03 फ़रवरी 2016

ଓଡ଼ିଶାରେ ଜାତୀୟ ରାଜପଥ

ଜାଣନ୍ତି କି ଓଡ଼ିଶାରେ ଜାତୀୟ ରାଜପଥ ରାଜ୍ୟର ସବୁ ଜିଲ୍ଲାକୁ ସଂପ୍ରସାରିତ ହୋଇଛି। କେବଳ ଜଗତସିଂହପୁର ଜିଲ୍ଲାରେ ରହିଛି ତୁଳନାତ୍ମକ ଭାବେ କମ୍‌ ଦୈର୍ଘ୍ୟର ଜାତୀୟ ରାଜପଥ। ଯାହାକି ମାତ୍ର ୧୫ କିଲୋମିଟର। ଏବେ ଯାଞ୍ଚ କରି ନିଅନ୍ତୁ, କେଉଁ ଜାତୀୟ ରାଜପଥ ପାଖରେ ଆପଣଙ୍କ ଘର। ଏଣିକି ଠିକ୍‌ ପଢ଼ନ୍ତୁ, ଠିକ୍‌ ଲେଖନ୍ତୁ - ଓଡ଼ିଶାରେ ଏନ୍‌.ଏଚ୍‌. ୫, ୬ ଅବା ୪୨ କି ୪୩ କିଛି ନାହିଁ। ସବୁ ନମ୍ବର ବଦଳି ସାରିଛି ଫେବୃଆରି ୨୦୧୫ ମସିହା ସୁଦ୍ଧା। ହଁ ମନେ ରଖନ୍ତୁ, ତଳ ସାରଣୀରେ ନୀଳ ରଙ୍ଗର ଅଙ୍କଗୁଡ଼ିକ ହେଉଛି ଏବେର ପ୍ରଚଳିତ ଏନ୍‌.ଏଚ୍‌.(ଜାତୀୟ ରାଜପଥ) ନମ୍ବର...
କ୍ରମ
NHର ନୂଆ ନମ୍ବର
ଆଗରୁ ଥିଲା
ରାଜ୍ୟରେ ଆରମ୍ଭ ଓ ଅନ୍ତିମ ସ୍ଥଳ
ଆରମ୍ଭ ଓ ଅନ୍ତିମ ମାପକ (କିଲୋମିଟର)
ଓଡ଼ିଶା ଭିତରେ ମୋଟ ଦୈର୍ଘ୍ୟ (କି.ମି.)
ରାଜ୍ୟ ପୂର୍ତ ବିଭାଗ ଅଧୀନରେ
୧
୫୩
୬, ୨୦୦,  
୫ A
ଲୁହୁରାଚଟି-ସମ୍ବଲପୁର- ଦେବଗଡ଼-ତାଳଚେର- କାମାକ୍ଷାନଗର-ଡୁବୁରି- ଚଣ୍ଡିଖୋଲ-ପାରାଦୀପ
୦ ରୁ ୫୨୪.୫୩୮
୫୨୪.୫୩୮
୫୨୪.୫୩୮
୨
୩୨୬
ନଥିଲା
ଆସିକା-ଦିଗପହଣ୍ଡି-ମୋହନା- ଗୁମୁଡ଼ା-ରାୟଗଡ଼ା-କୋରାପୁଟ- ଜୟପୁର-ମାଲକାନଗିରି-ମୋଟୁ
୦ ରୁ ୫୧୩.୭୦୦
୫୧୩.୭୦୦
୦.୦୦୦
୩
୧୬
୬୦ଓ ୫
ଲକ୍ଷ୍ମଣନାଥ-ବାଲେଶ୍ଵର-ଭଦ୍ରକ- ଭୁବନେଶ୍ଵର-କଟକ- ବ୍ରହ୍ମପୁର-ଗିରିଶୋଲା
୦.୦ ରୁ ୪୪୩.୮୧୦
୪୪୩.୮୧୦
୪୪୩.୮୧୦
୪
୨୬
୨୦୧, ୪୩
ବରଗଡ଼-ବଲାଙ୍ଗୀର- ଭବାନୀପାଟଣା-ନବରଙ୍ଗପୁର- ବୋରିଗୁମ୍ମା-ଜୟପୁର- କୋରାପୁଟ-ସୁଙ୍କି ଘାଟି
୦ ରୁ ୪୩୫.୫୬୭
୪୩୪.୭୬୭
୦.୦୦୦
୫
୪୯
୨୦୦,୬
କନକତୋରା-ଦେବଗଡ଼- ପାଳଲହଡ଼ା-କେନ୍ଦୁଝର-ଜାମଶୋଳା
୧୯୭.୩୦୦ ରୁ ୬୨୬.୫୭୭
୪୨୯.୨୭୭
୦.୦୦୦
୬
୫୯
୨୧୭
ଖଡ଼ିଆଳ-ଟିଟିଲାଗଡ଼- ବାଲିଗୁଡ଼ା-ଆସିକା-ଦାରିଂବାଡ଼ି- ବ୍ରହ୍ମପୁର
୦ ରୁ ୩୫୧.୧୦୦
୩୫୧.୧୦୦
୦.୦୦୦
୭
୫୭
୨୨୪
ବଲାଙ୍ଗୀର-ସୋନପୁର -ବୌଦ୍ଧ-ନୟାଗଡ଼-ଖୋର୍ଧା
୦ ରୁ ୨୯୯.୯୦୦
୨୯୯.୯୦୦
୦.୦୦୦
୮
୫୫
୪୨
କଟକ-ମଙ୍ଗୁଳି ଛକ- ଢେଙ୍କାନାଳ- ଅନୁଗୁଳ-ସମ୍ବଲପୁର
୦ ରୁ ୨୬୬.୨୩୦
୨୬୬.୨୩୦
୨୬୬.୨୩୦
୯
୨୦
୭୫E, ୨୧୫
ଚମ୍ପୁଆ-ପାରସୋରା- ପାଣିକୋଇଲି
୦ ରୁ ୧୭୪.୫୭୦
୧୭୪.୫୭୦
୧୬୦.୫୭୦
୧୦
୧୫୭

ପୁରୁଣାକଟକ-ଫୁଲବାଣୀ -କଳିଙ୍ଗା-ଭଂଜନଗର-ଆସିକା
୦ ରୁ ୧୫୯
୧୫୯.୦୦୦
୦.୦୦୦
୧୧
୩୧୬
୨୦୩
ଭୁବନେଶ୍ଵର-ପୁରୀ
୦ - ୫୯
୫୯.୦୦୦
୫୯.୦୦୦


