12 जून 2019

କେତେ ଧୂର୍ତ୍ତ ଆମ ନେତା ନବୀନ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଭେଟ
ଆମ ମୁଖ୍ୟମନ୍ତ୍ରୀ ନବୀନ ବାବୁ ୧୧ ଜୁନ୍‌ ୨୦୧୯ରେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ବୋଲି ଆଜି ବିଭିନ୍ନ ମୁଦ୍ରଣ ଗଣମାଧ୍ୟମରେ ବିବରଣୀ ପ୍ରକାଶ ପାଇଛି। ସେଥିରୁ କିଛି ବିନ୍ଦୁ ଉପରେ ଚର୍ଚ୍ଚା କରିବା:-

୧. ବାତ୍ୟା ଫନିରେ ୫ଲକ୍ଷ ୬୦ ହଜାର ଘର ଭାଙ୍ଗି ଯାଇଛି ବୋଲି ଦାଖଲ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ ଅଛି। କିନ୍ତୁ ଏଠାରେ ବଡ଼ ପ୍ରଶ୍ନ ହେଉଛି - ବିଜୁ ପକ୍କାଘର ଯୋଜନାରେ ୨୦ ଲକ୍ଷରୁ ଅଧିକ ଘର ରାଜ୍ୟବାସୀଙ୍କୁ ଦିଆଯାଇଛି ବୋଲି ହଇଚଇ କରିଥିବା ଶାସନ/ପ୍ରଶାସନ ତଥାପି ସତ ଓଗାଳୁ ନାହିଁ କାହିଁକି?

୨. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୫ ଲକ୍ଷ ସ୍ୱତନ୍ତ୍ର ଗୃହ ନିର୍ମାଣ ମଂଜୁର ପାଇଁ ମଧ୍ୟ ସେଥିରେ ଦାବି କରିଛନ୍ତି। ଯହିଁରେ କେନ୍ଦ୍ର-ରାଜ୍ୟ ଅଂଶଦାନ ୯୦:୧୦ ଅନୁପାତରେ ହୋଇପାରିବ ବୋଲି ଉଲ୍ଲେଖ କରିଛନ୍ତି। ପ୍ରଶ୍ନ ହେଉଛି, ସେହି ଅର୍ଥ ରାଶି ଆଣି ତାହାକୁ ‘‘ବିଜୁ ପକ୍କାଘର ଯୋଜନା’’ ନାମରେ କାର୍ଯ୍ୟକାରୀ କରିବା ଏକ ପ୍ରଚ୍ଛନ୍ନ ଚଞ୍ଚକତା ନୁହେଁ କି? ଏହା ଦ୍ୱାରା ମୁଖ୍ୟମନ୍ତ୍ରୀ ଧୂର୍ତ୍ତ ସାବ୍ୟସ୍ତ ହେଉ ନାହାନ୍ତି କି?

୩. ବାତ୍ୟାରେ ନଷ୍ଟ ହୋଇଥିବା ସାର୍ବଜନିକ ଭିତ୍ତିଭୂମିର ନିର୍ମାଣ କାର୍ଯ୍ୟ SDRF/NDRF ପାଣ୍ଠି ପରିଧିରେ ଆସୁ ନାହିଁ। ଏହାକୁ ଏହି ପାଣ୍ଠି ପରିଧିରେ ଅଣାଯାଉ ବୋଲି ଦାବି କରିଛନ୍ତି। କଥା ଉଠୁଛି - ଏନ୍‌ଡିଆର୍‌ଏଫ୍‌ ବିଧି ପ୍ରଣୟନ ବେଳେ ବିଭିନ୍ନ ରାଜ୍ୟର ବିଭାଗୀୟ ଅଧିକାରୀ/ପ୍ରତିନିଧିଙ୍କ ସହ ଏଥିପାଇଁ ନୂଆଦିଲ୍ଲୀରେ ବିମର୍ଶ ହୋଇଥାଏ। ସେଠାକୁ ଓଡ଼ିଶାରୁ କିଏ ଯାଇଥିଲେ? ତାଙ୍କର ଓଡ଼ିଶାର ବିପର୍ଯ୍ୟୟ ପ୍ରବଣତା ଉପରେ ଯଥେଷ୍ଟ ଜ୍ଞାନ ନଥିଲା ବୋଲି ଏଥିରୁ ସ୍ପଷ୍ଟ ହେଉ ନାହିଁ କି? କାରଣ ଏସବୁ ଏହି ୧୯ ବର୍ଷ ମଧ୍ୟରେ ହିଁ ପ୍ରଣୀତ ହୋଇଛି।

