ରାଜ୍ୟରେ ବିଜୁଳି ସଂକଟର ସମାଧାନ ଚିନ୍ତା ଆଜିର ନୁହେଁ । ବିଜୁଳି ବଣ୍ଟନର ଘରୋଇକରଣ ପାଇଁ ୧୯୯୨-୯୩ ମସିହାରେ ଜନତା ଦଳ ଶାସନ କାଳରେ ଉଦ୍ୟମ ଆରମ୍ଭ ହୋଇଥିଲା । ହେଲେ ବିଜୁଳି ସଂସ୍କାର ଲାଗୁ ହେଲା ୧୯୯୫ ମସିହାରେ କଂଗ୍ରେସ ଶାସନ କାଳରେ । ସରକାରଙ୍କ ପ୍ରତିଶ୍ରୁତି ଥିଲା, ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଭାବେ ଗୁଣାତ୍ମକ ବିଜୁଳି ଯୋଗାଇ ଦିଆଯିବ । ତେଣୁ ଏକ ବିସ୍ତୃତ ଯୋଜନା ଅଧୀନରେ ପ୍ରଥମେ ପାରମ୍ପରିକ ସରକାରୀ ସଂସ୍ଥା ଓଡ଼ିଶା ରାଜ୍ୟ ବିଦ୍ୟୁତ୍ ବୋର୍ଡ଼(ଓଏସ୍ଇବି)କୁ ଭାଙ୍ଗି ଦିଆଯାଇଥିଲା ଏବଂ ଗଢ଼ା ହେଲା ଓଡ଼ିଶା ଗ୍ରୀଡ଼୍ କର୍ପୋରେସନ୍ ଲିମିଟେଡ଼୍ ବା ଗ୍ରୀଡ଼୍କୋ । ସମସାମୟିକ ଭାବେ ଗଢ଼ା ହେଲା ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବା ଓ.ଇ.ଆର୍.ସି. । ଓ.ଏସ୍.ଇ.ବି.ର ସେବା ପ୍ରଦାନରେ ବିମୁଖ ହୋଇ ରାଜ୍ୟ ସାରା ବିଦ୍ୟୁତ୍ ଉପଭୋକ୍ତା ତଥା ଜନସାଧାରଣ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟପନ୍ଥା ଗ୍ରହଣ କରୁଥିଲେ । ଏପରିକି ତାଚ୍ଛଲ୍ୟ କରି ଏହି ସଂକ୍ଷିପ୍ତ ନାମର ପୂରା ନାମ କହୁଥିଲେ - ଓଡ଼ିଶା ସାରା ଇଲେକ୍ଟ୍ରି ବନ୍ଦ । ଏଭଳି ପରିସ୍ଥିତିରେ, ସଂସ୍କାର ପ୍ରକ୍ରିୟାରେ ଗୁରୁ ଦାୟିତ୍ୱ ମୁଣ୍ଡାଇଥିଲା ବିଦ୍ୟୁତ୍ ନିୟାମକ ଆୟୋଗ । ଆୟୋଗ ଯାହା ସୁପାରିଶ କରୁଥିଲେ, ତାହା ଥିଲା ବେଦର ଗାର । କିନ୍ତୁ ଗ୍ରୀଡ଼୍କୋ ଦାୟିତ୍ୱ ମୁଣ୍ଡାଇବା ପରେ ମଧ୍ୟ ପୂର୍ବ ପରିସ୍ଥିତିରେ କୌଣସି ସୁଧାର ଆସିଲା ନାହିଁ । ତେଣୁ ଜନସାଧାରଣ ପୁଣି ଆଖ୍ୟା ଦେଲେ ଓଡ଼ିଶା ଗ୍ରୀଡ଼ି କର୍ପୋରେସନ ଲିମିଟେଡ଼୍ ବା ଓଡ଼ିଶା ମହାଲୋଭୀ ନିଗମ । ନୂଆ ବୋତଲରେ ପୁରୁଣା ମଦ ବୋଲି ବର୍ଣନା କରି ବିଭିନ୍ନ ପତ୍ରପତ୍ରିକାରେ ରିପୋର୍ଟ ଓ ଲେଖାମାନ ପ୍ରକାଶ ପାଇଲା । ଯେତେ ଯାହା ତ୍ରୁଟି ଚିହ୍ନଟ ହେଉଥିଲା, ସବୁଥିରେ ଗୋଟିଏ ପକ୍ଷ ଥିଲେ ଜନସାଧାରଣ ବା ଉପଭୋକ୍ତା । ଅର୍ଥାତ୍ ଜନସାଧାରଣଙ୍କ ଉପରେ ଦୋଷ ଲଦା ଯାଉଥିଲା । ତାହା ହୁକିଙ୍ଗ୍ ହେଉ, ମିଟର ଟ୍ୟାମ୍ପରିଂ ହେଉ ଅବା ମିଟର ବାଇପାସିଂ, ଏମିତି ଭଳିକି ଭଳି ଅସଦ୍ଉପାୟ ଯୋଗୁ ବିଜୁଳି ବର୍ବାଦ୍ ହେଉଛି ବୋଲି ବିଜୁଳି ଯୋଗାଣକାରୀ ନିଗମ ଦେଉଥିବା ରିପୋର୍ଟ ଉପରେ ତ କାର୍ଯ୍ୟାନୁଷ୍ଠାନ ପାଇଁ ନିୟାମକ ଆୟୋଗ ସୁପାରିଶ କରୁଥିଲେ । କିନ୍ତୁ ଅସଲ ଚୋରି ଅନ୍ୟ ଜାଗାରେ ହେଉଥିଲା । ତେଣୁ କେବଳ କ୍ଷତିରେ କ୍ଷତିରେ ଜାରି ରହିଆସିଛି ବିଦ୍ୟୁତ୍ ବିତରଣ ।
୧୯୯୮ରେ ଦେଶରେ ପ୍ରଥମ କରି ଓଡ଼ିଶା ଏକ ନୂଆ ପଦକ୍ଷେପ ନେଲା ଏବଂ ବିଜୁଳି ବିତରଣ ପାଇଁ ଘରୋଇକରଣ ନାମରେ ରିଲାଏନ୍ସ ଏନେର୍ଜୀ ନାମକ ରାଜ୍ୟ ବାହାରର ଏକ କମ୍ପାନୀ ହାତେର ଦାୟିତ୍ୱ ଟେକିଦେଲା । ଏହା ଫଳରେ ଗ୍ରୀଡ଼୍କୋର ପ୍ରତ୍ୟକ୍ଷ ଲୋକସଂପର୍କ ବ୍ୟାପାରରେ ପୂର୍ଣଛେଦ ପଡ଼ିଲା । ଅତଏବ କେବଳ ଟାୱାର ଲାଇନ୍ରେ ବିଦ୍ୟୁତ୍ ପରିବହନ କରିବାର ମଧ୍ୟସ୍ଥି ଭୂମିକାରେ ରହିଲା ଗ୍ରୀଡ଼୍କୋ । ବିଜୁଳି ଉତ୍ପାଦନକାରୀ କମ୍ପାନୀଗୁଡ଼ିକ ଠାରୁ ଉଚ୍ଚକ୍ଷମତା ସମ୍ପନ୍ନ ତାରରେ ବିଜୁଳି ଆଣି ବିତରକ କମ୍ପାନୀକୁ ଦେଲା । ଆଉ ବିତରକ କମ୍ପାନୀମାନେ ସାଧାରଣ ଉପଭୋକ୍ତାଙ୍କୁ ବିଜୁଳି ବିତରଣ କରି ପାଉଣା ଆଦାୟ କଲେ । ଆମ ରାଜ୍ୟରେ ବିଦ୍ୟୁତ୍ ବିତରଣର ଘରୋଇକରଣ କରି ଏକ ଇତିହାସ ରଚିଛି ବୋଲି ସରକାର