22 सितंबर 2015

ବରଷକ ୧୩ ମାସ ଓ ଖାଦ୍ୟ ଅଧିକାର

ଖାଦ୍ୟ ଅଧିକାର ପାଇଁ ଲଢ଼େଇ ଚାଲିଥିବା ବେଳେ  କେତେକ ମାମୁଲି ସୂଚନା ସମସ୍ତେ ନିହାତି ରୂପେ ଜାଣି ରଖିବା ଦରକାର। ଆମେ ସବୁ ଦିନ ବଞ୍ଚିବା ପାଇଁ ସମାନ ଭାବରେ ଭୋଜନ ଅଭ୍ୟାସ ରଖିଥିବାରୁ ବିଭିନ୍ନ ଖାଦ୍ୟ ପଦାର୍ଥର ପରିମାଣ ମଧ୍ୟ ଆମ ପରିବାର ପାଇଁ ସମାନ ପରିମାଣରେ ଆବଶ୍ୟକ ହୋଇଥାଏ। ଏହି ସାଧାରଣ ତତ୍ତ୍ଵ ଆଧାରରେ ଖାଉଟିକାର୍ଡ଼ଧାରୀମାନଙ୍କୁ ଦୈନିକ ପ୍ରାପ୍ୟ ହିସାବରେ ମାସିକ ପଡ଼ି (ରାସନ୍‌) ଯୋଗାଇ ଦିଆଯାଏ। ଏକ ମାସ = ୪ ସପ୍ତାହ ହିସାବରେ ବର୍ଷକ ୫୨ ସପ୍ତାହ ହୋଇଥିବାରୁ ୫୨ ÷ ୪ = ୧୩ ମାସ ପାଇଁ ଚିନି, ଚାଉଳ, ଗହମ, ତେଲ, କିରୋସିନ ଇତ୍ୟାଦି ଯୋଗାଇ ଦିଆଯାଇଥାଏ। କିନ୍ତୁ ପଞ୍ଜିକା (କ୍ୟାଲେଣ୍ଡର)ରେ ୧୨ ମାସ ଥିବାରୁ ଅନେକ ନାଗରିକଙ୍କର ଧାରଣା ରହିଛି ଯେ ‘ସାଧାରଣ ବଣ୍ଟନ ବ୍ୟବସ୍ଥା’(PDS) ଅଧୀନରେ ବର୍ଷକୁ ୧୨ ଥର ସାମଗ୍ରୀ ବିତରଣ ହୋଇଥାଏ  ଏବଂ ପଡ଼ିକାର୍ଡ଼ଧାରୀମାନେ ସୁଲଭ ମୂଲ୍ୟ ଦୋକାନରୁ ସେହି ଅନୁସାରେ ସାମଗ୍ରୀ କିଣନ୍ତି। କିନ୍ତୁ ବାସ୍ତବରେ ବର୍ଷକୁ ୧୩ ଥର ସାମଗ୍ରୀ ଆସେ; ସରକାରୀ ଭାଷାରେ ତାହାକୁ  ପିଡିଏସ୍‌ ସାମଗ୍ରୀର ୧୩ଟି କୋଟା (qouta) କହନ୍ତି । ଯେଉଁ ଅଳ୍ପ କେତେ ଜଣ ଏକଥା ଜାଣନ୍ତି, ସେମାନେ ଏହାକୁ ‘ପୂଜା କୋଟା’ ନାମରେ ଜାଣନ୍ତି। ସରକାରୀ ବାବୁମାନେ ମଧ୍ୟ ଏହି ଶବ୍ଦ ବ୍ୟବହାର କରନ୍ତି। ପୂଜା ଅର୍ଥ ଦଶହରା। ଭାରତର ୮୦ ଭାଗ ଅଞ୍ଚଳରେ ଦଶହରା ଛୁଟି ହିଁ ସବୁଠୁ ବଡ଼ ଛୁଟି। ତେଣୁ ଶାସକୀୟ ପରମ୍ପରାରେ ‘ଦଶହରା’ ବା ‘ପୂଜା’ର ସ୍ଵତନ୍ତ୍ର ଗୁରୁତ୍ଵ ରହିଛି।

