17 नवंबर 2015

ସୋହେଲା ଚାଷୀ ସମାବେଶ

ବରଗଡ଼ ଜିଲ୍ଲାରେ ଉଭୟ ଜଳସେଚିତ ଓ ଅଣସେଚିତ ଅଞ୍ଚଳ ରହିଥିବାରୁ ଚାଷ ଓ ଚାଷୀଙ୍କୁ ନେଇ ବରଗଡ଼ ରାଜନୀତି ସବୁବେଳେ ସ୍ପର୍ଶକାତର। ଆଉ ସର୍ବାଧିକ ଚାଷୀ ଆତ୍ମହତ୍ୟା ସେଇ ଜିଲ୍ଲାରେ ହୋଇଥାଏ। ଏପରିକି ଅନେକ ଚାଷୀ ନିଜ ଜମିବାଡ଼ି ବିକୁଥିବାରୁ ବରଗଡ଼ ଜିଲ୍ଲାରେ ତେଲୁଗୁ ଚାଷୀ ପରିବାରମାନଙ୍କର ସାମ୍ରାଜ୍ୟ ବଢ଼ିବାରେ ଲାଗିଛି। ଅର୍ଥାତ୍‌ ବରଗଡ଼ ଜିଲ୍ଲାର ଚାଷୀମାନେ ଦରିଦ୍ର ହେବାର ପ୍ରକ୍ରିୟା ଏବର ନୁହେଁ। ବେଶ୍‌ ପୁରୁଣା। 

ଏହି ଜିଲ୍ଲାର ସୋହେଲା ଠାରେ ୨୦୧୫ ନଭେମ୍ବର ୧୯ରେ ଚାଷୀ ସମାବେଶ କରିବ ବିଜୁ ଜନତା ଦଳ। କଂଗ୍ରେସ ଓ ଭାରତୀୟ ଜନତା ପାର୍ଟି କୃଷକ ସମାବେଶ ଆୟୋଜନ କରିବା ପରେ ବିଜୁ ଜନତା ଦଳ ବି କୃଷକଙ୍କୁ ନେଇ ରାଜନୀତିକ ମାଇଲେଜ୍‌ ପାଇବାକୁ ଚାହୁଁଛି। କିନ୍ତୁ ଚଳିତ ବର୍ଷ ମରୁଡ଼ି ପଡ଼ିଥିବାରୁ ପରିସ୍ଥିତି ସଙ୍ଗିନ ରହିଛି। ବରଗଡ଼ ଜିଲ୍ଲାରେ କୃଷକ ସଂଗଠନମାନେ ବେଶ୍‌ ଦୃଢ଼। ଏଭଳି ସ୍ଥିତିରେ ବରଗଡ଼ର ଏକ ପେଣ୍ଠସ୍ଥଳ ଓ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗୁରୁତ୍ଵପୂର୍ଣ ବଜାର ଅଞ୍ଚଳ ସୋହେଲାରେ ଚାଷୀ ସମାବେଶ କରିବାକୁ ବିଜୁ ଜନତା ଦଳ କାହିଁକି ବାହାରିଛି? ନିଜର କେଉଁ ଶକ୍ତିର ପରୀକ୍ଷା କରିବାକୁ ଚାହୁଁଛି? ଗତ ୧୫ ବର୍ଷ ମଧ୍ୟରେ ଓଡ଼ିଶା ସରକାର, ବିରୋଧୀ ଶୂନ୍ୟ ହୋଇଯାଇଛି। ଦୁଇ ଜାତୀୟ ଦଳ କଂଗ୍ରେସ ବା ଭାଜପାର କୌଣସି କାଟତି ନାହିଁ। ଅର୍ଥାତ୍‌ ଯଦି ଏବର୍ଷ ଓଡ଼ିଶାର ବିଧାନସଭା ନିର୍ବାଚନ ହୁଏ, ବିଜଦ ୧୦୦ଟି ଆସନ ଟପି ନପାରିଲେ ସୁଦ୍ଧା କ୍ଷମତା ଦଖଲରେ କିଛି ସମସ୍ୟା ହେବ ନାହିଁ।