୨୦୩ E
ପୁରୀ-କୋଣାର୍କ
୫୯ ରୁ ୯୬.୫୨୧
୩୭.୫୨୧
୦.୦୦୦


୨୦୩ A
ପୁରୀ-ସାତପଡ଼ା
୦ ରୁ ୪୮
୪୮.୦୦୦
୦.୦୦୦
୧୨
୧୪୩
୨୩
ବୀରମିତ୍ରପୁର-ରାଜାମୁଣ୍ଡା-ବାରକୋଟ
୨୧୧.୫ରୁ ୩୩୭.୩
୧୨୫.୮୦୦
୧୨୫.୮୦୦
୧୩
୨୨୦
ନଥିଲା
ତିରିଂ-ରାଇରଙ୍ଗପୁର-ଯଶୀପୁର-ଢେଙ୍କିକୋଟ
୦.୦ ରୁ ୧୨୫.୪୧
୧୨୫.୪୧୦
୦.୦୦୦
୧୪
୩୨୬ A
ନଥିଲା
ମୋହନା-ଚନ୍ଦ୍ରଗିରି- ଖଜୁରୀପଦା-ଲାଂଜିପଦର-ପାରଳାଖେମୁଣ୍ଡି 
୦ ରୁ ୧୨୦
୧୨୦.୦୦୦
୦.୦୦୦
୧୫
୧୫୩B
ନଥିଲା
ସରପାଳ- ନାକଟିଦେଉଳ- ରେଢ଼ାଖୋଲ- ବୌଦ୍ଧ
୦ ରୁ ୧୧୮.୪୧୦
୧୧୮.୪୧୦
୦.୦୦୦
୧୬
୫୨୦
୨୧୫
ପାରସୋରା-ରିମୂଳୀ- ରାଜମୁଣ୍ଡା
୦ ରୁ ୧୦୮.୪୩
୧୦୮.୪୩୦
୧୦୮.୪୩୦
୧୭
୧୪୯
୨୩
ପାଳଲହଡ଼ା-ପିତିରି- ବଅଁରପାଳ
୦ ରୁ ୮୩.୭୯୮
୮୪.୦୦୦
୬.୯୫୦
୧୮
୩୫୩
୨୧୭
ନୂଆପଡ଼ା-ଖଡ଼ିଆଳ- ଖରିଆର ରୋଡ଼୍‌
୬୫.୪୧୬ରୁ ୧୪୫
୮୦.୨୧୪
୦.୦୦୦
୧୯
୧୮
୫
ଝାରପୋଖରିଆ-ବାରିପଦା-ବାଲେଶ୍ଵର
୦ ରୁ ୮୦.୦୬
୮୦.୦୬୦
୦.୦୦୦
୨୦
୬୩
୪୩
କୋଟପାଡ଼-ବୋରିଗୁମ୍ମା
୩୧୬.୭୫୦ରୁ ୩୫୭.୮୦୦
୪୧.୦୫୫
୦.୦୦୦
୨୧
୧୩୦C
ନଥିଲା
ଛତିଶଗଡ଼ ସୀମା-ବଳଦିଆମାଲ (କଳାହାଣ୍ଡି)
୦ ରୁ ୨୦
୨୦.୦୦୦
୦.୦୦୦
୨୨
୫୧୬
୨୧୭
ଗୋପାଳପୁର-ବ୍ରହ୍ମପୁର
୦ ରୁ ୫.୯୨
୫.୯୨୦
୦.୦୦୦




ସର୍ବମୋଟ
୪୫୧୦

ଓଡ଼ିଶାର ସ୍ଵପ୍ନ ବନାମ ସୂଚନା ପ୍ରଯୁକ୍ତି

ଡକ୍ଟର ସାମ୍‌ ପିଟ୍ରୋଡ଼ାଙ୍କୁ ଓଡ଼ିଶା ସରକାର ପ୍ରଯୁକ୍ତି ଉପଦେଷ୍ଟା ରୂପେ ନିଯୁକ୍ତି ଦେବା ଖୁସିର କଥା। କିନ୍ତୁ ଓଡ଼ିଶା ଯେପରି ଗତାନୁଗତିକ ଭାବେ କୌଣସି ଆଳୁଦୋଷର ଶିକାର ନହେବ, ତାହା ପ୍ରତି ମଧ୍ୟ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି। ରାଜ୍ୟ ସରକାରଙ୍କର ପ୍ରଥମ ଆଳୁଦୋଷ ହେଉଛି, ସଂପୃକ୍ତ ଉପଦେଷ୍ଟା ମହାଶୟଙ୍କୁ ଓଡ଼ିଶାରେ ରହିବା ଓ ବୁଲିବା ପାଇଁ ସୁଯୋଗ ନଦେବା। ଓଡ଼ିଶାଟା ଗୁଜରାଟ ବା ତାମିଲନାଡୁ ନୁହେଁ ଯେ ଏଠି ବଡ଼ ସ୍ୱପ୍ନ ଦେଖିହେବ। କାରଣ ସ୍ୱପ୍ନ ଦେଖିବା ପାଇଁ ମଧ୍ୟ ଭିତ୍ତିଭୂମିର ଆବଶ୍ୟକତା ରହିଛି। ଯାହାକି ଓଡ଼ିଶାରେ ନାହିଁ। ସବୁ ପଞ୍ଚାୟତରେ ଇଣ୍ଟରନେଟ୍‌ ସଂଯୋଗ ପହଞ୍ଚାଇବାର ପ୍ରତିଶ୍ରୁତିଟା ୧୦ ବର୍ଷର ପୁରୁଣାପାଠ ହୋଇ ସାରିଲାଣି। ହେଲେ ଆପଣ କେହି ଜାଣନ୍ତି କି କ’ଣ ପ୍ରଗତି ହୋଇଛି? ଘରୋଇ ଦୂରସଂଚାର କମ୍ପାନୀମାନେ ୩ଜି, ୪ଜି ସଂଯୋଗ ଦେଉଥିବା ବେଳେ ସେମାନଙ୍କୁ ପ୍ରୋତ୍ସାହିତ ନକରି ସାନି ଅଟକଳ କରି ଅର୍ଥ ଶ୍ରାଦ୍ଧ କରିବା ଏକ ଚାଲ୍‌ବାଜି ନୁହେଁ କି? 

