20 फ़रवरी 2016

ମ୍ୟାଲେରିଆ ଯମ ଯମୁନାମଣି


ସେଦିନ ୨୦୧୬ ଫେବ୍ରୁଆରି ୭ ତାରିଖ ରବିବାର। NISER (ଜାତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ) ଭୁବନେଶ୍ଵରର ନବନିର୍ମିତ ହତା ଉଦ୍‌ଘାଟନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁବାକୁ ଯାଉଥିବା ବେଳେ ସ୍ଵୟଂ ପ୍ରଧାନମନ୍ତ୍ରୀ ଯୋଡ଼ହସ୍ତରେ ଯମୁନାଙ୍କୁ ଓଳଗି ହୋଇଥିଲେ। ଆଉ ଯମୁନାଙ୍କୁ କହିଥିଲେ, ‘‘ଆପଣଙ୍କୁ ଭାରତର ସମସ୍ତେ ଜାଣନ୍ତି।’’

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ୍‌ ସଜନାଗଡ଼ ପଞ୍ଚାୟତର ତେଣ୍ଡା ରାଜସ୍ଵ ଗ୍ରାମ ଶିଆଳଲଟି ପଡ଼ାସାହିରେ ‘ଆଶା’ କର୍ମୀ ଯମୁନାମଣି ସିଂଙ୍କ ଘର। ଭୂମିଜ ଆଦିବାସୀ। ବୟସ ୩୦ ଛୁଇଁ ନାହିଁ। ସ୍ଥାନୀୟ କନ୍ୟାଶ୍ରମରେ ପଢ଼ିଛନ୍ତି ନବମଶ୍ରେଣୀ ଯାଏଁ। ଓଡ଼ିଆ ସାଙ୍ଗକୁ ଆଦିବାସୀ ଭାଷା ଜାଣନ୍ତି, ବୁଝନ୍ତି ଓ କହନ୍ତି। ହିନ୍ଦୀ ବି ବୁଝିପାରନ୍ତି। ତାଙ୍କର ଇଚ୍ଛା ଥିଲା, ପଢ଼ିବା ବୟସରେ ସାଇକେଲଟିଏ ଥିଲେ, ସେ ନିଜେ ସାଇକେଲ ଚଳେଇ ଆହୁରି ପଢ଼ିଥାଆନ୍ତେ। ଏବେ ବି ସେହି ଇଚ୍ଛା ଅଛି।

ଆଦିବାସୀ ବହୁଳ ଶିଆଳଘାଟି ପଡ଼ାଗାଁର ଲୋକେ ଅଳ୍ପ ସାକ୍ଷର। ଲୋକସଂଖ୍ୟା ପ୍ରାୟ ୬୬୦। ବଣପାହାଡ଼ ଘେରା ଏହି ଗାଆଁଟି କୁଳଡିହା ଅଭୟାରଣ୍ୟ ଭିତରେ ଅବସ୍ଥିତ। ଏହି ଦୁର୍ଗମ ଗାଆଁଟି ଦାରିଦ୍ର୍ୟ ପ୍ରପୀଡ଼ିତ ଓ ମ୍ୟାଲେରିଆ ପ୍ରବଣ। ପାଖରେ ଘାଗରା ନଈ, ଚାଖି ମହାଦେବ ଓ ସାତପୁଆହୁଡ଼ି ପାହାଡ଼। ଗ୍ରାମଦେବୀ ମାଆ ପାଟମୁଣ୍ଡୀ ଓ ମାଆ କାଳୀ। ଏ ଶତାବ୍ଦୀରେ ବି ସ୍ଥାନୀୟ ଲୋକେ ଦିହପା’ ଦେଖାଇବାକୁ ଗୁଣିଗାରେଡ଼ିର ଶରଣ ପଶୁଥିଲେ। ଭଲ ହୋଇଯିବା ପାଇଁ ଛେଳି ଓ କୁକୁଡ଼ା ବଳି ଯାଚୁଥିଲେ।

୨୦୦୮ ମସିହାରେ ଆଶା (Accredited Social Health Activist) ଭାବେ ବଛା ହୋଇ ତାଲିମ ନିଅନ୍ତି ଯମୁନା। ୨୦୧୦ରେ ନିଯୁକ୍ତି। ଶିଆଳଘାଟି, ବାରୁଡ଼ିସାହି, ମୁଣ୍ଡଗୁରାସାହି ଓ ସାତଘାଟିରେ କାମ କରନ୍ତି। ଲଢ଼େଇ ଆରମ୍ଭ କରନ୍ତି ଗର୍ଭବତୀଙ୍କ ସମସ୍ୟା, ଜ୍ଵର, ତରଳଝାଡ଼ା, ମ୍ୟାଲେରିଆ, ମାଆ ଓ ଶିଶୁ ମୃତ୍ୟୁ, ଯକ୍ଷ୍ମା, ଡେଙ୍ଗୁ ଓ ଏଡ଼୍‌ସ୍‌ ବିରୋଧରେ। ପ୍ରସୂତୀ ବେଦନା ବା ରୋଗବ୍ୟାଧିର ଖବର ପାଇଲେ ସେ ଶୋଇବା ଜାଗାରୁ ଉଠି ଧାଇଁଯାଆନ୍ତି। ଦିନ ବେଳା ହୋଇଥିଲେ ନିଜେ ସାଇକେଲ ଚଳେଇ। ଆଉ ରାତିରେ ଚାଷୀ ଓ ଶ୍ରମିକ ସ୍ଵାମୀ ଦେବେନ୍ଦ୍ର ସିଂ ସହ ସାଇକେଲରେ। ଆଉ କେବେ ବହଳ ଅନ୍ଧାର କାଟିବାକୁ ସାହାଯ୍ୟ ନିଅନ୍ତି ଟର୍ଚଆଲୁଅ, ମୋବାଇଲ୍‌ଫୋନ୍‌ ଅବା ହାର୍କିନ୍‌ ଆଲୁଅର। ସାପ, ସରୀସୃପ, ହେଟା ବା ହାତୀକୁ ଖାତିର ନକରି ମାଡ଼ି ଚାଲିଥାଆନ୍ତି। ସାଙ୍ଗରେ ଥାଏ ପାଣିବୋତଲ, ଔଷଧ ମୁଣି, ଓ ପରୀକ୍ଷା ଯନ୍ତ୍ରପାତି।

ସେ ରାଣ ଖାଇଛନ୍ତି ନିଜ ଗାଆଁକୁ ଓ ସମ୍ଭବ ହେଲେ ପାଖଆଖ ଗାଆଁକୁ ମ୍ୟାଲେରିଆମୁକ୍ତ କରିବେ। କେବି ବି ଯେମିତି ମ୍ୟାଲେରିଆରେ ମରିବେନି। ମ୍ୟାଲେରିଆମାନେ ସେ ବୁଝିଛନ୍ତି ଓ ବୁଝାନ୍ତି – Mal Air ମାନେ ଖରାପ ପବନ। ଯାହାର କାରଣ ବାଜେ ପାଣି। ଅପରିଷ୍କାର ଅପରିଚ୍ଛନ୍ନ ରହଣି। ଔଷଧବୁଡ଼ା ମଶାରି ନଟଙ୍ଗେଇ ଶୋଇବା। ଗୋଷ୍ଠୀ ଜୀବନରେ ନିଧି ବୁଢ଼ାର ସ୍ଵାସ୍ଥ୍ୟ ସଚେତନତା ନପଶିବା। ଠିକ୍‌ ସମୟରେ ଡାକ୍ତରଖାନାକୁ ବା ଡାକ୍ତର ପାଖକୁ ନଯିବା। ଠିକଣା ସମୟରେ ଔଷଧ ନଖାଇବା। ଏହି ସବୁ ପ୍ରାଥମିକ ସଚେତନତା, ପ୍ରତିଷେଧକ ଓ ଉପଚାର କଥା ସେ କହିବୁଲନ୍ତି ଗାଆଁ ସାହିରେ। ପହିଲେ ପହିଲେ ବିରୋଧ ହୁଏ। ଦିନକୁ ଦିନ ଲୋକମାନେ ତାଙ୍କ ସେବାପରାୟଣତାରେ ଖୁସି ହୋଇ ବଦଳିବାକୁ ଲାଗନ୍ତି। ତାଙ୍କର ଡାକ ନାମ ଗାଆଁଯାକର ଶ୍ରଦ୍ଧା ନାମ ପାଲଟିଯାଏ ପାକିନି ଦିଦି।

