27 जून 2016

କଟକ ବନ୍ୟାକୁ ଉପାୟ ଅଛି

କଟକରେ ଜଳବନ୍ଦୀ ସ୍ଥିତି (ସୌଜନ୍ୟ: Orissa Post)
୨୬ ଜୁନ୍ ୨୦୧୬, ରବିବାର ଥିଲା, କଟକରେ ଆଦ୍ୟ ଆଷାଢ଼ର ପହିଲି ଜମାଣିଆ ବର୍ଷାର ଦିନ। ହେଲେ ସଡ଼କରେ ଓ ଗଳିରାସ୍ତାରେ ପାଣି ଚାଲିବାରୁ ଏକ ଅସ୍ୱାସ୍ଥ୍ୟକର ପରିବେଶରେ ଘାଣ୍ଟି ହୋଇଥିଲେ ନଗରବାସୀ। ଏକାଧିକ ରୋଗସଂକ୍ରମଣରେ ପଡ଼ି ଅଣ୍ଟା ସଳଖି ନଥିବା କଟକ ପାଇଁ ପୁଣି ଏକାଧିକ ରୋଗ ପ୍ରତିଷେଧକର ଆହ୍ୱାନ ପାଲଟିଗଲା। ମହାନଦୀ ଓ କାଠଯୋଡ଼ି ନଦୀର ତ୍ରିକୋଣଭୂମିରେ ଥିବା କଟକ ନଗରର ଦୁଇଟି ଯାକ ନଦୀ ଶୁଖିଲା ଥିଲେ ବି ସହରବାସୀ କଲବଲ ହେଲେ ଏକ ଅଜବ ବନ୍ୟାସ୍ଥିତିରେ। 

ନଦୀର ପାଣି ଉଛୁଳିଲେ, ତାକୁ କହନ୍ତି ‘ବଢ଼ି’ ବା ନଈବଢ଼ି। କିନ୍ତୁ ନଦୀ ନଥାଇ କୌଣସି ପ୍ରାକୃତିକ ଜଳ ନିଷ୍କାସନ ପଥରେ ବହୁତ ପାଣି ଜମିରହିଲେ ବା ଜଳ ପ୍ରବାହ ଅତ୍ୟଧିକ ହେଲେ ତାହାକୁ କହନ୍ତି ‘ବଦଳ’। ଏହି ବଦଳକୁ ଇଂଲିଶରେ Flash Flood କୁହାଯାଉଛି। କଟକ ନଗରରେ ବନ୍ୟା ଭୟ ଦିନେ ଦୁଇ ଦିନର ନୁହେଁ, ଏହା ବର୍ଷବର୍ଷର। ଶହଶହ ବର୍ଷର। ସେଇଥି ପାଇଁ ତ ବାଇମୁଣ୍ଡି କାହାଣୀ। କାଠଯୋଡ଼ି ପଥରବନ୍ଧ। ବାଇମୁଣ୍ଡି ମାର୍ଗ। ୧୯୪୮ରେ ଓଡ଼ିଶାର ରାଜଧାନୀକୁ କଟକରୁ ଭୁବନେଶ୍ୱରକୁ ଉଠାଇ ଆଣିବା ପରେ ବି କଟକ, ଓଡ଼ିଶାର ପ୍ରାଣକେନ୍ଦ୍ର ହୋଇ ରହିଛି। ରହିବ ବୋଧେ ଅାହୁରି କେତେ ଦଶନ୍ଧି। ଆଧୁନିକ ଯୁଗରେ ୧୯୮୨ ମସିହାରେ କଟକ ନଗରକୁ ରକ୍ଷା କରିବା ପାଇଁ ମହାନଦୀର ଶାଖା ନଦୀ ଦେବୀ ନଦୀରେ ଥିବା ଦଳେଇଘାଇ ଭଙ୍ଗାଯାଇଥିଲା। ଏହା କାହା ମୁହଁରେ ଅଭିଯୋଗ ତ କାହା ପାଇଁ ଅଭିମାନ ତ, ଅାଉ କାହା ପାଇଁ ଅଭିଶାପ ଭଳି ରହିଯାଇଛି। କାରଣ ଏବେ ବି ଅନେକେ ସେହି କାଳରାତ୍ରିର ଦୃଶ୍ୟ ଓ ଦୁଃଖକୁ ଭୁଲି ନାହାନ୍ତି। କିନ୍ତୁ ଏହି ଇଣ୍ଟରନେଟ, ସୂଚନା-ବିଜ୍ଞାନ ଓ ସୂଚନାବନ୍ତ ଯୁଗରେ କେବେ ବି ଦଳେଇଘାଇକୁ ଭାଙ୍ଗିବାକୁ ଦେବେନି ଜଗତସିଂହପୁର ଜିଲ୍ଲାବାସୀ। କଟକ ନଗରକୁ ବନ୍ୟାରୁ ବଞ୍ଚେଇବାର ଦାୟିତ୍ୱ ହୀରାକୁଦ ବନ୍ଧ ଉପରେ ଓ ସାମଗ୍ରିକ ଭାବେ ରାଜ୍ୟ ପ୍ରଶାସନ ଉପରେ। ୧୫ ଅଗଷ୍ଟ ୧୯୯୪ରେ କଟକ ଏକ ନଗରନିଗମରେ ପରିଣତ ହେବା ପରେ ଅଧିକ ଦାୟିତ୍ୱ ଓ ଉତ୍ତରଦାୟିତ୍ୱ ନ୍ୟସ୍ତ ହୋଇଛି ‘‘କଟକ ନଗରନିଗମ’’ ଉପରେ।

