17 अक्तूबर 2015

ସତରେ କ’ଣ ଚାଷୀ ଆତ୍ମହତ୍ୟା କରନ୍ତି?

ବୈଷ୍ଣବ ଜେନା, ସାମ୍ବାଦିକ, ୯୪୩୭୦୦୭୨୦୦ 
( ସୌଜନ୍ୟ: ‘ସଂଚାର’ ୧୭ ଅକ୍ଟୋବର ୨୦୧୫, ଶନିବାର)

ଓଡ଼ିଶା ରାଜ୍ୟରେ ଗତ ୩ ବର୍ଷରେ ୧୫ଶହ ଚାଷୀ ଆତ୍ମହତ୍ୟା କରିଛନ୍ତି ବୋଲି ଖବରକାଗଜରେ ସମ୍ବାଦମାନ ପୃଷ୍ଠା ମଣ୍ଡନ କରୁଛି। ଚଳିତ ଅକ୍ଟୋବର ମାସର ପ୍ରଥମାର୍ଦ୍ଧରେ ୧୦ଜଣ ଚାଷୀ ଆତ୍ମହତ୍ୟା କରିଥିବାର ଜଣାପଡିଛି। କେବଳ ୨୦୧୫ ଅକ୍ଟୋବର ୧୦ ତାରିଖରେ ୪ ଜଣ ଆତ୍ମହତ୍ୟା କରିଥିବାର ସମ୍ବାଦ ପ୍ରକାଶ ପାଇଥିଲା। ଏହା ନିଶ୍ଚିତଭାବେ ଏକ ଲଜ୍ଜାଜନକ ଓ ଦୁର୍ଭାଗ୍ୟଜନକ ଘଟଣା। ରାଜ୍ୟ ଚାଷୀକୁଳ ପାଇଁ ନିନ୍ଦାର ଘଟଣା। ରାଜ୍ୟପାଇଁ ଅପବାଦ। ଏହି ସଂବେଦନଶୀଳ ପ୍ରସଙ୍ଗକୁ ନେଇ ଏବେ ରାଜ୍ୟରେ ରାଜନୀତି ଜୋର୍ଦାର ହୋଇଛି। ଚିରାଚରିତ ଢଙ୍ଗରେ ଶାସକ ଓ ବିରୋଧୀ ଦଳ ଗୁଡ଼ିକ ମଧ୍ୟରେ କାଦୁଅଫିଙ୍ଗା ବଳବତ୍ତର ରହିଛି। ସରକାର ଏପରି ଅଭିଯୋଗକୁ ସିଧାସଳଖ ସ୍ୱୀକାର କରୁନଥିବା ବେଳେ ବିରୋଧୀ ଦଳ ଓ ଅନ୍ୟ କିଛି ସଂଗଠନ ଏହି ପ୍ରସଙ୍ଗକୁ ସରକାରଙ୍କ ବିରୋଧରେ ଏକ ଅସ୍ତ୍ର ରୂପେ ବ୍ୟବହାର କରୁଛନ୍ତି। କେତେକ ଘଟଣାର ତଦନ୍ତ ନିର୍ଦେଶ ଦିଆଯାଇଛି। ସରକାରଙ୍କୁ ମାନବାଧିକାର କମିଶନ ଓ ଅଦାଲତମାନଙ୍କ ପକ୍ଷରୁ କୈଫିୟତ୍ ତଲବ କରାଯାଇଛି। ସଂପୃକ୍ତ ପରିବାରଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା ଦେବା ପାଇଁ ଦାବି କରାଯାଉଥିବା ବେଳେ ଋଣ ଛାଡ ପାଇଁ ମଧ୍ୟ ଦାବି ଉଠୁଛି। ସେହି ମୃତକଙ୍କ ପରିବାରର ସଦସ୍ୟମାନଙ୍କର ଆକୁଳ କ୍ରନ୍ଦନ ବିଭିନ୍ନ ଟିଭି ଚ୍ୟାନେଲ୍ରେ ପ୍ରଦର୍ଶିତ ହେଉଛି। ନେତାମାନଙ୍କର ଆଶ୍ୱାସନା ଓ ପ୍ରବୋଧନା ମଧ୍ୟ ଘନଘନ ଦେଖା ଯାଉଛି। ସରକାରୀ ଅଫିସରମାନଙ୍କ ଉପରେ ଏହା ଚଡକ ସଦୃଶ ହୋଇପଡୁଛି। ଟିଭି ପରଦାରେ ଜମାଣିଆ ବିତର୍କମାନ ଦେଖିବାକୁ ମିଳୁଛି। ଏସବୁ ସତ୍ତ୍ୱେ ଆମର ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ସନେ୍ଦହ ରହିଛି। ଚାଷୀମାନେ ଅତ୍ୟନ୍ତ ସାହସୀ, ସେମାନେ ଡରକୁଳା ନୁହଁନ୍ତି। କ୍ରମାଗତ ବିଫଳତା ଅର୍ଥାତ୍ ଶସ୍ୟହାନି ପରେ ମଧ୍ୟ ସେମାନେ ଚାଷ ଛାଡନ୍ତି ନାହିଁ କିମ୍ବା ଜୀବନ ହାରିବା ଭଳି ଚରମ ପଦକ୍ଷେପ ନିଅନ୍ତି ନାହିଁ ବୋଲି ଆମର ଦୃଢ ବିଶ୍ୱାସ ଅଛି। କାରଣ ଓଡ଼ିଶା ଭଳି ଏକ ଦୈବଦୁର୍ବିପାକ ଅଥବା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ଚାଷୀମାନେ ପ୍ରତ୍ୟେକ ବର୍ଷ ପ୍ରତିକୁଳ ଅବସ୍ଥାର ସମ୍ମୁଖୀନ ହୁଅନ୍ତି। ସେଥିଯୋଗୁଁ ସେମାନେ ଉଭୟ ମାନସିକ ଓ ଶାରୀରିକ ସ୍ତରରେ ନିଦା ହୋଇଗଲେଣି।

ଏକଥା ଅବତାରଣା କରିବାର କାରଣ ହେଉଛି ଯେ, ଆମ୍ଭେ ମଧ୍ୟ ଗୋଟିଏ ଚାଷୀ ପରିବାରରେ ଜନ୍ମ ହୋଇଛୁ। ଚାଷକାର୍ଯ୍ୟ ସହିତ ଆମର ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। ଭୁବନେଶ୍ୱରରେ ରହୁଥିଲେ ବି ଆମଜମିରେ ଫଳୁଥିବା ଧାନରୁ ଚାଉଳ ଓ ଚାଉଳରୁ ହେଉଥିବା ଭାତ ଆମକୁ ସୁଆଦ ଲାଗେ। ଏହାଛଡା ବିରିି, କୋଳଥ, ମୁଗ, ଆଳୁ, ସାରୁ, ଚିନାବାଦାମ, ସୋରିଷ ଓ ଧନିଆ ଆଦି ଅଣାଇଥାଉ। ବିିଭିନ୍ନ ପ୍ରକାର ପନିପରିବା ଓ ଆମ ବିଲ ଗହୀରରୁ ଧରାଯାଉଥିବା ମାଛ ପ୍ରତି ଆମର ଅହେତୁକ ମୋହ ରହିଛି । ଜଣେ ଚାଷୀ ହୋଇ ଜୀବନ ବିତାଇବାକୁ ଆମର ଇଚ୍ଛା ଥିଲା। ମାତ୍ର