ଦଶହରା ଓ ମହରମ୍ରେ ଛୁଟି ପାଳିଲେ ଓଡ଼ିଆ ସମେତ ବିଭିନ୍ନ ଭାରତୀୟ ଭାଷାର ଖବରକାଗଜ। କାହାର ଦୁଇ ଦିନ ତ କାହାର ତିନି ଦିନ ଛୁଟି। ଏପରିକି ଇଂଲିଶ୍ ଖବରକାଗଜମାନେ ମଧ୍ୟ ଛୁଟି ନେଇଛନ୍ତି। ଇଂଲିଶ୍ ଖବରକାଗଜମାନେ ବର୍ଷକୁ ଅତିବେଶିରେ ୭ ଦିନ ଛୁଟି ନେଉଥିବା ବେଳେ ଭାରତୀୟ ଭାଷାର ଖବରକାଗଜମାନେ ବର୍ଷକୁ ୧୦ ବା ଅଧିକ ଦିନ ଛୁଟି ନେଇଥାଆନ୍ତି। ଅଥଚ ରେଡ଼ିଓ ଓ ଟେଲିଭିଜନ ଚ୍ୟାନେଲ, ହସପିଟାଲ, ଥାନା, ସୀମାସୁରକ୍ଷା, ବସ୍, ରେଳଗାଡ଼ି, ଓ ଉଡ଼ାଜାହାଜ ଇତ୍ୟାଦି ବିନା ଛୁଟିରେ ନିରନ୍ତର ସେବା ଯୋଗାଇଥାଆନ୍ତି। ଏପରିକି ନ୍ୟୁଜ୍ ପୋର୍ଟାଲଗୁଡ଼ିକ ମଧ୍ୟ ଛୁଟି ନନେଇ ନିରନ୍ତର ସେବା ଦେଇଥାଆନ୍ତି।
ହିନ୍ଦୀ ସମେତ ବିଭିନ୍ନ ଭାରତୀୟ ଭାଷାର ସଂବାଦପତ୍ର ଏହି ଛୁଟିପ୍ରବଣତାରେ ପୀଡ଼ିତ।
ପ୍ରକାଶନ-ସଂସ୍ଥାମାନେ ଦୈନିକ ଖବରକାଗଜଗୁଡ଼ିକୁ ବର୍ଷର ୩୬୫ ଦିନ (ଅଧିବର୍ଷ ହେଲେ
୩୬୬ଦିନ) ପ୍ରକାଶ କରିବାକୁ ଚାହୁଥିଲେ ସୁଦ୍ଧା ଏଜେଣ୍ଟ ଓ ବଣ୍ଟାଳିମାନଙ୍କ ଚାପ ଆଗରେ
ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଛନ୍ତି। କାରଣ ଗ୍ରାହକମାନଙ୍କ ପାଖରେ କାଗଜକୁ
ପହଞ୍ଚାଇବାର କାମ ତ ସେଇ ଏଜେଣ୍ଟ ଓ ବଣ୍ଟାଳିମାନଙ୍କର। ଯଦି ଗ୍ରାହକଙ୍କ ପାଖରେ ପହଞ୍ଚି
ନପାରିବ, ତେବେ ଛାପା ହେବ ବା କାହିଁକି - ଏଇ ଯୁକ୍ତିରେ ହିଁ ଖବରକାଗଜ ବର୍ଷର
ପ୍ରତିଦିନ ବାହାରୁ ନାହିଁ।
ଖବରକାଗଜ ଏଜେଣ୍ଟ ବା ହକରମାନେ ମୁଖ୍ୟତଃ କୌଣସି ଓଡ଼ିଆ ଖବରକାଗଜର ଏଜେଣ୍ଟ/ହକର ହୋଇଥିବାରୁ, ସଂପୃକ୍ତ ଖବରକାଗଜର ଛୁଟି ଅନୁସାରେ ଇଂଲିଶ୍ ଖବରକାଗଜର ଗ୍ରାହକମାନେ ସେବା ପାଇଥାଆନ୍ତି। ଓଡ଼ିଆ ଖବରକାଗଜର ଏଜେଣ୍ଟ ଓ ବଣ୍ଟାଳି(ହକର) ମାନଙ୍କୁ ଲୋଡ଼ା ହେଉଥିବା ଛୁଟି ଯୋଗୁ ଓଡ଼ିଆ ଖବରକାଗଜଗୁଡ଼ିକ ଧର୍ମ ଓ ଜାତୀୟତା ଭିତରେ ବନ୍ଦୀ ହୋଇଯାଇଛି। ସ୍ଵାଧୀନତା ଦିବସ, ଗଣତନ୍ତ୍ର ଦିବସ, ଜନ୍ମାଷ୍ଟମୀ ଓ ଗହ୍ମାପୁନେଇ ଭଳି ବର୍ଷକୁ ପ୍ରାୟ ୧୦ ଦିନ ଛୁଟି ପାଳୁଛନ୍ତି ଖବରକାଗଜ ପ୍ରକାଶନ ସଂସ୍ଥାମାନେ। କିନ୍ତୁ ରେଡ଼ିଓ ଓ ଟିଭି ସେବା କିପରି ଜାରି ରହିପାରୁଛି, ତାହା ଉପରେ ହୁଏତ ଚିନ୍ତା କରିଥିଲେ ବି