ଶାସନ
ପରିଚାଳନାର ସବୁଠୁ ଜଟିଳ ଦିଗଟି ଆଇନକାନୁନ ନୁହେଁ, ତାହା ହେଉଛି ବଜେଟ୍। ବ୍ରିଟିଶ ଉପନିବେଶ
ଶାସନ ପୂର୍ବରୁ ଦେଶ ଅଖଣ୍ଡ ନଥିଲା, ତେଣୁ କେନ୍ଦ୍ର ଓ ରାଜ୍ୟର ଭେଦ ନଥିଲା। ତେବେ ବ୍ରିଟିଶ
ଶାସକମାନେ ବଜେଟ୍ ପ୍ରସ୍ତୁତିର ଯେଉଁ ଛାପ ଛାଡ଼ି ଦେଇଗଲେ, ତାହାର ଅନୁକରଣ ଏବେ ବି ଚାଲିଛି
ଅନ୍ଧ ଭାବରେ। ତେବେ ଏହି ଅନ୍ଧାନୁକରଣର ଏବେ ଶିକାର ହୋଇଛି ‘‘ଓଡ଼ିଶାରେ ଅନ୍ଧତ୍ୱ ନିବାରଣ’’। ଏହି
ଘଟଣା ହେଉଛି ଓଡ଼ିଶାର। ଓଡ଼ିଶାର ଲୋକମାନେ ସହଜରେ ଅତୀତକୁ ଭୁଲିଯାଇପାରନ୍ତି। ଓଡ଼ିଆ
ଖବରକାଗଜଗୁଡ଼ିକ ଅଫ୍ଲାଇନ୍ ପ୍ରକାଶନ ହେଉଥିବା ବେଳେ, ଯାହାକୁ ସେମାନେ କହୁଛନ୍ତି ଇ-ପେପର ବା
ଇଣ୍ଟରନେଟ୍ ସଂସ୍କରଣ, ତାହା ସନ୍ଧାନଯୋଗ୍ୟ(Searchable) ନୁହେଁ। ତେଣୁ ଓଡ଼ିଶାର ଖବରକୁ ମନେପକାଇବାର କୌଣସି ବାଟ ନାହିଁ। ଯାହା କିଛି ଇଂଲିଶ୍
ଖବରକାଗଜରେ ପ୍ରକାଶ ପାଇ, ଇଣ୍ଟରନେଟ୍ରେ ସଂରକ୍ଷିତ ହୋଇଥିବ, କେବଳ ସେତିକି ହିଁ ଭରସା।
୨୦୧୮ ଫେବୃଆରି ୨୩ ତାରିଖରେ ଓଡ଼ିଶା ସରକାରଙ୍କ ବିତ୍ତ ମନ୍ତ୍ରୀ
ଶଶିଭୂଷଣ ବେହେରା ଯେଉଁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଉପସ୍ଥାପନ କଲେ,
ତହିଁରେ ‘‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ’’ ବାବଦରେ ରହିଛି ୬୦୦ କୋଟି ଟଙ୍କାର ଏକ ବିଶାଳ
ଯୋଜନା। ମାତ୍ର ତାହାକୁ ଗୋଟିଏ ଦୁଇଟି ସଂସ୍ଥା ବା ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଛି।
‘‘ଚୋର ପଳାଇଲା ପରେ ବୁଦ୍ଧି ଦିଶେ’’ ଭଳି, ହୁଏତ କିଛି ଗଣମାଧ୍ୟମ ସେତେବେଳେ କେବଳ ଘଟଣାର ବ୍ୟବଚ୍ଛେଦ
କରିବେ। ମାତ୍ର ବେଳ ଥାଉଁ କିଛି ବି ରିପୋର୍ଟ ଛାପିବେନି। ଅନେକ ସମୟରେ ତାହା
ଜିଲ୍ଲାସ୍ତରୀୟ ରିପୋର୍ଟ ଭାବରେ କୌଣସି ଜିଲ୍ଲା ସଂସ୍କରଣରେ ସୀମିତ ରହିଯିବ, ଆଉ ରାଜଧାନୀ
