18 जून 2015

ଦୁଗ୍‌ଧ ସମବାୟରେ ଆଦିବାସୀ ମହିଳା, ଅଜବ ଚିଂତା

ଓଡ଼ିଶାର ଆଦିବାସୀ ମହିଳାଙ୍କୁ ଦୁଗ୍‌ଧ ସମବାୟ ଜରିଆରେ ସଶକ୍ତୀକରଣ ପାଇଁ କେନ୍ଦ୍ରୀୟ ଅନୁଦାନ ଖବରକୁ Odisha Suntimes (୧୭ ଜୁନ୍‌ ୨୦୧୫) ପ୍ରକାଶ କରିଛି। ରାଜ୍ୟ ସରକାରଙ୍କ  ଦ୍ଵାରା ଚାଲିଥିବା ଓମ୍‌ଫେଡ଼୍‌(OMFED- Odisha State Coopearative Milk Producers' Federation Limited) ଏଥିପାଇଁ କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟରୁ ୪୬.୪୫ କୋଟି ଟଙ୍କାର ଅନୁଦାନ ପାଇଛି ବୋଲି ଏହାର ଅଧ୍ୟକ୍ଷ ବିଷ୍ଣୁପଦ ସେଠୀ(ଭା.ପ୍ର.ସେ.) କହିଛନ୍ତି। ଏଥିପାଇଁ ମହିଳାମାନଙ୍କୁ ତାଲିମ ଦିଆଯିବ ଏବଂ ୯,୦୦୦ ସଦସ୍ୟଙ୍କୁ ସାମିଲ କରି ୩୦୦ଟି ନୂଆ ମହିଳା ଆଦିବାସୀ ସମବାୟ ସମିତି ଗଢ଼ିବାକୁ ଯୋଜନା କରାଯାଇଛି। ଏହା ସହିତ ଆବଶ୍ୟକ ସଂରଚନା (Infrastructure) ବିକାଶରେ ଏହି ପାଣ୍ଠି ବିନିଯୋଗ କରାଯିବ ବୋଲି ଶ୍ରୀ ସେଠୀ କହିଛନ୍ତି। ସେହିଭଳି tathya.in ରିପୋର୍ଟ କରିଛି ଯେ ଏହି ପ୍ରକଳ୍ପଟି କୋରାପୁଟ, ରାୟଗଡ଼ା, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗିର, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼, କଳାହାଣ୍ଡି, ବାଲେଶ୍ଵର, ଓ ମୟୂରଭଂଜ ଜିଲ୍ଲାଗୁଡ଼ିକରେ କାର୍ଯ୍ୟକାରୀ ହେବ।

କିନ୍ତୁ ଜଣେ ବରିଷ୍ଠ ଅଧିକାରୀ କ’ଣ ଜାଣନ୍ତି ନାହିଁ ଯେ ଓଡ଼ିଶାର ଆଦିବାସୀମାନେ ଗାଈ ପାଳନ୍ତି ନାହିଁ କି ଗାଈ ଠାରୁ କ୍ଷୀର ଦୁହଁନ୍ତି ନାହିଁ। କାରଣ ଆଦିବାସୀମାନେ ବିଶ୍ଵାସ କରନ୍ତି ଯେ ଗାଈର କ୍ଷୀର ହେଉଛି ବାଛୁରୀର ଖାଦ୍ୟ। ତେଣୁ ମଣିଷ ତାହାକୁ ଦୁହିଁ ଖାଇଲେ ପାପ ହେବ। ୧୯୫୨ ମସିହା ପରଠୁ  ଅନେକ ପ୍ରାଶାସନିକ ଅଧିକାରୀ, ସଂଗଠନ ଓ ସଂଗଠକ ଉଦ୍ୟମ କରିଛନ୍ତି ଆଦିବାସୀ ଲୋକଙ୍କ ଦ୍ଵାରା ଦୁଧିଆଳୀ ଗାଈ ପାଳନ କରାଇବା ପାଇଁ । କିନ୍ତୁ ସବୁକିଛି ବିଫଳ ହୋଇଛି, କେବଳ ଏଇ ବିଶ୍ଵାସ ଟିକକ ପାଇଁ। ଅନ୍ୟ ପକ୍ଷରେ ଆଦିବାସୀଙ୍କ ସଂସ୍କୃତି ଓ ପରମ୍ପରା ଉପରେ କେହି ଅଙ୍କୁଶ ଲଗାଇ ପାରିବେ ନାହିଁ ବୋଲି ୧୯୯୬ ମସିହାରେ ପେସା ଆଇନ (PESA- Panchayat Extension to Scheduled Areas Act, 1996) ଲାଗୁ ହୋଇଛି, ଯାହାର ପରିସୀମାରେ ଓଡ଼ିଶା ରାଜ୍ୟ ରହିଛି।

