20 जून 2018

ଆହେ ନୀଳ ଶୈଳ ବନାମ ଚକାନୟନକୁ ପତିତ କେହି

ପୁଣି ଅଭିଯୋଗ ଉଠିଛି ମୁମ୍ବଇୟା ଗାୟିକା ସୋନା ମହାପାତ୍ରଙ୍କ ନାମରେ। ସେ ଓଡ଼ିଆ ବଂଶୋଦ୍ଭବ ହୋଇ ଓଡ଼ିଆ ଭାଷା, ସଂସ୍କୃତି ଓ ଧାର୍ମିକ ଭାବନାକୁ ଆଘାତ ଦେବା ଅତ୍ୟନ୍ତ ନିନ୍ଦନୀୟ। ବିଶ୍ୱର ଲୋକପ୍ରିୟ ଭିଡ଼ିଓ ମିଡ଼ିଆ ‘ୟୁଟ୍ୟୁବ୍‌’ରେ ସେଇ ଗୀତକୁ ଅପ୍‌ଲୋଡ଼୍‌ କରି ନଥିଲେ ଏତେ ନାଟ ହୋଇ ନଥାଆନ୍ତା। ଆଜିକୁ ଠିକ୍‌ ୩ ବର୍ଷ ତଳେ ମେ ୨୦୧୫ରେ ସେ ଓଡ଼ିଶାର ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’କୁ ବିକୃତ କରି ନିନ୍ଦିତ ଓ ଚର୍ଚିତ ହୋଇଥିଲେ। ଏବେ ୩ ବର୍ଷ ପରେ ପୁଣି ବିବାଦୀୟ ହୋଇ ଧ୍ୟାନ ଆକର୍ଷଣ କରିବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି ସୋନା।

‘‘ଆହେ ନୀଳ ଶୈଳ...’’ ଭଜନକୁ ବିକୃତ କରି ସେ ପ୍ରତିଟି ଓଡ଼ିଆଙ୍କ ମନରେ ଗୁରୁତର ଆଘାତ ଦେଇଛନ୍ତି। ଯଦିଚ ଆମର ସହନଶୀଳତା କାରଣରୁ ତାଙ୍କୁ ଗୌରୀ ଲଙ୍କେଶଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ ନାହିଁ। ତଥାପି ସେ କ୍ଷମା ମାଗିନେବା ସହ ‘ୟୁଟ୍ୟୁବ୍‌’ରୁ ସେହି କ୍ଲିପ୍‌କୁ ହଟାଇଦେବା ଉଚିତ।

