07 जून 2019

ଗ୍ରାହକଙ୍କଠୁ ଦୂରେଇଯାଉଛି ଦୂରସଂଚାର ଦକ୍ଷତା!


୨୦୧୫ ମସିହାରେ ଏୟାରଟେଲ (airtel) ଆରମ୍ଭ କଲା 4G ସେବା। ୨୦୧୬ ମସିହାରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲିଥିବା ଏକ ବାର୍ତାର ଗୋଟିଏ ଧାଡ଼ି ଥିଲା – ୨୦୧୫ ମସିହାର ସବୁଠୁ ବଡ଼ ମିଛ Airtel 4G. ଏବେ ୨୦୧୯ ମସିହା, ଅର୍ଥାତ୍‌ ଭାରତରେ ‘୪ଜି’ର ଷଷ୍ଠ ବର୍ଷ। କିନ୍ତୁ ଏୟାରଟେଲ୍‌ ଯେଉଁଠିକୁ ସେଇଠି। ପାଦେ ହେଲେ ସୁଦ୍ଧା ଆଗକୁ ଯାଇ ପାରି ନାହିଁ। ୪ଜି ଜରିଆରେ କେବଳ ଇଣ୍ଟରନେଟ୍‌ ନୁହେଁ, କଲ୍‌ ଓ ଏସ୍‌ଏମ୍‌ଏସ୍‌ ବି ହୋଇପାରିବ, ଏହା ଉପରେ ୨୦୧୬ ଶେଷ ଭାଗରୁ ପରୀକ୍ଷା ନିରୀକ୍ଷା କରି ଚାଲିଛି ଏୟାରଟେଲ୍‌, ମାତ୍ର କୌଣସି ନିର୍ଯ୍ୟାସରେ ଏଯାଏଁ ପହଞ୍ଚି ପାରୁନି। ଆଉ ଏହି ପରୀକ୍ଷାନିରୀକ୍ଷା ପାଇଁ ପୁଣି ଖୋରାକ ପାଇଛି, ଭାରତରେ ଦୂରସଂଚାର ବିପ୍ଳବ ଆଣିଥିବା Jio 4Gର ଆତ୍ମପ୍ରକାଶ ପରେ। ତଥାପି ଅନ୍ଧାରରେ ବାଡ଼ି ବୁଲାଉଛି ଏୟାରଟେଲ କମ୍ପାନୀ। ଏକାବେଳକେ 2G/3G/4G VoLTE କୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରି ବିଫଳ ହେଉଛି। ସମ୍ଭବତଃ ଏସବୁକୁ ଆଗୁଆ ଅଧ୍ୟୟନ କରି ‘ଜିଓ’ ମୂଳରୁ ହିଁ ଆତ୍ମପ୍ରକାଶ କରିଛି କେବଳ ୪ଜି (Only 4G) ଭିତ୍ତିକ ଦୂରସଂଚାର ସେବା ପ୍ରଦାନକାରୀ କମ୍ପାନୀ ରୂପରେ। ଅର୍ଥାତ୍‌ ଟେଲିଫୋନ୍‌ କଲ୍‌, ଏସ୍‌ଏମ୍‌ଏସ୍‌ ଓ ଇଣ୍ଟରନେଟ୍‌ - ସବୁ କିଛି ଏକକାଳୀନ ସମ୍ଭବ ସେଇ ଗୋଟିଏ ସିମ୍‌ରୁ ଗୋଟିଏ ହ୍ୟାଣ୍ଡ୍‌ସେଟ୍‌ ବା ଯନ୍ତ୍ରରୁ। 