ଡକ୍ଟର ସାମ୍‌ ପିଟ୍ରୋଡ଼ା ଯଦି ଓଡ଼ିଶାର ବିଭିନ୍ନ ଅଞ୍ଚଳ ଓ ଦପ୍ତର ବୁଲି ଦେଖନ୍ତେ, ତେବେ ଜାଣି ପାରନ୍ତେ, ଆମର ସମସାମୟିକ ଭିତ୍ତିଭୂମି କ’ଣ ଅଛି ଏବଂ କିଭଳି ସ୍ଥିତିରେ ରହିଛି। ଓଡ଼ିଶାର ବିଭିନ୍ନ ବିଦ୍ୟାଳୟକୁ ହଜାର ହଜାର କମ୍ପ୍ୟୁଟର ବଣ୍ଟାଯାଇଛି। ସେଗୁଡ଼ିକ ଚଳନ୍ତି ଅବସ୍ଥାରେ ଅଛି ତ? ସତରେ ନିଜ ଠିକଣାରେ ଅଛି ତ? ଯଦି ଏଇ ଦୁଇ ପ୍ରଶ୍ନର ଉତ୍ତର ନକରାତ୍ମକ, ତେବେ ବିନା ଶିକ୍ଷକରେ ଗଣିତ, ବିଜ୍ଞାନ ପଢ଼ାଇବାର ପରିକଳ୍ପନା ଏକ ଧୃଷ୍ଟତା ନୁହେଁକି? ସବୁଠୁ ରୋଚକ କଥାଟି ହେଉଛି ଯେ ଓଡ଼ିଶାର କୌଣସି ୟୁନିଭର୍ସିଟି ବର୍ତମାନ ସୁଦ୍ଧା ସୂଚନାପ୍ରଯୁକ୍ତିକୁ ପ୍ରୟୋଗ କରି ନାହାନ୍ତି। ସବୁଠି କିରାଣୀ ପୋଷା ହେଉଛି। ଆଉ ଲୋକଙ୍କ ବିଶ୍ୱାସ ଆସିବା ପରେ ୧୦ ବର୍ଷିଆ ଯୋଜନା କିଭଳି ହେବ? କାରଣ ପ୍ରତି ମାସରେ ପ୍ରଯୁକ୍ତି କ୍ଷେତ୍ରରେ ନୂଆ ଆବିଷ୍କାର ସ୍ଥାନ ନେଉଛି। ତେଣୁ ୧୦ ବର୍ଷିଆ ଯୋଜନା କେବଳ ଏକ ଆନୁମାନିକ ବ୍ୟୟଆକଳନ ହୋଇ ରହିବ। ସବୁଠୁ ବିଡ଼ମ୍ବନାର କଥାଯେ ସେହି ବୈଠକରେ “ରାଷ୍ଟ୍ରୀୟ ସୂଚନାବିଜ୍ଞାନ କେନ୍ଦ୍ର”(NIC)ର କୌଣସି ଅଧିକାରୀଙ୍କୁ ସାମିଲ କରାଯାଇନାହିଁ। ଦେଖିବାକୁ ରହିଲା, ଗତାନୁଗତିକ ଧାରାରେ ପଂଝାଏ କନ୍‌ସଲ୍‌ଟାଣ୍ଟ୍‌ ପୋଷା ହୋଇ ମୋଟା ମୋଟା ଡିପିଆର୍‌ ପ୍ରସ୍ତୁତ ହେବ କି ଅନ୍ୟ କିଛି ବାସ୍ତବ କାମ ହୋଇ ପାରିବ?

(ଆମ୍ଭର ଉପରୋକ୍ତ ବକ୍ତବ୍ୟର ଏକ ସଂପାଦିତ ରୂପ ଅଂଶ କିଛି ଦିନ ତଳେ ‘ନିତିଦିନ’ର ପ୍ଲାଟଫର୍ମରେ ପ୍ରକାଶ ପାଇଅଛି)

ଅବଶ୍ୟ ପଠନୀୟ:

29 जनवरी 2016

ଶ୍ରୀକ୍ଷେତ୍ର ପୁରୀରେ ଇସ୍କନ୍‌ ମନ୍ଦିରର ପ୍ରାସଙ୍ଗିକତା

ପ୍ରସ୍ତାବିତ ଇସ୍କନ ମଂଦିର ପୁରୀ
ପୁରୀରେ ପ୍ରସ୍ତାବିତ ଇସ୍କନ୍‌ ମନ୍ଦିରକୁ ନେଇ ଏବେ ସାରା ଓଡ଼ିଶାରେ ଚର୍ଚ୍ଚା। ଭାରତର ଚାରି ଧାମ ମଧ୍ୟରୁ ଗୋଟିଏ ହୋଇଥିବା ବେଳେ ସେଠାରେ ଆଉ ଏକ ପ୍ରତିସ୍ପର୍ଦ୍ଧୀ ମନ୍ଦିର ନିର୍ମାଣର ପ୍ରାସଙ୍ଗିକତା ଏକ ବିତର୍କର ବିଷୟ। ପୁରୀର ସିପସରୁବାଲି ମୌଜାର ଯେଉଁ ଜମିରେ ଇସ୍କନ୍‌ ପକ୍ଷରୁ ମନ୍ଦିର ଓ ଅନ୍ୟାନ୍ୟ ନିର୍ମାଣର ପ୍ରସ୍ତାବ ରହିଛି, ତହିଁରୁ ୮.୪୩ ଏକର ଜମି ସରକାରଙ୍କର ସଂପତ୍ତି ବୋଲି ଗଣମାଧ୍ୟମଗୁଡ଼ିକରେ ପ୍ରକାଶ ପାଇଛି। ସେହି ରିପୋର୍ଟ ଅନୁସାରେ ସେଥିରୁ ମାତ୍ର ୧.୫୬ ଏକର ଜମି ଏଯାଏ ସରକାରଙ୍କ ଖାତାକୁ ଫେରିଛି ଏବଂ ବାକି ୬.୮୭ ଏକର ଜମି ନେଇ ମାମଲା ଓଡ଼ିଶା ଉଚ୍ଚନ୍ୟାୟାଳୟରେ ବିଚାରାଧୀନ ଅଛି। ସେହି ଜମିର ଉପଯୋଗ ଉପରେ ଉଚ୍ଚନ୍ୟାୟାଳୟ ରହିତାଦେଶ ମଧ୍ୟ ଦେଇଛନ୍ତି। ବ୍ରିଟିଶ୍‌ ଇଣ୍ଡିଆର ତତ୍କାଳୀନ କଲେକ୍ଟର ଚାର୍ଲସ୍‌ ଗ୍ରୋମ୍‌ଙ୍କ ରିପୋର୍ଟ ଅନୁସାରେ ସେହି ସିପସରୁବାଲି ମୌଜା ଥିଲା ଶ୍ରୀଜଗନ୍ନାଥଙ୍କର ମାହାଲ। ଅନ୍ୟ ଏକ ରିପୋର୍ଟ ଅନୁସାରେ ’ଇସ୍କନ୍‌’ର ପ୍ରସ୍ତାବିତ ମନ୍ଦିରାଦି ନିର୍ମାଣ ପାଇଁ ଚିହ୍ନିତ ଜମିରୁ ପ୍ରାୟ ୧୮ ଏକର ହେଉଛି ଶ୍ରୀଜଗନ୍ନାଥଙ୍କର ସଂପତ୍ତି। ଯାହାକି ଗିରିସ୍ଵାମୀ ନାମକ ଏକ ମଠର ମାଲିକାନାରେ ଥିଲା। ମାନ୍ୟବର ଉଚ୍ଚତମ ନ୍ୟାୟାଳୟଙ୍କ ଏକ ସଦ୍ୟତମ ରାୟ ଅନୁଯାୟୀ ଏପରି ଭୂସମ୍ପତ୍ତିକୁ ମଠମାନେ ନିଜର ସମ୍ପତ୍ତି ଭାବରେ ବିକିପାରିବେ ନାହିଁ।