୪. ରିଲିଫ୍‌ ବାଣ୍ଟିବା ଏକ ପୁରୁଣା କଥା ହେଲାଣି। ତଥାପି ‘‘ସ୍ୱତନ୍ତ୍ର ରିଲିଫ୍‌ କମିଶନର’’ ପଦ ରଖିବା ଏବଂ ରିଲିଫ୍‌ ଉପରେ ଅଧିକ ଜୋର୍‌ ଦେବା ଏକ ଅନ୍ଧ ଶାସନର ନମୁନା ନୁହେଁ କି? ପୁନରୁଦ୍ଧାର ଉପରେ ତଥାକଥିତ ଏନ୍‌ଜିଓ ଓ ସାମାଜିକ ସଂଗଠନମାନେ ଧ୍ୟାନ ନଦେଇ, ଭଳିକି ଭଳି ରିଲିଫ୍‌ ପୁଡ଼ିଆ ବାଣ୍ଟିବା ଉପରେ ଧ୍ୟାନ ଦେବା ମଧ୍ୟ ତଥାକଥିତ ଶିକ୍ଷିତ-ମୂର୍ଖମାନଙ୍କର ଏକ କସରତ ନୁହେଁ କି? ବିସ୍ମୟକର କଥା ହେଲା – ଅଣସରକାରୀ ରିଲିଫ୍‌ ବଣ୍ଟନ ପାଇଁ ମଧ୍ୟ ସଂପୃକ୍ତ ସରକାରୀ ବିଭାଗ ଓ କମିଶନରଙ୍କ ଅନୁମତି ଲୋଡ଼ା ହୋଇଥାଏ। ଟ୍ରକ୍‌ ଟ୍ରକ୍ ଅବାଞ୍ଚିତ ରିଲିଫ୍‌ ସାମଗ୍ରୀ ବଣ୍ଟନ ପାଇଁ ଅନୁମତି ମଧ୍ୟ ମିଳିଛି। ବିଭିନ୍ନ ସ୍ଥାନରେ/ଘରେ/ଭଣ୍ଡାରରେ ପଡ଼ି ରହି ମୂଷାମାନଙ୍କ ଖାଦ୍ୟ ମଧ୍ୟ ପାଲଟିବାରେ ଲାଗିଛି! ଲୋକଙ୍କର ଦରକାର ସଡ଼କ, ବିଜୁଳି ଓ ପାଣି ସେବାର ପୁନରୁଦ୍ଧାର। ଆଉ ସବୁ କରିପାରିବାର ସାମର୍ଥ୍ୟ ଯେତେବେଳେ ଲୋକଙ୍କର ଅଛି, ଲୋକଙ୍କୁ ଅସହାୟ କରି ରଖିବା ଓ ଅସହାୟ ବିବେଚନା କରିବା ଏକ ପଛୁଆ ମାନସିକତାର ସଂରକ୍ଷଣ ନୁହେଁ କି?