ଯେତିକି ନିଜ ପିଠି ଥାପୁଡାଉଥିଲେ, କିଛି ଚିନ୍ତାଶୀଳ ନାଗରିକ ମଧ୍ୟ ବଡ଼ ବଡ଼ ଲେଖା ସବୁ ବିଭିନ୍ନ ପତ୍ରପତ୍ରିକାରେ ଛାଡ଼ି ଗର୍ବ ଅନୁଭବ କରୁଥିଲେ । କିନ୍ତୁ ମୌଳିକ ସମସ୍ୟାକୁ କେହି ଚିହ୍ନୁ ନଥିଲେ କି ସମାଧାନର ବାଟ ବାହାର କରୁ ନଥିଲେ । ଯେଉଁ ସ୍ଥିତି ଏବେ ବି ଲାଗି ରହିଛି ।
୧୯୯୫ ମସିହାରେ ବିଜୁଳି ଟିକସ ଦେବା ପରେ ଯେଉଁ ଭଳି କାର୍ବନପେପର ବ୍ୟବହୃତ ଲମ୍ବା ଲମ୍ବା ରସିଦ୍ ମିଳୁଥିଲା, ୨୦୧୫ ମସିହାରେ ଠିକ୍ ସେହି ରସିଦ୍ ଜାରି ରହିଛି । ସେହି ରସିଦ୍ କାଗଜର ଫର୍ମାଟ୍ ଓ ଆକାରରେ କୌଣସି ପରିବର୍ତନ ହୋଇ ନାହିଁ । ତଥାପି କୁହାଯାଉଛି ବିଜୁଳି ସଂସ୍କାର ହୋଇଛି! ଏକବିଂଶ ଶତାବ୍ଦୀରେ ଜ୍ଞାନକୌଶଳର ଯୁଗରେ ଏଭଳି ରସିଦ୍ ବ୍ୟବସ୍ଥା ଏକ ବିକୃତି । ଏହାକୁ ଅନ୍ୟ ଭାଷାରେ କୁହାଯାଏ ଅଫ୍ଲାଇନ୍ ପୈଠ ବ୍ୟବସ୍ଥା । ଏଭଳି ବ୍ୟବସ୍ଥାରେ ଆଦୌ ସ୍ୱଚ୍ଛତା(Transparency) ନାହିଁ । ପୈଠ ବ୍ୟବସ୍ଥା ଉପରେ ଆମ୍ଭେ ନଜର ପକାଇବାର ଉଦ୍ଦେଶ୍ୟ ହେଲା ଯେ ସବୁବେଳେ ଯେତେ ଅଭିଯୋଗ ଉପଭୋକ୍ତାଙ୍କ ବିରୋଧରେ ଦାପ୍ତରିକ ଭାବରେ ଉଠିଛି, ତହିଁରୁ ମୁଖ୍ୟ ଅଭିଯୋଗ ହେଉଛି ଯେ ଉପଭୋକ୍ତାମାନେ ବିଜୁଳି ଶୁଳ୍କ ଯଥା ସମୟରେ ବା ଯଥାପରିମାଣରେ ଦେଉ ନାହାନ୍ତି । କେହି କେହି ମାସ ମାସ ଧରି ଦେଉ ନାହାନ୍ତି । ଏହିଭଳି ଅଭିଯୋଗ-ପ୍ରତ୍ୟଭିଯୋଗ-ପ୍ରତିକାରମୂଳକ ପଦକ୍ଷେପ ଭିତରେ ବର୍ଷ ପରେ ବର୍ଷ ଗଡ଼ି ଚାଲିଛି । କିନ୍ତୁ ଅନ୍ଲାଇନ୍ ପୈଠ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇ ନାହିଁ । ସ୍ପଷ୍ଟ ଭାବରେ କହିଲେ, ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(OERC) ଏହାକୁ ଅଣଦେଖା କରିଛି । ଅବଶ୍ୟ ତିନି ବର୍ଷ ତଳେ ଆୟୋଗର ନିଦ ଭାଙ୍ଗିଥିଲେ ସୁଦ୍ଧା ନେଡ଼ି ଗୁଡ଼ କହୁଣୀକୁ ବୋହିଯାଇସାରିଛି । ଉପଭୋକ୍ତାଙ୍କୁ କେବେହେଲେ ସାଧୁ ବା ଭଦ୍ର ହେବା ପାଇଁ ସୁଯୋଗ ଦିଆଯାଇ ନାହିଁ । ଯଦି ଅନ୍ଲାଇନ୍ ପୈଠ ବ୍ୟବସ୍ଥା ଥାଆନ୍ତା, ତେବେ ପ୍ରତିଦିନ କେତେ ଆଦାୟ ହେଲା, ତାହା ଜାଣି ହେଉଥାଆନ୍ତା । ଏହା ନଥିବାରୁ ଉପଭୋକ୍ତାମାନଙ୍କୁ ବିଭିନ୍ନ ଶୁଳ୍କ ଆଦାୟ କେନ୍ଦ୍ରରେ ଧାଡ଼ି ଲଗାଇ ଠିଆ ହେବାକୁ ପଡୁଛି । କିନ୍ତୁ ଅନ୍ଲାଇନ୍ ପୈଠ ବ୍ୟବସ୍ଥା ଥିଲେ ନିଜ ଘରେ ବା ଦପ୍ତରରେ ବସି ମଧ୍ୟ ପୈଠ କରି ହୁଅନ୍ତା । ଯାହାକି ଆଜି ସୁଦ୍ଧା ସମ୍ଭବ କରାଯାଇ ନାହିଁ ।
ସାଧାରଣ ବିଜୁଳି ଉପଭୋକ୍ତାଙ୍କୁ ପ୍ରଶାସନ ସନ୍ଦେହ ଦୃଷ୍ଟିରେ ଦେଖି ଆସିିବାଟା ସମ୍ଭବତଃ ବ୍ରିଟିଶ ଇଣ୍ଡିଆ ବେଳର ମାନସିକତା । କାରଣ ଭାରତୀୟମାନଙ୍କୁ ଚୋର ବିବେଚନା କରି ବ୍ରିଟିଶ ସରକାର, ଘରୋଇ ସଂଯୋଗର ମାନକ ଭୋଲ୍ଟ ୨୨୦ ଧାର୍ଯ୍ୟ କରିଛନ୍ତି । ଡବଲ ଫେଜ୍ ହେଲେ ଏହା ୪୪୦ ଭୋଲ୍ଟ ହେଉଛି । ଏତିକି ବିଜୁଳିର ସଂସ୍ପର୍ଶରେ ଆସିଲେ ମଣିଷର ମୃତ୍ୟୁ ହୋଇଯାଉଛି । କିନ୍ତୁ ବ୍ରିଟେନ୍ରେ ଏହି ମାନକ ବିଜୁଳି ହେଉଛି ୧୧୦ ଭୋଲ୍ଟ ସମ୍ପନ୍ନ । ଭାରତରେ ରେଳଗାଡ଼ି ପ୍ରଚଳନ ବ୍ରିଟିଶ ସରକାର କରିଥିଲେ, କେବଳ ସରକାରୀ ବାବୁମାନେ ଯାତାୟତ ପାଇଁ । ତେଣୁ ରେଳଗାଡ଼ିରେ ଥିବା ବିଜୁଳି ବ୍ୟବସ୍ଥା ମଧ୍ୟ ୧୧୦ ଭୋଲ୍ଟ ସମ୍ପନ୍ନ । ଆମ ଦେଶରେ ଯଦିଓ ଏହି ମାନକ ପରିବର୍ତନ ପାଇଁ ବିଶେଷ ସ୍ୱର ଉଠିନାହିଁ, କିନ୍ତୁ ଖୁଣ୍ଟରେ ଏଲ୍.