ଛାଡନ୍ତୁ, ସେ ପୂଜାର ମାୟା। ଅସଲ କଥା ହେଲା ଯେ ସେହି ତ୍ରୟୋଦଶ କୋଟାକୁ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ହଡ଼ପ କରିବା ଏକ ପରମ୍ପରା ହୋଇଯାଇଛି। ଯଦି ଖାଦ୍ୟ ଅଧିକାର କର୍ମୀମାନେ ଏହା ବିରୋଧରେ ସଂଗ୍ରାମ ନକରିବେ, ତେବେ ପରିସ୍ଥିତି ଭୟାବହ ହୋଇପଡ଼ିବ। ଏବେ ଗପଟିଏ ନିଶ୍ଚୟ କହିବି:

୧୯୬୨ ମସିହାର କଥା। ଜଣେ ବୟସ୍କ ବ୍ୟକ୍ତି ଯିଏ କି କୃଷି ବିଭାଗର ଅଧସ୍ତନ ଅଧିକାରୀ, ସେ ନିଜର ଶିକ୍ଷିତ ଝିଅ ପାଇଁ ବରପାତ୍ର ଖୋଜନ୍ତେ, ୨ଟି ପ୍ରସ୍ତାବ ଜୁଟିଲା। ତହିଁରୁ ଜଣେ ହାଇସ୍କୁଲ ଶିକ୍ଷକ, ମାସିକ ଦରମା ୭୫ ଟଙ୍କା। ଅନ୍ୟ ଜଣେ ସପ୍ଲାଇ ଇନିସ୍ପେକ୍ଟର, ମାସିକ ଦରମା ୫୦ ଟଙ୍କା।  ତେବେ ବୟସ୍କ ବ୍ୟକ୍ତି ଜଣକ ଦ୍ଵିତୀୟ ପ୍ରସ୍ତାବଟିକୁ ଗ୍ରହଣ କଲେ। ଅର୍ଥାତ୍‌ ସେହି ଯୁବକଙ୍କୁ ଜ୍ବାଇଁ କରିବାକୁ ନିଷ୍ପତ୍ତି ନେଲେ। ଉଭୟ ଯୁବକଙ୍କର ପାରିବାରିକ ପୃଷ୍ଠଭୂମି ବା ଶରୀର ଗଠନରେ କୌଣସି ଖୁଣ ନଥିଲା। କିନ୍ତୁ ଦ୍ଵିତୀୟ ଯୁବକ ହିଁ ଅଧିକ ରୋଜଗାରିଆ ବୋଲି ବିବେଚନା କରି ସଂପୃକ୍ତ କନ୍ୟାପିତା ଏଭଳି ନିଷ୍ପତ୍ତି ନେଲେ। 

ଏବେ ଆପଣଙ୍କୁ ଗଣିତ ପାଠ ପଢ଼ାଇବାକୁ ପଡିବ ନାହିଁ ଯେ ୫୦ ସଂଖ୍ୟାଟା ୭୫ ଠାରୁ କିଭଳି ବଡ଼ ହେଲା!  ୫୦,୦୦୦ ଟଙ୍କା କିଭଳି ୭୫,୦୦୦ ଟଙ୍କା ଠାରୁ ବଡ଼ ହେଲା? କହିବା ବାହୁଲ୍ୟ, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ବହୁ ବର୍ଷର ପୁରୁଣା ଏବଂ ଦୁର୍ନିୀତି ଦ୍ଵାରା ବେଶି ଧନ ଠୁଳ କରିଥିବା ବ୍ୟକ୍ତି ହିଁ ସମାଜରେ ବେଶି ମର୍ଯ୍ୟାଦା ପାଆନ୍ତି। ଏକ ସୁସ୍ଥ ସମାଜ ଓ ସଭ୍ୟ ସମାଜ ଗଠନ ପାଇଁ ଏବେ ସେଭଳି ଭାବନାର ବିପରୀତ ଗତିରେ ଆଗେଇବାକୁ ପଡ଼ିବ। ଆପଣ ନିଜ ନିଜ କ୍ଷେତ୍ରରେ ଏହି ବାର୍ତାକୁ ପ୍ରଚାର କରନ୍ତୁ। ପରିବର୍ତନ ସୁନିଶ୍ଚିତ।

ବିମଳ ପ୍ରସାଦ, ୯୯୩୭୩୫୩୨୯୩