ପୁଅଝିଅଙ୍କର ପାଟି ଫିଟୁ ଫିଟୁ
ଡକାଇଲ 'ଡାଡି', 'ମମି' ।
ଭାଇନା ହଜିଲେ 'ବ୍ରୋ' ଡାକ ତଳେ
'ସିସ୍' ପାଲଟିଲା ନାନୀ ।।
ଦାଦା, କକା, ମାମୁ, ପିଉସା, ମଉସା,
'ଅଙ୍କଲ' ଡାକରେ ଖୁସି।
'ଆଣ୍ଟି'ବୋଲାଇଲେ ସାନମାଆ,ଖୁଡ଼ି
ପିଉସୀ, ମାଇଁ, ମାଉସୀ ।।
ଜନମ ଦିନରେ ଷଷ୍ଠୀ ପୂଜା ଗଲା
ବନ୍ଦାପନା ଆଉ ନାହିଁ।
ବତି ଲିଭାଇଣ 'କେକ୍' କଟାଇଲ
"ହାପି ବାର୍ଥ୍ ଡେ'" କହି ।।
ଆଗରୁ ନଥିଲା ବିବାହ ବାର୍ଷିକୀ
ଏବେ 'ଆନିଭରସାରୀ' ।
ମଦ ମାଂସ ବନ୍ଯା ବିଦେଶୀ ବାଜଣା
ନୃତ୍ୟ, ସଂଗୀତ ଲହରୀ ।।
ସ୍ବଦେଶୀ ସଂସ୍କୃତି ହଟାଇ ମଣିଲ
ଅପସଂସ୍କୃତିକୁ ଶ୍ରେଷ୍ଠ।
ମାତୃଭାଷା ଛାଡ଼ି ପିଲାଏ ପଢି଼ଲେ
ହିଂଗ୍ଲିସ୍ ମାଧ୍ୟମ ପାଠ ।।
ନ କରି ହବନ ସାଜିଲ ଯବନ
ଭୁଲି ମନ୍ତ୍ର ପୂଜାପାଠ।
ଫିରିଙ୍ଗି ଠାଣିରେ ଇଂରାଜୀ ବାଣୀରେ
ଛାତି କଲ କୁଣ୍ଢେମୋଟ ।।
ଶୁଭ ଅନୁକୂଳେ ଘରୁ ଯିବାବେଳେ
ଇଷ୍ଟଦେବଙ୍କ ଦର୍ଶନ।
ଗୁରୁ,ଗୁରୁଜନ ଚରଣ ବନ୍ଦନ
ହୋଇଲା ସାତ ସପନ ।।
ପରୀକ୍ଷା ଦେବାକୁ ଯିବା ସମୟରେ
'ବେଷ୍ଟ୍ ଅଫ୍ ଲକ୍' କୁହ।
'ହାଲୋ, ହାୟ'କହି ସ୍ୱାଗତ ଜଣାଇ
'ବାୟ' ରେ ଦିଅ ବିଦାୟ ।।
ସଫଳତା କିଛି ମିଳିଗଲେ କା'ରେ
ପାଳନ ନ କରି ଘରେ ।
'କ୍ୟାଣ୍ଡଲ୍ ଲାଇଟ୍ ପାର୍ଟି' ଦେଉଅଛ
ବନ୍ଧୁ ମେଳେ ହୋଟେଲରେ ।।
ସନ୍ତାନ ବିବାହ ପରେ ଦମ୍ପତିଙ୍କ
ଦିଅଁ ଦରଶନ ଭୁଲି।
'ହନିମୁନ୍' ପାଇଁ ଆୟୋଜନ କର
ଭୁଆସୁଣୀ ଯିବ ବୁଲି ।।
ମାଆ ମୁହଁ ଦେଖି ଛୁଆ ଚିହ୍ନୁଥିଲା
ଖାଏ ଯେବେ କ୍ଷୀର ଟାଣି।
ଚେହେରା ଖରାପ ହୋଇଯିବ ବୋଲି
ପେଇଲ ବୋତଲୁ ପୁଣି ।।
ଜୀବନ ଆରମ୍ଭୁ ବୋତଲ ଚିହ୍ନିଲା
ମାଆ ବଦଳରେ ଆୟା।
ବଡ଼ ହେଉହେଉ ବୋତଲ ଖୋଜିଲା
ଭୁଲିଗଲା ବାପାମାଆ।।
କାହିଁକି ଅବା ସେ କା' ପାଦ ଛୁଇଁବ,
କିଏ ତା'ର ଆପଣାର?
ଭୁଲି ବାପାମାଆ ନିଜ ପିଲାଛୁଆ
ଭାରିଜାକୁ ଘେନି ଘର।।
ବାପାମାଆ ସେବା ଲଜ୍ଜାକର ଅବା
କଷ୍ଟକର ମନେକରି।
ବୃଦ୍ଧାଶ୍ରମେ ତାଙ୍କୁ ଛାଡ଼ି ଆସିବାରେ
ଦୋଷୀ କେ' ବୁଝ ବିଚାରି ।।
ଇଂରାଜୀ ପଢ଼ିବା ଅପରାଧ ନୁହେଁ,
ମାତୃଭାଷା ଆଗେ ପଢ଼ି।
ସ୍ୱଦେଶୀ ଆଚାର-ବିଚାର ଶିଖିଲେ
ଆଗକୁ ପାରିବା ବଢ଼ି।।
କୀର୍ତ୍ତିମୁଖ ଭଳି ଆପଣାକୁ ଗିଳି
ପରକୁ ନ ଦିଅ ଦୋଷ।
ନିଜ ସଂସ୍କୃତିକୁ ବିସ୍ତାରି ପାରିଲେ
ହେବ ସିନା ପଉରୁଷ।।
(କବି - ଅଜ୍ଞାତ)
18 अप्रैल 2023
ବଦଳୁଛି ପରିବାର ଓ ସମାଜର ରୂପରେଖ
सदस्यता लें
टिप्पणियाँ भेजें (Atom)
कोई टिप्पणी नहीं:
एक टिप्पणी भेजें