18 सितंबर 2015

ମାସେ ପର୍ଯ୍ୟନ୍ତ ଜମିବ ନୂଆଁଖାଇର ଧୂମ୍‍

ନୂଆଁଖାଇ ପାଳନ ପାଇଁ ପଶ୍ଚିମ ଓଡ଼ିଶାରେ ଖୁସୀର ଲହରୀ। ଏହା ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁବର୍ଣପୁର, ବୌଦ୍ଧ, ବଲାଙ୍ଗିର, ବରଗଡ଼, ନୂଆପଡ଼ା ଆଦି ୮ଟି ଜିଲ୍ଲାରେ ଶୁକ୍ରବାର ସଂପୂର୍ଣ ଭାବେ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲାରେ ଆଂଶିକ ଭାବେ ପାଳିତ ହେଉଛି । କଳାହାଣ୍ଡି ଜିଲ୍ଳାରେ ମୁଖ୍ୟତଃ ମାଣିକେଶ୍ୱରୀଙ୍କ ମନ୍ଦିର ଥିବା ଭବାନୀପାଟଣା, ଥୁଆମୂଳ-ରାମପୁର, ଲାଂଜିଗଡ଼ ଓ ଜୟପାଟଣା ବ୍ଲକ୍‍ ରେ ଆଶ୍ୱିନ ଶୁକ୍ଳ ଦଶମୀ ବା ଦଶହରା ତିଥିରେ ନୂଆଁଖାଇ ପର୍ବ ପାଳିତ ହୋଇଥାଏ । ଏ ପ୍ରସଙ୍ଗରେ ଗବେଷକ ପରମେଶ୍ୱର ମୁଣ୍ଡ କହନ୍ତି ଯେ ଏହି ବ୍ୟତିକ୍ରମ ହେଉଛି, ରାଜତନ୍ତ୍ରର ଛାପ । କଳାହାଣ୍ଡିରେ ନାଗବଂଶୀୟ ରାଜାମାନଙ୍କର ଇଷ୍ଟଦେବୀ ମାଣିକେଶ୍ୱରୀ ହୋଇଥିବାରୁ ବିଧି ଅନୁସାରେ ବିଜୟା ଦଶମୀରେ ନବାନ୍ନ ଭକ୍ଷଣ (ବା ନୂଆଁଖାଇ)  କରାଯାଇଥାଏ । ଏଥିରେ ପ୍ରଜାମାନେ ମଧ୍ୟ ସ୍ୱାଭାବିକ ଭାବେ ସାମିଲ ହୁଅନ୍ତି। ସେହିପରି ଅନ୍ୟ ଏକ ବ୍ୟତିକ୍ରମ ହେଲା, କେସିଙ୍ଗା ବ୍ଲକ୍‍ର ପଥର୍ଲା ଗାଆଁର ଲୋକମାନେ ସପ୍ତପୁରୀ ଅମାବାସ୍ୟାରେ ନୂଆଁଖାଇ ପାଳି ସାରିଥିବା ବେଳେ କଳାହାଣ୍ଡି ଜିଲ୍ଲାର କୁଟିଆକନ୍ଧମାନେ ସେମାନଙ୍କର ମାଣ୍ଡିଆରାଣୀ (ସେମାନଙ୍କ ନୂଆ ଅନ୍ନ ଧାନରୁ ନୁହେଁ, ମାଣ୍ଡିଆରୁ ଉତ୍ପନ୍ନ) ପର୍ବ ମଧ୍ୟ ଏକ ମାସ ପୂର୍ବରୁ ପାଳି ସାରିଛନ୍ତି । ଏହି ଭଳି ନୂଆପଡ଼ା ଜିଲ୍ଲାରେ ମଧ୍ୟ ଏକ ବ୍ୟତିକ୍ରମ ରହିଛି, ବୋଡ଼େନ୍‍ ବ୍ଲକ୍‍ର ସରସରା ଗ୍ରାମପଞ୍ଚାୟତ । ଏଠାରେ ଝାଙ୍କର ବର୍ଗର ପରିବାରମାନେ ଭାଦ୍ରବ ଶୁକ୍ଳ ପ୍ରତିପଦା ତିଥିରେ ନୂଆଖାଇ ପାଳିଥିବା ବେଳେ ଗଉନ୍ତିଆ ପରିବାର ଓ ସେମାନଙ୍କ ସହ ଜଡ଼ିତ ପରିବାରମାନେ ଦ୍ୱିତୀୟା ତିଥିରେ ପର୍ବ ପାଳି ସାରିଛନ୍ତି । ପଶ୍ଚିମ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ପାଳୁଥିବା ନୂଆଁଖାଇରେ ନୂଆ ଚୁଡ଼ା ଓ ନୂଆ ଚାଉଳକୁ ସାଧାରଣତଃ ନବାନ୍ନ ରୂପେ ଗ୍ରହଣ କରାଯାଇଥାଏ ।


