12 जून 2019

କେତେ ଧୂର୍ତ୍ତ ଆମ ନେତା ନବୀନ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଭେଟ
ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ୧୧ ଜୁନ୍‌ ୨୦୧୯ରେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୋଲି ଆଜି ବିଭିନ୍ନ ମୁଦ୍ରଣ ଗଣମାଧ୍ୟମରେ ବିବରଣୀ ପ୍ରକାଶ ପାଇଛି। ସେଥିରୁ କିଛି ବିନ୍ଦୁ ଉପରେ ଚର୍ଚ୍ଚା କରିବା:-

୧. ବାତ୍ୟା ଫନିରେ ୫ଲକ୍ଷ ୬୦ ହଜାର ଘର ଭାଙ୍ଗି ଯାଇଛି ବୋଲି ଦାଖଲ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ ଅଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି - ବିଜୁ ପକ୍କାଘର ଯୋଜନାରେ ୨୦ ଲକ୍ଷରୁ ଅଧିକ ଘର ରାଜ୍ୟବାସୀଙ୍କୁ ଦିଆଯାଇଛି ବୋଲି ହଇଚଇ କରିଥିବା ଶାସନ/ପ୍ରଶାସନ ତଥାପି ସତ ଓଗାଳୁ ନାହିଁ କାହିଁକି?

୨. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ସ୍ୱତନ୍ତ୍ର ଗୃହ ନିର୍ମାଣ ମଂଜୁର ପାଇଁ ମଧ୍ୟ ସେଥିରେ ଦାବି କରିଛନ୍ତି। ଯହିଁରେ କେନ୍ଦ୍ର-ରାଜ୍ୟ ଅଂଶଦାନ ୯୦:୧୦ ଅନୁପାତରେ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଶ୍ନ ହେଉଛି, ସେହି ଅର୍ଥ ରାଶି ଆଣି ତାହାକୁ ‘‘ବିଜୁ ପକ୍କାଘର ଯୋଜନା’’ ନାମରେ କାର୍ଯ୍ୟକାରୀ କରିବା ଏକ ପ୍ରଚ୍ଛନ୍ନ ଚଞ୍ଚକତା ନୁହେଁ କି? ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଧୂର୍ତ୍ତ ସାବ୍ୟସ୍ତ ହେଉ ନାହାନ୍ତି କି?

୩. ବାତ୍ୟାରେ ନଷ୍ଟ ହୋଇଥିବା ସାର୍ବଜନିକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ SDRF/NDRF ପାଣ୍ଠି ପରିଧିରେ ଆସୁ ନାହିଁ। ଏହାକୁ ଏହି ପାଣ୍ଠି ପରିଧିରେ ଅଣାଯାଉ ବୋଲି ଦାବି କରିଛନ୍ତି। କଥା ଉଠୁଛି - ଏନ୍‌ଡିଆର୍‌ଏଫ୍‌ ବିଧି ପ୍ରଣୟନ ବେଳେ ବିଭିନ୍ନ ରାଜ୍ୟର ବିଭାଗୀୟ ଅଧିକାରୀ/ପ୍ରତିନିଧିଙ୍କ ସହ ଏଥିପାଇଁ ନୂଆଦିଲ୍ଲୀରେ ବିମର୍ଶ ହୋଇଥାଏ। ସେଠାକୁ ଓଡ଼ିଶାରୁ କିଏ ଯାଇଥିଲେ? ତାଙ୍କର ଓଡ଼ିଶାର ବିପର୍ଯ୍ୟୟ ପ୍ରବଣତା ଉପରେ ଯଥେଷ୍ଟ ଜ୍ଞାନ ନଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉ ନାହିଁ କି? କାରଣ ଏସବୁ ଏହି ୧୯ ବର୍ଷ ମଧ୍ୟରେ ହିଁ ପ୍ରଣୀତ ହୋଇଛି।

୪. ରିଲିଫ୍‌ ବାଣ୍ଟିବା ଏକ ପୁରୁଣା କଥା ହେଲାଣି। ତଥାପି ‘‘ସ୍ୱତନ୍ତ୍ର ରିଲିଫ୍‌ କମିଶନର’’ ପଦ ରଖିବା ଏବଂ ରିଲିଫ୍‌ ଉପରେ ଅଧିକ ଜୋର୍‌ ଦେବା ଏକ ଅନ୍ଧ ଶାସନର ନମୁନା ନୁହେଁ କି? ପୁନରୁଦ୍ଧାର ଉପରେ ତଥାକଥିତ ଏନ୍‌ଜିଓ ଓ ସାମାଜିକ ସଂଗଠନମାନେ ଧ୍ୟାନ ନଦେଇ, ଭଳିକି ଭଳି ରିଲିଫ୍‌ ପୁଡ଼ିଆ ବାଣ୍ଟିବା ଉପରେ ଧ୍ୟାନ ଦେବା ମଧ୍ୟ ତଥାକଥିତ ଶିକ୍ଷିତ-ମୂର୍ଖମାନଙ୍କର ଏକ କସରତ ନୁହେଁ କି? ବିସ୍ମୟକର କଥା ହେଲା – ଅଣସରକାରୀ ରିଲିଫ୍‌ ବଣ୍ଟନ ପାଇଁ ମଧ୍ୟ ସଂପୃକ୍ତ ସରକାରୀ ବିଭାଗ ଓ କମିଶନରଙ୍କ ଅନୁମତି ଲୋଡ଼ା ହୋଇଥାଏ। ଟ୍ରକ୍‌ ଟ୍ରକ୍ ଅବାଞ୍ଚିତ ରିଲିଫ୍‌ ସାମଗ୍ରୀ ବଣ୍ଟନ ପାଇଁ ଅନୁମତି ମଧ୍ୟ ମିଳିଛି। ବିଭିନ୍ନ ସ୍ଥାନରେ/ଘରେ/ଭଣ୍ଡାରରେ ପଡ଼ି ରହି ମୂଷାମାନଙ୍କ ଖାଦ୍ୟ ମଧ୍ୟ ପାଲଟିବାରେ ଲାଗିଛି! ଲୋକଙ୍କର ଦରକାର ସଡ଼କ, ବିଜୁଳି ଓ ପାଣି ସେବାର ପୁନରୁଦ୍ଧାର। ଆଉ ସବୁ କରିପାରିବାର ସାମର୍ଥ୍ୟ ଯେତେବେଳେ ଲୋକଙ୍କର ଅଛି, ଲୋକଙ୍କୁ ଅସହାୟ କରି ରଖିବା ଓ ଅସହାୟ ବିବେଚନା କରିବା ଏକ ପଛୁଆ ମାନସିକତାର ସଂରକ୍ଷଣ ନୁହେଁ କି?

୫. ବାତ୍ୟାପ୍ରବଣ ଅଞ୍ଚଳରେ ବିଜୁଳି ଖୁଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ତାହାକୁ ଭୂତଳ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାରେ ପରିଣତ କରିବା ପାଇଁ ୧୯୯୯ ମସିହା ମହାବାତ୍ୟା ପରେ ପରେ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଥିଲା। ସମାନ୍ତରାଳ ଭାବେ ତତ୍କାଳୀନ ଚୋଖା ପ୍ରଶାସକମାନେ ମଧ୍ୟ ଏହାକୁ ହୃଦୟଙ୍ଗମ କରିଥିଲେ ଏବଂ ସେହି ମତେ ବଜେଟ୍‌ କରିଥିଲେ, କାର୍ଯ୍ୟଯୋଜନା କରିଥିଲେ। ୧୧ଟି ଜିଲ୍ଲାକୁ ଚିହ୍ନଟ କରିବା ସହ ପୁରୀ ଓ ବ୍ରହ୍ମପୁର ସହରକୁ ମଧ୍ୟ ପାଇଲଟ୍‌ ଭାବରେ ଚିହ୍ନଟ କରିଥିଲେ। ସେଇ କାମ ପାଇଁ ତଥା ବାତ୍ୟା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରୁ ହିଁ ୨୦୦୦ ମସିହାରେ ନବୀନ ବାବୁ ନିଜ ମୁଖ୍ୟମନ୍ତ୍ରୀ ଜୀବନ ଆରମ୍ଭ କରିଥିଲେ। ମାତ୍ର ପୂରା ୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଏବଂ ପୂରା ୧୯ ବର୍ଷ ପରେ ଯୋଉଆକୁ ସେଇଆ। ମାନେ, ପ୍ରୟାସ ଓ ପ୍ରକଳ୍ପ ଜମାରୁ ହୋଇ ନାହିଁ। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିରୀହ (ଇନୋସେଣ୍ଟ) କାହିଁକି ପରିଗଣିତ ହେବେ?

୬. ‘‘ଆୟୁଷ୍ମାନ ଯୋଜନା’’କୁ ପ୍ରତ୍ୟାଖ୍ୟାନ କରିଥିବା ଓଡ଼ିଶା ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ସେହି ମର୍ମରେ ମଧ୍ୟ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟବାସୀଙ୍କର ସମର୍ଥନ କେନ୍ଦ୍ର ପ୍ରତି ବଢ଼ିଯିବାରେ ଆଶଙ୍କା ପୋଷଣ କରୁଥିବା ଏ ରାଜ୍ୟ ସରକାର, ପୁଣି କଥାକଥାକେ ‘‘କେନ୍ଦ୍ର ଦାୟୀ’’ ନାରାବାଜି କରିବା ଏକ ଧୂର୍ତ୍ତ ଓ ଅଭଦ୍ର ଶାସନର ଉଦାହରଣ ନୁହେଁ କି?

୭. ମେ ୨୦୧୯ରେ ରାଜ୍ୟ ବିଧାନସଭା ନିର୍ବାଚନ ସରିଛି ଏବଂ ନବୀନ ପୁଣି ବିଜୟୀ ହୋଇ ସରକାର ଗଢ଼ିଛନ୍ତି। ହୁଏତ ଆପଣଙ୍କର ମନେ ଥିବ ଯେ ୨୦୧୯ ମାର୍ଚ ୩୧ରେ ୨୦୧୮-୧୯ ଆର୍ଥିକ ବର୍ଷ ସରିବା ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଶାଳ ରାଜ୍ୟ ବଜେଟ୍‌ କରି ସାରିଛନ୍ତି। ସେଇ ସମାନ ଶାସକ ଦଳ, ପୁଣି କ୍ଷମତାକୁ ଆସିଥିବାରୁ, ସେଇ ସମାନ ବଜେଟ୍‌ର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ ନୁହେଁ କି? କିନ୍ତୁ ବିଡମ୍ବନା ଯେ ରାଜ୍ୟରେ ଏକ ଉତ୍ତରଦାୟୀ ଗଣମାଧ୍ୟମ ଅଭାବରୁ ସବୁ କିଛି କାହାର ନା କାହାର ଇଚ୍ଛାରେ ଚାଲିବ। ଅଧିକ ସ୍ପଷ୍ଟ ଓ ସାହସର ସହ କହିଲେ, ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଯୋଗ୍ୟ ଗଣମାଧ୍ୟମ ମଧ୍ୟ ଏ ରାଜ୍ୟରେ ଆଉ ରହିନାହିଁ। ଯେଉଁମାନେ ଯୋଗ୍ୟ, ସେମାନେ କିଛି କିଛି ବଟି ପାଇଁ ମୁହଁବନ୍ଦକରି ବସିଛନ୍ତି। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି – ରାଜ୍ୟର ଯେତିକି ରାଜସ୍ୱ ଆୟ ହେଉଛି ତାହାଠାରୁ ଅଧିକ ଦରମା-ଭତ୍ତା-ସୁବିଧାସୁଯୋଗ ରୂପେ ରାଜକର୍ମଚାରୀ/ଅଧିକାରୀମାନେ ଟାଣୁଛନ୍ତି। ତେଣୁ କେନ୍ଦ୍ରୀୟ ଅନୁଦାନ/ ରୟାଲଟି ବିନା ଅନ୍ୟ ପନ୍ଥା ନାହିଁ। ତେଣୁ ଏତେ ବଡ ବଜେଟ୍‌ କରି ରାଜ୍ୟବାସୀଙ୍କୁ ଭୂତେଇବାକୁ ନବୀନ ବାବୁ ଏକ ପାରମ୍ପରିକ ମସୁଧାରେ ପରିଣତ କରିନାହାନ୍ତି କି?