୫. ବାତ୍ୟାପ୍ରବଣ ଅଞ୍ଚଳରେ ବିଜୁଳି ଖୁଣ୍ଟ ବ୍ୟବସ୍ଥା ଉଚ୍ଛେଦ କରି ତାହାକୁ ଭୂତଳ ବିଦ୍ୟୁତ୍‌ ସରବରାହ ବ୍ୟବସ୍ଥାରେ ପରିଣତ କରିବା ପାଇଁ ୧୯୯୯ ମସିହା ମହାବାତ୍ୟା ପରେ ପରେ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଥିଲା। ସମାନ୍ତରାଳ ଭାବେ ତତ୍କାଳୀନ ଚୋଖା ପ୍ରଶାସକମାନେ ମଧ୍ୟ ଏହାକୁ ହୃଦୟଙ୍ଗମ କରିଥିଲେ ଏବଂ ସେହି ମତେ ବଜେଟ୍‌ କରିଥିଲେ, କାର୍ଯ୍ୟଯୋଜନା କରିଥିଲେ। ୧୧ଟି ଜିଲ୍ଲାକୁ ଚିହ୍ନଟ କରିବା ସହ ପୁରୀ ଓ ବ୍ରହ୍ମପୁର ସହରକୁ ମଧ୍ୟ ପାଇଲଟ୍‌ ଭାବରେ ଚିହ୍ନଟ କରିଥିଲେ। ସେଇ କାମ ପାଇଁ ତଥା ବାତ୍ୟା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନରୁ ହିଁ ୨୦୦୦ ମସିହାରେ ନବୀନ ବାବୁ ନିଜ ମୁଖ୍ୟମନ୍ତ୍ରୀ ଜୀବନ ଆରମ୍ଭ କରିଥିଲେ। ମାତ୍ର ପୂରା ୪ ଥର ମୁଖ୍ୟମନ୍ତ୍ରୀ ହେବା ପରେ ଏବଂ ପୂରା ୧୯ ବର୍ଷ ପରେ ଯୋଉଆକୁ ସେଇଆ। ମାନେ, ପ୍ରୟାସ ଓ ପ୍ରକଳ୍ପ ଜମାରୁ ହୋଇ ନାହିଁ। ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିରୀହ (ଇନୋସେଣ୍ଟ) କାହିଁକି ପରିଗଣିତ ହେବେ?

୬. ‘‘ଆୟୁଷ୍ମାନ ଯୋଜନା’’କୁ ପ୍ରତ୍ୟାଖ୍ୟାନ କରିଥିବା ଓଡ଼ିଶା ସରକାର ପକ୍ଷରୁ ମୁଖ୍ୟମନ୍ତ୍ରୀ ସେହି ମର୍ମରେ ମଧ୍ୟ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନା କାର୍ଯ୍ୟକାରୀ ହେଲେ ରାଜ୍ୟବାସୀଙ୍କର ସମର୍ଥନ କେନ୍ଦ୍ର ପ୍ରତି ବଢ଼ିଯିବାରେ ଆଶଙ୍କା ପୋଷଣ କରୁଥିବା ଏ ରାଜ୍ୟ ସରକାର, ପୁଣି କଥାକଥାକେ ‘‘କେନ୍ଦ୍ର ଦାୟୀ’’ ନାରାବାଜି କରିବା ଏକ ଧୂର୍ତ୍ତ ଓ ଅଭଦ୍ର ଶାସନର ଉଦାହରଣ ନୁହେଁ କି?

୭. ମେ ୨୦୧୯ରେ ରାଜ୍ୟ ବିଧାନସଭା ନିର୍ବାଚନ ସରିଛି ଏବଂ ନବୀନ ପୁଣି ବିଜୟୀ ହୋଇ ସରକାର ଗଢ଼ିଛନ୍ତି। ହୁଏତ ଆପଣଙ୍କର ମନେ ଥିବ ଯେ ୨୦୧୯ ମାର୍ଚ ୩୧ରେ ୨୦୧୮-୧୯ ଆର୍ଥିକ ବର୍ଷ ସରିବା ପୂର୍ବରୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ମଧ୍ୟ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ଟଙ୍କାର ବିଶାଳ ରାଜ୍ୟ ବଜେଟ୍‌ କରି ସାରିଛନ୍ତି। ସେଇ ସମାନ ଶାସକ ଦଳ, ପୁଣି କ୍ଷମତାକୁ ଆସିଥିବାରୁ, ସେଇ ସମାନ ବଜେଟ୍‌ର କାର୍ଯ୍ୟକାରିତା ପାଇଁ ଉତ୍ତରଦାୟୀ ନୁହେଁ କି? କିନ୍ତୁ ବିଡମ୍ବନା ଯେ ରାଜ୍ୟରେ ଏକ ଉତ୍ତରଦାୟୀ ଗଣମାଧ୍ୟମ ଅଭାବରୁ ସବୁ କିଛି କାହାର ନା କାହାର ଇଚ୍ଛାରେ ଚାଲିବ। ଅଧିକ ସ୍ପଷ୍ଟ ଓ ସାହସର ସହ କହିଲେ, ସରକାରଙ୍କୁ ପ୍ରଶ୍ନ କରିବା ପାଇଁ ଯୋଗ୍ୟ ଗଣମାଧ୍ୟମ ମଧ୍ୟ ଏ ରାଜ୍ୟରେ ଆଉ ରହିନାହିଁ। ଯେଉଁମାନେ ଯୋଗ୍ୟ, ସେମାନେ କିଛି କିଛି ବଟି ପାଇଁ ମୁହଁବନ୍ଦକରି ବସିଛନ୍ତି। ସବୁଠୁ ବଡ଼ ବିଡ଼ମ୍ବନା ହେଉଛି – ରାଜ୍ୟର ଯେତିକି ରାଜସ୍ୱ ଆୟ ହେଉଛି ତାହାଠାରୁ ଅଧିକ ଦରମା-ଭତ୍ତା-ସୁବିଧାସୁଯୋଗ ରୂପେ ରାଜକର୍ମଚାରୀ/ଅଧିକାରୀମାନେ ଟାଣୁଛନ୍ତି। ତେଣୁ କେନ୍ଦ୍ରୀୟ ଅନୁଦାନ/ ରୟାଲଟି ବିନା ଅନ୍ୟ ପନ୍ଥା ନାହିଁ। ତେଣୁ ଏତେ ବଡ ବଜେଟ୍‌ କରି ରାଜ୍ୟବାସୀଙ୍କୁ ଭୂତେଇବାକୁ ନବୀନ ବାବୁ ଏକ ପାରମ୍ପରିକ ମସୁଧାରେ ପରିଣତ କରିନାହାନ୍ତି କି?

୧୮୦୩ରେ ଓଡ଼ିଶା ଯାଇଥିଲା ବ୍ରିଟିଶ ଶାସନ ଅଧୀନକୁ। ସେତେବେଳେ ଇଷ୍ଟ ଇଣ୍ଡିଆ କମ୍ପାନୀ ତା’ର ପକ୍ଷ ମେଲିଥିଲା। ୧୪୪ ବର୍ଷର ପରାଧୀନତା ପରେ ଏବେ ଆମେ ସ୍ୱାଧୀନ ବୋଲି ଭାବୁଥିଲେ ସୁଦ୍ଧା ଓଡ଼ିଶା ଯେ ପ୍ରେମ ପଟ୍ଟନାୟକ ଏଣ୍ଡ କମ୍ପାନୀ ଅଧୀନରେ ରହିଛି, ଏହା କୌଣସି ରାଜ୍ୟବାସୀ ଜାଣି ପାରୁନାହାନ୍ତି। ଟଙ୍କାକିଆ ଚାଉଳ ଓ ପାଞ୍ଚଟଙ୍କିଆ ଆହାର ସମସ୍ତଙ୍କୁ କିମିଆ କରିଦେଇଛି। ଯେଉଁମାନେ ଭାବୁଥିବେ ଯେ ୧୪୪ ବର୍ଷ ଧରି ଲୋକମାନେ କେମିତି ପରାଧୀନତାକୁ ବରଦାସ୍ତ କରୁଥିଲେ? ତାହାର ଉତ୍ତର ହେଉଛି – ଆପଣମାନେ ଯେମିତି ୨୪ ବର୍ଷ ଧରି ବରଦାସ୍ତ କରୁଛନ୍ତି/କରିବେ।


ବିମଳ ପ୍ରସାଦ, ଭୁବନେଶ୍ୱର

1 टिप्पणी:

  1. ସାର୍ ଆପଣ ପୁରା ସତକଥା କହିଛନ୍ତି, ଏମିତି ଟଙ୍କିକିଆ ଚାଉଳ ଏବଂ ପାଞ୍ଚ ଟଙ୍କିଆ ଆହାର ଖାଦ୍ୟ ରେ ସମସ୍ତେ କିମିଆ। କିଛି ଲୋକଙ୍କ ପାଇଁ ଆମ ଭଳି ମଧ୍ୟ ବର୍ଗ ର ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ଏଭଳି ପରାଧୀନ ର ସ୍ଵାଦ ଚାଖିବା ଛଡ଼ା ଅନ୍ୟଗତି ନାହିଁ ।

    जवाब देंहटाएं