05 मार्च 2019

ଓଡ଼ିଶାକୁ ଭଣ୍ଡାଉଛି ରେଳବାଇ!

ମାନନୀୟ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ୪ ମାର୍ଚ ୨୦୧୯ ସୋମବାର ମହାଶିବରାତ୍ରୀ ତିଥିରେ ଓଡ଼ିଶା ଗସ୍ତରେ ଥିବା ବେଳେ କିଛି ରେଳ ପ୍ରକଳ୍ପ ଘୋଷଣା କରିବା ସହ ଏକାଧିକ ରେଳଗାଡ଼ିର ଓଡ଼ିଶାରେ ବିରତିସ୍ଥଳ ଘୋଷଣା କରିଛନ୍ତି। ସେହି ଘୋଷଣା ତୁରନ୍ତ କାର୍ଯ୍ୟକାରୀ ହେବ କି ଜୁଲାଇରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ, ତାହା ଜଣା ପଡ଼ି ନାହିଁ। ତେବେ ଛତିଶଗଡ଼ର ରାୟଗଡ଼ ଠାରୁ ହଜରତ ନିଜାମୁଦ୍ଦିନ୍‌ ମଧ୍ୟରେ ଚାଲୁଥିବା ୧୨୪୦୯/୧୨୪୧୦ ଗୋଣ୍ଡୱାନା ଏକ୍ସପ୍ରେସ୍‌କୁ ସମ୍ବଲପୁର-ହ.ନିଜାମୁଦ୍ଦିନ୍‌ (୧୨୪୦୯/୧୨୪୧୦) ନାମରେ ସମ୍ବଲପୁର ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ଘୋଷଣା ମଧ୍ୟ କରିଛନ୍ତି।


ଏହି ଘୋଷଣା ପଛର ଗୁମର ଓ ହାସ୍ୟାସ୍ପଦ ଦିଗଟିକୁ ବୁଝିବା ପାଇଁ ପାଠକମାନେ ହାତରେ ଏକ ମାନଚିତ୍ର ବା ରେଳ ମାନଚିତ୍ର ଧରନ୍ତୁ। କାରଣ ୧୨୪୦୯/୧୨୪୧୦ ଏକ୍ସପ୍ରେସ୍‌ ରାୟଗଡ଼ରୁ ବାହାରି ବିଳାସପୁର ଜଙ୍କସନ୍‌ରୁ ସଳଖ ପଥ(୬୩୩ କି.ମି.)ରେ ଲଳିତପୁର ଜଙ୍କସନ୍‌ ନଯାଇ ରାୟପୁର ଜଙ୍କସନ୍‌ ହୋଇ ନାଗପୁର ଯାଇ ସେଠାରୁ ସୁଦୀର୍ଘ ୧୦୦୧ କି.ମି. ପଥ ଅତିକ୍ରମ କରି ପରେ ଲଳିତପୁର ଜଙ୍କସନ୍‌ରେ ପହଞ୍ଚୁଛି। ପ୍ରାୟ ୩୭୦ କି.ମି. ଅଧିକ ପଥ ଯାତ୍ରା କରିବା ପାଇଁ ଓଡ଼ିଶା ଯାତ୍ରୀଙ୍କୁ ୭ ଘଣ୍ଟା ସମୟ ବର୍ବାଦ କରିବାକୁ ପଡ଼ିବ ଏବଂ ସେହିଭଳି ଯାତ୍ରୀଭଡ଼ା ମଧ୍ୟ ବିଭିନ୍ନ ଶ୍ରେଣୀ ଅନୁଯାୟୀ ଅଧିକ ଗଣିବାକୁ ପଡ଼ିବ।


