29 मार्च 2018

ଆଖିରେ ଆଙ୍ଗୁଠି ଗେଞ୍ଜି ବଜେଟ୍‌ ୬୦୦ କୋଟି!

ଶାସନ ପରିଚାଳନାର ସବୁଠୁ ଜଟିଳ ଦିଗଟି ଆଇନକାନୁନ ନୁହେଁ, ତାହା ହେଉଛି ବଜେଟ୍‌। ବ୍ରିଟିଶ ଉପନିବେଶ ଶାସନ ପୂର୍ବରୁ ଦେଶ ଅଖଣ୍ଡ ନଥିଲା, ତେଣୁ କେନ୍ଦ୍ର ଓ ରାଜ୍ୟର ଭେଦ ନଥିଲା। ତେବେ ବ୍ରିଟିଶ ଶାସକମାନେ ବଜେଟ୍‌ ପ୍ରସ୍ତୁତିର ଯେଉଁ ଛାପ ଛାଡ଼ି ଦେଇଗଲେ, ତାହାର ଅନୁକରଣ ଏବେ ବି ଚାଲିଛି ଅନ୍ଧ ଭାବରେ। ତେବେ ଏହି ଅନ୍ଧାନୁକରଣର ଏବେ ଶିକାର ହୋଇଛି ‘‘ଓଡ଼ିଶାରେ ଅନ୍ଧତ୍ୱ ନିବାରଣ’’ଏହି ଘଟଣା ହେଉଛି ଓଡ଼ିଶାର। ଓଡ଼ିଶାର ଲୋକମାନେ ସହଜରେ ଅତୀତକୁ ଭୁଲିଯାଇପାରନ୍ତି। ଓଡ଼ିଆ ଖବରକାଗଜଗୁଡ଼ିକ ଅଫ୍‌ଲାଇନ୍‌ ପ୍ରକାଶନ ହେଉଥିବା ବେଳେ, ଯାହାକୁ ସେମାନେ କହୁଛନ୍ତି ଇ-ପେପର ବା ଇଣ୍ଟରନେଟ୍‌ ସଂସ୍କରଣ, ତାହା ସନ୍ଧାନଯୋଗ୍ୟ(Searchable) ନୁହେଁ। ତେଣୁ ଓଡ଼ିଶାର ଖବରକୁ ମନେପକାଇବାର କୌଣସି ବାଟ ନାହିଁ। ଯାହା କିଛି ଇଂଲିଶ୍‌ ଖବରକାଗଜରେ ପ୍ରକାଶ ପାଇ, ଇଣ୍ଟରନେଟ୍‌ରେ ସଂରକ୍ଷିତ ହୋଇଥିବ, କେବଳ ସେତିକି ହିଁ ଭରସା।

୨୦୧୮ ଫେବୃଆରି ୨୩ ତାରିଖରେ ଓଡ଼ିଶା ସରକାରଙ୍କ ବିତ୍ତ ମନ୍ତ୍ରୀ ଶଶିଭୂଷଣ ବେହେରା ଯେଉଁ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍‌ ଉପସ୍ଥାପନ କଲେ, ତହିଁରେ ‘‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ’’ ବାବଦରେ ରହିଛି ୬୦୦ କୋଟି ଟଙ୍କାର ଏକ ବିଶାଳ ଯୋଜନା। ମାତ୍ର ତାହାକୁ ଗୋଟିଏ ଦୁଇଟି ସଂସ୍ଥା ବା ଘରୋଇ ସଂସ୍ଥା ହାତରେ ଟେକି ଦିଆଯାଇଛି। ‘‘ଚୋର ପଳାଇଲା ପରେ ବୁଦ୍ଧି ଦିଶେ’’ ଭଳି, ହୁଏତ କିଛି ଗଣମାଧ୍ୟମ ସେତେବେଳେ କେବଳ ଘଟଣାର ବ୍ୟବଚ୍ଛେଦ କରିବେ। ମାତ୍ର ବେଳ ଥାଉଁ କିଛି ବି ରିପୋର୍ଟ ଛାପିବେନି। ଅନେକ ସମୟରେ ତାହା ଜିଲ୍ଲାସ୍ତରୀୟ ରିପୋର୍ଟ ଭାବରେ କୌଣସି ଜିଲ୍ଲା ସଂସ୍କରଣରେ ସୀମିତ ରହିଯିବ, ଆଉ ରାଜଧାନୀ ସ୍ତରକୁ ଆସିବ ନାହିଁ। ଓଡ଼ିଶାର ମୁଦ୍ରଣ ଗଣମାଧ୍ୟମଗୁଡ଼ିକରେ ରାଜ୍ୟ ସ୍ତରୀୟ ରିପୋର୍ଟ ସଂକଳିତ ହେବା ପରିଦୃଷ୍ଟ ହେଉ ନଥିବାରୁ ଏ ମୁଦ୍ଦା ବି ସେଇ ନହସରେ ମୁଦି ହୋଇଯିବା ଭଳି ଲାଗୁଛି। ହୁଏତ ଏହି ୬୦୦ କୋଟି ଟଙ୍କାର ଆଖି ସ୍ୱାସ୍ଥ୍ୟରକ୍ଷା ସଂକ୍ରାନ୍ତ ବ୍ୟୟବରାଦକୁ ଆଖିରେ ଆଙ୍ଗୁଠି ଗେଞ୍ଜି ମାରିନେବାର ହୀନପ୍ରୟାସକୁ କୌଣସି ସଚେତନ ବ୍ୟକ୍ତି ବା ସଚେତନ ସଂଗଠନ ଧରିପାରିବେ ନାହିଁ।

ନିକଟ ଅତୀତକୁ ଧ୍ୟାନ ଦେଲେ, ୧୨ ଅକ୍ଟୋବର ୨୦୧୭ ବିଶ୍ୱ ଦୃଷ୍ଟି ଦିବସ (World Sight Day) ଠାରୁ ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ (Universal Eye Care) ବିଷୟକୁ ଓଡ଼ିଶା ସରକାର ଲାଗୁ କଲେ। ଭାରତରେ ପ୍ରଥମ ରାଜ୍ୟ ରୂପେ ଏହି ପଦେକ୍ଷପ ନିଅାଗଲା ବୋଲି ସରକାର ଦାବି କଲେ। ଏଥିରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସଚିବଙ୍କ ସମେତ ଚିକିତ୍ସକ, ଚିକିତ୍ସାକର୍ମୀ ଓ ନାଗରିକ ସାମିଲ ହୋଇଥିଲେ। ସେଦିନ ଏକ ପଦଯାତ୍ରା ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ ଠାରୁ ଜୟଦେବଭବନ ପର୍ଯ୍ୟନ୍ତ ଯାଇଥିଲା। ତାହାର ରୂପରେଖ ଏବେ ୨୦୧୮-୧୯ ରାଜ୍ୟ ବଜେଟ୍‌ରେ ପ୍ରକଟିତ ହୋଇଛି। ତେବେ ଯେଉଁମାନେ ଆନୁଷ୍ଠାନିକ ଚକ୍ଷୁ ସ୍ୱାସ୍ଥ୍ୟ (Institutional Eye Health)ରେ ହିଁ ବିଶ୍ୱାସ କରନ୍ତି, ସେମାନେ କିଭଳି ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ(Universal Eye Health)ର ବଡ଼ପଣ୍ଡା ପାଲଟି ଯାଇଛନ୍ତି, ତାହା ପ୍ରଶ୍ନବାଚୀ ହୋଇଯାଇଛି। ଆନୁଷ୍ଠାନିକ ଚକ୍ଷୁ ସ୍ୱାସ୍ଥ୍ୟର ଅର୍ଥ ହେଲା, ଦୃଷ୍ଟିବାଧିତ ମଣିଷମାନେ ଡାକ୍ତରଖାନାକୁ ଆସିବେ ଏବଂ ସେଇଠି ଆଖି ସ୍ୱାସ୍ଥ୍ୟରକ୍ଷାର ସୁବିଧା ପାଇବେ। କିନ୍ତୁ ରାଜ୍ୟର ମଫସଲ ଓ ଅପହଞ୍ଚ ଇଲାକାରେ ହଜାରହଜାର ଆଖିରୋଗୀ ବା ଦୃଷ୍ଟିବାଧିତ ବ୍ୟକ୍ତି ଅଛନ୍ତି, ଯେଉଁମାନଙ୍କ ପକ୍ଷେ ସହରର କୌଣସି ଆଖି ଡାକ୍ତରଖାନାକୁ ଯିବା ଆଦୌ ସମ୍ଭବ ନୁହେଁ। ସେମାନଙ୍କ ମଧ୍ୟରୁ ଅନେକେ ଆଦୌ ଜାଣନ୍ତି ନାହିଁ ଯେ ସେମାନଙ୍କ ଆଖି ଭଲ ହୋଇଯିବ ଏବଂ ସେମାନେ ପୁଣି ସୁସ୍ଥ ମଣିଷଙ୍କ ଭଳି ଏ ଦୁନିଆକୁ ଜଳଜଳ ଦେଖି ପାରିବେ – ନିଜର ସ୍ୱାଭାବିକ ଜୀବନ ଜୀଇଁ ପାରିବେ! ତେବେ ଏହା ସମ୍ଭବ ହୋଇପାରିବ ଗୋଷ୍ଠୀ ଚକ୍ଷୁ ଯତ୍ନ (Community Eye Care) ବା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ (Universal Eye Health) କାର୍ଯ୍ୟକ୍ରମ ଜରିଆରେ। ଏଥିରେ ଡାକ୍ତରଖାନାକୁ ରୋଗୀମାନେ ଦୌଡ଼ିବେ ନାହିଁ। ବରଂ ଡାକ୍ତରଖାନାଟା ଯାଇ ପହଞ୍ଚୁଥିବ ଲୋକଙ୍କ ପାଖରେ, ଗାଆଁରେ, ପଡ଼ାରେ। ଶିବିର ଜରିଆରେ ହେଉ ଅବା ମେଡ଼ିକାଲ ଭ୍ୟାନ୍‌ ଜରିଆରେ ହେଉ, ସବୁ ଲୋକଙ୍କ ପାଖରେ ପହଞ୍ଚିବ ଚକ୍ଷୁସ୍ୱାସ୍ଥ୍ୟ ସେବା। ଅବଶ୍ୟ ଏମିତି ବି ଗାଆଁ ଅଛି, ଯେଉଁଠି ସାରା ବର୍ଷ ମେଡ଼ିକାଲ ଭ୍ୟାନ୍‌ ପହଞ୍ଚିବା ଭଳି ସୁବିଧା ନାହିଁ। ଦୃଷ୍ଟି ଶକ୍ତି ସମସ୍ୟା ପାଇଁ ନିଜର ଅଧା ବୟସ ନହେଉଣୁ ଭାଗ୍ୟକୁ ନିନ୍ଦୁଥିବା ଅବା ଭାଗ୍ୟକୁ ଆଦରି ପଡ଼ି ରହୁଥିବା ମଣିଷମାନଙ୍କ ପାଇଁ ତଥାପି ଯେ ଜୀବନ ବଞ୍ଚିବାର ସ୍ୱାଦ ବାକି ରହିଛି, ତାହା କେବଳ ସେଇ ଚିକିତ୍ସାକାରୀ ଦଳ ଦ୍ୱାରା ସମ୍ଭବ ହୋଇପାରିବ, ଯେଉଁମାନେ ବିଶ୍ୱାସ କରନ୍ତି ଏବଂ କାମ କରନ୍ତି ‘‘ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ’’ ଉପରେ। ଏମାନଙ୍କ ମଧ୍ୟରେ ଅଛନ୍ତି ବହୁ ସଂଖ୍ୟାରେ ସ୍ୱେଚ୍ଛାସେବୀ ସଂଗଠନ ବା ଏନ୍‌.ଜି.ଓ.। କିନ୍ତୁ ଏନ୍‌.ଜି.ଓ.ମାନଙ୍କୁ ପୂରାପୂରି ଅଣଦେଖା କରାଯାଇଛି ଏହି କାର୍ଯ୍ୟକ୍ରମ ପ୍ରଣୟନରେ ଓ ତହିଁର କାର୍ଯ୍ୟକାରିତାର ରୂପରେଖ ନିର୍ଧାରଣରେ।

ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମକୁ ଭିତ୍ତି କରି ରାଜ୍ୟ ସରକାର ଯେତେବେଳେ ସଭାସମିତି କରନ୍ତି, ସେତେବେଳେ ଓଡ଼ିଶାର ସେଇ କ୍ଷେତ୍ରର ବିଭିନ୍ନ ଏନ୍‌.ଜି.ଓ.କୁ ପାଣ୍ଠି ଯୋଗାଇ ଦେଉଥିବା ପାଣ୍ଠିଦାତା ସଂସ୍ଥାମାନଙ୍କର କଣ୍ଟ୍ରି ଡିରେକ୍ଟର ଅବା ପ୍ରତିନିଧିଙ୍କୁ ନିମନ୍ତ୍ରଣ କରିବାର ନଜିର ରହିଛି। ଅଥଚ ଏବେ ଏକ ବିଶାଳ କାର୍ଯ୍ୟକ୍ରମ ପ୍ରଚଳନ କଲା ବେଳେ ସେହି ଏନ୍‌.ଜି.ଓ.ମାନଙ୍କୁ ଗୋଟାପଣେ ଅଣଦେଖା କରିବା ଏକ ବିସ୍ମୟକର କଥା ନୁହେଁ କି? ରାଜନେତାମାନେ ଚାହାନ୍ତି କି, ସେମାନେ କେବଳ ଭାଷଣରେ ଉଦ୍‌ବୋଧନ ଦେବେ ସ୍ୱେଚ୍ଛାସେବୀ ସଂସ୍ଥା ତଥା ଏନ୍.ଜି.ଓ.ମାନଙ୍କୁ। ଆଉ, ସେହି ସଂସ୍ଥାମାନେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ ମାଗଣାରେ ଅବା ଅଳ୍ପ ଟଙ୍କାରେ କରିଦେଉଛନ୍ତି, ତାହାର ଶ୍ରେୟ ଯାଉଥାଉ, ସେଇ ରାଜନେତାମାନଙ୍କ ନାମରେ! ବଜେଟ୍‌ ପ୍ରସ୍ତୁତିରେ ନିର୍ବାଚିତ ନେତା/ ବିଧାୟକ/ ରାଜନେତାମାନଙ୍କର ଆଦୌ କୌଣସି ଭୂମିକା ରହି ନଥିବାରୁ ପ୍ରଶାସକମାନେ ଯାହା ଲେଖାଲେଖି କରିକି ଦେଇଥାଆନ୍ତି, ତାହା ହିଁ ଅନୁମୋଦିତ ହୁଏ ବିଧାନସଭାରେ।

ଯଦି ଚକ୍ଷୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଶାସକମାନଙ୍କ ସଂପୃକ୍ତି ଓ ଭୂମିକା ଉପରେ ନଜର ଦେବା, ତେବେ ଏଥିରେ ମଧ୍ୟ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଥିବା ଜଣାପଡ଼େ। ୨୦୦୫ ମସିହାରେ IAS ଅଧିକାରୀ ଗିରିଶ S.N., ଢେଙ୍କାନାଳର ଜିଲ୍ଲାପାଳ ଥିବା ବେଳେ ସ୍ଥାନୀୟ ଏନ୍‌.ଜି.ଓ. ସହାୟତାରେ ମିଶନ ନେତ୍ରୋତ୍ସବ ଆୟୋଜନ କରି ଅନେକ ଅପହଞ୍ଚ ଗାଆଁରେ, ବଣୁଆ ଗାଆଁରେ ଚକ୍ଷୁ ସ୍ୱାସ୍ଥ୍ୟସେବାକୁ ପହଞ୍ଚାଇଥିଲେ। ସେଥିରେ ତନ୍ତୁବାୟ ଶ୍ରମିକ, ବୁଣାକାର, ବିଡ଼ିଶ୍ରମିକ, ବନ୍ୟଜାତ ଦ୍ରବ୍ୟ ସଂଗ୍ରହକାରୀ, ବନବାସୀମାନଙ୍କ ଜୀବିକାକୁ ସୁରକ୍ଷା ଦେବା ପାଇଁ ସେହି ଶ୍ରେଣୀୟ ଜନତାଙ୍କ ଅନ୍ଧତ୍ୱ ଦୂରୀକରଣ ପାଇଁ ନେତୃତ୍ୱ ଦେଇଛନ୍ତି। ସେଥିପାଇଁ ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ମଧ୍ୟ ହୋଇଛନ୍ତି। ସେ ଏବେ ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପସମୂହର ନିର୍ଦେଶକ ଭାବରେ ଭୁବନେଶ୍ୱରରେ କାର୍ଯ୍ୟରତ। ସେହିଭଳି ଭାରତୀୟ ବନସେବା(IFS) ଅଧିକାରୀ ବିନୋଦ କୁମାର, ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକ ଥିବା ବେଳେ ରାଜ୍ୟର ବନ ଉପରେ ନିର୍ଭରଶୀଳ ତଥା ବନଜାତ ଦ୍ରଦ୍ୟକୁ ଜୀବିକା କରିଥିବା ଲୋକମାନଙ୍କ ମଧ୍ୟରୁ ଦୃଷ୍ଟିଦୋଷ ଦୂରୀକରଣ ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଯିଏ କି ପରବର୍ତୀ କାଳରେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ ଫରେଷ୍ଟ୍ରି ଏକାଡେମୀର ନିର୍ଦେଶକ ହୋଇଥିଲେ। ତାଙ୍କରି ନେତୃତ୍ୱରେ ୨୩୦୦ ତାଲିମପ୍ରାପ୍ତ କ୍ୟାଡ଼ର ସୃଷ୍ଟି ହୋଇଥିଲେ, ସବୁ ଜାଗାରେ ଚକ୍ଷୁ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ପାଇଁ। ଏ ସବୁ ସମ୍ଭବ ହୋଇଥିଲା, ସେଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଓ ବିପୁଳ ଅଭିଜ୍ଞତା ଅର୍ଜିଥିବା ଏନ୍‌.ଜି.ଓ.ମାନଙ୍କ ପ୍ରତ୍ୟକ୍ଷ ସହଯୋଗରେ। ସଂଯୋଗତଃ ସେ ଅବସର ଗ୍ରହଣ ପରେ ନିଜ ରାଜ୍ୟକୁ ବାହୁଡ଼ି ନଯାଇ ଓଡ଼ିଶାର ବାସିନ୍ଦା ହୋଇଛନ୍ତି ଏବଂ ରହୁଛନ୍ତି ଭୁବନେଶ୍ୱରରେ। ତୃତୀୟ ନମୁନାଟି ହେଉଛି - ଓଡ଼ିଶା ରାଜଧାନୀର ଜିଲ୍ଲା ଖୋର୍ଧାରେ IAS ଜିଲ୍ଲାପାଳ ନିରଂଜନ ସାହୁଙ୍କ ଶାସନକାଳରେ ଚକ୍ଷୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି, ଯାହାର ବ୍ୟାଖ୍ୟା ଅନାବଶ୍ୟକ। ମଜା କଥା ହେଲା ସ୍ୱୟଂ ନିରଂଜନ ସାହୁ ଏବେ ତୃତୀୟ ମହଲାରେ ଏକ ସଚିବ ପାହ୍ୟାରେ କାର୍ଯ୍ୟରତ। ମାତ୍ର ଏମାନଙ୍କୁ କାହାକୁ ବି ବିମର୍ଶ ନକରି ଓଡ଼ିଶାର ଯେଉଁ ଆଖି ସ୍ୱାସ୍ଥ୍ୟ ବଜେଟ୍ ହୋଇଛି, ତାହା ‘‘ଧର୍ମକୁ ଆଖି ଠାର’’ କି ‘‘ଆଖିରେ ଆଙ୍ଗୁଠି ଗେଞ୍ଜି’’ ତାହା ଆପଣ ବିଚାର କରିବେ।

ମଫସଲର ମାମୁଲି ମଣିଷମାନଙ୍କ ସହ ଦିନେ ବି ମିଶି ନଥିବା ବ୍ୟକ୍ତିଙ୍କୁ ଆଖି ସ୍ୱାସ୍ଥ୍ୟ କ୍ଷେତ୍ରର ନୀତି ପ୍ରଣୟନ ପାଇଁ ଜଣେ ସହରୀ ଡାକ୍ତର ବାବୁଙ୍କୁ ଅଧ୍ୟକ୍ଷ କରି ସରକାର ସମ୍ଭବତଃ ଏଇ ବଜେଟ୍‌ ଦ୍ୱାରା ଭୋଟରଙ୍କ ‘‘ଆଖିରେ ଧୂଳି ପକାଇ’’ ମୁନାଫା ଉଠାଇବାକୁ ଚାହୁଛନ୍ତି!

ଏମିତି ହୋଇପାରେ କିଛି ଗଣଦୌଡ଼, ମିନି ମାରାଥନ୍‌, ସାଇକେଲ ଶୋଭାଯାତ୍ରା, ଫେସ୍‌ବୁକ୍‌ ପ୍ରଚାର ଜରିଆରେ ଆଖି ସ୍ୱାସ୍ଥ୍ୟର ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟକ୍ରମ କରିପାରନ୍ତି। କେନ୍ଦ୍ରରେ ମୋଦୀ ସରକାର ମଧୁମେହ-ମୁକ୍ତ ଭାରତବର୍ଷର ପରିକଳ୍ପନା କରୁଥିବା ବେଳେ, ତାହାର ଏକ ନିଶ୍ଚିତ ପରିଣତି ଦୃଷ୍ଟିହୀନତାକୁ ମୁକାବିଲା ନାମରେ ରାଜ୍ୟ ସରକାର ଅପାତ୍ରରେ ଟେକି ଦେଉନାହାନ୍ତି ତ? ଇଣ୍ଟରନେଟ୍‌ରେ ଏହି ଲେଖା ସ୍ଥାୟୀ ଭାବରେ ରହିଲା। ନହେଲେ ତ ତା’ ରତ୍ନଭଣ୍ଡାର ରାଣ, ସେଇ ଚକା ଆଖି ସବୁ ଦେଖୁ ଥାଉ ମିଟିମିଟି କରି।


ଯୋଗାଯୋଗ: ୯୯୩୭୩୫୩୨୯୩, ବିମଳ ପ୍ରସାଦ, ୨୯ ମାର୍ଚ ୨୦୧୮

21 मार्च 2018

ରାଜ୍ୟସଭାରେ ଓଡ଼ିଶା - କିଛି ଅଙ୍କ କିଛି ଅନୁମାନ


ଲୋକସଭା ନିର୍ବାଚନମଣ୍ଡଳୀ ଭଳି ରାଜ୍ୟସଭା ଆସନଗୁଡ଼ିକର କୌଣସି ନିର୍ବାଚନମଣ୍ଡଳୀ ନାହିଁ। ରାଜ୍ୟସଭା ସଦସ୍ୟମାନେ ପୂରା ରାଜ୍ୟକୁ ପ୍ରତିନିଧିତ୍ୱ କରୁଥିବାରୁ, ଏକାଧିକ ପ୍ରାର୍ଥୀ ଗୋଟିଏ ଆସନ ପାଇଁ ରହିଥିଲେ, ରାଜ୍ୟର ବିଧାନସଭା ସଦସ୍ୟମାନେ ହିଁ ଜଣକୁ ନିର୍ବାଚିତ କରିଥାଆନ୍ତି। ଏକ ଜଟିଳ ଆନୁପାତିକ ଗଣିତ ଅନୁସାରେ ଭୋଟ୍‌ର ମୂଲ୍ୟ ନିର୍ଧାରଣ ହୋଇଥାଏ। ରାଜ୍ୟସଭା ନିର୍ବାଚନରେ ସାଧାରଣ ନାଗରିକଙ୍କର କୌଣସି ଭୂମିକା ନଥାଏ। ସମ୍ଭବତଃ ସେଇଥି ପାଇଁ ରାଜ୍ୟସଭା ସଦସ୍ୟମାନଙ୍କ ଉପରେ ଗଣମାଧ୍ୟମରେ କେବେ ଚର୍ଚା ହୁଏ ନାହିଁ କି ସଂଖ୍ୟାଗରିଷ୍ଠ ଜନତା ସେମାନଙ୍କୁ ଲୋଡ଼ି ନଥାଆନ୍ତିକିନ୍ତୁ ସମ୍ବିଧାନର ବ୍ୟବସ୍ଥା ଅନୁସାରେ ନିଜ ରାଜ୍ୟର ସମସ୍ୟା ଓ ସ୍ଥିତି ଉପରେ ସଂପୂର୍ଣ ଜ୍ଞାନ ଆହରଣ କରି ସେହି ଅନୁସାରେ ସମାଧାନ ଓ ଉନ୍ନୟନ ଉପରେ ସୁପାରିଶ କରିବା ଏବଂ ଅନୁଚାଳନା କରିବା ହେଉଛି, ଜଣେ ରାଜ୍ୟସଭା ସାଂସଦଙ୍କ ଅସଲ କାର୍ଯ୍ୟ। 

ରାଜ୍ୟସଭା ହେଉଛି ଉଚ୍ଚ ସଦନ ଏବଂ ଲୋକସଭା - ନିମ୍ନ ସଦନ। ଲୋକସଭାର ସଦସ୍ୟମାନେ ସର୍ବାଧିକ ୫ ବର୍ଷ ପାଇଁ ନିର୍ବାଚିତ ହେଉଥିବା ବେଳେ ଉଚ୍ଚସଦନ ତଥା ସମ୍ମାନାସ୍ପଦ ରାଜ୍ୟସଭାର ସଦସ୍ୟମାନେ ପୂରା ୬ ବର୍ଷ ପାଇଁ କ୍ଷମତା ଭୋଗର ଅଧିକାର ପାଇଥାଆନ୍ତି। ସରକାର ଭାଙ୍ଗିଗଲେ ବି ରାଜ୍ୟସଭାର ସଦସ୍ୟତାକୁ ତାହା ତତ୍‌କ୍ଷଣାତ୍‌ ପ୍ରଭାବିତ କରି ନଥାଏ। ବରିଷ୍ଠ ଓ ବୟୋଜ୍ୟେଷ୍ଠମାନଙ୍କର ସଦନ ହେଉଛି ରାଜ୍ୟସଭା। ଏହି ମୂଳତତ୍ତ୍ୱକୁ ଅଣଦେଖା କରି ଚଳଚ୍ଚିତ୍ର ତାରକା ଅନୁଭବ ମହାନ୍ତିଙ୍କୁ ରାଜ୍ୟସଭା ପଠାଇ ରାଜ୍ୟ ଶାସକ ଦଳ ବିପୁଳ ଭାବରେ ଭର୍ତ୍ସନାର ଶିକାର ହୋଇଥିଲା। ସେହିଭଳି ରାଜ୍ୟସଭାକୁ ରାଜନୀତିକ ନେତାମାନଙ୍କ ଥଇଥାନ ଗୃହ ଭାବେ ବ୍ୟବହାର କରି ମଧ୍ୟ ଓଡ଼ିଶାର ସଚେତନ ନାଗରିକମାନଙ୍କ ଦ୍ୱାରା ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ କ୍ରମାଗତ ନିନ୍ଦିତ ହେଉଥିଲା।

୨୦୧୮ ଏକ ଐତିହାସିକ ବର୍ଷ ହୋଇଯାଇଛି ଓଡ଼ିଶାର ରାଜ୍ୟସଭା ପ୍ରତିନିଧିତ୍ୱ ପାଇଁକାରଣ ତିନି ଜଣ ପରିପକ୍ୱ ବ୍ୟକ୍ତିଙ୍କୁ ରାଜ୍ୟସଭାକୁ ପଠାଯାଉଛି, ଯଥା:- ସୌମ୍ୟରଂଜନ ପଟ୍ଟନାୟକ, ଡ. ଅଚ୍ୟୁତ ସାମନ୍ତ ଓ ପ୍ରଖ୍ୟାତ ଚଳଚ୍ଚିତ୍ରକାର ପ୍ରଶାନ୍ତ ନନ୍ଦ। ଏଥିରୁ ପ୍ରଥମ ଦୁଇ ଜଣଙ୍କ ଚୟନକୁ ନେଇ ରାଜ୍ୟର ସଚେତନ ନାଗରିକ ବେଶି ମନ୍ତବ୍ୟ ଝାଡ଼ିଛନ୍ତି। ତେବେ ରାଜ୍ୟର ସ୍ୱାର୍ଥକୁ ନୂଆଦିଲ୍ଲୀରେ ଉପସ୍ଥାପନ କରିବା ପାଇଁ ଏ ତିନିଜଣଙ୍କର ସାମର୍ଥ୍ୟ ରହିଛି। ବିଶେଷତଃ ସୌମ୍ୟ ବାବୁଙ୍କର ଉଭୟ ଇଂଲିଶ୍‌ ଓ ହିନ୍ଦୀ ଭାଷାରେ ଭଲ ଦଖଲ ରହିଛି। ଡ. ଅଚ୍ୟୁତ ସାମନ୍ତ ଓ ପ୍ରଶାନ୍ତ ନନ୍ଦଙ୍କ ନାମରେ ଥିବା ଦୁର୍ନୀତି ମାମଲା ପାଇଁ ବହୁସଂଖ୍ୟାରେ ନାଗରିକମାନେ ନାରାଜ ଅଛନ୍ତି। ଓଡ଼ିଶାର ପ୍ରଥମ ଘରୋଇ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ଭାରତର ପ୍ରଥମ ଘରୋଇ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ହୋଇ ସୁଦ୍ଧା ଅଚ୍ୟୁତ ବାବୁ ଜମି ହଡ଼ପ ମାମଲାରେ ଛନ୍ଦି ହୋଇ ପଡ଼ିଥିବାରୁ ରାଜ୍ୟସଭା ସଦସ୍ୟତା ତାଙ୍କ ପାଇଁ ଘଣ୍ଟ ପାଲଟିବ କି ସେ ଅଧିକ ଘାଣ୍ଟି ହେବେ, ତାହା ସମୟ କହିବ। ସେହିଭଳି ପ୍ରଶାନ୍ତ ବାବୁ ମନ୍ତ୍ରୀ ଥିବା ବେଳେ ଦୁର୍ତୀତି ମାମଲାରେ ଛନ୍ଦି ହୋଇ ମନ୍ତ୍ରୀତ୍ୱ ହରାଇଥିଲେ। ତାହାର ଉତ୍ତର ପାଇବାକୁ ଏବେ ଓଡ଼ିଶାର ଜନତା ଅପେକ୍ଷା କରିଛନ୍ତି।

ଅତୀତରେ ରାଜ୍ୟସଭାକୁ କିଏ କେବେ ଯାଉଥିଲେ, ତାହା ଉପରେ ରାଜ୍ୟବାସୀ ପୂରାପୂରି ଅଜ୍ଞ ରହୁଥିଲେ। ଗଣମାଧ୍ୟମରେ କେବଳ ସଦସ୍ୟ ହେବା ବେଳେ ଏବଂ ସେହି ଆସନରୁ ଅବସର ନେବା ବେଳେ କୁନି କୁନି ଖବର ବାହାରୁଥିଲା। ଦିନକୁ ଦିନ ଟେଲିଭିଜନ. ଇଣ୍ଟରନେଟ୍‌ ଓ ସ୍ମାର୍ଟଫୋନ୍‌ର ବ୍ୟାପକ ବ୍ୟବହାର ଫଳରେ ରାଜ୍ୟସଭା ସଦସ୍ୟମାନେ ଟାଇମ୍‌ ପାସ୍‌ କରିବାର ସୁଖକୁ ପୂରାପୂରି ଭୋଗ କରି ପାରୁ ନାହାନ୍ତି। ଭାରତରେ ସଂସଦୀୟ ଶାସନ ବ୍ୟବସ୍ଥା ଲାଗୁ ହେବା ପରଠୁ ୧୧୫ ଜଣ ବ୍ୟକ୍ତି ରାଜ୍ୟସଭାକୁ ଓଡ଼ିଶାରୁ ପ୍ରତିନିଧିତ୍ୱ କରିସାରିଛନ୍ତି। ତହିଁରୁ ଏକାଧିକ ବ୍ୟକ୍ତି ଦୁଇଥର ବା ତିନିଥର ପ୍ରତିନିଧିତ୍ୱ କରିଛନ୍ତି। ରାଜ୍ୟସଭାକୁ ରାଜ୍ୟ ବାହାରର ପ୍ରାୟ ୬ଜଣ ବ୍ୟକ୍ତି ଓଡ଼ିଶାରୁ ପ୍ରତିନିଧିତ୍ୱ କରିଛନ୍ତି। ବିଂଶ ଶତାବ୍ଦୀରେ ବହୁ ଅନାମଧ୍ୟେୟ ବ୍ୟକ୍ତି ମଧ୍ୟ ରାଜ୍ୟସଭାକୁ ଯାଇ ତାହାକୁ ଚାକିରି ଭଳି ଭୋଗ କରିଛନ୍ତି। 

ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିବା ୩ ଜଣ ରାଜନେତା ମଧ୍ୟ ବିଭିନ୍ନ ସମୟରେ ରାଜ୍ୟସଭା ସଦସ୍ୟ ହୋଇଛନ୍ତି। ତନ୍ମଧ୍ୟରୁ ବିଜୁ ପଟ୍ଟନାୟକ (୧୩.୫.୧୯୭୧ରୁ ୬.୧୦.୧୯୭୧) ଅଳ୍ପଦିନ ପାଇଁ ଉଚ୍ଚସଦନରେ ବସିଥିବା ବେଳେ ବିଶ୍ୱନାଥ ଦାସ (୦୩.୦୪.୧୯୫୪ରୁ ୦୨.୦୪.୧୯୬୬) ଓ ନନ୍ଦିନୀ ଶତପଥୀ (୦୩.୦୪.୧୯୬୨ରୁ ୦୨.୦୪.୧୯୭୪) ପୂରାପୂରି ଦୁଇଟି କାର୍ଯ୍ୟକାଳ (୧୨ ବର୍ଷ) ରାଜ୍ୟସଭାରେ ବସିଛନ୍ତି। କେତେ ଜଣ ସ୍ୱାଧୀନତା ସଂଗ୍ରାମୀ ଓ ପ୍ରଖ୍ୟାତ ଜନନାୟକଙ୍କ ବ୍ୟତୀତ କାଳକାଳ ଧରି ଉଲ୍ଲେଖ-ଅଯୋଗ୍ୟ ବ୍ୟକ୍ତିମାନଙ୍କୁ ରାଜ୍ୟସଭାକୁ ପଠାଇବାର ପରମ୍ପରା ରହିଆସିଛି। ଯଦି ଗତ ୨୫ ବର୍ଷକୁ ସଚେତନତାର ସମୟରେଖା ରୂପେ ନିଆଯାଏ, ତେବେ ଏହା ମଧ୍ୟରେ ବି ଏକାଧିକ ସଦସ୍ୟ ଲଗାତାର କାର୍ଯ୍ୟକାଳ ଭୋଗ କରିଛନ୍ତି। ସେମାନେ ହେଲେ ଦିଲ୍ଲୀପ ରାୟ (୦୩.୦୪.୧୯୯୬ରୁ ୦୨.୦୪.୨୦୦୮), ବୈଜୟନ୍ତ ପଣ୍ଡା (୦୪.୦୪.୨୦୦୦ରୁ ୦୩.୦୪.୨୦୧୨), ରୁଦ୍ରନାରାୟଣ ପାଣି (୨୪.୦୬.୨୦୦୪ରୁ ୦୩.୦୪.୨୦୧୨), ରାମଚନ୍ଦ୍ର ଖୁଣ୍ଟିଆ (୨.୭.୧୯୯୮ରୁ ୨.୪.୨୦୧୪), ଓ ପ୍ୟାରୀମୋହନ ମହାପାତ୍ର (୦୨.୦୭.୨୦୦୪ରୁ ୦୧.୦୭.୨୦୧୬)ତେବେ ସେବାନିବୃତ୍ତ ଭାରତୀୟ ପ୍ରାଶାସନିକ ସେବା ଅଧିକାରୀ ପ୍ୟାରୀମୋହନ ମହାପାତ୍ରଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ଟିକଟ ଦେଇ ନୂଆଦିଲ୍ଲୀ ପଠାଇବା ପରେ ଏହି ଉଚ୍ଚସଦନ ଏକ ଆଂବୁଲ ପାଲଟିଗଲା। କାରଣ ଅନେକ ସେବାନିବୃତ୍ତ ଅଣରାଜନୀତିକ ବରିଷ୍ଠ ନାଗରିକ ଏଥିପ୍ରତି ଲାଳାୟିତ ହେଲେ। ଯଦିଓ ପ୍ୟାରୀମୋହନ ପୂର୍ବତନ IAS ଅଧିକାରୀ ରୂପେ ଟିକଟ ହାସଲ କରିବାରେ ପ୍ରଥମ ଓଡ଼ିଆ ନୁହନ୍ତି, ତେବେ ସେ ବି.ଜ.ଦ.ର ଉପଦେଷ୍ଟା ରୂପେ ବେଶ୍‌ ଚର୍ଚ୍ଚିତ ଥିଲେ। ଆଉ ରାଜ୍ୟସଭାକୁ ଯିବାରୁ ଜନମାନସରେ ବି.ଜ.ଦ.ର ଚାଣକ୍ୟ ରୂପେ ପରିଚିତ ହୋଇଗଲେ। କାରଣ ଓଡ଼ିଶା ଇତିହାସରେ ସର୍ବାଧିକ ସଫଳ ପ୍ରାଦେଶିକ ଦଳ ବି.ଜ.ଦ.ର ପ୍ରତିଟି ସଫଳତା ପଛରେ ପ୍ୟାରୀ ହିଁ ଥିଲେ ମାଷ୍ଟର ମାଇଣ୍ଡ୍‌। ତେବେ ୨୦୧୮ ମସିହାରେ ବି.ଜ.ଦ. ସୁପ୍ରିମୋ କୌଣସି ସେବାନିବୃତ୍ତ ପ୍ରାଶାସନିକ ଅଧିକାରୀ ଅବା ସେବାନିବୃତ୍ତ ସେନା ଅଧିକାରୀଙ୍କୁ ରାଜ୍ୟସଭା ଟିକଟ ନଦେଇ ଏକ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଏହା ପ୍ରତି ମଧ୍ୟ ସମୀକ୍ଷକେ/ ସାମ୍ବାଦିକେ ନଜର ଦେବା ଦରକାର।