ତାହା ସମ୍ଭବ ନହେଲେ ବି ପରୋକ୍ଷ ଭାବେ ଆମେ ଚାଷ ସହିତ ସମ୍ପୃକ୍ତ ଅଛୁ । ଗାଁକୁ ଗଲେ ଅଧିକ ସମୟ ଆମେ ଚାଷଜମି ଓ ଭାଗୁଆଳିମାନଙ୍କ ସହିତ କଟାଇଥାଉ। ଏହି ସବୁ କାରଣ ଯୋଗୁଁ ଆମେ ଚାଷୀମାନଙ୍କୁ ବେଶ୍ ଭଲ ଭାବରେ ଚିହ୍ନିଛୁ। ସେମାନଙ୍କର ଦାମ୍ଭିକତାକୁ ଅନୁଭବ କରିଛୁ । ଚାଷୀମାନେ ସେମାନଙ୍କର ବିଫଳତାକୁ ସାମଗ୍ରିକ ବିପର୍ଯ୍ୟୟ ଭାବରେ ଧରନ୍ତି ନାହିଁ। ପ୍ରତ୍ୟେକ ବର୍ଷ କିଛିନା କିଛି ସେମାନେ ସମସ୍ୟା ବା କ୍ଷତିର ସମ୍ମୁଖୀନ ହୁଅନ୍ତି। ପରବର୍ତ୍ତୀ ସମୟରେ ଅକ୍ଷୟ ତୃତୀୟ ପାଳନ କରି ଚାଷ କାର୍ଯ୍ୟରେ ଲାଗିପଡ଼ନ୍ତି । ପୁନର୍ବାର ଆଉ ଗୋଟିଏ ବର୍ଷ ପାଇଁ ଅଣ୍ଟା ଭିଡ଼ନ୍ତି, ଡରିଯାଆନ୍ତି ନାହିଁ । ଅନ୍ୟମାନଙ୍କୁ ମଧ୍ୟ ଚାଷ କାର୍ଯ୍ୟରେ ସାମିଲ୍ ହେବାପାଇଁ ପରାମର୍ଶ ଦିଅନ୍ତି। ଅଳସୁଆ ଚାଷୀଙ୍କୁ ସର୍ବସାଧାରଣରେ ଗାଳି ଦିଅନ୍ତି। ‘ଚାଷ ଅଛି ଯାହାର - କି ଆନନ୍ଦ ତାହାର’ ବୋଲି ଯେଉଁ ପ୍ରବାଦ ଓଡ଼ିଶାରେ ରହିଛି ତାହାର ଅସଲ ପ୍ରତିଫଳନ ସେମାନଙ୍କ ଠାରେ ଦେଖାଯାଇଥାଏ। କସ୍ମିନ୍ କାଳେ କ୍ଷତି ପାଇଁ ଆତ୍ମହତ୍ୟା କରନ୍ତି ନାହିଁ । ଜାଣିଶୁଣି ସେମାନେ ନିଜର ପରିବାରକୁ ଅନାଥ କରନ୍ତି ନାହିଁ ।

ଏହି ପ୍ରସଙ୍ଗରେ ଆମ୍ଭେ ଯେଉଁ ଅଞ୍ଚଳରେ ଜନ୍ମ ହୋଇଛୁ ଏବଂ ଯାହାର ପାଣିପବନରେ ମଣିଷ ହୋଇଛୁ, ସେହି ଅଞ୍ଚଳର ଚାଷୀମାନଙ୍କ କଥା ଉଲ୍ଲେଖ କରିଛୁ। ଆମ ଜନ୍ମସ୍ଥାନ ହେଉଛି ଯାଜପୁର ଜିଲ୍ଲାର ବରୀ ଅଞ୍ଚଳ। ଯାହାକି ଚୀର ବନ୍ୟା ପ୍ରପୀଡିତ। ଆମ ଅଞ୍ଚଳ ସହିତ ବିଞ୍ଝାରପୁର ବ୍ଲକ୍‍ର କିଛି ଅଞ୍ଚଳ ଆଳି ଓ ପଟ୍ଟାମୁଣ୍ଡାଇ ବ୍ଲକ୍‍ର କିଛି ଅଞ୍ଚଳ, ରାଜକନିକା