ସୂଚନାଯୋଗ୍ୟ ଯେ ସାଂପ୍ରତିକ ନୂଆଁଖାଇ ପର୍ବକୁ ଏକ ଗଣପର୍ବରେ ପରିଣତ କରିବା ପାଇଁ ବିଜୁ ପଟ୍ଟନାୟକଙ୍କ ଜନତାଦଳ ମୁଖ୍ୟମନ୍ତ୍ରୀତ୍ୱ ଅମଳରେ ଛୁଟି ଘୋଷଣା ହୋଇଥିଲା ୧୯୯୪ ମସିହାରେ । ଯାହାକୁ ପଶ୍ଚିମ ଓଡ଼ିଶା ବାସୀଙ୍କ ସାମୂହିକ ଆନ୍ଦୋଳନର ପ୍ରଥମ ସଫଳତା ବୋଲି ବିବେଚନା କରାଯାଏ । ଅର୍ଥାତ୍‍ ଭାଦ୍ରବ ଶୁକ୍ଳ ପଞ୍ଚମୀ ବା ଗଣେଶ ଚତୁର୍ଥୀ ବାସି ଦିନ ନୂଆଁଖାଇ ପର୍ବକୁ ସାମୂହିକ ଭାବେ ପାଳିବାକୁ ସହମତି ପ୍ରକାଶ ପାଇବା ପରେ ତାହାକୁ ବିଜୁ ବାବୁ ପ୍ରାଦେଶିକ ଛୁଟି ଦିବସ ଭାବେ ଲାଗୁ କରିଥିଲେ । ଏହି ଦିନ ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲା ସମେତ ରାଜ୍ୟର ସମସ୍ତ ସରକାରୀ ଦପ୍ତର ଛୁଟି ହୋଇଥାଏ । ଦେବଗଡ଼ ଜିଲ୍ଲାର ସଂସ୍କୃତି ଅଲଗା ହୋଇଥିବାରୁ ଏହି ଜିଲ୍ଲାରେ ମଧ୍ୟ ଭାଦ୍ରବ ଶୁକ୍ଲ ପଞ୍ଚମୀରେ ନୂଆଁଖାଇ ପାଳିତ ହୋଇ ନଥାଏ । ଯାହା ବି ହେଉ, ଏହି ଭାଦ୍ରବ ଶୁକ୍ଳ ପଞ୍ଚମୀ ତିଥିରେ ନୂଆଁଖାଇ ପାଳିତ ହେଉଥିବା ବେଳେ ଏହା ସହିତ ନୂଆଁଖାଇ ଭେଟ୍‍ଘାଟ୍‍ ପ୍ରାୟତଃ ପଶ୍ଚିମ ଓଡ଼ିଶାର ସବୁ ସହରରେ ଏବଂ ରାଜଧାନୀ ଭୁବନେଶ୍ୱରରେ ଏକ ମାସ ପର୍ଯ୍ୟନ୍ତ ବିଭିନ୍ନ ତାରିଖରେ ଆୟୋଜିତ ହୋଇ ସବୁବର୍ଗର ଜନତାଙ୍କ ମଧ୍ୟରେ ଏକ ସାଂସ୍କୃତିକ ଆବେଗ ସୃଷ୍ଟି କରିଥାଏ । (‘ସମ୍ବାଦ’ ସମ୍ବଲପୁର ସଂସ୍କରଣ, ୧୮.୦୯.୨୦୧୫ର ‘ପଶ୍ଚିମ ଓଡ଼ିଶା’ ପୃଷ୍ଠା (ପୃ-୪)ରେ ପ୍ରକାଶିତ)
- ବିମଳ ପ୍ରସାଦ, ୯୯୩୭୩୫୩୨୯୩

कोई टिप्पणी नहीं:

एक टिप्पणी भेजें