ଶ୍ରୀ ସେଠୀ ନିଜ ଚାକିରି ଜୀବନ ଆରମ୍ଭ ପୂର୍ବରୁ ଶିକ୍ଷାନବୀଶ ଭାବେ ଆଦିବାସୀ ବିକାଶ ଉପରେ ପ୍ରତ୍ୟକ୍ଷ ଜ୍ଞାନ ହାସଲ କରିବାକୁ ୧୯୯୩-୯୪ରେ ‘ଅଗ୍ରଗାମୀ’-କାଶୀପୁରରେ କିଛି ଦିନ ପାଇଁ ଅବସ୍ଥାପିତ ହୋଇଥିଲେ। ଆଉ, ତାଙ୍କ ଦଳକୁ ବିଭିନ୍ନ ଗାଆଁକୁ ବୁଲାଇବାରେ ଏହି ଲେଖକ ମଧ୍ୟ ସାମିଲ ଥିବାରୁ ଆଜି ଲଜ୍ଜିତ। ହୁଏତ ସେଠୀବାବୁ ଗୋଟାପଣେ  ପାଶୋରି ଦେଇଛନ୍ତି, ଆମେ ବତାଇଥିବା ପାଠ। କାରଣ ସେତେବେଳକୁ ତାଙ୍କର ଥିଲା କନକନିଆ ଯୁବ ବୟସ। 

ଓଡ଼ିଶାର ଆଦିବାସୀମାନଙ୍କର ଗୋପାଳନ ସଂସ୍କୃତି ନାହିଁ।  ନଚେତ୍‌ ଆମେ ତ ଗୁଜୁରାଟର ଅମୂଲକୁ ଟପିଯାଇ ଥାଆନ୍ତୁ ! ଅନ୍ୟ ପକ୍ଷରେ ଧର୍ମାନ୍ତରିତ ହେବା ପରେ ସୁଦ୍ଧା ଲକ୍ଷଲକ୍ଷ ଆଦିବାସୀ ପରିବାର, ଏଭଳି ବିଶ୍ଵାସରୁ ନିଜକୁ ମୁକ୍ତ କରି ପାରି ନାହାନ୍ତି। ତେବେ ଯଦି ପାରୁଛନ୍ତି ସରକାର ଏଭଳି ଯୋଜନାକୁ କନ୍ଧମାଳ, ଗଜପତି ଓ ସୁନ୍ଦରଗଡ଼ ଭଳି କ୍ରିଷ୍ଟିଆନ୍‌ବହୁଳ ଜିଲ୍ଲାରେ ଚେଷ୍ଟା କରିକି ଦେଖନ୍ତୁ। 

