![]() |
ପଶ୍ଚିମ ବଂଗ (ଆଲିପୁରଦ୍ଵାର ଜିଲ୍ଲା ଏଥିରେ ନାହିଁ) |
ଓଡ଼ିଶାର ପଡ଼ୋଶୀ ରାଜ୍ୟ ୱେଷ୍ଟ ବେଙ୍ଗଲର ନାମ ବଦଳିବ। ସଂପୃକ୍ତ ରାଜ୍ୟ କ୍ୟାବିନେଟ୍ ଏହି ନାମ ପରିବର୍ତନ ପ୍ରସ୍ତାବକୁ ସ୍ଵୀକୃତି ଦେଇଛି। ଏହା ବିଧେୟକ ଆକାରେ ରାଜ୍ୟ ବିଧାନସଭାର ଅନୁମୋଦିତ ହେଲା ପରେ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ। ସେଠାରେ ଅନୁମୋଦନ ପାଇଲା ପରେ ହିଁ ନୂଆ ନାମ କାର୍ଯ୍ୟକାରୀ ହେବ।
ଏହା ଏକମାତ୍ର ଭାରତୀୟ ରାଜ୍ୟ, ଯାହାର ଆଜି ସୁଦ୍ଧା ଦୁଇଟି ନାମ ରହିଆସିଛି। ଇଂଲିଶ୍ରେ West Bengal ଏବଂ ସ୍ଥାନୀୟ ଭାଷାରେ ‘ପଶ୍ଚିମ ବଂଗ’ ବା ପଶ୍ଚିମ ବେଙ୍ଗଲ। ଏପରିକି ଓଡ଼ିଆ ପୁସ୍ତକ, ଫଳକ ଓ ଦଲିଲରେ ପଶ୍ଚିମ ବଂଗ ଲେଖାଯାଉଥିବା ଦେଖିବାକୁ ମିଳିଥାଏ। ଏହା ଔପନିବେଶିକ ପରମ୍ପରାର ଏକ ଅବାଞ୍ଛିତ ସ୍ମାରକୀ। କାରଣ ପୂର୍ବ ଭାରତରେ ଥିବା ଏକ ରାଜ୍ୟର ନାମ ପଶ୍ଚିମବଂଗ ବା West Bengal ହେବାଟା କେବଳ ଏକ ଗୋଲାମୀ ମାନସିକତା ଛଡ଼ା ଅନ୍ୟ କିଛି ନୁହେଁ। ତେବେ ଆଶ୍ଚର୍ଯ୍ୟର କଥା ଯେ ଇଂଲିଶ୍ରେ ନୂଆ ନାମ Bengal ରଖା ଯାଇଥିବା ବେଳେ ସ୍ଥାନୀୟ ବାଙ୍ଗ୍ଲା ଭାଷାରେ ‘ବଂଗ’, ‘ବଂଗଭୂମି’, ‘ବଂଗପ୍ରଦେଶ’ ଅବା ‘ବାଙ୍ଗ୍ଲା’ ହେବା ନେଇ ଦ୍ଵନ୍ଦ୍ଵ ଉପୁଜିଛି। କିନ୍ତୁ ସବୁ ଭାଷାରେ ଗୋଟିଏ ନାମ ହେବା କଥା, ଠିକ୍ ‘କୋଲକାତା’ ପରି।
୨୦୧୧ରେ ବାମପନ୍ଥୀ ସରକାର ସମୟରେ ସେବେର ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଏହି ନାମ ପରିବର୍ତନ ପ୍ରକ୍ରିୟା ଆରମ୍ଭ କରିଥିଲେ ଏବଂ ରାଜ୍ୟର ନାମ ରଖିଥିଲେ ‘‘ପଶ୍ଚିମ ବଂଗ’’। କିନ୍ତୁ ସେ ଏ ପ୍ରକ୍ରିୟାକୁ ସଂପୂର୍ଣ କରିପାରି ନଥିଲେ। ୧୯୪୭ ମସିହାରେ ଦେଶ ବିଭାଜନ ବେଳେ ଭାରତରେ ରହିଥିବା ଅଂଶର ନାମ ରହିଥିଲା West Bengal ଏବଂ ଯାହା East Bengal ହୋଇଥିଲା ତାହା ବାଙ୍ଗ୍ଲାଦେଶର ଅଂଶ ହୋଇଯାଇଥିଲା। ଏପରିକି ଇଷ୍ଟ ବେଙ୍ଗଲ ଶବ୍ଦ କେବେ ବି ସରକାରୀ ଭାବରେ ବ୍ୟବହୃତ ହୋଇ ନଥିଲା। ପରବର୍ତ୍ତୀ ସମୟରେ ଭାରତୀୟ ଲେଖକ ସୁନୀଲ ଗଂଗୋପାଧ୍ୟାୟ ମତ ଦେଇଥିଲେ ଯେ ଯଦି ‘ଇଷ୍ଟ ବେଙ୍ଗଲ’ ବୋଲି କିଛି ନାହିଁ, ତେବେ ‘ୱେଷ୍ଟ ବେଙ୍ଗଲ’ କେମିତି ରହିବ?