ଗୋଟିଏ ସରକାରୀ ହିସାବ କହେ, ଏଯାଏ ସାରା ଓଡ଼ିଶାର ୨୩ଟି ଜିଲ୍ଲାରେ ଶ୍ରୀଜଗନ୍ନାଥଙ୍କ ନାମରେ ଚିହ୍ନଟ ହୋଇଥିବା ଜମିର ପରିମାଣ ୬୦,୨୫୯ ଏକର ୬୨୫ ଡେସିମିଲ। ସେଥିରୁ ୩୧ ମାର୍ଚ ୨୦୧୫ ସୁଦ୍ଧା ୩୦,୨୩୧ ଏକର ୨୦୫ ଡେସିମିଲ ଜମି ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନକୁ ଆସିଥିଲା। ୩୦ ନଭେମ୍ବର ୨୦୧୫ ସୁଦ୍ଧା ଆଉ ୨୬୯୬ ଏକର ୫୬୫ ଡେସିମିଲ ଜମି ଆସିଛି। ଏବେ ବି ସାରା ଓଡ଼ିଶାରେ ୨୭,୩୩୧ ଏକର ୮୫୫ ଡେସିମିଲ ଜମି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ଥାଇ ମଧ୍ୟ ଶ୍ରୀମନ୍ଦିର ପରିଚାଳନା କମିଟି ଅଧୀନକୁ ଆସି ପାରି ନାହିଁ। କେବଳ ପୁରୀ ଜିଲ୍ଲାରେ ରହିଛି ଶ୍ରୀଜଗନ୍ନାଥଙ୍କର ୧୭,୦୭୧ ଏକର ୨୧୨ ଡେସିମିଲ ଜମି। ଯହିଁରୁ ଏଯାଏ ୭୫୭୪ ଏକର ୨୩୬ ଡେସିମିଲ ଜମି ଅନ୍ୟମାନଙ୍କ ଜବରଦଖଲରେ ରହିଛି। ଏହା ଆମର ନୈତିକତାହୀନତା ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତିହୀନତାର ଲକ୍ଷଣ ନୁହେଁ କି?

ଆମ ସମାଜ ଓ ଜୀବନରେ ନୈତିକତାର ଜାଗରଣ ଦିନେ ନବାକ୍ଷରୀ ଭାଗବତ କରିଥିଲା। ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଜରିଆରେ ‘ଭାଗବତ’ ଥିଲା ଓଡ଼ିଆ ଭାଷାର ଏକ ଶକ୍ତି ପରୀକ୍ଷା। ଏ ପ୍ରସଙ୍ଗରେ ସୁସାହିତ୍ୟକ ସୁରେନ୍ଦ୍ର ମହାନ୍ତି କହିଥିଲେ, ‘‘ଓଡ଼ିଶା ଇତିହାସର ଘୋର ଅନ୍ଧକାର କାଳରେ ..... ଭାଗବତ ହୋଇଥିଲା ଏ ଜାତିର ସଂରଚକ ଓ ସଂଗଠକ।’’ ମାତ୍ର ଜଗନ୍ନାଥ ଦାସଙ୍କ ସାଧନାପୀଠ ସାତଲହଡ଼ି ମଠ ବି ଏବେ ଜବରଦଖଲକାରୀଙ୍କ କବଳରେ। ତଥାପି ରାଜ୍ୟ ସରକାର ରାଜ୍ୟବ୍ୟାପୀ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ଘୋଷଣା କରି ତୁନି ବସିଛନ୍ତି।

(୨୯ ଜାନୁଆରି ୨୦୧୬ରେ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ଅସିତ୍‌ ମହାନ୍ତିଙ୍କ ‘‘ଜଗନ୍ନାଥ ହେ! ସବୁ ମାଗୁଅଛି ତୋତେ...’’ର ସଂପାଦିତ ଅଂଶ)


ଆମ୍ଭର ମନ୍ତବ୍ୟ: 

ଜଗନ୍ନାଥ ହେ! ସବୁ ମାଗୁଅଛି ତୋତେ... ଶିରୋନାମାଟି ବେଶ୍‌ ଭଲ କଥା କହିଛି। ଅର୍ଥାତ୍‌ ମହାପ୍ରଭୁଙ୍କ ଅସରନ୍ତି ଭଣ୍ଡାରରୁ ମାଗିବାର ଅଧିକାର ଭକ୍ତର ରହିଛି। କାରଣ, ଏବେ ଦେଶରେ ଗଣତନ୍ତ୍ର ଚାଲିଛି। ଜଗନ୍ନାଥ ପରମ୍ପରାରେ ରାଜତନ୍ତ୍ର, ଏକ ପ୍ରତୀକ ମାତ୍ର। ଯଦିଓ ମନ୍ଦିର ପ୍ରଶାସନ ନାମରେ ଗଣତନ୍ତ୍ର ହିଁ ସେହି ରାଜତନ୍ତ୍ରକୁ କବ୍‌ଜା କରି ସାରିଛି। ଆଉ, ଆଧୁନିକ ଧର୍ମର ପୀଠଗୁଡ଼ିକରେ ସମ୍ପତ୍ତି ଠୁଳ ହେଉ ନଥିବା ବେଳେ ଭାରତର ହିନ୍ଦୁ ମନ୍ଦିରଗୁଡ଼ିକରେ ଏତେ ଧନ(ସ୍ଥାବର ହେଉ କି ଅସ୍ଥାବର) ଠୁଳ ହେବାଟା କେଉଁ ଗାଣତନ୍ତ୍ରିକ ମୂଲ୍ୟବୋଧର ପ୍ରତିନିଧିତ୍ଵ କରୁଛି?

ଶ୍ରୀଜଗନ୍ନାଥ କାଳେ ଆଦିବାସୀଙ୍କ ମାହାପୁରୁ। ଦୁଃଖର କଥା ଯେ ସେହି ଆଦିବାସୀମାନେ ଏବେ ପାରମ୍ପରିକ ଧର୍ମବିଶ୍ଵାସକୁ ପରିହାର କରି ପରଧର୍ମକୁ ଗ୍ରହଣ କରିବା ସହ ଆଧୁନିକ ଜୀବନଶୈଳୀ ଆପଣାଇ ସାରିଛନ୍ତି। ଏପରି କାହିଁକି କଲେ ପ୍ରଶ୍ନର ଉତ୍ତରରେ ଛତିଶଗଡ଼ ଓଡ଼ିଆ ଭାଷୀ ଅଞ୍ଚଳର ଜଣେ ଧର୍ମାନ୍ତରିତ ଆଦିବାସୀଙ୍କ ଉତ୍ତର ଥିଲା - ‘‘ମନ୍ଦିରକୁ ବୁଲାକୁକୁର ପଶି ପାରୁଛନ୍ତି, ଅଥଚ ଆମେ ମଣିଷମାନେ ପଶି ପାରୁ ନଥିଲୁ! କିନ୍ତୁ ଏବେ ଆମ ପ୍ରାର୍ଥନାଗୃହରେ ଯେଉଁଠି କ୍ଲିଣ୍ଟନ୍‌ କି କାମରୁନ୍‌ ବସିପାରିବେ, ସେଇଠି ଆମର କେହି ମଳିମୁଣ୍ଡିଆ କୃଷକ ମଧ୍ୟ ବସି ପ୍ରାର୍ଥନା କରିପାରୁଛି।’’

ରାଜ୍ୟର ହଜାର ହଜାର ଘର (ପରିବାର) ଭୂମିହୀନ ଓ ଗରିବ ହୋଇଥିବା ବେଳେ ମହାପ୍ରଭୁ ଏତେ ଧନୀ ହେବା ଦ୍ଵାରା ରାଜ୍ୟର ବା ରାଜ୍ୟବାସୀଙ୍କର କେଉଁ ହିତ ସାଧିତ ହେଉଛି? ଶ୍ରୀମନ୍ଦିରର ଭଳିକି ଭଳି ସେବାୟତମାନେ ବିପୁଳ ଧନ ଠୁଳ କରିବା ସହ କାଣିଆଙ୍ଗୁଠି ମୋଟର ସୁନାଚେନ୍‌ ବା ବ୍ରେସଲେଟ୍‌ ପିନ୍ଧିବା ଦ୍ଵାରା ରାଜ୍ୟର କେଉଁ ବିପର୍ଯ୍ୟୟ ପ୍ରଶମିତ ହେଉଛି ?

