14 अप्रैल 2016

ଭାଗଚାଷୀ - ସ୍ୱୀକୃତି ପାଇଁ ସ୍ୱୀକାରୋକ୍ତି

ଭୁବନେଶ୍ୱର, ୧୪/୦୪/୨୦୧୬: ଆଜି ସ୍ଥାନୀୟ ବୁଦ୍ଧମନ୍ଦିର ସଭାଗୃହରେ ଭାଗଚାଷୀଙ୍କ ସ୍ୱୀକୃତି ଉପରେ ଏକ କର୍ମଶାଳା ହୋଇଯାଇଛି।୨୦୧୫ ଖରିଫ‌୍ ଫସଲ ହାନି (ମରୁଡ଼ି) ପରେ ଭାଗଚାଷୀଙ୍କ ଅସ୍ତିତ୍ୱକୁ ନେଇ ଉଠୁଥିବା ପ୍ରଶ୍ନ ହିଁ ଥିଲା ଏ କର୍ମଶାଳାର ମୂଳ ପ୍ରସଙ୍ଗ। ପ୍ରତିଭାଗୀମାନଙ୍କ ବକ୍ତବ୍ୟ ଓ ମତାମତରୁ ଜଣାଗଲା ଯେ ଓଡ଼ିଶା ଭୂସଂସ୍କାର ଅାଇନ ୧୯୬୦ ଅନୁସାରେ ଓଡ଼ିଶାରେ ଚାଷଜମିକୁ ଭାଗଚାଷରେ ଲଗାଯାଇପାରିବ ନାହିଁ। କେବଳ ମଠ ଓ ମନ୍ଦିର ଗୁଡ଼ିକର ଭୂସମ୍ପତ୍ତିକୁ ଭାଗଚାଷରେ ଲଗାଯାଇପାରିବ। କିନ୍ତୁ ମଠ ଓ ମନ୍ଦିର ମାଲିକାନାରେ କେତେ ଚାଷଜମି ଅଛି ଏବଂ କେଉଁ କେଉଁ ଚାଷୀମାନେ ତହିଁରେ ଚାଷବାସ କରି ଭୋଗଦଖଲ କରୁଛନ୍ତି, ସେସଂକ୍ରାନ୍ତ କୌଣସି ତଥ୍ୟ ମଧ୍ୟ ସରକାର ଦେଉ ନାହାନ୍ତି। ଅନ୍ୟ ପକ୍ଷରେ ଯଦି କେହି ନିଜ ଜମିକୁ ଭାଗଚାଷରେ ଲଗାଇବାକୁ ଚାହୁଛନ୍ତି, ତେବେ ସେ ଓ ଭାଗଚାଷୀଙ୍କ ମଧ୍ୟରେ ତହସିଲଦାରଙ୍କ ଇଜଲାସରେ ରାଜିନାମା କରିବାକୁ ହେବ ବୋଲି ରାଜ୍ୟ ସରକାରଙ୍କ ନିର୍ଦେଶନାମା ରହିଛି। କିନ୍ତୁ ହାତରୁ ଜମିମାଲିକାନା ଖସିଯିବା ଭୟରେ ଜମିମାଲିକମାନେ ଆଇନକାନୁନ ବାଟରେ କୌଣସି ଭାଗଚାଷ ରାଜିନାମା କରୁନାହାନ୍ତି। ଫଳରେ ସରକାର ଟାକି ବସିଥିବା ଭାଗଚାଷୀ ତାଲିକା ସମ୍ଭବ ହେଉନାହିଁ।