ଅନ୍ୟତମ ମିଶ୍ରଣ ହୋଇଥିବା ଭୋଡାଫୋନ୍‌-ଆଇଡିଆ କମ୍ପାନୀ କେବଳ ଭାରତବାସୀଙ୍କୁ ଚକ୍‌ମା ଦେଖାଇବାକୁ ମିଶିଛନ୍ତି। କାରଣ ଉଭୟ ନିଜର ବ୍ରାଣ୍ଡ୍‌ ନାମ ଜାରି ରଖିଛନ୍ତି। ପ୍ରଯୁକ୍ତି ଦୃଷ୍ଟିରୁ ମିଶି ନାହାନ୍ତି କି ଗ୍ରାହକ ସେବା ଦୃଷ୍ଟିରୁ ମିଶି ନାହାନ୍ତି। କାରଣ ରୋମିଂରେ ଥିବା ବେଳେ ଭୋଡାଫୋନ୍‌ ନମ୍ବରଟା ନିଜ ଟାୱାର ନଥିବା ଜାଗାରେ ଆପେଆପେ ଆଇଡିଆ ଟାୱାରକୁ ଧରୁ ନାହିଁ ଏବଂ ମାନୁଆଲ ସେଟିଂରେ ଯୋଡ଼ିଲେ ମଧ୍ୟ ଅଗ୍ରାହ୍ୟ କରୁଛି। ଭୋଡାଫୋନ୍‌ ଓ ଆଇଡିଆ ମଧ୍ୟ 4G VoLTE ଆରମ୍ଭ କରିଥିବା ଦାବି କରୁଛନ୍ତି। କିନ୍ତୁ ଭୋଡାଫୋନ୍‌ ‘‘୪ଜି ଭୋଲ୍‌ଟି’’ରୁ କେବଳ କଲ୍‌ ଯୋଗାଉଥିବା ବେଳେ ଇଣ୍ଟରନେଟ୍‌ ଦେଉଛି ୩ଜିରୁ ଏବଂ ଏସ୍‌ଏମ୍‌ଏସ୍‌ ପଠାଉଛି ଓ ପୁଶ୍‌ ମେସେଜ୍‌ ଦେଉଛି ୨ଜି ରୁ। ଗ୍ରାହକଙ୍କୁ ଭକୁଆ ବନେଇବାର ଏକ ଅଭିନବ କୌଶଳ। ଯେଉଁଥିରେ ଭାରତୀୟ କମ୍ପାନୀ ଏୟାରଟେଲ ତଥାପି ଗୋଟାପଣେ ଅଜ୍ଞ ରହିଛି। 

ପରିସ୍ଥିତି ଏପରି ହୋଇଛି ଯେ ଭାରତ ସରକାରଙ୍କ ରାଷ୍ଟ୍ରାୟତ୍ତ କମ୍ପାନୀ BSNL (ଭାରତ ସଂଚାର ନିଗମ ଲିମିଟେଡ୍‌) ମଧ୍ୟ କ୍ଷତିରେ ଚାଲିଛି। ଆଉ ଏହାକୁ ଛାଡ଼ି ଭାରତରେ ଘରୋଇ ଦୂରସଂଚାର କମ୍ପାନୀ ସଂଖ୍ୟା ୩ରେ ସୀମିତ ହୋଇଯାଇଛି। ଟାଟା କମ୍ପାନୀର ସମତୁଲ୍ୟ ଟେଲିକମ୍‌ ସଂସ୍ଥା ଟାଟା ଇଣ୍ଡିକମ୍‌ ବା ଟାଟା ଡୋକୋମୋ ମଧ୍ୟ ବନ୍ଦ ହୋଇଯାଇଛି। ଉପଯୁକ୍ତ ପ୍ରଯୁକ୍ତି ଚୟନରେ ବିଫଳତା ଓ ଗ୍ରାହକ-ମନଲାଖୀ ଉପସ୍ଥାପନରେ ବିଫଳ ହୋଇ ଟାଟା ଭଳି ରିଲାଏନ୍ସ ସ୍ମାର୍ଟ ଓ ଏୟାରସେଲ ଭଳି ଅନେକ ଟୁକୁରା କମ୍ପାନୀ ମଧ୍ୟ ଲୋପ ପାଇଯାଇଛନ୍ତି ଅବା ଲୀନ ହୋଇଯାଇଛନ୍ତି। ଏହି ପରିପ୍ରେକ୍ଷୀରେ କେବଳ ଜିଓ ଏବେ ଭାରତବାସୀଙ୍କ ପ୍ରଥମ ପସନ୍ଦ ପାଲଟିଥିବା ବେଳେ ଦେଶର ୧ ନମ୍ବର ଦୂରସଂଚାର କମ୍ପାନୀର ବାହାଦୁରୀ ଦାବି କରୁଥିବା ଏୟାରଟେଲ୍‌ ତଥାପି ଶୋଇଛି।