ଭୂସଂସ୍କାର ବଳରେ ବିପୁଳ ଜମିକୁ ଭୂମିହୀନ କୃଷକଙ୍କ ମଧ୍ୟରେ ବାଣ୍ଟିଦେବା ଉଚିତ ହେବ ନାହିଁ କି? ଏ ପ୍ରସଙ୍ଗରେ ସାମ୍ୟବାଦୀ ନେତାମାନେ ନିରବ ରହିବାଟା ସେମାନଙ୍କ ଦୋମୁହାଁ ନୀତିର ପରିଚୟ ଦେଉ ନାହିଁ କି?

ଭାରତୀୟ ସଭ୍ୟତାର ସମସାମୟିକ ଅନ୍ୟ ସଭ୍ୟତାର ମୂଳ ଧର୍ମ, କ୍ରମେ କ୍ରିଷ୍ଟିଆନ୍‌ ଓ ଇସଲାମକୁ ପରିବର୍ତିତ ହୋଇଥିବା ବେଳେ ଭାରତରେ ହିଁ ହିନ୍ଦୁ ଧର୍ମ ବଞ୍ଚି ରହିଛି। ବାସ୍ତବରେ ହିନ୍ଦୁ ଏକ ଉଦାର ଓ ନିରପେକ୍ଷ ଧର୍ମ ହୋଇଥିଲେ ବି ପ୍ରାଚୀନ ହିନ୍ଦୁପୀଠଗୁଡ଼ିକରେ ଅଣହିନ୍ଦୁମାନଙ୍କ ପ୍ରବେଶ ନିଷେଧ କଡ଼ାକଡ଼ି ରହିଛି। ‘ଇସ୍କନ୍‌’ ଭଳି କେତେକ ସଂଗଠନ ଏଭଳି କଠୋରପନ୍ଥୀ ନିଷେଧାଦେଶକୁ ଉଠାଇଦେବା ସହ ହିନ୍ଦୁବାଦର ଏକ ସାର୍ବଜନୀନ ପରିଭାଷା ଉପସ୍ଥାପନ କରିଛନ୍ତି। ଶ୍ରୀମନ୍ଦିର ସେବାୟତଙ୍କ ଦୋଷ, ଦୁର୍ଗୁଣ, ଔଦ୍ଧତ୍ୟ ଓ ବଟିମଗା ପ୍ରବୃତ୍ତି ଯୋଗୁ ଅନେକ ଭକ୍ତ ନିଜର ଧାର୍ମିକ ଭାବନାର କସରତ ପାଇଁ ବିକଳ୍ପ ଧର୍ମପୀଠର ସନ୍ଧାନ କରୁଥିବା ବେଳେ ଇସ୍କନ୍‌ର ଶ୍ରୀକୃଷ୍ଣ ବଳରାମ ମନ୍ଦିର ହିଁ ତାହା ପରିପୂରଣ କରିବ। ଏହି ବିଶ୍ଵାସ କ’ଣ ଆପଣଙ୍କ ଭିତରେ ଆସୁ ନାହିଁ ? 

ନିବେଦକ: ବିମଳ ପ୍ରସାଦ

23 जनवरी 2016

ବିପଦରେ ଶିଶୁର ଶିକ୍ଷା ଅଧିକାର

ଅଜବ ରାଜ୍ୟ ଓଡ଼ିଶା। ଏଠି ଶିଶୁ ଅଧିକାର, ଶିକ୍ଷା ଅଧିକାର, ମାନବ ଅଧିକାର, ସବୁ ବନ୍ଧା ପଡ଼ିଛି ପଇସାବାଲାଙ୍କ ପାଖରେ। ଅର୍ଥାତ୍ ଯିଏ ଯେମିତି ପଇସା ଲଗାଇଲା, ସେମିତି ଫଳ ପାଇଲା। ପଇସା ଲଗାଇଥିବା ବ୍ୟକ୍ତି ଗଢ଼ିଥିବା ଅନୁଷ୍ଠାନ ଜରିଆରେ ଯାହା ଦୋଷ କଲେ ବି ସବୁ ମାଫ୍। ଗଣତନ୍ତ୍ରର ଖୁମ୍ବ କୁହାଯାଉଥିବା କାର୍ଯ୍ୟପାଳିକା(Executive), ବ୍ୟବସ୍ଥାପିକା(Lagislature), ନ୍ୟାୟପାଳିକା(Judiciary), ଗଣମାଧ୍ୟମ (Media) ସମସ୍ତେ ମୂକ ପାଲଟି ଯାଇଛନ୍ତି! କାରଣ ପାଇଁ ଏହି  ଉଦାହରଣ ନିଆଯାଇପାରେ।
 

‘‘ଭୁବନେଶ୍ଵର ମଡ଼େଲ ପବ୍ଲିକ୍ ସ୍କୁଲ୍’’ (BMPS), ଯାହାକି ଆଗରୁ Takshila School ଥିଲା। କିନ୍ତୁ କୌଣସି କାରଣରୁ ଏହା ନିଜର ନାମ ଓ ପରିଚୟ ବଦଳାଇବା ପରେ ମଧ୍ୟ Takshila School ଶବ୍ଦକୁ ବ୍ୟବହାର କରି ଅଭିଭାବକଙ୍କୁ ଉଦ୍ଭ୍ରାନ୍ତ କରି ଚାଲିଛି। ଭୁବନେଶ୍ଵରର N5, IRC Villageରେ ଥିବା ଏହି ସ୍କୁଲ୍ର ଏକାଧିକ ଛାତ୍ରଛାତ୍ରୀ ଅତ୍ୟାଚାର ଓ ଶୋଷଣର ଶିକାର ହୁଅନ୍ତେ ଏ କଥା ପଡ଼ିଲା ଜଣାଶୁଣା ଅଧିକାର-କର୍ମୀ ପ୍ରଦୀପ ପ୍ରଧାନଙ୍କ କାନରେ। ସେ ‘‘ଓଡ଼ିଶା ମାନବାଧିକାର ଆୟୋଗ’’(OHRC), ‘‘ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ’’(OSCPCR)ଙ୍କୁ ଲେଖିଲେ। ଏହି ମର୍ମରେ ଶିଶୁ ମଙ୍ଗଳ କମିଟି (CWC), ଖୋର୍ଧାକୁ ମଧ୍ୟ ନିବେଦନ କରାଯାଇଛି। ନବମ ଶ୍ରେଣୀର ଯେଉଁ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍ କର୍ତ୍ତୃପକ୍ଷ ବର୍ଷଟେ ସେହି ଶ୍ରେଣୀରେ ଅଟକାଇଦେବାକୁ ବାଧ୍ୟ କରିଥିଲେ, ସେମାନଙ୍କ ଅଭିଭାବକେ ମଧ୍ୟ ‘‘ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ’’ ପାଖରେ ଲିଖିତ ଗୁହାରି କଲେ। କିନ୍ତୁ ଏବେ ଜାଣିବାକୁ ପାଉଛୁ ଯେ ଗୁହାରି ଶୁଣିବାର କର୍ତ୍ତୃପକ୍ଷମାନେ ସଂପୃକ୍ତ ପବ୍ଲିକ୍ ସ୍କୁଲ୍ (ପ୍ରକୃତରେ ପ୍ରାଇଭେଟ୍ ସ୍କୁଲ)କୁ ମୁଣ୍ଡରେ ବସାଇ, ବରଂ ଗୁହାରିଆ ଅଭିଭାବକମାନଙ୍କୁ ତାଗିଦ୍ କରିଛନ୍ତି।
 
ସବୁଠୁ ବିସ୍ମୟକର କଥାଟି ହେଲା ସୂଚନା ଅଧିକାର ବଳରେ ଜଣାପଡ଼ିଛି ଯେ ଶିକ୍ଷା ଅଧିକାର ନିୟମ, ୨୦୧୦ ଅନୁସାରେ ଏହି BMPS ସ୍କୁଲ୍ର No Objection Certificate (NOC) ନାହିଁ। NOC ନଥିବା ଏକ ଅନୁଷ୍ଠାନ ହୁଏତ ଏକ ଟ୍ୟୁସନ କେନ୍ଦ୍ର ହୋଇପାରେ। କିନ୍ତୁ ସ୍କୁଲ୍ ପଦବାଚ୍ୟ ନୁହେଁ। ହେଲେ ଏବେ ନିଜର ପ୍ରଚାର ପାଇଁ ୨୦୧୬ ଜାନୁଆରି ୨୬ରେ ଓଡ଼ିଶାର ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ସମାରୋହର ପରେଡ଼୍‌ରେ ଏହି ତଥାକଥିତ ସ୍କୁଲ୍‌ଟି ଭାଗ ନେବାକୁ ଯାଉଛି। ରାଜ୍ୟର Home Dept. ଏହି ସମାରୋହର ଆୟୋଜକ ହୋଇଥିବା ବେଳେ ଏଥିପାଇଁ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଉତ୍ତରଦାୟୀ ରହିଥାଆନ୍ତି। ତେବେ ଉଭୟ ରାଜ୍ୟମୁଖ୍ୟଙ୍କ ଚାରିପାଖେ ଖଟୁଥିବା ଛାମୁଆ ପ୍ରଶାସକମାନଙ୍କ ଅଜ୍ଞତା ଯୋଗୁ ଏଭଳି ଖେଳ ଏ ରାଜ୍ୟରେ ଚାଲିଛି ଓ ଚାଲିଥିବ ବୋଲି ଆମେ କହିବା କି? 

ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ହେଉଛନ୍ତି ସାମ୍ବିଧାନିକ ମୁଖ୍ୟ। ଅର୍ଥାତ୍‌ ଆଇନର ରକ୍ଷକ। କିନ୍ତୁ ଆଇନ ଉଲ୍ଲଂଘନକାରୀ ଗୋଟିଏ ଅନୁଷ୍ଠାନର ପରେଡ଼୍‌ ଓ ପ୍ରଦର୍ଶନକୁ ଉପଭୋଗ କରିବା କ’ଣ ଆଇନର ରକ୍ଷକଙ୍କ ପାଇଁ ଏକ ବିରୋଧାତ୍ମକ ଆଚରଣ ନୁହେଁ କି? ଏହା ନିଶ୍ଚିତ ରୂପେ ରାଜ୍ୟର ପ୍ରଥମ ନାଗରିକଙ୍କ ପ୍ରତି ଏକ ଅସମ୍ମାନଜନକ କାରବାର। ଆଉ ଏକ ପ୍ରଶ୍ନ ହେଲା ସରକାରୀ କର୍ତ୍ତୃପକ୍ଷମାନେ ଶିଶୁମାନଙ୍କ ଶିକ୍ଷା ଅଧିକାର ସୁନିଶ୍ଚିତ କରିବା ପରିବର୍ତେ ସ୍କୁଲ୍‌ର ବେପାରକୁ ସୁରକ୍ଷା ଦେବାରେ କାହିଁକି ଲାଗିଛନ୍ତି?
 
ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଥିବା ସେହି ଛାତ୍ରଛାତ୍ରୀମାନେ କ’ଣ ଆତ୍ମହତ୍ୟା ଭଳି ପନ୍ଥା ବାଛିଲା ପରେ ସରକାରଙ୍କ ନିଦ ଭାଙ୍ଗିବ? ଓଡ଼ିଶାର ଗଣମାଧ୍ୟମ ଖୁମ୍ବକୁ ଏ ଚର୍ଚାରେ ସାମିଲ କରୁନୁ। 

ବନ୍ଦେ ମାତରମ୍; ବନ୍ଦେ ଉତ୍କଳ ଜନନୀ…

21 जनवरी 2016

ସେତୁ ବନାମ ଶ୍ରୀମନ୍ଦିର!


ବାଂଶଧାରା ସେତୁ, ଗୁମୁଡ଼ା, ରାୟଗଡ଼ା
ଅଳ୍ପ କିଛି ଦିନ ତଳେ (୨୦୧୬ ଜାନୁଆରି) ଆମ ନୂଆ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏକ ବୈଠକରେ ଜୋର୍‌ ଦେଲେ ଓଡ଼ିଶାର ଦୁଇଟି ସେତୁ ନିର୍ମାଣ ନିଶ୍ଚୟ ସାରିବା ଉପରେ। ତାହା ହେଲା କଟକରେ ଦ୍ଵିତୀୟ କାଠଯୋଡ଼ି ସେତୁ ଏବଂ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ। ଏହାକୁ ଆମ୍ଭେ ଖବରକାଗଜରୁ ପଢ଼ିବାକୁ ପାଇଲୁ। ସରକାରୀ ସମୀକ୍ଷା ବୈଠକରେ ଏଭଳି ଦୃଢ଼ୋକ୍ତି କରି ମୁଖ୍ୟସଚିବ ମହୋଦୟ ଆମ୍ଭ ଭଳି ଅନେକ ଦେଶପ୍ରେମୀ ପାଠକ ତଥା ନାଗରିକଙ୍କ ହୃଦୟ ଜିଣିବାକୁ ପ୍ରୟାସ କରିଛନ୍ତି। କାରଣ ଏହି ଦୁଇଟି ସେତୁ ନିର୍ମିତ ହେଲେ ଏହା ରାଜ୍ୟର ଅର୍ଥନୀତି, ବାଣିଜ୍ୟ ଓ ସାମାଜିକ ସହାବସ୍ଥାନକୁ ବହୁ ମାତ୍ରାରେ ପ୍ରଭାବିତ କରିବ। ହେଲେ ଆଉ ଏକ ଗୁରୁତ୍ଵପୂର୍ଣ ସେତୁ ନିର୍ମାଣକୁ ସାରିବାର ପ୍ରତିଶ୍ରୁତି ଦେବାକୁ ମୁଖ୍ୟସଚିବ ମହୋଦୟ ଭୁଲି ଯାଇଛନ୍ତି। ତାହା ହେଉଛି NH 326 (ଆସିକା- ଦିଗପହଣ୍ଡି- ରାୟଗଡ଼ା-କୋରାପୁଟ- ଜୟପୁର- ମାଲକାନଗିରି- ମୋଟୁ) ର ଗୁମୁଡ଼ା ଛକ ପାଖରେ ରହିଥିବା ବାଂଶଧାରା ସେତୁ। ୭ ଅଗଷ୍ଟ ୨୦୦୭ର ଭୟଙ୍କର ବନ୍ୟାରେ ଭାସିଆସିଥିବା ବିଶାଳ ଅଶ୍ଵତ୍ଥ ଗଛ ମାଡ଼ରେ ସେହି ସେତୁର ଦୁଇଟି ସ୍ଲାବ୍‌ ଗଳି ପଡ଼ିଥିଲା ନଦୀ ଶଯ୍ୟାକୁ। ଏହା ମଧ୍ୟରେ ପ୍ରାୟ ୯ ବର୍ଷ ବିତିଲାଣି, ହେଲେ ସେତୁ ନିର୍ମାଣ ସରି ନାହିଁ। ପ୍ରଥମ ୪ ବର୍ଷ ଯାଇଥିଲା ନିଷ୍ପତ୍ତି ନେବାରେ ଏବଂ ବଜେଟ୍‌ରେ ବ୍ୟୟବରାଦ କରିବାରେ। ଆଶ୍ଚର୍ଯ୍ୟର କଥା ଯେ ଏହି ସେତୁ ନିର୍ମାଣ ପାଇଁ ରାଜ୍ୟ ପ୍ରଶାସନ ଆଦୌ ତତ୍ପରତା ପ୍ରକାଶ କରୁନାହିଁ। ଏହା ସେତେବେଳେ ରାଜ୍ୟ ରାଜପଥ (SH-17) ଥିଲା। ସମୟଚକ୍ରରେ ଜାତୀୟ ରାଜ୍ୟପଥର ଅଂଶବିଶେଷ ହୋଇସାରିଥିଲେ ସୁଦ୍ଧା ସେତୁ ନିର୍ମାଣ ସରିବାର ନାମ ଧରୁ ନାହିଁ। 

ଅନ୍ୟ ଗୁରୁତ୍ଵପୂର୍ଣ କଥାଟି ହେଲା, ଏନ୍‌.ଏଚ୍‌.-୩୨୬ ହେଉଛି ରାଜ୍ୟର ଦ୍ଵିତୀୟ ଦୀର୍ଘତମ (୫୧୩.୭ କିଲୋମିଟର ବିଶିଷ୍ଟ) ଜାତୀୟ ରାଜପଥ। ଦକ୍ଷିଣ ଓଡ଼ିଶାର ୫ଟି ଜିଲ୍ଲାର ସଂଯୋଗକାରୀ ଏହି ଜାତୀୟ ରାଜପଥର ସଂପ୍ରସାରିତ ଅଂଶ ଉପରେ ହିଁ ଠିଆ ହେବ ଗୁରୁପ୍ରିୟା ସେତୁ । ଯାହାକି ବାଲିମେଳା ଜଳଭଣ୍ଡାର ଦ୍ଵାରା ଦ୍ଵୀପାଞ୍ଚଳରେ ପରିଣତ ହୋଇଥିବା ୭ଟି ଗ୍ରାମପଞ୍ଚାୟତର ୩୦ହଜାରରୁ ବେଶି ନାଗରିକଙ୍କ ସହ ଯୋଗାଯୋଗ ସ୍ଥାପନ କରିବ।

ରାଜ୍ୟରେ ସଂରଚନା (Infrastructure) ବିକାଶ ପ୍ରସଙ୍ଗରେ ଓଡ଼ିଶା ଗଣମାଧ୍ୟମ କୌଣସି ଚର୍ଚା କରୁନଥିବା ବେଳେ ପୁରୀ ସହରରେ ଆଉ ଏକ ବିଶାଳ ମନ୍ଦିର (ଗଣମାଧ୍ୟମ ଭାଷାରେ ଦ୍ଵିତୀୟ ଶ୍ରୀମନ୍ଦିର) ନିର୍ମାଣ କିଭଳି ହୋଇ ନପାରିବ, ତାହା ଉପରେ ବେଶି ଚର୍ଚା ଚଳାଇଛି। ବାସ୍ତବରେ ପୁରୀରେ ଆଉ ଏକ ବିଶାଳ ମନ୍ଦିର ନିର୍ମିତ ହେଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବ। ପରମ୍ପରା ନାମରେ ସଂସ୍କାରକୁ ସ୍ଥାନ ଦେଉ ନଥିବା ମୁଷ୍ଟିମେୟ ଲୋକଙ୍କ ପତିଆରା କମିଯିବ। କାରଣ ଇସ୍କନ୍‌ (ISCKON)ର ଶ୍ରୀକୃଷ୍ଣ ବଳରାମ ମନ୍ଦିରରେ ପ୍ରବେଶ କରିବାରେ ଜାତି-ଧର୍ମ-ଜାତୀୟତାର କୌଣସି ବାଛବିଚାର ନାହିଁ। ଆଉ ସେତେବେଳେ ହିଁ ମହମ୍ମଦ ଅଜିଜ୍‌ଙ୍କ କଣ୍ଠରେ ପରିବେଷିତ ଲୋକପ୍ରିୟ ଭଜନ ‘‘କାଳିଆ ପାଖରେ ନାହିଁ ଲୋ ଜାତିଅଜାତି…ରଙ୍ଗବତୀ…’’ ସାର୍ଥକ ହେବ।