୨୦୧୪ରେ ତାଙ୍କ କର୍ମକ୍ଷେତ୍ରରେ ଚିହ୍ନଟ ହୋଇଥିଲେ ୩୫ ଜଣ ମ୍ୟାଲେରିଆ ରୋଗୀ। ଯାହା ୨୦୧୫ରେ ଖସି ଆସିଥିଲା ୧୭କୁ। ସେମାନଙ୍କ ମଧ୍ୟରୁ ଜଣେ ବି ମୃତ୍ୟୁ ମୁଖରେ ପଡ଼ିନଥିଲେ। ତାଙ୍କ ଗାଆଁରେ ଯିଏବି ଯେଉଁଠି, ଯାହା ଘରେ ପୀଡ଼ିତ ଥାଆନ୍ତି, ସେଠାରେ ଯମୁନା ନିଜେ ପହଞ୍ଚିଯାଆନ୍ତି। ରୋଗ ଓ ରୋଗୀ ପାଖକୁ ଯାଆନ୍ତି। ସେମାନଙ୍କୁ ନିଜ ପାଖକୁ ଡକାଇ ପଠାନ୍ତି ନାହିଁ। ଆଗେ ମିଶନ୍ତି, ବସନ୍ତି। ତା’ପରେ ପଚାରନ୍ତି। ଔଷଧ, ପାଣି, ଖାଦ୍ୟ, ଜ୍ଵର, ଝାଡ଼ା, ମ୍ୟାଲେରିଆ, ଦୁଇଟି ପିଲା ଭିତରର ବ୍ୟବଧାନ ଆଦି କଥା। ସେ କହନ୍ତି – ପ୍ରକୃତ ସ୍ଵାସ୍ଥ୍ୟସେବା ଓ ଯତ୍ନର ମୂଳମନ୍ତ୍ର ଅନୌପଚାରିକ ଆଳାପର ଆଧାରଶିଳାଟିଏ ବସାଇବା। ଷାଠିଏ ଦଶକରେ ଏହା ହିଁ ଥିଲା ଚୀନ୍‌ରେ ମାଓ-ସେ-ତୁଙ୍‌ଙ୍କର ସାଂସ୍କୃତିକ ବିପ୍ଳବର ଅବିଚ୍ଛେଦ୍ୟ ଅଙ୍ଗ। ଉଦ୍ଦେଶ୍ୟ ଥିଲା ପାଶ୍ଚାତ୍ୟ ଶିକ୍ଷିତ ଡାକ୍ତରମାନେ ଗାଆଁ ଗଣ୍ଡାକୁ ଯିବାକୁ ଅମଙ୍ଗ ହେଲେ, ଚାଷୀଙ୍କ ପାଖକୁ ଯିବାକୁ ଅରାଜି ହେଲେ, ଚାଷୀମାନଙ୍କୁ ଅଧିକ ଦକ୍ଷ ଓ ପ୍ରାସଙ୍ଗିକ ଡାକ୍ତରରେ ପରିଣତ କରିବା।

ଏପ୍ରିଲ-ମେ-ଜୁନ୍‌ ମାସର ଟାଣଖରାକୁ ଖାତିର ନକରି, ଦାନ୍ତ ନଘଷି ପାକିନି ଦିଦି କାମକୁ ବାହାରି ଯାଆନ୍ତି। ରୋଗୀର ସେବା କଥା ଉଠିଲେ ସିଏ ଭୋକଶୋଷ ଭୁଲିଯାଆନ୍ତି। ବାପା ଶ୍ୟାମସୁନ୍ଦରଙ୍କ ପ୍ରେରଣା ଓ ସ୍ଵାମୀଙ୍କ ସମର୍ଥନ ଏବଂ ଅନ୍ୟମାନଙ୍କ ଉତ୍ସାହ ତାଙ୍କ ମନୋବଳକୁ ବହୁଗୁଣିତ କରିଦିଏ। ସ୍ଥାୟୀ କର୍ମଚାରୀଙ୍କ ନିର୍ଭରଯୋଗ୍ୟ ଦରମା କିମ୍ବା ମହାବିଶାରଦଙ୍କ ବିଚକ୍ଷଣ ବୁଦ୍ଧିର ବଳ ତାଙ୍କ ପାଖରେ ଖୋଜିବା ଅନୁଚିତ। ହେଲେ ନିଜ କାଣ୍ଡଜ୍ଞାନ ବଳରେ ସିଏ ଆଶା କରନ୍ତି ଭାରତବର୍ଷରେ ଓଡ଼ିଶା ଏକନମ୍ବର ହୋଇପାରିବ। ଆଉ ଏଥିପାଇଁ ଲୋଡ଼ା କାମ। ତାଙ୍କର ତ୍ୟାଗପୂତ କର୍ତବ୍ୟନିଷ୍ଠା ହିଁ ରାଜ୍ୟର ହଜାରହଜାର ‘ଆଶା’ଙ୍କୁ ରାଜ୍ୟର ଆଶା ଓ ଭରସାରେ ରୂପାନ୍ତରିତ କରିବାର ବାଟ ଦେଖାଇବ। ମ୍ୟାଲେରିଆ ନିରାକରଣ ପାଇଁ କୋଟିକୋଟି ଟଙ୍କାର ଗବେଷଣାରୁ ପ୍ରାୟ କିଛି ଫଳ ମିଳୁ ନଥିବା ବେଳେ ଯମୁନାମଣି କେବଳ ଜନସଚେତନତା ଓ ନିଜର ନିରବଚ୍ଛିନ୍ନ ସହାୟତାକୁ ଅସ୍ତ୍ର କରି ବେଶ୍‌ ସଫଳ ହୋଇପାରିଛନ୍ତି।


ଲେଖକ: ଅଧ୍ୟାପକ ଅଭିରାମ ବିଶ୍ଵାଳ, ଗୌରୀନଗର, ଭୁବନେଶ୍ଵର (ସୌଜନ୍ୟ: ପ୍ରମେୟ, ୧୯.୦୨.୨୦୧୬, ଶୁକ୍ରବାର)

