ଦୁଇ ଦିନ ହେଲା କିଛି ଗଣମାଧ୍ୟମ ‘ଗଧ କିଏ’ ପ୍ରସଙ୍ଗକୁ ନେଇ ଜୋର୍ଦାର ଚର୍ଚା ଚଳାଇଛନ୍ତି। ୨୧ ଫେବ୍ରୁଆରି ୨୦୧୬ ରବିବାର ବରଗଡ଼ ଠାରେ ଭା.ଜ.ପା.ର କୃଷକ ସମାବେଶରେ ନିଜ ଭାଷଣରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଧ ଶବ୍ଦ ଏକାଧିକ ଥର ଉଚ୍ଚାରଣ କରିଥିଲେ। ସେଇ କଥାକୁ ଘଣ୍ଟାଘଣ୍ଟି କରି ଦର୍ଶକୀୟତା ଗୋଟାଇବାକୁ କେତେକ ଟିଭି ଚ୍ୟାନେଲ ହିଁ ଏଭଳି ଚର୍ଚା କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ କେହି ବି ସେହି ‘‘ଗଧ କିଏ’’ ପ୍ରଶ୍ନର ଉତ୍ତର ଦେଇ ପାରୁ ନାହାନ୍ତି। ଚଳିତ ଫେବ୍ରୁଆରି ୭ ତାରିଖ ରବିବାର, ପାରାଦୀପ ବିଶୋଧନାଗାରର ଲୋକାର୍ପଣ ସଭାରେ ସେଇ ମନ୍ତ୍ରୀ ଆମ ମୁଖ୍ୟମନ୍ତ୍ରୀଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲି ସମ୍ବୋଧନ କରିଥିବାରୁ ଓଡ଼ିଶାର ଗଣମାଧ୍ୟମ ବିସ୍ମୟ ପ୍ରକାଶ କରିଥିଲା। କାରଣ ଗଣମାଧ୍ୟମ ଚାହେଁ, ରାଜନୀତିକ ଦଳଗୁଡ଼ିକ ମଧ୍ୟରେ କଜିଆ ଓ କାଦୁଅଫିଙ୍ଗା। ଯେଉଁଥିରୁ ସେମାନେ ଖବର ତିଆରି କରିପାରିବେ ଏବଂ ପାଠକ ଓ ଦର୍ଶକଙ୍କୁ ବ୍ୟସ୍ତ (engage) ରଖିପାରିବେ।
ଆମ ଦେଶରେ ଗଣତନ୍ତ୍ର ଚାଲିଛି। ତେଣୁ ବିରୋଧୀ ଦଳର ସଦସ୍ୟମାନେ ବଇରୀ ନୁହେଁ ବନ୍ଧୁ ହେବାର ଆବଶ୍ୟକତା ଅଛି। କିନ୍ତୁ ଗଣମାଧ୍ୟମ ଏହା କରେଇ ଦେଇ ନଥାଏ। ଏହିଭଳି ଚାପର ସମ୍ମୁଖୀନ ହୋଇ ଧର୍ମେନ୍ଦ୍ର ପ୍ରଥମ କରି ଏଭଳି କଡ଼ା ଓ କଟୁ ଶବ୍ଦ ପ୍ରୟୋଗ କରିଛନ୍ତି। ଆମ୍ଭ ମତରେ ତାଙ୍କ ଭାଷଣରେ ଏଭଳି ମନ୍ତବ୍ୟ ଦେଇ ସେ ନିଜର ପୁରୁଷପଣିଆର ପ୍ରମାଣ ଦେଇଛନ୍ତି। ଠାର ଭାଷା କେବଳ ଇଂଲିଶ୍ରେ ନୁହେଁ, ବରଂ ଓଡ଼ିଆ ଭାଷାରେ ବେଶି ଭଲ ଭାବରେ ଅଛି; ଯାହାକୁ ପାରମ୍ପରିକ କବି ଓ ଗାଳ୍ପିକମାନେ ବତେଇ ଦେଇ ଯାଇଛନ୍ତି। ତେବେ ଆଜିର ରୋକ୍ଠୋକ୍ ଯୁଗରେ ଅଧିକ ଗୌରଚନ୍ଦ୍ରିକା ନଦେଇ ‘‘ଗଧ କିଏ’’, ତାହାର କିଛି ସିଧାସଳଖ ଉତ୍ତର ଏଠାରେ ରଖୁଛୁ:
