ବିଳମ୍ବରେ
ହେଲେ ସୁଦ୍ଧା ଏକ ଅଣଦେଖା ପ୍ରସଙ୍ଗକୁ ଏନ୍ଡିଏ-୨ ସରକାର ନିଜ ଶାସନ ପାଳିର ଶେଷମାସରେ
କାର୍ଯ୍ୟକାରୀ କରି ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଡିଡି ଇଣ୍ଡିଆକୁ ଏଣିକି
ଦର୍ଶକମାନେ ଡିଡି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଭାବେ ଇଂଲିଶ୍ ବିଷୟବସ୍ତୁ ଓ ଖବରର
ନିରନ୍ତର ପ୍ରସାରକ ରୂପେ ପାଇବେ। ଯେଉଁମାନଙ୍କର ଅନ୍ତର୍ଜାତୀୟ ବନ୍ଧୁ ଅଛନ୍ତି, ସେମାନେ
ଏହି ଚ୍ୟାନେଲକୁ ଜୁଟେଇ ଦେଇ ନିଜ ଦେଶର ସୂଚନାକୁ ସଂକ୍ଷିପ୍ତରେ ବା ଠାରରେ
ବତାଇପାରିବେ। ଏଣିକି ଏହି ଚ୍ୟାନେଲରେ ଆଉ ନାଚ, ଗୀତ, ସିନେମା ବା ଅଣ-ଖବର ବିଷୟବସ୍ତୁ
ପ୍ରସାରିତ ହେବ ନାହିଁ। ପ୍ରସାର ଭାରତୀର ସୂଚନା ଅନୁସାରେ ଏହି ଚ୍ୟାନେଲକୁ GSAT10 ରେ ଅପ୍ଲିଙ୍କିଙ୍ଗ୍ କରାଯାଇଥିବାରୁ ୩୮ଟି ଦେଶର ଦର୍ଶକ ସୁବିଧାରେ ଦେଖିପାରିବେ।
ଏଇଠି
ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେ ଶ୍ରୀଲଙ୍କା ବ୍ରଡ୍କାଷ୍ଟିଙ୍ଗ୍
କର୍ପୋରେସନ୍ ବା ରେଡିଓ ସିଲୋନ୍ (Radio Ceylon) ଭାରତରେ (ମୁମ୍ବାଇରେ) ନିଜର
ଦପ୍ତର ଓ ପ୍ରସାରଣ କେନ୍ଦ୍ର ଖୋଲି କୋଟି କୋଟି ଟଙ୍କାର ବିଜ୍ଞାପନ ରାଜସ୍ୱ ଟାଣି
ନେଉଥିଲା ଭାରତୀୟ ଉତ୍ପାଦ କମ୍ପାନୀ ମାନଙ୍କ ଠାରୁ। ୧୯୨୫ ମସିହାରେ ଦକ୍ଷିଣ ଏସିଆ
ସବୁଠୁ ପୁରୁଣା ରେଡିଓ କେନ୍ଦ୍ର ୩୦ ସେପ୍ଟେମ୍ବର ୧୯୬୭ରେ ଶ୍ରୀଲଙ୍କାର ସରକାରୀ
କମ୍ପାନୀ ରୂପେ ପରିଣତ ହେବା ପରଠୁ ଗୋଟିଏ ହିନ୍ଦୀ ଭାଷାର କାର୍ଯ୍ୟକ୍ରମ ଅତୀବ
ଲୋକପ୍ରିୟ ଥିଲା - ବିନାକା ଗୀତ୍ ମାଲା। ଆଉ ତା’ର ଉପସ୍ଥାପକ ଅମୀନ୍ ସାୟାନୀଙ୍କ
ଯାଦୁକରୀ କଣ୍ଠସ୍ୱର ଏବେ ବି ରେଡିଓ ଶ୍ରୋତାଙ୍କୁ ଟାଣି ନିଏ କେଇ ଦଶନ୍ଧି ପଛକୁ। ସେଇ
୧୯୬୭ରେ ଭାରତ ସରକାର ବିବିଧ ଭାରତୀ ବେତାର କେନ୍ଦ୍ର ଆରମ୍ଭ କରି ବିଜ୍ଞାପନ ପ୍ରଚାର
କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ପ୍ରାୟ ୩ ଦଶନ୍ଧି ଧରି ‘ରେଡିଓ ସିଲୋନ୍’କୁ ଟକ୍କର
ଦେଇ ପାରିନଥିଲା। ଏବେ ବି କେବଳ ଇଂଲିଶ୍ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିବା ବେତାର
କେନ୍ଦ୍ର ଭାରତ ସରକାରଙ୍କର ନାହିଁ। ତେଣୁ ଭାରତର ଘଟଣା ଦୁର୍ଘଟଣା ପ୍ରସଙ୍ଗ
ଅପ୍ରସଙ୍ଗକୁ ସରକାରୀ ଭାବେ ବାହାର ଦୁନିଆ ପାଖରେ ନିର୍ଭେଜାଲ ଭାବରେ ପହଞ୍ଚାଇବାର
କୌଣସି ମାଧ୍ୟମ ନାହିଁ।
ଅନ୍ୟ
ପକ୍ଷରେ ପ୍ରତିକ୍ରିୟାପନ୍ନ ଦେଶବାସୀମାନେ ଡିଡି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାନେଲକୁ
ଦେଖୁ ନଥିବାରୁ ଏହାର କାର୍ଯ୍ୟକ୍ରମ ପ୍ରସାରଣରେ ଉନ୍ନତି ଆଣିବାକୁ ମତାମତ କିଭଳି
ସଂଗ୍ରହ କରିବ ଏବଂ କେଉଁଠୁ ପାଇବ - ତାହା ଏକ ବଡ଼ ପ୍ରଶ୍ନ। କାରଣ ସରକାରୀ ସଂସ୍ଥାମାନେ
କୌଣସି ସାଧାରଣ ନାଗରିକଙ୍କ ଇମେଲ ନଖୋଲିବା ବା ଖୋଲିଲେ ବି ଜବାବ ନଦେବା ଏକ
ବ୍ୟବସ୍ଥିତ ଅହଂକାରର ମର୍ଯ୍ୟାଦା ପାଇ ଆସୁଛି। ତେବେ ଭାରତର ପ୍ରାଇଭେଟ୍ ଇଂଲିଶ୍
ଚ୍ୟାନେଲମାନେ ନ୍ୟୁଜ୍ ନାମରେ ଭ୍ୟୁଜ୍ ପ୍ରଚାର କରି ଅନ୍ତର୍ଜାତୀୟ ସମୁଦାୟ ପାଖରେ
ଭାରତର ଛବିକୁ ଯେମିତି ବିଗାଡ଼ି ଦେଉଥିଲେ, ତାହା ସରକାରୀ ଗଣମାଧ୍ୟମ ଦ୍ୱାରା ଏଣିକି
ସୁରକ୍ଷିତ ଭାବରେ ବିଶ୍ୱ ଦରବାରରେ ପହଞ୍ଚିପାରିବ।