ଭାଗଚାଷୀମାନେ ମୁଖ୍ୟତଃ ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଓଡ଼ିଶାର ସବୁ ଅଞ୍ଚଳରେ ଏଭଳି ଚିତ୍ର ଦେଖିବାକୁ ମିଳେ। ୧୯୭୧ ମସିହା ସୁଦ୍ଧା ଜମିଦାରୀ ବ୍ୟବସ୍ଥା ଉଚ୍ଛେଦ ହେବା ବେଳକୁ ଚାଷକ୍ଷେତର ଅାକାର (Land holding) ବର୍ଷକୁ ବର୍ଷ ଛୋଟ ହେବାରେ ଲାଗିଛି। ଏଣେ ୧୯୭୧ ତୁଳନାରେ ୨୦୧୧ ମସିହାର ଚାଷ ଜଡ଼ିତ ବ୍ୟୟ ୧୦୦ ଗୁଣ ବଢ଼ିଛି। ଫଳରେ ହଳଲଙ୍ଗଳ ଛାଡ଼ି କଳଲଙ୍ଗଳକୁ ଆପଣାଇବା ଯେତିକି କଷ୍ଟକର ହେଉଛି, ଚାଷ ଖର୍ଚ ସମ୍ଭାଳିବା ମଧ୍ୟ ସେତିକି କଷ୍ଟକର ହୋଇପଡ଼ିଛି। ଏଣେ ସ୍ୱଚ୍ଛଳ ପରିବାରର ଲୋକମାନେ ଚାଷ ଭିନ୍ନ ଅନ୍ୟ ଧନ୍ଦାରେ ଲିପ୍ତ ରହି ଜମିଗୁଡ଼ିକୁ ଭାଗ ଚାଷରେ ଲଗାଉଛନ୍ତି। ଅନେକ ସ୍ୱଚ୍ଛଳ ବ୍ୟକ୍ତି ସହରବାସୀ ପାଲଟିବା ସହ ଗ୍ରାମାଞ୍ଚଳର ଜମିଗୁଡ଼ିକୁ ଭାଗଚାଷରେ ଲଗାଉଛନ୍ତି। ଏପରିକି ଚାଷରୁ ପରିବାର ପ୍ରତିପୋଷଣ କରି ନପାରି ଚାକିରି ବା ଅନ୍ୟ ଧନ୍ଦାରେ ସହରର ବାସିନ୍ଦା ପାଲଟିଥିବା ଅଳ୍ପଜମିବାଲା ଲୋକେ ମଧ୍ୟ ଚାଷରୁ ଯାହାକିଛି ଆୟ ଆଶାରେ ଭାଗଚାଷୀଙ୍କ ହାତରେ ଜମିକୁ ଟେକି ଦେଉଛନ୍ତି। ଯାହାବି ହେଉ ଜମିମାଲିକ(ରୟତ) ଓ କୃଷକକୁ ନେଇ କୃଷିର ପରିଭାଷା ତଥା ସମୀକରଣ ବ୍ୟାପକ ଭାବେ ବଦଳିବାରେ ଲାଗିଛି। ତଥାପି ଭାଗଚାଷକୁ ମାନ୍ୟତା ଦେବା ପାଇଁ ସରକାର କୌଣସି ଅାଇନଗତ ସୁରକ୍ଷା ଦେବା ସ୍ଥଳେ ସାମନ୍ତବାଦୀ ବ୍ୟବସ୍ଥାକୁ ଚଳାଇ ରଖିଛି। ଅଥଚ ପଶ୍ଚିମବଂଗ, କେରଳ, ଅାନ୍ଧ୍ରପ୍ରଦେଶ ଆଦି ରାଜ୍ୟରେ ଭାଗଚାଷୀଙ୍କୁ ମର୍ଯ୍ୟାଦା ଦେଇ କୃଷି ବିକାଶକୁ ରାଜ୍ୟର ବିକାଶର ଅଂଗ କରାଯାଇଛି। ଏଣେ ଓଡ଼ିଶାରେ ନାଲିଫିତା ତଳେ ଅଟକି ରହିଛି ଭାଗଚାଷୀ ବା ପ୍ରକୃତ ଚାଷୀ(କୃଷକ)ଙ୍କ ଭାଗ୍ୟ। ମୁଖ୍ୟତଃ ଭୂମିହୀନଙ୍କୁ କୃଷକ ବା ଚାଷୀର ମାନ୍ୟତା ମିଳୁ ନାହିଁ। ଏଣୁ ସରକାରୀ କରଜ ବା ସିଧାସଳଖ ବ୍ୟାଙ୍କରୁ କରଜ କରିବାକୁ ସୁଯୋଗ ପାଇପାରୁନି ଭାଗଚାଷୀ। ଫଳସ୍ୱରୂପ ହାତଉଧାରି ବା ମହାଜନୀ ଋଣ ଅଥବା ବେସରକାରୀ ଋଣ ଉଠାଇବାକୁ ବାଧ୍ୟ ହେଉଛି ଭୂମିହୀନଚାଷୀ ବା ଭାଗଚାଷୀ।

