ମଧ୍ୟପ୍ରଦେଶର ବ୍ୟାପମ୍ ଦୁର୍ନୀତି ଉପରେ ଏବେ ଦେଶବ୍ୟାପୀ
ଚର୍ଚା। ତାହା ଏକ ହିନ୍ଦୀ ଭାଷୀ ରାଜ୍ୟ ଓ ସେଠାରେ
ଜାତୀୟ ଗଣମାଧ୍ୟମର ପ୍ରତିନିଧିମାନେ ଥିବାରୁ ଏହା ସମ୍ଭବ ହେଉଛି। ହେଲେ ଓଡ଼ିଶାରେ ସ୍ଥିତି ଭିନ୍ନ ପ୍ରକାର ହୋଇଥିବାରୁ ଓଡ଼ିଶାର ଗୁମର ଜାତୀୟ ସ୍ତରରେ
ଚର୍ଚାକୁ ଆସି ପାରୁ ନାହିଁ। ସମ୍ଭବତଃ ଏହାର ଫାୟଦା ଉଠାଇଚାଲିଛି ରାଜ୍ୟ ପ୍ରଶାସନ।
ଓଡ଼ିଶାର ବିଭିନ୍ନ ସରକାରୀ ଡାକ୍ତରଖାନାରେ ଅବସ୍ଥାପିତ ୬୧୩
ଜଣ ଡାକ୍ତର ନିଖୋଜ ଥିବା ନେଇ ଓଡ଼ିଶା ସରକାରଙ୍କର ସ୍ଵାସ୍ଥ୍ୟ ବିଭାଗ ୧ ଜୁନ୍ ୨୦୧୫(ସୋମବାର)ରେ କେତେକ ଆଗଧାଡ଼ିର ଖବରକାଗଜରେ
ବିଜ୍ଞପ୍ତି ପ୍ରକାଶ କରିଥିଲେ। ସେଥିରେ ଦର୍ଶାଯାଇଥିଲା ଯେ ନିଖୋଜ ଡାକ୍ତରଙ୍କ ଠିକଣା ମିଳୁ
ନଥିବାରୁ ସେମାନଙ୍କୁ ବ୍ୟକ୍ତିଗତ ଭାବେ ନୋଟିସ୍ ଦିଆଯାଇପାରି ନାହିଁ। ଏଣୁ ନିଜର ପକ୍ଷ ରଖିବା
ସହ ନିଖୋଜ ହେବାର କାରଣ ଦର୍ଶାଇବାକୁ ୨୦ ଦିନ ମହଲତ ଦିଆଯାଇଥିଲା। ଏପରିକି ଜଣେ ଅତିରିକ୍ତ ସଚିବଙ୍କୁ
ଫୋନ୍ରେ ଯୋଗାଯୋଗ କରିବାକୁ ସେହି ବିଜ୍ଞପ୍ତିରେ ପରାମର୍ଶ ଦିଆଯାଇଥିଲା। ଆଉ ଯେଉଁମାନେ ଯୋଗାଯୋଗ ନ କରିବେ, ସେମାନଙ୍କ ବିରୋଧରେ ଚିଠା ଅଭିଯୋଗକୁ ଚୂଡ଼ାନ୍ତ ବିବେଚନା କରି କାର୍ଯ୍ୟାନୁଷ୍ଠାନ
ନିଆଯିବାର ସୂଚନା ଥିଲା।
କେବଳ ୪ଟି ଖବରକାଗଜରେ ଏତେ ବଡ଼ ବଡ଼ ବିଜ୍ଞପ୍ତି ଦିଆଯାଇଛି, ଯାହାକି କେବଳ ଦୁଇ ଦିନ ପରେ ସମସ୍ତେ ଭୁଲିଯାଇଥିବେ, ଅଥବା ଅନେକ ପାଠକ ପଢ଼ି ବି ନଥିବେ। କିନ୍ତୁ ସେହି ବିଜ୍ଞପ୍ତିକୁ ଆଧାର କରି ଆମ୍ଭେ କେତେକ ମୌଳିକ ପ୍ରଶ୍ନ ଉଠାଇଛୁ, ଯାହାକି କୌଣସି ଶିକ୍ଷିତ ଓ ସଚେତନ ନାଗରିକଙ୍କ ଠାରେ ପ୍ରତିକ୍ରିୟା ସୃଷ୍ଟି କରିବା ସହ ଅନୁସନ୍ଧାନ ପାଇଁ ଖୋରାକ ଯୋଗାଇବାକୁ ଯଥେଷ୍ଟ।
୧. ସ୍ଵାସ୍ଥ୍ୟ ବିଭାଗ ନିଜ ୱେବ୍ସାଇଟ୍ରେ ସଂପୂର୍ଣ ତାଲିକା ପ୍ରକାଶ କରି କେବଳ ଧ୍ୟାନ ଆକର୍ଷଣ ପାଇଁ ଦେଖିହେଲା ଭଳି ଅକ୍ଷରରେ ବିଜ୍ଞପ୍ତିର ମୁଖ୍ୟସୂଚନା ଟିକକ ଖବରକାଗଜରେ ପ୍ରକାଶ କରିବା କଥା। କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷ ଏଭଳି କାହିଁକି କରି ନାହାନ୍ତି?