ସ୍ତରକୁ ଆସିବ ନାହିଁ। ଓଡ଼ିଶାର ମୁଦ୍ରଣ ଗଣମାଧ୍ୟମଗୁଡ଼ିକରେ ରାଜ୍ୟ ସ୍ତରୀୟ ରିପୋର୍ଟ
ସଂକଳିତ ହେବା ପରିଦୃଷ୍ଟ ହେଉ ନଥିବାରୁ ଏ ମୁଦ୍ଦା ବି ସେଇ ନହସରେ ମୁଦି ହୋଇଯିବା ଭଳି ଲାଗୁଛି। ହୁଏତ ଏହି ୬୦୦ କୋଟି ଟଙ୍କାର ଆଖି ସ୍ୱାସ୍ଥ୍ୟରକ୍ଷା ସଂକ୍ରାନ୍ତ
ବ୍ୟୟବରାଦକୁ ଆଖିରେ ଆଙ୍ଗୁଠି ଗେଞ୍ଜି ମାରିନେବାର ହୀନପ୍ରୟାସକୁ କୌଣସି ସଚେତନ ବ୍ୟକ୍ତି ବା
ସଚେତନ ସଂଗଠନ ଧରିପାରିବେ ନାହିଁ।
ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମକୁ ଭିତ୍ତି କରି ରାଜ୍ୟ ସରକାର
ଯେତେବେଳେ ସଭାସମିତି କରନ୍ତି, ସେତେବେଳେ ଓଡ଼ିଶାର ସେଇ କ୍ଷେତ୍ରର ବିଭିନ୍ନ ଏନ୍.ଜି.ଓ.କୁ
ପାଣ୍ଠି ଯୋଗାଇ ଦେଉଥିବା ପାଣ୍ଠିଦାତା ସଂସ୍ଥାମାନଙ୍କର କଣ୍ଟ୍ରି ଡିରେକ୍ଟର ଅବା
ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବାର ନଜିର ରହିଛି। ଅଥଚ ଏବେ ଏକ ବିଶାଳ କାର୍ଯ୍ୟକ୍ରମ ପ୍ରଚଳନ
କଲା ବେଳେ ସେହି ଏନ୍.ଜି.ଓ.ମାନଙ୍କୁ ଗୋଟାପଣେ ଅଣଦେଖା କରିବା ଏକ ବିସ୍ମୟକର କଥା ନୁହେଁ କି?
ରାଜନେତାମାନେ ଚାହାନ୍ତି କି, ସେମାନେ କେବଳ ଭାଷଣରେ ଉଦ୍ବୋଧନ ଦେବେ ସ୍ୱେଚ୍ଛାସେବୀ ସଂସ୍ଥା
ତଥା ଏନ୍.ଜି.ଓ.ମାନଙ୍କୁ। ଆଉ, ସେହି ସଂସ୍ଥାମାନେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ ମାଗଣାରେ ଅବା
ଅଳ୍ପ ଟଙ୍କାରେ କରିଦେଉଛନ୍ତି, ତାହାର ଶ୍ରେୟ ଯାଉଥାଉ, ସେଇ ରାଜନେତାମାନଙ୍କ ନାମରେ! ବଜେଟ୍
ପ୍ରସ୍ତୁତିରେ ନିର୍ବାଚିତ ନେତା/ ବିଧାୟକ/ ରାଜନେତାମାନଙ୍କର ଆଦୌ କୌଣସି ଭୂମିକା ରହି ନଥିବାରୁ
ପ୍ରଶାସକମାନେ ଯାହା ଲେଖାଲେଖି କରିକି ଦେଇଥାଆନ୍ତି, ତାହା ହିଁ ଅନୁମୋଦିତ ହୁଏ ବିଧାନସଭାରେ।
ଯଦି ଚକ୍ଷୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶାସକମାନଙ୍କ ସଂପୃକ୍ତି ଓ
ଭୂମିକା ଉପରେ ନଜର ଦେବା, ତେବେ ଏଥିରେ ମଧ୍ୟ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବା ଜଣାପଡ଼େ।
୨୦୦୫ ମସିହାରେ IAS ଅଧିକାରୀ ଗିରିଶ S.N., ଢେଙ୍କାନାଳର
ଜିଲ୍ଲାପାଳ ଥିବା ବେଳେ ସ୍ଥାନୀୟ ଏନ୍.ଜି.ଓ. ସହାୟତାରେ ମିଶନ ନେତ୍ରୋତ୍ସବ ଆୟୋଜନ କରି
ଅନେକ ଅପହଞ୍ଚ ଗାଆଁରେ, ବଣୁଆ ଗାଆଁରେ ଚକ୍ଷୁ ସ୍ୱାସ୍ଥ୍ୟସେବାକୁ ପହଞ୍ଚାଇଥିଲେ। ସେଥିରେ
ତନ୍ତୁବାୟ ଶ୍ରମିକ, ବୁଣାକାର, ବିଡ଼ିଶ୍ରମିକ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହକାରୀ, ବନବାସୀମାନଙ୍କ
ଜୀବିକାକୁ ସୁରକ୍ଷା ଦେବା ପାଇଁ ସେହି ଶ୍ରେଣୀୟ ଜନତାଙ୍କ ଅନ୍ଧତ୍ୱ ଦୂରୀକରଣ ପାଇଁ ନେତୃତ୍ୱ
ଦେଇଛନ୍ତି। ସେଥିପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ଏବେ ଓଡ଼ିଶା
ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପସମୂହର ନିର୍ଦେଶକ ଭାବରେ ଭୁବନେଶ୍ୱରରେ
କାର୍ଯ୍ୟରତ। ସେହିଭଳି ଭାରତୀୟ ବନସେବା(IFS) ଅଧିକାରୀ ବିନୋଦ କୁମାର,
ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଥିବା ବେଳେ ରାଜ୍ୟର ବନ ଉପରେ ନିର୍ଭରଶୀଳ
ତଥା ବନଜାତ ଦ୍ରଦ୍ୟକୁ ଜୀବିକା କରିଥିବା ଲୋକମାନଙ୍କ ମଧ୍ୟରୁ ଦୃଷ୍ଟିଦୋଷ ଦୂରୀକରଣ ପାଇଁ
ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଯିଏ କି ପରବର୍ତୀ କାଳରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ
ଫରେଷ୍ଟ୍ରି ଏକାଡେମୀର ନିର୍ଦେଶକ ହୋଇଥିଲେ। ତାଙ୍କରି ନେତୃତ୍ୱରେ ୨୩୦୦ ତାଲିମପ୍ରାପ୍ତ କ୍ୟାଡ଼ର
ସୃଷ୍ଟି ହୋଇଥିଲେ, ସବୁ ଜାଗାରେ ଚକ୍ଷୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ। ଏ ସବୁ ସମ୍ଭବ
ହୋଇଥିଲା, ସେଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓ ବିପୁଳ ଅଭିଜ୍ଞତା ଅର୍ଜିଥିବା ଏନ୍.ଜି.ଓ.ମାନଙ୍କ
ପ୍ରତ୍ୟକ୍ଷ ସହଯୋଗରେ। ସଂଯୋଗତଃ ସେ ଅବସର ଗ୍ରହଣ ପରେ ନିଜ ରାଜ୍ୟକୁ ବାହୁଡ଼ି ନଯାଇ ଓଡ଼ିଶାର
ବାସିନ୍ଦା ହୋଇଛନ୍ତି ଏବଂ ରହୁଛନ୍ତି ଭୁବନେଶ୍ୱରରେ। ତୃତୀୟ ନମୁନାଟି ହେଉଛି - ଓଡ଼ିଶା
ରାଜଧାନୀର ଜିଲ୍ଲା ଖୋର୍ଧାରେ IAS ଜିଲ୍ଲାପାଳ ନିରଂଜନ ସାହୁଙ୍କ
ଶାସନକାଳରେ ଚକ୍ଷୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ଯାହାର
ବ୍ୟାଖ୍ୟା ଅନାବଶ୍ୟକ। ମଜା କଥା ହେଲା ସ୍ୱୟଂ ନିରଂଜନ ସାହୁ ଏବେ ତୃତୀୟ ମହଲାରେ ଏକ ସଚିବ
ପାହ୍ୟାରେ କାର୍ଯ୍ୟରତ। ମାତ୍ର ଏମାନଙ୍କୁ କାହାକୁ ବି ବିମର୍ଶ ନକରି ଓଡ଼ିଶାର ଯେଉଁ ଆଖି
ସ୍ୱାସ୍ଥ୍ୟ ବଜେଟ୍ ହୋଇଛି, ତାହା ‘‘ଧର୍ମକୁ ଆଖି ଠାର’’ କି ‘‘ଆଖିରେ ଆଙ୍ଗୁଠି ଗେଞ୍ଜି’’
ତାହା ଆପଣ ବିଚାର କରିବେ।
ମଫସଲର ମାମୁଲି ମଣିଷମାନଙ୍କ ସହ ଦିନେ ବି ମିଶି ନଥିବା
ବ୍ୟକ୍ତିଙ୍କୁ ଆଖି ସ୍ୱାସ୍ଥ୍ୟ କ୍ଷେତ୍ରର ନୀତି ପ୍ରଣୟନ ପାଇଁ ଜଣେ ସହରୀ ଡାକ୍ତର ବାବୁଙ୍କୁ
ଅଧ୍ୟକ୍ଷ କରି ସରକାର ସମ୍ଭବତଃ ଏଇ ବଜେଟ୍ ଦ୍ୱାରା ଭୋଟରଙ୍କ ‘‘ଆଖିରେ ଧୂଳି ପକାଇ’’ ମୁନାଫା ଉଠାଇବାକୁ
ଚାହୁଛନ୍ତି!
ଏମିତି ହୋଇପାରେ କିଛି ଗଣଦୌଡ଼, ମିନି ମାରାଥନ୍, ସାଇକେଲ
ଶୋଭାଯାତ୍ରା, ଫେସ୍ବୁକ୍ ପ୍ରଚାର ଜରିଆରେ ଆଖି ସ୍ୱାସ୍ଥ୍ୟର ଲକ୍ଷ୍ୟ ହାସଲ ପାଇଁ
କାର୍ଯ୍ୟକ୍ରମ କରିପାରନ୍ତି। କେନ୍ଦ୍ରରେ ମୋଦୀ ସରକାର ମଧୁମେହ-ମୁକ୍ତ ଭାରତବର୍ଷର ପରିକଳ୍ପନା
କରୁଥିବା ବେଳେ, ତାହାର ଏକ ନିଶ୍ଚିତ ପରିଣତି ଦୃଷ୍ଟିହୀନତାକୁ ମୁକାବିଲା ନାମରେ ରାଜ୍ୟ ସରକାର
ଅପାତ୍ରରେ ଟେକି ଦେଉନାହାନ୍ତି ତ? ଇଣ୍ଟରନେଟ୍ରେ ଏହି ଲେଖା ସ୍ଥାୟୀ ଭାବରେ ରହିଲା। ନହେଲେ ତ
ତା’ ରତ୍ନଭଣ୍ଡାର ରାଣ, ସେଇ ଚକା ଆଖି ସବୁ ଦେଖୁ ଥାଉ ମିଟିମିଟି କରି।
ଯୋଗାଯୋଗ: ୯୯୩୭୩୫୩୨୯୩, ବିମଳ ପ୍ରସାଦ, ୨୯ ମାର୍ଚ ୨୦୧୮
कोई टिप्पणी नहीं:
एक टिप्पणी भेजें