ଶୁଣାଯାଉଛି ଯେ କେନ୍ଦ୍ର ଆଦିବାସୀ ବ୍ୟାପାର ସଚିବ ଥିବା ବେଳେ ବରିଷ୍ଠ ଭା.ପ୍ର.ସେ. ଅଧିକାରୀ ଡ. ହୃଷିକେଶ ପଣ୍ଡା ଏହି ପ୍ରକଳ୍ପକୁ ମଂଜୁର କରିଛନ୍ତି, ଯିଏକି ନିଜେ ମଧ୍ୟ ଅତୀତରେ ଓମ୍‌ଫେଡ଼୍‌ର ପରିଚାଳନା ନିର୍ଦେଶକ ଥିଲେ। ତାଲିମକୁ ଅଗ୍ରାଧିକାର ଦିଆଯାଇଥିବାରୁ, ହୁଏତ ଡ. ପଣ୍ଡା ମଧ୍ୟ ଆଦିବାସୀ ସଂସ୍କୃତି ପ୍ରତି ସଚେତନ ଅଛନ୍ତି ବୋଲି ବୁଝା ପଡୁଛି। କିନ୍ତୁ କାର୍ଯ୍ୟକାରିତା କିଭଳି ହେଉଛି ଏବଂ ତାଲିମ୍‌ ଭଳି ଏକ ସ୍ପର୍ଶକାତର ପ୍ରସଙ୍ଗକୁ ଓମ୍‌ଫେଡ଼୍‌ କିଭଳି ପରିଚାଳନା କରୁଛି, ଦେଖିବାକୁ ରହିଲା।


ବନ୍ଦେ ଉତ୍କଳ ଜନନୀ।

ବିମଳ ପ୍ରସାଦ, ୯୯୩୭୩୫୩୨୯୩

17 जून 2015

ଡିଜିଟାଲ ଲକରରେ ଓଡ଼ିଶା ପଛୁଆ

ଭୁବନେଶ୍ୱର, ୧୭.୦୬.୧୫: (ବିମଳ ପ୍ରସାଦ) ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ କାଗଜହୀନ ପ୍ରଶାସନ ଉଦ୍ଦେଶ୍ୟରେ ପ୍ରଚଳିତ ଡିଜିଟାଲ ଲକର ସ୍କିମ୍‍ରେ ଓଡ଼ିଶା ପଛରେ ପଡ଼ିଯାଇଛି । ଓଡ଼ିଶାରେ ଆକାଉଣ୍ଟ୍‍ ଖୋଲିଥିବା ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧ ହଜାର ରହିଥିବା ବେଳେ ମଧ୍ୟପ୍ରଦେଶରେ ୨୯୨୦୦ରୁ ବେଶି ଆକାଉଣ୍ଟ୍‌ ଖୋଲିଛନ୍ତି। ସେହିଭଳି ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୨୧୪୦୦ରୁ ବେଶି ଏବଂ ମହାରାଷ୍ଟ୍ରରେ ୧୮୨୦୦ରୁ ବେଶି। ଗୁଜୁରାଟ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣାଟକ, ହରିଆନା, ଦିଲ୍ଲୀ, ତାମିଲନାଡୁ, ବିହାର, ଓ କେରଳ ଆଦି ରାଜ୍ୟରେ ୫ହଜାରରୁ ୧୮ହଜାର ପର୍ଯନ୍ତ ଆକାଉଣ୍ଟ୍‍ ଖୋଲା ସରିଛି । ଏହା ସହ ଦେଢ଼ଲକ୍ଷରୁ ଅଧିକ ଦଲିଲ ମଧ୍ୟ ଅପ୍‍ଲୋଡ଼୍‍ ହୋଇସାରିଛି। 

