29 मार्च 2018

ଆଖିରେ ଆଙ୍ଗୁଠି ଗେଞ୍ଜି ବଜେଟ୍‌ ୬୦୦ କୋଟି!

ଶାସନ ପରିଚାଳନାର ସବୁଠୁ ଜଟିଳ ଦିଗଟି ଆଇନକାନୁନ ନୁହେଁ, ତାହା ହେଉଛି ବଜେଟ୍‌। ବ୍ରିଟିଶ ଉପନିବେଶ ଶାସନ ପୂର୍ବରୁ ଦେଶ ଅଖଣ୍ଡ ନଥିଲା, ତେଣୁ କେନ୍ଦ୍ର ଓ ରାଜ୍ୟର ଭେଦ ନଥିଲା। ତେବେ ବ୍ରିଟିଶ ଶାସକମାନେ ବଜେଟ୍‌ ପ୍ରସ୍ତୁତିର ଯେଉଁ ଛାପ ଛାଡ଼ି ଦେଇଗଲେ, ତାହାର ଅନୁକରଣ ଏବେ ବି ଚାଲିଛି ଅନ୍ଧ ଭାବରେ। ତେବେ ଏହି ଅନ୍ଧାନୁକରଣର ଏବେ ଶିକାର ହୋଇଛି ‘‘ଓଡ଼ିଶାରେ ଅନ୍ଧତ୍ୱ ନିବାରଣ’’ଏହି ଘଟଣା ହେଉଛି ଓଡ଼ିଶାର। ଓଡ଼ିଶାର ଲୋକମାନେ ସହଜରେ ଅତୀତକୁ ଭୁଲିଯାଇପାରନ୍ତି। ଓଡ଼ିଆ ଖବରକାଗଜଗୁଡ଼ିକ ଅଫ୍‌ଲାଇନ୍‌ ପ୍ରକାଶନ ହେଉଥିବା ବେଳେ, ଯାହାକୁ ସେମାନେ କହୁଛନ୍ତି ଇ-ପେପର ବା ଇଣ୍ଟରନେଟ୍‌ ସଂସ୍କରଣ, ତାହା ସନ୍ଧାନଯୋଗ୍ୟ(Searchable) ନୁହେଁ। ତେଣୁ ଓଡ଼ିଶାର ଖବରକୁ ମନେପକାଇବାର କୌଣସି ବାଟ ନାହିଁ। ଯାହା କିଛି ଇଂଲିଶ୍‌ ଖବରକାଗଜରେ ପ୍ରକାଶ ପାଇ, ଇଣ୍ଟରନେଟ୍‌ରେ ସଂରକ୍ଷିତ ହୋଇଥିବ, କେବଳ ସେତିକି ହିଁ ଭରସା।

୨୦୧୮ ଫେବୃଆରି ୨୩ ତାରିଖରେ ଓଡ଼ିଶା ସରକାରଙ୍କ ବିତ୍ତ ମନ୍ତ୍ରୀ ଶଶିଭୂଷଣ ବେହେରା ଯେଉଁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍‌ ଉପସ୍ଥାପନ କଲେ, ତହିଁରେ ‘‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ’’ ବାବଦରେ ରହିଛି ୬୦୦ କୋଟି ଟଙ୍କାର ଏକ ବିଶାଳ ଯୋଜନା। ମାତ୍ର ତାହାକୁ ଗୋଟିଏ ଦୁଇଟି ସଂସ୍ଥା ବା ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଛି। ‘‘ଚୋର ପଳାଇଲା ପରେ ବୁଦ୍ଧି ଦିଶେ’’ ଭଳି, ହୁଏତ କିଛି ଗଣମାଧ୍ୟମ ସେତେବେଳେ କେବଳ ଘଟଣାର ବ୍ୟବଚ୍ଛେଦ କରିବେ। ମାତ୍ର ବେଳ ଥାଉଁ କିଛି ବି ରିପୋର୍ଟ ଛାପିବେନି। ଅନେକ ସମୟରେ ତାହା ଜିଲ୍ଲାସ୍ତରୀୟ ରିପୋର୍ଟ ଭାବରେ କୌଣସି ଜିଲ୍ଲା ସଂସ୍କରଣରେ ସୀମିତ ରହିଯିବ, ଆଉ ରାଜଧାନୀ ସ୍ତରକୁ ଆସିବ ନାହିଁ। ଓଡ଼ିଶାର ମୁଦ୍ରଣ ଗଣମାଧ୍ୟମଗୁଡ଼ିକରେ ରାଜ୍ୟ ସ୍ତରୀୟ ରିପୋର୍ଟ ସଂକଳିତ ହେବା ପରିଦୃଷ୍ଟ ହେଉ ନଥିବାରୁ ଏ ମୁଦ୍ଦା ବି ସେଇ ନହସରେ ମୁଦି ହୋଇଯିବା ଭଳି ଲାଗୁଛି। ହୁଏତ ଏହି ୬୦୦ କୋଟି ଟଙ୍କାର ଆଖି ସ୍ୱାସ୍ଥ୍ୟରକ୍ଷା ସଂକ୍ରାନ୍ତ ବ୍ୟୟବରାଦକୁ ଆଖିରେ ଆଙ୍ଗୁଠି ଗେଞ୍ଜି ମାରିନେବାର ହୀନପ୍ରୟାସକୁ କୌଣସି ସଚେତନ ବ୍ୟକ୍ତି ବା ସଚେତନ ସଂଗଠନ ଧରିପାରିବେ ନାହିଁ।

ନିକଟ ଅତୀତକୁ ଧ୍ୟାନ ଦେଲେ, ୧୨ ଅକ୍ଟୋବର ୨୦୧୭ ବିଶ୍ୱ ଦୃଷ୍ଟି ଦିବସ (World Sight Day) ଠାରୁ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ (Universal Eye Care) ବିଷୟକୁ ଓଡ଼ିଶା ସରକାର ଲାଗୁ କଲେ। ଭାରତରେ ପ୍ରଥମ ରାଜ୍ୟ ରୂପେ ଏହି ପଦେକ୍ଷପ ନିଅାଗଲା ବୋଲି ସରକାର ଦାବି କଲେ। ଏଥିରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସଚିବଙ୍କ ସମେତ ଚିକିତ୍ସକ, ଚିକିତ୍ସାକର୍ମୀ ଓ ନାଗରିକ ସାମିଲ ହୋଇଥିଲେ। ସେଦିନ ଏକ ପଦଯାତ୍ରା ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ଠାରୁ ଜୟଦେବଭବନ ପର୍ଯ୍ୟନ୍ତ ଯାଇଥିଲା। ତାହାର ରୂପରେଖ ଏବେ ୨୦୧୮-୧୯ ରାଜ୍ୟ ବଜେଟ୍‌ରେ ପ୍ରକଟିତ ହୋଇଛି। ତେବେ ଯେଉଁମାନେ ଆନୁଷ୍ଠାନିକ ଚକ୍ଷୁ ସ୍ୱାସ୍ଥ୍ୟ (Institutional Eye Health)ରେ ହିଁ ବିଶ୍ୱାସ କରନ୍ତି, ସେମାନେ କିଭଳି ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ(Universal Eye Health)ର ବଡ଼ପଣ୍ଡା ପାଲଟି ଯାଇଛନ୍ତି, ତାହା ପ୍ରଶ୍ନବାଚୀ ହୋଇଯାଇଛି। ଆନୁଷ୍ଠାନିକ ଚକ୍ଷୁ ସ୍ୱାସ୍ଥ୍ୟର ଅର୍ଥ ହେଲା, ଦୃଷ୍ଟିବାଧିତ ମଣିଷମାନେ ଡାକ୍ତରଖାନାକୁ ଆସିବେ ଏବଂ ସେଇଠି ଆଖି ସ୍ୱାସ୍ଥ୍ୟରକ୍ଷାର ସୁବିଧା ପାଇବେ। କିନ୍ତୁ ରାଜ୍ୟର ମଫସଲ ଓ ଅପହଞ୍ଚ ଇଲାକାରେ ହଜାରହଜାର ଆଖିରୋଗୀ ବା ଦୃଷ୍ଟିବାଧିତ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପକ୍ଷେ ସହରର କୌଣସି ଆଖି ଡାକ୍ତରଖାନାକୁ ଯିବା ଆଦୌ ସମ୍ଭବ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକେ ଆଦୌ ଜାଣନ୍ତି ନାହିଁ ଯେ ସେମାନଙ୍କ ଆଖି ଭଲ ହୋଇଯିବ ଏବଂ ସେମାନେ ପୁଣି ସୁସ୍ଥ ମଣିଷଙ୍କ ଭଳି ଏ ଦୁନିଆକୁ ଜଳଜଳ ଦେଖି ପାରିବେ – ନିଜର ସ୍ୱାଭାବିକ ଜୀବନ ଜୀଇଁ ପାରିବେ! ତେବେ ଏହା ସମ୍ଭବ ହୋଇପାରିବ ଗୋଷ୍ଠୀ ଚକ୍ଷୁ ଯତ୍ନ (Community Eye Care) ବା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ (Universal Eye Health) କାର୍ଯ୍ୟକ୍ରମ ଜରିଆରେ। ଏଥିରେ ଡାକ୍ତରଖାନାକୁ ରୋଗୀମାନେ ଦୌଡ଼ିବେ ନାହିଁ। ବରଂ ଡାକ୍ତରଖାନାଟା ଯାଇ ପହଞ୍ଚୁଥିବ ଲୋକଙ୍କ ପାଖରେ, ଗାଆଁରେ, ପଡ଼ାରେ। ଶିବିର ଜରିଆରେ ହେଉ ଅବା ମେଡ଼ିକାଲ ଭ୍ୟାନ୍‌ ଜରିଆରେ ହେଉ, ସବୁ ଲୋକଙ୍କ ପାଖରେ ପହଞ୍ଚିବ ଚକ୍ଷୁସ୍ୱାସ୍ଥ୍ୟ ସେବା। ଅବଶ୍ୟ ଏମିତି ବି ଗାଆଁ ଅଛି, ଯେଉଁଠି ସାରା ବର୍ଷ ମେଡ଼ିକାଲ ଭ୍ୟାନ୍‌ ପହଞ୍ଚିବା ଭଳି ସୁବିଧା ନାହିଁ। ଦୃଷ୍ଟି ଶକ୍ତି ସମସ୍ୟା ପାଇଁ ନିଜର ଅଧା ବୟସ ନହେଉଣୁ ଭାଗ୍ୟକୁ ନିନ୍ଦୁଥିବା ଅବା ଭାଗ୍ୟକୁ ଆଦରି ପଡ଼ି ରହୁଥିବା ମଣିଷମାନଙ୍କ ପାଇଁ ତଥାପି ଯେ ଜୀବନ ବଞ୍ଚିବାର ସ୍ୱାଦ ବାକି ରହିଛି, ତାହା କେବଳ ସେଇ ଚିକିତ୍ସାକାରୀ ଦଳ ଦ୍ୱାରା ସମ୍ଭବ ହୋଇପାରିବ, ଯେଉଁମାନେ ବିଶ୍ୱାସ କରନ୍ତି ଏବଂ କାମ କରନ୍ତି ‘‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ’’ ଉପରେ। ଏମାନଙ୍କ ମଧ୍ୟରେ ଅଛନ୍ତି ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ସଂଗଠନ ବା ଏନ୍‌.ଜି.ଓ.। କିନ୍ତୁ ଏନ୍‌.ଜି.ଓ.ମାନଙ୍କୁ ପୂରାପୂରି ଅଣଦେଖା କରାଯାଇଛି ଏହି କାର୍ଯ୍ୟକ୍ରମ ପ୍ରଣୟନରେ ଓ ତହିଁର କାର୍ଯ୍ୟକାରିତାର ରୂପରେଖ ନିର୍ଧାରଣରେ।

ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମକୁ ଭିତ୍ତି କରି ରାଜ୍ୟ ସରକାର ଯେତେବେଳେ ସଭାସମିତି କରନ୍ତି, ସେତେବେଳେ ଓଡ଼ିଶାର ସେଇ କ୍ଷେତ୍ରର ବିଭିନ୍ନ ଏନ୍‌.ଜି.ଓ.କୁ ପାଣ୍ଠି ଯୋଗାଇ ଦେଉଥିବା ପାଣ୍ଠିଦାତା ସଂସ୍ଥାମାନଙ୍କର କଣ୍ଟ୍ରି ଡିରେକ୍ଟର ଅବା ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବାର ନଜିର ରହିଛି। ଅଥଚ ଏବେ ଏକ ବିଶାଳ କାର୍ଯ୍ୟକ୍ରମ ପ୍ରଚଳନ କଲା ବେଳେ ସେହି ଏନ୍‌.ଜି.ଓ.ମାନଙ୍କୁ ଗୋଟାପଣେ ଅଣଦେଖା କରିବା ଏକ ବିସ୍ମୟକର କଥା ନୁହେଁ କି? ରାଜନେତାମାନେ ଚାହାନ୍ତି କି, ସେମାନେ କେବଳ ଭାଷଣରେ ଉଦ୍‌ବୋଧନ ଦେବେ ସ୍ୱେଚ୍ଛାସେବୀ ସଂସ୍ଥା ତଥା ଏନ୍.ଜି.ଓ.ମାନଙ୍କୁ। ଆଉ, ସେହି ସଂସ୍ଥାମାନେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ ମାଗଣାରେ ଅବା ଅଳ୍ପ ଟଙ୍କାରେ କରିଦେଉଛନ୍ତି, ତାହାର ଶ୍ରେୟ ଯାଉଥାଉ, ସେଇ ରାଜନେତାମାନଙ୍କ ନାମରେ! ବଜେଟ୍‌ ପ୍ରସ୍ତୁତିରେ ନିର୍ବାଚିତ ନେତା/ ବିଧାୟକ/ ରାଜନେତାମାନଙ୍କର ଆଦୌ କୌଣସି ଭୂମିକା ରହି ନଥିବାରୁ ପ୍ରଶାସକମାନେ ଯାହା ଲେଖାଲେଖି କରିକି ଦେଇଥାଆନ୍ତି, ତାହା ହିଁ ଅନୁମୋଦିତ ହୁଏ ବିଧାନସଭାରେ।

ଯଦି ଚକ୍ଷୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶାସକମାନଙ୍କ ସଂପୃକ୍ତି ଓ ଭୂମିକା ଉପରେ ନଜର ଦେବା, ତେବେ ଏଥିରେ ମଧ୍ୟ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବା ଜଣାପଡ଼େ। ୨୦୦୫ ମସିହାରେ IAS ଅଧିକାରୀ ଗିରିଶ S.N., ଢେଙ୍କାନାଳର ଜିଲ୍ଲାପାଳ ଥିବା ବେଳେ ସ୍ଥାନୀୟ ଏନ୍‌.ଜି.ଓ. ସହାୟତାରେ ମିଶନ ନେତ୍ରୋତ୍ସବ ଆୟୋଜନ କରି ଅନେକ ଅପହଞ୍ଚ ଗାଆଁରେ, ବଣୁଆ ଗାଆଁରେ ଚକ୍ଷୁ ସ୍ୱାସ୍ଥ୍ୟସେବାକୁ ପହଞ୍ଚାଇଥିଲେ। ସେଥିରେ ତନ୍ତୁବାୟ ଶ୍ରମିକ, ବୁଣାକାର, ବିଡ଼ିଶ୍ରମିକ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହକାରୀ, ବନବାସୀମାନଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ସେହି ଶ୍ରେଣୀୟ ଜନତାଙ୍କ ଅନ୍ଧତ୍ୱ ଦୂରୀକରଣ ପାଇଁ ନେତୃତ୍ୱ ଦେଇଛନ୍ତି। ସେଥିପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ଏବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପସମୂହର ନିର୍ଦେଶକ ଭାବରେ ଭୁବନେଶ୍ୱରରେ କାର୍ଯ୍ୟରତ। ସେହିଭଳି ଭାରତୀୟ ବନସେବା(IFS) ଅଧିକାରୀ ବିନୋଦ କୁମାର, ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଥିବା ବେଳେ ରାଜ୍ୟର ବନ ଉପରେ ନିର୍ଭରଶୀଳ ତଥା ବନଜାତ ଦ୍ରଦ୍ୟକୁ ଜୀବିକା କରିଥିବା ଲୋକମାନଙ୍କ ମଧ୍ୟରୁ ଦୃଷ୍ଟିଦୋଷ ଦୂରୀକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଯିଏ କି ପରବର୍ତୀ କାଳରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଫରେଷ୍ଟ୍ରି ଏକାଡେମୀର ନିର୍ଦେଶକ ହୋଇଥିଲେ। ତାଙ୍କରି ନେତୃତ୍ୱରେ ୨୩୦୦ ତାଲିମପ୍ରାପ୍ତ କ୍ୟାଡ଼ର ସୃଷ୍ଟି ହୋଇଥିଲେ, ସବୁ ଜାଗାରେ ଚକ୍ଷୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ। ଏ ସବୁ ସମ୍ଭବ ହୋଇଥିଲା, ସେଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓ ବିପୁଳ ଅଭିଜ୍ଞତା ଅର୍ଜିଥିବା ଏନ୍‌.ଜି.ଓ.ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ। ସଂଯୋଗତଃ ସେ ଅବସର ଗ୍ରହଣ ପରେ ନିଜ ରାଜ୍ୟକୁ ବାହୁଡ଼ି ନଯାଇ ଓଡ଼ିଶାର ବାସିନ୍ଦା ହୋଇଛନ୍ତି ଏବଂ ରହୁଛନ୍ତି ଭୁବନେଶ୍ୱରରେ। ତୃତୀୟ ନମୁନାଟି ହେଉଛି - ଓଡ଼ିଶା ରାଜଧାନୀର ଜିଲ୍ଲା ଖୋର୍ଧାରେ IAS ଜିଲ୍ଲାପାଳ ନିରଂଜନ ସାହୁଙ୍କ ଶାସନକାଳରେ ଚକ୍ଷୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ଯାହାର ବ୍ୟାଖ୍ୟା ଅନାବଶ୍ୟକ। ମଜା କଥା ହେଲା ସ୍ୱୟଂ ନିରଂଜନ ସାହୁ ଏବେ ତୃତୀୟ ମହଲାରେ ଏକ ସଚିବ ପାହ୍ୟାରେ କାର୍ଯ୍ୟରତ। ମାତ୍ର ଏମାନଙ୍କୁ କାହାକୁ ବି ବିମର୍ଶ ନକରି ଓଡ଼ିଶାର ଯେଉଁ ଆଖି ସ୍ୱାସ୍ଥ୍ୟ ବଜେଟ୍ ହୋଇଛି, ତାହା ‘‘ଧର୍ମକୁ ଆଖି ଠାର’’ କି ‘‘ଆଖିରେ ଆଙ୍ଗୁଠି ଗେଞ୍ଜି’’ ତାହା ଆପଣ ବିଚାର କରିବେ।