ବରଗଡ଼-ସମ୍ବଲପୁର-ନୂଆପଡ଼ା-କଳାହାଣ୍ଡି ଅଞ୍ଚଳର କୃଷକ ସଂଗଠନମାନେ କୌଣସି ରାଜନୀତିକ ଦଳର ପକେଟ୍‌ରେ ନାହାନ୍ତି। ତେଣୁ ଏହି ଚାଷୀ ସମାବେଶ, ପ୍ରଚଣ୍ଡ ବିରୋଧକୁ ସାମନା କରିବା ନିଶ୍ଚିତ। ଏହା ହୁଏତ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ଗୃହମନ୍ତ୍ରୀ ଖୋଦ୍‌ ନବୀନ ବାବୁ ନିଜ ଗୁଇନ୍ଦା ବାହିନୀ ଠାରୁ ପାଇ ସାରିଥିବେ। ତେଣୁ ବ୍ୟାପକ ଖାକିପିନ୍ଧା ସୁରକ୍ଷା କର୍ମୀ ମୁତୟନ ହେବା ନିଶ୍ଚିତ। ଯଦି ଜମା ହୋଇଥିବା ସୁରକ୍ଷା କର୍ମୀଙ୍କ ସଂଖ୍ୟା, ସମବେତ ଚାଷୀମାନଙ୍କ ସଂଖ୍ୟା ଠାରୁ ଅଧିକ ହୁଏ, ଏହାକୁ କିପ୍ରକାର ଚାଷୀ ସମାବେଶ କୁହାଯିବ? ଏହା ସତ ଯେ ଗମନାଗମନ ଦୃଷ୍ଟିରୁ ସୁବିଧା ହୋଇଥିବାରୁ ସୋହେଲାକୁ ଟ୍ରକ୍‌, ବସ୍‌, ଓ ଟ୍ରାକ୍ଟରରେ ମଣିଷ ବୁହା ହେବେ। ତେବେ ଏହା ବରଗଡ଼ିଆ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ଵର ଅଗ୍ନି ପରୀକ୍ଷା କି ନୂଆ ଡିଜିପି କୱଁର ବ୍ରଜେଶ ସିଂହଙ୍କ ପାରିଲାପଣିଆର ଅଗ୍ନିପରୀକ୍ଷା, ତାହା ଦେଖିବାକୁ ରହିଲା। ଯଦି ଏହି ଚାଷୀ ସମାବେଶ ସଫଳ ହୁଏ, ତେବେ ପରାଜିତ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ରାଜ୍ୟସଭା ଟିକେଟ୍‌ ପକ୍କା ହୋଇଯିବ।

ବରଗଡ଼ର କୃଷକ ସଂଗଠନମାନେ ଲିଫ୍‌ଲେଟ୍‌ ଛାପିବାକୁ ଲାଗିଲେଣି, ଯେଉଁଥିରେ କେତେକ ମୌଳିକ ପ୍ରଶ୍ନ ଉଠାଯାଇଛି:
୧. ଭାଗଚାଷୀମାନଙ୍କୁ ରାଜ୍ୟ ସରକାର କ’ଣ ସତରେ ଚିହ୍ନଟ କରିବେ?
୨. ଋଣଛାଡ଼ ବା ସୁଧଛାଡ଼ ପାଇଁ ମାପକାଠି ଘୋଷଣା କରିପାରିବେ କି?
୩. ଜଳସେଚନ ଜନିତ ସଂକଟରୁ ମୁକ୍ତି ପାଇଁ ବିକଳ୍ପ କ’ଣ ଅଛି? ଖୋଦ୍‌ ମୁଖ୍ୟମନ୍ତ୍ରୀ ଜଳସମ୍ପଦ ବିଭାଗକୁ ନିଜ ପାଖରେ ରଖି, ଚାଷୀମାନଙ୍କୁ ୧୫ ବର୍ଷ ଭିତରେ ତଳିତଳାନ୍ତ କରି ନାହାନ୍ତି କି?
୪. ପ୍ୟାକେଜ୍‌ ଘୋଷଣା ନାମରେ ଯେଉଁ ହାୱା କରୁଛନ୍ତି, ତାହା କ’ଣ କ୍ଷତିଗ୍ରସ୍ତ ଚାଷୀ ପାଖରେ ପହଞ୍ଚିବ?
୫. କେବଳ ସଂଖ୍ୟାରେ କାହିଁକି ଫାଙ୍କି ମାରୁଛନ୍ତି? ସାହସ ଅଛି ତ ମରୁଡ଼ିଗ୍ରସ୍ତ ୨୧ଟି ଜିଲ୍ଲାର ନାମ ଓ ୧୩୯ଟି ବ୍ଲକ୍‌ର ନାମ ତାଲିକା ପ୍ରକାଶ କରୁ ନାହାନ୍ତି କାହିଁକି?

ଏମିତି ଅନେକ ପ୍ରଶ୍ନର ବିଭିନ୍ନ ରଙ୍ଗୀନ୍‌ ପ୍ରଚାରପତ୍ର କାଗଜ ଉଡ଼ିବ ଗୁରୁବାର ସୋହେଲା ଆକାଶରେ। ଗୁରୁବାରକୁ ଅନ୍ନଦାତ୍ରୀ ମହାଲକ୍ଷ୍ମୀଙ୍କ ବାର ରୂପେ ଓଡ଼ିଆ ପରମ୍ପରାରେ ବିଶ୍ଵାସ କରାଯାଏ। ସେହି ଗୁରୁବାରେ ଏ ସମାବେଶ କରି ବି.ଜ.ଦ. ଲକ୍ଷ୍ମୀଛଡ଼ା ହେବାର ବାଟ ଖୋଲୁ ନାହିଁ ତ?