19 फ़रवरी 2016

ଜେଏନ୍‌ୟୁ ବନାମ ରେଭେନ୍‌ସା

କିଛି ଦିନ ତଳେ ଜେଏନୟୁ ବା ଜୱାହରଲାଲ୍‌ ନେହରୁ ବିଶ୍ଵବିଦ୍ୟାଳୟ (ଦିଲ୍ଲୀ) ହତା ଭିତରେ ଘଟିଥିବା ଏକ ଭାରତ ବିରୋଧୀ ସମାବେଶକୁ ନେଇ ଏବେ ଚାରିଆଡ଼େ ଚର୍ଚା। ଯାହାକି ଥମିବାର ନାମ ନେଉ ନାହିଁ! କେମିତି ଏହି ଘଟଣା ଘଟିଲା, ତାହା କେହି ଜାଣି ପାରୁ ନାହାନ୍ତି। ଦେଶର ରକ୍ଷାକବଚ ‘‘ଦିଲ୍ଲୀ ପୁଲିସ୍‌’’ର ଗୁଇନ୍ଦା ବିଭାଗ ତେଣେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ଓ ଚେର ଖୋଜୁଥିବା ବେଳେ ଏଣେ ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରମାନଙ୍କ ମଧ୍ୟରେ ଗୁଇନ୍ଦାଗିରି କରୁ ନାହିଁ। ତେବେ ବିଶ୍ଵବିଦ୍ୟାଳୟ ହତାରେ ଦେଶବିରୋଧୀ କାର୍ଯ୍ୟକଳାପ ଦେଶବାସୀଙ୍କୁ ସ୍ତବ୍‌ଧ କରି ଦେଇଛି। ଦେଶର ଶାସକଦଳ ବିରୋଧରେ ଖାସ୍‌ କିଛି ମୁଦ୍ଦା ପାଉ ନଥିବାରୁ କେତେକ ବିରୋଧୀ ଦଳ କେବଳ ‘‘ସଉତୁଣୀ ରାଣ୍ଡ ହେଉ’’ ଜିଦ୍‌ରେ ଏହି ଘଟଣାକୁ ତଥା ଗିରଫ ହୋଇଥିବା ଛାତ୍ରନେତାଙ୍କୁ ସମର୍ଥନ କରୁଛନ୍ତି। ଆଉ ଏକ ସୂତ୍ରରୁ ଦାବି କରାଯାଉଛି ଯେ ଯେଉଁମାନେ ଏଭଳି କାଣ୍ଡ କରିଛନ୍ତି, ସେମାନେ ବିଶ୍ଵବିଦ୍ୟାଳୟର ଛାତ୍ର ନୁହନ୍ତି। ତେବେ ଭାରତର ରାଜଧାନୀ ନଗରୀରେ ଥିବା ଦେଶର ଏକ ନମ୍ବର ଶିକ୍ଷାୟତନ (ସବୁଠୁ  ବେଶି ରିହାତି ପାଉଥିବାରୁ)ର ସୁରକ୍ଷା ବ୍ୟବସ୍ଥା ଢିଲା ହେଲା କିପରି? ତଥାକଥିତ କୁଳାଧିପତି ଓ କୁଳପତିଙ୍କ କିଛି ଉତ୍ତରଦାୟିତ୍ଵ ଅଛି କି? ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କର ଭୂମିକା କ’ଣ?

ଡକ୍ଟର ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ଵ କାଳରେ ବିଭିନ୍ନ ଅଭିଯୋଗ ଉପରେ ଏମିତି ବି ସଫେଇ ଦିଆଯାଇଥିଲା ଯେ PMO (ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ)ର ସବୁ କାମରେ PM ଦାୟୀ ନୁହନ୍ତି। ଅର୍ଥାତ୍‌ ‘‘ଚଟୁ ଆମିଷ ବେଣ୍ଟ ନିରାମିଷ!’’ ଗୋଟିଏ ରାଜ୍ୟରେ ହୁଗୁଳା ଶାସନ ପାଇଁ ରାଜ୍ୟପାଳଙ୍କୁ ଦାୟୀ କରାଯାଇପାରିବ ନାହିଁ। କିନ୍ତୁ ଗୋଟିଏ ବିଶ୍ଵବିଦ୍ୟାଳୟରେ ହୁଗୁଳା ଶାସନ ପାଇଁ କୁଳାଧିପତି ଓ କୁଳପତି କାହିଁକି ଦାୟୀ ହେବେ ନାହିଁ? ସେମାନେ କ’ଣ ରାଜ୍ୟପାଳଙ୍କ ଭଳି ରବରଷ୍ଟାମ୍ପ ପଦବୀ ଅଭିଷିକ୍ତ?

ଅନ୍ୟ ପକ୍ଷରେ JNUର ଛାତ୍ରମାନେ ସାଧାରଣତଃ ଏକ ଭିନ୍ନ ଚିନ୍ତାଧାରା ସମ୍ପନ୍ନ ହେଉଥିବା ଲକ୍ଷ୍ୟ କରାଯାଏ। ଓଡ଼ିଶାରୁ ବି ପ୍ରାୟ ୫୦୦ ବିଦ୍ୟାର୍ଥୀ JNUରେ ପଢ଼ିଛନ୍ତି। କିନ୍ତୁ କେହି ବି ସାଧାରଣ ମଣିଷର ହୃଦୟ ଜିଣି ପାରି ନାହାନ୍ତି। ଏହା ଉପରେ ଅଧିକ ମନୋବୈଜ୍ଞାନିକ ଦୃଷ୍ଟିପାତ ନକରି ଆହୁରି ମଧ୍ୟ କୁହାଯାଇପାରିବ ଯେ ସେହି ଛାତ୍ରମାନଙ୍କୁ କୌଣସି ଘରୋଇ କମ୍ପାନୀ ଚାକିରି ଦେବାକୁ ପସନ୍ଦ କରନ୍ତି ନାହିଁ। କେବଳ ସରକାରମାନେ ହିଁ ଦରଦୀ ହୋଇ ସେମାନଙ୍କୁ ଚାକିରି ଦିଅନ୍ତି ଓ ମୁଣ୍ଡରେ ବସାନ୍ତି। ତଥାପି ଏମାନେ ଭିଡ଼କୁ ନୁହନ୍ତି। ଅର୍ଥାତ୍‌ ଦେଶର ବିକାଶ ଓ ପରିବର୍ତନରେ ଏମାନଙ୍କର ଖାସ୍‌ କୌଣସି ଅବଦାନ ନାହିଁ।  ଖାଇ ପିିଇ ମସ୍ତି କରିବାର ଏକ ହତା ହେଉଛି ଜେଏନ୍‌ୟୁ ହତା। ଯେଉଁମାନେ ପଢ଼ି ସାରି ଘରକୁ ବାହୁଡ଼ନ୍ତି, ସେମାନଙ୍କୁ ଗଣତନ୍ତ୍ର ଆଦୌ ଭଲ ଲାଗେ ନାହିଁ। ସେମାନେ ଖାଲି ଶାସନ ବ୍ୟବସ୍ଥାର ଛିଦ୍ର ଖୋଜି ବୁଲନ୍ତି। ବିଦ୍ରୋହ କରନ୍ତି। ବିରୋଧ କରନ୍ତି।