ମଫସଲର ମାମୁଲି ମଣିଷମାନଙ୍କ ସହ ଦିନେ ବି ମିଶି ନଥିବା ବ୍ୟକ୍ତିଙ୍କୁ ଆଖି ସ୍ୱାସ୍ଥ୍ୟ କ୍ଷେତ୍ରର ନୀତି ପ୍ରଣୟନ ପାଇଁ ଜଣେ ସହରୀ ଡାକ୍ତର ବାବୁଙ୍କୁ ଅଧ୍ୟକ୍ଷ କରି ସରକାର ସମ୍ଭବତଃ ଏଇ ବଜେଟ୍‌ ଦ୍ୱାରା ଭୋଟରଙ୍କ ‘‘ଆଖିରେ ଧୂଳି ପକାଇ’’ ମୁନାଫା ଉଠାଇବାକୁ ଚାହୁଛନ୍ତି!

ଏମିତି ହୋଇପାରେ କିଛି ଗଣଦୌଡ଼, ମିନି ମାରାଥନ୍‌, ସାଇକେଲ ଶୋଭାଯାତ୍ରା, ଫେସ୍‌ବୁକ୍‌ ପ୍ରଚାର ଜରିଆରେ ଆଖି ସ୍ୱାସ୍ଥ୍ୟର ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକ୍ରମ କରିପାରନ୍ତି। କେନ୍ଦ୍ରରେ ମୋଦୀ ସରକାର ମଧୁମେହ-ମୁକ୍ତ ଭାରତବର୍ଷର ପରିକଳ୍ପନା କରୁଥିବା ବେଳେ, ତାହାର ଏକ ନିଶ୍ଚିତ ପରିଣତି ଦୃଷ୍ଟିହୀନତାକୁ ମୁକାବିଲା ନାମରେ ରାଜ୍ୟ ସରକାର ଅପାତ୍ରରେ ଟେକି ଦେଉନାହାନ୍ତି ତ? ଇଣ୍ଟରନେଟ୍‌ରେ ଏହି ଲେଖା ସ୍ଥାୟୀ ଭାବରେ ରହିଲା। ନହେଲେ ତ ତା’ ରତ୍ନଭଣ୍ଡାର ରାଣ, ସେଇ ଚକା ଆଖି ସବୁ ଦେଖୁ ଥାଉ ମିଟିମିଟି କରି।


ଯୋଗାଯୋଗ: ୯୯୩୭୩୫୩୨୯୩, ବିମଳ ପ୍ରସାଦ, ୨୯ ମାର୍ଚ ୨୦୧୮

21 मार्च 2018

ରାଜ୍ୟସଭାରେ ଓଡ଼ିଶା - କିଛି ଅଙ୍କ କିଛି ଅନୁମାନ


ଲୋକସଭା ନିର୍ବାଚନମଣ୍ଡଳୀ ଭଳି ରାଜ୍ୟସଭା ଆସନଗୁଡ଼ିକର କୌଣସି ନିର୍ବାଚନମଣ୍ଡଳୀ ନାହିଁ। ରାଜ୍ୟସଭା ସଦସ୍ୟମାନେ ପୂରା ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ, ଏକାଧିକ ପ୍ରାର୍ଥୀ ଗୋଟିଏ ଆସନ ପାଇଁ ରହିଥିଲେ, ରାଜ୍ୟର ବିଧାନସଭା ସଦସ୍ୟମାନେ ହିଁ ଜଣକୁ ନିର୍ବାଚିତ କରିଥାଆନ୍ତି। ଏକ ଜଟିଳ ଆନୁପାତିକ ଗଣିତ ଅନୁସାରେ ଭୋଟ୍‌ର ମୂଲ୍ୟ ନିର୍ଧାରଣ ହୋଇଥାଏ। ରାଜ୍ୟସଭା ନିର୍ବାଚନରେ ସାଧାରଣ ନାଗରିକଙ୍କର କୌଣସି ଭୂମିକା ନଥାଏ। ସମ୍ଭବତଃ ସେଇଥି ପାଇଁ ରାଜ୍ୟସଭା ସଦସ୍ୟମାନଙ୍କ ଉପରେ ଗଣମାଧ୍ୟମରେ କେବେ ଚର୍ଚା ହୁଏ ନାହିଁ କି ସଂଖ୍ୟାଗରିଷ୍ଠ ଜନତା ସେମାନଙ୍କୁ ଲୋଡ଼ି ନଥାଆନ୍ତିକିନ୍ତୁ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ନିଜ ରାଜ୍ୟର ସମସ୍ୟା ଓ ସ୍ଥିତି ଉପରେ ସଂପୂର୍ଣ ଜ୍ଞାନ ଆହରଣ କରି ସେହି ଅନୁସାରେ ସମାଧାନ ଓ ଉନ୍ନୟନ ଉପରେ ସୁପାରିଶ କରିବା ଏବଂ ଅନୁଚାଳନା କରିବା ହେଉଛି, ଜଣେ ରାଜ୍ୟସଭା ସାଂସଦଙ୍କ ଅସଲ କାର୍ଯ୍ୟ। 

