(ସାପ୍ତାହିକ ‘ସମାଜ’ ୨୮ ଜୁନ୍ ୨୦୦୦ ସଂଖ୍ୟାର ପୃଷ୍ଠା ୧୪ ଓ ୧୫ରେ ପ୍ରକାଶିତ; ଲେଖକ: ବିମଳ ପ୍ରସାଦ)
୧୯୯୯ ଅକ୍ଟୋବର ୧୭, ୧୮ ଏବଂ ୨୯,୩୦ ତାରିଖରେ ଦୁଇ ଥରରେ ବାତ୍ୟା ବହିଗଲା। ୨୯ ଓ ୩୦ ତାରିଖର ବାତ୍ୟାକୁ ମହାବାତ୍ୟା ଆଖ୍ୟା ଦିଆଗଲା। ଏଥିରେ ବେଶି ମଣିଷ ବିପନ୍ନ ହୋଇଥିଲେ। ପୂର୍ବ ଉପକୂଳ ଓଡ଼ିଶାରେ ଯେଉଁ ଅଭୂତପୂର୍ବ କ୍ଷତି ଘଟିଲା, ତା’ର ଚିହ୍ନ ଏବେ ବି ଅନେକ ଅଞ୍ଚଳରେ ସ୍ପଷ୍ଟ ହୋଇ ରହିଛି। ସେଦିନ ନଭେମ୍ବର ୬ ତାରିଖ ୧୯୯୯ ମସିହା। ଗୋଟିଏ ମିନିଟ୍ରକ୍ରେ ଚାଉଳ, ଡାଲି, ଆଳୁ, ଚୂଡ଼ା, ଗୁଡ଼, ଲୁଗାପଟା ଓ ଔଷଧ ସମେତ ଆହୁରି କିଛି ସାମଗ୍ରୀ ଧରି ଦୁଇଟି ଟ୍ରେକରରେ ଆମେ ବାହାରିଲୁ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ୍ର ମଲ୍ଲିକାପୁର ଗାଆଁକୁ। ପହଞ୍ଚିଲା ବେଳକୁ ସଂଜ ନଇଁ ଆସିଲାଣି। ଦୁଇ ଦିନ ଆଗରୁ ସ୍ଥିର କରି ସାରିଥିଲୁ ଯେ ଗୋଟିଏ ଶିବିରରେ ସବୁ କର୍ମୀ ରହିବେ ଏବଂ ସେଇଠି ସବୁ ସାମଗ୍ରୀ ରହିବ। ସେଇଠାରୁ ସିଧାସଳଖ ଲୋକମାନଙ୍କ ପାଖକୁ ଯାଇ ରନ୍ଧା ହୋଇ ଖାଦ୍ୟ ଦିଆଯିବ। ତେଣୁ ବାଟରେ ବିପନ୍ନ ମଣିଷଙ୍କ ‘‘ଆମକୁ ଦିଅ, ଆମକୁ ଦିଅ’’ ଚିତ୍କାରକୁ ଏଡ଼ାଇ ଆସିବାକୁ ପଡ଼ିଲା। ଜଗତସିଂହପୁର-ବାଲିକୁଦା ରାସ୍ତାରୁ ଭାଙ୍ଗି ଅଣଚଉଡ଼ା ରାସ୍ତାରେ ମଲ୍ଲିକାପୁର ଯିବା ବେଳେ ଗାଡ଼ିଗୁଡ଼ିକର ବେଗ ହଠାତ୍ ମନ୍ଥର ହୋଇଗଲା। ଆଗରେ ବାଲିକୁଦା ମହିଳା ମହାବିଦ୍ୟାଳୟ। ସେଠାରେ ଦୁଇ ଶତାଧିକ ମଣିଷ ସେବେ ଯାଏଁ ଆଶ୍ରିତ ହୋଇ ରହିଥାଆନ୍ତି। ସେମାନେ କିଛି ରିଲିଫ୍ ସାମଗ୍ରୀ ପାଇବା ପାଇଁ ପାଟି କରୁଥାଆନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ସତର ଅଠର ବର୍ଷୀୟ ଯୁବତୀ ଅଣ୍ଟାରେ ଗାମୁଛା ବାନ୍ଧି ଆଗକୁ ବାହାରି ପଡ଼ି କହିଲେ, ‘‘ଆମେ ଏଠି ଏତେ ଲୋକ କ’ଣ ଭୋକରେ ମରିବୁ?’’ ଆମେ ସେଇମାନଙ୍କ ପାଇଁ ଆସିଛୁ ଓ ଆଣିଛୁ ବୋଲି ଜାଣିବା ପରେ ସେମାନେ ଆଶ୍ଵସ୍ତ ହେଲେ ଏବଂ ଆମେ ମଲ୍ଲିକାପୁରରେ ପହଞ୍ଚିଗଲୁ।

ବିପନ୍ନ ମଣିଷମାନଙ୍କ ବିଶୃଙ୍ଖଳ ଆକାଂକ୍ଷାକୁ ସାମନା କରି ନପାରି ‘ଟେଲ୍କୋ’ର ଜଣେ ପଦସ୍ଥ ଅଧିକାରୀ ସରୋଜ ଘୋଷ ଫେରି ଯାଉଥିଲେ ଭୁବନେଶ୍ଵର। ସାଥୀରେ ଅନ୍ୟ ବନ୍ଧୁମାନଙ୍କ ସହ ଫେରାଇ ନେଉଥିଲେ ଆଣିଥିବା ସାମଗ୍ରୀ ସବୁ। ଜଗତସିଂପୁର ସହରରେ ଆମେ ଅଟକିଥିବା ବେଳେ ଗୋଟିଏ ଚାହା ଦୋକାନରେ ଆମର ପରିଚୟ ପାଇଲା ପରେ ଖୁବ୍ ଆତ୍ମବିଶ୍ଵାସରେ ଓ ଆନନ୍ଦରେ ଆମକୁ ଶ୍ରୀ ଘୋଷ ସବୁ ସାମଗ୍ରୀ ଦେବାକୁ ଅନୁରୋଧ କଲେ। ଅନୁରୋଧ ରକ୍ଷା କରି ତାଙ୍କଠୁ ବିସ୍କୁଟ, ପାରୋଟି, କଦଳୀ, ପାଣି, ଲୁଗାପଟା ଗଣ୍ଠିଲି ଆଣି ମିନିଟ୍ରକ୍ରେ ବୋଝେଇ କରିଥିଲୁ। ସେଇ ୬ ତାରିଖ ଶନିବାର ସଂଧ୍ୟାରେ ସବୁ ପାଁରୋଟି, ପାଚିଲା କଦଳୀ, ବିସ୍କୁଟ୍ ଆଖପାଖ ଗାଆଁରେ ବାଣ୍ଟି ଦେଲୁ। ତିନି ଚାରି ଦିନ ନଡ଼ିଆ ଖାଇ ଓ ପଇଡ଼ ପାଣି ପିଇ ଏବଂ ଗଜା ହୋଇଯାଇଥିବା ମୁଗ ଓ ବିରିକୁ ଭାଜି ଖାଇଥିବା ମଣିଷମାନେ ପାରୋଟି, କଦଳୀକୁ ଘରେ ସାଇତିବାର ଅବକାଶ ପାଇ ନଥିଲେ।
ପରଦିନ ଠାରୁ ପାଞ୍ଚଟି ଗାଆଁ(ନରିଲୋ, ନରଣପୁର, ବଡ଼ାଘର, ଗବଡିହ, ମଲ୍ଲିକାପୁର)ରେ ରନ୍ଧାଖାଦ୍ୟ ପରିବେଷଣର କାର୍ଯ୍ୟକ୍ରମ ଚାଲିଲା। ଖାଦ୍ୟ ରାନ୍ଧିବାରେ ଗାଆଁଲୋକେ ବେଶ୍ ସହଯୋଗ କରୁଥିଲେ। ସବୁଯାକ ଗାଆଁରେ ଦିନକୁ ଥରଟେ ରନ୍ଧାଖାଦ୍ୟ ଦେବାର ବ୍ୟବସ୍ଥା ହୋଇଥିଲା। ମାତ୍ର ସର୍ତ ଥିଲା ଯେ ସମସ୍ତେ ପଙ୍ଗତରେ ବସିବେ। ପ୍ରଥମ ଦିନଟା ଗାଆଁଗୁଡ଼ିକର ପ୍ରାୟ ୩୦ ପ୍ରତିଶତ ଲୋକ ପଙ୍ଗତକୁ ନଆସି ଘରକୁ ନେଇଗଲେ। କିନ୍ତୁ ଯେଉଁମାନେ ପଙ୍ଗତରେ ନବସିବେ ଏବଂ ଯେଉଁମାନଙ୍କର ଅଭାବ ନାହିଁ, ସେମାନଙ୍କୁ ଆମେ ରିଲିଫ୍ ଦେବାକୁ ଆଣି ନାହୁଁ ବୋଲି ସ୍ପଷ୍ଟ ଜଣାଇଲା ପରେ, ପରବର୍ତ୍ତୀ ଦିନଗୁଡ଼ିକରେ ରନ୍ଧାଖାଦ୍ୟ ପଙ୍ଗତରେ ପରିବେଷଣ ପରେ ସରି ଯାଉଥିଲା। ଲୋକମାନେ ଦିନକୁ ଦିନ ସ୍ଵାଭାବିକ, ସୁସ୍ଥ ଓ ମନସ୍କ ହେଉଥିବାର ଲକ୍ଷ୍ୟ କରି ଏବଂ ସରକାରୀ ରିଲିଫ୍ର ସୁଅକୁ ଲକ୍ଷ୍ୟ କରି ୫ ଦିନ ପରେ ମାଗଣା ରନ୍ଧାଖାଦ୍ୟ ବଣ୍ଟନ ବନ୍ଦ କରି ଦେଲୁ। କେହି ଆପଣାର ଦୁଃସ୍ଥତାରେ ସଢ଼ିବେନି। ସମସ୍ତଙ୍କ ଭଙ୍ଗାଘରେ ବି ଚୂଲୀ ଜଳିବ। ଏଇ କଥାକୁ ଧାରଣାରେ ରଖି ଲୋକଙ୍କୁ କାମରେ ଲଗାଇବାର ଉପାୟ ସ୍ଥିର କରାଗଲା। ଗାଆଁ ଗାଆଁରେ ବୈଠକ କରିବା ପରେ ଦୁଇଟି ଗାଆଁରେ ଲୋକେ ‘‘କାମ ପାଇଁ ଖାଦ୍ୟ’’ ପ୍ରସ୍ତାବରେ ରାଜି ହେଲେ। ପରଦିନଠୁ ଗାଆଁ ସଫେଇ, ଘର ଉଠା, ପୋଖରୀ ସଫେଇ, ମନ୍ଦିର ପରିସର ସଫେଇ, ରାସ୍ତା ମରାମତି ଇତ୍ୟାଦି କାମ ଆଗେଇ ଚାଲିଲା। ଯେଉଁମାନେ କାମକୁ ଆସିଲେ, ସେଇମାନଙ୍କୁ ସଂଧ୍ୟା ପୂର୍ବରୁ ସେଦିନର ନିର୍ଧାରିତ ସାମଗ୍ରୀ ଦିଆଗଲା। ନିଜନିଜର ପରିଶ୍ରମ ଅନୁସାରେ ପ୍ରତ୍ୟେକ ପରିବାରରେ ଯେପରି ଖାଦ୍ୟଶସ୍ୟ ସଞ୍ଚିତ ହୋଇପାରିବ, ସେଥିପାଇଁ ପ୍ରତ୍ୟେକ ପରିବାରର ସଦସ୍ୟ ଯେପରି ଦଳ ମଧ୍ୟରେ ରହିବେ, ସେଥିପାଇଁ ଧ୍ୟାନ ଦିଆଯାଇଥିଲା।