୨. ଓଡ଼ିଆ ଭାଷାରେ ପ୍ରାଶାସନିକ କାର୍ଯ୍ୟ ସଂକ୍ରାନ୍ତେ ଏତେ ହଟଚମଟ ହେଲା ପରେ ବି ସଂପୃକ୍ତ ସ୍ଵାସ୍ଥ୍ୟ ସଚିବ, ଏହି ଚର୍ଚିତ ବିଜ୍ଞପ୍ତିକୁ ଇଂଲିଶ୍ରେ ପ୍ରକାଶ କରି, ସଚେତନ ନାଗରିକଙ୍କ ସନ୍ଦେହ ଘେରକୁ ଆସିଛନ୍ତି। ଏତେ ଛୋଟ ଅକ୍ଷରରେ ତାଲିକା ରହିଛି ଯେ ତାହାକୁ କେବଳ ଯବକାଚ ଦ୍ଵାରା ହିଁ ପଢ଼ି ହେବ। ଅନେକ ନାଗରିକଙ୍କ ଧ୍ୟାନ ଏଡ଼ାଇଯିବାକୁ ଏପରି କରାଯାଇନି କି?
୩. ଆମ ଦେଶର ପ୍ରାଶାସନିକ ପରଂପରା ଅନୁସାରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ବାପାଙ୍କ ନାମ ସହିତ ଚିହ୍ନଟ କରାଯାଏ। ନଚେତ୍ ସାଂପ୍ରତିକ ବ୍ୟବସ୍ଥା ଅନୁସାରେ ଭୋଟର ପରିଚୟ କ୍ରମାଙ୍କ ଦିଆଯାଇପାରେ। ଅନ୍ୟ ପକ୍ଷରେ ମଣିଷଙ୍କୁ ଚିହ୍ନଟ କରିବା ପାଇଁ ତାଙ୍କର ଷ୍ଟାଂପ୍ ଆକାରର ସଦ୍ୟତମ ଫଟୋ ଲଗାଇବାର ପରମ୍ପରା ଏହି ଶତାବ୍ଦୀରେ ବିକଶିତ ହୋଇଛି। ଏହି ତିନିଟି ଯାକ ଉପାୟରୁ କୌଣସି ଗୋଟିଏ ବି ଉପାୟ ବିଭାଗୀୟ କର୍ତ୍ତୃପକ୍ଷ ଅବଲଂବନ କରିନାହାନ୍ତି। ନିଜ ୱେବ୍ସାଇଟ୍ର ଡାଟାବେସ୍ରେ ଏସବୁ ବେଶ୍ ସହଜରେ ସ୍ଥାନିତ ହୋଇପାରିଥାଆନ୍ତା। ତେଣୁ ବିଭାଗୀୟ ପ୍ରଶାସନ ଏକ ତ୍ରୁଟିପୂର୍ଣ ତାଲିକା ପ୍ରକାଶ କରି ନିଖୋଜ ସରକାରୀ ଡାକ୍ତରମାନଙ୍କୁ ତାଗିଦ୍ କରିବା ବଦଳରେ ସମ୍ମାନ ରକ୍ଷାର ଡିଲ୍ କରିଛନ୍ତି କି?