ବ୍ଲକ ଓ ରାଜନଗର ବ୍ଲକର ଭୌଗୋଳିକ ଅବସ୍ଥା ସମାନ। ଏହି ଅଞ୍ଚଳ ଦେଇ ରାଜ୍ୟର ତିନି ପ୍ରମୁଖ ନଦୀର ବନ୍ୟାଜଳ ପ୍ରବାହିତ ହୁଏ। ବିଶେଷକରି ଯାଜପୁର ଜିଲ୍ଲା ମଧ୍ୟ ଦେଇ ପ୍ରବାହିତ ହେଉଥିବା ମହାନଦୀର ମୁଖ୍ୟ ଶାଖା ବିରୂପାନଦୀର ଦକ୍ଷିଣ ପାଶ୍ୱର୍ ନଦୀବନ୍ଧ ଏବଂ ଖରସ୍ରୋତା ନଦୀର ବାମପାଶ୍ୱର୍ ନଦୀବନ୍ଧର ମଧ୍ୟବର୍ତ୍ତୀ ଅଞ୍ଚଳ ଦେଇ ପ୍ରତି ବର୍ଷ ବନ୍ୟାଜଳ ପ୍ରବାହିତ ହୁଏ। ବିରୂପା ଶାଖା ଦେଇ ମହାନଦୀ ଜଳ, ବ୍ରାହ୍ମଣୀ ନଦୀର ଜଳ ଏବଂ ବୁଢା ନଦୀ ଦେଇ ବୈତରଣୀର ଜଳ ପ୍ରବାହିତ ହୁଏ । ବନ୍ୟା ବିଶେଷଜ୍ଞମାନେ ଏହି ଅଞ୍ଚଳକୁ ଓଡ଼ିଶାର ଫ୍ଲଡ଼୍‌ଗେଟ୍ ବୋଲି କହିଥାଆନ୍ତି । ଏହି ଅଞ୍ଚଳରେ କ୍ରମାଗତ ଭାବେ ବନ୍ୟା ଆସୁଥିବାରୁ ଶାରଦ ଚାଷ ଧୋଇଯାଏ ଏବଂ ତାହାର ପରବର୍ତ୍ତୀ ସମୟରେ ଜମିରେ ବାଲିଚର ଯୋଗୁଁ ରବି ଚାଷ ସେତେ ବେଶୀ ହୁଏ ନାହିଁ। ଅବଶ୍ୟ ଏଭଳି ସ୍ଥିତିରେ କିଛି ପରିବର୍ତ୍ତନ ହେଲାଣି। କାରଣ କେତେକ ଅଞ୍ଚଳରେ ଏବେ ଉଠାଜଳସେଚନ ଓ ବିଦ୍ୟୁତ୍‌କରଣ ଯୋଗୁଁ ରବି-ଧାନ ଚାଷ ହେଲାଣି । ତେବେ ଗତ ଶତାବ୍ଦୀର ୫୦ରୁ ୮୦ ଦଶକ ପର୍ଯ୍ୟନ୍ତ ସ୍ଥିତି ଅତ୍ୟନ୍ତ ଦୟନୀୟ ଥିଲା। ସେହି ଅଞ୍ଚଳରେ ଚାଷ ଉପରେ ନିର୍ଭର କରୁଥିବା ଲୋକ ହେଉଛନ୍ତି ଶତକଡା ଶହେ। ତେଣୁ ସବୁ ପରିବାର ପାଇଁ ଥାଏ ତିନିଓଳି ଖାଇବାର ଚିନ୍ତା। ଏହି ଦୃଷ୍ଟିରୁ ଘରର ମୁରବୀ ଅର୍ଥାତ୍ ସଂପୃକ୍ତ ଚାଷୀଟି ଯଥେଷ୍ଟ ଚାପରେ ଥାଆନ୍ତି। ପିଲାମାନଙ୍କୁ ଭଲରେ ମୁଠାଏ ସେମାନେ ଖାଇବାକୁ ଦେଇପାରୁ ନଥିଲେ। ପାଠପଢା ବହି ଦେଇପାରୁନଥିଲେ। କିରୋସିନି ଟିକେ କିଣିବା ପାଇଁ ସାମର୍ଥ୍ୟ ନଥିଲା। ପିଲାମାନେ ଜହ୍ନ ଆଲୁଅରେ ପଢୁଥିଲେ, ନଚେତ୍ ଲେଖାପଢା କରିପାରୁ ନଥିଲେ। ମାଟ୍ରିକ୍‌ ପରୀକ୍ଷା ଫର୍ମ ପୂରଣ ପାଇଁ ପଇସା ନଥିବାରୁ ବହୁ ଯୁବକ ଯୁବତୀ ଅଧାରୁ ପାଠ ଛାଡିବାକୁ ବାଧ୍ୟ ହେଉଥିଲେ। ସେତେବେଳେ ଆଜିକାଲି ପରି ସରକାରୀ ସହାୟତା ନଥିଲା। ଏବେ ସ୍କୁଲ୍‍ ପିଲାଙ୍କୁ ବହି ଖାତା, ପୋଷାକ, ଚପଲ ଓ ସାଇକେଲ୍ ମିଳୁଛି। ବହୁ ସ୍ୱେଚ୍ଛାସେବୀ ସଂଗଠନ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି।

ସେତେବେଳେ ସେହି ଚାଷୀ ପରିବାରଗୁଡ଼ିକରେ ଝିଅ ବିବାହ କଷ୍ଟକର ହୋଇପଡୁଥିଲା, ଏପରିକି ବିବାହ ଅପେକ୍ଷାରେ ଥିବା ଯୁବତୀମାନଙ୍କ ମଧ୍ୟରୁ ଅର୍ଧେକ ଶାୟା-ବ୍ଲାଉଜ୍ ପିନ୍ଧି ପାରୁ ନଥିଲେ, କେବଳ ଶାଢୀଟିଏ ଗୁଡେଇ ହୋଇ ପଡୁଥିଲେ। କାହାଘରେ କଂସା-ପିତଳର ବାସନ କୁସନ ରହିଲା ନାହିଁ । ଗୃହକର୍ତାମାନେ ବାଡିରେ ବଞ୍ଚିଥିବା ବହୁ ପୁରୁଣା ଗଛକୁ ଅଦର ଦରରେ ବିକିଥିଲେ। ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ସେହି ଫସଲ ଅମଳ କରିପାରୁ ନଥିବା ଚାଷୀମାନେ ଚାଷରୁ ଓହରି ନଥିଲେ। ଏହି ପରିପ୍ରେକ୍ଷୀରେ କେତେକ ଘଟଣା ଅବିଶ୍ୱାସ ହେଲେ ବି ସତ। ଏହି ଅଞ୍ଚଳବାସୀଙ୍କର ସବୁ ଦିନେ ଦୁଃଖ ଥିଲେ ବି ପାଇଁ ବୈଶାଖରୁ କାର୍ତ୍ତିକ ମାସ ପର୍ଯ୍ୟନ୍ତ ଅତ୍ୟନ୍ତ ତିରୋଟ ସମୟ। ଭଲରେ ରହିବା, ଶୋଇବା, ଖାଇବା ତଥା ମଳମୂତ୍ର ତ୍ୟାଗ କରିବା ପାଇଁ କଠିନ ସଂଗ୍ରାମ କରିବାକୁ ପଡେ। ଗୃହପାଳିତ ଗାଈଗୋରୁ ଓ ଛେଳି ମେଣ୍ଢା ମଧ୍ୟ ଖାଇବାକୁ ପାଆନ୍ତି ନାହିଁ। କେତେକ ନିର୍ଦିଷ୍ଟ ଗାଆଁର ଲୋକମାନଙ୍କର ପ୍ରାତଃଭୋଜନ ଥିଲା କନ୍ଦମୂଳ ପୋଡ଼ା। ମଧ୍ୟାହ୍ଣ ଭୋଜନରେ କୋଳଥ କିମ୍ବା ବିରି ଜାଉ। ତାହା ସହିତ ତରକାରୀ ସ୍ୱପ୍ନ। ଶୁଖିଲା ଲଙ୍କାକୁ ପୋଡ଼ି, ଲୁଣ ସହିତ ଦଳି ଖାଇବାକୁ ହୁଏ । ଜଣେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀଙ୍କ କହିବା ଅନୁସାରେ ମାତ୍ର ଅଧସେର ଚାଉଳରେ ରନ୍ଧା ହେଉଥିବା ଭାତକୁ ପରିବାରର ୮ଜଣ ବାଣ୍ଟି କରି ଖାଉଥିଲେ। 

ଆମ ଅଞ୍ଚଳରେ ବାଇଗଣ ଓ ଟମାଟୋ ଚାଷ ହେଉଥିଲେ ବି ତାହା ରାସ୍ତାଘାଟ ଅଭାବରୁ ବାହାରକୁ ଯାଇପାରୁନଥିଲା। କେତେକ ପରିବାରର ସଦସ୍ୟ ରାତିରେ ଏହି ଦୁଇଟି ପରିବା ସିଝା ଖାଇ ଶୋଇ ପଡନ୍ତି। ହାଇସ୍କୁଲ କଲେଜ ପିଲାମାନେ ସାବୁନ୍, ସର୍ଫ ବା ଟୁଥ୍ପେଷ୍ଟ୍‍ ଜାଣି ନଥିଲେ। ୧୯୮୦ ମସିହା ପର୍ଯ୍ୟନ୍ତ ବରୀ ବ୍ଲକ୍‍ର ରାମଚନ୍ଦ୍ରପୁରଠାରେ ସ୍ଥାପତ ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟକୁ ଆସୁଥିବା ଛାତ୍ରଙ୍କ ମଧ୍ୟରୁ ପ୍ରାୟ ଅର୍ଧେକ ଥିଲେ ହାଫ୍‌ପ୍ୟାଣ୍ଟ୍‍ ପିନ୍ଧା । ଚଡି ବା ଜଙ୍ଘିଆ ନଥିଲା । ଚପଲ ଆଦୌ ନଥିଲା। କଲେଜ ପଢୁଆ ଝିଅମାନେ ଗୋଟିଏ ଫ୍ରକ୍‍କୁ କିମ୍ବା ଶାଢୀକୁ ଧୋଇ ଶୁଖାଇ ପିନ୍ଧି ଆସୁଥିଲେ। ୧୦ କିଲୋମିଟର ଦୂରରୁ ପିଲାମାନେ ଚାଲିଚାଲି ଆସୁଥିଲେ ଏହି ଅଞ୍ଚଳରେ କାଁଭାଁ କେହି ସାଇକେଲ୍ ଚଢୁଥିଲେ। ଗୋଟିଏ ଦୁଇଟି ରେଡିଓ ଗାଁରେ ଥିଲା। ସହରକୁ ଯିବା ପାଇଁ ବସ୍ ଖଣ୍ଡେ ଧରିବାକୁ ହେଲେ ୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡ଼ୁଥିଲା। ବର୍ଷାଦିନେ ଡଙ୍ଗା ହିଁ କେବଳ ମାଧ୍ୟମ।