ଅନ୍ୟପକ୍ଷରେ ସରକାରୀ ଚାକିରିଅାଙ୍କ କ୍ରୟଶକ୍ତି ୧୯୮୪ ତୁଳନାରେ ୨୦୧୪ ବେଳକୁ ୧୦୦ ଗୁଣ ବଢ଼ିଛି। ଅଥଚ ଜମିମାଲିକ-କୃଷକଙ୍କ କ୍ରୟଶୀଳତା ସେହି ହାରରେ ବଢ଼ିପାରି ନାହିଁ। ୧୯୮୪ରେ ଯେଉଁ ସରକାରୀ ଅଧିକାରୀଙ୍କ ଦରମା ୧୫୦୦ ଟଙ୍କା ଥିଲା, ସେମାନଙ୍କ ଦରମା ୪୫୦୦୦ ଟଙ୍କାକୁ ବଢ଼ିଥିବା ବେଳେ କୃଷିଶ୍ରମିକଙ୍କ ମଜୁରି ୨ଟଙ୍କାରୁ ବଢ଼ିଛି ୨୦୦ ଟଙ୍କା ବା ତାହାଠୁ ବେଶି। କିନ୍ତୁ ସେହି ହାରେ କୃଷି ଉତ୍ପାଦନ ବଢୁ ନାହିଁ କି କୃଷିଜାତଦ୍ରବ୍ୟର ମୂଲ୍ୟବୃଦ୍ଧି ହୋଇ ନାହିଁ। ଏହି କାରଣରୁ ମଧ୍ୟ ରୟତ-କୃଷକମାନେ କୃଷି ଛାଡ଼ିଛନ୍ତି।

ଅନ୍ୟ ଏକ ଗୁରୁତ୍ଵପୂର୍ଣ କଥା ହେଲା, ବ୍ୟାଙ୍କମାନେ ଉତ୍ତରଦାୟୀ(Accountable) ସଂଗଠନ ହୋଇ ନଥିବାରୁ କୃଷିଋଣ ପ୍ରଦାନରେ କୌଣସି ସହୃଦୟତା ରହୁ ନାହିଁ। ସେହିଭଳି କୃଷି ପାଇଁ ଅତି ଜରୁରୀ ଜଳସେଚନ ଓ ଜଳନିଷ୍କାସନ ବ୍ୟବସ୍ଥା ମଧ୍ୟ ଏକ ଠକାମିରେ ପରିଣତ ହୋଇଛି। ବିଭାଗୀୟ ଅଧିକାରୀମାନେ ନୂଅା ସେଚପ୍ରକଳ୍ପ ଗଢ଼ିବାକୁ କନକନ ହେଉଥିବା ବେଳେ ପୁରୁଣା ପ୍ରକଳ୍ପର ପୁନରୁଦ୍ଧାର ପାଇଁ ଆଗ୍ରହ ଦେଖାଉନାହାନ୍ତି। ଏଥିରେ ରାଜ୍ୟର/ଦେଶର ସମ୍ବଳ ନଷ୍ଟ ହେଉଛି। କାରଣ ପ୍ରକଳ୍ପ କେବେହେଲେ ଲକ୍ଷ୍ୟମୁତାବକ ସରୁ ନାହିଁ କି ଚାଷୀଙ୍କ କାମରେ ଆସୁନାହିଁ। କେବଳ ବର୍ଷାପାଣି ଉପରେ ନିର୍ଭରଶୀଳ ହେଉଛି, ଓଡ଼ିଶାର କୃଷି କ୍ଷେତ୍ର।