୪. ଡାକ୍ତରମାନଙ୍କୁ ସମାଜରେ ସର୍ବାଧିକ ମର୍ଯ୍ୟାଦା ମିଳିଥାଏ। ଆଉ ସେମାନେ ନିଖୋଜ ହୋଇଯିବା ଏବଂ ବିଭାଗ ଚୁପ୍ ବସିବାଟାକୁ ଏକ ପିଲାଳିଆମି କୁହାଯିବ ନାହିଁ କି? କାରଣ ଏମାନେ ନିଖୋଜ ହେବା ନେଇ ସ୍ଵାସ୍ଥ୍ୟ ବିଭାଗ ସ୍ଥାନୀୟ ଥାନାରେ କୌଣସି ଏତଲା ଦେଇ ନାହିଁ। ତେଣୁ ଏହା ଏକ ଯୋଜନାବଦ୍ଧ ଜାଲିଆତି ନୁହେଁ କି?
୫. ବିଭାଗୀୟ ୱେବ୍ସାଇଟ୍ରେ ନାମତାଲିକା ରହିଥିଲେ, ସେଗୁଡ଼ିକ ସମୟକୁ ସମୟ ଅଦ୍ୟତନ କରାଯାଇପାରିଥାଆନ୍ତା। ଅର୍ଥାତ୍ କିଏ କିଏ ସ୍ପଷ୍ଟୀକରଣ ଦେଇପାରିଲେ, ଅଥବା କିଏ ପୁଣି ଚାକିରିକୁ ଫେରିଲେ, ଏସବୁ କଥା ଜଣାପଡ଼ିଥାଆନ୍ତା। କିନ୍ତୁ ବିଭାଗୀୟ ପ୍ରଶାସନ ଏପରି କାହିଁକି ଆଜି ସୁଦ୍ଧା କରି ନାହାନ୍ତି?
୬. ତାଲିକାରେ ଅନେକ ନକଲି ନାମ ରହିଥିବା ଭଳି ଲାଗୁଛି। ଅନେକ ନାମ ଓଡ଼ିଶା ବାହାରର ବ୍ୟକ୍ତିଙ୍କର ଭଳି ସ୍ପଷ୍ଟ ବାରି ହେଉଛି। ତେଣୁ ସେମାନଙ୍କୁ ସରକାରୀ ଅଭିଜ୍ଞତା କରାଇଦେବା ଆଳରେ ଏକ ରାକେଟ୍ କାମ କରୁଥିବା ସନ୍ଦେହ ହେଉ ନାହିଁ କି?
୭. ସ୍ଵାସ୍ଥ୍ୟ ବିଭାଗର ନିଶ୍ଚିତ ରୂପେ ମାନବ ସମ୍ବଳ ପରିଚାଳନା ଅନୁବିଭାଗ ରହିଥିବ ଏବଂ ତାହାଦ୍ଵାରା ଡାକ୍ତରମାନଙ୍କର ସଂପୂର୍ଣ ଡାଟାବେସ୍ ନିଶ୍ଚିତ ଥିବ। ଯେଉଁ ଡାଟାବେସ୍ରେ ସଂପୃକ୍ତ ଡାକ୍ତରଙ୍କ ଜନ୍ମତାରିଖ ମଧ୍ୟ ରହିଥିବ। ତାହା ପ୍ରକାଶ ପାଇଥିଲେ, ବୁଝାପଡ଼ିଥାଆନ୍ତା ଯେ ଏମାନେ ଯୁବକ କି ବୟସ୍କ। ଅର୍ଥାତ୍ କେତେ ବର୍ଷ ବୟସରେ ସେମାନେ ରାଜ୍ୟସରକାରଙ୍କୁ ଠକି ଦେଇ ନିରୁଦ୍ଦିଷ୍ଟ ହୋଇଗଲେ? ଏହା ପ୍ରତି କ’ଣ ବିଭାଗୀୟ ପ୍ରଶାସନ ସଚେତନ ନୁହନ୍ତି?
୮. ଇ-ଗଭର୍ନାନ୍ସ୍ ଯଦି ସରକାରଙ୍କର ଚାଲୁଥାଆନ୍ତା, ତେବେ ସମସ୍ତଙ୍କୁ ସରକାରୀ ଇମେଲ ଆଇଡ଼ି ମିଳିଥାଆନ୍ତା। ଏପରିକି ବ୍ୟକ୍ତିଗତ ଇମେଲ୍ ଆଇଡ଼ି ମଧ୍ୟ ସେହି ମାନବ ସମ୍ବଳ ପରିଚାଳନା ଅନୁଭାଗ ଡାଟାବେସ୍ରେ ଥାଆନ୍ତା। ଯଦି ଏସବୁ କିଛି ନାହିଁ, ତେବେ ଏହା କ’ଣ ସ୍ଵାସ୍ଥ୍ୟସେବା ପାଇଁ ଉଦ୍ଦିଷ୍ଟ ବିଭାଗୀୟ ପ୍ରଶାସନର ଅପାରଗତା ନୁହେଁ କି?