ରବି ଋତୁରେ ହେଉଥିବା କିଛି କିଛି ଫସଲ ଉପରେ ଅଧିକ ନିର୍ଭରଶୀଳ ଥାଆନ୍ତି ଚାଷୀ । ବିଶେଷ କରି ବିରି, ମୁଗ, ଧନିଆ ଓ ଚିନା ଚାଷ ଉପରେ ଭରସା। ଚିନା ଏକ ପ୍ରକାର ସୁଆଁ ବା ଘାସ ଜାତୀୟ ଫସଲ। ତାହାର ଶସ୍ୟ ଶାଗୁଦାନା ପରି । ତାହାର ଭାତ କିମ୍ବା ଜାଉ କିଛି ସହାୟକ ହୋଇଥାଏ। ଏବେ ସେହି ଚାଷ ନାହିଁ। ତେବେ ଏହି ରବି ଫସଲକୁ ନେଇ ଚାଷୀମାନେ ୧୫ କିଲୋମିଟର ପର୍ଯ୍ୟନ୍ତ ହାଟକୁ ଯାଆନ୍ତି ଓ ବଦଳରେ ଧାନ ଆଣନ୍ତି। ଶିକାଭାର କାନେ୍ଧଇ ଚାଷୀମାନେ ଦୌଡନ୍ତି। ବହୁ ସମୟରେ ଧାନ ମିଳେ ନାହିଁ। ନିରାଶ ହୋଇ ଫେରିବାକୁ ହୁଏ । ଏହି ପରିପ୍ରେକ୍ଷୀରେ ଅବସ୍ଥା ଅନୁମେୟ । ଉପାସ ଆଉ ଉପାସ। ଚୂଲୀ କାହିଁକି ବା ଜଳିବ? ହାଇସ୍କୁଲ୍ କଲେଜ ପଢୁଆ ପିଲାମାନେ ମଧ୍ୟ ବାପା-ଦାଦାଙ୍କ ସହିତ ଫସଲ ମୁଣ୍ଡେଇ ମୁଣ୍ଡେଇ ଦୌଡନ୍ତି। ତାହାର ପ୍ରତିବଦଳରେ ଧାନ ଆଣି ସଙ୍ଗେ ସଙ୍ଗେ ସିଝେଇ ଶୁଖେଇ କିମ୍ବା ଭାଜିଲା ପରେ କୁଟି ଚାଉଳ କରନ୍ତି। ଚାଷୀମାନଙ୍କ ଦେହରେ ସାର୍ଟ ଖଣ୍ଡେ ନଥାଏ। ସେମାନେ ଲୁଙ୍ଗି ପିନ୍ଧନ୍ତି। ଗାମୁଛା ଖଣ୍ଡେ କାନ୍ଧରେ ପଡିଥାଏ କିମ୍ବା ଅଣ୍ଟାରେ ବନ୍ଧା ହୋଇଥାଏ। ବନ୍ଧୁବାନ୍ଧବ ଗଲେ ସାହିପଡିଶା ଘରୁ ସାର୍ଟ ଓ ଧୋତି ମାଗିବାକୁ ପଡେ । ଏକ ନିର୍ଦିଷ୍ଟ ଗାଁରେ ୧୯୭୦ ମସିହାରେ ମାତ୍ର ୪ ଖଣ୍ଡ ସାର୍ଟ ଥିଲା । ସେଥିରେ ଗ୍ରାମର ୧୦୦ଜଣ ପୁରୁଷ ଲୋକ ଚଳୁଥିଲେ । ଶୀତ ସମୟରେ ଅବସ୍ଥା ଦୟନୀୟ । ଶୀତ ପ୍ରକୋପରୁ ରକ୍ଷା କରିବା ପାଇଁ ହେଁସ କିମ୍ବା ଅଖାଘୋଡାଇ ହୁଅନ୍ତି । ଖଜୁରୀପତ୍ରରେ ବୁଣା ଚଟେଇ ମଧ୍ୟ କାମରେ ଲାଗେ ।