ଟି. ବା ନିମ୍ନ କ୍ଷମତାସଂପନ୍ନ ଖୋଲା ତାରରେ ବିଜୁଳି ସରବରାହ ନକରିବା ପାଇଁ ବାରମ୍ବାର ଦାବି ଉଠିଛି । କାରଣ ଏହି ପାରମ୍ପରିକ ବିଜୁଳି ସରବରାହ ବ୍ୟବସ୍ଥା ଦ୍ୱାରା ବିପୁଳ ଧନଜୀବନ ହାନି ହେଉଛି ଏବଂ ବିଭିନ୍ନ ବିପର୍ଯ୍ୟୟ କାରଣରୁ ମଧ୍ୟ ବିଜୁଳି ବିଭ୍ରାଟ ଘଟୁଛି । ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଅଣ୍ଡରଗ୍ରାଉଣ୍ଡ୍ ବିଜୁଳି ସରବରାହ ପାଇଁ ପ୍ରସ୍ତାବ ଦେଇ କେନ୍ଦ୍ରୀୟ ଅନୁଦାନ ହାତେଇ ସାରିଥିଲେ ସୁଦ୍ଧା କୌଣସି ଅଗ୍ରଗତି ଦେଖାଯାଉ ନାହିଁ ।
ଆମ୍ଭେ ଏଠାରେ ଯେଉଁ ସମସ୍ୟା ଉପରେ ଆଲୋକପାତ କରିଛୁ, ତାହା ଆପଣଙ୍କୁ ମାମୁଲି ଲାଗୁଥିବ । କିନ୍ତୁ ଗତ ୨୦ ବର୍ଷ ଧରି ଭଳିକି ଭଳି ସମସ୍ୟାର ଅବତାରଣା କରି ବିଜୁଳି ବିତରଣକାରୀ ସଂସ୍ଥା ତଥା ବିଦ୍ୟୁତ୍ ନିୟାମକ ଆୟୋଗ, ରାଜ୍ୟ ସରକାରଙ୍କୁ ବିଭ୍ରାନ୍ତ ଓ ଉଦ୍ଭ୍ରାନ୍ତ କରି ଆସିଛନ୍ତି । ଯହିଁରେ ରହିଛି, ଚୋରି କମିଲେ ବି ଉପଭୋକ୍ତା ବଢ଼ିଗଲେଣି, ଉପଭୋକ୍ତାଙ୍କ ମୋଟ ବିଜୁଳି ବ୍ୟୟ ବଢ଼ିଗଲାଣି। ଏହା ବ୍ୟତୀତ ଭଳିକି ଭଳି ପରିସଂଖ୍ୟାନ ଓ ଇଂଜିନିୟରିଙ୍ଗ୍ ତଥ୍ୟ ଦେଇ ସରକାରଙ୍କୁ ଭୁଲେଇବା ସହ ବର୍ଷ ପରେ ବର୍ଷ ଗଡ଼ାଇ ଆସିଛନ୍ତି । ଏହା ସହ ଓଡ଼ିଶାର ଏକମାତ୍ର ବୃହତ୍ ଶିଳ୍ପପତିଙ୍କ ଶିଳ୍ପକୁ ଦିଆଯାଇଥିବା ୨୨୦୦ କୋଟି ଟଙ୍କାର ବିଜୁଳି ଶୁଳ୍କ ରିହାତିର ଭରଣା ଆଜି ସୁଦ୍ଧା ଆଦୌ ହୋଇ ପାରୁ ନାହିଁ ।
ଉପଭୋକ୍ତାଙ୍କ ଠାରୁ ଶୁଳ୍କ ଆଦାୟ ହୋଇ ପାରୁ ନଥିବାରୁ ବିତରକ କମ୍ପାନୀମାନେ ଶୁଳ୍କ ଆଦାୟ ଦାୟିତ୍ୱ ଆଉ କିଛି କମ୍ପାନୀକୁ ଦେଇଛନ୍ତି। ସେମାନଙ୍କୁ କହୁଛନ୍ତି, ଫ୍ରାଞ୍ଚାଇଜି । ସେହି ସଂସ୍ଥାମାନେ ସାନ ସାନ ରକ୍ଷଣାବେକ୍ଷଣ କାର୍ଯ୍ୟ ସହିତ ଶୁଳ୍କ ବକେୟା ରଖିଥିବା ଉପଭୋକ୍ତାଙ୍କ ଠାରୁ କଳ-ବଳ-କୌଶଳ ଅବଲମ୍ବନ କରି ଆଦାୟ କରିବେ । ଆଜିକାଲି ଏଥିପାଇଁ ଏକ ଇଂଲିଶ୍ ଶବ୍ଦ ପ୍ରୟୋଗ ହେଉଛି, ତାହା ହେଉଛି ରିକୋଭରି । ରିକୋଭରି ବ୍ୟବସ୍ଥା, ଏକ ସଭ୍ୟ ସମାଜର ଲକ୍ଷଣ ନୁହେଁ । ଦୁନିଆର ସ୍ୱଚ୍ଛ ଓ ସଭ୍ୟ ବ୍ୟବସ୍ଥା - ଅନ୍ଲାଇନ୍ ପୈଠକୁ ଅବହେଳା କରାଯାଇଥିବାରୁ ଫ୍ରାଞ୍ଚାଇଜି ଲାଗୁ କରାଯାଇଛି । ଏହାକୁ ବିରୋଧ କରି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆନ୍ଦୋଳନ, ପୋଡ଼ାଜଳା ବି ହୋଇଛି । କିନ୍ତୁ ଘରୋଇକରଣ ନାମରେ ସରକାରୀ ବିଭାଗ ନିଜର ନିୟନ୍ତ୍ରଣ ସୀମିତ କରି ସାରିଥିବାରୁ ଜନତାଙ୍କ ଦାବି ଗୃହିତ ହୋଇ ନାହିଁ ।
ଏବେ ଆସିବା ଆଉ ଏକ ବାସ୍ତବ ସମସ୍ୟାକୁ । ତାହା ହେଲା, କିଏ କେତେ ବିଜୁଳି ଖର୍ଚ କଲେ ତାହା ଜଣାପଡ଼େ ୱାଟ୍ମିଟରରୁ । ବହୁ ବର୍ଷ ଧରି ଆନାଲଗ୍ ମିଟର ବ୍ୟବହାର ଚାଲିଥିବା ବେଳେ ଚଳିତ ଶତାବ୍ଦୀରେ ଡିଜିଟାଲ ମିଟର ଉପରେ ଜୋର ଦିଆଗଲା । କିନ୍ତୁ ଦୁଃଖର କଥା ଯେ ସେହି ମିଟର ପାଇଁ ଆମକୁ ଚାଇନା କମ୍ପାନୀମାନଙ୍କ ଉପରେ ନିର୍ଭରଶୀଳ ହେବାକୁ ପଡିଲା । ଅର୍ଥାତ୍ ହଜାର ହଜାର କୋଟି ଟଙ୍କାର କ୍ଷତି ଦର୍ଶାଉଥିବା ଏକ ବ୍ୟବସ୍ଥା, କେବେ ହେଲେ ଗବେଷଣା ଓ ବିକାଶ (R&D)ରେ ପୁଞ୍ଜିନିବେଶ କରି ନାହିଁ । ଓଡ଼ିଶାରେ ୱାଟ୍-ମିଟର ଉତ୍ପାଦନକାରୀ ଶିଳ୍ପ ପ୍ରତିଷ୍ଠା ହୋଇପାରିଥାଆନ୍ତା । କିନ୍ତୁ କେବେ ହେଲେ ଏହାର ପରିକଳ୍ପନା ସୁଦ୍ଧା କରାଯାଇ ନାହିଁ ।