ସେମାନେ କିଛି ସମାଧାନ ପନ୍ଥା ବାହାର କରିନାହାନ୍ତି। ଅବଶ୍ୟ ଛାପା ଖବରକାଗଜର ଭବିଷ୍ୟତ ବେଶି ଦିନ ନୁହେଁ। ଇଣ୍ଟରନେଟ୍ ଓ ସ୍ମାର୍ଟଫୋନ୍ ଆଡ଼କୁ ଯେଭଳି ଭାବରେ ଶିକ୍ଷିତ ସମାଜ ମୁହାଁଇଲେଣି, ତାହାର ପରିଣତି ସ୍ଵରୂପ ସମସ୍ତେ ଚାହୁଛନ୍ତି, ଆଙ୍ଗୁଠି ଟିପରେ ସବୁ କିଛି। ତେବେ ଖବରକାଗଜ ବିତରଣ ପ୍ରକ୍ରିୟାରେ ସୁଧାର ଆସିବା ଦରକାର। ଉଦାହରଣଃ: ଓମ୍ଫେଡ଼୍ କ୍ଷୀରର ବିତରଣ ତ ବର୍ଷ ତମାମ୍ ଚାଲିପାରୁଛି, ଖବରକାଗଜ କାହିଁକି ନୁହେଁ? ଏହାର ଉତ୍ତର କେବଳ ରହିଛି ରାଜ୍ୟର ୧ ନମ୍ବର ଓ ୨ ନମ୍ବର ଖବରକାଗଜ ପାଖରେ। ସେମାନଙ୍କ ପ୍ରସାରଣ ବିଭାଗର ମୁଖ୍ୟମାନେ ଚାହିଁଲେ ଖବରକାଗଜ ପ୍ରସାରଣ ବା ବିତରଣକୁ ନୂଆ ପରିଭାଷା ଦେଇ ପାରିବେ। କାରଣ ସେଇମାନଙ୍କ ନିୟନ୍ତ୍ରଣରେ ଅଛନ୍ତି ରାଜ୍ୟର ଖବରକାଗଜ ଏଜେଣ୍ଟ ସଂଘମାନେ। ଅବଶ୍ୟ ଏଇ ନୂଆ ପରିଭାଷା ପାଇଁ ଦେଶର କୌଣସି ସୃଜନଶୀଳ ନମୁନାକୁ ଅନୁକରଣ କରିବାକୁ ପଡ଼ିପାରେ। ଓଡ଼ିଶାରେ ଖବରକାଗଜଗୁଡ଼ିକର ସାଂଧ୍ୟ ସଂସ୍କରଣ ବନ୍ଦ ହୋଇ କେବଳ ପ୍ରଭାତୀ ସଂସ୍କରଣ ଚାଲୁ ରହିବା ପରିପ୍ରେକ୍ଷୀରେ ଖବରକାଗଜର ରୂପରେଖ ଓ ପରିଭାଷା ବଦଳିବାଟା ଜରୁରୀ ହୋଇପଡ଼ିଛି।
ସାପ୍ତାହିକ ବିରତି ଅଦଳବଦଳ ଜରିଆରେ ଯେମିତି ପୃଥିବୀର ବିଭିନ୍ନ କାର୍ଯ୍ୟ ଓ ସେବା ନିରନ୍ତର ଭାବେ ଚାଲିଛି, ଖବରକାଗଜ ମୁଦ୍ରଣ ଓ ପ୍ରସାରଣ ମଧ୍ୟ ସେଇଭଳି ନିରନ୍ତର ଭାବେ ଚାଲିପାରିବ। ଆପଣଙ୍କ ପାଖରେ କୌଣସି ନମୁନାର ସୂଚନା ଅଛି କି? ଆମେ ସ୍ଵର ଉଠାଇଲେ ନିଶ୍ଚୟ ଏକ ଗତାନୁଗତିକ ଧାରାରୁ ଦୈନିକ ଖବରକାଗଜଗୁଡ଼ିକୁ ମୁକ୍ତ କରିହେବ। ଠିକ୍ ଯେମିତି ସ୍ମାର୍ଟଫୋନ୍ ଭିତ୍ତିକ ‘ଓଲା’, ‘ଉବେର’ ଓ ‘ଜୁଗ୍ନୁ’ App ବଳରେ ବନ୍ଦ ହୋଇପାରିଛି ଟାକ୍ସିବାଲା ଓ ଟେମ୍ପୋବାଲାଙ୍କ ମନ୍ମାନି ବା ‘ଉତ୍ପାତ’।
ଭାରତରେ ନ୍ୟୁଜ୍ ପୋର୍ଟାଲର ଲୋକପ୍ରିୟତା ଯେତେ ବଢ଼ିଲେ ସୁଦ୍ଧା ଛାପା ଖବରକାଗଜର ଆବଶ୍ୟକତା ରହୁଛି। ତେଣୁ ଖବରକାଗଜକୁ ବର୍ଷର ପ୍ରତ୍ୟେକ ଦିନ ପ୍ରକାଶ କରିବା ପାଇଁ ଏକ ବିପ୍ଳବ ହେଉ।
ବିମଳ ପ୍ରସାଦ, ଭୁବନେଶ୍ଵର, bimal.odisha@yahoo.in
कोई टिप्पणी नहीं:
एक टिप्पणी भेजें