ଏହି କର୍ମଶାଳାରେ ଜଣେ ହେଲେ ଭାଗଚାଷୀ ନଥିଲେ। କାରଣ ସେମାନେ ଏବେ ବି ଚାଷଜମିମାଲିକମାନଙ୍କ ସାମନ୍ତବାଦୀ ଶୋଷଣର ଭୟକୁ ନିଜ ଜୀବନର ଅଂଶବିଶେଷ କରି ନେଇଛନ୍ତି। ଓଡ଼ିଶାର ଏକ ଅସଂଗଠିତ ବର୍ଗ ହେଉଛନ୍ତି ଭାଗଚାଷୀଗଣ। ଅନେକ ଭାଗଚାଷୀଙ୍କର ମାଲିକାନାରେ ଆଦୌ ଚାଷକ୍ଷେତ ନଥିବାରୁ ସେମାନେ ଅାତ୍ମହତ୍ୟା କଲେ ମଧ୍ୟ ତାହା ପ୍ରେମ ବା ପାରିବାରିକ କାରଣରୁ କହି ସରକାର ଫାଙ୍କି ଦେଉଛି। ତେବେ ବଡ଼ କଥା ଥିଲା କର୍ମଶାଳାର ସଂଖ୍ୟାଧିକ ପ୍ରବକ୍ତା ଥିଲେ ଉଚ୍ଚଜାତିର। ସେମାନେ ସ୍ୱୀକାର କରିଥିଲେ ଯେ ଯିଏ ଜମିରୁ ଫସଲ ଉତ୍ପାଦନ କରୁଛି, ସେ ହିଁ ଚାଷୀ ପଦବାଚ୍ୟ। ବିବାଦ (Conflict) ଯୁଗ ଚାଲିଯାଇଛି, ଏବେ ସମାଧାନ (Resolution)ର ଯୁଗ। ଏହି ସମାଧାନ ନିର୍ଭର କରୁଛି ଉଚ୍ଚଜାତିର ଚାଷଜମି ମାଲିକଙ୍କ ଉପରେ। ଭାଗଚାଷୀ ବା ଦଳିତ୍/ଆଦିବାସୀ ଚାଷୀଙ୍କୁ ସେମାନଙ୍କ ଅଧିକାର ଦେବାର ସମୟ ଆସିଛି। ଭାଗଚାଷୀମାନଙ୍କୁ ସ୍ୱୀକୃତି ଦେବାକୁ ଏହି କର୍ମଶାଳାରେ ଉପଯୁକ୍ତ ବ୍ୟକ୍ତିମାନେ ସ୍ୱୀକାରୋକ୍ତି ଦେଇଛନ୍ତି। ଏହା ଏକ ଆରମ୍ଭ ମାତ୍ର।

‘‘ଲୋକସାମ୍ମୁଖ୍ୟ’’ ଏହି ପ୍ରଥମ କର୍ମଶାଳାକୁ ଆୟୋଜନ କରିଥିଲା। ପରେ ଅନ୍ୟ ବ୍ୟାନରରେ ଏହା ଆୟୋଜିତ ହେବ। ତେବେ ତାହା ସହ ଗଢ଼ା ହେବ ଭାଗଚାଷୀମାନଙ୍କର ଏକ ରାଜ୍ୟସ୍ତରୀୟ ଟ୍ରେଡ଼‌ ୟୁନିଅନ‌୍।