ଡିଜିଟାଲ ଲକର ହେଉଛି ଭାରତ ସରକାରଙ୍କ ଏକ ଉତ୍ସର୍ଗୀକୃତ ଦଲିଲ୍‍ ଭଣ୍ଡାରଣ ବ୍ୟବସ୍ଥା। ଏହାର ଲକ୍ଷ୍ୟ ହେଉଛି କାଗଜ ଦଲିଲ ବ୍ୟବହାରକୁ ବନ୍ଦ କରିବା ଏବଂ ଯାଞ୍ଚ କରା ହୋଇଥିବା ଇ-ଦଲିଲଗୁଡ଼ିକୁ ବିଭିନ୍ନ ସରକାରୀ ଦପ୍ତରରେ ଗ୍ରହଣୀୟ କରାଇବା । ଦେଶର ନାଗରିକମାନେ ନିଜର ଇଲେକ୍ଟ୍ରୋନିକ୍‍ ଦଲିଲ୍‍ଗୁଡ଼ିକୁ ଅପ୍‍ଲୋଡ଼୍‍ କରି, ଇ-ସାଇନ୍‍ ସୁବିଧା ଜରିଆରେ ସେଗୁଡ଼ିକୁ ଡିଜିଟାଲି ସାଇନ୍‍ କରାଇପାରିବେ।
କେଉଁଠି ପ୍ରମାଣପତ୍ର ଦାଖଲ କରିବାକୁ ହେଲେ ଆମେ ଜେରକ୍ସ କରି ଅଥବା ସ୍କାନ୍‍ କରି ତାହାକୁ ପୁଣି ପ୍ରିଣ୍ଟ୍‍ କରୁଥିଲେ। ଏପରିକି ତାହାକୁ ଆଟେଷ୍ଟେଡ଼୍‍ ମଧ୍ୟ କରିବାକୁ ପଡୁଥିଲା। କିନ୍ତୁ ନୂଆ ବ୍ୟବସ୍ଥା ଦ୍ୱାରା ଏସବୁ ଇତିହାସ ପାଲଟିବ। ଏପରିକି ପେନ୍‍ଡ୍ରାଇଭ୍‍, ବାହ୍ୟ ହାର୍ଡ଼ ଡ୍ରାଇଭ୍‍ ବା କମ୍ପ୍ୟୁଟରର ହାର୍ଡ଼ଡିସ୍କରେ ବା ୱେବ୍‍ କମ୍ପାନୀର ଗୁଗୁଲ୍‍ ଡ୍ରାଇଭ୍‍, ୱାନ୍‍ ଡ୍ରାଇଭ୍‍ ଇତ୍ୟାଦିରେ ଆମର ଡିଜିଟାଲ ଦଲିଲ୍‍ ରଖିବା ଲୋଡ଼ା ହେବ ନାହିଁ ।

ଡିଜିଟାଲ ଲକରର ପ୍ରଥମ ସୁବିଧାଟି ହେଲା, ସରକାରୀ ଇ-ଡକୁମେଣ୍ଟ୍‍ ପାଇବା ପାଇଁ କୌଣସି ଭାରତୀୟ ନାଗରିକ ଗୋଟିଏ ଲେଖାଏଁ ବ୍ୟକ୍ତିଗତ ଆକାଉଣ୍ଟ୍‍ ଖୋଲିବାର ସୁଯୋଗ ପାଇବେ ।