୧୮୦୩ରେ ଓଡ଼ିଶା ଯାଇଥିଲା ବ୍ରିଟିଶ ଶାସନ ଅଧୀନକୁ। ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ତା’ର ପକ୍ଷ ମେଲିଥିଲା। ୧୪୪ ବର୍ଷର ପରାଧୀନତା ପରେ ଏବେ ଆମେ ସ୍ୱାଧୀନ ବୋଲି ଭାବୁଥିଲେ ସୁଦ୍ଧା ଓଡ଼ିଶା ଯେ ପ୍ରେମ ପଟ୍ଟନାୟକ ଏଣ୍ଡ କମ୍ପାନୀ ଅଧୀନରେ ରହିଛି, ଏହା କୌଣସି ରାଜ୍ୟବାସୀ ଜାଣି ପାରୁନାହାନ୍ତି। ଟଙ୍କାକିଆ ଚାଉଳ ଓ ପାଞ୍ଚଟଙ୍କିଆ ଆହାର ସମସ୍ତଙ୍କୁ କିମିଆ କରିଦେଇଛି। ଯେଉଁମାନେ ଭାବୁଥିବେ ଯେ ୧୪୪ ବର୍ଷ ଧରି ଲୋକମାନେ କେମିତି ପରାଧୀନତାକୁ ବରଦାସ୍ତ କରୁଥିଲେ? ତାହାର ଉତ୍ତର ହେଉଛି – ଆପଣମାନେ ଯେମିତି ୨୪ ବର୍ଷ ଧରି ବରଦାସ୍ତ କରୁଛନ୍ତି/କରିବେ।


ବିମଳ ପ୍ରସାଦ, ଭୁବନେଶ୍ୱର

07 जून 2019

ଗ୍ରାହକଙ୍କଠୁ ଦୂରେଇଯାଉଛି ଦୂରସଂଚାର ଦକ୍ଷତା!


୨୦୧୫ ମସିହାରେ ଏୟାରଟେଲ (airtel) ଆରମ୍ଭ କଲା 4G ସେବା। ୨୦୧୬ ମସିହାରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିବା ଏକ ବାର୍ତାର ଗୋଟିଏ ଧାଡ଼ି ଥିଲା – ୨୦୧୫ ମସିହାର ସବୁଠୁ ବଡ଼ ମିଛ Airtel 4G. ଏବେ ୨୦୧୯ ମସିହା, ଅର୍ଥାତ୍‌ ଭାରତରେ ‘୪ଜି’ର ଷଷ୍ଠ ବର୍ଷ। କିନ୍ତୁ ଏୟାରଟେଲ୍‌ ଯେଉଁଠିକୁ ସେଇଠି। ପାଦେ ହେଲେ ସୁଦ୍ଧା ଆଗକୁ ଯାଇ ପାରି ନାହିଁ। ୪ଜି ଜରିଆରେ କେବଳ ଇଣ୍ଟରନେଟ୍‌ ନୁହେଁ, କଲ୍‌ ଓ ଏସ୍‌ଏମ୍‌ଏସ୍‌ ବି ହୋଇପାରିବ, ଏହା ଉପରେ ୨୦୧୬ ଶେଷ ଭାଗରୁ ପରୀକ୍ଷା ନିରୀକ୍ଷା କରି ଚାଲିଛି ଏୟାରଟେଲ୍‌, ମାତ୍ର କୌଣସି ନିର୍ଯ୍ୟାସରେ ଏଯାଏଁ ପହଞ୍ଚି ପାରୁନି। ଆଉ ଏହି ପରୀକ୍ଷାନିରୀକ୍ଷା ପାଇଁ ପୁଣି ଖୋରାକ ପାଇଛି, ଭାରତରେ ଦୂରସଂଚାର ବିପ୍ଳବ ଆଣିଥିବା Jio 4Gର ଆତ୍ମପ୍ରକାଶ ପରେ। ତଥାପି ଅନ୍ଧାରରେ ବାଡ଼ି ବୁଲାଉଛି ଏୟାରଟେଲ କମ୍ପାନୀ। ଏକାବେଳକେ 2G/3G/4G VoLTE କୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଉଛି। ସମ୍ଭବତଃ ଏସବୁକୁ ଆଗୁଆ ଅଧ୍ୟୟନ କରି ‘ଜିଓ’ ମୂଳରୁ ହିଁ ଆତ୍ମପ୍ରକାଶ କରିଛି କେବଳ ୪ଜି (Only 4G) ଭିତ୍ତିକ ଦୂରସଂଚାର ସେବା ପ୍ରଦାନକାରୀ କମ୍ପାନୀ ରୂପରେ। ଅର୍ଥାତ୍‌ ଟେଲିଫୋନ୍‌ କଲ୍‌, ଏସ୍‌ଏମ୍‌ଏସ୍‌ ଓ ଇଣ୍ଟରନେଟ୍‌ - ସବୁ କିଛି ଏକକାଳୀନ ସମ୍ଭବ ସେଇ ଗୋଟିଏ ସିମ୍‌ରୁ ଗୋଟିଏ ହ୍ୟାଣ୍ଡ୍‌ସେଟ୍‌ ବା ଯନ୍ତ୍ରରୁ। 
ଅନ୍ୟତମ ମିଶ୍ରଣ ହୋଇଥିବା ଭୋଡାଫୋନ୍‌-ଆଇଡିଆ କମ୍ପାନୀ କେବଳ ଭାରତବାସୀଙ୍କୁ ଚକ୍‌ମା ଦେଖାଇବାକୁ ମିଶିଛନ୍ତି। କାରଣ ଉଭୟ ନିଜର ବ୍ରାଣ୍ଡ୍‌ ନାମ ଜାରି ରଖିଛନ୍ତି। ପ୍ରଯୁକ୍ତି ଦୃଷ୍ଟିରୁ ମିଶି ନାହାନ୍ତି କି ଗ୍ରାହକ ସେବା ଦୃଷ୍ଟିରୁ ମିଶି ନାହାନ୍ତି। କାରଣ ରୋମିଂରେ ଥିବା ବେଳେ ଭୋଡାଫୋନ୍‌ ନମ୍ବରଟା ନିଜ ଟାୱାର ନଥିବା ଜାଗାରେ ଆପେଆପେ ଆଇଡିଆ ଟାୱାରକୁ ଧରୁ ନାହିଁ ଏବଂ ମାନୁଆଲ ସେଟିଂରେ ଯୋଡ଼ିଲେ ମଧ୍ୟ ଅଗ୍ରାହ୍ୟ କରୁଛି। ଭୋଡାଫୋନ୍‌ ଓ ଆଇଡିଆ ମଧ୍ୟ 4G VoLTE ଆରମ୍ଭ କରିଥିବା ଦାବି କରୁଛନ୍ତି। କିନ୍ତୁ ଭୋଡାଫୋନ୍‌ ‘‘୪ଜି ଭୋଲ୍‌ଟି’’ରୁ କେବଳ କଲ୍‌ ଯୋଗାଉଥିବା ବେଳେ ଇଣ୍ଟରନେଟ୍‌ ଦେଉଛି ୩ଜିରୁ ଏବଂ ଏସ୍‌ଏମ୍‌ଏସ୍‌ ପଠାଉଛି ଓ ପୁଶ୍‌ ମେସେଜ୍‌ ଦେଉଛି ୨ଜି ରୁ। ଗ୍ରାହକଙ୍କୁ ଭକୁଆ ବନେଇବାର ଏକ ଅଭିନବ କୌଶଳ। ଯେଉଁଥିରେ ଭାରତୀୟ କମ୍ପାନୀ ଏୟାରଟେଲ ତଥାପି ଗୋଟାପଣେ ଅଜ୍ଞ ରହିଛି। 

ପରିସ୍ଥିତି ଏପରି ହୋଇଛି ଯେ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ କମ୍ପାନୀ BSNL (ଭାରତ ସଂଚାର ନିଗମ ଲିମିଟେଡ୍‌) ମଧ୍ୟ କ୍ଷତିରେ ଚାଲିଛି। ଆଉ ଏହାକୁ ଛାଡ଼ି ଭାରତରେ ଘରୋଇ ଦୂରସଂଚାର କମ୍ପାନୀ ସଂଖ୍ୟା ୩ରେ ସୀମିତ ହୋଇଯାଇଛି। ଟାଟା କମ୍ପାନୀର ସମତୁଲ୍ୟ ଟେଲିକମ୍‌ ସଂସ୍ଥା ଟାଟା ଇଣ୍ଡିକମ୍‌ ବା ଟାଟା ଡୋକୋମୋ ମଧ୍ୟ ବନ୍ଦ ହୋଇଯାଇଛି। ଉପଯୁକ୍ତ ପ୍ରଯୁକ୍ତି ଚୟନରେ ବିଫଳତା ଓ ଗ୍ରାହକ-ମନଲାଖୀ ଉପସ୍ଥାପନରେ ବିଫଳ ହୋଇ ଟାଟା ଭଳି ରିଲାଏନ୍ସ ସ୍ମାର୍ଟ ଓ ଏୟାରସେଲ ଭଳି ଅନେକ ଟୁକୁରା କମ୍ପାନୀ ମଧ୍ୟ ଲୋପ ପାଇଯାଇଛନ୍ତି ଅବା ଲୀନ ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ଜିଓ ଏବେ ଭାରତବାସୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଦେଶର ୧ ନମ୍ବର ଦୂରସଂଚାର କମ୍ପାନୀର ବାହାଦୁରୀ ଦାବି କରୁଥିବା ଏୟାରଟେଲ୍‌ ତଥାପି ଶୋଇଛି।

ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଭାରତ ସରକାରଙ୍କ ପୂର୍ବତଟ ରେଳବାଇ ସଂସ୍ଥା ତାହାର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦୦୦ରୁ ବେଶି ପୋଷ୍ଟପେଡ୍‌ ମୋବାଇଲ ଫୋନ୍‌ ବାଣ୍ଟିଥିଲା ପାରସ୍ପରିକ ଯୋଗାଯୋଗ ରକ୍ଷା ପାଇଁ। ୮୪୫୫ ସିରିଜ୍‌ର ଯେତେ ନମ୍ବର ସବୁଗୁଡ଼ିକ ମୂଳତଃ ଏୟାରଟେଲ୍‌ର। କିନ୍ତୁ ଖରାପ ସେବା ଯୋଗୁ ଏୟାରଟେଲ୍‌ରୁ ମୁହଁ ଫେରାଇ ନେଇ ସବୁଯାକ ନମ୍ବରକୁ ପୋର୍ଟେବଲ୍ କରି ଜିଓ ୪ଜି କରିନେଇଛି ଏଇ ୪ ମାସରୁ ବେଶି ଦିନ ହେଲା। ଗୋଟିଏ ନମ୍ବର ପିଛା ମାସିକ ୫୦୦ ଟଙ୍କା ହେଲେ, ୩୦୦୦ଟି ନମ୍ବର ପିଛା ପ୍ରାୟ ୧୫ ଲକ୍ଷ ଟଙ୍କାର ରାଜସ୍ୱ ହାନି କଲା ଏୟାରଟେଲ୍‌, ତଥାପି ଚେତୁ ନାହିଁ। 
ସିଙ୍ଗାପୁରର ଅଗ୍ରଣୀ ଦୂରସଂଚାର କମ୍ପାନୀ ସିଙ୍ଗ୍‌ଟେଲ (Singtel), ଏୟାରଟେଲ୍‌ର ୫୧ ପ୍ରତିଶତ ଅଂଶଧନ କିଣିନେଇଥିବା ବେଳେ ବାସ୍ତବତଃ ଏୟାରଟେଲ୍‌ ଆଉ ଭାରତୀୟ କମ୍ପାନୀର ପରିଚୟ ବହନ କରୁନାହିଁ। ଭୋଡାଫୋନ୍‌ ବି ଏକ ବିଲାତି କମ୍ପାନୀ ଆପଣମାନେ ଜାଣନ୍ତି, ସେଥିରେ ଆଇଡିଆ ମିଶିଥିବାରୁ ତାହାର ଭାରତୀୟ ପରିଚୟରେ ମଧ୍ୟ ଅବକ୍ଷୟ ଘଟିଛି। ଏଣୁ ଏକମାତ୍ର ଭାରତୀୟ ଘରୋଇ କମ୍ପାନୀ ହେଉଛି ରିଲାଏନ୍ସ ଜିଓ।  
୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବାର ପରଠୁ ସେଇ ରବି ଶଙ୍କର ପ୍ରସାଦ ଅଛନ୍ତି ଦୂରସଂଚାର ମନ୍ତ୍ରୀ। BSNL ସହ MTNL ର ବିଲୟ ପାଇଁ ବାରମ୍ବାର ତାରିଖ ଧାର୍ଯ୍ୟ କରି ସୁଦ୍ଧା ଦେଶରେ ଗୋଟିଏ ସରକାରୀ ଦୂରସଂଚାର କମ୍ପାନୀ କରିବାରେ ବିଫଳ ହୋଇଛି ଏନ୍‌ଡିଏ-୨ ସରକାର। ଏବେ ଏନ୍‌ଡିଏ-୩ରେ ବି ସେଇ ରବି ଶଙ୍କର ପ୍ରସାଦ ଅଛନ୍ତି ଦୂରସଂଚାର ମନ୍ତ୍ରୀ। ତଥାପି ଏମ୍‌ଟିଏନ୍‌ଏଲ୍‌କୁ ମନାଇବାରେ କୌଣସି ଉଦ୍ୟମ ହେଉନଥିବା ବେଳେ କୌଣସି ଗଣମାଧ୍ୟମର ଆଉ ଏସବୁ କଥା ମନେ ନାହିଁ। ଗଣମାଧ୍ୟମ ଯେଉଁ ଦେଶରେ ପ୍ରସଙ୍ଗ ଭୁଲିଯାଏ, ସେ ଦେଶ କେମିତି ଚାଲୁଥିବ, ବିଚାର କରନ୍ତୁ। ବିଜ୍ଞାନ ଓ ପ୍ରଯୁକ୍ତିରେ ରୁଚି ରଖୁନଥିବା ଜଣେ ସାଂସଦଙ୍କୁ ମନ୍ତ୍ରୀ କରି ପ୍ରଧାନସେବକ କ’ଣ ବାର୍ତା ଦେବାକୁ ଚାହୁଛନ୍ତି?
ବିଏସ୍‌ଏନ୍‌ଏଲ୍‌ରୁ ହଜାର ହଜାର କର୍ମଚାରୀ-ଅଧିକାରୀ ଛଟେଇ ସୁନିଶ୍ଚିତ ହେଉଥିବା ବେଳେ ସାଧାରଣ ନାଗରିକ-ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଜିଓ – ଜିନ୍ଦାବାଦ କରି ଚାଲିବା କି ଦେଶକୁ ବିକ୍ରୀ ମୁଖରୁ ବଞ୍ଚାଇବା ଓ ବିଭିନ୍ନ କ୍ଷେତ୍ରରେ ଦେଶୀ କମ୍ପାନୀକୁ ଉତ୍ସାହିତ କରିବା, ତାହା ଏବେ ଆମ ସଭିଙ୍କ ସାମ୍ନାରେ ମୁଣ୍ଡ ଖେଳେଇବା ଓ ମୁଣ୍ଡ ଖଟେଇବାର ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହୋଇପଡ଼ିଛି। ସବୁଠୁ ଦୁଃଖର କଥା ହେଲା, ଯେଉଁମାନେ କମ୍ପାନୀର ପ୍ରକୃତ ପରିଚୟରେ ଅଛନ୍ତି ବା କମ୍ପାନୀଠୁ ପ୍ରତ୍ୟକ୍ଷ ଭାବେ ଦରମା ପାଉଛନ୍ତି, ସେମାନେ ପ୍ରକୃତ ବୈଷୟିକ ବା ପ୍ରଯୁକ୍ତିଗତ କାର୍ଯ୍ୟଗୁଡ଼ିକ କରୁ ନାହାନ୍ତି। ଏପରିକି ଏକ ନମ୍ବର ଏୟାରଟେଲ୍‌ ସଂସ୍ଥା ଯେଉଁ ଉପସଂସ୍ଥାମାନଙ୍କୁ ନେଟ୍‌ୱର୍କ ଓ ଟାୱାର ସଜାଡ଼ିବା କାମ ଦେଇଛି, ସେମାନେ ଡିପ୍ଲୋମା ବା ଡିଗ୍ରୀ ଇଂଜିନିୟରଙ୍କ ବଦଳରେ ଶହଶହ ୧୯ ବର୍ଷିଆ ITI ପିଲାଙ୍କୁ କାମରେ ଲଗାଇ, ଅଜାଣତରେ ଟେଲିକମ୍‌ ବ୍ୟବସ୍ଥାକୁ ଉଜାଡ଼ିବାରେ ଲାଗିଛନ୍ତି। ଇଂଜିନିୟରମାନେ ଟାୱାରରେ ଚଢ଼ିବାକୁ ଅମଙ୍ଗ ହେବା ବା ଅକ୍ଷମତା ପ୍ରକାଶ କରିବାଟା ହୁଏତ ଏଭଳି ଦୁର୍ଦିନକୁ ଅଧିକ ଦୁର୍ବିସହ କରିବାରେ ଲାଗିଛି।
ବାତ୍ୟା ‘ଫଣୀ’ ରାଜଧାନୀ ଭୁବନେଶ୍ୱରର ଟେଲିକମ୍‌ ଭିତ୍ତିଭୂମିକୁ ମୋଡ଼ିକି ଏମିତି ଛିଡ଼ାଇ ଦେଇଛି ଯେ ଛୁଆ କାରିଗରମାନଙ୍କ ମଗଜରେ ତାହା ପଶୁ ନାହିଁ। ସମସ୍ୟା ଏତେ ଉତ୍କଟଯେ ସବୁ ସେବାପ୍ରଦାନକାରୀ ଟେଲିକମ୍‌ ଅପରେଟର ଏବେ ଗ୍ରାହକଙ୍କ ଅଭିଯୋଗ ମଧ୍ୟ ପଞ୍ଜୀକରଣ କରୁନାହାନ୍ତି। ବରଂ ପ୍ରମାଣହୀନ ଭାବରେ କେବଳ ମୌଖିକ ମଧୁର ପ୍ରତିଶ୍ରୁତି ଦେଇ ଖସିଯିବାର ସୂତ୍ର ଧରିଛନ୍ତି।  
ବିମଳ ପ୍ରସାଦ, ଭୁବନେଶ୍ୱର, କଥା ହୁଅନ୍ତୁ: ୯୯୩୭୩୫୩୨୯୩

22 मई 2019

୩୮ ଦେଶରେ ଏବେ ଡିଡି ଇଣ୍ଡିଆ ଇଣ୍ଟରନ୍ୟାସନାଲ

ଏଇ ମେ ୨୦୧୯ରୁ ଭାରତର ଏକ ସରକାରୀ ୨୪ ଘଣ୍ଟିଆ ଅନ୍ତର୍ଜାତୀୟ ଟିଭି ଚ୍ୟାନେଲ ଇଂଲିଶ୍‌ ଭାଷାରେ ଚାଲୁ ହେଲା। ଡିଡି ଇଣ୍ଡିଆ, ଏବେ ଡିଡି ଇଣ୍ଡିଆ ଇଣ୍ଟରନ୍ୟାସନାଲ ହୋଇ ନିଜର କାର୍ଯ୍ୟକ୍ରମ ରୂପରେଖ ବଦଳାଇଛି। ଅନ୍ତର୍ଜାତୀୟ ସମୁଦାୟକୁ ଅନ୍ତତଃ ନିଜ ଦେଶ ବିଷୟରେ ସୂଚନା ଓ ସମ୍ବାଦ ଦେବାକୁ ଆଜି ସୁଦ୍ଧା ଦୂରଦର୍ଶନ ବା ଆକାଶବାଣୀର କେବଳ ଇଂଲିଶ୍‌ ଭାଷାରେ ପ୍ରସାରଣକାରୀ ଚ୍ୟାନେଲ ନଥିଲା। ଫ୍ରାନ୍ସ, ରୁଷିଆ, ଜର୍ମାନୀ, ବ୍ରାଜିଲ, ଚୀନ୍‌, ଜାପାନ, କୋରିଆ, ଶ୍ରୀଲଙ୍କା, ପାକିସ୍ତାନ, ବାଙ୍ଗ୍‌ଲାଦେଶ ଆଦି ଅନେକ ଦେଶରେ ନିଚ୍ଛକ ଇଂଲିଶ୍‌ ଭାଷାର ଚ୍ୟାନେଲ ଥିଲେ ସୁଦ୍ଧା ସିଧାସଳଖ ଅନ୍ତର୍ଜାତୀୟ ସମୁଦାୟକୁ ଅବଗତ କରିବା ପାଇଁ ୧୩୦ କୋଟି ଜନତାଙ୍କ ଏହି ବୃହତ୍‌ ଗଣଣନ୍ତ୍ରର ଏକ ଅନ୍ତର୍ଜାତୀୟ ଚ୍ୟାନେଲ ଜାଣିକି ଏଇ ମାସରେ ଜନ୍ମ ନେଲା। ରାଜ୍ୟସଭା ଟିଭି (RS Tv) କିଛି ମାତ୍ରାରେ ଇଂଲିଶ୍‌ ବିଷୟବସ୍ତୁ ପ୍ରସ୍ତୁତି ପ୍ରସାରଣ କରୁଥିଲେ ସୁଦ୍ଧା ଗୋଟାପଣେ ଇଂଲିଶ୍‌ ହେବା ସମ୍ଭବ ନଥିଲା, ଏବଂ ଏହାର ଉଦ୍ଦେଶ୍ୟ ଅଲଗା ଥିବାରୁ ଏହାକୁ ଚର୍ଚାକୁ ମଧ୍ୟ ଟଣାଯାଇପାରିବ ନାହିଁ।

