ଓଡ଼ିଆ ଅସ୍ମିତା (Identity) ସଂକ୍ରାନ୍ତରେ ୨୫ ଅକ୍ଟୋବର ୨୦୧୫ରେ ଆମ୍ଭେ ଲେଖିଥିବା ବ୍ଲଗ୍କୁ ଶତାଧିକ ବ୍ୟକ୍ତି ପଢ଼ିଛନ୍ତି। ଏବେ ସେହିଭଳି ଏକ ଉତ୍ତପ୍ତ ପ୍ରସଙ୍ଗରେ ଚର୍ଚା କରିବାକୁ ଚାହୁଛି।
ନେତାଜୀ ସୁଭାଷଚନ୍ଦ୍ର ବୋଷ ଜନ୍ମ ହୋଇଥିଲେ କଟକ ଓଡ଼ିଆବଜାରରେ। ସ୍ଵାଧୀନତା ସଂଗ୍ରାମରେ ତାଙ୍କର ଅବଦାନ କ’ଣ ଥିଲା, ଏହା କୌଣସି ଶିକ୍ଷିତ ଭାରତୀୟଙ୍କୁ ବୁଝାଇବା ଅନାବଶ୍ୟକ। ସମ୍ଭବତଃ ସେଇଥିପାଇଁ ତାଙ୍କୁ ବାସ୍ତବରେ ‘ନେତାଜୀ’ ଆଖ୍ୟା ଦିଆଯାଇଛି। ଆଉ କିଏ କ’ଣ ଆଖ୍ୟା ପାଆନ୍ତୁ ପଛକେ, କିନ୍ତୁ ଏ ଦେଶରେ ‘ନେତାଜୀ’ ଜଣେ। କିନ୍ତୁ ତାଙ୍କୁ ଆମେ ସେତେବେଳେ ଓଡ଼ିଆ ରୂପେ ତାଙ୍କୁ ମାନ୍ୟତା ଦେଇ ନାହୁଁ କି ତାଙ୍କ ନେତୃତ୍ଵରେ ଚାଲିଥିବା ସ୍ଵାଧୀନତାସଂଗ୍ରାମକୁ ମଧ୍ୟ ସ୍ଵୀକୃତି ଦେଇ ନାହୁଁ। ବରଂ ଖୋଜି ବୁଲିଥିଲୁ, ଗୁଜୁରାଟରେ ଜନ୍ମିତ ମୋହନଦାସ କରମଚାନ୍ଦ ଗାନ୍ଧୀ ଓରଫ ମହାତ୍ମା ଗାନ୍ଧୀ ଓରଫ ବାପୁଜୀଙ୍କୁ। ଯେଉଁ ଯେଉଁ ଜାଗାରେ ଗାନ୍ଧୀଙ୍କ ପାଦ ପଡ଼ିଛି, ତାହାକୁ ତୀର୍ଥକ୍ଷେତ୍ର ରୂପେ ଏବେ ବି ଯତ୍ନ କରି ସାଇତି ରଖିଛୁ। କିନ୍ତୁ ଭୁଲି ଯାଇଛୁ ନେତାଜୀଙ୍କୁ। ଏପରିକି ଭୁବନେଶ୍ଵରର AIIMS (ନିଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ)କୁ ନେତାଜୀଙ୍କ ନାମରେ କରିବାକୁ ମଧ୍ୟ ବିରୋଧ କରିଛୁ। ଅର୍ଥାତ୍ ଓଡ଼ିଶା ନିଜ ଦେହରେ ଥିବା ସୁବାସିତ କସ୍ତୁରୀକୁ ଖୋଜି ନପାରି ଅନ୍ୟ ଜାଗାରେ ସନ୍ଧାନ କରିଛି। ଇତିହାସରୁ ଜଣା ପଡ଼େ ଯେ ସେ କାଳରେ ମଧ୍ୟ ଓଡ଼ିଆ ନେତାମାନେ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରୂପେ ନେତାଜୀଙ୍କୁ ସହି ପାରୁ ନଥିଲେ। ଯେଉଁ ରୋଗ ଏବେ ବି ଭାରତୀୟ ଜାତୀୟ କଂଗ୍ରେସ (ରାଜନୀତିକ ଦଳ)ର କର୍ମୀମାନଙ୍କ ମଧ୍ୟରେ ରହିଛି। ପ୍ରଦେଶ କଂଗ୍ରେସରେ ମଧ୍ୟ ଯିଏବି ସଭାପତି ହେଲେ, ଅନ୍ୟମାନେ ଅସହନଶୀଳ ହୋଇ ପଡୁଛନ୍ତି। ନେତାଜୀ ସୁଭାଷ ଲଢ଼ି କରି ସ୍ଵାଧୀନତା ଆଣିବାକୁ ଆହ୍ଵାନ ଦେଇଥିଲେ। କିନ୍ତୁ ଅହିଂସାରେ ଲଢ଼ିବା ପାଇଁ ଓଡ଼ିଆମାନେ ଗାନ୍ଧିଜୀଙ୍କୁ ମୁଣ୍ଡରେ ବସାଇଥିଲେ। ସମ୍ଭବତଃ ତାହାର ପ୍ରତିଫଳ ହେଉଛି ଆଜିର କୋଢ଼ିଆ ଓଡ଼ିଆ ଓ ଟଙ୍କିକିଆ ଚାଉଳ। ଲଢ଼େଇ କରି ପାଇବା ନୁହେଁ, ଘରେ ବସି ପାଇବାର ଐିତିହାସିକ ପ୍ରବୃତ୍ତି ଓଡ଼ିଆଙ୍କର ଏବେ ବି ରହିଛି। ଯେଉଁଠି ଭାଷା ଅପେକ୍ଷା ପେଟ ବେଶି ଗୁରୁତ୍ଵପୂର୍ଣ।
ଜଣେ ଓଡ଼ିଶା ଜନ୍ମିତ ବ୍ୟକ୍ତି ଭାରତର ରାଷ୍ଟ୍ରପତି ହୋଇଥିଲେ। ସେ ହେଲେ ଭି.ଭି. ଗିରି। ବ୍ରହ୍ମପୁର ସହରରେ ଜନ୍ମିତ ଡକ୍ଟର ବରାହଗିରି ଭେଙ୍କଟ ଗିରି ହୋଇଥିଲେ ଭାରତର ଚତୁର୍ଥ ରାଷ୍ଟ୍ରପତି। ସେ ଏକମାତ୍ର ନେତା, ଯିଏକି ଉଭୟ କାମଚଳା ରାଷ୍ଟ୍ରପତି ଓ ନିୟମିତ ରାଷ୍ଟ୍ରପତି ରୂପେ କାର୍ଯ୍ୟ କରିଛନ୍ତି। ସେ ଭାରତରତ୍ନ ସମ୍ମାନ ମଧ୍ୟ ପାଇଛନ୍ତି। ସେ ଶ୍ରମିକ ଆନ୍ଦୋଳନର ଜଣେ କର୍ଣଧାର ଥିଲେ। ସେ ଖଲିକୋଟ କଲେଜରେ ପାଠ ପଢ଼ିଥିଲେ ଏବଂ ପରେ ଦେଶବିଦେଶରେ ଅଧ୍ୟୟନ ଓ ଆନ୍ଦୋଳନର ଜଣେ ଅଗ୍ରଗଣ୍ୟ ବ୍ୟକ୍ତିତ୍ଵ ହୋଇପାରିଥିଲେ।କିନ୍ତୁ ଆମେ ତାଙ୍କୁ ଓଡ଼ିଆ ପରିଚୟ ଦେଇ ପାରି ନାହୁଁ।
ଓଡ଼ିଶାର ଟିଟିଲାଗଡ଼ ସହରରେ ଜନ୍ମଗ୍ରହଣ କରିଥିବା ସତ୍ୟନାରାୟଣ ଗଙ୍ଗାରାମ ପିଟ୍ରୋଡ଼ା, ଯିଏକି ସୁଦୂର ଯୁକ୍ତରାଷ୍ଟ୍ର ଆମେରିକାରେ ଚାକିରି କରିବା ପରେ ନିଜ ନାମକୁ ସାମ୍ (ପ୍ରଥମ ଓ ଦ୍ଵିତୀୟ ନାମର ଯଥାକ୍ରମେ ପ୍ରଥମ ଅକ୍ଷର ଓ ଶେଷ ଅକ୍ଷରକୁ ନେଇ)ପିଟ୍ରୋଡ଼ା କରି କୋଟି କୋଟି ଟଙ୍କା ରୋଜଗାର କରିଛନ୍ତି। ପରେ ଭାରତରେ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ତାଙ୍କର ଉପଦେଷ୍ଟା ହୋଇ ବିପୁଳ ସମ୍ମାନ ଓ ସମ୍ବଳ ଠୁଳେଇଛନ୍ତି। ୟାଙ୍କୁ ଓଡ଼ିଆ ପରିଚୟ ଦେବା ପାଇଁ ବ୍ୟାକୁଳ ହୋଇଛୁ। କିନ୍ତୁ ସେ କେବେହେଲେ ଧରାଛୁଆଁ ଦେଇ ନାହାନ୍ତି। ଏବେ ନିଜ ଜୀବନୀ ପୁସ୍ତକ (Dreaming Big) ଉନ୍ମୋଚନ କରିବାକୁ ଆସିଥିଲେ ଭୁବନେଶ୍ଵର। ସ୍ଵୟଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପୁସ୍ତକର ଉନ୍ମୋଚନ କଲେ। ସମ୍ଭବତଃ ଏହା ଥିଲା ଓଡ଼ିଶାର ଏକମାତ୍ର ପୁସ୍ତକ ଉନ୍ମୋଚନ ସଭା ଯେଉଁଠି ସମସ୍ତ ଗଚ୍ଛିତ ପୁସ୍ତକ ୧୦ ମିନିଟ୍ରେ ବିକ୍ରି ହୋଇଯାଇଥିଲା। ଦୁଃଖର କଥା ଯେ ଆମେ ତାଙ୍କୁ ଓଡ଼ିଆ ପରିଚୟ ଦେବାକୁ ବ୍ୟାକୁଳ ହେଉଥିଲେ ବି ସେ ଓଡ଼ିଆ ପରିଚୟରେ ବଞ୍ଚିବାକୁ ନାପସନ୍ଦ କରୁଥିଲେ। ଏବେ ଏତେ ନାଟକବାଜିର କାରଣ ହେଲା, ଜୀବନଯାକ ପ୍ରଚୁର ଯଶ, ସମ୍ମାନ ଓ ଧନ ଭିତରେ ଜୀବନ କାଟିଥିବା ବ୍ୟକ୍ତିତ୍ଵଙ୍କର ଜୀବନ ଏବେ ଖାଁଖାଁ ଲାଗୁଛି। ସେ ଚାହାନ୍ତି ଦେଶର ସଂସଦରେ ଚୌକିଟିଏ ପାଇବା ପାଇଁ। ଏଥିପାଇଁ ନିଜର ଟିଟିଲାଗଡ଼ିଆ ପରିଚୟ ମନେ ପଡ଼ିଲା। ଓଡ଼ିଶାରେ ଏକାଧିକ ରାଜ୍ୟସଭା ସଦସ୍ୟ ଖୁବ୍ ଶୀଘ୍ର ପୂରଣ ହେବ। ଆଉ ସେଇଥିରୁ ଗୋଟାକୁ ଧରି ପକାଇବେ ସାମ୍ ପିଟ୍ରୋଡ଼ା।
ଦୁର୍ଭାଗ୍ୟ ଯେ ସାମ୍ ପିଟ୍ରୋଡ଼ା ଆଦୌ ଓଡ଼ିଆ କହି ପାରନ୍ତି ନାହିଁ। ସେ ଓଡ଼ିଆ ମନେ ରଖିବାକୁ କେବେ ବି ଇଚ୍ଛା କରି ନାହାନ୍ତି। ଯୁକ୍ତରାଷ୍ଟ୍ର ଆମେରିକାରେ ସବୁ ସହରରେ ଓଡ଼ିଆ ସଂଘ ଅଛି। କିନ୍ତୁ କୌଣସି ସଂଘରେ ସେ ସାମିଲ ହୋଇ ନଥିଲେ। କିନ୍ତୁ ନେତାଜୀ ସୁଭାଷ ଓ ଭାରତରତ୍ନ ଭି.ଭି. ଗିରି ଶିଖିଥିଲେ ଓଡ଼ିଆ ଏବଂ ଓଡ଼ିଆ ଭାଷାରେ କଥାବାର୍ତା କରିପାରୁଥିଲେ। ଅଥଚ ସେ ଦିହିଁଙ୍କୁ ଆମେ ଓଡ଼ିଆ ଅସ୍ମିତାରେ କେବେ ବି ଦେଖି ନାହୁଁ। ଏବେ ସାମ୍ ପିଟ୍ରୋଡ଼ାଙ୍କୁ ଆମେ ଓଡ଼ିଆ ଅସ୍ମିତାରେ ଦେଖି ପାରିବୁ ତ? ଦେଖିବା ଆବଶ୍ୟକ ଅଛି ତ? ସେ ଓଡ଼ିଶା ପାଇଁ ଯଦିଓ କିଛି କରି ନାହାନ୍ତି, ତଥାପି ଆପଣ ବିଚାର କରନ୍ତୁ, ତାଙ୍କୁ ରାଜ୍ୟସଭାକୁ ପଠାଇବେ କି ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ଓଡ଼ିଆ ଅସ୍ମିତା କାୟମ ରଖିବାକୁ ବ୍ୟଗ୍ର ହେବେ?
ସୁଭାଷ ବୋଷ ଓ ସାମ୍ ପିଟ୍ରୋଡ଼ା ପ୍ରସଙ୍ଗରେ କେତେକ ରୋଚକ ସାମଞ୍ଜସ୍ୟ ରହିଛି। ସୁଭାଷ ବୋଷ୍ଙ୍କୁ ଏଡ଼ାଇ ଯାଇ ଗୁଜୁରାଟର ଗାନ୍ଧୀଙ୍କୁ କୋଳେଇ ନେଇଥିବା ବେଳେ ଏବେ ଓଡ଼ିଆକୁ ଆଦୌ ମନେ ନରଖି ନିଜକୁ ଗୁଜୁରାଟୀ ବୋଲି ପରିଚୟ ଦେଉଥିବା ବ୍ୟକ୍ତିଙ୍କୁ ଓଡ଼ିଆ ଅସ୍ମିତାର ମୁକୁଟ ପିନ୍ଧାଇବାକୁ ଆମେ କୁଲୁକୁଲୁ ହେଲୁଣି !
ନିଷ୍ପତ୍ତି ଆପଣଙ୍କର....
कोई टिप्पणी नहीं:
एक टिप्पणी भेजें