ରାଜ୍ୟସଭା ହେଉଛି ଉଚ୍ଚ ସଦନ ଏବଂ ଲୋକସଭା - ନିମ୍ନ ସଦନ। ଲୋକସଭାର ସଦସ୍ୟମାନେ ସର୍ବାଧିକ ୫ ବର୍ଷ ପାଇଁ ନିର୍ବାଚିତ ହେଉଥିବା ବେଳେ ଉଚ୍ଚସଦନ ତଥା ସମ୍ମାନାସ୍ପଦ ରାଜ୍ୟସଭାର ସଦସ୍ୟମାନେ ପୂରା ୬ ବର୍ଷ ପାଇଁ କ୍ଷମତା ଭୋଗର ଅଧିକାର ପାଇଥାଆନ୍ତି। ସରକାର ଭାଙ୍ଗିଗଲେ ବି ରାଜ୍ୟସଭାର ସଦସ୍ୟତାକୁ ତାହା ତତ୍‌କ୍ଷଣାତ୍‌ ପ୍ରଭାବିତ କରି ନଥାଏ। ବରିଷ୍ଠ ଓ ବୟୋଜ୍ୟେଷ୍ଠମାନଙ୍କର ସଦନ ହେଉଛି ରାଜ୍ୟସଭା। ଏହି ମୂଳତତ୍ତ୍ୱକୁ ଅଣଦେଖା କରି ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭା ପଠାଇ ରାଜ୍ୟ ଶାସକ ଦଳ ବିପୁଳ ଭାବରେ ଭର୍ତ୍ସନାର ଶିକାର ହୋଇଥିଲା। ସେହିଭଳି ରାଜ୍ୟସଭାକୁ ରାଜନୀତିକ ନେତାମାନଙ୍କ ଥଇଥାନ ଗୃହ ଭାବେ ବ୍ୟବହାର କରି ମଧ୍ୟ ଓଡ଼ିଶାର ସଚେତନ ନାଗରିକମାନଙ୍କ ଦ୍ୱାରା ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ କ୍ରମାଗତ ନିନ୍ଦିତ ହେଉଥିଲା।

୨୦୧୮ ଏକ ଐତିହାସିକ ବର୍ଷ ହୋଇଯାଇଛି ଓଡ଼ିଶାର ରାଜ୍ୟସଭା ପ୍ରତିନିଧିତ୍ୱ ପାଇଁକାରଣ ତିନି ଜଣ ପରିପକ୍ୱ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଯାଉଛି, ଯଥା:- ସୌମ୍ୟରଂଜନ ପଟ୍ଟନାୟକ, ଡ. ଅଚ୍ୟୁତ ସାମନ୍ତ ଓ ପ୍ରଖ୍ୟାତ ଚଳଚ୍ଚିତ୍ରକାର ପ୍ରଶାନ୍ତ ନନ୍ଦ। ଏଥିରୁ ପ୍ରଥମ ଦୁଇ ଜଣଙ୍କ ଚୟନକୁ ନେଇ ରାଜ୍ୟର ସଚେତନ ନାଗରିକ ବେଶି ମନ୍ତବ୍ୟ ଝାଡ଼ିଛନ୍ତି। ତେବେ ରାଜ୍ୟର ସ୍ୱାର୍ଥକୁ ନୂଆଦିଲ୍ଲୀରେ ଉପସ୍ଥାପନ କରିବା ପାଇଁ ଏ ତିନିଜଣଙ୍କର ସାମର୍ଥ୍ୟ ରହିଛି। ବିଶେଷତଃ ସୌମ୍ୟ ବାବୁଙ୍କର ଉଭୟ ଇଂଲିଶ୍‌ ଓ ହିନ୍ଦୀ ଭାଷାରେ ଭଲ ଦଖଲ ରହିଛି। ଡ. ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କ ନାମରେ ଥିବା ଦୁର୍ନୀତି ମାମଲା ପାଇଁ ବହୁସଂଖ୍ୟାରେ ନାଗରିକମାନେ ନାରାଜ ଅଛନ୍ତି। ଓଡ଼ିଶାର ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଭାରତର ପ୍ରଥମ ଘରୋଇ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ହୋଇ ସୁଦ୍ଧା ଅଚ୍ୟୁତ ବାବୁ ଜମି ହଡ଼ପ ମାମଲାରେ ଛନ୍ଦି ହୋଇ ପଡ଼ିଥିବାରୁ ରାଜ୍ୟସଭା ସଦସ୍ୟତା ତାଙ୍କ ପାଇଁ ଘଣ୍ଟ ପାଲଟିବ କି ସେ ଅଧିକ ଘାଣ୍ଟି ହେବେ, ତାହା ସମୟ କହିବ। ସେହିଭଳି ପ୍ରଶାନ୍ତ ବାବୁ ମନ୍ତ୍ରୀ ଥିବା ବେଳେ ଦୁର୍ତୀତି ମାମଲାରେ ଛନ୍ଦି ହୋଇ ମନ୍ତ୍ରୀତ୍ୱ ହରାଇଥିଲେ। ତାହାର ଉତ୍ତର ପାଇବାକୁ ଏବେ ଓଡ଼ିଶାର ଜନତା ଅପେକ୍ଷା କରିଛନ୍ତି।