ପ୍ରାଦେଶିକ ରାଜନୀତିକ ଦଳ (ବି.ଜ.ଦ.) ଜାଣତରେ ହେଉ ଅବା ଅଜାଣତରେ ହେଉ ରାଜ୍ୟସଭା ପ୍ରାର୍ଥୀ ଚୟନରେ ଆଉ ଏକ ଧ୍ୟାନ ଆକର୍ଷକ କାର୍ଯ୍ୟ କରିଛି, ତାହା ହେଉଛି – ପଶ୍ଚିମ ଓଡ଼ିଶାର ତିନି ଜଣ ବିଦାୟୀ ସଦସ୍ୟ(ଆଚାରୀ ବୀରଭଦ୍ର ସ୍ୱାମୀ, ଦିଲ୍ଲୀପ ତିର୍କୀ, ଓ ଅନଙ୍ଗ ଉଦୟ ସିଂହଦେଓ)ଙ୍କ ସ୍ଥାନରେ ପୂର୍ବ ଓଡ଼ିଶାର ତିନି ଜଣ ଶପଥ ନେବେ। ଫଳରେ ପଶ୍ଚିମ ଓଡ଼ିଶାର କେବଳ ଜଣେ ରାଜ୍ୟସଭା ସାଂସଦ ରହିବେ – ପ୍ରସନ୍ନ ଆଚାର୍ଯ୍ୟ। ସେହିଭଳି ଦକ୍ଷିଣ ଓଡ଼ିଶାର ମଧ୍ୟ ଜଣେ ରାଜ୍ୟସଭା ସାଂସଦ – ଏନ୍‌. ଭାସ୍କର ରାଓ। ଆଉ ୮ ଜଣ ଯାକ ପୂର୍ବ ଓଡ଼ିଶାର। ଅବଶ୍ୟ ଏହାକୁ ଭାରସାମ୍ୟହୀନ କହିବାକୁ କୌଣସି ଗଣମାଧ୍ୟମର ମଗଜରେ ଢୁକି ନାହିଁ। ହୁଏତ ରଣନୀତି ଏମିତି ହୋଇପାରେ – ୨୦୧୯ ନିର୍ବାଚନରେ ତିନି ପ୍ରମୁଖ ଦଳ ମଧ୍ୟରେ ବାଜି ଲାଗିବ, ଯେଉଁଥିରେ ବି.ଜ.ଦ. ଓ ଭା.ଜ.ପା.ର ହାସଲ ହାର ୧୪୭ରୁ ୭୦:୫୦ ଅବା ୬୦:୪୦ ଅଥବା ଏହାର ବିପରୀତ ଅଙ୍କ ହୋଇପାରେ। ସେତେବେଳେ ବି.ଜ.ଦ. ନିଜର ୨୦୩୬ ସ୍ୱପ୍ନକୁ ଚରିତାର୍ଥ କରିବାକୁ ଏବଂ ଝୁଲା ବିଧାନସଭା ଏଡ଼ାଇବାକୁ ନିର୍ବାଚନ-ପରବର୍ତୀ ମେଣ୍ଟ କରିପାରେ, ଯେଉଁଠି ନବୀନ ମୁଖ୍ୟମନ୍ତ୍ରୀ ନହୋଇ କିଙ୍ଗମେକର ପାଲଟି ଯାଇ ରାଜ୍ୟସଭାକୁ ଆଶ୍ରା ରୂପେ ବାଛିପାରନ୍ତି। ଭା.ଜ.ପା. ସେଇ ନିର୍ବାଚନରେ ପଶ୍ଚିମ ଓଡ଼ିଶାକୁ ଆଖେଇ ଥିବାରୁ, ବି.ଜ.ଦ.-ଭା.ଜ.ପା. ମେଣ୍ଟ ସରକାର ହେବାର ଅନୁମାନ ଅଧିକ ପ୍ରାସଙ୍ଗିକ ଲାଗୁଛି।

ଏଥର ପ୍ରାର୍ଥୀ ଚୟନରେ ସବୁଠୁ ବେଶି ସମାଲୋଚନାର ଶରବ୍ୟ ହୋଇଛନ୍ତି ସୌମ୍ୟ ବାବୁ। କାରଣ ‘ସମାଜ’ ସମ୍ପାଦକ ରାଧାନାଥ ରଥଙ୍କ ଅନ୍ତେ କୌଣସି ଗଣମାଧ୍ୟମର ମୁଖିଆ ଭାବେ ଓଡ଼ିଶାରେ ସର୍ବାଧିକ ଗୃହିତ ଓ ଆଦୃତ ବ୍ୟକ୍ତିତ୍ୱ ହୋଇଯାଇଥିଲେ ସୌମ୍ୟ ରଂଜନ। ୧୯୯୦ ମସିହା ପରଠୁ ନିରବଚ୍ଛିନ୍ନ ଭାବେ ସରକାରଙ୍କୁ ‘ସମ୍ବାଦ’ ଜରିଆରେ ରଚନାତ୍ମକ ସମାଲୋଚନା କରି ଗଣତନ୍ତ୍ରର ମୂଲ୍ୟବୋଧକୁ ବଜାୟ ରଖିଥିଲେ। ବିଭିନ୍ନ ସଂଗଠନ ଗଢ଼ି ରକ୍ତଦାନ, ଓଡ଼ିଆ ଭାଷା, ଚାଷୀ, ଶିକ୍ଷକ, ପଞ୍ଚାୟତ ପ୍ରତିନିଧି, ଯାତ୍ରାପାର୍ଟି ଇତ୍ୟାଦିର ସ୍ୱାର୍ଥ ଉପରେ ଅନେକ କାର୍ଯ୍ୟ କରିବା ସହ ‘ଆମ ଓଡ଼ିଶା ପାର୍ଟି’ ମଧ୍ୟ ଗଢ଼ିଛନ୍ତି। ଏବେ ବି.ଜ.ଦ.ରେ ଯୋଗ ଦେଇ ରାଜ୍ୟସଭାକୁ ଯାଉଥିବାରୁ ନିଜର ମୌଳିକ ସ୍ୱର ହଜାଇଦେବେ ବୋଲି ଆଶଙ୍କା କରି ତାଙ୍କର ହଜାର ହଜାର ପ୍ରଶଂସକ ବିଚଳିତ ହୋଇ ପଡ଼ିଛନ୍ତି। ତେଣୁ ରାଜ୍ୟସଭା ସଦସ୍ୟତାକୁ ସୌମ୍ୟ ବାବୁ ଏକ ବିଶ୍ରାମ ଯୋଗ ରୂପେ ଗ୍ରହଣ କରି ଚୁପ୍‌ ରହିପାରିବେ ନାହିଁ।

ନବାଗତ ତିନିଜଣ ସଦସ୍ୟ ‘‘ସାଂସଦଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି’’ (MPLADF)ର ବାର୍ଷିକ ୫ କୋଟି ଟଙ୍କାର ବିନିଯୋଗ ପାଇଁ କେଉଁ ଜିଲ୍ଲାକୁ ପୋଷ୍ୟଜିଲ୍ଲା ରୂପେ ଗ୍ରହଣ କରିବେ, ତାହା ହୁଏତ କେତେକ ସଚେତନ ନାଗରିକଙ୍କ ମନରେ ପ୍ରଶ୍ନ ଉଠିପାରେ। ତେବେ ଏଥିରେ ଦ୍ୱିମତ ନାହିଁ ଯେ ନୟାଗଡ଼ ଜିଲ୍ଲାକୁ ସୌମ୍ୟରଂଜନ ପଟ୍ଟନାୟକ, ଜଗତସିଂହପୁର ଜିଲ୍ଲାକୁ ଅଚ୍ୟୁତ ସାମନ୍ତ ଏବଂ ଖୋର୍ଧା ଜିଲ୍ଲାକୁ ପ୍ରଶାନ୍ତ ନନ୍ଦ ହିଁ ନିଜନିଜର ପୋଷ୍ୟ ଜିଲ୍ଲା ରୂପେ ଘୋଷଣା କରିବେ। ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରୁ ବିଧାୟକ ହେବା ପାଇଁ ଦେଢ଼ ଦଶନ୍ଧି ଧରି ଉଦ୍ୟମ କରି ବିଫଳ ହେବା ପରେ ସୌମ୍ୟରଂଜନ ନିଜର ଆବେଗକୁ ରୂପରେଖ ଦେବାକୁ ନୟାଗଡ଼କୁ ହିଁ ପୋଷ୍ୟ କରିବେ। ତେବେ ନୟାଗଡ଼ ଓ ନୟାଗଡ଼(କେନ୍ଦୁଝର ଜିଲ୍ଲା) ମଧ୍ୟରେ ରେଳଗାଡ଼ି ଚଳାଚଳ ସମ୍ଭବ କରାଇପାରିଲେ, ତାହା ସୌମ୍ୟରଂଜନଙ୍କ ସବୁଠୁ ସ୍ମରଣୀୟ ଅବଦାନ ହେବ।

୪ ଏପ୍ରିଲ୍‌ ୨୦୧୮, ବୁଧବାର ଠାରୁ ଯେଉଁ ୧୦ ଜଣ ଓଡ଼ିଶାର ରାଜ୍ୟସଭା ସଦସ୍ୟ ରହିବେ। ସେମାନଙ୍କ ସୂଚୀ ହେଲା:-
୧.ପ୍ରସନ୍ନ ଆଚାର୍ଯ୍ୟ, ୨.ଅନୁଭବ ମହାନ୍ତି, ୩.ସରୋଜିନୀ ହେଂବ୍ରମ୍‌, ୪.ପ୍ରତାପ କେଶରୀ ଦେବ, ୫.ରଂଜୀବ ବିଶ୍ୱାଳ, ୬.ନରେନ୍ଦ୍ର କୁମାର ସ୍ୱାଇଁ, ୭.ନେକାନ୍ତି ଭାସ୍କର ରାଓ, ୮.ସୌମ୍ୟରଂଜନ ପଟ୍ଟନାୟକ, ୯.ପ୍ରଶାନ୍ତ ନନ୍ଦ, ୧୦.ଅଚ୍ୟୁତ ସାମନ୍ତ।

ଏହାପରେ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରିଥିବା ମୁଣ୍ଡଗଣତି ସଂଖ୍ୟା ହେବ ୧୧୮। ତେଣୁ ଶପଥ ଗ୍ରହଣ କ୍ରମରେ ୧୧୬,୧୧୭ ଓ ୧୧୮ତମ ବ୍ୟକ୍ତି ରୂପେ ରାଜ୍ୟସଭା ସାଂସଦ ପାଲଟିବେ, ଏହି ତିନି ରଥୀ।


(ଜନସ୍ୱାର୍ଥ ପାଇଁ ଏହି ପ୍ରବନ୍ଧକୁ କୌଣସି ଗଣମାଧ୍ୟମ ବିନା ଅନୁମତିରେ ପୁନଃପ୍ରକାଶ ଓ ପ୍ରୟୋଗ କରିପାରିବେ)

ବିମଳ ପ୍ରସାଦ, କଥା ହୁଅନ୍ତୁ: ୯୯୩୭୩୫୩୨୯୩

26 दिसंबर 2017

ଓଡ଼ିଆରେ ଓଡ଼ିଶା ଶାସନ – ରାଜ୍ୟ କ୍ୟାବିନେଟ୍ ମଙ୍ଗିଲା

ରାଜ୍ୟ କ୍ୟାବିନେଟ୍‌ ବୈଠକ ପ୍ରେସ୍‌ ଇସ୍ତାହାର

ଆଜି ୨୭ ଡିସେମ୍ବର ୨୦୧୭, ମଙ୍ଗଳବାର ପୂର୍ବାହ୍ନ ୧୧ଟା ୧୫ରେ ପ୍ରଥମ ଥର ପାଇଁ ରାଜ୍ୟ କ୍ୟାବିନେଟ୍‌ର ବୈଠକ ରାଜଧାନୀ ବାହାରେ ଶ୍ରୀକ୍ଷେତ୍ର ପୁରୀ ଠାରେ ଅନୁଷ୍ଠିତ ହୋଇଥିଲା। ଆମ ମାତୃଭାଷା ଓଡ଼ିଆ ଭାଷାକୁ ସମୃଦ୍ଧ କରିବା, ସରକାରୀ କାର୍ଯ୍ୟ ଓ ପ୍ରଶାସନରେ ଭାଷାର ପ୍ରସାରଣ ବୃଦ୍ଧି କରିବା, ଏହାର ସମୃଦ୍ଧି ଓ ସଂରକ୍ଷଣ ସହିତ ବୃତ୍ତି ଓ ପ୍ରବୃତ୍ତିର ଭାଷା ଭାବରେ ଏହାକୁ ଅଧିକରୁ ଅଧିକ ଉପଯୋଗୀ କରାଇବା ତଥା ଭାଷା ଓ ସାହିତ୍ୟର ବିକାଶକୁ ଏକ ବୌଦ୍ଧିକ ସ୍ତରରେ ପହଞ୍ଚାଇବା ପାଇଁ କ୍ୟାବିନେଟ୍‌ ଆଜି ନିମ୍ନୋକ୍ତ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଗ୍ରହଣ କରିଅଛନ୍ତି:-

