25 अप्रैल 2016

ଓକିଲ ନା ଐକିକ ଧାରା: ପ୍ରାସଙ୍ଗିକ କେଉଁଟି?

୨୪ ଏପ୍ରିଲ୍‌ ୨୦୧୬। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା ମୁଖ୍ୟମନ୍ତ୍ରୀ ଓ ମୁଖ୍ୟବିଚାରପତି ସମ୍ମିଳନୀ। ନିଜର ଅଭିଭାଷଣ ରଖିବା ବେଳେ ଭାରତର ମୁଖ୍ୟବିଚାରପତି ନ୍ୟାୟମୂର୍ତି ତୀର୍ଥସିଂହ ଠାକୁର କାନ୍ଦି ପକାଇଲେ; ହଜାର ହଜାର ବିଚାରାଧୀନ ବନ୍ଦୀ, କାରାଗାରରେ ଶଢୁଥିବା ବେଳେ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ ପାଇଁ ବିଚାର ବ୍ୟବସ୍ଥାକୁ ଦାୟୀ କରାଯାଉଛି ବୋଲି। ନ୍ୟାୟମୂର୍ତି ଠାକୁର ଭାବପ୍ରବଣ ହୋଇ ଗଣିତର ଐକିକ ଧାରାର ଉଦାହରଣ ଦେଇଥିଲେ। ଗୋଟିଏ ସଡ଼କର ନିର୍ମାଣକୁ ୫ଜଣ ଶ୍ରମିକ ୧୦ ଦିନରେ ସାରିଲେ, ତାହାକୁ ଗୋଟିଏ ଦିନରେ କେତେ ଜଣ ଶ୍ରମିକ ସାରିବେ ? ଏହାର ଉତ୍ତର ହେବ ୫୦ ଜଣ ଶ୍ରମିକ। ତୁରନ୍ତ ବିଚାରପତିଙ୍କ ଖାଲି ପଦଗୁଡ଼ିକ ପୂରଣ କରିବା ଦିଗରେ ସରକାରଙ୍କୁ ପ୍ରରୋଚିତ କରିବାକୁ ଏହି ଉଦାହରଣ ବେଶ୍‌ ବଳିଷ୍ଠ। କିନ୍ତୁ ଏହି ଐକିକଧାରା ଗଣିତ ସବୁ କ୍ଷେତ୍ରରେ କାର୍ଯ୍ୟକ୍ଷମ ନୁହେଁ। ଭାରତର ନ୍ୟାୟପାଳିକା Fast Track Court ଭଳି ପ୍ରକଳ୍ପର ପରୀକ୍ଷା ନିରୀକ୍ଷା କରିସାରିଛି। ସଫଳ ହୋଇଛି କି? ଏହାର ଉତ୍ତର ଆପଣମାନେ ଜାଣନ୍ତି। ଗଣିତ ସବୁ କ୍ଷେତ୍ରରେ ସଠିକ୍‌ ନୁହେଁ, କେତେକ କ୍ଷେତ୍ରରେ କାଣ୍ଡଜ୍ଞାନ (Common Sense) ମଧ୍ୟ ଗାଣିତିକ ଉତ୍ତରକୁ ପ୍ରଭାବିତ କରିବା ଆବଶ୍ୟକ ହୋଇଥାଏ। ଉଦାହରଣ, ଗୋଟିଏ ବରଗଛର ଗୋଟିଏ ବଡ଼ ଡାଳରେ ୧୭ଟି ଶୁଆ ବସିଥିଲେ। ଜଣେ ବାଣୁଆ ଆସି ଢୋ କରି ଗୁଳିଟିଏ ମାରିବାରୁ ଶୁଆଟିଏ ସଟ୍‌କିନି ତଳେ ପଡ଼ିଗଲା। ତେବେ ଡାଳରେ ଆଉ କେତେଟି ଶୁଆ ରହିଲେ। ଗଣିତ ପାଠ ଅନୁସାରେ ଡାଳରେ ୧୬ଟି ଶୁଆ ରହିଲେ। କିନ୍ତୁ ଏହା ଭୁଲ୍‌ ଉତ୍ତର। କାରଣ ସେହି ଡାଳରେ ବାସ୍ତବରେ ଗୋଟିଏ ବି ଶୁଆ ଆଉ ରହିବେ ନାହିଁ। ବନ୍ଧୁକର ଗୁଳି ଶବ୍ଦ ଶୁଣି ଶୁଆମାନେ ଦୂରକୁ ଉଡି ପଳାଇଯାଇଥିବେ।

