ ସମସ୍ୟା ସମାଧାନ ହୋଇଗଲେ, ଶସ୍ତା ଭୋଟ୍‌ବ୍ୟାଙ୍କ୍‌ ପାଇଁ ୮ରୁ ୧୦ଟି ଜିଲ୍ଲା ସକାଶେ ଆଉ କିଛି ମୁଦ୍ଦା ରହିବ ନାହିଁ।

ମନ୍ତ୍ରୀଙ୍କ କଥାକୁ ବିଭାଗୀୟ ସଚିବମାନେ ଖାତିର କରୁ ନାହାନ୍ତି - ଏ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ତେବେ କୋଲକାତାରେ ହୋଇଥିବା ପୂର୍ବାଞ୍ଚଳ ରାଜ୍ୟର ଜଳସଂପଦ ସମ୍ମିଳନୀର ବିକୃତିକୁ ଲକ୍ଷ୍ୟ କଲେ, ଓଡ଼ିଶାର ସରକାରୀ ଔଦ୍ଧତ୍ୟର ମାତ୍ରା କେଉଁଠି ପହଞ୍ଚିଲାଣି, ତାହା ଜଳଜଳ ଦେଖାଯାଉଛି। କିନ୍ତୁ ଓଡ଼ିଶା ସରକାର କେବଳ ଗୋଟିଏ କଥା ଧରିଛି ଯେ ସବୁ ଜଳ, ଉପର ମୁଣ୍ଡରେ ଛତିଶଗଡ଼ ଅଟକାଇ ଦେଇଛି। ତେଣୁ ଓଡ଼ିଶାରେ ନଦୀଜଳ ପରିଚାଳନା ପୂରା ଅକାମୀ ହୋଇଯାଇଛି।

20 जून 2018

ଆହେ ନୀଳ ଶୈଳ ବନାମ ଚକାନୟନକୁ ପତିତ କେହି

ପୁଣି ଅଭିଯୋଗ ଉଠିଛି ମୁମ୍ବଇୟା ଗାୟିକା ସୋନା ମହାପାତ୍ରଙ୍କ ନାମରେ। ସେ ଓଡ଼ିଆ ବଂଶୋଦ୍ଭବ ହୋଇ ଓଡ଼ିଆ ଭାଷା, ସଂସ୍କୃତି ଓ ଧାର୍ମିକ ଭାବନାକୁ ଆଘାତ ଦେବା ଅତ୍ୟନ୍ତ ନିନ୍ଦନୀୟ। ବିଶ୍ୱର ଲୋକପ୍ରିୟ ଭିଡ଼ିଓ ମିଡ଼ିଆ ‘ୟୁଟ୍ୟୁବ୍‌’ରେ ସେଇ ଗୀତକୁ ଅପ୍‌ଲୋଡ଼୍‌ କରି ନଥିଲେ ଏତେ ନାଟ ହୋଇ ନଥାଆନ୍ତା। ଆଜିକୁ ଠିକ୍‌ ୩ ବର୍ଷ ତଳେ ମେ ୨୦୧୫ରେ ସେ ଓଡ଼ିଶାର ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’କୁ ବିକୃତ କରି ନିନ୍ଦିତ ଓ ଚର୍ଚିତ ହୋଇଥିଲେ। ଏବେ ୩ ବର୍ଷ ପରେ ପୁଣି ବିବାଦୀୟ ହୋଇ ଧ୍ୟାନ ଆକର୍ଷଣ କରିବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି ସୋନା।

‘‘ଆହେ ନୀଳ ଶୈଳ...’’ ଭଜନକୁ ବିକୃତ କରି ସେ ପ୍ରତିଟି ଓଡ଼ିଆଙ୍କ ମନରେ ଗୁରୁତର ଆଘାତ ଦେଇଛନ୍ତି। ଯଦିଚ ଆମର ସହନଶୀଳତା କାରଣରୁ ତାଙ୍କୁ ଗୌରୀ ଲଙ୍କେଶଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ ନାହିଁ। ତଥାପି ସେ କ୍ଷମା ମାଗିନେବା ସହ ‘ୟୁଟ୍ୟୁବ୍‌’ରୁ ସେହି କ୍ଲିପ୍‌କୁ ହଟାଇଦେବା ଉଚିତ।