ବିଳାସପୁରରୁ ହ. ନିଜାମୁଦ୍ଦିନ୍‌ (ଦିଲ୍ଲୀ) ଯାତ୍ରା ପାଇଁ ଓଡ଼ିଶା ଦେଇ ଯାତାୟାତ କରୁଥିବା ୧୮୫୦୭ ହୀରାକୁଦ ଏକ୍ସପ୍ରେସ୍‌ରେ ୧୯ ଘଣ୍ଟା ୪୦ ମିନିଟ୍‌ ଲାଗୁଥିବା ବେଳେ ୧୨୪୦୯ ଗୋଣ୍ଡୱାନା ଏକ୍ସପ୍ରେସ୍‌ରେ ୨୫ ଘଣ୍ଟା ୩୫ ମିନିଟ୍‌ ଲାଗୁଛି। ଏହା ହେଉଛି ରେଳବାଇର ହିସାବ। ଅବଶ୍ୟ ବାସ୍ତବରେ ସ୍ୱାଭାବିକ ବିଳମ୍ବର ଭିନ୍ନ ସତ୍ୟତା ରହିଛି। ପ୍ରଶ୍ନ ହେଉଛି, ଦିଲ୍ଲୀ ଯାଉଥିବା ଏକ ଗାଡ଼ିରେ ନିଜର ସମୟ ଓ ସମ୍ବଳ ବର୍ବାଦ କରି ଓଡ଼ିଶାବାସୀ ବା ସମ୍ବଲପୁର ଅଞ୍ଚଳର ଯାତ୍ରୀମାନେ ନାଗପୁର କାହିଁକି ଯିବେ? ଦିଲ୍ଲୀ ଅଭିମୁଖୀ ଯାତ୍ରୀଙ୍କୁ ନାଗପୁର ସହର ବୁଲାଇବାରେ ସରକାରଙ୍କର କ’ଣ ମତଲବ ରହିଛି? ଏଣେ ପୁରୀ ବା ଭୁବନେଶ୍ୱର- ଦିଲ୍ଲୀ ମଧ୍ୟରେ ଏକାଧିକ ଗାଡ଼ି ଏବେ ବି ବଂଗ-ବିହାର-ଉତ୍ତରପ୍ରଦେଶ ଦେଇ ଦୀର୍ଘ ପଥ ଯାତ୍ରା କରୁଛି। ଯାହାକୁ ନିରୀହ ଓଡ଼ିଶାବାସୀ ହୁଏତ ଅଜ୍ଞତା ଦୃଷ୍ଟିରୁ ବରଦାସ୍ତ କରି ଆସିଛନ୍ତି। କାରଣ ଅନୁଗୁଳ-ସମ୍ବଲପୁର ରେଳ ସଂଯୋଗ ହେବାର ଅଢ଼େଇ ଦଶନ୍ଧି ପରେ ବି ସେହି ସମୀକରଣରେ ବିଶେଷ ପରିବର୍ତ୍ତନ ଆସି ନାହିଁ। ବର୍ବାଦୀକୁ ବରଦାସ୍ତ କରିଆସିଥିବା ଓଡ଼ିଆଙ୍କ ଉପରେ ଗୋଣ୍ଡୱାନା ଏକ୍ସପ୍ରେସ୍‌ର ସଂପ୍ରସାରଣ ଘୋଷଣାଟା ଏକ ବୋଝ କି ଓଡ଼ିଆଙ୍କ ଅଜ୍ଞତା ଉପରେ ଏକ ପାହାର? କାରଣ ସପ୍ତାହରେ ମାତ୍ର ତିନିଦିନ ଯାତାୟତ କରୁଥିବା ୧୮୫୦୭/୧୮୫୦୮ ହୀରାକୁଦ ଏକ୍ସପ୍ରେସ୍‌କୁ ସପ୍ତାହର ସାତଦିନ ଯାକ ପ୍ରଚଳନ କରାଗଲେ ଅନେକ ସମସ୍ୟାର ଆଶୁ ସମାଧାନ ହୋଇଯାଆନ୍ତା।


