31 अक्टूबर 2015

ହଂପ୍‌ସ୍‌ ବିହୀନ ଜିଲ୍ଲା ଜଗତ୍‌ସିଂହପୁର

ହମ୍ପ୍‌ସ୍‌ / ରମ୍ବଲର୍‌ ବା ସ୍ପିଡ଼୍‌ ବ୍ରେକର ନାମରେ ସଡ଼କ ଉପରେ କିଛି ପ୍ରତିବନ୍ଧକ ଠିଆ କରିବାଟା ବିଭିନ୍ନ କାରଣରୁ ହୋଇଥାଏ। କେବେ ଜନସାଧାରଣ ନିଜେ କରିଥାଆନ୍ତି ତ କେବେ ଏପରି କରିବାକୁ ଦାବି କରିଥାଆନ୍ତି। ବାରମ୍ବାର ଦୁର୍ଘଟଣା ହେଉଛି ବୋଲି ପ୍ରଶାସନ ମଧ୍ୟ ନିଜେ ଏଭଳି ହମ୍ପ୍‌ସ୍‌ କରି ପକାଇଥାଏ।  ବଡ଼ ଆଶ୍ଚର୍ଯ୍ୟର କଥା ଯେ କଟକ-ଜଗତସିଂହପୁର ରାଜ୍ୟ ରାଜପଥ(SH 43)ରେ କୌଣସି ହମ୍ପ୍‌ସ୍‌ ନାହିଁ। ଏହି ୪୦ କିଲୋମିଟର ବିଶିଷ୍ଟ ପିଚୁ ସଡ଼କକୁ ଗତ ୫ ବର୍ଷ ଧରି ଅନୁଧ୍ୟାନ କଲା ପରେ ଏଠାରେ ଦମ୍ଭର ସହ ଏହି କଥା ଲେଖିଛୁ। ସେହି ସଡ଼କ ଦୁଇ ପାଖରେ ଗାଆଁ ଅଛି, ସାହି, ବସ୍ତି, ସ୍କୁଲ, ଶିକ୍ଷାନୁଷ୍ଠାନ, କ୍ଲବ୍‌ଘର, ଦେବୀଘର, ମନ୍ଦିର ଇତ୍ୟାଦି ରହିଛି। କିନ୍ତୁ ଆପଣ ଭାବି ପାରୁଛନ୍ତି କି କାହିଁକି ହମ୍ପ୍‌ସ୍‌ ନାହିଁ। ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ଯେ ସଡ଼କ ଦୁର୍ଘଟଣା ଜନିତ ଲୋକମୃତ୍ୟୁର କୌଣସି ଖବର ନାହିଁ। ଯଦିବି କେଉଁଠି ଦୁର୍ଘଟଣାଜନିତ ମୃତ୍ୟୁ ହୋଇଥାଏ, ତେବେ ଓଡ଼ିଶାର ଅନ୍ୟ ପ୍ରାନ୍ତ ଭଳି ଜଗତସିଂହପୁରିଆମାନେ ବି ହମ୍ପ୍‌ସ୍‌ କରିବାକୁ ଜିଦ୍‌ କରି ପାରନ୍ତେ। କିନ୍ତୁ ସେଭଳି ଜିଦ୍‌ କରିବାର ମଧ୍ୟ କୌଣସି ନଜିର ନାହିଁ। କେଉଁ ଶବ୍ଦରେ ଜଗତସିଂହପୁରିଆଙ୍କୁ ପ୍ରଶଂସା କରିହେବ, ତାହା ଯଦି ଆପଣ ଭାବି ପାରୁଛନ୍ତି କୁହନ୍ତୁ। ସେମାନେ ହୁଏତ ସଚେତନ ଓ ଶିକ୍ଷିତ ବୋଲି ଜିଦ୍‌ କରୁ ନାହାନ୍ତି? ଅଳ୍ପ କିଛି ଦିନ ତଳେ ପ୍ରଶାସନ ପକ୍ଷରୁ ଜଗତସିଂହପୁର ସହରର ବିଭିନ୍ନ ସ୍ଥାନରେ ଫାଇବର୍‌ ସ୍ପିଡ଼୍‌ ବ୍ରେକର ବସାଯାଇଛି। ଯାହାକି ଅସ୍ଥାୟୀ। ଅର୍ଥାତ୍‌ ଯେକୌଣସି ସମୟରେ ତାହାକୁ ଖୋଲି ଦେଇ ହେବ। କିନ୍ତୁ ସ୍ଥାୟୀ ହମ୍ପସ୍‌ ପ୍ରସଙ୍ଗରେ ସତେ ଯେମିତି ସ୍ଥାନୀୟ ଲୋକମାନେ ଏକ ଉଚ୍ଚତର ଚେତନାକୁ ଚାଲି ଯାଇଛନ୍ତି !