ସାଧାରଣତଃ ଉଚ୍ଚାରଣ ଭୁଲ୍‌ କରୁଥିବା କଣ୍ଠଶିଳ୍ପୀମାନଙ୍କୁ ସଂଗୀତକାରମାନେ ନିଜ ପ୍ରକଳ୍ପରେ ନେଇ ନଥାଆନ୍ତି। ଏ କ୍ଷେତ୍ରରେ ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ପ୍ରଫୁଲ୍ଲ କର, ରାଧାକୃଷ୍ଣ ଭଂଜ ପ୍ରଭୃତି ସଂଗୀତକାରଙ୍କୁ ଉଦାହରଣ ରୂପେ ନିଆଯାଇପାରେ। ମୁମ୍ବାଇରେ ମଞ୍ଚ କାର୍ଯ୍ୟକ୍ରମରେ ଗାଉଥିଲେ ବି ରେକର୍ଡ଼ ବା ଫିଲ୍ମରେ ଗାଇବାକୁ ସୋନା ମହାପାତ୍ର ଯଥେଷ୍ଟ ସୁଯୋଗ ନପାଇବାର କାରଣ ତାଙ୍କ ଭୁଲ୍‌ ଉଚ୍ଚାରଣ ହୋଇଥାଇପାରେ। ଅନ୍ୟ ପକ୍ଷରେ, ଗାଉଥିବା କଳାକାରମାନେ ଗୋଟିଏ ଗୀତକୁ ନେଇ ମଞ୍ଚକୁ ଉଠିବା ପୂର୍ବରୁ ଶହେ ଗୀତକୁ ଦୁଇ ଶହ ଥର ଶୁଣିଥାଆନ୍ତି। ଅଣଓଡ଼ିଆ କଣ୍ଠଶିଳ୍ପୀମାନେ ଓଡ଼ିଆ ଗୀତକୁ ଏତେ ଭାବପୂର୍ଣ ଭାବରେ ଗାଇ ପାରୁଥିବା ବେଳେ ସୋନା ଜଣେ ଖନି ଭଳି ଉଚ୍ଚାରଣ କରିବାର ଉଦ୍ଦେଶ୍ୟ କ’ଣ? ଆଶା ଭୋସ୍‌ଲେ, ଲତା ମଙ୍ଗେସକର, ବାଣୀ ଜୟରାମ, ପି. ସୁଶୀଳା, ଏସ୍‌. ଜାନକୀ, କବିତା କ୍ରିଷ୍ଣମୂର୍ତ୍ତି, ହୈମୟନ୍ତୀ ଶୁକ୍ଳା, ଅନୁରାଧା ପୌଡ଼ୱାଲ, ଅଲକା ଯାଜ୍ଞିକ୍‌, ସୁରେଶ ୱାଡ଼କର, ବାବୁଲ ସୁପ୍ରିୟ, ମହମ୍ମଦ ଅଜିଜ୍‌, ସୋନୁ ନିଗମ, କୁମାର ସାନୁ - ଏମିତି ପ୍ରାୟ ଶହେ ଜଣ ଅଣଓଡ଼ିଆ କଣ୍ଠଶିଳ୍ପୀ ରାଶି ରାଶି ମନଛୁଆଁ ଗୀତ ଗାଇସାରିଥିବା ବେଳେ ସେମାନଙ୍କ ଗୀତକୁ ଶୁଣିବାର ଆବଶ୍ୟକତା ଅଛି ଏବେର ସବୁ କଣ୍ଠଶିଳ୍ପୀମାନଙ୍କୁ।
ସୌଜନ୍ୟ: ସମ୍ବାଦ, ୨୦ ଜୁନ୍‌ ୨୦୧୮
ତେବେ ଗୀତକୁ ବିକୃତ କରି ଗାଇବା ଏକ ନୂଆ ଘଟଣା ନୁହେଁ। ରଘୁନାଥ ପାଣିଗ୍ରାହୀ ଓ ଭିକାରୀ ବଳଙ୍କ ଭଳି ଯଶସ୍ୱୀ ସଂଗୀତଜ୍ଞମାନେ ମଧ୍ୟ ଭୁଲ୍‌ ଗାଇଛନ୍ତି। ତାହାର ଏକ ଉଦାହରଣ ହେଲା ଚନ୍ଦନ ହଜୁରୀଙ୍କ ବିରଚିତ ଲୋକପ୍ରିୟ ଭଜନ - ‘‘ଚକାନୟନକୁ ପତିତ କେହି, ତକାଇ ଖର ନିଃଶ୍ୱାସ ପକାଇ‘‘ରେ ଠାଏ ରହିଛି:- କରି ହରଣ ଦ୍ରୌପଦୀ ବିପତ୍ତି... କିନ୍ତୁ ଏହାକୁ ସେମାନେ ହରିଣ ଅବା ହରିଣୀ ବୋଲି ଗାଇଛନ୍ତି। ଫଳରେ ସେମାନଙ୍କ ପଦାଙ୍କ ଅନୁସରଣ କରି ନୂଆ ପିଢ଼ିର ସୁପ୍ରସିଦ୍ଧ ଭଜନଶିଳ୍ପୀ ନମିତା ଅଗ୍ରୱାଲ ବି ଗାଇଛନ୍ତି - ‘‘କରି ହରିଣୀ ଦ୍ରୌପଦୀ ବିପତ୍ତି...’’। ଭଗବାନ ଜଣେ ହରିଣୀକୁ ବିପତ୍ତିରୁ ଉଦ୍ଧାର କରିଥିଲେ। କିନ୍ତୁ ଏଠାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଲଜ୍ଜା ଜଡ଼ିତ ବିପତ୍ତି ହରଣ କଥା କହିଛନ୍ତି ଭକ୍ତ ଚନ୍ଦନ ହଜୁରୀ (ଓରଫ ଚାଖି ଖୁଣ୍ଟିଆ)। ଯଦିଚ ଶବ୍ଦଟି ହେଉଛି ହରଣ ବା ହରିଣ, ତେବେ ‘କରି’ ଶବ୍ଦ ଲାଗିଥିବାରୁ ତାହା କେବଳ ‘ହରଣ’ ହେବ। ସ୍ୱରରେ ମାଧୁର୍ଯ୍ୟ ଥିବାରୁ ଏଭଳି ତ୍ରୁଟିଗୁଡ଼ିକୁ ବିମୁଗ୍ଧ ଶ୍ରୋତାମାନେ ଅତୀତରେ ଧରି ନାହାନ୍ତି। ଏହାର ଅର୍ଥ ନୁହେଁ ଯେ ଯିଏ ଯେତେବେଳେ ଚାହିବ, ଭୁଲ୍‌ ଗାଇବ, ଅାଉ ବେସୁରା ବି!

ବିମଳ ପ୍ରସାଦ, ୯୯୩୭୩୫୩୨୯୩