ଚଳିତ
ଆର୍ଥିକ ବର୍ଷ ୨୦୧୭-୧୮ର କେନ୍ଦ୍ର ବଜେଟ୍ରେ ରେଳବାଇ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ
ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ଆପଣ ଜାଣନ୍ତି। ତାହା ହେଉଛି ଅନ୍ଲାଇନ୍ ଟିକେଟ୍
ବୁକିଂ (ସ୍ପଷ୍ଟ ଭାଷାରେ ହେଲା IRCTC.co.inରେ ଟିକେଟ ବୁକିଂ) କଲେ, ଆଉ ଅତିରିକ୍ତ ଟିକସ
ଦେବାକୁ ପଡ଼ିବ ନାହିଁ। ଏହି ଅତିରିକ୍ତ ଟିକସ ଦୁଇ ପ୍ରକାର ଥିଲା। ୧. ପ୍ରତିଟି
ଅନ୍ଲାଇନ୍ ପୈଠ ପାଇଁ ବ୍ୟାଙ୍କ୍ ୧୦ ଟଙ୍କା କାଟି ନେଉଥିଲା ଏବଂ ୨. ପ୍ରତିଟି ବୁକିଂ
ପାଇଁ ଆଇଆର୍ସିଟିସି ୧୧ଟଙ୍କା ୫୦ ପଇସା ସେହି ଟିକେଟ୍ ଦାମ୍ ସାଙ୍ଗରେ କାଟିକି
ନେଇଯାଉଥିଲା।
ଡିଜିଟାଲ ପୈଠ ବା ଅଣନଗଦ(cashless) ପୈଠ ଅଭ୍ୟାସକୁ ଉତ୍ସାହିତ କରିବା ପାଇଁ ଏହି ନିଷ୍ପତ୍ତି ବଜେଟ୍ ନୀତିରେ ସାମିଲ ହେଲା। କିନ୍ତୁ ଏବେ
କେବଳ ବ୍ୟାଙ୍କ୍ବାଲା ୧୦ ଟଙ୍କା ନେଉ ନାହାନ୍ତି। କିନ୍ତୁ ଆଇଆର୍ସିଟିସି ଦିନକ ପରେ
କାଟି ନେଉଛି ୧୧ଟଙ୍କା ୫୦ ପଇସା। ପୂର୍ବରୁ ଏମିତି ଥିଲା ଯେ ବ୍ୟାଙ୍କ୍ ନେଉଥିବା
୧୦ଟଙ୍କାଟା ଟିକଟ କାଟିବାର ଦିନକରୁ ତିନିଦିନ ମଧ୍ୟରେ କଟୁଥିଲା, ଯାହାକି ଟିକଟ
କଟା ବିଲ୍ ସାଙ୍ଗରେ ବାହାରୁ ନଥିଲା। ଏବେ ସେମିତି ୧୧ଟଙ୍କା ୫୦ ପଇସା କଟୁଛି,
ଟିକଟ କାଟିବାର ଦିନକ ପରେ। ଅର୍ଥାତ୍ ଆପଣ ଯଦି ୬୧୫ଟଙ୍କାର ଟିକଟ କରିଛନ୍ତି ଏବଂ
ଆପଣଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ରୁ ସେତିକି ଟଙ୍କା କଟିଛି ବୋଲି ଖୁସି ହୋଇଯିବେ। ହେଲେ ଦିନକ ପରେ କଟିଯିବ ଆହୁରି ୧୧ଟଙ୍କା ୫୦ ପଇସା। ଯଦି
ବିଭିନ୍ନ ସ୍ଥାନକୁ ନିୟମିତ ରେଳଯାତ୍ରା କରୁଥିବା ଜଣେ ବ୍ୟକ୍ତି ମାସକୁ ୨୦ଥର
ଅନ୍ଲାଇନ୍ ବୁକିଂ କରିବେ, ତେବେ ସେ କେବଳ ଆଇଆର୍ସିଟିସିକୁ ଗଣିବେ ୨୩୦ ଟଙ୍କା। ଏହା
ସରକାରୀ ଶୋଷଣର ଏକ ନୂଆ ତରିକା।
ଅନ୍ଲାଇନ୍
ଟିକେଟିଂର ସୁବିଧା ହେଲା - ହଜାର ହଜାର ବୁକିଂ-କିରାଣୀକୁ ପୋଷିବାକୁ ପଡ଼ିବନି। ବୁକିଂ
କାଉଣ୍ଟର ନାମରେ ବିଶାଳ କୋଠାର ଆବଶ୍ୟକତା ନାହିଁ। ତେଣୁ ଅତିରିକ୍ତ ଟିକସ ନବସାଇ, ମୂଳ
ଦରରେ ଟିକଟ ବିକିବା ଦ୍ୱାରା ଅଫ୍ଲାଇନ୍ ବା କାଉଣ୍ଟର ବୁକିଂ ଉପରୁ ଚାପ କମିଯିବ।
ଏହା ସହ ସରକାରଙ୍କ ରାଜସ୍ୱ ବଢ଼ିବ। କିନ୍ତୁ ସରକାର ଦୁଇ ନାବରେ ଗୋଡ଼ ଦେଇକି ଜନତାଙ୍କୁ କାହିଁକି ଭୂତେଇବାକୁ ନିଷ୍ପତ୍ତି ନେଲେ ତାହା ମୁଁ ବୁଝିପାରୁ ନାହିଁ। ଆପଣ କ’ଣ ବୁଝୁଛନ୍ତି? ଟିକେ କୁହନ୍ତୁ।
ବିମଳ ପ୍ରସାଦ, ଭ୍ରାମ୍ୟଭାଷ: ୯୯୩୭୩୫୩୨୯୩

कोई टिप्पणी नहीं:
एक टिप्पणी भेजें