୧. ‘‘ପର୍ଯ୍ୟଟନ ଓ ସଂସ୍କୃତି’’ ବିଭାଗରୁ ସଂସ୍କୃତି ବିଷୟକୁ ପୃଥକ୍‌ କରାଯାଇ ‘‘ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି’’ ନାମରେ ସ୍ୱତନ୍ତ୍ର ବିଭାଗ ଗଢ଼ାଯିବ।

୨. ବିବିଧତାରେ ପରିପୂର୍ଣ ଓଡ଼ିଶାର ସଂସ୍କୃତି, ଐତିହ୍ୟ, ଭାଷା ଓ ସାହିତ୍ୟର ସଂରକ୍ଷଣ ତଥା ପରିବର୍ତ୍ତନ ନିଶ୍ଚିତ କରିବା ପାଇଁ ଐତିହ୍ୟ କ୍ୟାବିନେଟ୍‌ ଗଠନ କରାଯିବ।

୩. ସରକାରୀ ଭାଷା ଆଇନ ୧୯୫୪ରେ ସଂଶୋଧନ ଅଣାଯାଇ ବିହିତ ଦଣ୍ଡବିଧାନ ବ୍ୟବସ୍ଥା ସହିତ ଓଡ଼ିଆ ଭାଷାର ବହୁଳ ବ୍ୟବହାର କରୁଥିବା ବିଭାଗ ତଥା କର୍ମଚାରୀଙ୍କୁ ପ୍ରୋତ୍ସାହିତ କରାଯିବ। ଏଥିପାଇଁ ବିଭାଗଗୁଡ଼ିକ ନିର୍ଦିଷ୍ଟ ମାନଦଣ୍ଡ ଓ କ୍ଷେତ୍ର ନିର୍ଧାରଣ କରିବେ। ଜିଲ୍ଲା, ରାଜସ୍ୱ ଡିଭିଜନ ଓ ରାଜ୍ୟ ସ୍ତରରେ ଏଥି ନିମନ୍ତେ ପ୍ରାଶାସନିକ ବ୍ୟବସ୍ଥା ୧ ଏପ୍ରିଲ୍‌ ୨୦୧୮ ଓଡ଼ିଶା ଦିବସ ଠାରୁ କାର୍ଯ୍ୟକାରୀ କରାଯିବ।

୪. ସମସ୍ତ ଦୋକାନ ଓ ବ୍ୟାବସାୟିକ ପ୍ରତିଷ୍ଠାନରେ ଓଡ଼ିଆ ଭାଷାର ନାମ ଫଳକ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ଲଗାଯିବା ବାଧ୍ୟତାମୂଳକ କରିବା ପାଇଁ ‘‘ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଅଧିନିୟମ, ୧୯୫୬’’ରେ ଆବଶ୍ୟକୀୟ ସଂଶୋଧନ ଅଣାଯିବ। ଏଥିରେ ଖିଲାପକାରୀଙ୍କୁ ଦଣ୍ଡର ବ୍ୟବସ୍ଥା ରହିବ। ଖିଲାପକାରୀଙ୍କ ବିରୋଧରେ ତଥ୍ୟ ଦାଖଲ କରିବା ପାଇଁ ଏକ ସ୍ୱତନ୍ତ୍ର ପୋର୍ଟାଲ ପ୍ରଚଳନ କରାଯିବ, ଯାହା ଫଳରେ ଏହାର ଅନୁପାଳନ ନିଶ୍ଚିତ କରାଯାଇପାରିବ।
 

୫. ପ୍ରତି ୫ ବର୍ଷରେ ଥରେ ‘‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’’ ଆୟୋଜନ କରାଯିବ।

୬. ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ନାତକ ଓ ସ୍ନାତକୋତ୍ତର ଓଡ଼ିଆ ପାଠ୍ୟକ୍ରମରେ ଅଧ୍ୟୟନ ପାଇଁ କୌଣସି ପାଉଣା ଦେବାକୁ ପଡ଼ିବ ନାହିଁ।

୭. ‘‘ବ୍ୟାସକବି ଫକୀରମୋହନ’’ ଛାତ୍ରବୃତ୍ତି ପ୍ରଦାନର ସର୍ତ୍ତ କୋହଳ କରାଯାଇ +୨ (ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ) ସ୍ତରରେ ଏବଂ +୩ (ବିଶ୍ୱବିଦ୍ୟାଳୟ/ ସ୍ୱୟଂଶାସିତ ମହାବିଦ୍ୟାଳୟ) ସ୍ତରରେ ଓଡ଼ିଆ ବିଷୟରେ ଅଧିକ ମାର୍କ ରଖି ଉତ୍ତୀର୍ଣ ହେଉଥିବା ବିଦ୍ୟାର୍ଥୀମାନଙ୍କୁ ବୃତ୍ତି ପ୍ରଦାନ କରାଯିବ।

୮. ବିଶ୍ୱବିଦ୍ୟାଳୟ ମଂଜୁରୀ କମିଶନ ଢାଞ୍ଚାରେ ଓଡ଼ିଆ ଭାଷା ସାହିତ୍ୟରେ ଗବେଷଣା ପାଇଁ ଅଧିକ ପ୍ରୋତ୍ସାହନ ଦିଆଯିବ।
 

୯. ଓଡ଼ିଆ ଭାଷା ସାହିତ୍ୟରେ ଉପାଧ୍ୟୁତ୍ତର (ପିଏଚ୍.ଡି.) ସଂଖ୍ୟା ବୃଦ୍ଧି କରାଯିବ ଏବଂ ଏହି ବୃଦ୍ଧି ଯୋଗୁ ଆବଶ୍ୟକ ପଡ଼ିଲେ ଓଡ଼ିଆ ଭାଷାରେ ପ୍ରାଧ୍ୟାପକ ସଂଖ୍ୟା ମଧ୍ୟ ବୃଦ୍ଧି ହେବ।

୧୦. ସମସ୍ତ ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ସ୍ତରରେ
ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଓଡ଼ିଆ ଭାଷା ଓ ସାହିତ୍ୟ ସଂପର୍କିତ କର୍ମଶାଳା ଆୟୋଜନ  କରାଯାଇ ସେଥିରେ ଉପସ୍ଥାପିତ ହୋଇଥିବା ପ୍ରବନ୍ଧଗୁଡ଼ିକୁ ପ୍ରକାଶିତ କରାଯିବ।
 

୧୧. ଓଡ଼ିଆ ଭାଷାର ସାହିତ୍ୟକୃତିଗୁଡ଼ିକୁ ଅନ୍ୟ ଭାରତୀୟ ଭାଷାରେ ଅନୁବାଦ ତଥା ଅନ୍ୟ ଭାଷାର ସାହିତ୍ୟକୃତିଗୁଡ଼ିକୁ ଓଡ଼ିଆ ଭାଷାରେ ଅନୁବାଦ, ସହଭାଗିତା ଭିତ୍ତିରେ ବ୍ୟାପକ ଭାବରେ କରାଯିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ।

୧୨. ଓଡ଼ିଆ ଭାଷା ସାହିତ୍ୟକୁ ଅବିସ୍ମରଣୀୟ ଅବଦାନ ନିମନ୍ତେ ପୁରସ୍କାର ପ୍ରଦାନ ବ୍ୟବସ୍ଥାର ଏକତ୍ରୀକରଣ କରାଯାଇ ଐତିହାସିକ ଗବେଷଣା, ଶିଶୁସାହିତ୍ୟ, ବିଜ୍ଞାନ ପୁସ୍ତକ, ଓଡ଼ିଆ ୱେବ୍‌ସାଇଟ୍‌, ଓଡ଼ିଆ ବ୍ଲଗ୍‌ ଲିଖନ ଇତ୍ୟାଦିକୁ ପ୍ରୋତ୍ସାହନ ଦେବା ପାଇଁ ନୂତନ ପୁରସ୍କାର ପ୍ରତିଷ୍ଠା କରାଯିବ। ଓଡ଼ିଆ ସଫ୍ଟୱେର ପ୍ରସ୍ତୁତିରେ ଉତ୍କର୍ଷ ହାସଲ କରିଥିବା ବ୍ୟକ୍ତି ତଥା ଅନୁଷ୍ଠାନ ମାନଙ୍କର ଭୂମିକା ଚିହ୍ନଟ କରାଯାଇ ପ୍ରତିବର୍ଷ ପୁରସ୍କାର ପ୍ରଦାନ କରାଯିବ।
 

୧୩. ପ୍ରତି ବର୍ଷ ବିଭାଗ ଦ୍ୱାରା ଜିଲ୍ଲା ସ୍ତରୀୟ / ବୃହତ୍‌ ରାଜ୍ୟସ୍ତରୀୟ ପୁସ୍ତକ ମେଳା ଆୟୋଜନ କରାଯିବ।

୧୪. ପ୍ରତି ଜିଲ୍ଲାରେ ଏକ ସର୍ବସାଧାରଣ ପାଠାଗାର ପ୍ରତିଷ୍ଠା କରାଯାଇ ତହିଁରେ ଓଡ଼ିଆ ସାହିତ୍ୟ ପୁସ୍ତକ, କାଳଜୟୀ ଓଡ଼ିଆ ପୁସ୍ତକ ଏବଂ ଓଡ଼ିଆରେ ଭାଷାନ୍ତରିତ ହୋଇଥିବା ଅନ୍ୟ ଭାଷାରେ ପୁରସ୍କୃତ ସାହିତ୍ୟ କୃତିଗୁଡ଼ିକୁ ପାଠକମାନଙ୍କ ପାଇଁ ଉପଲବ୍ଧ କରାଯିବ। ଏହି ପାଠାଗାରଗୁଡ଼ିକୁ ପର୍ଯ୍ୟାୟକ୍ରମେ ‘‘ସ୍ମାର୍ଟ ପାଠାଗାର’’ରେ ପରିବର୍ତନ କରାଯିବ।

୧୫. ସମସ୍ତ ଉଚ୍ଚବିଦ୍ୟାଳୟରେ ପାଠାଗାର ସ୍ଥାପନ କରାଯାଇ ଏଥିରେ ଓଡ଼ିଆ ଏବଂ ଓଡ଼ିଆରେ ଅନ୍ୟ ଭାଷାରୁ ଅନୁବାଦିତ ପୁରସ୍କାରପ୍ରାପ୍ତ ପୁସ୍ତକ ଯୋଗାଇ ଦିଆଯିବ।

୧୬. ପ୍ରବାସୀ ଓଡ଼ିଆଙ୍କ ପାଇଁ ଓଡ଼ିଆ ଭର୍ଚ୍ୟୁଆଲ ଏକାଡେମୀ ମାଧ୍ୟମରେ ଇଂରାଜୀ, ପରାସୀ, ଜର୍ମାନୀ, ଜାପାନୀ ଓ ସ୍ପେନୀୟ ଭାଷାରେ ସହଜ ଶିକ୍ଷା ପ୍ରଣାଳୀ ସହିତ ଓଡ଼ିଆ ପ୍ରାରମ୍ଭିକା ପ୍ରସ୍ତୁତ କରାଯିବ।

୧୭. ଓଡ଼ିଆ ଭାଷାର ପ୍ରସାର ଓ ସଂରକ୍ଷଣ ପାଇଁ ‘‘ଓଡ଼ିଆ ଭାଷା କମିଶନ’’ ଗଠନ କରାଯିବ।

୧୮. ସର୍ବସାଧାରଣଙ୍କ ଠାରୁ ପ୍ରାପ୍ତ ଓଡ଼ିଆ ଚିଠି, ଅଭିଯୋଗ ପତ୍ର ଏବଂ ପତ୍ରାଳାପର ଉତ୍ତର ଓଡ଼ିଆ ଭାଷାରେ ଦିଆଯିବ। ରାଜ୍ୟ ଭିତରେ ସମସ୍ତ ସରକାରୀ ଉତ୍ସବ ଓଡ଼ିଆ ଭାଷାରେ ପରିଚାଳନା କରାଯିବ।