ଏତେ ମନ୍ତବ୍ୟ ଉଦ୍‌ଗାରିବା ପରେ ଟିକେ ମନେ ପକାଇ ଦେବାକୁ ଚାହିଁବୁ ଯେ ଜେଏନ୍‌ୟୁ ଏକ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ଆଉ ହାଇଦ୍ରାବାଦ ବିଶ୍ଵବିଦ୍ୟାଳୟ ମଧ୍ୟ ଏକ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ। କିନ୍ତୁ ହାଇଦ୍ରାବାଦରୁ ମଣିଷ ବାହାରନ୍ତି ଏବଂ ଘରୋଇ କମ୍ପାନୀ ମଧ୍ୟ ସେମାନଙ୍କୁ ନିଜ ଟିମ୍‌ରେ ନେବାକୁ ପସନ୍ଦ କରନ୍ତି। ତେଣୁ ଜେଏନ୍‌ୟୁ ହତା ଭିତରେ ଦେଶର ବ୍ୟବସ୍ଥା ବିରୋଧୀ, ଦେଶ ବିରୋଧୀ କାର୍ଯ୍ୟକଳାପ ଆଦୌ ନୂଆ କଥା ନୁହେଁ। କିନ୍ତୁ ଚର୍ଚିତ ଘଟଣାଟି ଏକ ସୁଚିନ୍ତିତ ସୁଆୟୋଜିତ ରଣକୌଶଳର ଅଂଶବିଶେଷ। ଯଥେଷ୍ଟ ଜାଗା ଫାଙ୍କା ପଡ଼ିଛି ବୋଲି ବିଶ୍ଵବିଦ୍ୟାଳୟ ହତାରେ ଯଦି ସହରବାସୀଙ୍କ ମୁକ୍ତ ଯାତାୟତ ସବୁବେଳେ ହେବ, ବସ୍ତି ଗଢ଼ି ଉଠିବ। ପାଚେରୀ କଡ଼ରେ ବଜାର ଓ ବସ୍ତି ରହିବ, ତେବେ କେବେ ନା କେବେ ଅଘଟଣ ଓ ଦେଶବିରୋଧୀ ଘଟଣା ଘଟିବ। ତେଣୁ ପଠାଣକୋଟ ଅଘଟଣ ଭଳି ଜେଏନ୍‌ୟୁ  ହତା ଭିତରର ଘଟଣା ମଧ୍ୟ ଆମର ବିଶ୍ଵବିଦ୍ୟାଳୟ ହତାର ଢିଲା ସୁରକ୍ଷା ବ୍ୟବସ୍ଥା ପ୍ରତି ଅଙ୍ଗୁଳି ନିର୍ଦେଶ କରୁଛି। କାରଣ ଅସଲ ବଦ୍‌ମାସ୍‌ମାନେ ନିଜ ମୁହଁକୁ କପଡ଼ାରେ ଢାଙ୍କିଥିବା ବିଭିନ୍ନ ଚିତ୍ରରୁ ଦେଖିବାକୁ ମିଳୁଛି। ଘରୋଇ ବିଶ୍ଵବିଦ୍ୟାଳୟମାନେ ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା ଅବଲମ୍ବନ କରୁଥିବା ବେଳେ ସରକାରୀ ବିଶ୍ଵବିଦ୍ୟାଳୟରେ ଏତେ ଢିଲା ବ୍ୟବସ୍ଥା ଆଦୌ ସ୍ପୃହଣୀୟ ନୁହେଁ। ବିଶ୍ଵବିଦ୍ୟାଳୟରେ ପଶୁଥିବା ଅଣଛାତ୍ରମାନଙ୍କୁ ଯାଞ୍ଚ କରିବା ମଧ୍ୟ ଅନ୍ତେବାସୀ ଛାତ୍ରମାନଙ୍କର କାର୍ଯ୍ୟ ନୁହେଁ କି ଦାୟିତ୍ଵ ବି ନୁହେଁ। ତେଣୁ ବିଶ୍ଵବିଦ୍ୟାଳୟ ସୁରକ୍ଷାକୁ CISF ଭଳି କ୍ୟାଡ଼ର ଭିତ୍ତିକ କରାଯିବା ସହ ଏକ ସ୍ପଷ୍ଟ ନୀତି ଧାର୍ଯ୍ୟ ହେବା ଦରକାର।

ନିର୍ଦିଷ୍ଟ ପରିବେଶରେ ନିର୍ଦିଷ୍ଟ ଆଚରଣର ବିକାଶ ହେବା ମଧ୍ୟ ଭାରତୀୟ ଶାସ୍ତ୍ର ଓ କାହାଣୀମାଳାରେ ବର୍ଣନା କରାଯାଇଛି। ସେହି ଦୃଷ୍ଟିରୁ ଆମେ ରେଭେନ୍ସା କଲେଜ (ଯାହା ଏବେ ଏକ ଅଗ୍ରଣୀ ବିଶ୍ଵବିଦ୍ୟାଳୟ) କଥା ଏଠାରେ ଚର୍ଚାକୁ ଆଣିଛୁ। ଯଦିଓ ରେଭେନ୍ସା କଲେଜ ହେଉଛି, ଜେଏନ୍‌ୟୁର ଜେଜେବାପା ବୟସର ଏକ ଶିକ୍ଷାୟତନ। କିନ୍ତୁ ଏତେ ବର୍ଷ ଧରି ରେଭେନ୍ସା କଲେଜ୍‌ ଏକ ଆଦର୍ଶ ଅନୁଷ୍ଠାନ ହୋଇ ରହିଛି। କେବେ କଳଙ୍କିତ ହୋଇ ନାହିଁ। ଓଡ଼ିଶାର ଅଧିକାଂଶ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଏହି କଲେଜର ଛାତ୍ରଛାତ୍ରୀ ବୋଲି ଗର୍ବ କରନ୍ତି। ଏ ପ୍ରସଙ୍ଗରେ ଗତ ଶତାବ୍ଦୀରେ ଖବରକାଗଜଗୁଡ଼ିକରେ ମଧ୍ୟ ବିସ୍ତୃତ ଚର୍ଚା ହୋଇଛି। କହିବା ବାହୁଲ୍ୟ, ରେଭେନ୍ସା କଲେଜରେ ପଢ଼ିଥିବା ପ୍ରତ୍ୟେକ ବିଦ୍ୟାର୍ଥୀଙ୍କର ଦେଶଗଠନରେ, ଦେଶର ବିକାଶରେ ଅବଦାନ ରହିଛି। ଭୂମିକା ରହିଛି। ଓଡ଼ିଶାର ପୂର୍ବତନ ରାଜଧାନୀ ତଥା ଏବେର ସାଂସ୍କୃତିକ ରାଜଧାନୀ କଟକରେ ଥିବା ଆଉ ଏକ ପୁରାତନ କଲେଜ କିନ୍ତୁ ବାଳୁଙ୍ଗା ଉତ୍ପାଦନ କେନ୍ଦ୍ରର କଳଙ୍କ ମୁଣ୍ଡାଇଛି। ତେଣୁ ହତାର ପରିପାଟୀ, ରଙ୍ଗ, ବିନ୍ୟାସ ଓ ସ୍ଥାପତ୍ୟ ତଥା ଅବସ୍ଥାନର ପ୍ରଭାବ, ତହିଁରୁ ଉତ୍ପନ୍ନ ବିଦ୍ୟାର୍ଥୀଙ୍କ ଉପରେ ଯେ ପଡ଼େ, ଏଥିରେ ସନ୍ଦେହ ନାହିଁ। ତେବେ ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି। କାରଣ କଲେଜ୍‌ଟି ଜଣେ ଇଂଗ୍ରେଜ ସାଇବଙ୍କ ନାମରେ ହୋଇଥିବା ବେଳେ ଭାରତୀୟଙ୍କ ନାମରେ ପୁନଃନାମିତ କରାଯିବାକୁ କଥା ଉଠିଛି। ହେଲେ ଆଜି ସୁଦ୍ଧା କେହି ତାହାକୁ କାର୍ଯ୍ୟକାରୀ କରିବାକୁ ସାହସ କରୁ ନାହାନ୍ତି, କାଳେ ଦଶନ୍ଧି ଦଶନ୍ଧିର ଏକ ଶୃଙ୍ଖଳିତ ଛାଞ୍ଚ କେଉଁଠି ବିଗିଡ଼ିଯିବ!

