06 नवंबर 2015

ଓଡ଼ିଆ ହୁଅନ୍ତୁ ମୁଖ୍ୟ ଶାସନସଚିବ ଓ ଆରକ୍ଷୀ ମହାନିର୍ଦେଶକ

ଆଜି (୬.୧୧.୨୦୧୫) ‘ସମ୍ବାଦ’ରେ ବାହାରିଛି କିଏ ହେବେ ଓଡ଼ିଶାର ଆଗାମୀ ମୁଖ୍ୟ ଶାସନ ସଚିବ। ଏଇ ନଭେମ୍ବର ୩୦ ତାରିଖରେ ଶ୍ରୀ ଗୋକୁଳଚନ୍ଦ୍ର ପତି ଅବସର ଗ୍ରହଣ କରିବେ, ତେଣୁ ପରବର୍ତୀ ମୁଖ୍ୟ ଶାସନସଚିବଙ୍କୁ ନେଇ ଚର୍ଚା ଆରମ୍ଭ ହୋଇଛି। ସମ୍ବାଦପତ୍ର ଦର୍ଶାଇଛି ଯେ ଏହି ଦୌଡ଼ରେ ଆଦିତ୍ୟ ପ୍ରସାଦ ପାଢ଼ୀ ଓ ଉପେନ୍ଦ୍ରନାଥ ବେହେରା ଆଗରେ ଅଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରଙ୍ଗଲାଲ ଜାମୁଡ଼ା, ଏସ୍‌. ଶ୍ରୀନିବାସନ୍‌, ଅନୀତା ଅଗ୍ନିହୋତ୍ରୀ, ଅଳକା ପଣ୍ଡା, ଆଇ. ଶ୍ରୀନିବାସ, ଅଶୋକ କୁମାର ତ୍ରିପାଠୀ, ଯୁଗଳ କିଶୋର ମହାପାତ୍ର ଓ ତାରା ଦତ୍ତ। ସଂପୃକ୍ତ ସମ୍ବାଦପତ୍ର ଯାହା ଚର୍ଚା କରୁ ନା କାହିଁକି, ଯଦି ଓଡ଼ିଶାର ବିକାଶ କଥା ଚିନ୍ତା କରାଯାଏ. ତେବେ ବ୍ୟୁରୋକ୍ରାଟ୍‌ ଭିତ୍ତିକ ଶାସନ ଯେତିକି ପ୍ରଶଂସନୀୟ, ସେତିକି ପ୍ରଶଂସନୀୟ ହେଉଛି କେହି ଓଡ଼ିଆ ବ୍ୟୁରୋକ୍ରାଟ୍‌, ମୁଖ୍ୟ ଶାସନ ସଚିବ ପଦରେ ବସିବା। ତେଣୁ ବିନା ବିତର୍କରେ ଜଣେ ଓଡ଼ିଆ ଅଧିକାରୀ ହିଁ ଏହି ପଦରେ ବସିବା ଦରକାର। କାରଣ ଅଣଓଡ଼ିଆ ଅଧିକାରୀମାନଙ୍କର ଲକ୍ଷ୍ୟ କେବେ ହେଲେ ଓଡ଼ିଶାର ବିକାଶ ହୋଇ ପାରିବ ନାହିଁ। ତେଣୁ ସଂପୃକ୍ତ ସମ୍ବାଦପତ୍ର ଦୁଇ ଜଣ ଓଡ଼ିଆ ଅଧିକାରୀଙ୍କୁ ପ୍ରତିଦ୍ଵନ୍ଦ୍ଵୀ ଭାବେ ଦର୍ଶାଇ ଏକ ପ୍ରଶଂସନୀୟ କାମ କରିଛି। ଅତୀତରେ କେରଳୀ ଆଇଏଏସ୍‌ ଅଧିକାରୀ ହେଉଥିଲେ, ଓଡ଼ିଶାର ମୁଖ୍ୟ ଶାସନସଚିବ। ସେମାନେ ଥିଲେ ଦୂରଦ୍ରଷ୍ଟା। କିନ୍ତୁ ଏବେ ଓଡ଼ିଶା ଭାଗରେ ଆଦୌ କେହି କେରଳୀ ଅଧିକାରୀ ପଡୁ ନାହାନ୍ତି। ତେଣୁ କେହି ପୁରୁଷଙ୍କୁ ଯଦି ମୁଖ୍ୟ ଶାସନ ସଚିବ କରାଯିବ, ସେ ନିଶ୍ଚିତ ଭାବରେ ଜଣେ ଓଡ଼ିଆ ବ୍ୟକ୍ତି ହୁଅନ୍ତୁ।