ଓଡ଼ିଶାବାସୀ ଅଧିକ ସମୟ ଓ ସମ୍ବଳ ବର୍ବାଦ କରି ନାଗପୁର ବୁଲିବେ କାହିଁକି? ଯଦି ନାଗପୁର ସହିତ ଓଡ଼ିଶାକୁ ଯୋଡ଼ିବା ପାଇଁ କେନ୍ଦ୍ର ସରକାର ବ୍ୟଗ୍ର, ତେବେ ସମ୍ବଲପୁର-ନାଗପୁର ମଧ୍ୟରେ ଚାଲୁଥିବା ୧୦ ଗୋଟି ସାପ୍ତାହିକ ଏକ୍ସପ୍ରେସ୍‌ର ଚଳାଚଳ ବାର ବଢ଼ାନ୍ତୁ ଅଥବା ୧୨୮୭୯/୧୨୮୮୦ ଭୁବନେଶ୍ୱର-ଲୋକମାନ୍ୟତିଳକ (ମୁମ୍ବାଇ) ଏକ୍ସପ୍ରେସ୍‌, ୧୨୧୪୫/୧୨୧୪୬ ପୁରୀ-ଲୋକମାନ୍ୟତିଳକ ଏକ୍ସପ୍ରେସ୍‌, ୧୮୪୦୫/୧୮୪୦୬ ପୁରୀ-ଅହମଦାବାଦ ଏକ୍ସପ୍ରେସ୍‌ଗୁଡ଼ିକ ସମେତ ଅନ୍ୟ ୭ଟି ଗାଡ଼ିକୁ ସପ୍ତାହର ସବୁ ଦିନ ଅଥବା ଅଧିକ ଦିନ ଚଳାନ୍ତୁ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ସମ୍ବଲପୁରରୁ ନାଗପୁରକୁ ରବିବାର କୌଣସି ଗାଡ଼ି ନାହିଁ ଏବଂ ଘୋଷିତ ଗୋଣ୍ଡୱାନା ଏକ୍ସପ୍ରେସ୍‌ ମଧ୍ୟ ରବିବାର ଚଳାଚଳ କରୁନାହିଁ। ତାହା କେବଳ ସପ୍ତାହରେ ୫ ଦିନ ଚାଲୁଛି, ମଙ୍ଗଳବାର ଓ ରବିବାର ବ୍ୟତୀତ।  ବିସ୍ମୟକର ତଥ୍ୟ ହେଲା: ସେହି ଦୁଇ ଦିନ ୧୨୪୦୫ ଗୋଣ୍ଡୱାନା ଏକ୍ସପ୍ରେସ୍‌ (ସମାନ ନାମରେ) ହୋଇ ମହାରାଷ୍ଟ୍ରର ଭୁଷାବଲ ଜଙ୍କସନ୍‌ରୁ ହ.ନିଜାମୁଦ୍ଦିନ୍‌ ମଧ୍ୟରେ ଚଳାଚଳ କରୁଛି। ଏବଂ ତାହା ୧୨୪୦୬ ଗୋଣ୍ଡୱାନା ଏକ୍ସପ୍ରେସ୍‌ ରୂପେ ହ.ନିଜାମୁଦ୍ଦିନ୍‌-ଭୁଷାବଲ ମଧ୍ୟରେ ଶୁକ୍ରବାର ଓ ରବିବାର ଚଳାଚଳ କରୁଛି। ତେଣୁ ଚର୍ଚ୍ଚିତ ୧୨୪୧୦ ଗୋଣ୍ଡୱାନା ଏକ୍ସପ୍ରେସ୍‌ ହ.ନିଜାମୁଦ୍ଦିନ୍‌-ରାୟଗଡ଼ (ଛତିଶଗଡ଼) ମଧ୍ୟରେ ଶୁକ୍ରବାର ଓ ରବିବାର ବ୍ୟତୀତ ଅନ୍ୟ ୫ ଦିନ ଚଳାଚଳ କରୁଛି। ଏବଂ ନାଗପୁର-ରାୟଗଡ଼ ମଧ୍ୟରେ ସୋମବାର ଓ ଶନିବାର ବ୍ୟତୀତ ଅନ୍ୟ ୫ ଦିନ ଚାଲୁଅଛି। ଧ୍ୟାନ ଦେବେ, ଭାରତୀୟ ରେଳବାଇର ଏହି ଅଜବ ଏକ୍ସପ୍ରେସ୍‌ ରେଳଗାଡ଼ିଟି ସପ୍ତାହର ସାତ ଦିନ ଯାକ ଗୋଣ୍ଡୱାନା ଏକ୍ସପ୍ରେସ୍‌ ନାମରେ ନାଗପୁର ଷ୍ଟେସନ୍‌ରୁ ଦିନ ୧ଟାରେ ଛାଡୁଥିବା ବେଳେ ହ. ନିଜାମୁଦ୍ଦିନ୍‌ ଟର୍ମିନସ୍‌ରୁ ସାତ ଦିନ ଯାକ ଦିନ ୩ଟା ୨୦ ମିନିଟ୍‌ରେ ବାହାରୁଛି। ଆପଣଙ୍କର ଯେତେ ଭୂଗୋଳ ଜ୍ଞାନ ଅଛି ଖଟାନ୍ତୁ ଏବଂ କହନ୍ତୁ ଓଡ଼ିଶାରୁ ଦିଲ୍ଲୀ ଯାତ୍ରା ପାଇଁ ରେଳଯାତ୍ରୀ କାହିଁକି ମହାରାଷ୍ଟ୍ରର ମାଟି ମାଡ଼ିବେ? ଯଦି ରାୟଗଡ଼ ପର୍ଯ୍ୟନ୍ତ ଚାଲୁଥିବା ଗାଡ଼ିଟି ସମ୍ବଲପୁର ପର୍ଯ୍ୟନ୍ତ ସଂପ୍ରସାରିତ ହୁଏ, ତେବେ ତାହା ରାତି ୧୨ଟା କିମ୍ବା ୧୨ଟା ୩୦ ମିନିଟ୍‌ରେ ସମ୍ବଲପୁରରୁ ଛାଡ଼ିବ। ଅର୍ଥାତ୍‌ ଉତ୍ପତ୍ତି ଷ୍ଟେସନ୍‌ରୁ ବି ଯାତ୍ରୀମାନେ ଆଖି ମଳିମଳି ରେଳଗାଡ଼ିରେ ଉଠିବେ। ଯଦି ସାଧାରଣ ଲୋକଙ୍କ କଥା ଚିନ୍ତା କରାଯାଏ, ତେବେ ସମ୍ବଲପୁର ଅଞ୍ଚଳର ଚାଷୀମାନଙ୍କ ପାଇଁ ସଂପୃକ୍ତ ରେଳଗାଡ଼ିଟି ଅଭିଶାପ ସଦୃଶ ହେବ। କାରଣ ଲକ୍ଷ ଲକ୍ଷ ଚାଷୀ ପରିବାରର ଚାଷୀ ସଦସ୍ୟମାନଙ୍କ ଲକ୍ଷେ ଟଙ୍କିଆ ନିଦରେ ଏହି ଗାଡ଼ି କଣ୍ଟା ପାଲଟିବ।