ଭୁବନେଶ୍ୱରରେ ମୁଖ୍ୟାଳୟ ଥିବା ଭାରତ ସରକାରଙ୍କ ପୂର୍ବତଟ ରେଳବାଇ ସଂସ୍ଥା ତାହାର ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୩୦୦୦ରୁ ବେଶି ପୋଷ୍ଟପେଡ୍‌ ମୋବାଇଲ ଫୋନ୍‌ ବାଣ୍ଟିଥିଲା ପାରସ୍ପରିକ ଯୋଗାଯୋଗ ରକ୍ଷା ପାଇଁ। ୮୪୫୫ ସିରିଜ୍‌ର ଯେତେ ନମ୍ବର ସବୁଗୁଡ଼ିକ ମୂଳତଃ ଏୟାରଟେଲ୍‌ର। କିନ୍ତୁ ଖରାପ ସେବା ଯୋଗୁ ଏୟାରଟେଲ୍‌ରୁ ମୁହଁ ଫେରାଇ ନେଇ ସବୁଯାକ ନମ୍ବରକୁ ପୋର୍ଟେବଲ୍ କରି ଜିଓ ୪ଜି କରିନେଇଛି ଏଇ ୪ ମାସରୁ ବେଶି ଦିନ ହେଲା। ଗୋଟିଏ ନମ୍ବର ପିଛା ମାସିକ ୫୦୦ ଟଙ୍କା ହେଲେ, ୩୦୦୦ଟି ନମ୍ବର ପିଛା ପ୍ରାୟ ୧୫ ଲକ୍ଷ ଟଙ୍କାର ରାଜସ୍ୱ ହାନି କଲା ଏୟାରଟେଲ୍‌, ତଥାପି ଚେତୁ ନାହିଁ। 
ସିଙ୍ଗାପୁରର ଅଗ୍ରଣୀ ଦୂରସଂଚାର କମ୍ପାନୀ ସିଙ୍ଗ୍‌ଟେଲ (Singtel), ଏୟାରଟେଲ୍‌ର ୫୧ ପ୍ରତିଶତ ଅଂଶଧନ କିଣିନେଇଥିବା ବେଳେ ବାସ୍ତବତଃ ଏୟାରଟେଲ୍‌ ଆଉ ଭାରତୀୟ କମ୍ପାନୀର ପରିଚୟ ବହନ କରୁନାହିଁ। ଭୋଡାଫୋନ୍‌ ବି ଏକ ବିଲାତି କମ୍ପାନୀ ଆପଣମାନେ ଜାଣନ୍ତି, ସେଥିରେ ଆଇଡିଆ ମିଶିଥିବାରୁ ତାହାର ଭାରତୀୟ ପରିଚୟରେ ମଧ୍ୟ ଅବକ୍ଷୟ ଘଟିଛି। ଏଣୁ ଏକମାତ୍ର ଭାରତୀୟ ଘରୋଇ କମ୍ପାନୀ ହେଉଛି ରିଲାଏନ୍ସ ଜିଓ।  
୨୦୧୪ରେ ମୋଦୀ ସରକାର କ୍ଷମତାକୁ ଆସିବାର ପରଠୁ ସେଇ ରବି ଶଙ୍କର ପ୍ରସାଦ ଅଛନ୍ତି ଦୂରସଂଚାର ମନ୍ତ୍ରୀ। BSNL ସହ MTNL ର ବିଲୟ ପାଇଁ ବାରମ୍ବାର ତାରିଖ ଧାର୍ଯ୍ୟ କରି ସୁଦ୍ଧା ଦେଶରେ ଗୋଟିଏ ସରକାରୀ ଦୂରସଂଚାର କମ୍ପାନୀ କରିବାରେ ବିଫଳ ହୋଇଛି ଏନ୍‌ଡିଏ-୨ ସରକାର। ଏବେ ଏନ୍‌ଡିଏ-୩ରେ ବି ସେଇ ରବି ଶଙ୍କର ପ୍ରସାଦ ଅଛନ୍ତି ଦୂରସଂଚାର ମନ୍ତ୍ରୀ। ତଥାପି ଏମ୍‌ଟିଏନ୍‌ଏଲ୍‌କୁ ମନାଇବାରେ କୌଣସି ଉଦ୍ୟମ ହେଉନଥିବା ବେଳେ କୌଣସି ଗଣମାଧ୍ୟମର ଆଉ ଏସବୁ କଥା ମନେ ନାହିଁ। ଗଣମାଧ୍ୟମ ଯେଉଁ ଦେଶରେ ପ୍ରସଙ୍ଗ ଭୁଲିଯାଏ, ସେ ଦେଶ କେମିତି ଚାଲୁଥିବ, ବିଚାର କରନ୍ତୁ। ବିଜ୍ଞାନ ଓ ପ୍ରଯୁକ୍ତିରେ ରୁଚି ରଖୁନଥିବା ଜଣେ ସାଂସଦଙ୍କୁ ମନ୍ତ୍ରୀ କରି ପ୍ରଧାନସେବକ କ’ଣ ବାର୍ତା ଦେବାକୁ ଚାହୁଛନ୍ତି?