ଏଠାରେ ଅନ୍ୟ ଏକ ଯୁକ୍ତି ଅଛି, ଦେଖାଯାଇଛି ଯେ କିଛି ମହିଳା ଅଧିକାରୀ ଅଛନ୍ତି ଯେଉଁମାନେ ଉଲ୍ଲେଖନୀୟ କାର୍ଯ୍ୟ କରି ସାଧାରଣ ନାଗରିକଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି। ଉଦାହରଣ: ଅପରାଜିତା ଷଡ଼ଙ୍ଗୀ, ଅନୀତା ଅଗ୍ନିହୋତ୍ରୀ, ଅନୁ ଗର୍ଗ, ଉଷା ପାଢ଼ୀ। ଗୋଟିଏ ସମାଜରେ ଉଭୟ ମହିଳା ଓ ପୁରୁଷଙ୍କର ସମାନ ଅଧିକାର ଓ କର୍ତବ୍ୟ ରହିଛି - ଏହି କଥାକୁ ଯଦି ସରକାର ବୁଝୁଥିବେ, ତେବେ ‘‘ମାଆକୁ ସମ୍ମାନ, ଗାଆଁକୁ କାମ’’ର ସ୍ଲୋଗାନ ଦେଉଥିବା ଶାସକ ଦଳର ନେତାମାନେ ପ୍ରଥମ କରି ଜଣେ ମହିଳାଙ୍କୁ ମୁଖ୍ୟ ଶାସନସଚିବ କରି ଓଡ଼ିଶାରେ ଏକ ନୂଆ ଇତିହାସ ସୃଷ୍ଟି କରନ୍ତୁ। ଅବଶ୍ୟ ଚର୍ଚିତ ଦୁଇ ମହିଳା ଅଧିକାରୀ ଓଡ଼ିଆ ନହେଲେ ସୁଦ୍ଧା ଜେଣ୍ଡର ସମାନତାକୁ ଧ୍ୟାନ ଦେଇ ଜଣକୁ ମୁଖ୍ୟ ଶାସନ ସଚିବ କରାଯାଉ।

ଅନ୍ୟ ପକ୍ଷରେ ଏଇ ମାସରେ ଡିଜିପି ମଧ୍ୟ ଅବସର ଗ୍ରହଣ କରିବେ। ଓଡ଼ିଶା ଇତିହାସରେ ସବୁଠୁ କଳଙ୍କିତ ଆଇପିଏସ୍‌ ସଂଜୀବ୍‌ ମାରିକ୍‌ଙ୍କୁ ଓଡ଼ିଶାର ଡିଜିପି କରାଯିବାଟା ପ୍ରତ୍ୟେକ ଶିକ୍ଷିତ ଓଡ଼ିଆଙ୍କ ପାଇଁ ଏକ ଦୁଃଖଦ ଅଧ୍ୟାୟ। ଓଡ଼ିଆ ଅଧିକାରୀଙ୍କୁ ଡିଜିପି କରାଯିବାର ଯେଉଁ ପରମ୍ପରା ଜାରି ରହିଥିଲା, ସେହି ପରମ୍ପରାକୁ ପୁଣି ଥରେ ଫେରାଇ ଅଣାଯାଉ। ପୁଲିସ ସଂଗଠନରେ ଚାଲି୍‌ଥିବା ବଟି ଆଦାୟ ବ୍ୟବସ୍ଥା ବନ୍ଦ ପାଇଁ ହୁଏତ ଜଣେ ଓଡ଼ିଆ ଅଧିକାରୀ ହିଁ ସାହସ କରିବେ, ତେଣୁ ଜଣେ ଓଡ଼ିଆ ଅଧିକାରୀଙ୍କୁ ହିଁ ଡିଜିପି କରାଯାଉ।

कोई टिप्पणी नहीं:

एक टिप्पणी भेजें