ବିଳମ୍ବରେ ହେଲେ ସୁଦ୍ଧା ଏକ ଅଣଦେଖା ପ୍ରସଙ୍ଗକୁ ଏନ୍‌ଡିଏ-୨ ସରକାର ନିଜ ଶାସନ ପାଳିର ଶେଷମାସରେ କାର୍ଯ୍ୟକାରୀ କରି ଏକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଛି। ଡିଡି ଇଣ୍ଡିଆକୁ ଏଣିକି ଦର୍ଶକମାନେ ଡିଡି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଭାବେ ଇଂଲିଶ୍‌ ବିଷୟବସ୍ତୁ ଓ ଖବରର ନିରନ୍ତର ପ୍ରସାରକ ରୂପେ ପାଇବେ। ଯେଉଁମାନଙ୍କର ଅନ୍ତର୍ଜାତୀୟ ବନ୍ଧୁ ଅଛନ୍ତି, ସେମାନେ ଏହି ଚ୍ୟାନେଲକୁ ଜୁଟେଇ ଦେଇ ନିଜ ଦେଶର ସୂଚନାକୁ ସଂକ୍ଷିପ୍ତରେ ବା ଠାରରେ ବତାଇପାରିବେ। ଏଣିକି ଏହି ଚ୍ୟାନେଲରେ ଆଉ ନାଚ, ଗୀତ, ସିନେମା ବା ଅଣ-ଖବର ବିଷୟବସ୍ତୁ ପ୍ରସାରିତ ହେବ ନାହିଁ। ପ୍ରସାର ଭାରତୀର ସୂଚନା ଅନୁସାରେ ଏହି ଚ୍ୟାନେଲକୁ GSAT10 ରେ ଅପ୍‌ଲିଙ୍କିଙ୍ଗ୍‌ କରାଯାଇଥିବାରୁ ୩୮ଟି ଦେଶର ଦର୍ଶକ ସୁବିଧାରେ ଦେଖିପାରିବେ।

ଏଇଠି ପାଠକମାନଙ୍କୁ ମନେ ପକାଇ ଦେବାକୁ ଚାହେଁ ଯେ ଶ୍ରୀଲଙ୍କା ବ୍ରଡ୍‌କାଷ୍ଟିଙ୍ଗ୍‌ କର୍ପୋରେସନ୍‌ ବା ରେଡିଓ ସିଲୋନ୍‌ (Radio Ceylon) ଭାରତରେ (ମୁମ୍ବାଇରେ) ନିଜର ଦପ୍ତର ଓ ପ୍ରସାରଣ କେନ୍ଦ୍ର ଖୋଲି କୋଟି କୋଟି ଟଙ୍କାର ବିଜ୍ଞାପନ ରାଜସ୍ୱ ଟାଣି ନେଉଥିଲା ଭାରତୀୟ ଉତ୍ପାଦ କମ୍ପାନୀ ମାନଙ୍କ ଠାରୁ। ୧୯୨୫ ମସିହାରେ ଦକ୍ଷିଣ ଏସିଆ ସବୁଠୁ ପୁରୁଣା ରେଡିଓ କେନ୍ଦ୍ର ୩୦ ସେପ୍ଟେମ୍ବର ୧୯୬୭ରେ ଶ୍ରୀଲଙ୍କାର ସରକାରୀ କମ୍ପାନୀ ରୂପେ ପରିଣତ ହେବା ପରଠୁ ଗୋଟିଏ ହିନ୍ଦୀ ଭାଷାର କାର୍ଯ୍ୟକ୍ରମ ଅତୀବ ଲୋକପ୍ରିୟ ଥିଲା - ବିନାକା ଗୀତ୍‌ ମାଲା। ଆଉ ତା’ର ଉପସ୍ଥାପକ ଅମୀନ୍‌ ସାୟାନୀଙ୍କ ଯାଦୁକରୀ କଣ୍ଠସ୍ୱର ଏବେ ବି ରେଡିଓ ଶ୍ରୋତାଙ୍କୁ ଟାଣି ନିଏ କେଇ ଦଶନ୍ଧି ପଛକୁ। ସେଇ ୧୯୬୭ରେ ଭାରତ ସରକାର ବିବିଧ ଭାରତୀ ବେତାର କେନ୍ଦ୍ର ଆରମ୍ଭ କରି ବିଜ୍ଞାପନ ପ୍ରଚାର କରିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ପ୍ରାୟ ୩ ଦଶନ୍ଧି ଧରି ‘ରେଡିଓ ସିଲୋନ୍‌’କୁ ଟକ୍କର ଦେଇ ପାରିନଥିଲା। ଏବେ ବି କେବଳ ଇଂଲିଶ୍‌ କାର୍ଯ୍ୟକ୍ରମ ପ୍ରସାରିତ ହେଉଥିବା ବେତାର କେନ୍ଦ୍ର ଭାରତ ସରକାରଙ୍କର ନାହିଁ। ତେଣୁ ଭାରତର ଘଟଣା ଦୁର୍ଘଟଣା ପ୍ରସଙ୍ଗ ଅପ୍ରସଙ୍ଗକୁ ସରକାରୀ ଭାବେ ବାହାର ଦୁନିଆ ପାଖରେ ନିର୍ଭେଜାଲ ଭାବରେ ପହଞ୍ଚାଇବାର କୌଣସି ମାଧ୍ୟମ ନାହିଁ।

ଅନ୍ୟ ପକ୍ଷରେ ପ୍ରତିକ୍ରିୟାପନ୍ନ ଦେଶବାସୀମାନେ ଡିଡି ଇଣ୍ଡିଆ ଇଣ୍ଟରନ୍ୟାସନାଲ ଚ୍ୟାନେଲକୁ ଦେଖୁ ନଥିବାରୁ ଏହାର କାର୍ଯ୍ୟକ୍ରମ ପ୍ରସାରଣରେ ଉନ୍ନତି ଆଣିବାକୁ ମତାମତ କିଭଳି ସଂଗ୍ରହ କରିବ ଏବଂ କେଉଁଠୁ ପାଇବ - ତାହା ଏକ ବଡ଼ ପ୍ରଶ୍ନ। କାରଣ ସରକାରୀ ସଂସ୍ଥାମାନେ କୌଣସି ସାଧାରଣ ନାଗରିକଙ୍କ ଇମେଲ ନଖୋଲିବା ବା ଖୋଲିଲେ ବି ଜବାବ ନଦେବା ଏକ ବ୍ୟବସ୍ଥିତ ଅହଂକାରର ମର୍ଯ୍ୟାଦା ପାଇ ଆସୁଛି। ତେବେ ଭାରତର ପ୍ରାଇଭେଟ୍‌ ଇଂଲିଶ୍‌ ଚ୍ୟାନେଲମାନେ ନ୍ୟୁଜ୍‌ ନାମରେ ଭ୍ୟୁଜ୍‌ ପ୍ରଚାର କରି ଅନ୍ତର୍ଜାତୀୟ ସମୁଦାୟ ପାଖରେ ଭାରତର ଛବିକୁ ଯେମିତି ବିଗାଡ଼ି ଦେଉଥିଲେ, ତାହା ସରକାରୀ ଗଣମାଧ୍ୟମ ଦ୍ୱାରା ଏଣିକି ସୁରକ୍ଷିତ ଭାବରେ ବିଶ୍ୱ ଦରବାରରେ ପହଞ୍ଚିପାରିବ।

07 मार्च 2019

ଖାଦ୍ୟ ଓ ପୁଷ୍ଟି ସଂପର୍କିତ ଜନ ଇସ୍ତାହାର

ଖାଦ୍ୟ ଓ ପୁଷ୍ଟି ସଂପର୍କିତ ଜନ ଇସ୍ତାହାର

ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, କଲେକ୍ଟିଭ୍‌ ଆକ୍ସନ୍‌ ଫର୍‌ ନ୍ୟୁଟ୍ରିସନ୍‌, ଭଏସ୍‌ ଫର୍‌ ଚାଇଲଡ଼୍‌ ରାଇଟ୍‌ସ, ଜନସ୍ୱାସ୍ଥ୍ୟ ଅଭିଯାନ-ଓଡ଼ିଶା ଏବଂ ୱାଟର୍‌ ଇନିସିଏଟିଭ୍‌ସ୍‌-ଓଡ଼ିଶା ପ୍ରସ୍ତୁତ କରିଛନ୍ତି ନିମ୍ନୋକ୍ତ ଜନ ଇସ୍ତାହାର

 
ପୁଷ୍ଟିଗତ ବୈଷମ୍ୟଗୁଡ଼ିକ ରାଜନୀତିକ, ଆର୍ଥିକ, ଭୌଗୋଳିକ ଏବଂ ସାମାଜିକ ବିଷୟଗୁଡ଼ିକ ଦ୍ୱାରା ପରିଚାଳିତ ହୋଇଥାଏ ଏବଂ ପୋଷଣର କୁପ୍ରଭାବ ବିଶେଷକରି ମହିଳା ଓ ଶିଶୁମାନଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥାଏ ।  ଅନୁପଯୁକ୍ତ ଆହାର ପ୍ରଥା, ଜୀବନର ବିଭିନ୍ନ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ସେବା ଓ ଯତ୍ନର ଅଭାବର ପରିଣାମ ହେଉଛି କୁପୋଷଣ । ଏହାର ଫଳାଫଳ ହେଉଛି ଅସମାନତା, ଦାରିଦ୍ର୍ୟ ଓ ଅସୁସ୍ଥତା । ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ ପାଇଁ କୁପୋଷଣର ସମସ୍ତ ରୂପକୁ ରୋକିବା ନିହାତି ଆବଶ୍ୟକ । 
ଗ୍ରାମୀଣ ଦୁରବସ୍ଥା, କୃଷି ସଙ୍କଟ, କର୍ମନିଯୁକ୍ତିର ଅଭାବ ଏବଂ ଜୀବିକା ପନ୍ଥା ସୃଷ୍ଟିର ଅଭାବ ଯୋଗୁଁ ରାଜ୍ୟରେ ଅନାହାର ଜନିତ ମୃତ୍ୟୁ ଘଟଣା ଭଳି ସମସ୍ୟା ସାମ୍ନାକୁ ଆସୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ)ର ସୁଯୋଗକୁ ବିସ୍ତାରିତ କରିବା ସଙ୍ଗେ ସଙ୍ଗେ ଏହାକୁ ସର୍ବାଦୌ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି ।

