ଓଡ଼ିଶା
ହାଇସ୍କୁଲ ବୋର୍ଡ଼ ପରୀକ୍ଷା ୨୦୧୬କୁ ସାମ୍ନା କରିଛନ୍ତି ୬,୦୧,୩୪୮
ଜଣ ପରୀକ୍ଷାର୍ଥୀ। ଅର୍ଥାତ୍
୬ ଲକ୍ଷ ବିଦ୍ୟାର୍ଥୀ ଏବେ
ବି ରାଜ୍ୟର ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ପ୍ରତି ଶ୍ରେଣୀରେ ଅଛନ୍ତି।
ଏତେ ସଂଖ୍ୟକ ବିଦ୍ୟାର୍ଥୀଙ୍କର ପରୀକ୍ଷା
ଆୟୋଜନ କରାଇବା ଏବଂ ସମସ୍ତଙ୍କ ପରୀକ୍ଷାଫଳ ମେ ୨୦୧୬ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ଏକ ବିରଳ ସଫଳତା। ଏଥିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (Board of Secondary Education, Odisha)ର ସଭାପତି ପ୍ରଫେସର ଡକ୍ଟର ଦକ୍ଷପ୍ରସାଦ ନନ୍ଦ ଧନ୍ୟବାଦର ପାତ୍ର। ୨୦୧୫ରେ ବି ସେ ନିଜ ଜବାବ ମୁତାବକ ଫଳ ପ୍ରକାଶ କରାଇଥିଲେ। ଯାହାକିଛି ତ୍ରୁଟିବିଚ୍ୟୁତି ହୋଇଥିଲା, ତହିଁରୁ ଶିକ୍ଷା ଲାଭ କରି ୨୦୧୫-୧୬ ଶିକ୍ଷାବର୍ଷରେ ଅନ୍ଲାଇନ୍ ଫର୍ମପୂରଣ ସମେତ ନବମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କର Online Registration ମଧ୍ୟ କରାଇଛନ୍ତି। ଶିକ୍ଷକ, ପ୍ରଧାନଶିକ୍ଷକମାନଙ୍କୁ ଏ ଅନ୍ଲାଇନ୍ ମାୟା ସହ ଅଭ୍ୟସ୍ତ କରାଇବା ଏବଂ ବାରମ୍ବାର ସଂଶୋଧନ କରାଇ ସେହି ପ୍ରକ୍ରିୟାକୁ ସମାପନ କରାଇବାରେ ପ୍ରତ୍ୟକ୍ଷ ଭୂମିକା ନିର୍ବାହ କରିଛନ୍ତି। ଏଭଳି କାମ କରି ସେ ନିଜ ମାଆବାପାଙ୍କ ପ୍ରଦତ୍ତ ନାମକୁ ସାର୍ଥକ କରିଛନ୍ତି। ଅଥଚ ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education, Odisha) ଅଥବା ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University) ମଧ୍ୟ ଆଜି ସୁଦ୍ଧା Online Registration, Online Form Fill-up ବ୍ୟବସ୍ଥା ଲାଗୁ କରିବାରେ ସଫଳ ହୋଇନାହାନ୍ତି। ଅବଶ୍ୟ ପ୍ରଭାବିତ ହୋଇ CHSE, +୨ କଳା, ବାଣିଜ୍ୟ, ବିଜ୍ଞାନ ବିଦ୍ୟାର୍ଥୀଙ୍କର ଅନ୍ ଲାଇନ୍ ଫର୍ମପୂରଣ କରିଥିବା ଦାବି କରୁଛି। କିନ୍ତୁ ଦକ୍ଷପ୍ରସାଦଙ୍କ ସମକକ୍ଷ ହୋଇନାହିଁ ବୁଦ୍ଧିରେ ଓ ପ୍ରୟୋଗରେ।
ଏଣେ ଉତ୍କଳ ବିଶ୍ୱବିଦ୍ୟାଳୟ କଥା ନକହିବା ଭଲ। କାରଣ ଏହି ଅନୁଷ୍ଠାନ, ପ୍ରାୟ କେଇ ଲକ୍ଷ ବିଦ୍ୟାର୍ଥୀଙ୍କର ପ୍ରମାଣପତ୍ର ଦେଇ ନାହିଁ, ୧୯୭୦ ମସିହାରୁ। ୧୯୭୦ ରୁ ୨୦୦୦ ମସିହା ମଧ୍ୟରେ ଯଦି ଆପଣ ଏ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ ହୋଇଥାଆନ୍ତି, ତେବେ ନିଜକୁ ପଚାରନ୍ତୁ Provisionalରେ କାମ ଚଳାଉଛନ୍ତି କି Original Certificate ପାଇଲେଣି? ଏହି ଅନୁଷ୍ଠାନର ବଡ଼ ବଡ଼ ପଦବୀ ଅଳଙ୍କୃତ କରୁଥିବା ବ୍ୟକ୍ତିମାନେ କ’ଣ କରନ୍ତି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ, ତାହା ଆମ୍ଭଙ୍କୁ ବିସ୍ମିତ କରେ। ପ୍ରତିବର୍ଷ କୋଟିକୋଟି ଟଙ୍କା ସୂଚନା ପ୍ରଯୁକ୍ତି ପ୍ରୟୋଗ ନାମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉଡୁଥିଲେ ସୁଦ୍ଧା ଫଳ ଶୂନ। ଶହଶହ କଂପ୍ୟୁଟର ଅଶିକ୍ଷିତ କିରାଣୀ ପୋଷା ହେବା ସହ ବାଣିବିହାର ହତାର ଦପ୍ତର ପ୍ରକୋଷ୍ଠଗୁଡ଼ିକରେ ହଜାର ହଜାର କାଗଜବିଡ଼ା ଗଡ଼ୁଛି। ଲଜ୍ଜା ଲାଗିବ, ଏହାକୁ ଏକବିଂଶ ଶତାବ୍ଦୀର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ବୋଲି ଦାବି କରିବାକୁ।
ଓଡ଼ିଶାରେ ଯୋଗ୍ୟ ବ୍ୟକ୍ତିମାନଙ୍କର ଅଭାବ ଥିବା ବେଳେ ପ୍ରଫେସର ଦକ୍ଷପ୍ରସାଦଙ୍କ ଭଳି ଦକ୍ଷ ଓ ଅଙ୍ଗୀକାରବଦ୍ଧ ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଅଫର୍ କରିବାରେ ଗୌରବ ଅଛି। ସ୍ୱାଧୀନତା ପୂର୍ବର ନୁହେଁ, ବରଂ ସ୍ୱାଧୀନ ଭାରତର ଓଡ଼ିଶା ପ୍ରଦେଶରେ ଯେ ସଂପ୍ରତି ଅଙ୍ଗୀକାରବଦ୍ଧ ପୁରୁଷମାନେ ଅଛନ୍ତି, ତାହାର ନମୁନା ହେଉଛନ୍ତି ଦକ୍ଷପ୍ରସାଦ। ମେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ତାହା ପରେ ଯାଇ ଏ ବିଷୟରେ କୌଣସି ମତାମତ ଦେବେ।
कोई टिप्पणी नहीं:
एक टिप्पणी भेजें