ରବିବାର କୌଣସି ରେଳଗାଡ଼ି ସମ୍ବଲପୁର-ନାଗପୁର ମଧ୍ୟରେ ନଚାଲିବାଟା ଅବଶ୍ୟ ‘‘ଆଳୁ ଖୋଳୁ ଖୋଳୁ ମହାଦେବ’’ ବାହାରିବା ସଦୃଶ ଏକ ବିସ୍ମୟ। ସେହିଭଳି ନାଗପୁରରୁ ସମ୍ବଲପୁର ମଧ୍ୟରେ ଶୁକ୍ରବାର କୌଣସି ଗାଡ଼ି ନାହିଁ। ଯଦି ରେଳବାଇ ମନ୍ତ୍ରାଳୟ ଓଡ଼ିଶାବାସୀଙ୍କୁ ଭଣ୍ଡେଇବାକୁ ତଥାପି ଚାହୁଥାଏ ଏବଂ ଗୋଣ୍ଡୱାନା ଏକ୍ସପ୍ରେସ୍‌କୁ ସଂପ୍ରସାରଣ କରେ, ତେବେ ତାହା ନାଗପୁରରୁ ସମ୍ବଲପୁର ମଧ୍ୟରେ ଶୁକ୍ରବାର ମଧ୍ୟ ଯାତ୍ରା କରିବାର ଅଭାବ ପୂରଣ କରିବ। ଯେତେବେଳେ ରାଷ୍ଟ୍ରୀୟ ରାଜଧାନୀ ମଧ୍ୟରେ ରାଜ୍ୟର ସବୁଦିନିଆ ରେଳଯାତ୍ରା ସଂପର୍କ ବଡ଼ ପ୍ରସଙ୍ଗ, ସେତେବେଳେ ରାଷ୍ଟ୍ରର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ ଅଣରାଜଧାନୀ ସହର ସହ ଯୋଗାଯୋଗକୁ ନେଇ ଏତେ ଚର୍ଚା କାହିଁକି? ଏହା ଗୋଟାପଣେ ବୃଥା ନୁହେଁ କି?