ସେକାଳରେ ମଧ୍ୟ ଋଣ ଭାର ଥିଲା। ସବୁ ଚାଷୀ ସମବାୟ ସଂସ୍ଥାରୁ ଅଳ୍ପ ବହୁତ ଋଣ ଆଣିଥିଲେ। ମହାଜନ ଠାରୁ ମଧ୍ୟ ଋଣ ଆଣୁଥିଲେ। କଣ୍ଟ କବଲା କରୁଥିଲେ। ବହୁ ଚାଷୀଙ୍କ ଜମି ଏହି କାରଣରୁ ଯାଇଛି। ବହୁ ଚାଷୀ ଜୀବନରେ ଥରେ ପୁରୀ ଯାଇ ଜଗନ୍ନାଥଙ୍କ ଦର୍ଶନ କରିପାରି ନାହାଁନ୍ତି। ରୋଗ ବେମାରରେ ପଡିଲେ ତୁଟୁକା ଔଷଧ ଉପରେ କେବଳ ଭରସା । ଅପର ପକ୍ଷରେ ଆଜିକାଲିର ଚାଷୀମାନଙ୍କ ଘରେ ବିଜୁଳି ଜଳୁଛି। ସାଇକେଲ ଅଛି । ଟିଭି ଅଛି । ଏକାଧିକ ହଳ ପୋଷାକ ଅଛି । ଗୋଡରେ ଜୋତା ଅଛି । ଟଙ୍କାକରେ ଚାଉଳ ମିଳୁଛି, କୃଷୀବୀମା ଅଛି । ସ୍ୱାସ୍ଥ୍ୟ ବୀମା ଅଛି । ଋଣ ଛାଡ଼ ହେବାର ସମ୍ଭାବନା ଅଛି। ଅତୀତରେ ଏ ସବୁ ନଥିଲା। ପିଲାମାନଙ୍କର ପୋଷାକ ପରିଚ୍ଛେଦ ବି କମ୍ ନୁହେଁ। ଏହା ଛଡା ଘରେ ଗାଈଗୋରୁ, ଛେଳି, ମେଣ୍ଢା ଓ କୁକୁଡା ଅଛନ୍ତି। ଏଗୁଡ଼ିକର ବଜାର ମୂଲ୍ୟ କମ୍ ନୁହେଁ। ଏହାସତ୍ତ୍ୱେ ସେମାନେ ଆତ୍ମହତ୍ୟା କରୁଛନ୍ତି। ଯଦି ଅତୀତର ସେହି ଫ୍ଲଡଗେଟ୍ ଅଞ୍ଚଳର ଚାଷୀମାନେ ଏଭଳି ଦାରିଦ୍ର୍ୟ, ଶସ୍ୟହାନି ଓ ଋଣଭାରର ବିକଳ୍ପ ଭାବେ ଆତ୍ମହତ୍ୟାକୁ ଧରି ନେଇଥାଆନ୍ତେ, ତେବେ ବରୀ, ବିଞ୍ଝାରପୁର, ଆଳି, ରାଜକନିକା, ରାଜନଗର ଓ ପଟ୍ଟାମୁଣ୍ଡାଇ ଅଞ୍ଚଳର ହଜାର ହଜାର ଚାଷୀ ଆତ୍ମହତ୍ୟା କରି ଥାଆନ୍ତେ। ଅନୁରୂପ ଭାବେ ଉତ୍ତର ବାଲେଶ୍ୱର, ଭଦ୍ରକର ବୈତରଣୀ ଅବବାହିକା, ପୁରୀ ଜିଲ୍ଲାର କଣାସ ଓ ବ୍ରହ୍ମଗିରି ଅଞ୍ଚଳର ଚାଷୀମାନେ ମଧ୍ୟ ହଜାର ହଜାର ସଂଖ୍ୟାରେ ଆତ୍ମହତ୍ୟା କରିଥାଆନ୍ତେ। ସେମାନଙ୍କ ଭୀରୁତା ଓ ଦୁର୍ବଳ ମାନସିକତା ପରବର୍ତୀ ପିଢିକୁ ଆଦୌ ମାନସିକ ଶକ୍ତି ଯୋଗାଇ ନଥାନ୍ତା। ନୂଆ ପିଢି ରାଜ୍ୟ, ଦେଶ ତଥା ବିଦେଶରେ ପ୍ରଭାବଶାଳୀ ହୋଇପାରି ନଥାନ୍ତେ ।

कोई टिप्पणी नहीं:

एक टिप्पणी भेजें