(୧) ଓଡ଼ିଶା ଏକ ସମୁଦ୍ରକୂଳିଆ ରାଜ୍ୟ। ଏଠି ପ୍ରତିବେଶୀ ନୁହେଁ, ପ୍ରକୃତିର କରାଳ ଆଚରଣ ହିଁ ଚିନ୍ତାର କାରଣ। ୧୯୯୮(ଅଂଶୁଘାତ), ୧୯୯୯ (ମହାବାତ୍ୟା)ରେ ଏହାର ଠୋସ୍ ପ୍ରମାଣ ମିଳିବା ପରେ ବିପର୍ଯୟ ପରିଚାଳନା (Disaster Management) ଏକ ଗୁରୁତ୍ଵପୂର୍ଣ ପ୍ରାଶାସନିକ ପ୍ରସଙ୍ଗ ହୋଇଯାଇଛି। କିନ୍ତୁ ଅନ୍ୟ ରାଜ୍ୟରେ ଏହା ଏକ ସ୍ଵତନ୍ତ୍ର ବିଭାଗ ହୋଇଥିବା ବେଳେ ଓଡ଼ିଶାରେ ରାଜସ୍ଵ ବିଭାଗ ସହ ଗୁନ୍ଥି ହୋଇ ରହିଛି। ବାରମ୍ବାର ଦାବି କରିବା ପରେ ମଧ୍ୟ ବିପର୍ଯୟ ପରିଚାଳନା ଏକ ସ୍ଵାଧୀନ ବିଭାଗ ହେଉ ନାହିଁ। ଏଠାରେ କିଏ ଗଧ ଜାଣନ୍ତୁ।
(୨) ୨୦୧୫ ମସିହାରେ ଓଡ଼ିଶାରେ ଖରିଫ୍ ଫସଲ ଶିକାର ହେଲା ଅନାବୃଷ୍ଟିର। ଫଳରେ ମରୁଡ଼ି ହେଲା। କିନ୍ତୁ ଓଡ଼ିଶାର ଜଳସମ୍ପଦ ବିଭାଗର ବିଭିନ୍ନ ଓ ବିବିଧ ସେଚପ୍ରକଳ୍ପଗୁଡ଼ିକର ପୋଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି ଯେ ଖରିଫ୍ ଫସଲକୁ ସେଚନ କରିବା। କିନ୍ତୁ ଏହା ସମ୍ଭବ ହେଲା କି? ଯଦି ନହେଲା, ଶହଶହ କୋଟି ଟଙ୍କାର ଜଳସମ୍ପଦ ବଜେଟ୍ କ’ଣ ଏକ ଗଧ ବଜେଟ୍ ନୁହେଁ? ଏହି ବିଭାଗର ମୁଣ୍ଡିଆଳ ମନ୍ତ୍ରୀ ଓ ସଚିବ କ’ଣ ଗଧ ଟୋପି ପିନ୍ଧିବାକୁ ହକ୍ଦାର ନୁହନ୍ତି? ଏଠାରେ ପ୍ରଶ୍ନରେ ହିଁ ଉତ୍ତର ଅଛି।
(୩) ମରୁଡ଼ି ହେବା ପୂର୍ବରୁ ଆମ୍ଭେ ଏଭଳି ବ୍ଲଗ୍ ଲେଖି ସ୍ପଷ୍ଟ କଲୁ ଯେ ଓଡ଼ିଶାରେ ରୟତ, କୃଷକ, କୃଷିଶ୍ରମିକ, ଭାଗଚାଷୀ ଶବ୍ଦଗୁଡ଼ିକୁ ଉପଯୁକ୍ତ ସରକାରୀ ପରିଭାଷା ଦିଆଯାଉ। କିନ୍ତୁ ଏଭଳି କିଛି ସରକାରୀ ପରିଭାଷା ବର୍ତମାନ ସୁଦ୍ଧା ବାହାରିଲା କି? ମରୁଡ଼ି ଦ୍ଵାରା ରୟତ ନୁହେଁ, ବରଂ ଭାଗଚାଷୀ ହିଁ ବେଶି କ୍ଷତିଗ୍ରସ୍ତ ହେଲେ। କିନ୍ତୁ ଭାଗଚାଷୀ ସୁମାରି ଏ ପ୍ରଶାସନ କରିପାରିଲା କି? ଯଦି ନକରିପାରିଲା, ତେବେ ଗଧ କିଏ ଜାଣି ନିଅନ୍ତୁ।