ପଟାପୋଲ, କଟକ (ସୌଜନ୍ୟ: The Telegraph)
ବୈଷୟିକ ଦୃଷ୍ଟିରୁ ଦେଖିଲେ, ଏକ ସମତଳ ଭୂମି ଉପରେ ଗଢ଼ି ଉଠିଛି କଟକ ନଗର। ଜଳବିଭାଜିକା (Watershed) ତତ୍ତ୍ୱ ଅନୁସାରେ ଏଠାରେ ଜଳନିଷ୍କାସନ ଏକ ବଡ଼ ଆହ୍ୱାନ। ପାହାଡ଼ିଅା ହୋଇଥିଲେ, ଗୋଟିଏ ନିର୍ଦିଷ୍ଟ ଦିଗରେ ବର୍ଷାଜଳ ବୋହିଯାଉଥାଆନ୍ତା ନିର୍ବିରୋଧରେ। ଏଠାରେ ପାଣି ବୋହି ନଯାଇ ଜମାହୋଇ (water logging) ରହିବାର ଆଶଙ୍କା ସବୁବେଳେ ଥାଏ। ତଥାପି ଏକ ବିରାଟ ସଫଳତା ଦେଖିବାକୁ ମିଳିଥିଲା କଟକରେ, ୨୦୧୨ ମସିହାରେ। ସେହି ବର୍ଷ ରାଜ୍ୟସାରା ବନ୍ୟା ହେଲା। ଏପରିକି କଟକ ନଗରରେ ଘସି ହୋଇକି ନଦୀରେ ବନ୍ୟା ଜଳ ଯାଇ ତଳମୁଣ୍ଡରେ ଲୋକଙ୍କୁ କିଲିବିଲି କଲା। ଅଥଚ ନିଘୋଡ଼ ନିଦରେ ଶୋଇପାରିଥିଲେ କଟକ ନଗରବାସୀ। କେମିତି ହେଲା ଏହା ସମ୍ଭବ? କୌଣସି ଗଣମାଧ୍ୟମ ସେହି ସଫଳତାକୁ ରିପୋର୍ଟ କରି ନାହାନ୍ତି। ଯଦିଚ ସେତେବେଳକୁ ଖବର ପ୍ରସାରଣକାରୀ ଗଣ୍ଡାଏ ଓଡ଼ିଆ ଟିଭି ଚ୍ୟାନେଲ ଗଢ଼ି ଉଠିସାରିଥିଲା। ଯାହା ମନେ ପଡୁଛି କଟକ ନଗରନିଗମ, ନିଜର କମିଶନର ରୂପେ ପାଇଥିଲା ଜଣେ ଓଡ଼ିଆ ଅଫିସରଙ୍କୁ। ଖାଣ୍ଟି କଟକିଆଙ୍କୁ। ଯାହାଙ୍କ ନାମ ରବି ନାରାୟଣ ନନ୍ଦ। ବଦଳ ପାଣିକୁ ନିୟନ୍ତ୍ରଣ କରିବାରେ ତାଙ୍କର ସୂତ୍ର ବି ଭାରୀ ସରଳ ଓ ସହଜ। ବର୍ଷା ଋତୁ ଆସିବା ପୂର୍ବରୁ କଟକରେ ନିଷେଧାଦେଶ ଜାରି ହେଲା ପଲିଥିନ୍ ବା ଜରି ବ୍ୟବହାର ଉପରେ। ବଜାର ବା ଦୋକାନରୁ ଜିନିଷପତ୍ର କିଣାକିଣି କଲେ ଆଉ ପଲିଥିନ୍ ବ୍ୟାଗ୍ ରେ କାରବାର ହେଲା ନାହିଁ। ଆଶ୍ଚର୍ଯ୍ୟର କଥା ହେଲା, କଟକ ନଗରବାସୀ ଏହି ନିଷ୍ପତ୍ତିକୁ ବିନା ତର୍କରେ ମାନିନେଲେ ଏବଂ ବନ୍ଦ ହୋଇଗଲା ପଲିଥିନ୍ ବ୍ୟବହାର। କେବଳ କାଗଜ ବ୍ୟାଗ‌୍ ଓ ଠୁଙ୍ଗାରେ କାରବାର ହେଲା। 