ଓଡ଼ିଶାରେ କୁପୋଷଣ:
- ଓଡ଼ିଶାର ଶିଶୁ ମୃତ୍ୟୁହାର (୧ବର୍ଷ ମଧ୍ୟରେ) ୧୦୦୦ ଜନ୍ମରେ ୪୦ଜଣ;
- ଓଡ଼ିଶାର ଶିଶୁ ମୃତ୍ୟୁହାର (୧ରୁ ୫ବର୍ଷ ମଧ୍ୟରେ) ୧୦୦୦ ଜନ୍ମରେ ୪୯ଜଣ;
- ୫ବର୍ଷ ବୟସରୁ କମ୍‌ ବୟସର ୩୪.୪ ପ୍ରତିଶତ ଶିଶୁ କମ୍‌ ଓଜନ ବିଶିଷ୍ଟ;
- ୫ବର୍ଷ ବୟସରୁ କମ୍‌ ବୟସର ୩୪.୧ ପ୍ରତିଶତ ଶିଶୁ, ବୟସ ଅନୁସାରେ ଉଚ୍ଚତା କମ୍‌;
- ୫ବର୍ଷ ବୟସରୁ କମ୍‌ ବୟସର ୨୦.୪ ପ୍ରତିଶତ ଶିଶୁ, ଉଚ୍ଚତା ଅନୁସାରେ ଓଜନ କମ୍‌;
- ୫ବର୍ଷ ବୟସରୁ କମ୍‌ ବୟସର ୬.୪ ପ୍ରତିଶତ ଶିଶୁ ଉଚ୍ଚତା ଅନୁସାରେ ଅତିମାତ୍ରାରେ ଓଜନ କମ୍‌;
- ୬ରୁ ୨୩ ମାସ ମଧ୍ୟରେ ସମୁଦାୟ ଶିଶୁଙ୍କ ମଧ୍ୟରୁ ୮.୫ ପ୍ରତିଶତ ଶିଶୁ ପର୍ଯ୍ୟାପ୍ତ ଆହାର ପାଇଥାଆନ୍ତି;
- ୬ରୁ ୫୯ ମାସ ମଧ୍ୟରେ ସମୁଦାୟ ଶିଶୁଙ୍କ ମଧ୍ୟରୁ ୪୪.୬ ପ୍ରତିଶତ ଶିଶୁ ରକ୍ତହୀନତାରେ ପୀଡ଼ିତ;
- ଗର୍ଭ ଧାରଣ କରିନଥିବା ୧୫-୪୯ବର୍ଷ ବୟସର ମହିଳାଙ୍କ ମଧ୍ୟରେ ୫୧.୨ ପ୍ରତିଶତ ରକ୍ତହୀନତା;
- ଗର୍ଭ ଧାରଣ କରିଥିବା ୧୫-୪୯ବର୍ଷ ବୟସର ମହିଳାଙ୍କ ମଧ୍ୟରେ ୪୭.୬ ପ୍ରତିଶତ ରକ୍ତହୀନତା;
(ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ ୪ର୍ଥ, ୨୦୧୫ - ୧୬)


୨୦୧୯ ସାଧାରଣ ନିର୍ବାଚନ ପାଇଁ ଯେତେବେଳେ ରାଜନୀତିକ ଦଳଗୁଡ଼ିକ ନିଜନିଜର ଘୋଷଣାପତ୍ର ପ୍ରସ୍ତୁତ କରୁଛନ୍ତି, ସେତେବେଳେ ଓଡ଼ିଶା ଖାଦ୍ୟ ଅଧିକାର ଅଭିଯାନ, କଲେକ୍ଟିଭ୍‌ ଆକ୍ସନ୍‌ ଫର୍‌ ନ୍ୟୁଟ୍ରିସନ୍‌, ଭଏସ୍‌ ଫର୍‌ ଚାଇଲଡ଼୍‌ ରାଇଟ୍‌ସ, ଜନସ୍ୱାସ୍ଥ୍ୟ ଅଭିଯାନ-ଓଡ଼ିଶା ଏବଂ ୱାଟର୍‌ ଇନିସିଏଟିଭସ୍‌-ଓଡ଼ିଶା, ନିମ୍ନଲିଖିତ ପ୍ରସ୍ତାବଗୁଡ଼ିକୁ ବିଚାର ପାଇଁ ଉପସ୍ଥାପନ କରୁଛନ୍ତି:-

ଖାଦ୍ୟ ଓ ପୁଷ୍ଟି ପାଇଁ ଜନ ଇସ୍ତାହାର:
ଗୋଷ୍ଠୀ, ବିଶେଷଜ୍ଞ ଦଳ ଏବଂ ସାମାଜିକ ସଙ୍ଗଠନଗୁଡ଼ିକ ସହତି ପରାମର୍ଶ କଲାପରେ ଏହିସବୁ ପ୍ରସ୍ତାବଗୁଡ଼ିକୁ ପ୍ରସ୍ତୁତ କରାଯାଇଛି ।
ଆମେ ଆଶା ରଖିଛୁ, ନିର୍ବାଚନୀ ପ୍ରତିଶ୍ରୁତି ରୂପେ ଏସବୁ ପ୍ରସ୍ତାବଗୁଡ଼ିକୁ ପାଳନ କଲେ କ୍ଷୁଧା ଏବଂ କୁପୋଷଣମୁକ୍ତ ନୂତନ ଓଡ଼ିଶା ଗଠନ ହୋଇପାରିବ ।

ପୋଷଣ:
- ସମନ୍ୱିତ ଶିଶୁ ବିକାଶ ସେବା ଯୋଜନାକୁ ସାର୍ବଜନୀନ କରାଯାଉ: ଓଡ଼ିଶାରେ ଯଦିଓ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ସଂଖ୍ୟା ବଢ଼ିଛି, ତଥାପି ସବୁ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ନାହିଁ । ବିଶେଷକରି ଆଦିବାସୀ ଓ ପାହାଡ଼ିଆ ଅଂଚଳରେ ଏପରି ଅନେକ ଗାଁ’ ରହିଛି ଯାହାକୁ ଟ୍ୟାଗ୍‌ ଭିଲେଜ୍‌ କୁହାଯାଉଛି, ଏହି ଟ୍ୟାଗ୍‌ ଭିଲେଜ୍‌ଗୁଡ଼ିକ ଅନ୍ୟ ଗାଁ’ର ଅଙ୍ଗନୱାଡ଼ି କେନ୍ଦ୍ର ସହିତ ଯୋଡ଼ି ହୋଇ ରହିଛି । ଗମନା ଗମନ ଓ ଯାତାୟତର ସୁବିଧା ନଥିବା ହେତୁ ଏହିସବୁ ଟ୍ୟାଗ୍‌ ଭିଲେଜ୍‌ର ହିତାଧିକାରୀମାନେ ନିୟମିତ ଏବଂ ଠିକ୍‌ଭାବେ ଆଇସିଡ଼ିଏସ୍‌ ସେବାଗୁଡ଼ିକ ପାଇପାରୁ ନାହାନ୍ତି । ସାର୍ବଜନୀନକରଣ କ୍ଷେତ୍ରରେ ଅଧିକାର ଉଲ୍ଲଙ୍ଘନର ମୁଖ୍ୟ କାରଣ ହେଉଛି, ଟ୍ୟାଗ୍‌ ଭିଲେଜ୍‌ ଚିନ୍ତାଧାରା । ତେଣୁ ଏହାକୁ ସମାପ୍ତ କରିବା ଆବଶ୍ୟକ । ସମସ୍ତ ଛୋଟ ଶିଶୁ, ଗର୍ଭବତୀ ମହିଳା, ପ୍ରସୂତୀ ମାଆ ଏବଂ କିଶୋରୀ ବାଳିକାମାନଙ୍କୁ ପ୍ରାକ୍‌ ବିଦ୍ୟାଳୟ ଓ ପରିପୂରକ ପୁଷ୍ଟି ସମେତ ଆଇ.ସି.ଡ଼ି.ଏସ୍‌. ସେବାଗୁଡ଼ିକ ଶୃଙ୍ଖଳିତ ଭାବେ ଉପଲବ୍‌ଧ ହେବା ନିହାତି ଦରକାର । 

- ସମସ୍ତ ଆଇ.ସି.ଡ଼ି.ଏସ୍‌. ପାଇଁ ପର୍ଯ୍ୟାପ୍ତ, ନିରାପଦ ଏବଂ ବିପର୍ଯ୍ୟୟ ପ୍ରତିରୋଧକାରୀ ଭିତ୍ତିଭୂମି: ପ୍ରାୟ ୪୭ପ୍ରତିଶତ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକର ନିଜସ୍ୱ ଭିତ୍ତିଭୂମି (ଘର, ଶୌଚାଳୟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ସୁବିଧା), ପୁଷ୍ଟି ସେବା ପାଇଁ ମୌଳିକ ଆବଶ୍ୟକ । ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ସମସ୍ତ ଆଇ.ସି.ଡ଼ି.ଏସ୍‌. କେନ୍ଦ୍ରଗୁଡ଼ିକ ପାଇଁ ସଂପୂର୍ଣ୍ଣ, ନିରାପଦ ଏବଂ ବିପର୍ଯ୍ୟୟ ପ୍ରତିରୋଧକାରୀ ଭିତ୍ତିଭୂମି ସୁନିଶ୍ଚିତ କରିବା ପାଇଁ, ତିନିବର୍ଷ ମଧ୍ୟରେ ଏପରିକି ଜରୁରୀ ପରିସ୍ଥିତି ସମୟରେ ମଧ୍ୟ ସେବାଗୁଡ଼ିକୁ ଉପଲବ୍‌ଧ କରିବା ପାଇଁ ଉଦ୍ୟମ ହେବା ଆବଶ୍ୟକ । 

- ପରିପୂରକ ପୁଷ୍ଟି ଓ ମଧ୍ୟାହ୍ନ ଭୋଜନର ଗୁଣମାନ ବୃଦ୍ଧି: ଆଇ.ସି.ଡ଼ି.ଏସ୍‌. ଏବଂ ମଧ୍ୟାହ୍ନ ଭୋଜନ ଅଧୀନରେ ଅଣ୍ଡା, କ୍ଷୀର, ମିଲେଟ୍‌ ଯାହାକି କ୍ଷୁଦ୍ରଦାନା ଶସ୍ୟଏବଂ ସ୍ଥାନୀୟ ରୂପେ ଉପଲବ୍‌ଧ ଖାଦ୍ୟ ପଦାର୍ଥଗୁଡ଼ିକର ଉପଯୋଗ ମାଧ୍ୟମରେ ଗୁଣମାନ ବୃଦ୍ଧି କରାଯିବା ଉଚିତ । ଜିଲ୍ଲାସ୍ତରରେ ଖାଦ୍ୟ ପଦାର୍ଥର ଗୁଣବତ୍ତା ପରୀକ୍ଷଣ ପାଇଁ ବ୍ୟବସ୍ଥା ହେବା ଆବଶ୍ୟକ । ଗୋଷ୍ଠୀ ତଦାରଖ ବ୍ୟବସ୍ଥାକୁ ଲାଗୁ କରିବା ଉଚିତ ଏବଂ ତଦାରଖର ଫଳାଫଳକୁ ଅନୁସରଣ କରିବା ମଧ୍ୟ ଉଚିତ । ଭୋଜନର ପୋଷକ ତତ୍ତ୍ୱ ବୃଦ୍ଧି ପାଇଁ ବିଦ୍ୟାଳୟ ଏବଂ ଆଇ.ସି.ଡ଼ି.ଏସ୍‌. କେନ୍ଦ୍ରଗୁଡ଼ିକରେ ପୁଷ୍ଟି ବଗିଚା ପରିଚାଳନା କରିବା ଉଚିତ । ପରିପୂରକ ପୁଷ୍ଟି ଓ ମଧ୍ୟାହ୍ନ ଭୋଜନର ଦର ବର୍ଷକୁ ଥରେ ସମୀକ୍ଷା କରି ମୁଦ୍ରାସ୍ଫୀତି ଅନୁସାରେ ସଂଶୋଧନ କରାଯିବା ଉଚିତ ।