ରାଜ୍ୟର ଚାହିଦା ଅନୁସାେର ବିଜୁଳି ନିଅଣ୍ଟ ହେଉଛି ବୋଲି ଆକଳନ କରି ଅଧିକ ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ର ବସାଯିବା ପାଇଁ ଅନେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲେ ସୁଦ୍ଧା ଗୋଟିଏ ଦୁଇଟିକୁ ଛାଡ଼ି ଅନ୍ୟ କମ୍ପାନୀମାନଙ୍କର କୌଣସି ଖୋଜ୍ ଖବର ନାହିଁ । ସେହିଭଳି ବୃହତ୍ ଶିଳ୍ପମାନେ ନିଜସ୍ୱ ବିଜୁଳି ଉତ୍ପାଦନ କେନ୍ଦ୍ର (କ୍ୟାପ୍ଟିଭ୍ ପାୱାର ପ୍ଳାଣ୍ଟ୍) କରିବାର ସର୍ତ ମଧ୍ୟ ସରକାର ଜାରି କରି ତାହାକୁ କାର୍ଯ୍ୟକାରୀ କରିଛନ୍ତି । କିନ୍ତୁ ଅସଲରେ ସେହି ପ୍ଳାଣ୍ଟ୍ଗୁଡ଼ିକ ଚାଲୁ ନାହିଁ ଏବଂ ସେମାନେ ଫିକର କରି ସାଧାରଣ ଉପଭୋକ୍ତାଙ୍କ ପାଇଁ ଉଦ୍ଦିଷ୍ଟ ବିଜୁଳିରେ ଭାଗ ବସାଉଛନ୍ତି ।
ଜଳବିଦ୍ୟୁତ୍ ଉତ୍ପାଦନକାରୀ ପ୍ରକଳ୍ପଗୁଡ଼ିକର ନିତିଦିନର ଉତ୍ପାଦିତ କ୍ଷମତାକୁ ନେଇ ୱେବ୍ସାଇଟ୍ରେ ତଥ୍ୟ ପ୍ରକାଶ ପାଉଥିଲେ ସୁଦ୍ଧା ସେହିଭଳି ତାପଜ ବିଦ୍ୟୁତ୍ କେନ୍ଦ୍ରର ଉତ୍ପାଦନ ଜଡ଼ିତ ତଥ୍ୟ ଏବଂ ତହିଁରୁ ଓଡ଼ିଶାର ଭାଗ କେତେ, ତାହାକୁ ନେଇ ସର୍ବସାଧାରଣ ଉଦ୍ଦେଶ୍ୟରେ କୌଣସି ୱେବ୍-ବୁଲେଟିନ୍ର ବ୍ୟବସ୍ଥା ନାହିଁ ।
ବିଜୁଳି ବିତରଣର ସବୁଠୁ ସାଂଘାତିକ ଦିଗ ହେଲା ଲୋ-ଭୋଲ୍ଟେଜ୍ ଓ ଅଘୋଷିତ ବିଜୁଳି କାଟ । ଗୋଟିଏ ଫେଜ୍ରେ ୨୨୦ ଭୋଲ୍ଟ ଯୋଗାଇବା କଥା। କିନ୍ତୁ ଏହା ସହରରେ ମଧ୍ୟ ସମ୍ଭବ ହୁଏ ନାହିଁ । ଗ୍ରାମାଞ୍ଚଳରେ ୧୦୦ରୁ ୧୫୦ ଭୋଲ୍ଟ ବା ତାହାଠୁ କମ୍ ଭୋଲ୍ଟ ସଂପନ୍ନ ବିଜୁଳି ସାଧାରଣତଃ ଉପଭୋକ୍ତାଙ୍କ ଘରେ ପହଞ୍ଚିଥାଏ । ଦୁଃଖର କଥା ଯେ ଲୋ-ଭୋଲ୍ଟେଜ୍ ବେଳେ ବିଜୁଳି ଉପଯୋଗ ବଢ଼େ ଏବଂ ସେହି ଅନୁସାରେ ମିଟରରେ ରିଡ଼ିଂ ମଧ୍ୟ ଅଧିକ ଆସେ । ଆଉ ଯେତେବେଳେ ମୋଟା ଅଙ୍କର ବିଲ୍ ଆସେ, ସେତେବେଳେ ସ୍ୱାଭାବିକ ଭାବେ ଉପଭୋକ୍ତା ଉତ୍କ୍ଷିପ୍ତ ହୁଅନ୍ତି । ଲୋ-ଭୋଲଟେଜ୍, ଅଘୋଷିତ ବିଜୁଳିକାଟ, ମାତ୍ରାଧିକ ବିଜୁଳି କାଟ - ଏସବୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଲୋକଙ୍କ ଦେହସୁହା ହୋଇଗଲାଣି । ଗ୍ରାମାଞ୍ଚଳରେ ହଜାର ହଜାର ଷ୍ଟାବିଲାଇଜର, ସିଭିଟି, ଏପରିକି ସହରାଞ୍ଚଳ ଭଳି ଇନଭର୍ଟର ମଧ୍ୟ ବ୍ୟବହାର ହେଲାଣି । ଚାଇନିଜ୍ ରିଜାର୍ଜେବଲ୍ ଲାଇଟ୍ ହିଁ ଗ୍ରାମାଞ୍ଚଳ ଓଡ଼ିଶା ପାଇଁ ଏକ ଆଶ୍ୱାସନାର ବସ୍ତୁ ପାଲଟିଛି । ସହରର ବ୍ୟବସାୟୀ ଓ ବିତ୍ତଶାଳୀମାନେ ଜେନେରେଟର ଓ ସାଇଲେଣ୍ଟ୍ ଜେନେରେଟର ବ୍ୟବହାର କରୁଛନ୍ତି । ଏହି ଇନ୍ଭର୍ଟର ବା ଜେନେରେଟର କିଛି ବର୍ଷ ହେଲାଣି ଆଭିଜାତ୍ୟର ପ୍ରତୀକ ପାଲଟିଯାଇଛି ।
ବିଜୁଳି ବିତରଣ ପ୍ରସଙ୍ଗରେ ଗତ ୨୦ ବର୍ଷ ଧରି ଜନତାଙ୍କୁ ଭୂତାଉଥିବା ବିଭିନ୍ନ ଶବ୍ଦାବଳୀକୁ ଭୁଲିଯିବାକୁ ହେବ । ଯଦି ଅନ୍ଲାଇନ୍ ପୈଠ, କେବୁଲରେ ବିଜୁଳି ସରବରାହ, ଭାରତ ତିଆରି ଗୁଣମାନର ୱାଟ୍ମିଟର ପ୍ରଚଳନ, ଉପଯୁକ୍ତ ଭୋଲଟେଜ୍ର ବିଜୁଳି ବିତରଣ ଏବଂ ବୃହତ୍ ଶିଳ୍ପଗୁଡ଼ିକର ନିଜସ୍ୱ ବିଦ୍ୟୁ୍ତ୍ କେନ୍ଦ୍ର ସର୍ବଦା କାର୍ଯ୍ୟକ୍ଷମ କରାଯାଇ ପାରିବ; ତେବେ ୫୦ ଭାଗ ସମସ୍ୟା ଦୂରେଇ ଯିବ । ସେମିତି, ଗୋଟିକିଆ ଫେଜ୍ରେ ଭୋଲ୍ଟ ଷ୍ଟାଣ୍ଡାର୍ଡ଼ ୧୧୦ କରାଯିବା ଉପରେ ଚିନ୍ତା କରାଯିବା ଦରକାର । ସର୍ବଶେଷରେ ଏତିକି କହିବୁ ଯେ ସଂସ୍କାର ବ୍ୟବସ୍ଥାରେ ଉପଭୋକ୍ତାଙ୍କୁ ବିଶ୍ୱାସକୁ ନିଆଯାଉ ।
(‘ସମାଜ’ ୫ ଡିସେମ୍ବର ୨୦୧୫, ଶନିବାର ସଂପାଦକୀୟ ପୃଷ୍ଠାରେ ଏହାର ସଂପାଦିତ ରୂପ ପ୍ରକାଶିତ)
(‘ସମାଜ’ ୫ ଡିସେମ୍ବର ୨୦୧୫, ଶନିବାର ସଂପାଦକୀୟ ପୃଷ୍ଠାରେ ଏହାର ସଂପାଦିତ ରୂପ ପ୍ରକାଶିତ)
ବିମଳ ପ୍ରସାଦ, ୯୯୩୭୩୫୩୨୯୩
कोई टिप्पणी नहीं:
एक टिप्पणी भेजें