ଅତୀତରେ ରାଜ୍ୟସଭାକୁ କିଏ କେବେ ଯାଉଥିଲେ, ତାହା ଉପରେ ରାଜ୍ୟବାସୀ ପୂରାପୂରି ଅଜ୍ଞ ରହୁଥିଲେ। ଗଣମାଧ୍ୟମରେ କେବଳ ସଦସ୍ୟ ହେବା ବେଳେ ଏବଂ ସେହି ଆସନରୁ ଅବସର ନେବା ବେଳେ କୁନି କୁନି ଖବର ବାହାରୁଥିଲା। ଦିନକୁ ଦିନ ଟେଲିଭିଜନ. ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ର ବ୍ୟାପକ ବ୍ୟବହାର ଫଳରେ ରାଜ୍ୟସଭା ସଦସ୍ୟମାନେ ଟାଇମ୍‌ ପାସ୍‌ କରିବାର ସୁଖକୁ ପୂରାପୂରି ଭୋଗ କରି ପାରୁ ନାହାନ୍ତି। ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ଲାଗୁ ହେବା ପରଠୁ ୧୧୫ ଜଣ ବ୍ୟକ୍ତି ରାଜ୍ୟସଭାକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ତହିଁରୁ ଏକାଧିକ ବ୍ୟକ୍ତି ଦୁଇଥର ବା ତିନିଥର ପ୍ରତିନିଧିତ୍ୱ କରିଛନ୍ତି। ରାଜ୍ୟସଭାକୁ ରାଜ୍ୟ ବାହାରର ପ୍ରାୟ ୬ଜଣ ବ୍ୟକ୍ତି ଓଡ଼ିଶାରୁ ପ୍ରତିନିଧିତ୍ୱ କରିଛନ୍ତି। ବିଂଶ ଶତାବ୍ଦୀରେ ବହୁ ଅନାମଧ୍ୟେୟ ବ୍ୟକ୍ତି ମଧ୍ୟ ରାଜ୍ୟସଭାକୁ ଯାଇ ତାହାକୁ ଚାକିରି ଭଳି ଭୋଗ କରିଛନ୍ତି। 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ୩ ଜଣ ରାଜନେତା ମଧ୍ୟ ବିଭିନ୍ନ ସମୟରେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ବିଜୁ ପଟ୍ଟନାୟକ (୧୩.୫.୧୯୭୧ରୁ ୬.୧୦.୧୯୭୧) ଅଳ୍ପଦିନ ପାଇଁ ଉଚ୍ଚସଦନରେ ବସିଥିବା ବେଳେ ବିଶ୍ୱନାଥ ଦାସ (୦୩.୦୪.୧୯୫୪ରୁ ୦୨.୦୪.୧୯୬୬) ଓ ନନ୍ଦିନୀ ଶତପଥୀ (୦୩.୦୪.୧୯୬୨ରୁ ୦୨.୦୪.୧୯୭୪) ପୂରାପୂରି ଦୁଇଟି କାର୍ଯ୍ୟକାଳ (୧୨ ବର୍ଷ) ରାଜ୍ୟସଭାରେ ବସିଛନ୍ତି। କେତେ ଜଣ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ଜନନାୟକଙ୍କ ବ୍ୟତୀତ କାଳକାଳ ଧରି ଉଲ୍ଲେଖ-ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ରାଜ୍ୟସଭାକୁ ପଠାଇବାର ପରମ୍ପରା ରହିଆସିଛି। ଯଦି ଗତ ୨୫ ବର୍ଷକୁ ସଚେତନତାର ସମୟରେଖା ରୂପେ ନିଆଯାଏ, ତେବେ ଏହା ମଧ୍ୟରେ ବି ଏକାଧିକ ସଦସ୍ୟ ଲଗାତାର କାର୍ଯ୍ୟକାଳ ଭୋଗ କରିଛନ୍ତି। ସେମାନେ ହେଲେ ଦିଲ୍ଲୀପ ରାୟ (୦୩.୦୪.୧୯୯୬ରୁ ୦୨.୦୪.୨୦୦୮), ବୈଜୟନ୍ତ ପଣ୍ଡା (୦୪.୦୪.୨୦୦୦ରୁ ୦୩.୦୪.୨୦୧୨), ରୁଦ୍ରନାରାୟଣ ପାଣି (୨୪.୦୬.୨୦୦୪ରୁ ୦୩.୦୪.୨୦୧୨), ରାମଚନ୍ଦ୍ର ଖୁଣ୍ଟିଆ (୨.୭.୧୯୯୮ରୁ ୨.୪.୨୦୧୪), ଓ ପ୍ୟାରୀମୋହନ ମହାପାତ୍ର (୦୨.୦୭.୨୦୦୪ରୁ ୦୧.୦୭.୨୦୧୬)ତେବେ ସେବାନିବୃତ୍ତ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ଟିକଟ ଦେଇ ନୂଆଦିଲ୍ଲୀ ପଠାଇବା ପରେ ଏହି ଉଚ୍ଚସଦନ ଏକ ଆଂବୁଲ ପାଲଟିଗଲା। କାରଣ ଅନେକ ସେବାନିବୃତ୍ତ ଅଣରାଜନୀତିକ ବରିଷ୍ଠ ନାଗରିକ ଏଥିପ୍ରତି ଲାଳାୟିତ ହେଲେ। ଯଦିଓ ପ୍ୟାରୀମୋହନ ପୂର୍ବତନ IAS ଅଧିକାରୀ ରୂପେ ଟିକଟ ହାସଲ କରିବାରେ ପ୍ରଥମ ଓଡ଼ିଆ ନୁହନ୍ତି, ତେବେ ସେ ବି.ଜ.ଦ.ର ଉପଦେଷ୍ଟା ରୂପେ ବେଶ୍‌ ଚର୍ଚ୍ଚିତ ଥିଲେ। ଆଉ ରାଜ୍ୟସଭାକୁ ଯିବାରୁ ଜନମାନସରେ ବି.ଜ.ଦ.ର ଚାଣକ୍ୟ ରୂପେ ପରିଚିତ ହୋଇଗଲେ। କାରଣ ଓଡ଼ିଶା ଇତିହାସରେ ସର୍ବାଧିକ ସଫଳ ପ୍ରାଦେଶିକ ଦଳ ବି.ଜ.ଦ.ର ପ୍ରତିଟି ସଫଳତା ପଛରେ ପ୍ୟାରୀ ହିଁ ଥିଲେ ମାଷ୍ଟର ମାଇଣ୍ଡ୍‌। ତେବେ ୨୦୧୮ ମସିହାରେ ବି.ଜ.ଦ. ସୁପ୍ରିମୋ କୌଣସି ସେବାନିବୃତ୍ତ ପ୍ରାଶାସନିକ ଅଧିକାରୀ ଅବା ସେବାନିବୃତ୍ତ ସେନା ଅଧିକାରୀଙ୍କୁ ରାଜ୍ୟସଭା ଟିକଟ ନଦେଇ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏହା ପ୍ରତି ମଧ୍ୟ ସମୀକ୍ଷକେ/ ସାମ୍ବାଦିକେ ନଜର ଦେବା ଦରକାର।