- ମାତୃତ୍ୱ ସହାୟତା ବୃଦ୍ଧି: ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଗର୍ଭବତୀ ଓ ପ୍ରସୂତୀ ମହିଳାମାନଙ୍କୁ ମାତୃତ୍ୱ ସହାୟତା ରୂପେ ଅତି କମ୍‌ରେ ୬୦୦୦/-(ଛଅ ହଜାର) ଟଙ୍କାର ମାତୃତ୍ୱ ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ତେବେ, ରାଜ୍ୟ ମମତା ଯୋଜନା କିମ୍ବା ପ୍ରଧାନମନ୍ତ୍ରୀ ମାତୃତ୍ୱ ସହାୟତା ଯୋଜନା ବୈଧ ପ୍ରତିଶ୍ରୁତି ପାଳନ କରୁନାହାନ୍ତି । ଯେତେବେଳେ କି ତାମିଲନାଡ଼ୁ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡ଼ିକ ଯଥାକ୍ରମେ ୧୮୦୦୦/-ଟଙ୍କା ଏବଂ ୧୬୦୦୦/-ଟଙ୍କା ପ୍ରଦାନ କରୁଛନ୍ତି । ମାତୃତ୍ୱ ସହାୟତା ପରିମାଣକୁ ଯଥାଯଥ ଭାବେ ବୃଦ୍ଧି କରିବା, ଠିକ୍‌ ସମୟରେ ଅର୍ଥ ପ୍ରଦାନକୁ ସୁନିଶ୍ଚିତ କରିବା ଏବଂ ଅଙ୍ଗନୱାଡ଼ି କେନ୍ଦ୍ର ଓ ୱେବ୍‌ସାଇଟ୍‌ରେ ହିତାଧିକାରୀମାନଙ୍କ ନାମ ଓ ଅର୍ଥ ହସ୍ତାନ୍ତରଣର ସମୟକୁ ପ୍ରଦର୍ଶିତ କରିବା ଜରିଆରେ ସ୍ୱଚ୍ଛତା ଅବଲମ୍ବନ କରିବା ପାଇଁ ପଦକ୍ଷେପ ନେବା ଦରକାର । ହିତାଧିକାରୀମାନଙ୍କ ପାଇଁ  ପରିଚାଳନା ପ୍ରକ୍ରିୟା ସହଜ ଓ ସରଳ ହେବା ଆବଶ୍ୟକ । ସହଜ ପହୁଞ୍ଚ ପାଇଁ ଡାକଘରେ “ମମତା ଖାତା” ଖୋଲିବା ପାଇଁ ଅନୁମତି ଦେବା ଆବଶ୍ୟକ । 

- ଶିଶୁମାନଙ୍କ ପାଇଁ କ୍ରେଚ୍‌: କାର୍ଯ୍ୟରତ ମହିଳାମାନଙ୍କ ଉପରେ ବୋଝକୁ କମ୍‌ କରିବା ଏବଂ ଶିଶୁମାନଙ୍କ ପୋଷଣ କ୍ଷେତ୍ରରେ ସୁଧାର ଆଣିବା ପାଇଁ, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକ କ୍ରେଚ୍‌ ରୂପେ କାର୍ଯ୍ୟ କରିବା ଉଚିତ । ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ ଓ ଅତିରିକ୍ତ ସୁବିଧାଗୁଡ଼ିକୁ ଉପଲବ୍‌ଧ କରାଯିବା ଆବଶ୍ୟକ । ଆହୁରି ମଧ୍ୟ ପ୍ରତ୍ୟେକ ସରକାରୀ ପ୍ରତିଷ୍ଠାନରେ କ୍ରେଚ୍‌ ସୁବିଧା ଉପଲବ୍‌ଧ ହେବା ପାଇଁ ବ୍ୟବସ୍ଥା ରହିବା ଉଚିତ । 

- ପୁଷ୍ଟି ଥଇଥାନ କେନ୍ଦ୍ରରେ ସୁବିଧା ବଢ଼ାଇବା: ଓଡ଼ିଶା ରାଜ୍ୟରେ ଗୁରୁତର ଭାବେ କୁପୋଷିତ ଶିଶୁମାନଙ୍କ ପ୍ରତିଶତକୁ ଦେଖି, ପ୍ରତ୍ୟେକ ପୁଷ୍ଟି ଥଇଥାନ କେନ୍ଦ୍ରଗୁଡ଼ିକରେ ବର୍ତ୍ତମାନ ଥିବା ୧୦ ଶଯ୍ୟା ବିଶିଷ୍ଟ କ୍ଷମତାକୁ ଦୁଇଗୁଣା କରିବାର ଆବଶ୍ୟକତା ରହିଛି । ପୁଷ୍ଟି ଥଇଥାନ କେନ୍ଦ୍ରରେ ଶିଶୁମାନଙ୍କ ସହିତ ରହୁଥିବା ସେମାନଙ୍କର ମା’ମାନଙ୍କ ପାଇଁ ମଜୁରୀ ଭରଣା ନିମନ୍ତେ ଆର୍ଥିକ ସହାୟତା ଦୈନିକ ୧୦୦/-ଟଙ୍କାର ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ଦୈନିକ ସର୍ବନିମ୍ନ ମଜୁରୀ ସହ ସମାନ କରାଯିବା ଜରୁରୀ।

- ଶିଶୁମାନଙ୍କ ପାଇଁ ଅଣ୍ଡା: ଶିଶୁମାନଙ୍କର ପୁଷ୍ଟି ଆହରଣକୁ ବଢ଼ାଇବା ପାଇଁ ସମସ୍ତ ଆଇ.ସି.ଡ଼ି.ଏସ୍‌. କେନ୍ଦ୍ର ଏବଂ ବିଦ୍ୟାଳୟଗୁଡ଼ିକରେ ସପ୍ତାହକୁ ୬ଦିନ ଅଣ୍ଡା ପ୍ରଦାନ କରାଯାଉ । 

- ଘରୋଇ ଠିକାଦାରଙ୍କୁ ନା: ଆଇ.ସି.ଡ଼ି.ଏସ୍‌. ଏବଂ ମଧ୍ୟାହ୍ନ ଭୋଜନ ଅଧୀନରେ ହକ୍‌ ବଣ୍ଟନ ନିମନ୍ତେ କୌଣସି ଘରୋଇ ଠିକାଦାର/ଯୋଗାଣକାରୀଙ୍କୁ ନିଯୁକ୍ତ କରିବା ଉଚିତ ନୁହେଁ । ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦିଆଯାଇ ଏହି କାର୍ଯ୍ୟକ୍ରମରେ ନିଯୁକ୍ତ କରାଯିବା ଉଚିତ । 

-  ଗର୍ଭବତୀ ଓ ପ୍ରସୂତି ମା’ମାନଙ୍କ ପାଇଁ ଗରମ ଓ ରନ୍ଧା ମଧ୍ୟାହ୍ନ ଭୋଜନ: ସମସ୍ତ ଗର୍ଭବତୀ ଓ ପ୍ରସୂତୀ ମା’ମାନଙ୍କ ପୋଷଣ ଉପରେ ଭଲ ପ୍ରଭାବ ପକାଇବା ପାଇଁ ଆଇ.ସି.ଡ଼ି.ଏସ୍‌. କେନ୍ଦ୍ର ସ୍ତରରେ ଗରମ ଓ ରନ୍ଧା ଭୋଜନ ପ୍ରଦାନ କରାଯିବା ଉଚିତ । କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟ ଏପରି କାର୍ଯ୍ୟକ୍ରମକୁ ସଫଳତାପୂର୍ବକ କରିଆସୁଛନ୍ତି ।


ଖାଦ୍ୟ ଓ ବଣ୍ଟନ:

• ସମସ୍ତ ଯୋଗ୍ୟ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡ଼ିଏସ୍‌) ଅଧୀନକୁ ଅଣାଯାଉ ଓ ବିବିଧ ସାମଗ୍ରୀ ପ୍ରଦାନ କରାଯାଉ: ଯଦିଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫ୍‌ଏସ୍‌ଏସ୍‌) ସହିତ, ପରିବାର ବହିଃସ୍କରଣକୁ ଅଧିକତମ ସୀମା ପର୍ଯ୍ୟନ୍ତ ସଂଯୋଜନା କରାଯାଉଛି, ତଥାପି ପରିବାର ଭିତରେ ସଦସ୍ୟ/ସଦସ୍ୟାଙ୍କ ବାଦ୍‌ପଡ଼ିବା ଭଳି ସ୍ୱତନ୍ତ୍ର ସମସ୍ୟା, ବିଶେଷକରି ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରହିଛି । ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡ଼ିଏସ୍‌)କୁ ଗତିଶୀଳ କରିବାକୁ ପଡ଼ିବ ଏବଂ ସମସ୍ତ ଯୋଗ୍ୟ ପରିବାର ଓ ବ୍ୟକ୍ତିବିଶେଷଙ୍କୁ ସାମିଲ୍‌ କରିବାକୁ ହେବ । ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡ଼ିଏସ୍‌)ରେ ବିଶେଷକରି ଆଦିବାସୀ/ପାହାଡ଼ିଆ ଅଞ୍ଚଳରେ ଏବଂ ଅନଗ୍ରସର ଅଞ୍ଚଳରେ, ମାଣ୍ଡିଆ ଓ ଅନ୍ୟ ଶସ୍ୟ, ଡ଼ାଲି, ତେଲ, ଲୁଣ ଆଦିକୁ ସାମିଲ୍‌ କରି  ବିବିଧତାପୂର୍ଣ୍ଣ କରିବାକୁ ପଡ଼ିବ । ପ୍ରବାସୀ ଶ୍ରମିକମାନେ ଯେପରି ସେମାନଙ୍କ କାର୍ଯ୍ୟସ୍ଥଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାର ସାମଗ୍ରୀ ପାଇପାରିବେ, ସେଥିପାଇଁ ଲକ୍ଷ୍ୟଭିତ୍ତିକ ସାଧାରଣ ବଣ୍ଟନ ବ୍ୟବସ୍ଥା (ଟିପିଡ଼ିଏସ୍‌)କୁ ଚଳମାନ କରିବାକୁ ହେବ । ଅନ୍ତ୍ୟୋଦୟ ଅନ୍ନ ଯୋଜନା ପରିସରକୁ ବୃଦ୍ଧି କରାଯାଇ ଏହା ଅଧୀନରେ, ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଆଦେଶ (୨ ମଇ, ୨୦୦୩) ଅନୁସାରେ ସମସ୍ତ ଯୋଗ୍ୟ ପରିବାରଗୁଡ଼ିକୁ ସାମିଲ କରାଯାଉ ।  