୧୪ ବର୍ଷରୁ ଅଧିକ ବୟସର ସୁସ୍ଥ ଲୋକମାନଙ୍କୁ କାମ ଦଳରେ ରଖାଯାଉଥିଲା। ଦିନେ ଦୁଇ ଦିନ ପରେ ମହିଳାମାନେ ମଧ୍ୟ କାମରେ ଯୋଗ ଦେବାର ଦେଖାଗଲା। ଶ୍ରମ ମୂଲ୍ୟ ରୂପେ ବିଭିନ୍ନ ଦିନରେ ବଣ୍ଟାଯାଉଥିବା ରିଲିଫ୍ ସାମଗ୍ରୀଗୁଡ଼ିକ ମଧ୍ୟରେ ଚୁଡ଼ା, ଗୁଡ଼, ଚାଉଳ, ଡାଲି, ଆଳୁ, ମହମବତୀ, ଦିଆସିଲି ଇତ୍ୟାଦି ରହିଥିଲା। ତିଦି ଚାରିଦିନ ଭିତରେ ଆଖପାଖ ଗାଆଁର ଲୋକେ ‘‘କାମ ପାଇଁ ଖାଦ୍ୟ’’ ସ୍କିମ୍ର ସୁରାକ ପାଇ ଆମକୁ ଆବେଦନ କଲେ। କ୍ରମେ CYSD କର୍ମୀମାନଙ୍କ ସହିତ କାର୍ଯ୍ୟରତ ସ୍ଵେଚ୍ଛାସେବୀମାନଙ୍କ ସଂଖ୍ୟା ବଢ଼ାଇଲୁ। ଗାଆଁର ଅବସ୍ଥା, ଗ୍ରାମବାସୀମାନଙ୍କ ମାନସିକ ଅବସ୍ଥାକୁ ଲକ୍ଷ୍ୟ କରି ଏହି ସ୍କିମ୍କୁ ଲାଗୁ କରେଇଲୁ। ସାନବଡ଼ ଧନୀ, ଗରିବର ଭେଦ ଭୁଲି ସମସ୍ତେ କାମ କଲେ ଏବଂ ନିର୍ଧାରିତ ଦେୟ ମଧ୍ୟ ଗ୍ରହଣ କଲେ। ଦିନ କେଇଟାରେ ଘରଗୁଡ଼ିକ ପୁଣି ତା’ର ପୂର୍ବ ରୂପ ପାଇ ଠିଆ ହୋଇଗଲା। କେଉଁଠି ଘାଇ ଉପରେ ପୋଲ ହୋଇ ପାରିଲା ତ, କେଉଁଠି ବିଦ୍ୟାଳୟ ଗୃହ ସଫାସୁତରା ହୋଇ ବ୍ୟବହାର ଉପଯୋଗୀ ହୋଇଗଲା। କେଉଁଠି ବି ରାସ୍ତା, କେନାଲ, ନାଳ ସବୁ ସଫା ହୋଇ ପୂର୍ବ ଅବସ୍ଥାକୁ ଫେରି ଆସି ପାରିଲା। ଯେଉଁ ଗାଆଁର ଲୋକେ ଏହି ଚିନ୍ତନ ସହ ମିଶି ନିଜ ଗାଆଁର ଅସୁବିଧା ଦୂରୀକରଣ କଥା ଭାବି ପାରୁ ନଥିଲେ, ସେମାନେ ପଛରେ ପଡ଼ି ଯାଉଥିଲେ। ମହାବାତ୍ୟା ପରେ, ଏକତା ଥିବା ଗାଆଁଗୁଡ଼ିକ ଚଟାପଟ୍ ଚିହ୍ନା ପଡ଼ିଯାଉଥିଲା। ଏକତା ନଥିଲେ ସୁଦ୍ଧା ଯେପରି ଗାଆଁର ବାସିନ୍ଦାମାନଙ୍କ ବ୍ୟକ୍ତିଗତ ସ୍ତରରେ ଶୃଙ୍ଖଳା ଓ ସ୍ଥିରତା ପରିଲକ୍ଷିତ ହେଉଥିଲା। ହାନିକାରକ କଜିଆର ଅବକାଶ ନଥିଲା। ଭେଦଭାବ ଭୁଲି ଯେପରି ପାରସ୍ପରିକ ସହଯୋଗିତା