(୪) କେଉଁଠି ମରୁଡ଼ି ହୋଇଛି, ସେହି ସ୍ଥାନଗୁଡ଼ିକ ନିରୂପଣ କରିବା ଏବଂ ତାଲିକାବଦ୍ଧ କରିବାରେ ଓଡ଼ିଶା ପ୍ରଶାସନ ହେଳା କରିବାରୁ କେନ୍ଦ୍ରରୁ ତାଗିଦ୍ ଆସିବା ପରେ ମଧ୍ୟ ଚୂଡ଼ାନ୍ତ ରିପୋର୍ଟ ବାହାରି ପାରି ନାହିଁ। ଦରମା, ସୁବିଧାସୁଯୋଗର ଅଭାବ ନଥାଇ ମଧ୍ୟ ଏତେ ବଡ଼ ସରକାରୀ ଢାଞ୍ଚା ତାହା କରିପାରିଲା ନାହିଁ। ତେବେ ଗଧ କିଏ ଜାଣନ୍ତୁ। ରାଜ୍ୟର ୭୦ ଭାଗ ପରିବାର କୃଷି ଉପରେ ନିର୍ଭରଶୀଳ। ମରୁଡ଼ିରେ ସଢ଼ୁ୍ଥିବା ଏକ ରାଜ୍ୟରେ କୃଷକ ସମାବେଶ କରି ଯଦି କୃଷକଙ୍କ ସଂପୂର୍ଣ ସ୍ଵାର୍ଥକୁ ସହାୟତା କରିବାରେ କେନ୍ଦ୍ର ସରକାର ଠିକ୍ ହିସାବ ନପାଇବ, ତେବେ କେନ୍ଦ୍ର ସରକାରଙ୍କ ପ୍ରତିନିଧି କାହାକୁ ଗଧ କହିପାରିବେ?
(୫) ଜଣେ ସ୍ପେଶାଲ ରିଲିଫ୍ କମିଶନର ବାରମ୍ବାର ସାମ୍ବାଦିକ ସମ୍ମିଳନୀ ଡକାଇ କହିଲେ ଏହା ହେଉଛି ଆମର ଚୂଡ଼ାନ୍ତ ମରୁଡ଼ିଗ୍ରସ୍ତ ଜିଲ୍ଲା, ବ୍ଲକ୍ ଓ ଗ୍ରାମପଞ୍ଚାୟତ ତାଲିକା। କିନ୍ତୁ ଜଗତସିଂହପୁର ଓ ମାଲକାନଗିରି ବ୍ୟତୀତ ଅବଶିଷ୍ଟ ୨୮ଟି ଜିଲ୍ଲାର ନାମ ଥିବା ବେଳେ ବ୍ଲକ୍ ଓ ଗ୍ରା.ପ.ଗୁଡ଼ିକର କେବଳ ସଂଖ୍ୟା ରହିଛି। ଅର୍ଥାତ୍ କେଉଁ ବ୍ଲକ୍ ଓ କେଉଁ ଗ୍ରାମପଞ୍ଚାୟତ (ଗ୍ରାମ ମଧ୍ୟ) ମରୁଡ଼ିଗ୍ରସ୍ତ, ସେଗୁଡ଼ିକର ନାମ ଲେଖିବାକୁ ବା ପ୍ରକାଶ କରିବାକୁ ପ୍ରଶାସନର ସାହସ ନାହିଁ। ହୁଏତ ଭୁଲ୍ଭାଲ୍ କରିଥିବାରୁ ଆଜିର ସଚେତନ ସମାଜକୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନାହିଁ। ସରକାରଙ୍କର ଏତେ ବଡ଼ ବିଭାଗୀୟ ସଂଗଠନର ସଦସ୍ୟମାନଙ୍କର ତଥା ଦଳପତିଙ୍କର ଏହା ଅଯୋଗ୍ୟତା ଓ ନିକମାପଣ ନୁହେଁ କି? ଏହାକୁ ଅନ୍ୟ ଶବ୍ଦରେ ଗଧ କହିବାରେ ସମସ୍ୟା କେଉଁଠି? ବୁଝନ୍ତୁ।