ଯଦି ଗରିବ ଓଡ଼ିଆଙ୍କୁ ଓ ଗରିବ ଓଡ଼ିଶାକୁ କେନ୍ଦ୍ର ସରକାର କୃପା କରିବାକୁ ଚାହୁଛନ୍ତି, ତେବେ ୧୮୫୦୭/୧୮୫୦୮ ହୀରାକୁଦ ଏକ୍ସପ୍ରେସ୍‌କୁ ସପ୍ତାହର ସାତଦିନ ଯାକ ପ୍ରଚଳନ କରନ୍ତୁ। ନଚେତ୍‌ ଫାଙ୍କ ଦିବସଗୁଡ଼ିକରେ ବ୍ରହ୍ମପୁର-ହ.ନିଜାମୁଦ୍ଦିନ୍‌ (ଭାୟା ଢେଙ୍କାନାଳ-ସମ୍ବଲପୁର) ମଧ୍ୟରେ ଏକ ନୂଆ ରେଳଗାଡ଼ି ପ୍ରଚଳନ କରନ୍ତୁ। ନା ଆପଣ କ’ଣ କହୁଛନ୍ତି?

(ଓଡ଼ିଶାର ହିନ୍ଦୀ ସାମ୍ବାଦିକ ଓ ଇଂଲିଶ୍‌ ସାମ୍ବାଦିକମାନେ ଏହି ନିଚ୍ଛକ କଥାକୁ ନିଜ ନିଜ ଗଣମାଧ୍ୟମରେ ପ୍ରକାଶ କରିବାର ପୁଣ୍ୟ ପ୍ରୟାସ କରିବାକୁ ନିବେଦନ) 

ବିମଳ ପ୍ରସାଦ, ଭୁବନେଶ୍ୱର, ୮୪୧୪୦୬୪୦୦୧

4 टिप्‍पणियां:

  1. ଏପଟେ ଝାରସୁଗୁଡା ବିମାନ ବନ୍ଦର କାର୍ଯ୍ୟକ୍ଷମ କରି ନିୟମିତ ବିମାନ ଚଳାଚଳ କରିବାରେ ଅସୁବିଧା ସୃଷ୍ଟି କରୁଛନ୍ତି ସେପଟେ ଗୋଟେ ଶଗଡ଼ ଗାଡି ଭଳି ଟ୍ରେନ କୁ ଚଳାଇ ବାହା ବାହା ନେବାକୁ ଚେଷ୍ଟା କରୁଛନ୍ତି / ବିମାନ ଚଳାଚଳ ନିୟମିତ ହେଲେ ବହୁ ଲୋକ ବିମାନରେ ଯିବାକୁ ପସନ୍ଦ କରିବେ କାରଣ ଆଜିକାଲି ବିମାନ ଭଡା ବି ଶୀତତାପ ନିୟନ୍ତ୍ରିତ ରେଳ ଭଡା ସହିତ ପ୍ରାୟ ସମାନ ହେଲାଣି /

    जवाब देंहटाएं
  2. ବହୁତ ଗବେଷଣା କରିଛନ୍ତି । ଭଲ କଥା ।
    ଜାଣନ୍ତି କି : ତାଳଚେର ବିମଳାଗଡ ରେଳପଥ କାର୍ଯ୍ୟକ୍ଷମ ହେଲେ ଭୁବନେଶ୍ବରରୁ ରାଉରକେଲା ଦେଇ ଉତ୍ତର ଭାରତ ଯିବାକୁ କମ ସମୟ ଲାଗିବ ।
    ସେହିପରି ଶିଳ୍ପ ସହର ଝାରସୁଗୁଡାରୁ କେନ୍ଦୁଝର ଭାୟା ଦେବଗଡ ଏକ ନୂତନ ଲାଇନ କାର୍ଯ୍ୟକ୍ଷମ ହେଲେ ପାରାଦ୍ବୀପ ଓ ଧାମରା ର ଗୁରୁତ୍ବ ବୃଦ୍ଧି ପାଇବ ।

    जवाब देंहटाएं
    उत्तर
    1. ତାଳଚେର-ବିମଳାଗଡ଼ ରେଳପଥର ଗୁରୁତ୍ୱ ବାଲ୍ୟକାଳରୁ ଜାଣିଛି। ତେବେ କେନ୍ଦୁଝର-ଦେବଗଡ଼-ଝାରସୁଗୁଡ଼ା ରେଳ ସଂଯୋଗ ଆପଣଙ୍କର ଏକ ସୃଜନଶୀଳ ପରିକଳ୍ପନା। ଧନ୍ୟବାଦ ସମ୍ଭବତଃ ତାଳଚେର-ବିମଳାଗଡ଼ ରେଳ ସଂଯୋଗ ଦ୍ୱାରା ମଧ୍ୟ ଧାମରାକୁ ଫାୟଦା ହେବ।

      हटाएं