07 जून 2016

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା

ଓଡ଼ିଶା ସରକାର ନିଜ ପୂର୍ବ ଘୋଷଣା ଅନୁସାରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାକୁ ବିଧିବଦ୍ଧ ଭାବରେ ବିଜ୍ଞାପନ ଦେଇ ସାଧାରଣ
କୋଲକାତା ବୁଲିଥିବା ଅନ୍ୟରାଜ୍ୟର ଏକ ଯାତ୍ରୀଦଳ
ଲୋକଙ୍କୁ ଅବଗତ କରିଛନ୍ତି। ୫ ଜୁନ୍ ୨୦୧୬ରେ ବିଭିନ୍ନ ଓଡ଼ିଆ ଖବରକାଗଜରେ ଏହା ଉପରେ ବିଜ୍ଞାପନ ପ୍ରକାଶ ପାଇଛି। ଏବେ ନଜର ପକାଇବା ଏ ଯୋଜନାର ରୂପରେଖ ଉପରେ:--

ଯୋଜନାର ନାମ:- ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା। ରାଜ୍ୟ ପର୍ଯ୍ୟଟନ ବିଭାଗ ଓ IRCTC ସହଯୋଗରେ କାର୍ଯ୍ୟକାରୀ ହେଉଅଛି।

ହିତାଧିକାରୀଙ୍କ ଯୋଗ୍ୟତା:- ୧. ଓଡ଼ିଶାର ସ୍ଥାୟୀ ବାସିନ୍ଦା, ୨.ବୟସ ୬୦ରୁ ୭୫ ବର୍ଷ ମଧ୍ୟରେ; ୩. ଦରିଦ୍ର(BPL) ପରିବାରକୁ ଗସ୍ତ ଖର୍ଚର ସଂପୂର୍ଣ ରିହାତି; ୪.ଅନ୍ୟ ପରିବାର (APL)ର ୬୦ରୁ ୭୦ ବର୍ଷୀୟମାନେ କେବଳ ୫୦% ରିହାତି ପାଇବେ; ୫. ଏବଂ ଅନ୍ୟ ପରିବାର (APL)ର ୭୦ରୁ ୭୫ ବର୍ଷୀୟମାନେ ୭୫% ରିହାତି ପାଇବେ; ୬. ଆୟକରଦାତାମାନେ ଏହି ଯୋଜନା ପ୍ରଯୁଜ୍ୟ ନୁହେଁ; ୭.ଶାରୀରିକ ଓ ମାନସିକ ଭାବେ ସୁସ୍ଥ ଥିବେ; ୮.କୌଣସି ସଂକ୍ରାମକ ରୋଗ (ଯକ୍ଷ୍ମା, କୁଷ୍ଠ, ଶ୍ୱାସରୋଗ, ହୃଦରୋଗ..)ରେ ଆକ୍ରାନ୍ତ ନଥିବେ।

ଆବେଦନ ପ୍ରଣାଳୀ:- ନିର୍ଧାରିତ ଫର୍ମ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ/ବ୍ଲକ୍ ଅଧିକାରୀ/ଜିଲ୍ଲାପାଳ/ପର୍ଯ୍ୟଟନ ବିଭାଗ ୱେବସାଇଟ (odishatourism.gov.in)ରୁ ଆଣି ନିଜର ଫଟୋଗ୍ରାଫ୍, ପରିଚୟପତ୍ର, ସ୍ଥାୟୀଠିକଣାର ପ୍ରମାଣ, ବୟସ ପ୍ରମାଣର ନକଲ ସହ ଜିଲ୍ଲା ପର୍ଯ୍ୟଟନ ଅଧିକାରୀଙ୍କ ପାଖରେ ଦାଖଲ କରିବେ। ଦାଖଲ ଶେଷ ତାରିଖ ୫ ଜୁଲାଇ ୨୦୧୬

ଚୟନ ପ୍ରଣାଳୀ:- ପର୍ଯ୍ୟଟନ ଅଧିକାରୀ ଦରଖାସ୍ତଗୁଡ଼ିକୁ ତନଖି କରି ଆବେଦକମାନଙ୍କୁ ଜିଲ୍ଲା କୋଡ଼‌/କ୍ରମିକସଂଖ୍ୟା ଜଣାଇବେ। ବହୁତ ଆବେଦକ ହୋଇଗଲେ ଯୋଗ୍ୟମାନଙ୍କୁ ଲଟେରି ଦ୍ୱାରା ଚୟନ କରାଯିବ।