ଏହି ଉଦାହରଣ ଦେବାର ଉଦ୍ଦେଶ୍ୟ ହେଲା, ଦେଶ ଯେତେବେଳେ ଆଇନଜୀବୀ (ଓକିଲ) ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍‌ମାନଙ୍କ ନିୟନ୍ତ୍ରଣରେ ଅଛି, ସେତେବେଳେ କୌଣସି ବଡ଼ କଥା ଚିନ୍ତା କରିବା ବେଳେ ଏମାନଙ୍କ ସଂପୃକ୍ତି ଓ ପ୍ରଭାବକୁ ବିଶ୍ଳେଷଣ କରିବା ଜରୁରୀ। ଲଣ୍ଡନଗାମୀ Art of Leavingର ସଦ୍ୟତମ ଓସ୍ତାଦ୍‌ ବିଜୟ ମାଲ୍ୟାଙ୍କ ସାଂପ୍ରତିକ ଠକେଇ ଦିନକର କଥା ନୁହେଁ ବା ସେ ଏକାଏକା ଏତେ ବାଟ ଆସି ନାହାନ୍ତି। ଏହା ପଛରେ ଉପରୋକ୍ତ ଦୁଇ ବର୍ଗର ବ୍ୟକ୍ତିମାନେ ଅବଶ୍ୟ ଅଛନ୍ତି। ସରକାର କେବଳ ପାସ୍‌ପୋର୍ଟ ରଦ୍ଦ କରି ଦେଇ ବସିଛନ୍ତି। କିନ୍ତୁ ତାଙ୍କର ଆଇନ ଉପଦେଷ୍ଟା ଓ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ୍‌ ମାନଙ୍କୁ ଆଜି ସୁଦ୍ଧା ଧରି ନାହାନ୍ତି। ଏବେ ଫେରିବା ମୂଳ ପ୍ରସଙ୍ଗକୁ। ବିଚାରପତି ସଂଖ୍ୟା ସମାନୁପାତିକ ହେଲେ ମଧ୍ୟ ମାମଲା ସଂଖ୍ୟା କମିବ ନାହିଁ। କାରଣ ଓକିଲମାନେ ହିଁ ବିଚାରାଳୟର ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଆନ୍ତି। ଦେଖାଯାଏ ଯେ ଅନେକ ବିଚାରପତିଙ୍କ ବାହ୍ୟଜ୍ଞାନ, ବାସ୍ତବତା ଜଡ଼ିତ ଜ୍ଞାନ ବହୁତ୍‌ କମ୍‌। ସେମାନେ ନିଜ ପରିସରରେ କାର୍ଯ୍ୟରତ କିଛି ଓକିଲଙ୍କ ଠାରୁ ମଧ୍ୟ ଅନଭିଜ୍ଞ ଓ ଅପରିପକ୍ଵ। ତେଣୁ ସେମାନେ ଓକିଲଙ୍କ ଇସାରାରେ ନିଷ୍ପତ୍ତି ନେବାକୁ ବାଧ୍ୟ ହୁଅନ୍ତି। ତେଣୁ ବିଚାରପତି ଚୟନ ପ୍ରକ୍ରିୟାରେ ଦୋଷ ରହିଛି। କିଛି ଦିନ ତଳେ କଲେଜିୟମ୍‌ ଉଚ୍ଛେଦ ପ୍ରସଙ୍ଗରେ ବରିଷ୍ଠ ବିଚାରପତିମାନେ ସେମାନଙ୍କ ଅହଂକାରର କସରତ କରି ସାରିଛନ୍ତି। ଏବେ ଭାବପ୍ରବଣ ହୋଇ ପ୍ରଧାନବିଚାରପତି ଯାହା ବାର୍ତା ଦେବାକୁ ଚେଷ୍ଟା କଲେ ବି ଅନ୍ୟ ଅନାଲୋଚିତ ଦିଗଗୁଡ଼ିକୁ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି। ପ୍ରଥମତଃ ବିଚାରପତି ଚୟନ ଆମ୍ଭ ମତରେ କାର୍ଯ୍ୟରତ ଓକିଲ (Practicing Lawyer) ଙ୍କ ମଧ୍ୟରୁ କରାଯିବା ବିଧେୟ। ଏ ଚୟନ ପ୍ରକ୍ରିୟା ଗାଣିତିକ ଫଳାଫଳ ଭଳି ନହୋଇ ଏଥିରେ ସଂପୃକ୍ତ ପ୍ରାର୍ଥୀଙ୍କ ବିଗତ ଦିନର ମାମଲା ପରିଚାଳନା ଦକ୍ଷତା, ହାସଲ କରିଥିବା ଚୂଡ଼ାନ୍ତ ରାୟ ଆଦିକୁ ବିବେଚନା କରାଯାଉ। ଅବଶ୍ୟ ଏ କାମ ପାଇଁ କିଛି ସଚ୍ଚୋଟ ଓ ଦଣ୍ଠା ନ୍ୟାୟମୂର୍ତିଙ୍କର ସମନ୍ୱୟ ମଣ୍ଡଳୀ ଲୋଡ଼ା ହେବେ। ଅନ୍ୟ ପ୍ରସଙ୍ଗଟି ହେଲା ମାମଲା ଫୈସଲାର ମନୋବୃତ୍ତି ଓ ଇଚ୍ଛାଶକ୍ତି। ଯାହାକି ଏକ ରାଷ୍ଟ୍ରୀୟ ଚରିତ୍ରକୁ ପ୍ରତିନିଧିତ୍ଵ କରିଥାଏ। Mark fetching ଶିକ୍ଷା ବ୍ୟବସ୍ଥାରେ ଏହାର ଭିତ୍ତିଭୂମି ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ଦେଶର ନ୍ୟାୟପାଳିକା ମୁଣ୍ଡେଇଥିବା ବ୍ୟକ୍ତିମାନେ ଇଂଲିଶ୍‌ ମାଧ୍ୟମ ଶିକ୍ଷାରୁ ଆସି ନାହାନ୍ତି ତ? ଏହି ପ୍ରଶ୍ନର ଉତ୍ତରରେ ହିଁ ରହିଛି ସମଗ୍ର ସଂକଟର ସିଂହଭାଗ ସମାଧାନ। କାରଣ ସେମାନେ ହୁଏତ ଜାଣିବାରେ ବିଳମ୍ବ ହେବ ଯେ ବରଗଛ ଡାଳରେ ଅବଶିଷ୍ଟ ଶୁଆ ସଂଖ୍ୟା ଷୋହଳ କି ଶୂନ!