ସାଧାରଣତଃ ଉଚ୍ଚାରଣ ଭୁଲ୍‌ କରୁଥିବା କଣ୍ଠଶିଳ୍ପୀମାନଙ୍କୁ ସଂଗୀତକାରମାନେ ନିଜ ପ୍ରକଳ୍ପରେ ନେଇ ନଥାଆନ୍ତି। ଏ କ୍ଷେତ୍ରରେ ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ପ୍ରଫୁଲ୍ଲ କର, ରାଧାକୃଷ୍ଣ ଭଂଜ ପ୍ରଭୃତି ସଂଗୀତକାରଙ୍କୁ ଉଦାହରଣ ରୂପେ ନିଆଯାଇପାରେ। ମୁମ୍ବାଇରେ ମଞ୍ଚ କାର୍ଯ୍ୟକ୍ରମରେ ଗାଉଥିଲେ ବି ରେକର୍ଡ଼ ବା ଫିଲ୍ମରେ ଗାଇବାକୁ ସୋନା ମହାପାତ୍ର ଯଥେଷ୍ଟ ସୁଯୋଗ ନପାଇବାର କାରଣ ତାଙ୍କ ଭୁଲ୍‌ ଉଚ୍ଚାରଣ ହୋଇଥାଇପାରେ। ଅନ୍ୟ ପକ୍ଷରେ, ଗାଉଥିବା କଳାକାରମାନେ ଗୋଟିଏ ଗୀତକୁ ନେଇ ମଞ୍ଚକୁ ଉଠିବା ପୂର୍ବରୁ ଶହେ ଗୀତକୁ ଦୁଇ ଶହ ଥର ଶୁଣିଥାଆନ୍ତି। ଅଣଓଡ଼ିଆ କଣ୍ଠଶିଳ୍ପୀମାନେ ଓଡ଼ିଆ ଗୀତକୁ ଏତେ ଭାବପୂର୍ଣ ଭାବରେ ଗାଇ ପାରୁଥିବା ବେଳେ ସୋନା ଜଣେ ଖନି ଭଳି ଉଚ୍ଚାରଣ କରିବାର ଉଦ୍ଦେଶ୍ୟ କ’ଣ? ଆଶା ଭୋସ୍‌ଲେ, ଲତା ମଙ୍ଗେସକର, ବାଣୀ ଜୟରାମ, ପି. ସୁଶୀଳା, ଏସ୍‌. ଜାନକୀ, କବିତା କ୍ରିଷ୍ଣମୂର୍ତ୍ତି, ହୈମୟନ୍ତୀ ଶୁକ୍ଳା, ଅନୁରାଧା ପୌଡ଼ୱାଲ, ଅଲକା ଯାଜ୍ଞିକ୍‌, ସୁରେଶ ୱାଡ଼କର, ବାବୁଲ ସୁପ୍ରିୟ, ମହମ୍ମଦ ଅଜିଜ୍‌, ସୋନୁ ନିଗମ, କୁମାର ସାନୁ - ଏମିତି ପ୍ରାୟ ଶହେ ଜଣ ଅଣଓଡ଼ିଆ କଣ୍ଠଶିଳ୍ପୀ ରାଶି ରାଶି ମନଛୁଆଁ ଗୀତ ଗାଇସାରିଥିବା ବେଳେ ସେମାନଙ୍କ ଗୀତକୁ ଶୁଣିବାର ଆବଶ୍ୟକତା ଅଛି ଏବେର ସବୁ କଣ୍ଠଶିଳ୍ପୀମାନଙ୍କୁ।
ସୌଜନ୍ୟ: ସମ୍ବାଦ, ୨୦ ଜୁନ୍‌ ୨୦୧୮
ତେବେ ଗୀତକୁ ବିକୃତ କରି ଗାଇବା ଏକ ନୂଆ ଘଟଣା ନୁହେଁ। ରଘୁନାଥ ପାଣିଗ୍ରାହୀ ଓ ଭିକାରୀ ବଳଙ୍କ ଭଳି ଯଶସ୍ୱୀ ସଂଗୀତଜ୍ଞମାନେ ମଧ୍ୟ ଭୁଲ୍‌ ଗାଇଛନ୍ତି। ତାହାର ଏକ ଉଦାହରଣ ହେଲା ଚନ୍ଦନ ହଜୁରୀଙ୍କ ବିରଚିତ ଲୋକପ୍ରିୟ ଭଜନ - ‘‘ଚକାନୟନକୁ ପତିତ କେହି, ତକାଇ ଖର ନିଃଶ୍ୱାସ ପକାଇ‘‘ରେ ଠାଏ ରହିଛି:- କରି ହରଣ ଦ୍ରୌପଦୀ ବିପତ୍ତି... କିନ୍ତୁ ଏହାକୁ ସେମାନେ ହରିଣ ଅବା ହରିଣୀ ବୋଲି ଗାଇଛନ୍ତି। ଫଳରେ ସେମାନଙ୍କ ପଦାଙ୍କ ଅନୁସରଣ କରି ନୂଆ ପିଢ଼ିର ସୁପ୍ରସିଦ୍ଧ ଭଜନଶିଳ୍ପୀ ନମିତା ଅଗ୍ରୱାଲ ବି ଗାଇଛନ୍ତି - ‘‘କରି ହରିଣୀ ଦ୍ରୌପଦୀ ବିପତ୍ତି...’’। ଭଗବାନ ଜଣେ ହରିଣୀକୁ ବିପତ୍ତିରୁ ଉଦ୍ଧାର କରିଥିଲେ। କିନ୍ତୁ ଏଠାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଲଜ୍ଜା ଜଡ଼ିତ ବିପତ୍ତି ହରଣ କଥା କହିଛନ୍ତି ଭକ୍ତ ଚନ୍ଦନ ହଜୁରୀ (ଓରଫ ଚାଖି ଖୁଣ୍ଟିଆ)। ଯଦିଚ ଶବ୍ଦଟି ହେଉଛି ହରଣ ବା ହରିଣ, ତେବେ ‘କରି’ ଶବ୍ଦ ଲାଗିଥିବାରୁ ତାହା କେବଳ ‘ହରଣ’ ହେବ। ସ୍ୱରରେ ମାଧୁର୍ଯ୍ୟ ଥିବାରୁ ଏଭଳି ତ୍ରୁଟିଗୁଡ଼ିକୁ ବିମୁଗ୍ଧ ଶ୍ରୋତାମାନେ ଅତୀତରେ ଧରି ନାହାନ୍ତି। ଏହାର ଅର୍ଥ ନୁହେଁ ଯେ ଯିଏ ଯେତେବେଳେ ଚାହିବ, ଭୁଲ୍‌ ଗାଇବ, ଆଉ ବେସୁରା ବି!

ବିମଳ ପ୍ରସାଦ, ୯୯୩୭୩୫୩୨୯୩