(୬) ବ୍ଲକ୍ ଓ ଗ୍ରାମପଞ୍ଚାୟତଗୁଡ଼ିକର ନାମ କାହିଁକି ତାଲିକାରେ ନାହିଁ – ଏହା ମଧ୍ୟ କୌଣସି ରାଜ୍ୟ ସ୍ତରର ସାମ୍ବାଦିକ ସଂପୃକ୍ତ ଅଧିକାରୀଙ୍କୁ ସେଇ ସାମ୍ବାଦିକ ସମ୍ମିଳନୀରେ ଆଦୌ ପଚାରି ନାହାନ୍ତି। ଯେତେବେଳେ କ୍ଷତିପୂରଣ ବଣ୍ଟା ହେବ, ସେତେବେଳେ ଗାଆଁ ଗାଆଁ, ନେତା ନେତା ମଧ୍ୟରେ ଝଗଡ଼ା ହେବ ନାହିଁ କି? ଲୋକଙ୍କ ସହ ଖେଳିବା ପାଇଁ ପ୍ରଶାସନ ଏହା ଦ୍ଵାରା ଚାଲ୍ କରିନାହିଁ କି? ଏଠାରେ ଏକାଧିକ କିସମର ଗଧଙ୍କ ସୂଚନା ବୁଝିନିଅନ୍ତୁ।
(୭) ବ୍ୟାଙ୍କ୍ ଚେକ୍ରେ କ୍ଷତିପୂରଣ ରାଶି ଦେଇ ଦୁର୍ନୀତି ଓ ଦୁଃଖର ପରିସର ସୃଷ୍ଟି କରିବା ଏକ ଗଧର କାମ ନୁହେଁ କି? କାରଣ ଆଜି ସୁଦ୍ଧା କ୍ଷତିଗ୍ରସ୍ତ କୃଷକଙ୍କ ସଂପୂର୍ଣ ଡାଟାବେସ୍ ପ୍ରସ୍ତୁତ ହୋଇ ନାହିଁ ଏବଂ ଅନ୍ଲାଇନ୍ ପୈଠକୁ ନାକ ଟେକୁଥିବା କିରାଣୀମାନଙ୍କ ସୁଖ ପାଇଁ ପୁଣି ପୁରୁଣା କାଳିଆ Cheque ବ୍ୟବସ୍ଥାକୁ ପ୍ରୟୋଗ କରିବା କ’ଣ ଏକ ସିଂହର କାର୍ଯ୍ୟ କି ଗଧର କାର୍ଯ୍ୟ? ଗଧ କିଏ ବୁଝି ନିଅନ୍ତୁ।
(୮) ବିନା ବଜେଟ୍, ବିନା ଟେଣ୍ଡର ଓ ବିନା କାର୍ଯ୍ୟାଦେଶ (Work Order)ରେ ୫ଟି ମେଡ଼ିକାଲ କଲେଜ୍ର ଭିତ୍ତିପ୍ରସ୍ତର ସ୍ଥାପନ କ’ଣ ରାଜ୍ୟବାସୀଙ୍କ ସହ ଧୋକାବାଜି ନୁହେଁ ? କେବଳ କେନ୍ଦ୍ରୀୟ ଅନୁଦାନରେ ହିଁ ମେଡ଼ିକାଲ କଲେଜ୍ ହେବ ବୋଲି କେଉଁ ସରକାରୀ ଶାସ୍ତ୍ରରେ ଲେଖା ଅଛି? ତେଣୁ ମେଡ଼ିକାଲ କଲେଜ୍ ସ୍ଥାପନର ନିଷ୍ପତ୍ତି କ’ଣ ଏକ ଗଧ ନିଷ୍ପତ୍ତି ନୁହେଁ? ବୁଝାନ୍ତୁ।
ଗଧ ହିସାବ ଏଇଠି ସରି ନାହିଁ। ଏହା ଏକ ଝଲକ ମାତ୍ର। ଆମ୍ଭଙ୍କୁ ଲାଗୁଛି, ଏ ରାଜ୍ୟକୁ ଠିକ୍ ସମୟରେ ମାର୍ଗଦର୍ଶନ ଦେବାର ଦାୟିତ୍ଵ ମଧ୍ୟ ଆମ୍ଭ କାନ୍ଧ ଉପରେ ନ୍ୟସ୍ତ ଅଛି।
(ସମସ୍ତ ମତ ମନ୍ତବ୍ୟ ଲେଖକଙ୍କର ବ୍ୟକ୍ତିଗତ)
ବିମଳ ପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩
कोई टिप्पणी नहीं:
एक टिप्पणी भेजें