୯. ପେସାଦାର ଡାକ୍ତର ରୂପେ କାର୍ଯ୍ୟ କରିବା ପାଇଁ ଆମ ଦେଶରେ ଆନୁଷ୍ଠାନିକ ଅନୁମତି ଦେଉଥିବା ଶୀର୍ଷ ପରିଷଦଟି ହେଉଛି ମେଡ଼ିକାଲ କାଉନସିଲ୍ ଅଫ୍ ଇଣ୍ଡିଆ। କହିବା ବାହୁଲ୍ୟ, ବିଭାଗ ଯଦି ସତରେ ଜନତାଙ୍କ ପାଇଁ କାର୍ଯ୍ୟ କରୁଛି, ତେବେ ନିଖୋଜ ଡାକ୍ତରମାନଙ୍କ ଏମ୍.ସି.ଆଇ. କୋଡ଼୍ କାହିଁକି ପ୍ରକଟ କରି ନାହାନ୍ତି?
୧୦. ପ୍ରତି ବର୍ଷ ଏଭଳି ଡାକ୍ତରମାନେ ନିଖୋଜ ହେଉଛନ୍ତି। ଅଥଚ ବିଭାଗୀୟ ପ୍ରଶାସନ କୌଣସି ସତର୍କତାମୂଳକ ପଦକ୍ଷେପ ନେଇ ନାହିଁ କି ସେମାନଙ୍କ ସ୍ଥାୟୀ ଠିକଣା ବା ସହର ଠିକଣା ମଧ୍ୟ କାହିଁକି ରଖୁ ନାହିଁ।
ଏପରିକି ଡାକ୍ତରମାନଙ୍କ ମୋବାଇଲ ନମ୍ବର ଓ ପୈତୃକ ବାସସ୍ଥାନ ଠିକଣା ଯଦି ପ୍ରକାଶ ପାଇଥାଆନ୍ତା, ତେବେ ସେମାନେ ଲୁଚିଲୁଚି ଅନ୍ୟତ୍ର ପଳାଇଯାଇଛନ୍ତି କି ବିଭାଗର ଜାଣତରେ ସବୁ କିଛି ହୋଇଛି, ତାହା ଜଣାପଡ଼ି ଥାଆନ୍ତା। ଦୁଃଖର କଥା ଯେ ଏହି ଗାଣତନ୍ତ୍ରିକ ରାଷ୍ଟ୍ରରେ ଗଣମାଧ୍ୟମର ସହଯୋଗ ଅବା ନାଗରିକ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ସୁଯୋଗ ଛାଡ଼ି ନାହାନ୍ତି।
ଏଭଳି ସୂଚନାକୁ ଟିଭି ଚ୍ୟାନେଲରେ ପ୍ରସାର କରିବା ପାଇଁ ମଧ୍ୟ ପ୍ରଶାସନ କୌଣସି ବ୍ୟବସ୍ଥା କରି ନାହିଁ। ବରଂ ଖବରକାଗଜରୁ ବିଜ୍ଞପ୍ତି ଦେଖି ଟିଭିବାଲା ଦିନଟେ ଖବର ପ୍ରସାର କରି ନିଜ ଦାୟିତ୍ଵ ସାରି ଦେଇଛନ୍ତି। ଓଡ଼ିଶାର ସ୍ଵାସ୍ଥ୍ୟ ବିଭାଗର ସଂପୃକ୍ତ ଉତ୍ତପଦାଧିକାରୀ ଉପରୋକ୍ତ ପ୍ରଶ୍ନଗୁଡ଼ିକର ଉପଯୁକ୍ତ ଜବାବ ଦେବାକୁ ଆମ୍ଭେ ଆହ୍ଵାନ କରୁଛୁ।
(‘ସଂଚାର’ ୨୨ ଅଗଷ୍ଟ ୨୦୧୫, ଶନିବାରର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ)
http://odiapila.blogspot.in/2015/06/absconded-doctors-of-odisha_22.html
bimal.odisha@yahoo.in
कोई टिप्पणी नहीं:
एक टिप्पणी भेजें