୧୯. ଅତିବଡ଼ୀ ଜଗନ୍ନାଥ ଦାସଙ୍କର ଜନ୍ମତିଥିରେ ରାଜ୍ୟ ସ୍ତରରେ, ତାଙ୍କ ଜନ୍ମସ୍ଥାନ କପିଳେଶ୍ୱରପୁର ଏବଂ ସାତଲହଡ଼ି ମଠ, ପୁରୀଠାରେ ପ୍ରତିବର୍ଷ ବିଭାଗ ଦ୍ୱାରା ... ମହାସମାରୋହରେ ପାଳିତ ହେବ। ଉଭୟ ପୀଠର ପୁନରୁଦ୍ଧାର କରାଯିବ।

୨୦. ଭାଗବତର ପ୍ରଚାର ଓ ପ୍ରସାର ପାଇଁ ଭାଗବତ ଟୁଙ୍ଗିଗୁଡ଼ିକର ପୁନରୁଦ୍ଧାର ସଂଖ୍ୟା ଏବଂ ଦିଆଯାଉଥିବା ଅନୁଦାନ ପରିମାଣ ଦୁଇଗୁଣ ବୃଦ୍ଧି କରାଯିବ।

 (ପ୍ରେସ୍‌ ଇସ୍ତାହାରର ଅବିକଳ ସଂପାଦିତ ରୂପ।)

ବିମଳ ପ୍ରସାଦ, ୨୬ ଡିସେମ୍ବର ୨୦୧୭ (ମଙ୍ଗଳବାର); କଥା ହୁଅନ୍ତୁ: ୯୯୩୭୩୫୩୨୯୩

22 दिसंबर 2017

ଭୁବନେଶ୍ୱରରେ ମିଛ ଏଫ୍‌.ଏମ୍‌.ର କାୟା

ଆପଣ ଜାଣନ୍ତି କି - ଭାରତରେ ଭୁବନେଶ୍ୱର ଏକମାତ୍ର ରାଜ୍ୟ-ରାଜଧାନୀ ସହର, ଯେଉଁଠି ମୁଖ୍ୟ ରେଳଷ୍ଟେସନରେ ମାତ୍ର ୪ଟି ପ୍ଲାର୍ଟଫର୍ମ ଥିଲା। ଏଇ ମାତ୍ର ଦେଢ ବର୍ଷ ହେଲା ପ୍ଲାଟଫର୍ମ ସଂଖ୍ୟା ୬ରେ ପହଞ୍ଚିଛି ଏବଂ ୨୦୧୯ ଶେଷ ସୁଦ୍ଧା ପ୍ଲାର୍ଟଫର୍ମ ସଂଖ୍ୟା ୮ରେ ପହଞ୍ଚିବାର ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି। ସେହିଭଳି ଭୁବନେଶ୍ୱର ପାଇଁ ତଥା ଭୁବନେଶ୍ୱରବାସୀଙ୍କ ପାଇଁ ସବୁଠୁ ଲଜ୍ଜାଜନକ କଥାଟି ହେଲା, ଏଠାରେ ଆକାଶବାଣୀର କୌଣସି କେନ୍ଦ୍ର ବା ଅନୁପ୍ରସାରଣ (ରିଲେ) କେନ୍ଦ୍ର ନାହିଁ। ଅନ୍ୟ କଥାଟି ଶୁଣି ଆପଣ ନିଶ୍ଚିତ ଚମକି ପଡ଼ିବେ, ତାହା ହେଲା - ଘରୋଇ FM ରେଡ଼ିଓ କେନ୍ଦ୍ରର ସଙ୍କେତ ପ୍ରସାରଣ କେବଳ ନିକଟତମ ଆକାଶବାଣୀ କେନ୍ଦ୍ରର ଟ୍ରାନସମିଶନ ଟାୱାରରୁ ହୋଇପାରିବ। ଅର୍ଥାତ୍ ସରକାରୀ ମିଡ଼ିୟମ ୱେଭ୍‌ ରେଡ଼ିଓ ଷ୍ଟେସନର ଟ୍ରାନସମିଶନ ଟାୱାରରେ ହିଁ ଘରୋଇ FM ଚ୍ୟାନେଲଗୁଡ଼ିକର ଟ୍ରାନପଣ୍ଡର ଝୁଲାଯାଇପାରିବ। ଆକାଶବାଣୀ କେନ୍ଦ୍ର ତଥା ତହିଁର ଟ୍ରାନସମିଶନ ଟାୱାର କେବଳ କଟକରେ ଥିବାରୁ ବିଭିନ୍ନ କାରଣରୁ ଏଫ୍.ଏମ୍‌. ରେଡ଼ିଓର ସିଗ୍‌ନାଲ ଭୁବନେଶ୍ୱର ସହରରେ ମଧ୍ୟ ପଶି ପାରୁ ନାହିଁ। କାରଣଗୁଡ଼ିକ ହେଲା- 
() ଏଫ୍‌.ଏମ୍‌. ଟ୍ରାନ୍‌ସପଣ୍ଡରଗୁଡ଼ିକ କଟକ ଟାୱାରରେ ଭୁଲ୍‌ ଉଚ୍ଚତାରେ ବସାଯାଇଥିବାରୁ ତାହାର ସଂକେତ ଯାଇ ଜଗତସିଂହପୁରର ବୋରିକିନା, କେନ୍ଦୁଝରର ସାହାରପଡ଼ା, ଢେଙ୍କାନାଳ ଜିଲ୍ଲାର ଭୁବନ ଆଦି ଦୂରବର୍ତୀ ଅଞ୍ଚଳରେ ପହଞ୍ଚୁଥିବା ବେଳେ ଭୁବନେଶ୍ୱରର ୧୫ ଲକ୍ଷ ଶ୍ରୋତାଙ୍କ ପାଖରେ ଅପହଞ୍ଚ; 
() ଓଡ଼ିଶାର ଏଫ୍.ଏମ୍‌. ଚ୍ୟାନେଲଗୁଡ଼ିକ ମାତ୍ର ୫ କିଲୋୱାଟ କ୍ଷମତା ସମ୍ପନ୍ନ, ଅଥଚ ଅନ୍ୟ ରାଜ୍ୟରେ ୧୦ କିଲୋୱାଟ କ୍ଷମତା ପାଇଁ ଲାଇସେନ୍ସ ଦିଆଯାଉଛି; 
() 3G ଓ 4G ଟେଲିକମ୍‌ ସିଗ୍‌ନାଲ ଦ୍ୱାରା ଏଫ୍‌.ଏମ୍‌. ରେଡ଼ିଓର ସିଗ୍‌ନାଲ ବାଧାପ୍ରାପ୍ତ ହେଉଛି; 
() କାଳ ସାଜିଛି ମୋଦି ଯୁଗର ମାଳମାଳ ଓ ଘରେ ଘରେ LED ଲାଇଟ୍‌। ଟ୍ରାନସମିଟର ଜ୍ଞାନକେୌଶଳରେ LED ବତୀ ସବୁ ନିର୍ମିତ ହୋଇଥିବାରୁ ତାହା ଏ ସଂକଟକୁ ଏବେ ମହରଗରୁ ନେଇ କାନ୍ତାରରେ ପକାଇଛି। 
() ମୋବାଇଲ ଡିଭାଇସ୍‌ଗୁଡ଼ିକରେ ଟ୍ୟୁନିଂ କରିବା ପାଇଁ କେତେକ ସର୍ବନିମ୍ନ ଜ୍ଞାନକୌଶଳକୁ ମଧ୍ୟ ସଂପୃକ୍ତ ରେଡ଼ିଓ ଷ୍ଟେସନ ପରିଚାଳନା କର୍ତୃପକ୍ଷମାନେ ଉପଯୋଗ କରିନାହାନ୍ତି। ତେଣୁ ଭୁବନେଶ୍ୱରରେ ମୋବାଇଲ ଫୋନ୍‌ ବ୍ୟବହାରକାରୀମାନଙ୍କ ପାଇଁ ଏଫ୍‌.ଏମ୍‌. ରେଡ଼ିଓର କୌଣସି ମହତ୍ତ୍ୱ ନାହିଁ। କାରଣ ମୋବାଇଲ ଫୋନ୍‌ରେ ଏଫ୍‌.ଏମ୍‌. ରେଡ଼ିଓ ଚ୍ୟାନେଲ୍‌ ଟ୍ୟୁନିଂ କରି ହେଉ ନାହିଁ। ଏଫ୍‌.ଏମ୍‌. ରେଡ଼ିଓରେ ସମ୍ବାଦ ନୁହେଁ, ବରଂ ପ୍ରସାରିତ ହୁଏ ସଂଗୀତ। ସହରର ବାସିନ୍ଦାମାନଙ୍କ ଜଂଜାଳମୟ ଦିନଚର୍ଯ୍ୟା ଭିତରେ ସଂଗୀତର କେତେ ଗୁରୁତ୍ୱ ରହିଛି, ତାହା ଭାରତ ସରକାର ବୁଝି ସାରିଛନ୍ତି ବୋଲି ‘‘ପ୍ରସାର ଭାରତୀ’’ ଜରିଆରେ ଘରୋଇ ଏଫ୍.ଏମ୍‌. ଚ୍ୟାନେଲକୁ ଦେଶବ୍ୟାପୀ ସୁଯୋଗ ଦେଇଛନ୍ତି।

ତେବେ ଅନ୍ୟ ଆହ୍ୱାନଗୁଡ଼ିକ ହେଉଛି - ଯେଉଁମାନେ ଏହି ହାସ୍ୟାସ୍ପଦ ସମସ୍ୟାଗୁଡ଼ିକୁ ବୁଝୁଛନ୍ତି, ସେମାନେ ଏହାର ପ୍ରତିକାର ପାଇଁ କିଛି ଉଦ୍ୟମ କରୁ ନାହାନ୍ତି। କଟକରେ ଓ କଟକ ସହରବାସୀଙ୍କର ସ୍ୱାଭିମାନ ଯୋଗୁ ରାଜଧାନୀର ଅଧା ଉପାଦାନ ଏବେ ବି କଟକରେ ଥିବା ବେଳେ ଭୁବନେଶ୍ୱରରେ ଓ ଭୁବନେଶ୍ୱରିଆଙ୍କର ଏବେ ସୁଦ୍ଧା ସ୍ୱାଭିମାନ ଗଜା ହୋଇନାହିଁ। ତେଣୁ କେମିତି ଏଫ୍.ଏମ୍‌. ରେଡ଼ିଓ ଶୁଣିବେ ଭୁବନେଶ୍ୱରବାସୀ? ଦେଖାଯାଉ କିଏ ବୁଝୁଛନ୍ତି ଏ ସମସ୍ୟାକୁ ଏବଂ କେଉଁ ନେତାଙ୍କ ମଗଜରେ ଢୁକୁଚି ଏଇ ସ୍ୱାଭିମାନ ଓ ସଂଗୀତର ଆହ୍ୱାନ!


ବିମଳ ପ୍ରସାଦ, ୯୯୩୭୩୫୩୨୯୩

17 नवंबर 2017

ଅଦିନମେଘ ଉଜାଡିଲା ୧୬ ଜିଲ୍ଲାର ଖରିଫ୍ ଧାନ

ଫଟୋ ସୌଜନ୍ୟ: ‘ସମ୍ବାଦ’
୧୧ ଓ ୧୨ ଅକ୍ଟୋବର ୨୦୧୪ର ଛାତିଥରା ହୁଡ୍‌ହୁଡ଼୍‌ ଝଡ଼ବତାସ କବଳରୁ ବଞ୍ଚିଗଲେ ଓଡ଼ିଶାର ମଣିଷମାନେ। ତଥାପି ବିପୁଳ କ୍ଷତି ହେଲା ଫସଲ, ବୃକ୍ଷସଂପଦ ଓ ପ୍ରାଣୀ ସମ୍ପଦର। ଲକ୍ଷାଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରି ବାହାବା ନେଇଗଲା ଓଡ଼ିଶା ସରକାର। ଯାହାକି ପ୍ରକୃତରେ ଓଡ଼ିଶାର ଗଣମାଧ୍ୟମର ଭୂମିକା ଥିଲା। ୨୦୧୭ ଅକ୍ଟୋବରରେ ପଶ୍ଚିମ ଓଡ଼ିଶାରେ ଚକଡ଼ା କୀଟଙ୍କ ଉତ୍ପାତରେ ଧାନ ଫସଲ ଉଜୁଡ଼ି ଯାଇଥିବା ବେଳେ ୨୦୧୭ ନଭେମ୍ବର ୧୫-୧୬-୧୭ ତାରିଖର ଲଘୁଚାପ ବର୍ଷା ଯୋଗୁଁ ପୂର୍ବ ଓଡ଼ିଶା ଓ ଉତ୍ତର ଓଡ଼ିଶାର ଧାନ ଫସଲ ବି ବର୍ବାଦ୍‌ ହୋଇଗଲା। ଓଡ଼ିଶା ପ୍ରଶାସନ  କେବଳ ଚାଷୀଙ୍କୁ ‘‘ଧାନ ବିଲରେ ଲୁଣ ପାଣି ଛିଞ୍ଚି ଦିଅ’’ ଘୋଷଣା କରି ଚୁପ୍‌ ବସିଗଲା। ଏବେ ସରକାରୀ କର୍ମଚାରୀମାନଙ୍କ ରବିବାର ଛୁଟିକୁ ବାତିଲ କରିଛି। ତୃତୀୟ ଶନିବାର ହୋଇଥିବାରୁ ରାଜ୍ୟ ପ୍ରଶାସନର ଛୁଟି ନଥିଲେ ସୁଦ୍ଧା ଶନିବାର ଛୁଟି ବାତିଲ ବୋଲି ମଧ୍ୟ ଟିଭି ଖବରରୁ ଶୁଣିବାକୁ ମିଳୁଛି !