ତୀର୍ଥାଟନ ପ୍ରଣାଳୀ:- ଓଡ଼ିଶାକୁ ତିନିଟି ଅଞ୍ଚଳରେ ଭାଗ କରାଯାଇଛି। ଏଥିପାଇଁ ଓଡ଼ିଶାର ତିନିଟି ସହରକୁ ଗସ୍ତ ଅାରମ୍ଭ ସ୍ଥଳ ରୂପେ ବଛାଯାଇଛି। ରେଳଷ୍ଟେସନ ଥିବା ସେହି ସହର ଗୁଡ଼ିକ ହେଉଛି ବ୍ରହ୍ମପୁର, ଭୁବନେଶ୍ୱର ଓ ସମ୍ବଲପୁର। ଏହି ଯୋଜନାର ପ୍ରଥମ ଗସ୍ତର ରୂପରେଖ ଧାର୍ଯ୍ୟ ହୋଇ ସାରିଛି। ତାହା ତଳମତେ:

ଗସ୍ତ କ୍ରମ
ସଂପୃକ୍ତ ଜିଲ୍ଲା
ଗନ୍ତବ୍ୟ କ୍ରମ
ଯାତ୍ରା ଅବଧି
ଯାତ୍ରୀପିଛା ବ୍ୟୟ ଟଙ୍କାରେ
କଳାହାଣ୍ଡି, ନୂଆପଡ଼ା, ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ ଓ ବୌଦ୍ଧ
ବ୍ରହ୍ମପୁର, ରାମେଶ୍ୱରମ୍, ମଦୁରାଇ, ବ୍ରହ୍ମପୁର
୯ ଦିନ
୧୮,୦୦୦/-
କଟକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ପୁରୀ, ଖୋର୍ଧା
ଭୁବନେଶ୍ୱର, ବାରଣାସୀ, ଆହ୍ଲାବାଦ, ଭୁବନେଶ୍ୱର
୭ ଦିନ
୧୪,୦୦୦/-
ଢେଙ୍କାନାଳ, ଅନୁଗୋଳ, ବଲାଙ୍ଗୀର, ସୁବର୍ଣପୁର, ସମ୍ବଲପୁର, ବରଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼
ସମ୍ବଲପୁର, ହରିଦ୍ୱାର, ରିଷିକେଷ, ସମ୍ବଲପୁର
୮ ଦିନ
୧୬,୦୦୦/-
ଚୟନିତ ଯାତ୍ରୀମାନଙ୍କୁ ନିଜ ଘରଠୁ ସରକାରୀ ଯାତ୍ରାରମ୍ଭ ସ୍ଥଳ ପର୍ଯ୍ୟନ୍ତ ସରକାରଙ୍କ ନିର୍ଧାରିତ ଏକ୍ସପ୍ରେସ୍ ବସଭଡ଼ା ଓ ଟ୍ରେନ‌ ସ୍ଲିପର
ଅନ୍ୟ ରାଜ୍ୟର ବରିଷ୍ଠ ନାଗରିକଙ୍କର ଏକ ଦଳ
ଶ୍ରେଣୀ ଭଡ଼ା ମିଳିବ। ତୀର୍ଥଯାତ୍ରା ଟ୍ରେନ‌୍ ବାହାରିବା ଷ୍ଟେସନ ପାଖରେ ଯାତ୍ରୀମାନଙ୍କ ରହଣୀ ଓ ଭୋଜନ ବ୍ୟବସ୍ଥା ବିଭାଗ କରିବ। ଯାତ୍ରୀମାନେ କେବଳ ୩ଥାକିଆ ଶୟନଶ୍ରେଣୀରେ ଯାତ୍ରା କରିବେ। ସମସ୍ତ ତୀର୍ଥଯାତ୍ରୀଙ୍କୁ ଟ୍ରାଭେଲ କିଟ୍ (ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ) ଓ ପରିଚୟପତ୍ର ଦିଆଯିବ। ଯାତ୍ରା କାଳରେ ସକାଳ ଓ ସଂଧ୍ୟାରେ ଜଳଖିଆ, ନିରାମିଷ ଦିବାଭୋଜନ ଓ ରାତିଭୋଜନ ମିଳିବ। ରେଳଷ୍ଟେସନରୁ ତୀର୍ଥସ୍ଥାନକୁ ନେବା, ଆଣିବା ପାଇଁ ପରିବହନ ବ୍ୟବସ୍ଥା ବିଭାଗ କରିଥିବ।


ଆମ୍ଭର ମନ୍ତବ୍ୟ:-
୧. କିନ୍ତୁ ଏହି ସୂଚନା କିଭଳି ଟେଲିଭିଜନ ଗଣମାଧ୍ୟମରେ ଅଧିକ ଅଞ୍ଚଳରେ ଓ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ତାହା ଉପରେ ପ୍ରଶାସନ ଚିନ୍ତା କରି ନାହିଁ। ଅତଏବ ଏହି ବିଜ୍ଞାପନ କେବଳ ଶିକ୍ଷିତ ଓ ସହରୀ ଲୋକଙ୍କ ମଧ୍ୟରେ ସୀମିତ ରହିଯିବ।