ସିଙ୍ଗାପୁର ଓ ସାଉଦୀଆରବ ଗୋଟିଏ ଗୋଟିଏ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପଛରେ ରହିଛି ଏକ ବଳିଷ୍ଠ ନ୍ୟାୟପାଳିକାର ଅବଦାନ। ଏଠାରେ ‘ଅବଦାନ’ ଶବ୍ଦକୁ ଆପଣ ‘ଭୂମିକା’ ରୂପେ ମଧ୍ୟ ଅର୍ଥ କରି ପାରନ୍ତି। କଠୋର ଦଣ୍ଡ ବ୍ୟବସ୍ଥାକୁ ଭାରତରେ ବିରୋଧ କରାଯିବାଟା ଏକ ଭାବପ୍ରବଣତାର ନମୁନା। ଭାବପ୍ରବଣତାରେ ଦେଶ ଚାଲି ପାରିବନି। ଉଦାହରଣ:- ୫ ଜୁଲାଇ ୨୦୧୪ରେ ଉତ୍ତର ୨୪-ପ୍ରଗଣା ଜିଲ୍ଲା ବାମୁନଗାଚ୍ଛିର ଜଣେ କଲେଜ ଛାତ୍ର ସୌରଭ ଚୌଧୁରୀଙ୍କ ହତ୍ୟା ମାମଲାରେ କୋଲକାତାର ଏକ ଅଦାଲତ ୧୯ ଏପ୍ରିଲ୍‌ ୨୦୧୬ରେ ରାୟ ପ୍ରକାଶ କଲେ। ହତ୍ୟା ଘଟଣାର ମାତ୍ର ୨୨ ମାସ ମଧ୍ୟରେ କୌଣସି ଅଦାଲତ ରାୟ ଦେବାଟା ଦେଶ ପାଇଁ ଆଶାଉଦ୍ଦୀପକ ହୋଇଥିବା ବେଳେ ରାୟରେ ପ୍ରକାଶ ପାଇଥିବା ଦଣ୍ଡାଦେଶ ଅନେକଙ୍କୁ ଅଡ଼ୁଆ ଲାଗିପାରେ। କାରଣ ସେଥିରେ ହତ୍ୟାକାରୀ ଶ୍ୟାମଲ କର୍ମକାର ଗ୍ୟାଙ୍ଗ୍‌ର ୮ ଜଣଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇ ଦିଆଯାଇଛି।  ଆମ୍ଭ ମତରେ ସେହି ୮ଜଣଙ୍କୁ ଆଦୌ ଫାଶୀ ହେବ ନାହିଁ, ବରଂ ଏକ ଉଚ୍ଚତର ଅଦାଲତ ସେହି ଦଣ୍ଡକୁ କୋହଳ କରିବା ଯାଏଁ କଥା ଯିବ। ଓଡ଼ିଶାରେ ମଧ୍ୟ ୨୦୧୪-୧୫ରେ ଏକାଧିକ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। କିନ୍ତୁ କାହାରିକୁ ଫାଶୀରେ ଝୁଲାଯାଇ ନାହିଁ। ତେବେ ସଦ୍ୟ ପ୍ରକାଶିତ କୋଲକାତା ଅଦାଲତଙ୍କ ରାୟ ପଛରେ ବିଜେପି ଓ ତୃଣମୂଳ କଂଗ୍ରେସ୍‌ର ରାଜନୀତିକ ସଂପର୍କ ରହିଥିବାରୁ ନିର୍ବାଚନ ପରେ ଏହି ମାମଲାକୁ ନେଇ ନୂଆ ଖେଳ ଆରମ୍ଭ ହେବ। ଆଶ୍ଚର୍ଯ୍ୟର କଥା ଯେ ସାଧାରଣ ନାଗରିକେ ବି ରାଜରାସ୍ତାରେ ପ୍ଲାକାର୍ଡ଼ ଧରି ଫାଶୀଦଣ୍ଡକୁ ବିରୋଧ କରିବେ! ସୋସିଆଲ ମିଡ଼ିଆରେ ଶହଶହ ପୋଷ୍ଟ୍‌ ଛାଡ଼ିବେ! କିଛି ପାଷାଣ୍ଡ ବି ମତ ଦେବେ ଫାଶୀଦଣ୍ଡ ଉଠିଯାଉ ଇତ୍ୟାଦି ଇତ୍ୟାଦି...। 

ହତ୍ୟା, ମହାଠକେଇ ବା ଅନ୍ୟ କୌଣସି ବଡ଼ଧରଣର ଦର୍ଶନୀୟ ଅପରାଧରେ ଧରାନପଡ଼ି ସୁଦ୍ଧା ଯେଉଁ ବିଚାରାଧୀନ କଏଦୀମାନେ ୬ ମାସ କି ବର୍ଷେ ନୁହେଁ, ବରଂ ୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଗାରରେ ଶଢୁଛନ୍ତି, ତାହା ଯେକୌଣସି ମାନବବାଦୀ ନାଗରିକ ପାଇଁ ଅସହ୍ୟ। କିନ୍ତୁ ଯେଉଁ ରାଷ୍ଟ୍ରରେ ଦେଶପ୍ରେମର ସଂଜ୍ଞା ଧାର୍ଯ୍ୟ ହୋଇନାହିଁ, ଯେଉଁଠି କହ୍ନେୟା କୁମାର ଭଳି ଚରିତ୍ରଙ୍କୁ ଲକ୍ଷଲକ୍ଷ  ଦେଶବାସୀ ସମର୍ଥନ କରନ୍ତି, ସେଠାରେ ତୀର୍ଥସିଂହ ଠାକୁରଙ୍କ କାନ୍ଦଣାର କିଛି ମୂଲ୍ୟ ନାହିଁ। କାରଣ ଭାବପ୍ରବଣତାର ‘ତୀର୍ଥ’ ଓ ‘ଠାକୁର’ଙ୍କ ମଝିରେ ‘ସିଂହ’ ଆଉ ସିଂହ ହୋଇ ରହି ନାହିଁ। ଅନ୍ୟ ପକ୍ଷରେ ଯେଉଁଠି ଓକିଲ ହିଁ ସର୍ବେସର୍ବା, ସେଠାରେ ଐକିକଧାରା ଗଣିତ ବି କେଉଁ କାମକୁ?

ବିମଳ ପ୍ରସାଦ, ଭୁବନେଶ୍ଵର, ଓଡ଼ିଶା, bimal.odisha@yahoo.in

कोई टिप्पणी नहीं:

एक टिप्पणी भेजें