ଧାନ କଟା ପୂର୍ବରୁ ୩ ଦିନ ବା ୪ ଦିନ ଲଗାଣ ବର୍ଷା ହେଲେ କିଭଳି କ୍ଷତି ହୁଏ, ତାହା ଏବେର ପ୍ରଶାସନ ବା ଶାସକଦଳ ବୁଝି ପାରିବନି। କାରଣ ଗରିବ ରାଜ୍ୟ ଓଡ଼ିଶାରେ ଆତ୍ମହତ୍ୟାଗୁଡ଼ିକ କେବଳ ଘରୋଇ କଳିରୁ ହେଉଥିବାରୁ, ଧାନ ଅମଳ ହୋଇ ଖଳାକୁ ନଆସିଲେ, କିଭଳି ଘରୋଇ କଳି ଉପୁଜିବ, ତାହା ଅବଶ୍ୟ ଜାଣିଥିବେ। ଏହି ବର୍ଷା ବିପର୍ଯ୍ୟୟ ଆସିବାର ୪ ଦିନ ଆଗରୁ ପାଣିପାଗ ଖବର ଦୁଇ ତିନିଟି ଖବରକାଗଜ ଛାପି ସାରିଥିଲେ। କିନ୍ତୁ ପ୍ରଶାସନର ସତର୍କ ବାଣୀକୁ ଟିଭିବାଲା ଗୁରୁତ୍ଵ ଦେଲେ ନାହିଁ। କାରଣ ଏ ବିପର୍ଯ୍ୟୟରେ ଜନହାନିର ଭୟ ନଥିଲା। ଏହାଛଡ଼ା ଟିଭି ଖବର ଚ୍ୟାନେଲଗୁଡ଼ିକୁ କିଭଳି ସରକାରୀ ବାର୍ତା ପ୍ରଚାର ପାଇଁ ବ୍ୟାବସାୟିକ ଭାବେ ବ୍ୟବହାର କରାଯାଇପାରିବ, ତାହାର କୌଣସି ବିଧିବଦ୍ଧ ନୀତି ଆଜି ସୁଦ୍ଧା ସରକାର ପ୍ରଣୟନ କରି ନାହାନ୍ତି। ସିଧା ଶବ୍ଦରେ କହିଲେ, ଟିଭି ଖବର ଚ୍ୟାନେଲକୁ ସିଧାସଳଖ ପାଉଣା ଦେଇ ସୂଚନା ପ୍ରଚାର କରିବାର କୌଣସି ବ୍ୟବସ୍ଥା ହୋଇନାହିଁ। ଏମିତି ବିଭିନ୍ନ କାରଣରୁ ହୁଡ଼୍‌ହୁଡ଼୍‌ ପୂର୍ବର କର୍ତ୍ତବ୍ୟନିଷ୍ଠ ଟିଭି ଗଣମାଧ୍ୟମ ଏଥର ଏ ବେଇମାନ ରାଜ୍ୟ ପ୍ରଶାସନକୁ ମାଗଣା ସେବା ଯୋଗାଇବାରୁ ବିରତ ରହିଲା। ହେଲେ କ୍ଷତି ସହିଲେ ଓଡ଼ିଶାର ହଜାର ହଜାର କୃଷକ ପରିବାର। ବର୍ଷାରେ ଶୋଇଯାଇଥିବା ଧାନଗଛରୁ ଆଉ ଧାନ ଅମଳ ହୋଇପାରିବ ନାହିଁ। ବରଂ ଝଡ଼ିପଡ଼ିଥିବା ଧାନ, ଆର ସନକୁ ବାଳୁଙ୍ଗା ହୋଇ ଠିଆ ହେବ। ନଚେତ୍‌ କେଣ୍ଡାରେ ଥାଇ ଗଜା ହୋଇଯିବ। ଆଉ ତା’ପରେ ପ୍ରତ୍ୟେକ କ୍ଷତିଗ୍ରସ୍ତ କୃଷକ ପରିବାରରେ ଯେଉଁ ଘରୋଇ କଳି ଉପୁଜିବ, ତାହାକୁ ବର୍ଣନା କରିବାକୁ ଆମ୍ଭ ପାଖରେ ଶବ୍ଦ ନାହିଁ। ଖରିଫ୍ ଧାନ ଫସଲ ଉଜୁଡି ଯାଇଥିବା ସଂପୂର୍ଣ ଓ ଆଂଶିକ କ୍ଷତିଗ୍ରସ୍ତ ୧୬ଟି ଜିଲ୍ଲା ହେଉଛି:- ଖୋର୍ଧା, ଗଂଜାମ, ଗଜପତି, ରାୟଗଡ଼ା, କୋରାପୁଟ, କନ୍ଧମାଳ, ନୟାଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଂଜ, ଓ କେନ୍ଦୁଝର ।

ଏକ ଅପାରଗ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ, ଏବଂ କର୍ତ୍ତବ୍ୟ-ଅଜ୍ଞ ସୂଚନା ଓ ଲୋକସଂପର୍କ ବିଭାଗକୁ ମୁଣ୍ଡାଇଥିବା ଓଡ଼ିଶା ସରକାର ବଡ଼ ଧରଣର ଧୋକା ଖାଇବ। କାରଣ ମାତ୍ର ତିନି ସପ୍ତାହ ପୂର୍ବରୁ ୯୯ଟି ବ୍ଲକ୍‌ରେ ମରୁଡ଼ି ଘୋଷଣା ହୋଇଥିବା ବେଳେ ଏବେ ଅଦିନମେଘ ଦାଉ ସାଧିଛି। କେଉଁ ୯୯ଟି ବ୍ଲକ୍‌ରେ ମରୁଡ଼ି ହୋଇଛି, ତାହାର ତାଲିକା ପ୍ରଶାସନ ପାଖରେ ନାହିଁ କି କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କ ପାଖରେ ନାହିଁ। ବ୍ଲକ୍‌ଗୁଡ଼ିକର ନାମ ତାଲିକା ଓ ପଞ୍ଚାୟତଗୁଡ଼ିକର ତାଲିକା ପ୍ରକାଶ ନକରି ରାଜ୍ୟ ପ୍ରଶାସନ ଯେଉଁ ବିଚକ୍ଷଣ କାମଟି କରିଛି, ତାହାର ପରିଣତିରେ ଏଥର କେଉଁ ଆନ୍ତର୍ଜାତିକ ସଂଗଠନ ଟ୍ରଫି ଦେଇ ସମ୍ମାନିତ କରୁଛି, ତାହା ଦେଖିବାକୁ ରହିଲା।

ବିଜୁ ବାବୁ ତାଙ୍କ ଶେଷ ଥର ମୁଖ୍ୟମନ୍ତ୍ରୀତ୍ୱ କାଳରେ ବହୁତ ଲୋକପ୍ରି୍ୟ ହୋଇଥିଲେ। ସେ କୌଣସି ବ୍ୟୁରୋକ୍ରାଟ୍‌ଙ୍କୁ ମୁଣ୍ଡରେ ବସାଉନଥିଲେ। ବରଂ ଶାସନ ଅବଧି ସରି ଆସିବା ବେଳକୁ ଦୁର୍ନୀତି ବିରୋଧରେ ପଦକ୍ଷେପ ନେବାକୁ ଯାଇ କହୁ କହୁ କହିଦେଲେ, ‘‘ଦୁର୍ନୀତିଗ୍ରସ୍ତ ଅଫିସରଙ୍କୁ ମାଡ଼ ଦିଅ’’। ବିଜୁ ବାବୁଙ୍କର ଜମାରୁ ହୋସ୍‌ ନଥିଲା ଯେ ସେଇମାନେ ହିଁ ଭୋଟ୍‌ ବେଳେ ପୋଲିଂ ଅଫିସର ଓ ପ୍ରିଜାଇଡ଼ିଂ ଅଫିସର ହୋଇ ନିର୍ବାଚନ ପରିଚାଳନା କରିବେ। ଶେଷରେ ଇତିହାସରେ ଏକ ନୂଆ ଘଟଣା ହେଲା, ଅମଲାମାନେ ମିଳିମିଶି ଏକ ଲୋକପ୍ରିୟ ଦଳକୁ ବିରୋଧୀ ଦଳ ବନେଇଦେଲେ। ତାଙ୍କରି ନାମରେ ଗଢ଼ା ହୋଇଥିବା ଏକ ରାଜନୀତିକ ଦଳ କ୍ରମାଗତ ୪ଥର କ୍ଷମତାରେ ରହି ବ୍ୟୁରୋକ୍ରାଟ୍‌ମାନଙ୍କୁ ଗେଲବସର କରି ରଖିଥିଲେ ସୁଦ୍ଧା ଆଗାମୀ ଭୋଟ୍‌ରେ ଅଫିସର ନୁହେଁ, ଜନସାଧାରଣ ଆଣିବେ ଐତିହାସିକ ପରିବର୍ତନ। ଆଉ ଯଦି ଏ ପରିବର୍ତନ ସମ୍ଭବ ନହୁଏ, ତାହା ମଧ୍ୟ ହେବ ବ୍ୟୁରୋକ୍ରାଟୀୟ କାରସାଦି ଓ ଇଭିଏମ୍‌ ଗଣିତର ବିଶାଳ ବିଜୟ।

ତେବେ ମରୁଡ଼ି ଘୋଷଣା ନାମରେ କୃଷକ ଓ ସାମ୍ବାଦିକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ବର୍ଷ ବର୍ଷ ଧରି ଠକି ଚାଲିଥିବା ଶାସକଦଳର ଫୁଟାଣିକୁ ଧୋଇନେବ କି ଏଇ ଲଘୁଚାଷ ବର୍ଷା?

ବିମଳ ପ୍ରସାଦ, ୯୯୩୭୩୫୩୨୯୩

29 सितंबर 2017

ମୁଖ୍ୟମନ୍ତ୍ରୀ ନବୀନଙ୍କ ଦାବିପତ୍ରରେ ତ୍ରୁଟି

ସେପ୍ଟେମ୍ବର ୨୮ ତାରିଖର ‘ସମ୍ବାଦ’ରେ ବାହାରିଛି - ‘‘ଗଡ଼କରୀ, ଗୋଏଲଙ୍କୁ ଭେଟିଲେ ନବୀନ’’ ଏବଂ ସମ୍ବାଦ ଶିରୋନାମା ରହିଛି ‘‘ସମ୍ବଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ୍‌’’। ସେହି ଖବରକୁ sambad.inରୁ ନକଲ କରି ଆମ୍ଭ ମନ୍ତବ୍ୟର ତଳେ ମଧ୍ୟ ଅବିକଳ ଲେପନ କରିଅଛୁ। ତାହାର ୱେବ୍‌ ଲିଙ୍କ୍‌ ହେଉଛି:-  http://sambad.in/india-and-beyond/rajdhani-express-to-run-via-sambalpur-2674/

