11 मई 2016

କାହାପାଇଁ ଖାଦ୍ୟ ଆୟୋଗ

୮ ମେ ୨୦୧୬, ସୋମବାର ଘୋଷିତ ହେଲା ଓଡ଼ିଶାର ପ୍ରଥମ ଖାଦ୍ୟ ଆୟୋଗ (Odisha Food Commission)ର ଅଧ୍ୟକ୍ଷ ଓ ୨ଜଣ ସଦସ୍ୟଙ୍କ ନାମ। ସରକାରୀ ବିଜ୍ଞପ୍ତିକୁ ଉଦ୍ଧାର କରି ଗଣମାଧ୍ୟମ ପ୍ରକାଶ/ପ୍ରସାର କଲା ଯେ ଏହି ଆୟୋଗର ଅଧ୍ୟକ୍ଷ ପାଇବେ ମୁଖ୍ୟଶାସନ ସଚିବ (Chief Secretary) ପାହ୍ୟାର ମର୍ଯ୍ୟାଦା ଏବଂ ଦୁଇ ଜଣ ସଦସ୍ୟ ପାଇବେ ପ୍ରମୁଖ ସଚିବ (Principal Secretary) ପାହ୍ୟାର ମର୍ଯ୍ୟାଦା। ମର୍ଯ୍ୟାଦା ଅର୍ଥ ସମାନପ୍ରକାର ଦରମା, ଭତ୍ତା ଓ ବିପୁଳ ସୁବିଧାସୁଯୋଗର ରାଜସୁଖ। ଅସଲ କଥାଟି ହେଲା, ସରକାରଙ୍କ ଠାରୁ ତିନିଜଣଯାକ କ’ଣ ପାଇବେ, ତାହା ଗଣମାଧ୍ୟମ କହିଲା। କିନ୍ତୁ ଗଣ ବା ଜନତା ସେହି ତିନି ଜଣଙ୍କ ଠାରୁ କ’ଣ ପାଇବେ, ତାହା କୌଣସି ଗଣମାଧ୍ୟମ କହିଲେ ନାହିଁ। 

ଓଡ଼ିଶାରେ ପ୍ରଥମ କରି ଖାଦ୍ୟ ଆୟୋଗ ଗଢ଼ା ହେଲା, ଅଥଚ କୌଣସି ଗଣମାଧ୍ୟମ ସ୍ଵତନ୍ତ୍ର ପୃଷ୍ଠା, ସ୍ଵତନ୍ତ୍ର ଆଲ୍ଲେଖ୍ୟ ଅବା ସଂପାଦକୀୟ ଲେଖ ଅବା ଅଧାଘଣ୍ଟିଆ ଅବା ଘଣ୍ଟାକିଆ ଆଲୋଚନା ପ୍ରସାର କରି ନାହାନ୍ତି। ବୋଧହୁଏ ଓଡ଼ିଶା ଗଣମାଧ୍ୟମ ଜାଣେ ଯେ ଏଭଳି ଖାଦ୍ୟ ଆୟୋଗ ଦ୍ଵାରା ରାଜ୍ୟବାସୀଙ୍କର କୌଣସି ଉପକାର ହେବ ନାହିଁ। ତେଣୁ ସ୍ଵତନ୍ତ୍ର ଧ୍ୟାନ ଦେଲେ କେତେ ନଦେଲେ କେତେ?

ଅନ୍ୟ ପକ୍ଷରେ ବିଜ୍ଞାପନରେ ଯେତେ ବଡ଼ ବଡ଼ ସର୍ତ ସବୁ ବାହାରିଥିଲା, ସେଗୁଡ଼ିକ ଫୁ ହୋଇଗଲା। ଶେଷକୁ ସେଇ ଅବସରପ୍ରାପ୍ତ ଚାକିରିଆଙ୍କୁ ପୋଷା ହେଲା। ପ୍ରଫେସର ସିପ୍ରା ମଲ୍ଲିକ କେବଳ ଏକ ବ୍ୟତିକ୍ରମ। ପ୍ରଥମତଃ ତାଙ୍କର ଅବସର ବୟସ ହୋଇନାହିଁ, ଦ୍ଵିତୀୟତଃ ସେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟିକା, ତୃତୀୟତଃ ସେ ଅନୁସୂଚିତ ଜାତିର ଏବଂ ଚତୁର୍ଥତଃ ଅଧ୍ୟାପନାର ଦୀର୍ଘକାଳର ଅଭିଜ୍ଞତା ରହିଛି। ତେବେ ଅବସରପ୍ରାପ୍ତ ଚାକିରିଆଙ୍କୁ ପୁଣି ଚାକିରିରେ ଥଇଥାନର ଅର୍ଥ କ’ଣ? ଅବସର ବା Retirementର ସଂଜ୍ଞା କ’ଣ? ଜଣେ ଚାକିରିଆ ପ୍ରାୟତଃ ୬୦ ବର୍ଷ ବୟସ ପରେ ଉଭୟ ଶାରୀରିକ ଓ ମାନସିକ ଭାବରେ ଅଧିକ କର୍ତବ୍ୟ କରିବାକୁ ଅସମର୍ଥ ହୋଇଥାଆନ୍ତି ବୋଲି ଆମ ଦେଶରେ ଅବସରଗ୍ରହଣର ବୟସ ୬୦ ଧାର୍ଯ୍ୟ କରାଯାଇଛି। ତଥାପି ଦୁଇଜଣ ଅବସରପ୍ରାପ୍ତ ବ୍ୟକ୍ତିଙ୍କୁ ପୁଣି ଥଇଥାନ କରିବାର ଉଦ୍ଦେଶ୍ୟ ବୋଧହୁଏ ସେୟା, ଯାହା ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନ ଅଧ୍ୟକ୍ଷଙ୍କ ଠାରୁ ୨୦୧୬ ଏପ୍ରିଲ ୨୮ ତାରିଖରେ ରାଜ୍ୟବାସୀ ପାଇଛନ୍ତି।

ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଜଣେ ପୂର୍ବତନ ପ୍ରଶାସକ (IAS) ଏବଂ ଅନୁସୂଚିତ ଜନଜାତି ବର୍ଗର। କିନ୍ତୁ ସେ କ’ଣ ଜନଜାତିମାନଙ୍କ ଖାଦ୍ୟ ଜଡ଼ିତ ସ୍ଵାର୍ଥକୁ ସୁରକ୍ଷା ଦେଇପାରିବେ? ଜନଜାତିମାନଙ୍କ ବିକାଶ ଓ ସ୍ଵାର୍ଥ ପାଇଁ ଆଜିସୁଦ୍ଧା କୌଣସି ଜନଜାତି ନେତା କାର୍ଯ୍ୟ କରି ନାହାନ୍ତି। ଏହା ଇତିହାସରେ ବହୁବାର ପ୍ରମାଣିତ। ଜନଜାତିବହୁଳ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡରେ ଜନଜାତି ମୁଖ୍ୟମନ୍ତ୍ରୀମାନେ ବାରମ୍ବାର ବିଫଳ ହେବା ପରେ ଶେଷରେ ଜଣେ ଅଣ-ଜନଜାତି ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଯିବା ପରେ ରାଜ୍ୟ ଚାଲିଛି। ସଂପ୍ରତି ଓଡ଼ିଶାରେ ଜନଜାତିମାନଙ୍କ ସ୍ଵାର୍ଥ ପାଇଁ ଯେତେ ବ୍ୟକ୍ତି ସ୍ଵର ଉଠାଉଛନ୍ତି, ଲେଖୁଛନ୍ତି, ନେତୃତ୍ଵ ନେଉଛନ୍ତି, ସମସ୍ତେ ଅଣଜନଜାତି ବର୍ଗର। ପ୍ରଖ୍ୟାତ ମନୋବିଜ୍ଞାନୀ ଚିତ୍ତରଂଜନ ଦାସଙ୍କ ଭାଷାରେ ଜନଜାତି ବର୍ଗର ରୋଜଗାରିଆ ବା ଚାକିରିଆମାନେ ଜଣେ ଜଣେ ଦିକୁ। ସାନ୍ତାଳୀ ଶବ୍ଦ ‘ଦିକୁ’ ଅର୍ଥ ସାହେବ। ପ୍ରତ୍ୟେକ ଦିକୁ ନିଜ ଜାତିର ଲୋକମାନଙ୍କ ଠାରୁ ଦୂରେଇଯିବାରେ ଆନନ୍ଦ ପାଏ ଏବଂ ତାହାକୁ ଜୀବନର ସଫଳତା ମଣେ। ଖାଦ୍ୟ ଆୟୋଗର ଅଧ୍ୟକ୍ଷ ରଙ୍ଗଲାଲ ଜାମୁଡ଼ା ମଧ୍ୟ ସେଥିରୁ ଭିନ୍ନ ନୁହନ୍ତି।

ଖାଦ୍ୟ ଆୟୋଗ ଏକ ଅପିଲେଟ୍‌ କର୍ତ୍ତୃପକ୍ଷ। ଏହା ବ୍ୟତୀତ ବିଭିନ୍ନ ପ୍ରାସଙ୍ଗିକ ମୁଦ୍ଦାରେ ସ୍ଵତଃପ୍ରବୃତ୍ତ (Proactive) ମୁଣ୍ଡ ପୂରାଇବା ଏବଂ ଆଦେଶନାମା (Order) ଜାରି କରିବା କ୍ଷମତା ଏହି ଆୟୋଗର ରହିଛି। କିନ୍ତୁ ଏହି କ୍ଷମତାଗୁଡ଼ିକର କସରତ ଆୟୋଗ କରିବ ନାହିଁ। କାରଣ ସେପରି କଲେ ସରକାର ଅଡ଼ୁଆରେ ପଡ଼ିବାର ଆଶଙ୍କା ରହିଛି। ତେଣୁ ସରକାରଙ୍କୁ ସୁରକ୍ଷା ଦେବାକୁ ଆୟୋଗ ଜଗି ରହିବ। ତେବେ ଓଡ଼ିଶାରେ ଜନଜାତିମାନଙ୍କ ସ୍ଵାର୍ଥ ବା ନିର୍ଦିଷ୍ଟ ଭାବରେ ଖାଦ୍ୟ ଅଧିକାର ପାଇଁ କାମ କରୁଥିବା ହଜାର ହଜାର ସମାଜକର୍ମୀଙ୍କ ଟାର୍ଗେଟ୍‌ରୁ ଖସି ଯାଇପାରିବେ ନାହିଁ। ଗୀତାରେ କୁହାଯାଇଛି, ‘‘ଯାହା ହେଉଛି, ଭଲ ହେଉଛି।’’ କାରଣ ସରକାର ଯେଉଁ ମାପକାଠିରେ ଶ୍ରୀ ଜାମୁଡ଼ାଙ୍କୁ ଅଧ୍ୟକ୍ଷ କରିଥାଆନ୍ତୁ ନା କାହିଁକି, ଏବେ ରାଜ୍ୟବାସୀ ତଥା ପଣ୍ଡିତମାନେ ସ୍ପଷ୍ଟ ଭାବରେ ଜାଣିବାର ସୁଯୋଗ ପାଇବେ ଯେ ଜଣେ ଜନଜାତି ବର୍ଗର ଦିକୁ କିପରି ଜନଜାତିଙ୍କ ସ୍ଵାର୍ଥ ସପକ୍ଷରେ କିଛି କରିବାକୁ ଅରାଜି ବା ଅସମର୍ଥ। ଏହା ପ୍ରମାଣିତ ହେଲେ ତାଙ୍କର ଅନ୍ୟତମ ପରିଚୟ ଗୋଷ୍ଠୀ IAS ମାନଙ୍କୁ ମଧ୍ୟ ଅପମାନ ହେବ।

ଅନ୍ୟତମ ସଦସ୍ୟ ମନୋଜ ପଣ୍ଡା ହେଉଛନ୍ତି ରାଜ୍ୟ ସରକାରଙ୍କ ଆଶଙ୍କା ଓ ଆତ୍ମରକ୍ଷାର ଏକ ନଗ୍ନ ନମୁନା। ସେ CBI ଅଦାଲତରେ ବିଚାରପତି ଥିଲେ ଏବଂ ସରକାରଙ୍କୁ ଚିଟ୍‌ଫଣ୍ଡ୍‌ ମହାଠକେଇ ରୂପକ ମହାକଳଙ୍କରୁ ଉଦ୍ଧାର କରିବାରେ ସାହାଯ୍ୟ କରିବେ। କାରଣ ସେହି ମାମଲାକୁ CBI ଘାଣ୍ଟୁଛି ୨୦୧୪ ମସିହାରୁ। ତେବେ ଏହି ସଦସ୍ୟପଦ ହାସଲଟା ଶ୍ରୀ ପଣ୍ଡାଙ୍କ ଲୋଭ କି ଲାଭ ତାହା ଖୁବ୍‌ ଶୀଘ୍ର ଧରାପଡ଼ିଯିବ। ଓଡ଼ିଶାରେ ବିହାର-ପଶ୍ଚିମବଂଗ ଭଳି ଭୟଙ୍କର ରାଜନୀତି ଯେ ଅଭିନୀତ ହେବାକୁ ଯାଉଛି, ତାହା ଏହି ସଦସ୍ୟ ପଦ ଚୟନରୁ ଜଳଜଳ ଦେଖାଗଲାଣି। ତେଣେ କେନ୍ଦ୍ରସରକାର ଯାଚୁଥିବା ଜଳଭରା ଟ୍ୟାଙ୍କରମାଳା ଟ୍ରେନ୍‌କୁ ରାଜ୍ୟସରକାର ଆତ୍ମସମ୍ମାନର ଦ୍ଵାହି ଦେଇ ଗ୍ରହଣ କରିବାକୁ ମନା କରୁଛନ୍ତି।

ଖାଦ୍ୟ ଆୟୋଗରେ ଶ୍ରୀ ପଣ୍ଡାଙ୍କ ସଦସ୍ୟତା ଏବେ ବିଚାରଶୀଳ ନାଗରିକମହଲକୁ ଚକିତ କରିଦେଇଛି। କିନ୍ତୁ ତଥ୍ୟାଭିଜ୍ଞମହଲ, ଏହାର ଭିତିରି ରହସ୍ୟ ଜାଣିଥିବାରୁ ଆଦୌ ବିବ୍ରତ ନୁହଁନ୍ତି। ବରଂ ମଜା ଦେଖିବାକୁ ଟାକି ରହିଛନ୍ତି। ମେ ମେ ଦାସଙ୍କୁ ଚିଟ୍‌ଫଣ୍ଡ୍‌ ତଦନ୍ତ କମିଶନରୁ ବହିଷ୍କାର କରିବା ପାଇଁ ରାଜ୍ୟସାରା ଦାବି ହେଉଥିବା ବେଳେ ଖୁବ୍‌ ଶୀଘ୍ର ଏଭଳି ଅନୁଭୂତି ଅର୍ଜିବାକୁ ଯାଉଛନ୍ତି ଶ୍ରୀ ପଣ୍ଡା। କାରଣ ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଅଧୀନରେ ହଜାରହଜାର ମାମଲା ଦଏର ହେବ, ଯାହା କେବଳ ନଥିରେ ଗୁନ୍ଥା ହୋଇ ପଡ଼ି ରହିବ ସିନା, ଫଇସଲା ହୋଇପାରିବ ନାହିଁ।

କ’ଣ ଥିଲା ଏ ରାଜ୍ୟ, କଣ ହେଲା ଆଜ! ଉତ୍କଳର ନେତା ସ୍ଵୟଂ ନାରାୟଣ କହି ଆତ୍ମପ୍ରବୋଧନା ବ୍ୟତୀତ ଆଉ କିଛି ଉପାୟ ନାହିଁ।

(ଜନସ୍ଵାର୍ଥ ଉଦ୍ଦେଶ୍ୟରେ ଯେକୌଣସି ଗଣମାଧ୍ୟମ ବା ବ୍ୟକ୍ତି ଏହାକୁ ଅବିକଳ ପୁନଃବ୍ୟବହାର କରିପାରିବେ। ଲେଖକଙ୍କ ଅନୁମତି ଅନାବଶ୍ୟକ)

ବିମଳ ପ୍ରସାଦ, ଭୁବନେଶ୍ଵର

कोई टिप्पणी नहीं:

एक टिप्पणी भेजें