ପ୍ରସଙ୍ଗ ଯାହା ବି ହେଉ, ଏହା ହିଁ ବିକାଶର ମାପକାଠି। ଅର୍ଥାତ୍‌ ଜଗତସିଂହପୁରିଆମାନେ ମାନସିକ ଭାବେ ବେଶ୍‌ ବିକଶିତ। କେବଳ ପ୍ରାଶାସନିକ, ଶୈକ୍ଷିକ, ବୈଜ୍ଞାନିକ, ରାଜନୀତିକ ସହଯୋଗ ମିଳିଲେ, ଏହା କୌଣସି ୟୁରୋପୀୟ ରାଷ୍ଟ୍ର ସହ ତାଳ ଦେଇ ପାରିବ। ଏତେ ଶସ୍ତାରେ କ’ଣ ଏତେ ବଡ଼ ମନ୍ତବ୍ୟ ଦେଇ ହେବ? ସିଏତ ଗଲା ପିଚୁ ସଡ଼କ କଥା। ଏଇ ଦେଖୁନାହାନ୍ତି, କଟକ-ପାରାଦ୍ଵୀପ ରାଜ୍ୟ ରାଜପଥ (SH 12)ର କଂକ୍ରିଟ୍‌ ସଡ଼କରେ ମଧ୍ୟ ହମ୍ପସ୍‌ ନାହିଁ। ୮୦ କିଲୋମିଟରରୁ ଅଧିକ ଦୀର୍ଘ ଏହି ସଡ଼କରେ କୌଣସି ହମ୍ପ୍‌ସ୍‌ ନରହିବା, ନିଶ୍ଚିତ ରୂପେ ରାଜ୍ୟର ଅନ୍ୟ ଭାଗରେ ଥିବା ଅଧିବାସୀଙ୍କୁ ବିସ୍ମିତ କରୁଥିବ। କାରଣ ଏବେ ଓଡ଼ିଶାର ସବୁ ଜିଲ୍ଲାକୁ ଜାତୀୟ ରାଜପଥ ଛୁଇଁ ସାରିଲାଣି। ହେଲେ, ଜାତୀୟ ରାଜପଥ ଉପରେ ବି ପୁଳାପୁଳା ସ୍ଥାୟୀ ହମ୍ପ୍‌ସ୍‌। କିନ୍ତୁ ଜଗତ୍‌ସିଂହପୁରିଆମାନେ ଏମିତି କେଉଁ ଉଚ୍ଚତର ଚେତନାରେ ଜୀଉଁଛନ୍ତି ଯେ ହମ୍ପ୍‌ସ୍‌ ନିର୍ମାଣ ଦାବିରୁ ଉର୍ଦ୍ଧ୍ଵକୁ ଚାଲିଯାଇଛନ୍ତି ? ରାଜ୍ୟର ଅନ୍ୟ ଅଞ୍ଚଳବାସୀଙ୍କୁ କାହିଁକି ଏଭଳି ସଦ୍‌ବୁଦ୍ଧି ଆସୁ ନାହିଁ ? କି, ସେମାନଙ୍କ ସମାଜ ଏଭଳି ଗ୍ରହଣଶୀଳତା ପାଇଁ ଯୋଗ୍ୟ ହୋଇ ନାହିଁ ? 

कोई टिप्पणी नहीं:

एक टिप्पणी भेजें