୫
ମେ ୨୦୧୬, ଗୁରୁବାର। ଓଡ଼ିଶା ଇତିହାସରେ ଏକ ସ୍ମରଣୀୟ ଦିବସ ପାଲଟିଗଲା। କାରଣ ଅନ୍ଲାଇନ୍ରେ ଅଟୋରିକ୍ସା
ମଗାଇବା ବ୍ୟବସ୍ଥା ଏବଂ ଅଟୋରିକ୍ସା କୈନ୍ଦ୍ରିକ ଯାତ୍ରୀପରିବହନ ବ୍ୟବସାୟରେ ଘରୋଇ କମ୍ପାନୀମାନଙ୍କ ପ୍ରବେଶକୁ
ପ୍ରତିବାଦ କରି ନିଖିଳ ଓଡ଼ିଶା ଅଟୋଚାଳକ ମହାସଂଘର ବନ୍ଦ ଡାକରା ସଫଳ ହୋଇଛି। ପୁରୀ, ଜଟଣୀ,
ଖୋର୍ଧା, କଟକ, ଭୁବନେଶ୍ୱର, ରାଉରକେଲା ଅଞ୍ଚଳଗୁଡ଼ିକ ସମେତ ନୟାଗଡ଼ ଜିଲ୍ଲାରେ ଅଟୋରିକ୍ସା ଚଳାଚଳ
ପୂରାପୂରି ୧୨ ଘଣ୍ଟାର ବନ୍ଦ ପାଳିଛନ୍ତି। ଏହାକୁ ସମର୍ଥନ ଜଣାଇ ଟ୍ୟାକ୍ସି ମହାସଂଘ ମଧ୍ୟ ଏଥିରେ
ସାମିଲ ହୋଇଛି। ଫଳରେ ଅଟୋରିକ୍ସା ସୁବିଧା ପ୍ରତି ନିର୍ଭରଶୀଳ ନାଗରିକମାନେ ଘୋର ଅସୁବିଧାରେ ପଡ଼ିଛନ୍ତି।
ଲକ୍ଷାଧିକ ଯାତ୍ରିବାହୀ ଅଟୋରିକ୍ସା ସହ ସହସ୍ରାଧିକ ଟାକ୍ସି ବନ୍ଦ ହେବାରୁ ହଜାର ହଜାର ବ୍ୟକ୍ତି
ଓ ପରିବାର ନିଜର ଦୈନନ୍ଦିନ ଜୀବନ ତଥା ଯୋଜନାବଦ୍ଧ ଜୀବନରେ ଦୁର୍ଦଶା ଭୋଗିଛନ୍ତି। କ୍ଷତିଗ୍ରସ୍ତ
ହୋଇଛନ୍ତି। ତେବେ ଏ ସୂଚନା ବା ଖବର ରଖିଥିବା / ପାଇଥିବା/ ପଢ଼ିଥିବା ନାଗରିକମାନେ ବିକଳ୍ପ ବ୍ୟବସ୍ଥା
କରି ନେଇଛନ୍ତି। ହେଲେ ଅନ୍ୟମାନେ ଶିକ୍ଷା ପାଇଛନ୍ତି। ସର୍ବସାଧାରଣ ପରିବହନ ବ୍ୟବସ୍ଥା ଉପରେ ନିର୍ଭରଶୀଳ
ନାଗରିକମାନଙ୍କୁ ହଇରାଣ କରିବା ପାଇଁ ଉଭୟ ଅଟୋରିକ୍ସା ଓ ଟ୍ୟାକ୍ସି ସଂଘ ଯେଉଁ ୧୨-ଘଣ୍ଟିଆ (ସକାଳ
୫ଟାରୁ ସଂଧ୍ୟା ୫ଟା) ବନ୍ଦ ପାଳନ କଲେ, ତାହା ଦ୍ୱାରା ଅନ୍ଲାଇନ୍ ଅଟୋ ବରାଦ ବ୍ୟବସାୟ ତଥା ଘରୋଇ
କମ୍ପାନୀଙ୍କ ପ୍ରବେଶକୁ ଅଧିକ ବିଜ୍ଞାପିତ କରିଛି। ୨୦୧୬ ଏପ୍ରିଲ ୨୧ ତାରିଖରେ ଭୁବନେଶ୍ୱରର ଧାରଣାସ୍ଥଳ
(ଗଣମାଧ୍ୟମ ଭାଷାରେ ‘ଲୋଅର ପିଏମଜି’)ରେ ଅଟୋରିକ୍ସା ସଂଘ ଏଭଳି ନୂଆ ପ୍ରଚଳିତ ଅଟୋରିକ୍ସା ବରାଦ
ତଥା ସେବା ବ୍ୟବସ୍ଥାକୁ ବିରୋଧ ପ୍ରଦର୍ଶନ କରି ସାରିଛି। ଏପରିକି ସଂପୃକ୍ତ ଘରୋଇ କମ୍ପାନୀର ଅଟୋରିକ୍ସା
ଡ୍ରାଇଭରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିବା ଭଳି ହୀନ ପଦ୍ଧତି ଅବଲମ୍ବନ କରି ମଧ୍ୟ ବିଫଳ ହେବା ପରେ ଆଜି ୧୨-ଘଣ୍ଟିଆ ସେବା ବନ୍ଦ କରି ଗ୍ରାହକ ସମାଜ ଉପରେ ରାଗ ସାରିଛି।
ଖୁଚୁରା
ବ୍ୟବସାୟ କ୍ଷେତ୍ରରେ କେତୋଟି ନିର୍ଦିଷ୍ଟ କମ୍ପାନୀର ପ୍ରବେଶ ପରେ ସେହିଭଳି ଖୁଚୁରା ବ୍ୟବସାୟୀମାନେ
ସଂଘବଦ୍ଧ ହୋଇ ତାହାର ବିରୋଧ କରୁଥିଲେ। କିନ୍ତୁ କିଛି ଲାଭ ହେଲା ନାହିଁ। କାରଣ ଯାହା ଭଲ, ତାହା
ନିଶ୍ଚୟ ଚାଲିବ। ବୃହତ୍ ଖୁଚୁରା ବିକ୍ରୟ କେନ୍ଦ୍ରରେ ଗ୍ରାହକ ନିଜ ଇଚ୍ଛା ମୁତାବକ ସାମଗ୍ରୀ ପସନ୍ଦ
କରି ନିଜ ଝୁଡ଼ିରେ ଭର୍ତି କରି ପାରୁଛି। ବାରମ୍ବାର ମାଗିବାକୁ ପଡୁ ନାହିଁ। କିହୋ ଗ୍ରାହକ ଗଣିବ
ଦାମ୍ ଆକାରରେ ଟଙ୍କା। କିନ୍ତୁ ସାମଗ୍ରୀର ଗୁଣବତ୍ତା ଦେଖିବା ପୂର୍ବରୁ କେବଳ ସାମଗ୍ରୀକୁ ନିଜ ହାତକୁ
ଆସିବା ପାଇଁ ମାଗିବ କାହିଁକି? ସାମଗ୍ରୀ ତାଲିକା ବନାଇବାରେ ସମୟ ଦେବ କାହିଁକି? ସେହିଭଳି ଯଦି ଘରୁ
ଫୋନ୍ କଲେ ବା ମୋବାଇଲ ଆପ୍(App)ରେ କେତୋଟି ସ୍ପର୍ଶ(Touch) ଦେଇଦେଲେ ଘର/ଦପ୍ତର ଅଗଣାକୁ ଗାଡ଼ିବାଲା
ତୁରନ୍ତ ଆସିଯାଉଛି ଏବଂ ମନଲାଖି ଭଡ଼ାରେ ତଥା ସ୍ୱଚ୍ଛ ହିସାବରେ ଦେଣନେଣ ହୋଇପାରୁଛି; ସେଭଳି କ୍ଷେତ୍ରରେ
ପୁରୁଣାକାଳିଆ ବ୍ୟବସ୍ଥାରେ ଗ୍ରାହକ କାହିଁକି ଶୋଷିତ/ ଲାଞ୍ଛିତ ହେବ? ଅନେକ କ୍ଷେତ୍ରରେ ଗତାନୁଗତିକ
ପୁରୁଣାକାଳିଆ ଅଟୋରିକ୍ସା ସେବାରେ ଗ୍ରାହକ-ଯାତ୍ରୀମାନେ ମାଡ଼ ଖାଉଛନ୍ତି, ଏପରିକି ଅପମାନିତ ମଧ୍ୟ
ହେଉଛନ୍ତି। ଅର୍ଥାତ୍ ନିଜର ସମ୍ମାନହାନି ହେଉଛି ବା ସାମାଜିକ ମର୍ଯାଦା ଉପରେ ଆଞ୍ଚ ଆସୁଛି।
ଓଡ଼ିଶା
ସରକାର ଗୋଲାପୀ ଅଟୋ (Pink Auto)ର ଗୋଲାପୀ ଚିତ୍ର ଦେଖାଇଥିଲେ। ତାହା କୁଆଡ଼େ ଫୁସ୍ ହୋଇଗଲା।
ଏବେ ସିଟିବସ୍ ସେବା ମଧ୍ୟ ସମୁଦ୍ରକୁ ଶଂଖେ ଭଳି। ରାଜଧାନୀ ଭୁବନେଶ୍ୱରରେ ଯଥେଷ୍ଟ ମାତ୍ରାରେ ସିଟିବସ୍
ଚଳାଚଳ କରୁ ନଥିବାରୁ ନାଗରିକମାନେ ଅଟୋରିକ୍ସା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ସବୁଠୁ
ବିଡ଼ମ୍ବନାର ବିଷୟ ହେଲା ରୁଟ୍ ନିର୍ଣୟ। କୋଲକାତା ମହାନଗରୀର ୩କୋଟି ଜନସଂଖ୍ୟା ବିଶିଷ୍ଟ ବିଶାଳ
କାୟା ପାଇଁ ୬୦୦ଟି ରୁଟ୍ ନଥିବା ସ୍ଥଳେ ଭୁବନେଶ୍ୱର ନଗରର ୧୩ ଲକ୍ଷ ଜନସଂଖ୍ୟା ପାଇଁ ରୁଟ୍ ସଂଖ୍ୟା
୬୦୦ ଟପି ଯାଇଛି! କୋଲକାତାରେ ସିଟିବସ୍ ଏକ ସଂସ୍କୃତି ହୋଇଯାଇଛି। ପ୍ରତ୍ୟେକ ସଂଭ୍ରାନ୍ତ ପରିବାରର
ସବୁ ସଦସ୍ୟଙ୍କୁ ଜଣାଥାଏ ଏକାଧିକ ରୁଟ୍ ନମ୍ବର। ନିହାତି ଜାଣିଥାଆନ୍ତି ନିଜ ଘରଠୁ ପ୍ରତ୍ୟେକ ଗୁରୁତ୍ୱପୂର୍ଣ
ସ୍ଥାନର ରୁଟ୍ ନମ୍ବର। ଅର୍ଥାତ୍ କେତେ ନମ୍ବର ବସ୍ରେ ଯାଇ ଗନ୍ତବ୍ୟରେ ପହଞ୍ଚିପାରିବେ, ସେଇ ନମ୍ବରଗୁଡ଼ିକ
ନିଶ୍ଚିତ ମନେ ରଖିଥାଆନ୍ତି। କିନ୍ତୁ ଭୁବନେଶ୍ୱରରେ ସଂଭ୍ରାନ୍ତ କ’ଣ, ନିମ୍ନ ମଧ୍ୟବିତ୍ତ ପରିବାରର
ସଦସ୍ୟ ମଧ୍ୟ ଜାଣନ୍ତି ନାହିଁ ବସ୍ ରୁଟ୍ ନମ୍ବର। ତଥାପି ଆମେ ସ୍ମାର୍ଟସିଟିର ସ୍ୱପ୍ନରେ ମସଗୁଲ।
ଓଡ଼ିଶାର
କୌଣସି ଖବରକାଗଜ ୟୁନିକୋଡ଼୍ ଅକ୍ଷରରେ ଇଣ୍ଟରନେଟରେ ଖବର ସାଇତି ରଖୁ ନଥିବାରୁ ଏଭଳି ସମାଲୋଚନାତ୍ମକ
ଖବରଗୁଡ଼ିକ ଗୋଟିଏ ଗୋଟିଏ ଐତିହାସିକ ଦଲିଲ ଭଳି ଭବିଷ୍ୟତରେ କାମରେ ଆସିବ। ଏହି ବିଶ୍ୱାସରେ ଗୁଗଲ
ପୃଷ୍ଠାରେ ଏହି ପ୍ରବନ୍ଧଟିକୁ ରଖିଲୁ। ଘରୁଆ ଅଟୋବାଲାଙ୍କ ଉତ୍ପାତ ଓ ଔଦ୍ଧତ୍ୟ ବନ୍ଦ ହେବା ପର୍ଯ୍ୟନ୍ତ
ବିକଳ୍ପ ପରିବହନ ସେବା ବ୍ୟବସ୍ଥାଗୁଡ଼ିକୁ ନାଗରିକଗଣ ଅବଶ୍ୟ ପସନ୍ଦ କରିଚାଲିବେ। କାରଣ ତାହା ହିଁ
ଗଣତନ୍ତ୍ର ଓ ସାର୍ବଜନୀନ ସେବାର ପ୍ରକୃଷ୍ଟ ନମୁନା।
ବିମଳ
ପ୍ରସାଦ, ଭୁବନେଶ୍ୱର
कोई टिप्पणी नहीं:
एक टिप्पणी भेजें