ନିଜ ଆଧାରକାର୍ଡ଼ ନମ୍ବର ଓ ତତ୍‍ସଂଲଗ୍ନ ମୋବାଇଲ୍‍ ନମ୍ବର ଦେଇ www.digitallocker.gov.in ବା www.digilocker.gov.in ରେ ନିଜର ଆକାଉଣ୍ଟ୍‍ ଖୋଲି ପାରିବେ । ଅର୍ଥାତ୍‍ କୌଣସି ନାଗରିକଙ୍କୁ ତାଙ୍କ ଆଧାର ବାୟୋମେଟ୍ରିକ୍‍ ତଥ୍ୟରୁ ହିଁ ଡିଜିଟାଲ ଲକର୍‌ ଚିହ୍ନିବ। ଦ୍ୱିତୀୟ ସୁବିଧାଟି ହେଲା, ଦେଶର ଅଧିବାସୀ ସଂକ୍ରାନ୍ତ ଦଲିଲଗୁଡ଼ିକ ଇ-ସ୍ୱାକ୍ଷରିତ ହେବା ସହ ସେଗୁଡ଼ିକ ଡିଜିଟାଲ ରୂପରେ ଉପଲବ୍ଧ ହେବ । ତୃତୀୟ ସୁବିଧାଟି ହେଲା, ସରକାରୀ ବିଭାଗମାନେ ବିଭିନ୍ନ ଉଦ୍ଦେଶ୍ୟରେ ସେହି ନାଗରିକଙ୍କ ଅନୁମତି କ୍ରମେ ତାଙ୍କର ବାସସ୍ଥାନ ପ୍ରମାଣପତ୍ର, ଅନ୍ୟ ସରକାରୀ ସଂସ୍ଥା ଦେଇଥିବା ପ୍ରମାଣପତ୍ର ଦେଖି ପାରିବେ; ଏବଂ ସଂପୃକ୍ତ ନାଗରିକଙ୍କ ଡିଜିଟାଲ ସ୍ୱାକ୍ଷରିତ ପ୍ରମାଣପତ୍ର ବା ଇ-ଦଲିଲ୍‍କୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନକାରୀ ଦପ୍ତର ସେହି ଆକାଉଣ୍ଟ୍‍ରେ ରଖିବେ । ଫଳରେ ପ୍ରାଶାସନିକ ବ୍ୟୟ କମିବା ସହ ସମୟ ଓ ପରିଶ୍ରମ ମଧ୍ୟ କମିଯିବ। ଚତୁର୍ଥ ସୁବିଧାଟି ହେଲା ଯେ ସଂପୃକ୍ତ ନାଗରିକ ଯୁଆଡ଼େ ଖାଲି ହାତରେ ଗଲେ ବି ଯେକୌଣସି ସମୟରେ ନିଜର ପ୍ରମାଣଯୋଗ୍ୟ କାଗଜାତ ସବୁକୁ ଅନ୍‍ଲାଇନରେ ଥିବା ଏକ ମାନକ ଫର୍ମାଟ୍‍ରେ ଦେଖାଇପାରିବେ ଏବଂ ବିଭିନ୍ନ କ୍ଷମତାସଂପନ୍ନ ଦପ୍ତର ସହ ବିନିମୟ କରିପାରିବେ ।  ଏହି ସେବା ସରକାରୀ କ୍ଲାଉଡ଼୍‍ରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମିଳୁଅଛି।

