23 जनवरी 2016

ବିପଦରେ ଶିଶୁର ଶିକ୍ଷା ଅଧିକାର

ଅଜବ ରାଜ୍ୟ ଓଡ଼ିଶା। ଏଠି ଶିଶୁ ଅଧିକାର, ଶିକ୍ଷା ଅଧିକାର, ମାନବ ଅଧିକାର, ସବୁ ବନ୍ଧା ପଡ଼ିଛି ପଇସାବାଲାଙ୍କ ପାଖରେ। ଅର୍ଥାତ୍ ଯିଏ ଯେମିତି ପଇସା ଲଗାଇଲା, ସେମିତି ଫଳ ପାଇଲା। ପଇସା ଲଗାଇଥିବା ବ୍ୟକ୍ତି ଗଢ଼ିଥିବା ଅନୁଷ୍ଠାନ ଜରିଆରେ ଯାହା ଦୋଷ କଲେ ବି ସବୁ ମାଫ୍। ଗଣତନ୍ତ୍ରର ଖୁମ୍ବ କୁହାଯାଉଥିବା କାର୍ଯ୍ୟପାଳିକା(Executive), ବ୍ୟବସ୍ଥାପିକା(Lagislature), ନ୍ୟାୟପାଳିକା(Judiciary), ଗଣମାଧ୍ୟମ (Media) ସମସ୍ତେ ମୂକ ପାଲଟି ଯାଇଛନ୍ତି! କାରଣ ପାଇଁ ଏହି  ଉଦାହରଣ ନିଆଯାଇପାରେ।
 

‘‘ଭୁବନେଶ୍ଵର ମଡ଼େଲ ପବ୍ଲିକ୍ ସ୍କୁଲ୍’’ (BMPS), ଯାହାକି ଆଗରୁ Takshila School ଥିଲା। କିନ୍ତୁ କୌଣସି କାରଣରୁ ଏହା ନିଜର ନାମ ଓ ପରିଚୟ ବଦଳାଇବା ପରେ ମଧ୍ୟ Takshila School ଶବ୍ଦକୁ ବ୍ୟବହାର କରି ଅଭିଭାବକଙ୍କୁ ଉଦ୍ଭ୍ରାନ୍ତ କରି ଚାଲିଛି। ଭୁବନେଶ୍ଵରର N5, IRC Villageରେ ଥିବା ଏହି ସ୍କୁଲ୍ର ଏକାଧିକ ଛାତ୍ରଛାତ୍ରୀ ଅତ୍ୟାଚାର ଓ ଶୋଷଣର ଶିକାର ହୁଅନ୍ତେ ଏ କଥା ପଡ଼ିଲା ଜଣାଶୁଣା ଅଧିକାର-କର୍ମୀ ପ୍ରଦୀପ ପ୍ରଧାନଙ୍କ କାନରେ। ସେ ‘‘ଓଡ଼ିଶା ମାନବାଧିକାର ଆୟୋଗ’’(OHRC), ‘‘ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ’’(OSCPCR)ଙ୍କୁ ଲେଖିଲେ। ଏହି ମର୍ମରେ ଶିଶୁ ମଙ୍ଗଳ କମିଟି (CWC), ଖୋର୍ଧାକୁ ମଧ୍ୟ ନିବେଦନ କରାଯାଇଛି। ନବମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ବର୍ଷଟେ ସେହି ଶ୍ରେଣୀରେ ଅଟକାଇଦେବାକୁ ବାଧ୍ୟ କରିଥିଲେ, ସେମାନଙ୍କ ଅଭିଭାବକେ ମଧ୍ୟ ‘‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’’ ପାଖରେ ଲିଖିତ ଗୁହାରି କଲେ। କିନ୍ତୁ ଏବେ ଜାଣିବାକୁ ପାଉଛୁ ଯେ ଗୁହାରି ଶୁଣିବାର କର୍ତ୍ତୃପକ୍ଷମାନେ ସଂପୃକ୍ତ ପବ୍ଲିକ୍ ସ୍କୁଲ୍ (ପ୍ରକୃତରେ ପ୍ରାଇଭେଟ୍ ସ୍କୁଲ)କୁ ମୁଣ୍ଡରେ ବସାଇ, ବରଂ ଗୁହାରିଆ ଅଭିଭାବକମାନଙ୍କୁ ତାଗିଦ୍ କରିଛନ୍ତି।
 