୨. ଆମ ଦେଶରେ ମୁସଲମାନମାନଙ୍କୁ ହଜ‌୍ ଯାତ୍ରା ପାଇଁ ସଂପୂର୍ଣ ମାଗଣାରେ ସୁବିଧା ଯୋଗାଇ ଦିଆଯାଉଥିବା ବେଳେ ପ୍ରଥମ କରି ଦେଶର ସଂଖ୍ୟାଗରିଷ୍ଠ ବର୍ଗର ଲୋକଙ୍କ ତୀର୍ଥଯାତ୍ରା ପାଇଁ କୌଣସି ଏକ ସରକାର ଚିନ୍ତା କରିଛି। ଯଦିଓ ଏହା ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୌଣସି ଉଲ୍ଲେଖ ନାହିଁ। ତେବେ ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ବି.ଜ.ଦ. ସରକାରର ଏକ ପ୍ରଶଂସନୀୟ କାର୍ଯ୍ୟକ୍ରମ।


୩. ଅଧିକ ଲୋକଙ୍କ ପାଖରେ ଏ ସୂଚନା ପହଞ୍ଚି ନଥିବାରୁ ଶେଷରେ ମନ୍ତ୍ରୀ, ବିଧାୟକ ଓ ଅଫିସରମାନଙ୍କ ସୁପାରିଶ ଥିବା ଲୋକମାନେ ହିଁ ତୀର୍ଥଯାତ୍ରାର ଫାଇଦା ଉଠାଇବାର ଆଶଙ୍କା ରହିଛି। 


୪. ବିଭାଗ ଯେଭଳି ସର୍ତ୍ତ ରଖିଛି, ତାହା ଦ୍ୱାରା କେବଳ କୃଷକ ପରିବାରର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାର ସୁଯୋଗ ପାଇବା କଥା। କିନ୍ତୁ ବାସ୍ତବରେ ଯଦି ଏଭଳି ନହୋଇ, ସରକାରୀ ଚାକିରିରୁ ଅବସର ନେଇଥିବା କିଛି ବ୍ୟକ୍ତି ଏହାର ସୁଯୋଗ ନିଅନ୍ତି, ତାହା ମଧ୍ୟ ରାଜ୍ୟ ପାଇଁ ହିତକାରକ ନୁହେଁ।


୫. ପ୍ରତି ଆଞ୍ଚଳିକ ତୀର୍ଥଯାତ୍ରୀ ଦଳରେ ଆକଳିତ ଯାତ୍ରୀ ସଂଖ୍ୟା କେତେ, ସେସଂକ୍ରାନ୍ତରେ କୌଣସି ସଂଖ୍ୟା ଉଲ୍ଲେଖ ନାହିଁ, ସରକାରୀ ବିଜ୍ଞାପନରେ। ଅଥଚ, ଆବେଦକ ଅଧିକ ହୋଇଗଲେ, ଲଟେରି ଉଠାଣ ଦ୍ୱାରା ହିତାଧିକାରୀ ଚୟନ ହେବ ବୋଲି ସର୍ତ ରହିଛି। ଏହା ହିଁ ଏକ ଅସ୍ୱଚ୍ଛ ନିୟମ।


୬. ପ୍ରତି ଦଳ ସହ ଯେଉଁ ସହଚର ନିଯୁକ୍ତ ହେବେ, ସେମାନେ ତାଲିମପ୍ରାପ୍ତ, କି ଯାହାକୁ ଇଚ୍ଛା ତାକୁ ନିଆଯିବ, ତାହା ଉପରେ ମଧ୍ୟ ସ୍ପଷ୍ଟ ସୂଚନା ନାହିଁ। 


୭. ଯେତେ ସୁସ୍ଥତା ଦାବି କଲେ ବି ୭୦ ବର୍ଷୀୟ ଗାଉଁଲି କୃଷକଙ୍କୁ ଯଦି ନିରାପଦ ଓ ସୁଖକର ଯାତ୍ରାର ଅନୁଭୂତି ଦିଆଯାଇପାରିବ, ତାହା ନିଶ୍ଚିତ ରୂପେ କୌଣସି ସରକାର ପକ୍ଷରୁ ଏକ ବିସ୍ମୟକର ଭେଟି ରୂପେ ବିବେଚିତ ହେବ।


ଏଭଳି କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା କାମନା ସହ


ବିମଳ ପ୍ରସାଦ, ଭୁବନେଶ୍ୱର, bimal.odisha@yahoo.in

कोई टिप्पणी नहीं:

एक टिप्पणी भेजें