ଓଡ଼ିଶାରେ ଆଧାର ପଂଜୀକରଣ ଶତ ପ୍ରତିଶତ ସରିନାହିଁ। ଏଣେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ମଧ୍ୟ ଏହି ଡିଜିଟାଲ୍‌ ଲକର୍‌ ସ୍କିମ୍‍କୁ ଆଗକୁ ନେବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସୂଚନାପ୍ରଯୁକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ RN ପଲାଇ କହିଛନ୍ତି, ‘‘କିଛି ସପ୍ତାହ ତଳେ ଆମେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ଚିଠି ପାଇଛୁ । ଆଉ କିଛି ଦିନ ଭିତରେ ଏହା ଉପରେ ପଦକ୍ଷେପ ନେବୁ ’’

16 जून 2015

ବିଜେପିରେ ଗିରିଧର ଓ କଥା ମହାବାତ୍ୟାର



ଭୁବନେଶ୍ଵର, ୧୬ ଜୁନ୍‌ ୨୦୧୫(ବିମଳ ପ୍ରସାଦ): ଜଣେ ଥର ସାଂସଦ କିଛି ମାସ ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇ କରିଛନ୍ତି ନିଜ ନିର୍ବାଚନମଣ୍ଡଳୀ ପାଇଁ ରାଜ୍ୟ ପାଇଁ ତାହା ସମୀକ୍ଷା କରିବାର ଗୁରୁତ୍ଵ ରହିଛି। ତେବେ ସବୁଠୁ ରୋଚକ ପ୍ରସଙ୍ଗ ହେଉଛି ମହାବାତ୍ୟା ପରର କଥା। ସେତେବେଳେ ଯୋଗାଯୋଗ ବ୍ୟବସ୍ଥା ଠପ୍ହୋଇଯିବାରୁ ନୂଆଦିଲ୍ଲୀ ସହ ମଧ୍ୟ ବିଳମ୍ବରେ ଯୋଗାଯୋଗ ହୋଇଥିଲା। ଓଡ଼ିଶାରେ ବିପର୍ଯ୍ୟୟ ପରିଚାଳନା ପାଇଁ କୌଣସି ଦଳବଳ ନଥିଲା। ତେଣୁ ପର ଉପ​ରେ ନିର୍ଭର କରିବା ହିଁ ଏକମାତ୍ର ଭରସା ଥିଲା। କହିବା ବାହୁଲ୍ୟ, କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗ କରିବା ଜରୁରୀ ଥିଲା। କିନ୍ତୁ ଯୋଗାଯୋଗ ବିଳମ୍ବିତ ହୋଇଥିଲା। ସେତେବେଳକୁ ପ୍ରଧାନମନ୍ତ୍ରୀ ଥିଲେ ଅଟଳବିହାରୀ ବାଜପେୟୀ। ନୂଆଦିଲ୍ଲୀ କର୍ତ୍ତୃପକ୍ଷ ମନେ ପକାଇଦେଲେ ଯେ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଜରୁରୀ ଯୋଗାଯୋଗ ପାଇଁ ସାଟେଲାଇଟ୍ଫୋନ୍ଥାଏ, ସେଇଟା କୁଆଡ଼େ ଗଲା? ଆମ ମୁଖ୍ୟମନ୍ତ୍ରୀ ଖୋଜିଖୋଜି ପାଇଲେ, ତାହା ନିଜ ପୁଅ ପାଖରେ ଅଛି। ତାହାପରେ ଯୋଗାଯୋଗ କରିବା ସହଜ ହୋଇଗଲା ଅତଏବ ଜରୁରୀକାଳୀନ ପରିସ୍ଥିତିରେ ନିଜର କର୍ତ୍ତବ୍ୟବୋଧ କାଣ୍ଡଜ୍ଞାନ ପ୍ରୟୋଗରେ ବିଫଳ ଜଣେ ନେତା, ଲାଞ୍ଛିତ ହୋଇଥିବା​ନେଇ ବହୁ ବର୍ଷ ପରେ ଅଭିଯୋଗ ପ୍ରକାଶ କରିବାର ଆଉ ଭିତ୍ତି ଅଛି? କାରଣ ଏଭଳି ଘଟଣାରେ ଓଡ଼ିଶା ଓଡ଼ିଶାବାସୀଙ୍କ ବ୍ୟକ୍ତିତ୍ଵ ସାମର୍ଥ୍ୟ ଉପରେ ସର୍ବଭାରତୀୟ ସ୍ତରରେ ଏକ ନକରାତ୍ମକ ବାର୍ତା ପ୍ରସାରିତ ହୋଇଯାଇଥିଲା  

ଅନ୍ୟ ପକ୍ଷରେ ଜଣେ ଯଦି ନିଜର ଶେଷ ଜୀବନ ପର୍ଯନ୍ତ ରାଜନୀତିରେ ରହିବେ ଏବଂ ଦଳୀୟ ଟିକେଟ ପାଇ ଲଢୁଥିବେ, ତେବେ ନୂଆ ପିଢ଼ି କିଭଳି ସୁଯୋଗ ପାଇବେ? ଏବଂ ଏଭଳି ନେତାଙ୍କ ପାଖରେ ଗଣତନ୍ତ୍ରର ମୂଲ୍ୟବୋଧ ? କ୍ଷମତାକୁ ନିଜର ଜାଗିର ବୋଲି ଧରି ନେଇଥିବା ଏଭଳି କିଛି ନେତାଙ୍କ ପାଇଁ ଅଶୁଭ ପାଲଟିଛି ଏବେର ନରେନ୍ଦ୍ର ମୋଦୀଙ୍କ ବିଜେପି ନେତୃତ୍ଵାଧୀନ ସରକାର; ଯେଉଁଠି ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ମନ୍ତ୍ରୀପଦ ଦିଆଯାଇ ନାହିଁ। ତେଣୁ ପ୍ରାର୍ଥୀତ୍ଵ ଟିକେଟ୍ପ୍ରଦାନରେ ମଧ୍ୟ ଏଭଳି ନୀତି ପ୍ରତିଫଳିତ ହେବ ବୋଲି ସ୍ପଷ୍ଟ ଜଣାପଡୁଛି। ଦେଖିବାକୁ ରହିଲା, ସେହି ଦଳରେ ଯୋଗ ଦେଇଥିବା ଏହି ନେତାଙ୍କ ପ୍ରତି ଓଡ଼ିଶାର ତଥା କୋରାପୁଟ ସଂସଦୀୟ କ୍ଷେତ୍ରର ଭୋଟରଗଣ କିଭଳି ବିଚାର କରୁଛନ୍ତି?