ସବୁଠୁ ବିସ୍ମୟକର କଥାଟି ହେଲା ସୂଚନା ଅଧିକାର ବଳରେ ଜଣାପଡ଼ିଛି ଯେ ଶିକ୍ଷା ଅଧିକାର ନିୟମ, ୨୦୧୦ ଅନୁସାରେ ଏହି BMPS ସ୍କୁଲ୍ର No Objection Certificate (NOC) ନାହିଁ। NOC ନଥିବା ଏକ ଅନୁଷ୍ଠାନ ହୁଏତ ଏକ ଟ୍ୟୁସନ କେନ୍ଦ୍ର ହୋଇପାରେ। କିନ୍ତୁ ସ୍କୁଲ୍ ପଦବାଚ୍ୟ ନୁହେଁ। ହେଲେ ଏବେ ନିଜର ପ୍ରଚାର ପାଇଁ ୨୦୧୬ ଜାନୁଆରି ୨୬ରେ ଓଡ଼ିଶାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହର ପରେଡ଼୍‌ରେ ଏହି ତଥାକଥିତ ସ୍କୁଲ୍‌ଟି ଭାଗ ନେବାକୁ ଯାଉଛି। ରାଜ୍ୟର Home Dept. ଏହି ସମାରୋହର ଆୟୋଜକ ହୋଇଥିବା ବେଳେ ଏଥିପାଇଁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତ୍ତରଦାୟୀ ରହିଥାଆନ୍ତି। ତେବେ ଉଭୟ ରାଜ୍ୟମୁଖ୍ୟଙ୍କ ଚାରିପାଖେ ଖଟୁଥିବା ଛାମୁଆ ପ୍ରଶାସକମାନଙ୍କ ଅଜ୍ଞତା ଯୋଗୁ ଏଭଳି ଖେଳ ଏ ରାଜ୍ୟରେ ଚାଲିଛି ଓ ଚାଲିଥିବ ବୋଲି ଆମେ କହିବା କି? 

ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ। ଅର୍ଥାତ୍‌ ଆଇନର ରକ୍ଷକ। କିନ୍ତୁ ଆଇନ ଉଲ୍ଲଂଘନକାରୀ ଗୋଟିଏ ଅନୁଷ୍ଠାନର ପରେଡ଼୍‌ ଓ ପ୍ରଦର୍ଶନକୁ ଉପଭୋଗ କରିବା କ’ଣ ଆଇନର ରକ୍ଷକଙ୍କ ପାଇଁ ଏକ ବିରୋଧାତ୍ମକ ଆଚରଣ ନୁହେଁ କି? ଏହା ନିଶ୍ଚିତ ରୂପେ ରାଜ୍ୟର ପ୍ରଥମ ନାଗରିକଙ୍କ ପ୍ରତି ଏକ ଅସମ୍ମାନଜନକ କାରବାର। ଆଉ ଏକ ପ୍ରଶ୍ନ ହେଲା ସରକାରୀ କର୍ତ୍ତୃପକ୍ଷମାନେ ଶିଶୁମାନଙ୍କ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ପରିବର୍ତେ ସ୍କୁଲ୍‌ର ବେପାରକୁ ସୁରକ୍ଷା ଦେବାରେ କାହିଁକି ଲାଗିଛନ୍ତି?
 
ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଥିବା ସେହି ଛାତ୍ରଛାତ୍ରୀମାନେ କ’ଣ ଆତ୍ମହତ୍ୟା ଭଳି ପନ୍ଥା ବାଛିଲା ପରେ ସରକାରଙ୍କ ନିଦ ଭାଙ୍ଗିବ? ଓଡ଼ିଶାର ଗଣମାଧ୍ୟମ ଖୁମ୍ବକୁ ଏ ଚର୍ଚାରେ ସାମିଲ କରୁନୁ। 

ବନ୍ଦେ ମାତରମ୍; ବନ୍ଦେ ଉତ୍କଳ ଜନନୀ…