ଆମଦେଶର କଥାକୁହା ପ୍ରଧାନମନ୍ତ୍ରୀ ‘‘ମନ୍‌ କୀ ବାତ୍‌’’ ରେଡ଼ିଓରେ କହି ପାରୁଛନ୍ତି। ଯଦି ବିଶ୍ଵବିଦ୍ୟାଳୟର କୁଳପତିମାନେ କଥାକହି ଜାଣନ୍ତି, ସେମାନେ ମଧ୍ୟ ନିଜର ବିଦ୍ୟାର୍ଥୀମାନଙ୍କ ସହ କଥା ହୁଅନ୍ତୁ। ଏଥିପାଇଁ ଆମଦେଶରେ CRS (Campus Radio Station) FM ରେଡ଼ିଓ ବ୍ୟବସ୍ଥା ମଧ୍ୟ ରହିଛି। ସେହି ରେଡ଼ିଓର ନ୍ୟାୟ ସଙ୍ଗତ ବ୍ୟବହାର ହେବା ଦରକାର। ଯେଉଁଠି ଭାବବିନିମୟ (Interactive Communication) ମଧ୍ୟ ସମ୍ଭବ। କେବଳ ନାରାବାଜି ବା ଆକ୍ଷେପ ପ୍ରତିଆକ୍ଷେପରେ ଦେଶ ଚାଲି ପାରିବନି।

(ମନ୍ତବ୍ୟଗୁଡିକ ଲେଖକଙ୍କର ବ୍ୟକ୍ତିଗତ)
ବିମଳ ପ୍ରସାଦ, ଭୁବନେଶ୍ୱର 

ଡାଲ୍‌ଖାଇ ନୃତ୍ୟନିପୁଣା ବେଟିଖାଇ

ଦିନେ ଡାଲଖାଇ ନାଚରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନଚେଇ ଦେଇଥିଲେ ଓଡ଼ିଶାର ଡାଲଖାଇ ଶିଳ୍ପୀ ଗୁରୁବାରୀ ମିର୍ଧା। ଦିଲ୍ଲୀ ଲାଲ୍‌କିଲ୍ଲା ପରେଡ଼୍‌ ମୈଦାନର ସେଇ ଘଟଣା ସେତେବେଳେ ସାରା ଦେଶରେ ଚର୍ଚାର ବିଷୟ ପାଲଟି ଯାଇଥିଲା।  ଗୁରୁବାରୀଙ୍କ ଭଳି ଆଉ ଜଣେ ସମଲପୁରୀ ଲୋକନୃତ୍ୟ ପ୍ରବୀଣା ବେଟିଖାଇ ବରିହା। ୨୦୧୬ର ସମ୍ବଲପୁର ଲୋକ ମହୋତ୍ସବରେ ସମ୍ବର୍ଧିତ ଏହି ନୃତ୍ୟଶିଳ୍ପୀ ଏବେ ଅନେକ କଳାପ୍ରେମୀଙ୍କୁ ଆକର୍ଷିତ କଲେଣି।

ବରଗଡ଼ ଜିଲ୍ଲାର ଗୁରୁବାରୀଙ୍କ ପରେ ସେଇ ଜିଲ୍ଲାର ଗାଇସିଲେଟ୍‌ ବ୍ଲକ୍‌ କନ୍ଦାଗଡ଼ ଗାଆଁର ବେଟିଖାଇ ବରିହାଙ୍କ ପରିଣତ ବୟସରେ ବି ଯୁବସୁଲଭ ନୃତ୍ୟଛଟା ସବୁବୟସ ବର୍ଗର ଲୋକଙ୍କୁ ବିମୋହିତ କରୁଛି। ଗରିବ ପରିବାରରେ ଜନ୍ମିତ ବେଟିଖାଇ ମାତ୍ର ୬ ବର୍ଷ ବୟସରୁ ସମଲପୁରୀ ନୃତ୍ୟ ପ୍ରତି ଆପର୍ଷିତ ହୋଇଥିଲେ। ନିଜ ପିଉସୀଙ୍କ ଦ୍ଵାରା ଅନୁପ୍ରାଣୀତ ହୋଇ ନୃତ୍ୟକୁ ପେସା ଭାବେ ଆଦରିବାରୁ ସେ ଅନେକ ଟାହିଟାପରା ଶୁଣିଛନ୍ତି। ତାଙ୍କ ସହ ସାମିଲ ହୋଇଥିବା ଗାଆଁର ଆଉ ୪ ଜଣ ମହିଳା ମଧ୍ୟ ସମାନ ସମସ୍ୟାରେ ସନ୍ତୁଳି ହୋଇ ଆଜୀବନ ଅବିହାଡ଼ି ରହିଯାଇଛନ୍ତି। କଳାକୁ ବଞ୍ଚାଇବା ସହ କଳାକୁ ନିଜ ବଞ୍ଚିବାର ରାହା ଭାବେ ଧରି ଆତ୍ମସନ୍ତୋଷ ପାଉଛନ୍ତି ବୋଲି କହନ୍ତି ବେଟିଖାଇ।  ଦର୍ଶକଙ୍କ କରତାଳି ଓ ପ୍ରଶଂସା ହିଁ ସେମାନଙ୍କ ପାଇଁ ସବୁ କିଛି।

୫୮ ବର୍ଷ ବୟସରେ ବି ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ ଓ ମଞ୍ଚମନସ୍କ କରିରଖନ୍ତି ବେଟିଖାଇ। ବିହା ହୋଇନଥିବାରୁ ଟିକେ ବି ପଶ୍ଚାତାପ ନାହିଁ। ବରଂ ତାଙ୍କର ପ୍ରତିଭାରେ ଅନୁପ୍ରାଣୀତ ହୋଇ ୧୦ ଜଣ ଯୁବତୀ ସମଲପୁରୀ ନୃତ୍ୟ ଶିକ୍ଷା କରି ମଞ୍ଚପ୍ରଦର୍ଶନ ଜାରି ରଖିଛନ୍ତି। କୁମାରୀ ବେଟିଖାଇ କିଛି ବର୍ଷ ହେଲା ମାସିକ ହଜାରେ ଟଙ୍କା ‘କଳାକାର ଭତ୍ତା’ ପାଉଛନ୍ତି। ଟଙ୍କିକିଆ ଚାଉଳର ଶାସନକାଳରେ ସମଲପୁରୀ ଚାଉଳ ତା’ର ଆକର୍ଷଣ ହରାଇଛି ସିନା, ହେଲେ ସମଲପୁରୀ ବସ୍ତ୍ର, ସମଲପୁରୀ ଗୀତ ଓ ସମଲପୁରୀ ନୃତ୍ୟ ଏବେ ବି ସତେଜ। ଯେମିତି ସଜଫୁଟା ଫୁଲ ଭଳି !