ସାନ ନିଷ୍ପତ୍ତି, ହେଲେ ଏହାର ଦାନ ମହାନ। କାରଣ ଏହି ପଲିଥିନ‌୍ ହେଉଛି ଅସଲ ବଦମାସ୍। ଅନେକ ବଦଳ (Flash Flood)ର କାରଣ ପାଲଟେ, ଅନେକ ପୋଲକୁ ଭାଙ୍ଗେ, ଏଇ ପଲିଥିନ୍ ଗୁଡ଼ିକର ସମ୍ମିଶ୍ରଣ। ଏହା ସହ ସବୁ ମୁଖ୍ୟ ନିଷ୍କାସନ ନାଳଗୁଡ଼ିକୁ ଆବର୍ଜନାମୁକ୍ତ କରି ଆବର୍ଜନାଗୁଡ଼ିକୁ ନଗର ବାହାରେ ଫିଙ୍ଗାଯାଇଥିଲା। ପଲିଥିନ‌ ନିଷେଧ କରି ସହରର କଂକ୍ରିଟ‌-ନିର୍ମିତ ମୁଖ୍ୟ ନିଷ୍କାସନ ନାଳ ସଂଯୁକ୍ତ ଉପନାଳଗୁଡ଼ିକର ଦୁଇ ପାଖରେ ଠିଅା କରାଗଲା ଜାଲ ଓ ବାଉଁଶତାଟ। ବର୍ଷା ପରେ ସେଇ ଜାଲ ଓ ତାଟରେ ଲଟକୁଥିଲା ଅତୀତର ବ୍ୟବହୃତ ପଲିଥିନ‌ ଜରି ବା ଲୁଚାଛପାରେ ବ୍ୟବହୃତ ଜରି ଓ ବିଭିନ୍ନ ଗୁଟଖା ପାନ୍ ମସଲାର ଜରି। ଜରି ଛାଣି ହୋଇ ରହିଯିବାରୁ ସବୁ ମୁଖ୍ୟନାଳରେ ପାଣି ଚାଲିଲା ସରସର୍। ରାସ୍ତା ସବୁ ଶୁଖିଲା ପଡ଼ିଲା ଏବଂ ନଗରବାସୀ ନିଶ୍ଚିନ୍ତରେ ଦିନ କାଟିଲେ। ଲୋକେ ଭୁଲି ବି ଗଲେ, ଏତେ ବଡ଼ ସଫଳତାକୁ। ଅନ୍ୟ ରାଜ୍ୟରେ ହୋଇଥିଲେ, ଏହା ଏକ ସଫଳ କାହାଣୀ (Case study) ରୂପେ କାହିଁ କୁଆଡ଼େ ଘୂରି ବୁଲିଥାଆନ୍ତା। କମିଶନର ସମ୍ବର୍ଧିତ ହୋଇଥାଆନ୍ତେ। ଖୁସିର କଥା ଯେ ସେତେବେଳକୁ ମେୟର ଥାଆନ୍ତି, ସୌମେନ୍ଦ୍ର ଘୋଷ। ସେ ମଧ୍ୟ ଏ ପ୍ରାଶାସନିକ ନିଷ୍ପତ୍ତି ଉପରେ ପ୍ରତିବନ୍ଧକର କାରଣ ପାଲଟି ନଥିଲେ। ଜଣେ ସମଝଦାର ଲୋକପ୍ରତିନିଧି ଭାବରେ ସେ ମଧ୍ୟ ଇତିହାସରେ ସ୍ମରଣୀୟ ହୋଇରହିଯିବେ।

କଥା ଏତିକି। କଟକ ନଗରବାସୀ ଶପଥ କରିବା ଦରକାର ଯେ ସେମାନେ କୌଣସି ପ୍ରକାର ଜରି ଓ ପଲିଥିନ୍ ବ୍ୟବହାର କରିବେ ନାହିଁ, ଏ ସଭ୍ୟତା ଥିବା ପର୍ଯ୍ୟନ୍ତ ପିଢ଼ି ପରେ ପିଢ଼ି। ଯେଉଁ ଠିକାଦାର ଓ ଶ୍ରମିକ ସେବେ କାମ କରିଥିଲେ ଜାଲ ଓ ତାଟ ଲଗାଇବାରେ, ସେଇମାନଙ୍କୁ ପୁଣି ଖୋଜି ବାହାର କରାଗଲେ, ଏକ ନୂଆ ଉପଲବ୍ଧି ହେବ ଓଡ଼ିଶାରେ ସହରୀ ବନ୍ୟା ନିୟନ୍ତ୍ରଣରେ।

ବିମଳ ପ୍ରସାଦ, ଭୁବନେଶ୍ୱର, କଥା ହୁଅନ୍ତୁ: ୯୯୩୭୩୫୩୨୯୩