• ସବୁଠୁ ଦୁର୍ବଳ ବର୍ଗଙ୍କ ଚିହ୍ନଟ ଓ ସହାୟତା: ଅନାହାରରେ ପୀଡିତ ଲୋକଙ୍କୁ ନିୟମିତ ଚିହ୍ନଟ କରିବା ପାଇଁ ଏକ ପ୍ରକ୍ରିୟା ନିଶ୍ଚିତ ରୂପେ ବିକଶିତ କରାଯିବା ଦରକାର ଏବଂ ଗରମ ରନ୍ଧା ଭୋଜନ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଏହି ଉଦ୍ଦେଶ୍ୟରେ କେ.ବି.କେ. ଅଞ୍ଚଳରେ ପୂର୍ବରୁ ଚାଲୁଥିବା ଜରୁରୀକାଳୀନ ଖାଦ୍ୟ ଯୋଗାଣ କାର୍ଯ୍ୟକ୍ରମକୁ ଲକ୍ଷ୍ୟଯୁକ୍ତଭାବେ ପୁନର୍ବାର ଚାଲୁ କରିବା/ପୁନଃଜୀବିତ କରିବା ଉଚିତ । ଆଦିବାସୀ, ଆଦିମ ଆଦିବାସୀ, ଦଳିତ, ବୃଦ୍ଧ ଏବଂ ବିକଳାଙ୍ଗଙ୍କ ସମେତ ସମସ୍ତ ଦୁର୍ବଳ ବର୍ଗଙ୍କୁ ଖାଦ୍ୟ ଓ ପୁଷ୍ଟି ଅଧିକାର ସମାନଭାବେ ଉପଲବ୍‌ଧ ହେବା ଆବଶ୍ୟକ ।   

• ଖାଦ୍ୟର ଉତ୍ସ ହିସାବରେ ଜଙ୍ଗଲକୁ ସୁରକ୍ଷା କରାଯାଉ: ଆଦିବାସୀମାନଙ୍କ ସମେତ ବନବାସୀମାନେ ଜଙ୍ଗଲରୁ ପ୍ରଚୁର ପୌଷ୍ଟିକ ଖାଦ୍ୟପଦାର୍ଥ, ଫଳ, ପନିପରିବା, କନ୍ଦା, ଶାଗ ପାଇଥାଆନ୍ତି । ତେଣୁ ବାଣିଜ୍ୟିକ, ମନୋସଂସ୍କୃତି/ଏକାପ୍ରକାର ବୃକ୍ଷରୋପଣ ପରିବର୍ତ୍ତେ ପ୍ରାକୃତିକ ଜଙ୍ଗଲର ସୁରକ୍ଷା ଓ ବଢ଼ାଇବାର ଆବଶ୍ୟକତା ରହିଛି ।   

• ଜୈବ ବିବିଧତାର ସଂରକ୍ଷଣ ଓ ଉନ୍ନତିକରଣ: ଖାଇବା ଯୋଗ୍ୟ ଖାଦ୍ୟ ପଦାର୍ଥଗୁଡ଼ିକର ଚିହ୍ନଟ ପାଇଁ ଏକ ସ୍ଥାନୀୟ ଡ଼ାଟାବେସ୍‌ ବିକଶିତ କରାଯିବା ଦରକାର । ସ୍ଥାନୀୟ ଜୈବ ବିବିଧତାକୁ ସଂରକ୍ଷଣ କରାଯିବା ଉଚିତ । ବିଦ୍ୟାଳୟ ଶିକ୍ଷାରେ ପ୍ରାକୃତିକ ଖାଦ୍ୟ ଓ ସେଗୁଡ଼ିକର ଗୁରୁତ୍ୱକୁ ସାମିଲ କରିବାର ଆବଶ୍ୟକତା ରହିଛି । 
• ଯଥାଯଥ ଭାବେ ବଜେଟ୍‌ର ଉପଯୋଗ: ସି.ଏ.ଏମ୍‌.ପି.ଏ. (କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା) ଏବଂ ଡ଼ି.ଏମ୍‌.ଏଫ୍‌. (ଜିଲ୍ଲା ଖଣିଜ ପାଣ୍ଠି)ର ଉପଯୋଗ ସ୍ଥାନୀୟ ବିକାଶ ପାଇଁ ଗ୍ରାମସଭାର ସହମତିରେ ଯଥାଯଥଭାବେ ଉପଯୋଗ କରାଯିବା ଉଚିତ । ଏହି ପାଣ୍ଠିର ଉପଯୋଗ ଲୋକଙ୍କୁ ପ୍ରୋତ୍ସାହିତ କରିବା ଏବଂ ଖାଦ୍ୟ ବିବିଧତା ଓ ଜୈବ ବିବିଧତାକୁ ଉନ୍ନତ କରିବା ପାଇଁ ବ୍ୟବହାର କରାଯିବା ଉଚିତ । 

• ସାମାଜିକ ନିରାପତ୍ତା ପେନ୍‌ସନ୍‌କୁ ସାର୍ବଜନୀନ ଓ ବୃଦ୍ଧି: ସାମାଜିକ ନିରାପତ୍ତା ପେନ୍‌ସନ୍‌କୁ ସାର୍ବଜନୀନ କରାଯାଉ ଏବଂ ଆର୍ଥିକ ପରିମାଣ ୨୦୦୦/-(ଦୁଇ ହଜାର) ଟଙ୍କାକୁ ବୃଦ୍ଧି କରାଯାଉ କିମ୍ବା ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସର୍ବନିମ୍ନ ମଜୁରୀର ଅଧା ଏବଂ ଏହାକୁ ମୁଦ୍ରାସ୍ଫୀତି ସୂଚକାଙ୍କ ସହ ଯୋଡ଼ାଯାଉ ।  

ଚାଷ-ବାସ:

- ସର୍ବନିମ୍ନ ସହାୟକ ମୂଲ୍ୟ: ସମସ୍ତ କୃଷିଜାତ ଦ୍ରବ୍ୟ ପାଇଁ ବର୍ଦ୍ଧିତ ଦର ସହିତ ସର୍ବନିମ୍ନ ସହାୟତା ମୂଲ୍ୟ ଉପରେ ଏକ ଆଇନ ପ୍ରଣୟନ କରାଯାଉ । 

- ନିରାପଦ ପୁଷ୍ଟିକାରକ ଓ ସାଂସ୍କୃତିକଭାବେ ଗ୍ରହଣଯୋଗ୍ୟ ଖାଦ୍ୟ ପଦାର୍ଥ ଉତ୍ପାଦନ ପାଇଁ ସ୍ଥାୟୀ ଜୈବିକ କୃଷିକୁ ପ୍ରୋତ୍ସାହନ ପ୍ରଦାନ: ସମନ୍ୱିତ ଚାଷ ଓ ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯାଉ । ନିରାପଦ ଖାଦ୍ୟ ଉତ୍ପାଦନ ପାଇଁ, ସ୍ଥାୟୀ ଜୈବିକ କୃଷି ପାଇଁ କୃଷକମାନଙ୍କୁ ସହାୟତା ପ୍ରଦାନ କରାଯାଉ । 

- କୃଷି ପାଇଁ ‘ମନ୍‌ରେଗା’: ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ (ମନ୍‌ରେଗା) ଜରିଆରେ କୃଷି ବିକାଶ ଉପରେ ଗୁରୁତ୍ୱ ଦିଆଯାଉ ଏବଂ ଯଥା ସମୟରେ ଶ୍ରମ ମଜୁରୀ ପ୍ରଦାନକୁ ସୁନିଶ୍ଚିତ କରାଯାଉ । କୃଷି ଓ ଜଳସେଚନ କାର୍ଯ୍ୟକ୍ରମ ସହିତ ଏକାଭିମୁଖୀକୁ ପ୍ରାଥମିକତା ଦେବା ଉଚିତ । 

- ଭୂମିହୀନକୁ ଜମି: ସମସ୍ତ ଭୂମିହୀନ ଲୋକଙ୍କୁ ଚାଷଜମି ପ୍ରଦାନ କରାଯାଉ, ଅବୈଧ ରୂପେ ବିଚ୍ଛିନ୍ନ ଆଦିବାସୀଙ୍କ ଜମିକୁ ରକ୍ଷା ଓ ପୁନରୁଦ୍ଧାର କରାଯାଉ । 

- ଜଙ୍ଗଲ ଜମି ଅଧିକାରକୁ ସୁନିଶ୍ଚିତ କରାଯାଉ: ଅନ୍ୟ ପାରମ୍ପରିକ ବନବାସୀଙ୍କ ସମେତ ସମସ୍ତଙ୍କୁ ବ୍ୟକ୍ତିଗତ ଅଧିକାର ଏବଂ ସମସ୍ତ ଯୋଗ୍ୟ ଗ୍ରାମକୁ ଗୋଷ୍ଠୀ ଅଧିକାର ପ୍ରଦାନ କରିବା ପାଇଁ ଜଙ୍ଗଲ ଅଧିକାର ଆଇନ ୨୦୦୬ର ଯଥାଯଥ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରାଯାଉ । 

-  ଜଙ୍ଗଲ ଜମିରୁ ଲୋକଙ୍କୁ ଉଚ୍ଛେଦ କରାନଯାଉ:  ଜଙ୍ଗଲ ଅଧିକାର ଆଇନ ଅଧୀନରେ ସ୍ୱୀକୃତ ଚୂଡ଼ାନ୍ତ ପ୍ରକ୍ରିୟାକୁ ଅନୁସରଣ କରି ଅନ୍ତିମ ରୂପ ଦେବା ପୂର୍ବରୁ ଜଙ୍ଗଲ ଜମିରୁ ଲୋକଙ୍କୁ ବେଦଖଲ କରାନଯାଉ । 
- ଗ୍ରାମପଞ୍ଚାୟତ ସ୍ତରରେ ସୂଚନା କେନ୍ଦ୍ର: ପ୍ରତ୍ୟେକ ଗ୍ରାମପଞ୍ଚାୟତରେ କୃଷି ସୂଚନା କେନ୍ଦ୍ର ଖୋଲାଯାଉ, ଯେଉଁଠାରୁ କୃଷକମାନେ କୃଷି ସମ୍ବନ୍ଧିତ ସମସ୍ତ ପ୍ରକାର ସୂଚନା ଯଥା ସର୍ବନିମ୍ନ ସହାୟତା ମୂଲ୍ୟ, କୃଷି ପ୍ରଣାଳୀ ଏବଂ ବିପର୍ଯ୍ୟୟ ପ୍ରତିରୋଧୀ କିସମ, ସରକାରୀ ଯୋଜନା/କାର୍ଯ୍ୟକ୍ରମ ଇତ୍ୟାଦି ବିଷୟରେ ସଠିକ୍‌ ସୂଚନା ପାଇପାରିବେ । 

ପାଣି:

• ନିରାପଦ ପାନୀୟ ଜଳ ଅଧିକାରକୁ ସୁନିଶ୍ଚିତ କରାଯାଉ: ସମସ୍ତ ବାସସ୍ଥାନ ଏବଂ ବିଦ୍ୟାଳୟ ଓ ଆଇସିଡ଼ିଏସ୍‌ କେନ୍ଦ୍ରଗୁଡ଼ିକ ନିକଟରେ ନିରାପଦ ପାନୀୟ ଜଳର ବ୍ୟବସ୍ଥା କରାଯିବା ଉଚିତ । ଫ୍ଲୋରାଇଡ଼୍‌, ଲୁଣିପାଣି ଏବଂ ଅନ୍ୟ ଭୂତାତ୍ତ୍ୱିକ ଓ ରାସାୟନିକ ପ୍ରଦୂଷଣ କାରଣ ଯୋଗୁଁ ପ୍ରଦୂଷଣ ଭୂଜଳ ପ୍ରଦୂଷଣ ପ୍ରଭାବିତ ଅଞ୍ଚଳରେ ଜନବସତି ଓ ସଂସ୍ଥାଗୁଡ଼ିକ ପାଇଁ ନିରାପଦ ପାନୀୟ ଜଳକୁ ସୁନିଶ୍ଚିତ କରିବା ନିମନ୍ତେ ବିଶେଷ ଉପାୟ ଅବଲମ୍ବନ କରାଯିବା ଆବଶ୍ୟକ । 

• ସମସ୍ତ ଉପରିଭାଗ ଓ ଭୂତଳ ଜଳ ସଂପଦର ସମସ୍ତ ପ୍ରକାର ପ୍ରଦୂଷଣକୁ ରୋକିବା ପାଇଁ ପ୍ରଭାବୀ ଉପାୟଗୁଡ଼ିକ ଅବଲମ୍ବନ କରାଯିବା ଆବଶ୍ୟକ । 

• ସମସ୍ତ କୃଷକଙ୍କୁ ଜଳସେଚନ ସୁନିଶ୍ଚିତ କରିବା: ସେଚାଞ୍ଚଳ ଓ ବର୍ଷାପୁଷ୍ଟ ଅଞ୍ଚଳ ଆଧାରିତ ଜଳସେଚନ - ଗ୍ରୀଷ୍ମ ଓ ବର୍ଷା ଋତୁରେ ଫସଲଗୁଡ଼ିକ ବଞ୍ଚି ରହିବା ପାଇଁ ଅଗ୍ରାଧିକାର ଦିଆଯିବା ଦରକାର । 

  ନଦୀ ଜଳ, ଉପରିଭାଗ ଜଳାଶୟ ଏବଂ ଭୂ-ତଳ ଜଳ ଉପରେ ପ୍ରଥମ ଅଧିକାର କୃଷକମାନଙ୍କର ହେବା ଆବଶ୍ୟକ, ଶିଳ୍ପର ନୁହେଁ । 

• ଜଳ ସୁରକ୍ଷା ଯୋଜନା ପ୍ରସ୍ତୁତି ଓ କାର୍ଯ୍ୟକାରିତା: ସଂପୂର୍ଣ ଲୋକ ସହଭାଗିତାରେ - ଉଭୟ ସ୍ୱାଭାବିକ ସମୟରେ ଓ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିରେ ପ୍ରତ୍ୟେକ ଜଳ ଛାୟା ସ୍ତରରେ ଓ ନଦୀ ଅବବାହିକା ସ୍ତର ପର୍ଯ୍ୟନ୍ତ ଏବଂ ଗରିବ ଓ ଦୁର୍ବଳ ସମୁଦାୟଙ୍କ ପାଇଁ ଜଳ ଓ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ।

ଶାସନ ଓ ସ୍ୱଚ୍ଛତା
- ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ପାଇଁ ନିୟମାବଳୀ: ଏନ୍‌.ଏଫ୍‌.ଏସ୍‌.ଏ. ଅଧୀନରେ ଚାରି ଗୋଟି ଅଧିକାର (ଆଇସିଡ଼ିଏସ୍‌; ଏମ୍‌ଡ଼ିଏମ୍‌; ପିଡ଼ିଏସ୍‌ ଏବଂ ମମତା) କାର୍ଯ୍ୟାନ୍ୱୟନ ପାଇଁ ଏକ ବିସ୍ତୃତ ନିୟମାବଳୀ ତିଆରି କରାଯାଉ, ଯେଉଁଥିରେ ସାମାଜିକ ସମୀକ୍ଷା ପାଇଁ ନିୟମ ରହିଥିବ ।   

- ଗୋଷ୍ଠୀ ସଂସ୍ଥାଗୁଡ଼ିକ ପାଇଁ ଦକ୍ଷତା ବୃଦ୍ଧି: ପ୍ରତ୍ୟେକ ଗ୍ରାମରେ, ମାତୃ କମିଟି, ଯାଞ୍ଚ କମିଟି ଏବଂ ବିଦ୍ୟାଳୟ ପରିଚାଳନା କମିଟି ରହିଛି । ଗ୍ରାମପଞ୍ଚାୟତ ସ୍ତରରେ ଗଠିତ ସାଧାରଣ ବଣ୍ଟନ ବ୍ୟବସ୍ଥା ପରାମର୍ଶଦାତା କମିଟି ଏବଂ ଶିକ୍ଷା ସ୍ଥାୟୀ କମିଟି ରହିଛି । ଏହିସବୁ କମିଟିଗୁଡ଼ିକୁ ବିଭିନ୍ନ କାର୍ଯ୍ୟକ୍ରମର ତଦାରଖ କରିବା ପାଇଁ ଦାୟିତ୍ୱ ପ୍ରଦାନ କରାଯାଇଛି । ତେବେ ସେସବୁ କମିଟିର ଦକ୍ଷତା ବୃଦ୍ଧି ପାଇଁ କୌଣସି ବ୍ୟବସ୍ଥା ନାହିଁ । ତେଣୁ ଏହାକୁ ଅଗ୍ରାଧିକାର ଦିଆଯିବା ଉଚିତ ।   

- ଏକ ସାମାଜିକ ଉତ୍ତରଦାୟିତ୍ୱ ଆଇନ ଅଣାଯାଉ: ଖାଦ୍ୟ ଓ ପୋଷଣ ଶାସନକୁ ଶକ୍ତିଶାଳୀ କରିବା ପାଇଁ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି । ଏହାକୁ ପରିଭାଷିତ କରିବାର ଆବଶ୍ୟକତା ରହିଛି ଏବଂ ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମର ସାମାଜିକ ସମୀକ୍ଷା, ସ୍ୱଚ୍ଛତା ଉପରେ ଧ୍ୟାନ କେନ୍ଦ୍ରିତ କରି ଏକ ସାମାଜିକ ଉତ୍ତରଦାୟିତ୍ୱ ଆଇନ ଅଣାଯିବା ଏବଂ ବିଭିନ୍ନ ସ୍ତରରେ ଉତ୍ତରଦାୟିତ୍ୱକୁ ସ୍ଥିର କରିବା ଜରୁରୀ ହୋଇପଡ଼ିଛି । ଖାଦ୍ୟ ଓ ପୋଷଣ କାର୍ଯ୍ୟକ୍ରମର କାର୍ଯ୍ୟାନ୍ୱୟନରେ କୌଣସି ବି ପ୍ରକାର ଅନିୟମିତତା ଓ ଅପ-ପରିଚାଳନା ପାଇଁ ଶୂନ୍ୟ ସହନଶୀଳତା ହେବା ଆବଶ୍ୟକ । 

- ପଞ୍ଚାୟତିରାଜ ପ୍ରତିନିଧି ଓ ଗ୍ରାମସଭାକୁ ସଶକ୍ତ କରିବା: ଓଡ଼ିଶା ଗ୍ରାମପଞ୍ଚାୟତ ଆଇନକୁ ଜଙ୍ଗଲ ଅଧିକାର ଆଇନ ଅନୁସାରେ ପ୍ରତ୍ୟେକ ଗ୍ରାମରେ ଗ୍ରାମସଭା ଗଠନ କରିବା ପାଇଁ ସଂଶୋଧନ କରାଯାଉ । ପଞ୍ଚାୟତରେ ଅତିପୁଷ୍ଟିହୀନ ଶିଶୁ ଓ ମହିଳାମାନଙ୍କୁ ସହାୟତା କରିବା ପାଇଁ ଗ୍ରାମସଭା ଓ ପଞ୍ଚାୟତରେ ସ୍ୱତନ୍ତ୍ର ପାଣ୍ଠି ରହିବା ଆବଶ୍ୟକ । ଖାଦ୍ୟ ଓ ପୋଷଣ ସୁରକ୍ଷା ଉପରେ ଚର୍ଚ୍ଚା ପାଇଁ ବିଶେଷ ଗ୍ରାମସଭା ଆୟୋଜନ କରିବା ନିମନ୍ତେ ଅର୍ନିବାର୍ଯ୍ୟ ବ୍ୟବସ୍ଥା ହେବା ଦରକାର । ସ୍ୱାସ୍ଥ୍ୟ ଓ ପୋଷଣ ସମ୍ବନ୍ଧିତ ସମସ୍ତ ଯୋଜନାଗୁଡ଼ିକର ନିର୍ଣ୍ଣୟ ଓ କାର୍ଯ୍ୟାନ୍ୱୟନରେ ଗ୍ରାମସଭା ଓ ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଭୂମିକା ରହିବା ଆବଶ୍ୟକ ।  

- ଅଭିଯୋଗ ଶୁଣାଣି: ଏକ ସଶକ୍ତ ଲୋକ ଅନୁକୁଳ ଅଭିଯୋଗ ଶୁଣାଣି ବ୍ୟବସ୍ଥାକୁ ବ୍ଲକ୍‌ ସ୍ତରରୁ ଆରମ୍ଭ କରି ରାଜ୍ୟସ୍ତର ପର୍ଯ୍ୟନ୍ତ ସ୍ଥାପନା କରାଯିବା ଉଚିତ । ଏନ୍‌ଏଫ୍‌ଏସ୍‌ଏ ଏବଂ ଖାଦ୍ୟ ଓ ପୋଷଣ ସମ୍ବନ୍ଧିତ ଅଭିଯୋଗଗୁଡ଼ିକ ପାଇଁ ଜିଲ୍ଲାସ୍ତରରେ ସ୍ୱାଧୀନ ଜିଲ୍ଲା ଅଭିଯୋଗ ଶୁଣାଣି ଅଧିକାରୀ (ଡ଼ିଜିଆର୍‌ଓ) ନିଯୁକ୍ତ କରାଯାଉ ।

- ‘ଆଧାର’ ଭିତ୍ତି ବିଲୋପ ହେଉ: ସାମାଜିକ ସୁରକ୍ଷା ଏବଂ ଖାଦ୍ୟ ଓ ପୋଷଣ ସୁରକ୍ଷା ଯୋଜନାଗୁଡ଼ିକ କ୍ଷେତ୍ରରେ ବାଦ୍‌ପଡ଼ିବା ପାଇଁ ଆଧାରକୁ ମାପଦଣ୍ଡ ହିସାବରେ ନିଆଯିବା ଉଚିତ ନୁହେଁ । ସମସ୍ତ ସାମାଜିକ ସୁରକ୍ଷା ଯୋଜନାରେ ଆଧାରକୁ ପୂର୍ଣ୍ଣମାତ୍ରାରେ ହଟାଯାଉ । କୌଣସି ବି ପ୍ରଶ୍ନ /ବିବରଣୀ ପାଇଁ ଯୋଗାଯୋଗ:

Odisha Khadya Adhikar Abhiyan Coordination
123, VIP Area, IRC Village, Bhubaneswar, Odisha 
Email: odishakhadyaadhikarabhiyan@gmail.com 
Tweet:  @OrissaRtf / #Manifesto4Nutrition