ଆଜିକାଲି ଯେତେ ଯାହା ହେଲେ ବି ଗଣମାଧ୍ୟମର କ୍ୟାମେରାକୁ କେହି ଫାଙ୍କି ପାରିବେ ନାହିଁ। ଯେଉଁମାନେ କ୍ୟାମେରାରେ ରେକର୍ଡ଼ ହେବେ, ସେମାନେ ପ୍ରକୃତରେ ଚାଷୀ କି କଲେଜ ଛୁଆ ତାହା ଖୁବ୍‌ ଶୀଘ୍ର ଧରାପଡ଼ିଯିବ। ଏବେଠୁ ଓଡ଼ିଶାର ଓଡ଼ିଆ ଲୋକେ ଟୁପୁରୁଟାପୁରୁ ହେଲେଣି ଯେ ପଡ଼ୋଶୀ ଛତିଶଗଡ଼ରୁ ଓଡ଼ିଆ ଚାଷୀ ବୁହା ହୋଇ ଆସିବେନି ତ? କାରଣ ବରଗଡ଼ର କୃଷକ ସଂଘମାନେ ଏତେ ସଂଗଠିତ ଯେ ସେମାନେ ଏତେ ଶସ୍ତାରେ ନିଜକୁ ବିକିବେ ନାହିଁ। ଯାହା ଜଣାପଡୁଛି ୧୮ ତାରିଖ ସକାଳ ଠାରୁ ରାତି ଭିତରେ ଟଙ୍କା ଉଡ଼ିବ। ଆଉ ଯିଏ ଧରିବ, ସେ ନିଶ୍ଚୟ ମୋଟରବାଇକ୍‌ରେ ବା ୪ ଚକିଆରେ ଆସି ସମାବେଶ ସ୍ଥଳରେ ଉପସ୍ଥାନ ଦେବ। ଏହି ବ୍ଲଗ୍‌ର ପ୍ରଚାର ପରେ ଅବଶ୍ୟ ବି.ଜ.ଦ. ଏହାକୁ ଏକ ଚ୍ୟାଲେଞ୍ଜ୍‌ ଭାବେ ଗ୍ରହଣ କରିବ ଏବଂ ବିପୁଳ ସଂଖ୍ୟାରେ ଲୋକଙ୍କୁ ଠୁଳ କରିବ। ଏପରିକି ଗାଡ଼ି ପାର୍କିଂ ମଧ୍ୟ ଏକ ସମସ୍ୟା ହୋଇପାରେ। ତେବେ ଏହା ପ୍ରଥମ ଘଟଣା ହେବ, ଯେଉଁଠି ବିରୋଧୀ ଦଳର କୌଣସି କର୍ମୀ ନୁହେଁ, ବରଂ ଖୋଦ୍‌ ଉତ୍‌କ୍ଷିପ୍ତ କୃଷକମାନେ ହିଁ ସରକାରୀ ଦଳର ନେତା ଓ ମନ୍ତ୍ରୀମାନଙ୍କୁ କଡ଼ା ଜବାବ ଦେବେ। ବିରୋଧ କରିବେ।

କେହି କେହି ଚୁଟ୍‌କୁଲା କହି ବୁଲିଲେଣି ଯେ ବରଗଡ଼ର ଚାଷୀ ନିଜ ସ୍ଵାଭିମାନ ବିକିକି କେବେ ହେଲେ ଏ ସମାବେଶକୁ ଆସିବ ନାହିଁ। ବରଂ ପୁଲିସ୍‌ କର୍ମୀମାନେ ଧୋତି ପିନ୍ଧି ଓ ମୁଣ୍ଡରେ ଠେକା ବାନ୍ଧି ଆସି ଚାଷୀ ଭୂମିକାରେ ଅଭିନୟ କରିବେ। ଯେହେତୁ ଏବେ ନିର୍ବାଚନ ହେବାର ନାହିଁ, ତେଣୁ ବି.ଜ.ଦ. ଏତେ ବିଚଳିତ ହେବାର ଆବଶ୍ୟକତା ନଥିଲା। ତଥାପି ଦେଖିବାକୁ ରହିଲା ବିରୋଧୀ ଦଳର ନେତା ସୁବଳ ସାହୁ କି ବସନ୍ତ ପଣ୍ଡା, କିଏ ଏହି ସମାବେଶର ବିରୋଧାତ୍ମକ ସ୍ଵରକୁ ନିଜ ଅଣ୍ଟିରେ ପୂରାଇବାରେ ସଫଳ ହେଉଛନ୍ତି?