ଏଥିରେ ଏତେ ମାତ୍ରାରେ ତଥ୍ୟ ପ୍ରମାଦ ଅଛି ଯେ କୌଣସି ସଚେତନ ଓଡ଼ିଆଙ୍କ ମୁଣ୍ଡ ତଳକୁ ହୋଇଯିବ। ‘‘କେନ୍ଦ୍ର ଦାୟୀ’’ ବାହାନା କରୁଥିବା ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ରରେ ଏତେ ସଂଖ୍ୟକ ତ୍ରୁଟି ରହିଥିବାରୁ, ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ବିଭାଗର(ପୂର୍ତ ବିଭାଗ ଅଧୀନରେ ଓଡ଼ିଶା ଭିତରର ଜାତୀୟ ରାଜପଥ) କାର୍ଯ୍ୟଗୁଡ଼ିକ ଉପରେ ଅଜ୍ଞ ବୋଲି ପ୍ରମାଣିତ ହୋଇଯାଇଛି। ଯଦି ମୁଖ୍ୟମନ୍ତ୍ରୀଙ୍କ ଲୋକସଂପର୍କ ଅଧିକାରୀ ସେହି ଦାବିପତ୍ର ଲେଖିଥାଆନ୍ତି, ତେବେ ସେ ମଧ୍ୟ ଅନଭିଜ୍ଞ ଅଟନ୍ତି। କାରଣ ଓଡ଼ିଶାରେ କ୍ରମାଗତ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଉଲ୍ଲେଖଯୋଗ୍ୟ ନେତାଙ୍କୁ ତ ଆମେ ଏତେ ସହଜରେ ଦୋଷ ଦେଇପାରିବା ନାହିଁ।  ତାଙ୍କ ପାଇଁ ଅତି କମ୍‌ରେ ତିନି ଜଣ IAS ଅଧିକାରୀ ଏବଂ ପୁଞ୍ଜା ପୁଞ୍ଜା ଦକ୍ଷ OAS ଅଧିକାରୀ ମଧ୍ୟ କାର୍ଯ୍ୟ କରୁଛନ୍ତି। ତଥାପି ଏତେ ତ୍ରୁଟି ହେଉଛି କାହିଁକି? ଅଣଓଡ଼ିଆ ଅଧିକାରୀମାନେ ହୁଏତ ଓଡ଼ିଶାର ଭୂଗୋଳ, ଇତିହାସ ଓ ସଂସ୍କୃତି ଜାଣି ନଥାଇପାରନ୍ତି। ହେଲେ, ଓଡ଼ିଆ ଅଧିକାରୀମାନେ କ’ଣ କରୁଥିଲେ? କେନ୍ଦ୍ର ଦାୟୀ, କେନ୍ଦ୍ର ଦାୟୀ ଚିତ୍କାର କରୁଥିବା ଏକ ରାଜ୍ୟ ସରକାର, ରାଜ୍ୟ ପାଇଁ ଦାଖଲ କରୁଥିବା ଦାବିପତ୍ରରେ ଏତେ ତ୍ରୁଟି କାହିଁକି ରହିଲା? କିଏ ଏହାର ଉତ୍ତର ଦେବ? ଏଭଳି ତ୍ରୁଟିପୂର୍ଣ ଦାବିପତ୍ର ଦାଖଲ ଦ୍ୱାରା ଓଡ଼ିଶା ପ୍ରତି ସର୍ବଭାରତୀୟ ସ୍ତରରେ କ’ଣ, ସମ୍ମାନ ବଢ଼ିଥିବ? ୨୦୧୫ ଏପ୍ରିଲ୍‌ ମାସରୁ ଜାତୀୟ ରାଜପଥଗୁଡ଼ିକର ପୁନର୍ଗଠନ ହୋଇସାରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କେମିତି ଜାଣି ପାରିଲା ନାହିଁ?

ଏବେ ଦେଖିବା ସେହି ତ୍ରୁଟିଗୁଡ଼ିକ ସବୁ କ’ଣ? ଯାହା ମୁଖ୍ୟମନ୍ତ୍ରୀଙ୍କ ଦାବିପତ୍ରରେ ଲେଖାଥିଲା:-
୧. ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ନମ୍ବର ୨୦୩ (ଠିକ୍‌ ନମ୍ବର ହେଉଛି ୩୧୬)
୨. ରିମୂଳୀ-ରାଜମୁଣ୍ଡା ଜାତୀୟ ରାଜପଥ ନମ୍ବର  ୨୧୫ (ଠିକ୍‌ ନମ୍ବର ହେଉଛି ୫୨୦)
୩. କଟକ - ଅନୁଗୁଳ ଜାତୀୟ ରାଜପଥ ନମ୍ବର ୨୪ (ଠିକ୍‌ ନମ୍ବର ହେଉଛି ୫୫)
୪. ବାରକୋଟ - ପାନପୋଷ ଜାତୀୟ ରାଜପଥ ନମ୍ବର ୨୭ (ଠିକ୍‌ ନମ୍ବର ହେଉଛି ୧୪୩)
୫. ଚଣ୍ଡିଖୋଲ-ଡୁବୁରି-ତାଳଚେର ଜାତୀୟ ରାଜପଥ ନମ୍ବର ୨୦୦ (ଠିକ୍‌ ନମ୍ବର ହେଉଛି ୫୩) ଆଉ ଏହା ହେଉଛି ଓଡ଼ିଶାର ଦୀର୍ଘତମ ଜାତୀୟ ରାଜପଥ। କାରଣ ଏହାର ପ୍ରାୟ ୫୨୪ କିଲୋମିଟର କେବଳ ଓଡ଼ିଶାର ସୀମା ଭିତରେ ରହିଛି। ଏ ସଂକ୍ରାନ୍ତରେ ମୋର ଏକ ବ୍ଲଗ୍‌ ମଧ୍ୟ ରହିଛି - ଓଡ଼ିଶାରେ ଜାତୀୟ ରାଜପଥ  https://odiapila.blogspot.in/2016/02/nh-in-odisha.html

ସମ୍ବଲପୁର ଦେଇ ଚାଲିବ ରାଜଧାନୀ ଏକ୍ସପ୍ରେସ
ଗଡ଼କରୀ, ଗୋଏଲଙ୍କୁ ଭେଟିଲେ ନବୀନ
By Sambad On Sep 28, 2017

ନୂଆଦିଲ୍ଲୀ : ଭୁବନେଶ୍ୱର ଓ ଦିଲ୍ଲୀ ମଧ୍ୟରେ ରାଜଧାନୀ ଏକ୍ସପ୍ରେସ ଖୁବଶୀଘ୍ର ସମ୍ବଲପୁର ଦେଇ ଚଳାଚଳ କରିବ। ଆଜି ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ପୀୟୂଷ ଗୋଏଲ। ଦିଲ୍ଳୀରେ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ପରେ ସେ ଏହି ଘୋଷଣା କରିଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଠାରେ ଗୋଏଲଙ୍କୁ ଭେଟି ଏହି ଦାବି ଜଣାଇଥିଲେ। ଖୋର୍ଦ୍ଧାରୁ ମୁମ୍ବାଇ ଭାୟା ସମ୍ବଲପୁର ଦେଇ ବକ୍ସି ଜଗବନ୍ଧୁ ଏକ୍ସପ୍ରେସ୍‌ ଚଳାଚଳ ଏବଂ ହାଓ୍ଵଡ଼ା ଜନଶତାବ୍ଦୀକୁ ନୟାଗଡ଼ ପର୍ଯ୍ୟନ୍ତ ସଂପ୍ରସାରଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। ଭୁବନେଶ୍ୱର ଷ୍ଟେସନ୍‌ ସମେତ ରାଜ୍ୟର ୧୧ଟି ରେଳଷ୍ଟେସନ୍‌ର ବିକାଶ ସହିତ ଜୟପୁର-ନବରଙ୍ଗପୁର ଓ ଜୟପୁର-ମାଲକାନଗିରି ରେଳ ଲାଇନ୍‌ କାର୍ଯ୍ୟ ଶୀଘ୍ର ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ପାରଳାଖେମୁଣ୍ଡି ଓ କାଶିନଗର ରେଳଷ୍ଟେସନ୍‌ର ପୁନଃ ନିର୍ମାଣ, ତଥା ଅନ୍ୟାନ୍ୟ ଅସଂପୂର୍ଣ୍ଣ ପ୍ରକଳ୍ପଗୁଡ଼ିକର କାମ ତୁରନ୍ତ ସାରିବାକୁ ନବୀନ ଅନୁରୋଧ କରିଥିବା ପ୍ରକାଶ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଗୋଏଲ ଏମ୍‌ସିଏଲ୍‌ ପ୍ରସଙ୍ଗ ଉଠାଇଥିଲେ। ଠିକାଦାରମାନଙ୍କୁ ଟେଣ୍ଡର ପ୍ରକ୍ରି୍ରୟାରେ ଜିଲ୍ଲା ପ୍ରଶାସନ ସହଯୋଗ କରିବା ଉଚିତ୍‌ ବୋଲି ପୀୟୂଷ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏମ୍‌ସିଏଲ୍‌ରେ କୋଇଲା ଉତ୍ପାଦନ କିପରି ପ୍ରଭାବିତ ନହୁଏ ସେହି ଦିଗରେ ପଦକ୍ଷେପ ନେବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିଥିଲେ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟି ରାଜ୍ୟରେ ରହିଥିବା ଅନେକ ଅସଂପୂର୍ଣ୍ଣ ପ୍ରକଳ୍ପକୁ ସଂପୂର୍ଣ୍ଣ କରିବା ପାଇଁ ଅନୁରୋଧ କରିଥିଲେ। ଭୁବନେଶ୍ୱର-ପୁରୀ ରାଜପଥ ୨୦୩ ଅନ୍ତର୍ଗତ ଚନ୍ଦନପୁର ନିକଟରେ ଥିବା ରେଲେଓ୍ଵ ଓଭରବ୍ରିଜ୍‌ ଏବଂ ୯ କିଲୋମିଟର ଦୀର୍ଘ ବିଶିଷ୍ଟ ବାଇପାସ୍‌ (ମଙ୍ଗଳାହାଟରୁ ଷ୍ଟର୍ଲିଂ ରିସୋର୍ଟ ପର୍ଯ୍ୟନ୍ତ)ର କାମ ଶୀଘ୍ର ସାରିବା ପାଇଁ ସେ ଦାବି କରିଥିଲେ। ଏହାଛଡ଼ା ରେମୁଲି-ରାଜାମୁଣ୍ଡା ଜାତୀୟ ରାଜପଥ ୨୧୫ ପ୍ରସସ୍ତୀକରଣ କାର୍ଯ୍ୟକୁ ଅଗ୍ରାଧିକାର ଦେବା ସହିତ କଟକ-ଅନୁଗୁଳ ଜାତୀୟ ରାଜପଥ ୨୪, ବାରକୋଟ-ପାନ୍‌ପୋଷ ଜାତୀୟ ରାଜପଥ ୨୭, ଚଣ୍ଡିଖୋଲ-ବାଲେଶ୍ୱର ଜାତୀୟ ରାଜପଥ ୧୬ ଏବଂ ଚଣ୍ଡିଖୋଲ-ଡୁବୁରୀ-ତାଳଚେର ଜାତୀୟ ରାଜପଥ ୨୦୦ର ଟେଣ୍ଡର ପ୍ରକ୍ରିୟାକୁ ଚୂଡ଼ାନ୍ତ କରିବାକୁ ଦାବି ଜଣାଇଥିଲେ। ଭୁବନେଶ୍ୱର ଖଣ୍ଡଗିରି ଏବଂ ଗୋହିରା ଛକରେ ଫ୍ଲାଏ ଓଭର ନିର୍ମାଣ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦୃଢ଼ ଦାବି ଜଣାଇଥିଲେ। ଏହା ସହିତ ଓଡ଼ିଶାର ୧୨ଟି ରାସ୍ତାକୁ ଜାତୀୟ ରାଜପଥ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଥିଲେ। କେନ୍ଦ୍ରମନ୍ତ୍ରୀ ଗଡ଼କରୀ ଏହି ଦାବି ଉପରେ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରକଳ୍ପ ପାଇଁ ଆବଶ୍ୟକ ଜମି ଯୋଗାଇବା ସହିତ ଜଙ୍ଗଲ ମଞ୍ଜୁରି ପ୍ରଦାନ ପାଇଁ ପଦକ୍ଷେପ ନେବାକୁ ସେ ନବୀନଙ୍କୁ ପରାମର୍ଶ ଦେଇଥିଲେ।

ଆମ୍ଭ ମନ୍ତବ୍ୟର ଉପସଂହାର 
ଏଥିପାଇଁ ଖୋଦ୍‌ ମୁଖ୍ୟମନ୍ତ୍ରୀ ମଧ୍ୟ ଭର୍ତ୍ସନାର ପାତ୍ର ଅଟନ୍ତି। କାରଣ ତାଙ୍କରି ଅଧୀନରେ ଥିବା ପୂର୍ତ ବିଭାଗର ୱେବ୍‌ସାଇଟ୍‌ରେ ମଧ୍ୟ ଏସବୁ ତଥ୍ୟ ରହିଛି। ତେଣୁ ସେ ସ୍ମାରକପତ୍ର ଲେଖିଲା ବେଳେ ହୁଏତ ପୂର୍ତ ବିଭାଗ ସହ ପରାମର୍ଶ କରି ନାହାନ୍ତି। ତଥାପି ଶାସକ ଦଳର ପ୍ୟାନେଲିଷ୍ଟ୍‌ ଓ ମୁଖପାତ୍ରମାନେ ଗଣମାଧ୍ୟମ ପ୍ରତିନିଧିଙ୍କୁ ବାହାସ୍ପୋଟିଆ ବିବୃତି ଦେବେ। ଏମିତି ଠକାମି କରି ସେମାନେ କେତେ ଦିନ ଆଉ ଓଡ଼ିଶାର ଭାଗ୍ୟବିଧାତା ହୋଇରହିବେ??

ବିମଳ ପ୍ରସାଦ, ୯୯୩୭୩୫୩୨୯୩