ପୁନଃଉପସ୍ଥାପନା: ବିମଳ ପ୍ରସାଦ,
 ତଥ୍ୟ ଉତ୍ସ: ପ୍ରମେୟ, ୮ ଫେବ୍ରୁଆରି ୨୦୧୬ 

17 फ़रवरी 2016

ଜେସିଙ୍କ ଜୀବନାଧିକାର

୨୦୧୬ ଫେବୃଆରି ୭ ତାରିଖରେ ଆଲ୍‌ବମ୍‌ ଓ ଟେଲି ଅଭିନେତା ରାଜା ପଟ୍ଟନାୟକଙ୍କ ଆକସ୍ମିକ ମୃତ୍ୟୁ ପରେ କ୍ରମାଗତ ଭାବେ ଗଣମାଧ୍ୟମରେ ରିପୋର୍ଟମାନ ପ୍ରକାଶ ପାଇବାରେ ଲାଗିଛି। ସବୁ ରିପୋର୍ଟରେ ଅଭିନେତ୍ରୀ ଜେସିଙ୍କ ଚେହେରା ଦେଖିବାକୁ ମିଳୁଛି। ପୁଲିସ୍‌ର ତଥ୍ୟ ଅନୁସାରେ ଜେସି ହିଁ ରାଜାଙ୍କୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିଥିଲେ। ତେବେ ପରିସ୍ଥିତି ଯାହା ବି ହୋଇଥାଉ, ଜଣକୁ ଦୋଷୀ ସାବ୍ୟସ୍ତ କରିବା ଓ ଦଣ୍ଡବିଧାନ କରିବା ହେଉଛି ଅଦାଲତର କାମ। ଅଦାଲତର ଏହି କାମ ସମ୍ପନ୍ନ ନହେବା ପର୍ଯ୍ୟନ୍ତ ଆମର ଗଣତନ୍ତ୍ରର ଢାଞ୍ଚା ଭିତରେ କାହାର ମାନବାଧିକାର ବା ବଞ୍ଚିବାର ଅଧିକାର କ୍ଷୁନ୍ନ କରାଯାଇପାରିବ ନାହିଁ। ଅର୍ଥାତ୍‌ ଜଣେ ଅପରାଧୀ ସାବ୍ୟସ୍ତ ହେବା ପର୍ଯ୍ୟନ୍ତ ଇଜ୍ଜତର ସହ ବଞ୍ଚିବାର ଅଧିକାର ରହିଛି। ଅନ୍ୟ ଶବ୍ଦରେ କହିଲେ, କେହି ବ୍ୟକ୍ତି ନିଜର ଦୋଷ ପାଇଁ ଦଣ୍ଡ ପାଇବ। କିନ୍ତୁ ତାଙ୍କୁ ‘ଅପମାନିତ’ କରାଯାଇ ପାରିବ ନାହିଁ। ଖାସ୍‌ ଏଇ ଟିକକ କଥା ପାଇଁ ଜଣେ ଡକାୟତି ଘଟଣାର ଅଭିଯୁକ୍ତ ପଞ୍ଚମ ଥର ଗିରଫ ହେଲେ ମଧ୍ୟ ତାଙ୍କର ଇଜ୍ଜତ (ମାନବାଧିକାର) ରକ୍ଷା ପାଇଁ ତାଙ୍କ ମୁହଁରେ ଗାମୁଛା ବା କପଡ଼ା ଢଙ୍କା ଯାଇଥାଏ। ଏ କଥା ପ୍ରେସ୍‌ ଓ ପୁଲିସ୍‌ ସମସ୍ତେ ଜାଣନ୍ତି। ଆଉ ଗିରଫ ହୋଇଥିବା ବ୍ୟକ୍ତି ଯଦି ମହିଳା, ଶିଶୁ ଅଥବା ବରିଷ୍ଠ ନାଗରିକ ହୋଇଥାଆନ୍ତି, ତେବେ ସେମାନଙ୍କ ଇଜ୍ଜତ, ଅଧିକ ସ୍ପର୍ଶକାତର ବୋଲି ବିବେଚନା କରାଯାଏ। ଜେସି ଜଣେ ମହିଳା ବା ଯୁବତୀ। କିନ୍ତୁ ତାଙ୍କର ବିନା ମେକପପ୍‌ବାଲା ମୁହଁକୁ, ଅର୍ଥାତ୍‌ ସାଧାରଣ ଜୀବନର ମୁହଁକୁ ବାରମ୍ବାର ଦେଖାଇ ଗଣମାଧ୍ୟମମାନେ ଲକ୍ଷ୍ମଣରେଖା ଡେଇଁଛନ୍ତି। ଏହା ହିଁ ବିଚାର୍ଯ୍ୟ।

ପରଦା ଅଭିନେତା-ଅଭିନେତ୍ରୀଙ୍କୁ ମଞ୍ଚରେ ଠିଆ କରିବାର ମାନସିକତା ମଧ୍ୟ ଏକ ବାଞ୍ଛିତ ଧୃଷ୍ଟତା। ସରଳ ଶବ୍ଦରେ କହିଲେ, ଏହା ଆୟୋଜକ ଓ ଦର୍ଶକଙ୍କ ଏକ ପ୍ରକାର କଣ୍ଡୁ। ତାହାର ନିବାରଣ ପାଇଁ ସଂପୃକ୍ତ କଳିଙ୍ଗକନ୍ୟା ଗଣନାଟ୍ୟ ଲୋଡିଥିଲେ ଲୋକପ୍ରିୟ ଧାରାବାହିକ ‘‘ତୋ’ ଅଗଣାର ତୁଳସୀ ମୁଁ’’ର ମୁଖ୍ୟ ଯୋଡ଼ି ଇଚ୍ଛା ଓ ଚନ୍ଦନକୁ। କିନ୍ତୁ ଇଚ୍ଛା (ଜେସି) ତ ଯାଇଥିଲେ, ଯାଇନଥିଲେ ଚନ୍ଦନ(ତୁଷାର)। ବରଂ ସାଙ୍ଗରେ ଥିଲେ ଜେସିଙ୍କ ପ୍ରେମିକ ରାଜା। ଯିଏକି ଜଣେ ଓସ୍ତାଦ୍‌ ନୃତ୍ୟଶିଳ୍ପୀ ଭାବରେ ଖୁବ୍‌ ଲୋକପ୍ରିୟ। କିନ୍ତୁ ମଞ୍ଚ ପ୍ରଦର୍ଶନ ପରେ ଆୟୋଜକ ହିଁ ନିଜର ଅସହିଷ୍ଣୁତା ଜାହିର କରିଥିଲେ ପାଉଣାରେ ପାତରଅନ୍ତର କରି। ଜେସିଙ୍କୁ ୨୭ହଜାର ଟଙ୍କା ଆଉ ରାଜାଙ୍କୁ ୨ ହଜାର। ପାଉଣା ପାଇ ଘରବାହୁଡ଼ା ବେଳେ ଯାହାବି ଘଟିଥାଉନା କାହିଁକି, ଏହି ପାତରଅନ୍ତର ପାଉଣା ପ୍ରଦାନ ହିଁ ନିଆଁଲଗା ନିଷ୍ପତ୍ତି। ଏଥିପାଇଁ ସଂପୃକ୍ତ ଗଣନାଟ୍ୟ ସଂସ୍ଥାର ପରିଚାଳକ ବା ଯାତ୍ରା ଆଯୋଜକ କାହିଁକି କାଠଗଡ଼ାକୁ ଟଣା ନଯିବେ?

ଯଦି ସୁଯୋଗ ଉଣ୍ଡି ଜେସି ଆତ୍ମହତ୍ୟା କରିଦିଅନ୍ତି, ତେବେ କ’ଣ ଗଣମାଧ୍ୟମ ଖୁସୀ ହେବ ଏବଂ କହିବ ଯେ ରାଜା ହତ୍ୟାକାଣ୍ଡରେ ଉପଯୁକ୍ତ ନ୍ୟାୟ ମିଳିଛି?