ପ୍ରାଦେଶିକ ରାଜନୀତିକ ଦଳ (ବି.ଜ.ଦ.) ଜାଣତରେ ହେଉ ଅବା ଅଜାଣତରେ ହେଉ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଆଉ ଏକ ଧ୍ୟାନ ଆକର୍ଷକ କାର୍ଯ୍ୟ କରିଛି, ତାହା ହେଉଛି – ପଶ୍ଚିମ ଓଡ଼ିଶାର ତିନି ଜଣ ବିଦାୟୀ ସଦସ୍ୟ(ଆଚାରୀ ବୀରଭଦ୍ର ସ୍ୱାମୀ, ଦିଲ୍ଲୀପ ତିର୍କୀ, ଓ ଅନଙ୍ଗ ଉଦୟ ସିଂହଦେଓ)ଙ୍କ ସ୍ଥାନରେ ପୂର୍ବ ଓଡ଼ିଶାର ତିନି ଜଣ ଶପଥ ନେବେ। ଫଳରେ ପଶ୍ଚିମ ଓଡ଼ିଶାର କେବଳ ଜଣେ ରାଜ୍ୟସଭା ସାଂସଦ ରହିବେ – ପ୍ରସନ୍ନ ଆଚାର୍ଯ୍ୟ। ସେହିଭଳି ଦକ୍ଷିଣ ଓଡ଼ିଶାର ମଧ୍ୟ ଜଣେ ରାଜ୍ୟସଭା ସାଂସଦ – ଏନ୍‌. ଭାସ୍କର ରାଓ। ଆଉ ୮ ଜଣ ଯାକ ପୂର୍ବ ଓଡ଼ିଶାର। ଅବଶ୍ୟ ଏହାକୁ ଭାରସାମ୍ୟହୀନ କହିବାକୁ କୌଣସି ଗଣମାଧ୍ୟମର ମଗଜରେ ଢୁକି ନାହିଁ। ହୁଏତ ରଣନୀତି ଏମିତି ହୋଇପାରେ – ୨୦୧୯ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ବାଜି ଲାଗିବ, ଯେଉଁଥିରେ ବି.ଜ.ଦ. ଓ ଭା.ଜ.ପା.ର ହାସଲ ହାର ୧୪୭ରୁ ୭୦:୫୦ ଅବା ୬୦:୪୦ ଅଥବା ଏହାର ବିପରୀତ ଅଙ୍କ ହୋଇପାରେ। ସେତେବେଳେ ବି.ଜ.ଦ. ନିଜର ୨୦୩୬ ସ୍ୱପ୍ନକୁ ଚରିତାର୍ଥ କରିବାକୁ ଏବଂ ଝୁଲା ବିଧାନସଭା ଏଡ଼ାଇବାକୁ ନିର୍ବାଚନ-ପରବର୍ତୀ ମେଣ୍ଟ କରିପାରେ, ଯେଉଁଠି ନବୀନ ମୁଖ୍ୟମନ୍ତ୍ରୀ ନହୋଇ କିଙ୍ଗମେକର ପାଲଟି ଯାଇ ରାଜ୍ୟସଭାକୁ ଆଶ୍ରା ରୂପେ ବାଛିପାରନ୍ତି। ଭା.ଜ.ପା. ସେଇ ନିର୍ବାଚନରେ ପଶ୍ଚିମ ଓଡ଼ିଶାକୁ ଆଖେଇ ଥିବାରୁ, ବି.ଜ.ଦ.-ଭା.ଜ.ପା. ମେଣ୍ଟ ସରକାର ହେବାର ଅନୁମାନ ଅଧିକ ପ୍ରାସଙ୍ଗିକ ଲାଗୁଛି।