ବିଏସ୍‌ଏନ୍‌ଏଲ୍‌ରୁ ହଜାର ହଜାର କର୍ମଚାରୀ-ଅଧିକାରୀ ଛଟେଇ ସୁନିଶ୍ଚିତ ହେଉଥିବା ବେଳେ ସାଧାରଣ ନାଗରିକ-ଗ୍ରାହକଙ୍କ ଆବଶ୍ୟକତା ପୂରଣ ପାଇଁ ଜିଓ – ଜିନ୍ଦାବାଦ କରି ଚାଲିବା କି ଦେଶକୁ ବିକ୍ରୀ ମୁଖରୁ ବଞ୍ଚାଇବା ଓ ବିଭିନ୍ନ କ୍ଷେତ୍ରରେ ଦେଶୀ କମ୍ପାନୀକୁ ଉତ୍ସାହିତ କରିବା, ତାହା ଏବେ ଆମ ସଭିଙ୍କ ସାମ୍ନାରେ ମୁଣ୍ଡ ଖେଳେଇବା ଓ ମୁଣ୍ଡ ଖଟେଇବାର ଗୁରୁତ୍ୱପୂର୍ଣ ପ୍ରସଙ୍ଗ ହୋଇପଡ଼ିଛି। ସବୁଠୁ ଦୁଃଖର କଥା ହେଲା, ଯେଉଁମାନେ କମ୍ପାନୀର ପ୍ରକୃତ ପରିଚୟରେ ଅଛନ୍ତି ବା କମ୍ପାନୀଠୁ ପ୍ରତ୍ୟକ୍ଷ ଭାବେ ଦରମା ପାଉଛନ୍ତି, ସେମାନେ ପ୍ରକୃତ ବୈଷୟିକ ବା ପ୍ରଯୁକ୍ତିଗତ କାର୍ଯ୍ୟଗୁଡ଼ିକ କରୁ ନାହାନ୍ତି। ଏପରିକି ଏକ ନମ୍ବର ଏୟାରଟେଲ୍‌ ସଂସ୍ଥା ଯେଉଁ ଉପସଂସ୍ଥାମାନଙ୍କୁ ନେଟ୍‌ୱର୍କ ଓ ଟାୱାର ସଜାଡ଼ିବା କାମ ଦେଇଛି, ସେମାନେ ଡିପ୍ଲୋମା ବା ଡିଗ୍ରୀ ଇଂଜିନିୟରଙ୍କ ବଦଳରେ ଶହଶହ ୧୯ ବର୍ଷିଆ ITI ପିଲାଙ୍କୁ କାମରେ ଲଗାଇ, ଅଜାଣତରେ ଟେଲିକମ୍‌ ବ୍ୟବସ୍ଥାକୁ ଉଜାଡ଼ିବାରେ ଲାଗିଛନ୍ତି। ଇଂଜିନିୟରମାନେ ଟାୱାରରେ ଚଢ଼ିବାକୁ ଅମଙ୍ଗ ହେବା ବା ଅକ୍ଷମତା ପ୍ରକାଶ କରିବାଟା ହୁଏତ ଏଭଳି ଦୁର୍ଦିନକୁ ଅଧିକ ଦୁର୍ବିସହ କରିବାରେ ଲାଗିଛି।
ବାତ୍ୟା ‘ଫଣୀ’ ରାଜଧାନୀ ଭୁବନେଶ୍ୱରର ଟେଲିକମ୍‌ ଭିତ୍ତିଭୂମିକୁ ମୋଡ଼ିକି ଏମିତି ଛିଡ଼ାଇ ଦେଇଛି ଯେ ଛୁଆ କାରିଗରମାନଙ୍କ ମଗଜରେ ତାହା ପଶୁ ନାହିଁ। ସମସ୍ୟା ଏତେ ଉତ୍କଟଯେ ସବୁ ସେବାପ୍ରଦାନକାରୀ ଟେଲିକମ୍‌ ଅପରେଟର ଏବେ ଗ୍ରାହକଙ୍କ ଅଭିଯୋଗ ମଧ୍ୟ ପଞ୍ଜୀକରଣ କରୁନାହାନ୍ତି। ବରଂ ପ୍ରମାଣହୀନ ଭାବରେ କେବଳ ମୌଖିକ ମଧୁର ପ୍ରତିଶ୍ରୁତି ଦେଇ ଖସିଯିବାର ସୂତ୍ର ଧରିଛନ୍ତି।  
ବିମଳ ପ୍ରସାଦ, ଭୁବନେଶ୍ୱର, କଥା ହୁଅନ୍ତୁ: ୯୯୩୭୩୫୩୨୯୩

3 टिप्‍पणियां: