24 नवंबर 2015

ହିନ୍ଦ୍, ହିନ୍ଦୁ, ହିନ୍ଦୋସ୍ତାନ୍


‘ବିକଳ୍ପ ବିଶ୍ୱ’ ସଂପାଦକୀୟ ସ୍ତମ୍ଭରେ ୨୦ ନଭେମ୍ବର ୨୦୧୫ର ‘ସମ୍ବାଦ’ରେ  ପ୍ରକାଶିତ
ହିନ୍ଦ୍, ହିନ୍ଦୁ, ହିନ୍ଦୋସ୍ତାନ୍
ଭଗବାନ ପ୍ରକାଶ, bhagbanprakash@gmail.com

ମ ଦେଶର ରାଜନୀତି ରଂଗମଞ୍ଚରେ ଏବେ ଦୁଇଟି ଶବ୍ଦର ବହୁଳ ଅପବ୍ୟବହାର ହେଉଛି ଗୋଟିଏ ହେଲା ହିନ୍ଦୁତ୍ୱବାଦୀଓ ଅନ୍ୟଟି ପାକିସ୍ତାନୀପ୍ରଥମଟି ଜଣକର ଧର୍ମ ଓ ଦ୍ୱିତୀୟଟି ଦେଶ ପ୍ରେମ ତଥା ଜାତୀୟତା ପ୍ରତି ଉପହାସ। ଏବଂ ଉଭୟ ଶବ୍ଦ ନିଜ ନିଜର ପ୍ରକୃତ ଅର୍ଥ ହରାଇ ଏବେ ଗାଳିଭାବରେ ବ୍ୟବହୃତ ହେଉଛନ୍ତି। ତୃତୀୟ ଶବ୍ଦ ବା ଗାଳିଟି ସୁଡ଼ୋ ସେକ୍ୟୁଲାରବା ନକଲି ଧର୍ମନିରପେକ୍ଷବାଦୀ। ଆମ ଦେଶର ସାଧାରଣ ଲୋକଙ୍କ ଅପେକ୍ଷା ଶିକ୍ଷିତ ଲୋକେ ଅଧିକ ଗାଳି ପ୍ରିୟ ଓ ଅସହିଷ୍ଣୁ। ଗଣମାଧ୍ୟମରେ ଏହାକୁ ଅତିରଂଜିତ କରି ପ୍ରକାଶ କରାଯାଏ। ତାକୁ ଦେଖି, ପଢ଼ି, ଶୁଣି ଲୋକେ ଉତ୍ତେଜିତ ହୋଇ ପଡ଼ନ୍ତି। ଧର୍ମ ଓ ଜାତୀୟତା ଉପରେ ପ୍ରଶ୍ନ ଏକ ସ୍ପର୍ଶକାତର ବିଷୟ। ଏହା ଉଭୟ ଉନ୍ମାଦନା ଓ ଉନ୍ମାଦମାନଙ୍କୁ ସୃଷ୍ଟିକରେ ସ୍ଥାନୀୟ ଘଟଣାକୁ ଜାତୀୟ ଓ ଅନ୍ତର୍ଜାତୀୟ ରୂପ ଦେଇଥାଏ। ଏକଦା ‘‘ହିନ୍ଦୁ, ହିନ୍ଦୀ, ହିନ୍ଦୁସ୍ତାନ’’ - ଏହି ପରି ଏକ ରାଜନୈତିକ ସ୍ଲୋଗାନ୍ ଥିଲା କିନ୍ତୁ ଲୋକେ ଏହାକୁ ଗ୍ରହଣ କଲେ ନାହିଁ କାରଣ ଏହା ଭାରତୀୟ ଦର୍ଶନ ଓ ବିଚାରଧାରାର ପରିପନ୍ଥୀ ଥିଲା

ସ୍ୱାଧୀନତା ଆନ୍ଦୋଳନ ସମୟରେ ଯେତେବେଳେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଜୟହିନ୍ଦ୍ସ୍ଲୋଗାନ ଦେଲେ, ଏହି ପ୍ରେରଣାଦାୟୀ ଓ ଆକର୍ଷଣୀୟ ବାକ୍ୟାଂଶଟି ଧର୍ମ, ମତ, ପନ୍ଥ ନିର୍ବିଶେଷରେ ସବୁ ଭାରତୀୟଙ୍କ ଜିଭ ଅଗରେ ଲାଖି ରହିଗଲା। ଭୂଦାନ ଆନ୍ଦୋଳନର ପ୍ରତିଷ୍ଠାତା, ପ୍ରବକ୍ତା ଆଚାର୍ଯ୍ୟ ବିନୋବା ଭାବେ ଥିଲେ ଜଣେ ପଣ୍ଡିତ ଓ ନିଷ୍ଠାପର ହିନ୍ଦୁ। ନେତାଜୀଙ୍କ ଠାରୁ ଆଉ ଦୁଇ ପାଦ ଆଗେଇ ଯାଇ ସ୍ଲୋଗାନ୍ ଦେଲେ ‘‘ଜୟ ଜଗତ୍’’ଜନପ୍ରିୟ ଉର୍ଦ୍ଦୁ କବି ମହମ୍ମଦ ଆଲାମ ଇକ୍‌ବାଲ୍‌ ଥିଲେ ନିଷ୍ଠାପର ମୁସଲ୍‌ମାନ। ତାଙ୍କର ଦେଶାତ୍ମବୋଧକ ପଦ୍ୟ ‘‘ସାରେ ଜହାଁସେ ଅଛା - ହିନ୍ଦୋସ୍ତାନ ହମାରା’’କୁ ଲୋକେ ଜାତୀୟ ସଂଗୀତ ଭଳି ଗାଆନ୍ତି। ସେମିତି ‘‘ଜୟହିନ୍ଦ୍’’ ସ୍ଲୋଗାନ୍‌ର ପ୍ରକୃତ ରଚୟିତା ଥିଲେ ନେତାଜୀଙ୍କ ଇଣ୍ଡିଆନ୍ ନ୍ୟାସନାଲ୍ ଆର୍ମିର ମେଜର ଆବିଦ୍ ହାସାନ ସାଫ୍ରାନି। ସେ ପ୍ରଥମେ ଲେଖିଥିଲେ- ‘‘ଜୟ ହିନ୍ଦୋସ୍ତାନ୍ କି’’ପରେ ଏହାକୁ ଛୋଟ କରି କରାଗଲା-‘‘ଜୟହିନ୍ଦ୍’’

ସେମିତି ହିନ୍ଦୁସ୍ତାନର ମୂଳ ହେଲା ଭୂଗୋଳ ଓ ଇତିହାସ, ଧର୍ମ ନୁହେ। ପାର୍ସୀ ବା ଇରାନୀ ଭାଷାରେ ସିନ୍ଧୁ ନଦୀକୁ କୁହାଯାଏ ହିନ୍ଦୁସ୍ ଏବଂ ସିନ୍ଧୁ ନଦୀର ଦକ୍ଷିଣରେ ଥିବା ହିମାଳୟରୁ ବିନ୍ଧ୍ୟାଚଳ ପଯର୍ୟନ୍ତ ଅଂଚଳକୁ ହିନ୍ଦୋସ୍ତାନ। ଚାଇନିଜ୍ ମାନେ ଏହି ଅଂଚଳକୁ କହନ୍ତି-ହେଣ୍ଟୁ (Hein-tu)ମୋଗଲ ଶାସନ ବେଳେ ହିନ୍ଦୁ ଓ ହିନ୍ଦୋସ୍ତାନ ଶବ୍ଦ ଦୁଇଟିର ବହୁଳ ପ୍ରୟୋଗ ହେଲା। ଷୋଡ଼ଶ ଶତାବ୍ଦୀ ବେଳକୁ ଦକ୍ଷିଣ ଏସିଆରେ କେବଳ ତୁର୍କି ଓ ମୁସ୍‌ଲମାନ୍‌ଙ୍କୁ ଛାଡ଼ି, ଆଉ ସମସ୍ତଙ୍କୁ କୁହାଗଲା ହିନ୍ଦୁ। କାଳକ୍ରମେ ଏହି ବିଦେଶୀ ନାମଟି ସ୍ୱଦେଶୀ ହୋଇଗଲା। ଧର୍ମର ନାଁ ହେଲା ହିନ୍ଦୁ, ଭାଷା ହିନ୍ଦୁସ୍ତାନୀ। ଏହା ପରେ ସବୁ ଭାରତୀୟଙ୍କୁ କୁହାଗଲା ହିନ୍ଦୁସ୍ତାନୀ ଓ ଇଣ୍ଡିଆନ୍। ତେଣୁ ଏବେ ସୁପରଷ୍ଟାର୍ ଶାହାରୁଖ୍ ଖାନ୍ କହିଛନ୍ତି - ମୁଁ ହିନ୍ଦୁ ନୁହେଁ, କିନ୍ତୁ ହିନ୍ଦୁସ୍ତାନୀ। ଅଭିନେତା ସଲମାନ୍ ଖାନ୍ କହନ୍ତି ମୁଁ ଅଧା ହିନ୍ଦୁ, ଅଧା ମୁସଲମାନ୍ କିନ୍ତୁ ପୂରା ହିନ୍ଦୁସ୍ତାନୀ। ମୋଗଲ ବାଦଶାହ ଜାହାଙ୍ଗୀର ବି ଏହିପରି କହୁଥିଲେ। ଦେଶରେ ଏହି ହିନ୍ଦୁସ୍ତାନୀଙ୍କ ସଂଖ୍ୟା ଏବେ ପ୍ରାୟ ୧୨୪ କୋଟି। ପ୍ରଧାନମନ୍ତ୍ରୀଙ୍କ ଭାଷାରେ ସୱା-ଶୋ କରୋଡ଼୍‌ ଦେଶବାସୀ। ପୃଥିବୀ ପୃଷ୍ଠର ପ୍ରକୃତ ମହାଭାରତ।

ବିଦେଶରୁ ଆସିଥିବା ହିନ୍ଦୁଶବ୍ଦଟି ପ୍ରାୟ ଅଢ଼େଇ ହଜାର ବର୍ଷ ପୁରୁଣା ଥିଲା ବେଳେ, ‘ହିନ୍ଦୁତ୍ୱଶବ୍ଦଟିର ସୃଷ୍ଟି ୧୯୨୩ ମସିହାରେ। ସ୍ୱାଧୀନତା ସଂଗ୍ରାମ ସମୟରେ ଜେଲ୍‌ରେ ଥିଲା ବେଳେ ବିନାୟକ ଦାମୋଦର ସାଭରକର ହିନ୍ଦୁତ୍ୱ: କିଏ ସେ ହିନ୍ଦୁ?ଶୀର୍ଷକ ପୁସ୍ତିକା ଲେଖିଥିଲେ। ଏଥିରେ ସେ ଏକ ହିନ୍ଦୁ ରାଷ୍ଟ୍ର ଓ ଅଖଣ୍ଡ ଭାରତର ପରିକଳ୍ପନା କରିଥିଲେଯେତେବେଳେ ଭାରତ ଦିଖଣ୍ଡ ହୋଇଗଲା ଓ ଧର୍ମଭିତ୍ତିରେ ପାକିସ୍ତାନ ଓ ଧର୍ମ ନିରପେକ୍ଷ ଭାରତ ସୃଷ୍ଟିହେଲା, ସାଭରକରଙ୍କ ଅନୁଗାମୀମାନେ ନିଜକୁ ପ୍ରତାରିତ ଭାବିଲେ। ପାକିସ୍ତାନରୁ ଲକ୍ଷ ଲକ୍ଷ ହିନ୍ଦୁ, ବୌଦ୍ଧ, ଶିଖ ଓ ଜୈନ ଧର୍ମାବଲମ୍ବୀମାନେ ଭାରତକୁ ପଳାଇ ଆସିବା ପରେ ଏହି ସମସ୍ୟା ଆହୁରି ଉଷ୍ମ ଓ ଜଟିଳ ହେଲା। ସ୍ୱଭାବରେ ସହିଷ୍ଣୁ ଓ ଧର୍ମପରାୟଣ ହିନ୍ଦୁମାନଙ୍କୁ ଆଉ ଥରେ ଏକାଠି କରିବାକୁ ଉଦ୍ୟମ ହେଲା ଧର୍ମ ନାମରେ। ଗାନ୍ଧୀଙ୍କ ବିଚାର ସାଭରକରଙ୍କ ଠାରୁ ଅଲଗା ଥିଲା। ସେ ହିନ୍ଦୁ ଧର୍ମର ଅନ୍ତର୍ନିହିତ ସତ୍ୟ, ଅହିଂସା, ତ୍ୟାଗ, ସର୍ବ ଧର୍ମ ସମ ଭାବ, ସର୍ବତ୍ର ଭୟ ବର୍ଜନ ଇତ୍ୟାଦି ମୂଲ୍ୟବୋଧଗୁଡ଼ିକ ଦ୍ୱାରା ସବୁ ହିନ୍ଦୁସ୍ତାନୀଙ୍କୁ ଏକାଠି କରିବା ପାଇଁ ଉଦ୍ୟମ କରୁଥିଲେ। ସର୍ବୋଦୟ ଓ ସ୍ୱରାଜ୍ୟ ବିଚାରଧାରା ଏଇଥିରୁ ସୃଷ୍ଟି। ଉଭୟେ ଥିଲେ ପ୍ରଚଣ୍ଡ ଦେଶପ୍ରେମୀ ଓ ନିଷ୍ଠାପର ହିନ୍ଦୁ। କିନ୍ତୁ ବିଚାର ଅଲଗା- ହିନ୍ଦୁ ଓ ହିନ୍ଦୁତ୍ୱ ଭଳି। ୟଙ୍ଗ୍ ଇଣ୍ଡିଆରେ ଗାନ୍ଧୀ ଲେଖିଛନ୍ତି : ମୋ ଧର୍ମକୁ ମୁଁ ନିଜ ସ୍ତ୍ରୀ ଭଳି ଭଲପାଏ। ଏହାର ଅର୍ଥ ନୁହେଁ ଯେ ମୋ ସ୍ତ୍ରୀ ଭଳି ମୋ ଧର୍ମରେ କୌଣସି ଦୋଷତ୍ରୁଟି ନାହିଁ ସେ ସବୁକୁ ସୁଧାରିବା ମୋର କର୍ତ୍ତବ୍ୟ। ଛାଡ଼ି ପଳାଇବା ନୁହେଁ କିଏ ସେ ପ୍ରକୃତ ହିନ୍ଦୁ? ଦି ଧାଡ଼ି ପଦ୍ୟରେ ଏହାର ସରଳ ଉତ୍ତର ଦେଇଛନ୍ତି ଉତ୍କଳମଣି ଗୋପବଂଧୁ। ‘‘ନିଜ ହିତ ଲାଗି ଜାତ ନୁହେଁ ହିନ୍ଦୁ - ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତବିନ୍ଦୁ’’ ପୁଣି ଲେଖିଛନ୍ତି: 
ଛାଡ଼ ଏବେ ମନୁ ଭେଦ ଅଭିମାନ 
ବେଦ କୋରାନରେ କର ସମଜ୍ଞାନ 
ହିନ୍ଦୁ ମୁସଲ୍‌ମାନ ବୌଦ୍ଧ ଖ୍ରୀଷ୍ଟିଆନ 
ଶିଖ ଜୈନ ସବୁ ଭାରତ ସନ୍ତାନ 
ଯେତେ ଧର୍ମ, ଯେତେ ବର୍ଣ୍ଣ, ଜାତି, କୁଳ 
ଭାରତ ଜନନୀ ସମସ୍ତଙ୍କ ମୂଳ।

ସାଭରକରଙ୍କ ହିନ୍ଦୁତ୍ୱ ପୁସ୍ତିକାର ପ୍ରାୟ ୨୦ବର୍ଷ ପୂର୍ବରୁ ସ୍ୱାମୀ ବିବେକାନନ୍ଦଙ୍କର ମହାପ୍ରୟାଣ ହୋଇଥିଲା। କିନ୍ତୁ ଏହି ମହାନ୍ ହିନ୍ଦୁ  ସନ୍ନ୍ୟାସୀ ତାଙ୍କ ଓଜସ୍ଵିନୀ ଭାଷଣ ମାଧ୍ୟମରେ ଅସଲି ହିନ୍ଦୁତ୍ୱର ପ୍ରଚାର ଓ ନକଲି ହିନ୍ଦୁତ୍ୱ ଉପରେ ବାରମ୍ବାର ପ୍ରହାର କରିଥିଲେ। କହୁଥିଲେ ଅସଲି ହିନ୍ଦୁ, ଧର୍ମ ପ୍ରଚାର ଓ ଧର୍ମପରିବର୍ତ୍ତନରେ ବିଶ୍ୱାସ କରେ ନାହିଁ। ନିଜ ବିଚାର ଧାରାକୁ ଅନ୍ୟ ଉପରେ ଲଦି ଦିଏ ନାହିଁ। ସେମିତି କୌଣସି ଧର୍ମ ଏତେ ସନ୍ଥ, ସନ୍ନ୍ୟାସୀ ଓ ଦାର୍ଶନିକ, ମୁନି, ଋଷିଙ୍କୁ ଜନ୍ମ ଦେଇନାହିଁ, ଏତେ ଶାସ୍ତ୍ର ରଚନା କରିନାହିଁ, ମୋକ୍ଷ ବା ମୁକ୍ତିକୁ ଜୀବନର ସର୍ବୋତ୍ତମ ଲକ୍ଷ୍ୟ ବୋଲି ଘୋଷଣା କରିନାହିଁ। କିନ୍ତୁ ତା ସହ ଅନ୍ୟ କୌଣସି ଧର୍ମରେ ଏତେ ଭେଦଭାବ, କୁସଂସ୍କାର, ଅନ୍ଧବିଶ୍ୱାସ, ରୀତି, ନୀତି, ଆନୁଷ୍ଠାନିକ ବିଧିବିଧାନ ନାହିଁ। ଏଗୁଡ଼ିକ ହିନ୍ଦୁଧର୍ମର ପ୍ରକୃତ ଆତ୍ମା ଓ ଶରୀରକୁ ଆବୃତ କରି ରଖିଛନ୍ତି।

ପରବର୍ତ୍ତୀ କାଳରେ ଦାର୍ଶନିକ ଓ ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ୍ ତାଙ୍କର ‘‘ହିନ୍ଦୁ ଜୀବନ ଦର୍ଶନ (୧୯୨୬) ପୁସ୍ତକରେ ଲେଖିଛନ୍ତି ହିନ୍ଦୁଧର୍ମ ବିବିଧ ବିଚାରଧାରାର ଏକ ସଂଘ ଯାହାଙ୍କୁ ଐକ୍ୟ ସୂତ୍ରରେ ବାନ୍ଧି ରଖିଛନ୍ତି ବେଦାନ୍ତ, ଉପନିଷଦ, ବ୍ରହ୍ମସୂତ୍ର ଓ ଭଗବତ୍‌ଗୀତା, ଆତ୍ମା, ପରମାତ୍ମା ଯୋଗ, ପ୍ରାଣାୟାମ, ଧ୍ୟାନ, ଧାରଣା ଓ ପୁନର୍ଜନ୍ମରେ ବିଶ୍ୱାସ ଏବଂ ଏହାର ସମୃଦ୍ଧ ତର୍କ-ବିତର୍କ ପରମ୍ପରା। ପ୍ରକୃତ ଅର୍ଥରେ ଏହା ଧର୍ମ ନୁହେଁବରଂ ଏକ ଜୀବନ ଶୈଳୀ। ଏଇଥିପାଇଁ ଗତ ତିନି ହଜାର ବର୍ଷ ହେଲା ଚୀନ୍, ଜାପାନ୍, ତିବ୍ବତ, ଥାଇଲାଣ୍ଡ, କାମ୍ବୋଡ଼ିଆ, ନେପାଳ, ଭୁଟାନ, ବର୍ମା, ଶ୍ରୀଲଙ୍କାରେ ବସବାସ କରୁଥିବା ପୃଥିବୀର ଅର୍ଧାଧିକ ଲୋକ ଭାରତକୁ ଆଧ୍ୟାତ୍ମିକ ଆଶ୍ରୟସ୍ଥଳ ବୋଲି ଭାବନ୍ତି। ଚାଇନିଜ୍ ବୌଦ୍ଧ ମାନେ ଭାରତକୁ କହନ୍ତି ଇଣ୍ଡୋରେନ୍ ଅର୍ଥାତ୍ ପ୍ରାଚୀନ ଦେବଭୂମି। ଜାପାନୀମାନେ କହନ୍ତି ‘‘ତେଂଜିକୁ’’ ବା ସ୍ୱର୍ଗ ପରି ଦେଶ। ସେଇ ଇଣ୍ଡୋରେନ୍ବା ତେଂଜିକୁପଛରେ ଥିବା ଉଦାର ବିଚାରଧାରା ହେଉଛି ହିନ୍ଦୁତ୍ୱର ପ୍ରକୃତ ପରିଚୟ। ସେଇଥିପାଇଁ ଦଲାଇଲାମା ଓ ତସ୍‌ଲିମା ନସରିନ୍ ଏଠାରେ ଆଶ୍ରୟ ନେଇଛନ୍ତି। ପାର୍ସୀ ଓ ଇହୁଦୀମାନେ ନିଜ ଦେଶ ଛାଡ଼ି ଏଠି ରହୁଛନ୍ତି। କାରଣ ଭାରତ ହିନ୍ଦୁ ରାଷ୍ଟ୍ର ନୁହେ- ହିନ୍ଦୁସ୍ତାନ। ଏଇଥିପାଇଁ ମୁସଲିମ ବହୁଳ କାଶ୍ମୀର, ଖ୍ରୀଷ୍ଟିଆନ ବହୁଳ ନାଗାଲାଣ୍ଡ ଓ ବୌଦ୍ଧ ବହୁଳ ସିକିମ୍ ଭାରତର ଅଙ୍ଗ ହୋଇ ରହିଛିରାମକୃଷ୍ଣ ପରମହଂସ କହୁଥିଲେ ସ୍ନେହୀ ମା ଯେମିତି ନିଜ ପିଲାଙ୍କ ରୁଚି ଅନୁସାରେ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପରଷିଥାନ୍ତି, ହିନ୍ଦୁ ବିଚାରଧାରା ଭିନ୍ନ ମତାବଲମ୍ବୀମାନଙ୍କ ବିଚାରକୁ ସମ୍ମାନ ଦେଇଥାଏ। ସେଇ ଦୃଷ୍ଟିରୁ ବସୁଧୈବ କୁଟୁମ୍ବକମ୍ ଓ ହିନ୍ଦୁରାଷ୍ଟ୍ର ମଧ୍ୟରେ ବିରୋଧାଭାଷ ରହିଚି। ଗାନ୍ଧୀ କହୁଥିଲେ ମୁଁ ଗୋ ରକ୍ଷାରେ ବିଶ୍ୱାସ କରେ କିନ୍ତୁ ଆଇନ୍ ଦ୍ୱାରା ମୋ ଧର୍ମର ଖାଦ୍ୟ ଅଭ୍ୟାସକୁ ଅନ୍ୟ ଧର୍ମାବଲମ୍ବୀଙ୍କ ଉପରେ ଲଦିବାକୁ ଚାହେଁ ନାହିଁ।

ଚର୍ଚ୍ଚରେ କ୍ୟାଣ୍ଡଲ ଜାଳିଲେ, ମସ୍‌ଜିଦ୍‌ ଆଗରେ ମଥା ନୁଆଁଇଲେ, ଗୁରୁଦ୍ୱାରରେ କରସେବା କଲେ, ଜଣେ ହିନ୍ଦୁର ହିନ୍ଦୁତ୍ୱ ଚାଲିଯାଏ ନାହିଁ। କିନ୍ତୁ ଲେଖକଙ୍କ ମୁହଁରେ କଳା ବୋଳିଲେ, କବିଙ୍କୁ କୁହାଇ ନଦେଲେ, ସଙ୍ଗୀତଜ୍ଞଙ୍କୁ ଗାଇବାକୁ ନଦେଲେ, ହେତୁବାଦୀଙ୍କୁ ହତ୍ୟା କଲେ ଅସଲି ହିନ୍ଦୁତ୍ୱର ମର୍ଯ୍ୟାଦା ନଷ୍ଟ ହୁଏ। ସେମିତି ଯେଉଁ ମୁସଲମାନଙ୍କ ବିଚାର ଓ ଅଭ୍ୟାସ ଆମ ଠାରୁ ଭିନ୍ନ, ତାଙ୍କୁ ପାକିସ୍ତାନୀ କହିବା ଏବଂ ତାଙ୍କ ଜନସଂଖ୍ୟା ବୃଦ୍ଧି ବିରୁଦ୍ଧରେ କହିବା ଦ୍ୱାରା ହିନ୍ଦୁତ୍ୱର ସମ୍ମାନ ବଢ଼ିଯାଏ ନାହିଁ। ଜନସଂଖ୍ୟା ବୃଦ୍ଧିର ଅର୍ଥନୈତିକ କାରଣ, ଗରିବୀ ଓ ନିରକ୍ଷରତା। ଏମିତି ହିନ୍ଦୁଙ୍କ ଅପେକ୍ଷା ମୁସ୍‌ଲିମ୍‌ ସଂପ୍ରଦାୟରେ ଗରିବ ଓ ନିରକ୍ଷରଙ୍କ ସଂଖ୍ୟା ଅଧିକ ଏବଂ ମହିଳାଙ୍କ ସାମାଜିକ ସ୍ଥିତି ଅଧିକ ଦୁର୍ବଳ। ଜନସଂଖ୍ୟା ବୃଦ୍ଧି ସହ ଧର୍ମର ସମ୍ପର୍କ ନାହିଁ।

ଅସଲି ହିନ୍ଦୁତ୍ୱ କେବେହେଲେ ନୂଆ ବିଚାର ଧାରାର ଗଳା ଚିପି ନାହିଁ। ବରଂ ବୌଦ୍ଧ, ଜୈନ ଓ ଶିଖ ଭଳି ତିନିଟି ନୂଆ ଧର୍ମକୁ ଜନ୍ମ ଦେଇଛି, ଇସ୍‌ଲାମ ଓ ଖ୍ରୀଷ୍ଟିଆନିଟିକୁ ପ୍ରଭାବିତ କରିଛି। ଯେମିତି ବ୍ରାହ୍ମଣ ଓ ବ୍ରାହ୍ମଣବାଦ ଅଲଗା, ସମାଜବାଦ ଓ ସମାଜବାଦୀ ଅଲଗା, ମାର୍କ୍ସ ଓ ମାର୍କ୍ସବାଦୀ ଅଲଗା, ଧର୍ମ ଓ ଧର୍ମାନ୍ଧତା ଅଲଗା, ଖିର ଓ ପାଣି ଅଲଗା ସେମିତି ହିନ୍ଦ୍ ଓ ହିନ୍ଦୁତ୍ୱ ଅଲଗା। ହିନ୍ଦୁମାନଙ୍କର କୌଣସି ନିର୍ଦ୍ଦିଷ୍ଟ ଧର୍ମ ପ୍ରବର୍ତ୍ତକ ବା ପ୍ରଫେଟ୍ ନାହାନ୍ତି, ଯୀଶୁ, ମହମ୍ମଦ, ବୁଦ୍ଧଙ୍କ ଭଳି। ନିର୍ଦ୍ଦିଷ୍ଟ ଏକ ଦେବତା, ଧର୍ମଗ୍ରନ୍ଥ ବା ଏକପ୍ରକାର ଧାର୍ମିକ ରୀତିନୀତି ନାହିଁ। ଅଷ୍ଟମ ଶତାବ୍ଦୀରୁ କ୍ରମାଗତ ଆକ୍ରମଣ, ଲୁଣ୍ଠନ, ବିଦେଶୀ ଶାସନ ଓ ସଂସ୍କୃତିର ପ୍ରଭାବ ସତ୍ତ୍ୱେ ଭାରତରେ ଅଛନ୍ତି ଶତକଡ଼ା ୮୪ ଭାଗ ହିନ୍ଦୁ ଏବଂ ପୃଥିବୀରେ ଖ୍ରୀଷ୍ଟିଆନ୍ ଓ ମୁସଲିମ୍‌ଙ୍କ ପରେ ଜନସଂଖ୍ୟା ଦୃଷ୍ଟିରୁ ତୃତୀୟ ସ୍ଥାନରେ ଅଛନ୍ତି ହିନ୍ଦୁ। ଏହା ସମ୍ଭବପର ହୋଇଛି ଏହି ଧର୍ମର ଅନ୍ତର୍ମୁଖୀ ବିଚାରଧାରା ଯୋଗୁଁ। ବୈଦିକ ଯୁଗରେ ହିନ୍ଦୁମାନଙ୍କର ମନ୍ଦିର ବି ନଥିଲା। ଜ୍ଞାନୀ ଓ ଧାର୍ମିକ ବ୍ୟକ୍ତିଙ୍କର ସଂଜ୍ଞା ଥିଲା-ଯେ ସମସ୍ତଙ୍କୁ ନିଜ ଭିତରେ ଓ ନିଜକୁ ସମସ୍ତଙ୍କ ଭିତରେ ଦେଖିଥାନ୍ତି - ମହାତ୍ମା ସର୍ବଭୂତାତ୍ମା। ଗାନ୍ଧୀ ଥିଲେ ଏଇ ଉଦାରପନ୍ଥୀ ହିନ୍ଦୁତ୍ୱ ବିଚାରଧାରାର ପ୍ରତୀକ। ସେ କହୁଥିଲେ ଅହିଂସା, ସହିଷ୍ଣୁତା ଓ ଜୀବେ ଦୟା ଉପରେ ପ୍ରତିଷ୍ଠିତ ପ୍ରକୃତ ହିନ୍ଦୁତ୍ୱର କୌଣସି ଭୌଗୋଳିକ ସୀମା ନାହିଁ। ଅପରପକ୍ଷେ ଗଡ୍‌ସେ ଥିଲେ ଦେଶପ୍ରେମୀ କିନ୍ତୁ କଠୋରପନ୍ଥୀ ହିନ୍ଦୁ। ନେହେରୁଙ୍କର ଈଶ୍ୱର ଓ ଧର୍ମ ଉପରେ ଆସ୍ଥା ନ ଥିଲା। ତେବେ ଗଡ୍‌ସେ ହେତୁବାଦୀ ନେହେରୁଙ୍କୁ ନ ମାରି ଧାର୍ମିକ ହିନ୍ଦୁ ଗାନ୍ଧୀଙ୍କୁ ମାରିଲେ କାହିଁକି? କାରଣ ଜୟ ହିନ୍ଦ୍ଦର୍ଶନକୁ ହତ୍ୟା ନ କଲେ ଜୟ ହିନ୍ଦୁବିଚାରର ବିକାଶ ହୋଇପାରିବ ନାହିଁ।