ଦେଶ ବିଭାଜନ ବେଳେ ପଞ୍ଜାବକୁ ମଧ୍ୟ ବ୍ରିଟିଶ ସରକାର ଦୁଇ ଭାଗ କରି ‘‘ପୂର୍ବ ପଞ୍ଜାବ’’ ଓ ‘‘ପଶ୍ଚିମ ପଞ୍ଜାବ’’ ନାମ ଦେଇଥିଲେ। କିନ୍ତୁ ଭାରତ ସରକାର ଓ ପାକିସ୍ତାନ ସରକାର ନିଜ ନିଜର ସେହି ରାଜ୍ୟର ନାମ କେବଳ ‘ପଞ୍ଜାବ’ ରୂପେ ଗ୍ରହଣ କଲେ। ହେଲେ ସେବେଠୁ ରହିଯାଇଛି ୱେଷ୍ଟ ବେଙ୍ଗଲ ବା ପଶ୍ଚିମ ବେଙ୍ଗଲ।
ମୁଖ୍ୟମନ୍ତ୍ରୀ ମମତା ଦିଦି କହିଛନ୍ତି ଯେ ଦେଶର ରାଜ୍ୟ ତାଲିକା ଇଂଲିଶ୍ ବର୍ଣମାଳା ଅନୁସାରେ ଲେଖାଯାଉଥିବାରୁ West Bengal ରହିଯାଉଛି ୨୯ ନମ୍ବରରେ। ତେଣୁ ରାଜ୍ୟର ନାମ ‘ବଂଗ’ ହେଲେ ପ୍ରଥମ ୫ଟି ରାଜ୍ୟ ଭିତରେ ରହିବ। Bangaକୁ ବାଙ୍ଗ୍ଲାରେ Bongo ରୂପେ ଉଚ୍ଚାରଣ କରାଯାଇଥାଏ ଏବଂ ଏହା ଏକ ବାଦ୍ୟଯନ୍ତ୍ରର ନାମ ହୋଇଥିବାରୁ ରାଜ୍ୟର ଭାଜପା ସାଂସଦ ବାବୁଲ ସୁପ୍ରିୟ ଏହାକୁ ବିରୋଧ କରୁଛନ୍ତି। କାରଣ ସେ ନିଜେ ଜଣେ ସଂଗୀତଜ୍ଞ ହୋଇଥିବାରୁ ଏକ ବାଦ୍ୟଯନ୍ତ୍ରର ନାମକୁ ନିଜ ରାଜ୍ୟର ନାମ ରୂପେ ଗ୍ରହଣ କରିପାରୁ ନାହାନ୍ତି। ସେହିପରି ‘ବାଙ୍ଗ୍ଲା’ ମଧ୍ୟ ରାଜ୍ୟର ନାମ ହୋଇପାରିବ ନାହିଁ। କାରଣ ସେହି ରାଜ୍ୟରେ ଦେଶୀ ମଦର ଅନ୍ୟନାମ ହେଉଛି ‘ବାଙ୍ଗ୍ଲା’। ଲେଖକ ନବନୀତ ଦେବସେନ୍ କହିଛନ୍ତି ଯେ ‘ବଂଗ’ ନାମଟା ଭଲ, ହେଲେ ବେଶି ଲଣ୍ଡା ଲଣ୍ଡା ଲାଗୁଛି।
ଆମ୍ଭ ମତରେ ‘ବଂଗଭୂମି’ (Bangabhumi) ବା ‘ବଂଗପ୍ରଦେଶ’ (Bangapradesh) - ଏଥିରୁ ଗୋଟିଏ ଶବ୍ଦକୁ ରାଜ୍ୟର ନାମ ରୂପେ ଉଭୟ ଇଂଲିଶ୍ ଓ ଭାରତୀୟ ଭାଷାରେ ଗ୍ରହଣ କରାଗଲେ ଉତ୍ତମ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ମମତା ଦିଦି ବୁଝିବା ଦରକାର। କାରଣ ‘ବାଙ୍ଗ୍ଲାଦେଶ’ ଆଧୁନିକ ବିଶ୍ଵରେ ପରିଚିତ ହୋଇ ସାରିଥିବାରୁ, ‘ବାଙ୍ଗ୍ଲା’ ନାମରେ ଯଦି ଏକ ଭାରତୀୟ ରାଜ୍ୟ ହୁଏ, ଏହା ୟୁରୋପୀୟ, ଆମେରିକୀୟ ଓ ଆଫ୍ରିକୀୟମାନଙ୍କୁ ଦ୍ଵନ୍ଦ୍ଵରେ ପକାଇବାର ଅଧିକ ଆଶଙ୍କା ରହିଛି।
कोई टिप्पणी नहीं:
एक टिप्पणी भेजें