ଓ ସହଭାଗିତା ମାଧ୍ୟମରେ ଲୋକେ କାମରେ ଲାଗୁଥିଲେ, ତାହା ଅବଶ୍ୟ ଶିକ୍ଷଣୀୟ ଓ ସ୍ମରଣୀୟ। ଏପରିକି ବିଶେଷ କ୍ଷତିର ସମ୍ମୁଖୀନ ହୋଇ ନଥିବା ପକ୍କାଘରର ମଣିଷମାନେ ମଧ୍ୟ କାମରେ ସାମିଲ ହେଉଥିଲେ। ସମ୍ଭବତଃ ଏପ୍ରକାର ସହାବସ୍ଥାନ ଯୋଗୁଁ ଏତେ ବଡ଼ ବିପତ୍ତି ବେଳେ ନିଃସ୍ଵ ଓ ନିଃସହାୟ ମଣିଷମାନେ ବି ନିଜ ନିଜର ସାଧାରଣ ଜୀବନଯାପନର ପୁନଃସ୍ଥାପନ ବେଶ୍ ସୁରୁଖୁରୁରେ କରିପାରିଲେ। ତଥାପି ଲୋକମାନେ ନିଜର ମହାବାତ୍ୟା ପୂର୍ବର ଜୀବନଧାରା ଫେରି ପାଇବା ସଂପର୍କରେ ସେମାନଙ୍କର ଆଶା ଓ ଆଶଙ୍କା ସବୁକୁ ଆମେ ଠୁଳ କରିବାରେ ଲାଗି ପଡ଼ିଥିଲୁ।
ଗ୍ରାମାଞ୍ଚଳରେ କଚାଘର ରହିବା ସ୍ଵାଭାବିକ। କିନ୍ତୁ ବିଜ୍ଞାନର ଅଗ୍ରଗତି ଓ ସ୍ଥାନୀୟ ଲୋକଙ୍କ ସ୍ଵଚ୍ଛଳ ଆର୍ଥିକ ସ୍ଥିତି ସତ୍ତ୍ୱେ ଏତେ ପରିମାଣରେ କଚାଘର, ରାଜ୍ୟ ବାହାରର ସ୍ଵେଚ୍ଛାସେବୀଙ୍କୁ ଆଶ୍ଚର୍ଯ୍ୟାନ୍ଵିତ କରିବା ସଙ୍ଗେ ସଙ୍ଗେ ଆମକୁ ବି ବିସ୍ମିତ କରିଥିଲା। କାରଣ ସନ୍ଧାନ କରି ଜାଣିଥିଲୁ ଯେ ସେହି ଅଞ୍ଚଳରେ ବାଲି, ପଥର, ଚିପ୍ସ୍ ନାହିଁ। ଏପରିକି ମାଟିକାନ୍ଥ ବା ଇଟା ତିଆରି ପାଇଁ ମଧ୍ୟ ପ୍ରକୃଷ୍ଟ ମାଟି ନାହିଁ। ଗୃହନିର୍ମାଣ ସାମଗ୍ରୀ ସବୁ ପ୍ରାୟ ୮୦-୯୦ କିଲୋମିଟର ଦୂରରୁ ଆସୁଥିବାରୁ ଦର ଅତ୍ୟଧିକ ହୋଇଥାଏ। ‘ବାସଗୃହ’ ମଣିଷର ମୌଳିକ ଆବଶ୍ୟକତା। ସାକ୍ଷର, ନିରକ୍ଷର ସମସ୍ତେ ଏକଥା ଜାଣନ୍ତି। ସଭ୍ୟ ଦୁନିଆରେ ମାଟିଘର ବା କଚାଘର , କେବେ ବାସଗୃହରେ ଗଣା ନୁହେଁ; ଏକଥା ଆମ ପ୍ରଶାସନ ଓ ନୀତିପ୍ରଣେତାମାନଙ୍କୁ ଅଜଣା ନାହିଁ। ଅଥଚ ନିୟନ୍ତ୍ରିତ ବଜାର ଦରରେ ଗୃହନିର୍ମାଣ ସାମଗ୍ରୀ ଯୋଗାଣ ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ଅତୀତରେ ଉଦ୍ୟମ କରାଯାଇନାହିଁ କି ମହାବାତ୍ୟା ପରେ ମଧ୍ୟ ଜ୍ଞାନୋଦୟ ହେଉନାହିଁ। ଏକଥା ଚର୍ଚା କଲା ବେଳେ ଲୋକମାନଙ୍କର ଉତ୍ସୁକତା ବେଶ୍ ବଢ଼ି ଯାଉଥିଲା। କଚାଘରର ଯନ୍ତ୍ରଣାକୁ ଆଗାମୀ ଦିନରେ ସେମାନେ ଭୁଲିଯିବାକୁ ଚାହୁଥିଲେ।
ଅନୁସୂଚିତ ଜାତିର ଲୋକମାନେ ଶତପ୍ରତିଶତ ଭୂମିହୀନ ଓ ଶ୍ରମିକ ଶ୍ରେଣୀର। ଏକଥା କେବଳ ବାଲିକୁଦାରେ ନୁହେଁ, ସମଗ୍ର ବାତ୍ୟା ପ୍ରପୀଡ଼ିତ ଉପକୂଳ ଅଞ୍ଚଳରେ ଲକ୍ଷ୍ୟ କରିବାର ମଉକା ପାଇଛୁ। ରୟତ ଓ ସାଆନ୍ତମାନଙ୍କ ସହ ଯୁଝିବାର କୌଣସି ନଜିର ନାହିଁ କି ଭବିଷ୍ୟତରେ ପ୍ରଶ୍ନ କରିବାର ବପୁ ମଧ୍ୟ ସେମାନଙ୍କର ନାହିଁ। ଏପରିକି ନିଜର ଘରଡିହ ନଥିବା ପରିବାର ସଂଖ୍ୟା ମଧ୍ୟ ଅଗଣିତ। ଏମାନେ ବଞ୍ଚିଛନ୍ତି କଟକ, ଭୁବନେଶ୍ଵରରେ ରହୁଥିବା ଜମିମାଲିକମାନଙ୍କ ଦାନରୁ ମିଳିଥିବା ଡିହ ଉପରେ। ଶିକ୍ଷିତ ଅଞ୍ଚଳରେ ଯେ ଲକ୍ଷ ଲକ୍ଷ ଲୋକ ପଦାନତ ହୋଇ ରହିଛନ୍ତି - ଏ କଥା ଆମେ ଜାଣିଲୁ ମହାବାତ୍ୟା ପରେ। ସେମାନେ ନୀରବ ହେତୁ ଗରିବ କି ଗରିବ ହେତୁ ନୀରବ, ଏ କଥା ସମୟ କହିବ ଓ ଆପଣମାନେ କହିବେ।
ସଂପ୍ରତି ଥଇଥାନ କାମରେ ଆମ ପରି ଅନେକ ସ୍ଵେଚ୍ଛାସେବୀ ସଂଗଠନ ଲାଗିଛନ୍ତି। ଭଲ ହୁଅନ୍ତା, ଯଦି ସ୍ଵେଚ୍ଛାସେବୀ ସଂଗଠନମାନେ ଉପକୂଳ ଓଡ଼ିଶାରେ ମଧ୍ୟ ଆସ୍ଥାନ ଜମେଇ ପାରନ୍ତେ, ତେବେ ରାଜ୍ୟରେ ସାମାଜିକ ବିପ୍ଳବ ତ୍ଵରାନ୍ୱିତ ହୁଅନ୍ତା ଏବଂ ବିପର୍ଯ୍ୟୟ ପୂର୍ବର ମଣିଷ ଓ ପରର ମଣିଷ ମଧ୍ୟରେ ବ୍ୟବଧାନ କମିବାର ପଟ ପ୍ରସ୍ତୁତ ହୋଇଯାଆନ୍ତା।
कोई टिप्पणी नहीं:
एक टिप्पणी भेजें