ଅସଲ କଥା ହେଲା ଇଜ୍ଜତର ସହ ବଞ୍ଚିବାର, ଯାହାକି ମାନବାଧିକାର। ଆଉ ସହାବସ୍ଥାନ, ଯେଉଁଠି ନଥାଏ ଅସହିଷ୍ଣୁତାର ଚିହ୍ନ।

ନିବେଦକ: ବିମଳ ପ୍ରସାଦ, ଭୁବନେଶ୍ଵର

09 फ़रवरी 2016

ବିଧୁର ବିପିନ ଓ ବିଧବା ମମତା - ଏକ ନିରୁତା ଦାମ୍ପତ୍ୟ


ପ୍ରେମ ନୁହେଁ କେବଳ ବିବାହର ବନ୍ଧନ। ବରଂ ଏହା ତ୍ୟାଗ ଓ ତପସ୍ୟାର ନିଦର୍ଶନ। ଏଭଳି ବିବୃତିକୁ ସତ ପ୍ରମାଣିତ କରିଛନ୍ତି କୋରାପୁଟର ବିପିନ ଓ ମମତା। ମମତାଙ୍କ ମଥାରେ ନାହିଁ ବିପିନଙ୍କ ସିନ୍ଦୁର ଅଥବା ମମତାଙ୍କ ଗର୍ଭରୁ ସନ୍ତାନ। ତଥାପି ଦୁହେଁ ଏକାଠି ଓ ଏକପ୍ରାଣ। କେମିତି ସମ୍ଭବ ୟେ?

ଏକ ଶୀତୁଆ ଅପରାହ୍ଣରେ ଢେଙ୍କାନାଳ ସହରର ଶ୍ୟାମାଚରଣପୁର ଷ୍ଟେସନରେ ଭେଟ ହୁଏ ବିପିନ ଓ ମମତାଙ୍କ ସହ। ଭିଡ଼ ଭିତରେ ବାରି ହୋଇ ପଡୁଥିଲେ ଦିହେଁ। ଦାରିଦ୍ର୍ୟ ଭିତରେ ବି ଉଭୟଙ୍କ ମୁହଁରେ ନାହିଁ ଏତେ ଟିକେ ବିରସର ଛାପ। ନିଜର କିଛି ଘରକରଣା ସାମଗ୍ରୀ ଓ ଜରିପାଲର ଘର ଭିତରେ ଦିହେଁ ଥିଲେ ବେଶ୍‌ ଆଶ୍ଵସ୍ତ। ସେମାନଙ୍କ ସହ କଥା ହୁଅନ୍ତେ, ବିପିନ ବେଶ୍‌ ଆତ୍ମସନ୍ତୋଷର ସହ କହିଲେ, ‘‘ଆମେ ବାହା ହୋଇନୁ। ହେଲେ ତା’ଠୁ ବି ଅଧିକ ଆମ ଭିତରେ ଥିବା ସଂପର୍କ।’’ ତାଙ୍କ ବଖାଣରୁ ଜଣାପଡ଼ିଲା ଯେ ପ୍ରାୟ ୨୨ ବର୍ଷ ତଳେ ବିପିନଙ୍କ ବିବାହ ହୋଇଥିଲା ସୁନ୍ଦରଗଡ଼ର ଏକ ଆଦିବାସୀ ପରିବାରରେ। ଖୁବ୍‌ କମ୍‌ ଦିନ ଭିତରେ ଦୁଇ ପୁଅ ଓ ଦୁଇ ଝିଅଙ୍କ ବାପା ହେଲେ ସେ। ହସଖୁସିରେ ସଂସାର ଚାଲିଥିଲା। ହଠାତ୍‌ କେଉଁ ରୋଗରେ ପଡ଼ି ସ୍ତ୍ରୀ ବୀଣା ଆରପାରିକୁ ଚାଲିଗଲେ। ମାଆଛେଉଣ୍ଡ ହୋଇଗଲେ ପିଲାଏ। ଏମିତି ଦୁଇ ବର୍ଷ ବିତିବା ପରେ ପଡ଼ୋଶୀ ଗାଆଁର ମମତାଙ୍କ ସହ ଭେଟ ହୁଏ ବିପିନଙ୍କର। ମମତା ଜଣେ ନିଃସନ୍ତାନ ବିଧବା। ଆଦିବାସୀ ସମାଜରେ ବିଧବାମାନଙ୍କୁ ଡାହାଣୀ ଆଖ୍ୟା ଦେଇ ନିର୍ଯାତନା ଦିଆଯାଏ। ମମତାଙ୍କ ସହ ତାହା ହିଁ ହେଉଥିଲା। ଶାଶୂଘରର ଏମିତି ଗଂଜଣା ଭିତରେ ବିପିନଙ୍କ ସହାନୁଭୂତି ପାଆନ୍ତି ମମତା। ଉଭୟଙ୍କ ଭିତରେ ସଂପର୍କ ମଧୁର ଓ ମଜବୁତ ହୋଇଉଠେ। ବିପିନ ଶେଷରେ ମମତାଙ୍କୁ ନିଜର ଘରଣୀ କରି ନିଅନ୍ତି। ମାନେ, ନିଜ ଘରକୁ ନେଇ ଆସନ୍ତି। ହେଲେ ଏଥିରେ ଅସହିଷ୍ଣୁ ହୋଇ ଉଠନ୍ତି ଗାଆଁଲୋକେ ଏବଂ ଏ ଦିହିଁଙ୍କୁ ଜୀବନରେ ମାରି ଦେବାକୁ ଉଦ୍ୟମ ହୁଅନ୍ତେ, ଏକ ନିଛାଟିଆ ବେଳାରେ ଦିହେଁ ଗାଆଁ ଛାଡ଼ି ଚାଲି ଆସନ୍ତି ଢେଙ୍କାନାଳ।

ନିଜ ପିଲାଙ୍କୁ ଭୁଲି ନାହାନ୍ତି ଏ ଦମ୍ପତି। ଷ୍ଟେସନରୁ ଜରି ଗୋଟାଇ ତାହାକୁ ଚୌଦ୍ଵାର ପ୍ଲାଷ୍ଟିକ୍‌ ଡିପୋରେ କିଲୋପ୍ରତି ୧୫ ଟଙ୍କାରେ ବିକ୍ରି କରନ୍ତି। ଏଥିରୁ ଯାହା ପାଆନ୍ତି, ଘରକୁ ପଠାନ୍ତି। ଇତି ମଧ୍ୟରେ ବଡ଼ ଝିଅକୁ ବିହା ଦେଲେଣି। ପିଲାଟୁକେଲଙ୍କ ସୁଖ ପାଇଁ ବିପିନ ମମତା ବିବାହ କଲେ ନାହିଁ। ସମାଜ ହୁଏତ ଏ ଦାମ୍ପତ୍ୟର ପରିଭାଷା ଖୋଜି ବୁଲୁଥିବ। ହେଲେ ବିପିନ ମମତା ଖୋଜୁଛନ୍ତି ଜୀବିକା ଓ ଜୀଇଁବାର ରାହା।


(ସୌଜନ୍ୟ: ‘ପ୍ରମେୟ’, ଭୁବନେଶ୍ଵର, ୮ ଫେବୃଆରି ୨୦୧୬, ସୋମବାର)

08 फ़रवरी 2016

ସବୁ ଯନ୍ତ୍ରୀ ପିସିଖୋର

ଭିଜିଲାନ୍ସ ଡିଜିଙ୍କ ଉଦ୍‌ବେଗ, 
ପିସି ବନ୍ଦ କରିବାକୁ ବିଭାଗକୁ ଲେଖିବେ ଚିଠି

ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ଥିବା ଭିଜିଲାନ୍ସ ସେଲ୍‌ ଅକାମୀ ହୋଇ ପଡ଼ିଛି। ଫଳରେ କନିଷ୍ଠ ଯନ୍ତୀଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଯନ୍ତ୍ରୀମାନେ ଦୁର୍ନୀତିରେ ବୁଡ଼ି ରହୁଛନ୍ତି। ବିଭିନ୍ନ ଠିକାଦାରୀ କାମରେ ଯନ୍ତ୍ରୀମାନେ ମିଳିମିଶି ପିସି(ପର୍ସେଣ୍ଟେଜ୍‌ ଭାଗ) ନେଉଛନ୍ତି। ଯେଉଁ କାରଣରୁ ଯନ୍ତ୍ରୀମାନେ ଲାଞ୍ଚୁଆ ହୋଇଯାଇଛନ୍ତି। ଫଳରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ହେଉଥିବା କାମରେ ଶତ ପ୍ରତିଶତ ଟଙ୍କା ଖର୍ଚ ହେଉ ନାହିଁ। ନିମ୍ନମାନର କାମ ହେଉଛି। ତେଣୁ ଯନ୍ତ୍ରୀମାନେ ନେଉଥିବା ଏଭଳି ପିସି କାରବାରକୁ ବନ୍ଦ କରିବାକୁ ଉଦ୍ୟମ କରାଯିବ। ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ନେଇ ଭିଜିଲାନ୍ସ ପକ୍ଷରୁ ଚିଠି କରାଯିବ। ‘ସମ୍ବାଦ’କୁ ଏଭଳି ସୂଚନା ଦେଇଛନ୍ତି ରାଜେନ୍ଦ୍ର ପ୍ରସାଦ ଶର୍ମା।

ଏହି ପ୍ରସଙ୍ଗରେ ଗଭୀର ଉଦ୍‌ବେଗ ପ୍ରକାଶ କରି ଶ୍ରୀ ଶର୍ମା କହିଛନ୍ତି, ଯନ୍ତ୍ରୀମାନଙ୍କ ବିରୋଧରେ ଗଦାଗଦା ଅଭିଯୋଗ ଭିଜିଲାନ୍ସର ବିଭିନ୍ନ କାର୍ଯ୍ୟାଳୟରେ ପଡ଼ି ରହିଛି। ସେହି ସବୁ ଫାଇଲ୍‌ ଏବେ ଖୋଲା ଯାଉଛି। ଯେଉଁ ଯନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ଆସିଛି, ସେସବୁର ତର୍ଜମା କରାଯାଉଛି। ବିଭିନ୍ନ ବିଭାଗର ଯନ୍ତ୍ରୀମାନଙ୍କର ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରାଯାଇଛି। ଅତ୍ୟନ୍ତ ଗୋପନରେ ସେମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ଆକଳନ କରାଯାଉଛି। କେତେ ବର୍ଷ ଧରି ସେମାନେ ଚାକିରି କଲେଣି? କେତେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଛନ୍ତି? ସେସବୁର ହିସାବ ନିକାଶ କରାଯାଉଛି। ପରେ ସେମାନଙ୍କ ଉପରେ ଚଢ଼ାଉ କରାଯିବ। ଏହାଛଡ଼ା ଏକାଧିକ ଯନ୍ତ୍ରୀ ସେମାନଙ୍କ ତଳିଆ କର୍ମଚାରୀମାନଙ୍କ ମାଧ୍ୟମରେ ଲାଞ୍ଚ ମାଗୁଥିବା ଭିଜିଲାନ୍ସ କର୍ତ୍ତୃପକ୍ଷ ଜାଣିବାକୁ ପାଇଛନ୍ତି। ତେଣୁ ଭିଜିଲାନ୍ସ ଡିଜି ଭାବେ ଯୋଗ ଦେବା ପରେ ଶ୍ରୀ ଶର୍ମା ଯନ୍ତ୍ରୀମାନଙ୍କ ବିରୋଧରେ ନିଜର ଆଭିମୁଖ୍ୟ କଡ଼ା କରିଛନ୍ତି। ପ୍ରାୟ ସପ୍ତାହେ ହେଲା ଭିଜିଲାନ୍ସ ଅପରେସନ୍‌ ଆରମ୍ଭ ହୋଇଯାଇଛି। ଗତ ସପ୍ତାହେ ମଧ୍ୟରେ ବଲାଙ୍ଗୀର ଦେଓଗାଁ ବ୍ଲକ୍‌ ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ, ବିଶୋଇ ବ୍ଲକ୍‌ କନିଷ୍ଠ ଯନ୍ତ୍ରୀ ରମେଶଚନ୍ଦ୍ର ମହାନ୍ତି, ବାଲୁଗାଁ ଏନ୍‌ଏସି କନିଷ୍ଠ କିରାଣି ବିପ୍ଳବ ରଂଜନ ସ୍ଵାଇଁ ଓ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରି ସାରିଛି। ପ୍ରତ୍ୟେକ ଯନ୍ତ୍ରୀଙ୍କର ଅଧକୋଟି ଟଙ୍କାରୁ ଅଧିକ ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାହୋଇଛି। ପୁଳାପୁଳା ସୁନାରୁପା ଗହଣା, ବ୍ୟାଙ୍କ୍‌ରେ ଲକ୍ଷାଧିକ ଟଙ୍କାର ଜମା, ବିଭିନ୍ନ ସ୍ଥାନରେ ଜମି, ରାଜଧାନୀ ଭୁବନେଶ୍ଵର ସମେତ ବିଭିନ୍ନ ସହରରେ ଘର, ଫାର୍ମହାଉସ୍‌, ଦାମୀ କାର୍‌ ଠାବ ହେଉଛି। ଆଗାମୀ ଦିନରେ ଅଭିଯୋଗ ଥିବା ଯନ୍ତ୍ର୍ରୀମାନଙ୍କ ବିରୋଧରେ ଏଭଳି ଚଢ଼ାଉକୁ ଅଧିକ ଜୋରଦାର କରାଯିବ। ଏହା ସହିତ ଯନ୍ତ୍ରୀମାନଙ୍କ ବିରୋଧରେ ଏକ ଗୁପ୍ତ ରିପୋର୍ଟ ବିଭାଗୀୟ ମୁଖ୍ୟ, ବିଭାଗୀୟ ସଚିବ, ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯିବ।

ଭିଜିଲାନ୍ସ ମହାନିର୍ଦେଶକଙ୍କ ସୂଚନା ଅନୁଯାୟୀ ବିଭିନ୍ନ ବିଭାଗରେ ଯନ୍ତ୍ରୀମାନେ ପାଖାପାଖି ୨୦ରୁ ୩୦ ପ୍ରତିଶତ ପିସି ନେଉଛନ୍ତି। ଏହାଛଡ଼ା ଠିକାଦାରମାନେ ବିଲ୍‌ ପାଇବା ଲାଗି ଦପ୍ତରରେ ତଳିଆ କର୍ମଚାରୀମାନଙ୍କୁ ମଧ୍ୟ ସନ୍ତୁଷ୍ଟ କରିବାକୁ ପଡୁଛି। ଯାହା ଫଳରେ ନିର୍ଧାରିତ ହୋଇଥିବା ଟଙ୍କା ଶତପ୍ରତିଶତ କାମରେ ଲାଗୁ ନାହିଁ। ନିମ୍ନମାନର କାମ ହେଉଛି। କିଛି ବର୍ଷ ନଯାଉଣୁ, ବିଭିନ୍ନ ଆଳ ଦେଖାଇ ପୁଣି ଥରେ ସେହି କାମ ପାଇଁ ଟେଣ୍ଡର କରାଯାଉଛି। କିଛି କାମର ଗୁପ୍ତ ଭିଜିଲାନ୍ସ ତଦନ୍ତ ମଧ୍ୟ ଆରମ୍ଭ ହୋଇଯାଇଛି। ଖୁବ୍‌ ଶୀଘ୍ର ଆଉ କିଛି ଯନ୍ତ୍ରୀଙ୍କୁ ଭିଜିଲାନ୍ସ କାବୁ କରିବ।


(ସୌଜନ୍ୟ: ‘ସମ୍ବାଦ’, ୮ ଫେବୃଆରି ୨୦୧୬, ସୋମବାର)