ଏଥର ପ୍ରାର୍ଥୀ ଚୟନରେ ସବୁଠୁ ବେଶି ସମାଲୋଚନାର ଶରବ୍ୟ ହୋଇଛନ୍ତି ସୌମ୍ୟ ବାବୁ। କାରଣ ‘ସମାଜ’ ସମ୍ପାଦକ ରାଧାନାଥ ରଥଙ୍କ ଅନ୍ତେ କୌଣସି ଗଣମାଧ୍ୟମର ମୁଖିଆ ଭାବେ ଓଡ଼ିଶାରେ ସର୍ବାଧିକ ଗୃହିତ ଓ ଆଦୃତ ବ୍ୟକ୍ତିତ୍ୱ ହୋଇଯାଇଥିଲେ ସୌମ୍ୟ ରଂଜନ। ୧୯୯୦ ମସିହା ପରଠୁ ନିରବଚ୍ଛିନ୍ନ ଭାବେ ସରକାରଙ୍କୁ ‘ସମ୍ବାଦ’ ଜରିଆରେ ରଚନାତ୍ମକ ସମାଲୋଚନା କରି ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିଥିଲେ। ବିଭିନ୍ନ ସଂଗଠନ ଗଢ଼ି ରକ୍ତଦାନ, ଓଡ଼ିଆ ଭାଷା, ଚାଷୀ, ଶିକ୍ଷକ, ପଞ୍ଚାୟତ ପ୍ରତିନିଧି, ଯାତ୍ରାପାର୍ଟି ଇତ୍ୟାଦିର ସ୍ୱାର୍ଥ ଉପରେ ଅନେକ କାର୍ଯ୍ୟ କରିବା ସହ ‘ଆମ ଓଡ଼ିଶା ପାର୍ଟି’ ମଧ୍ୟ ଗଢ଼ିଛନ୍ତି। ଏବେ ବି.ଜ.ଦ.ରେ ଯୋଗ ଦେଇ ରାଜ୍ୟସଭାକୁ ଯାଉଥିବାରୁ ନିଜର ମୌଳିକ ସ୍ୱର ହଜାଇଦେବେ ବୋଲି ଆଶଙ୍କା କରି ତାଙ୍କର ହଜାର ହଜାର ପ୍ରଶଂସକ ବିଚଳିତ ହୋଇ ପଡ଼ିଛନ୍ତି। ତେଣୁ ରାଜ୍ୟସଭା ସଦସ୍ୟତାକୁ ସୌମ୍ୟ ବାବୁ ଏକ ବିଶ୍ରାମ ଯୋଗ ରୂପେ ଗ୍ରହଣ କରି ଚୁପ୍‌ ରହିପାରିବେ ନାହିଁ।

ନବାଗତ ତିନିଜଣ ସଦସ୍ୟ ‘‘ସାଂସଦଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି’’ (MPLADF)ର ବାର୍ଷିକ ୫ କୋଟି ଟଙ୍କାର ବିନିଯୋଗ ପାଇଁ କେଉଁ ଜିଲ୍ଲାକୁ ପୋଷ୍ୟଜିଲ୍ଲା ରୂପେ ଗ୍ରହଣ କରିବେ, ତାହା ହୁଏତ କେତେକ ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠିପାରେ। ତେବେ ଏଥିରେ ଦ୍ୱିମତ ନାହିଁ ଯେ ନୟାଗଡ଼ ଜିଲ୍ଲାକୁ ସୌମ୍ୟରଂଜନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲାକୁ ଅଚ୍ୟୁତ ସାମନ୍ତ ଏବଂ ଖୋର୍ଧା ଜିଲ୍ଲାକୁ ପ୍ରଶାନ୍ତ ନନ୍ଦ ହିଁ ନିଜନିଜର ପୋଷ୍ୟ ଜିଲ୍ଲା ରୂପେ ଘୋଷଣା କରିବେ। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରୁ ବିଧାୟକ ହେବା ପାଇଁ ଦେଢ଼ ଦଶନ୍ଧି ଧରି ଉଦ୍ୟମ କରି ବିଫଳ ହେବା ପରେ ସୌମ୍ୟରଂଜନ ନିଜର ଆବେଗକୁ ରୂପରେଖ ଦେବାକୁ ନୟାଗଡ଼କୁ ହିଁ ପୋଷ୍ୟ କରିବେ। ତେବେ ନୟାଗଡ଼ ଓ ନୟାଗଡ଼(କେନ୍ଦୁଝର ଜିଲ୍ଲା) ମଧ୍ୟରେ ରେଳଗାଡ଼ି ଚଳାଚଳ ସମ୍ଭବ କରାଇପାରିଲେ, ତାହା ସୌମ୍ୟରଂଜନଙ୍କ ସବୁଠୁ ସ୍ମରଣୀୟ ଅବଦାନ ହେବ।

୪ ଏପ୍ରିଲ୍‌ ୨୦୧୮, ବୁଧବାର ଠାରୁ ଯେଉଁ ୧୦ ଜଣ ଓଡ଼ିଶାର ରାଜ୍ୟସଭା ସଦସ୍ୟ ରହିବେ। ସେମାନଙ୍କ ସୂଚୀ ହେଲା:-
୧.ପ୍ରସନ୍ନ ଆଚାର୍ଯ୍ୟ, ୨.ଅନୁଭବ ମହାନ୍ତି, ୩.ସରୋଜିନୀ ହେଂବ୍ରମ୍‌, ୪.ପ୍ରତାପ କେଶରୀ ଦେବ, ୫.ରଂଜୀବ ବିଶ୍ୱାଳ, ୬.ନରେନ୍ଦ୍ର କୁମାର ସ୍ୱାଇଁ, ୭.ନେକାନ୍ତି ଭାସ୍କର ରାଓ, ୮.ସୌମ୍ୟରଂଜନ ପଟ୍ଟନାୟକ, ୯.ପ୍ରଶାନ୍ତ ନନ୍ଦ, ୧୦.ଅଚ୍ୟୁତ ସାମନ୍ତ।

ଏହାପରେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବା ମୁଣ୍ଡଗଣତି ସଂଖ୍ୟା ହେବ ୧୧୮। ତେଣୁ ଶପଥ ଗ୍ରହଣ କ୍ରମରେ ୧୧୬,୧୧୭ ଓ ୧୧୮ତମ ବ୍ୟକ୍ତି ରୂପେ ରାଜ୍ୟସଭା ସାଂସଦ ପାଲଟିବେ, ଏହି ତିନି ରଥୀ।


(ଜନସ୍ୱାର୍ଥ ପାଇଁ ଏହି ପ୍ରବନ୍ଧକୁ କୌଣସି ଗଣମାଧ୍ୟମ ବିନା ଅନୁମତିରେ ପୁନଃପ୍ରକାଶ ଓ ପ୍ରୟୋଗ କରିପାରିବେ)

ବିମଳ ପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