ଉଭୟ ମୁଦ୍ଦା ଓଡ଼ିଶା ପାଇଁ ଗୁରୁତ୍ଵପୂର୍ଣ। କିନ୍ତୁ ମନ୍ଦିର ଏକ ସଂରଚନା ନୁହେଁ। ବରଂ ରାଜ୍ୟରେ ସଡ଼କ-ରେଳପଥ ଭଳି ସଂରଚନାର ଅଭାବ ପୂରଣ ଦିଗରେ ଗଣମାଧ୍ୟମ ରଚନାତ୍ମକ ସହଯୋଗ କରିପାରନ୍ତା। ଅଥଚ ମୁଖ୍ୟ ସଚିବଙ୍କ ପ୍ରତିଶ୍ରୁତି ପାଳନକୁ ସମର୍ଥନ ଜଣାଇବା ପରିବର୍ତ୍ତେ ଓଡ଼ିଶା ଗଣମାଧ୍ୟମ ରାଜ୍ୟ ବିକାଶର ବାଟ ଓଗାଳିବାରେ ବ୍ୟସ୍ତ ରହିବା ଅତ୍ୟନ୍ତ ଦୁଃଖଦାୟକ।

07 जनवरी 2016

ଓଡ଼ିଆଏ ରୁଟି ବି ଖାଆନ୍ତି

ଆଜି(୭ ଜାନୁଆରି ୨୦୧୬) ଏକ ଖବରକାଗଜରେ ବାହାରିଛି ଯେ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ମନ୍ତ୍ରୀ ରାମବିଳାସ ପାଶ୍‌ୱାନ୍‌ଙ୍କୁ ଭେଟି ରାଜ୍ୟ ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଂଜୟ ଦାସବର୍ମା କହିଛନ୍ତି ଗହମ ଦିଅନି, ଚାଉଳ ଦିଅ। ଆପାତତଃ ୨୦ ବର୍ଷ ତଳେ ଏହିଭଳି ଏକ ଯୋଗାଯୋଗ କରିବାକୁ ଯାଇ ପଶ୍ଚିମ ଓଡ଼ିଶାର ଛାମୁଆ କଂଗ୍ରେସ ନେତା ତଥା ତତ୍କାଳୀନ ବଲାଙ୍ଗୀର ସାଂସଦ ଶରତ ପଟ୍ଟନାୟକ ସେଇ ସମାନ କଥା କହି ନିନ୍ଦିତ ହୋଇଥିଲେ। ସେତେବେଳେ ଗଣମାଧ୍ୟମ ଲେଖିଥିଲା, ଓଡ଼ିଆଏ ରୁଟି ବି ଖାଆନ୍ତି। ତେଣୁ ମାନ୍ୟବର ସାଂସଦଙ୍କ ବିବୃତିକୁ ସେତେବେଳେ ଭର୍ତ୍ସନା କରାଯାଇଥିଲା। ଏବେ ମାନ୍ୟବର ରାଜ୍ୟ ମନ୍ତ୍ରୀ ତାହାକୁ ଦୋହରାଇ, ବାହାଦୂରୀ କାମ କରିଛନ୍ତି କି? ଲାଗୁଛି ନୂଆ ପିଢ଼ିର ସାମ୍ବାଦିକଙ୍କ ହାତରେ ଚାଲିଥିବା ଏବେର ଓଡ଼ିଶା ଗଣମାଧ୍ୟମ ବୋଧହୁଏ ଏ ପ୍ରସଙ୍ଗକୁ ଅଣଦେଖା କରିବ। ପାକଳ ପିଢ଼ିର ସାମ୍ବାଦିକମାନେ ଅଣଧନ୍ଦାରେ ବ୍ୟସ୍ତ ଥିବାବେଳେ ଅସଲ କଥାକୁ କହିବାର ବପୁ ରଖି ନଥିବା ଭଳି ଲାଗୁଛି।

ପ୍ରକାଶିତ ଖବର ସଂଲଗ୍ନ ଫଟୋରେ ମନ୍ତ୍ରୀ ରାମବିଳାସଙ୍କୁ ମନ୍ତ୍ରୀ ସଂଜୟ ଫୁଲତୋଡ଼ା ଦେବା ବେଳେ ରାଜ୍ୟର ଖୋଦ୍‌ ଖାଦ୍ୟ ଓ ଯୋଗାଣ ଶାସନସଚିବ ଉପସ୍ଥିତ ଥିବା ଦେଖାଯାଉଛି। କ’ଣ ସେ ମଧ୍ୟ ଜାଣନ୍ତି ନାହିଁ ଯେ ଓଡ଼ିଆମାନେ ରୁଟି ମଧ୍ୟ ଖାଆନ୍ତି! ଆଜିକାର ଭେଜାଲ ଓ ସଙ୍କର ଯୁଗରେ ଆଉ ଦେଶୀ ବିହନ ନାହିଁ। ଆଉ ସଙ୍କର ବିହନରୁ ଉତ୍ପାଦିତ ଧାନର ଚାଉଳରୁ ନିରୁତା ଶ୍ଵେତସାର ହିଁ ମିଳୁଛି। ଯାହାକି ରକ୍ତଶର୍କରା ଭଳି ବିଭିନ୍ନ ରୋଗର କାରଣ ହେଉଛି। ତେଣୁ ରୁଟି ଖାଇବାର ରୁଚି ଓଡ଼ିଶାରେ ବଢ଼ିବା ଦରକାର। ରୁଟି, ଯାହାକି ଗହମରୁ ତିଆରି ଅଟାରେ ପ୍ରସ୍ତୁତ ହୋଇଥାଏ। ଡାକ୍ତରମାନେ କୌଣସି ରକ୍ତଶର୍କରା ପୀଡ଼ିତ ବ୍ୟକ୍ତିଙ୍କୁ ରୁଟି ଖାଇବାକୁ ପରାମର୍ଶ ଦିଅନ୍ତି ଏବଂ ଅତି ବେଶିରେ ବେଳାଏ ଭାତ ଖାଇବାକୁ ସାବଧାନ କରାଇ ଦେଇଥାଆନ୍ତି।

ମାଣ୍ଡିଆକୁ ଖାଦ୍ୟ ରୂପେ ଗ୍ରହଣ କରୁଥିବା ଲୋକଙ୍କୁ ପୂର୍ବ-ଉପକୂଳ ଓଡ଼ିଶାର ଲୋକମାନେ ତାଚ୍ଛଲ୍ୟ କରିଥାଆନ୍ତି। ଏବେ ବି ପୁରୀ ସହରର କିଛି ବ୍ୟକ୍ତି, ଗଂଜାମ ଜିଲ୍ଳାବାସୀଙ୍କୁ ମାଣ୍ଡିଆ ବୋଲି ସମ୍ବୋଧନ କରନ୍ତି। ଯଦିଓ ଏବେର ଗଂଜାମ ଜିଲ୍ଲାରେ ପାତ୍ରପୁର ଓ ସୋରଡ଼ା ଭଳି କେତୋଟି ବ୍ଲକ୍‌ର ହାତଗଣତି ପଞ୍ଚାୟତର ଲୋକଙ୍କ ବ୍ୟତୀତ ଆଉ କେହି ମାଣ୍ଡିଆ ଖାଉ ନାହାନ୍ତି। ବରଂ ଦିଟଙ୍କିଆ ଓ ଟଙ୍କିକିଆ ଚାଉଳର ଭୋଟ୍‌ ରାଜନୀତି କାରଣରୁ ରାଜ୍ୟରେ ଭାତଖିଆଙ୍କ ସଂଖ୍ୟା ବଢ଼ିଛି। ଭାତ, ଯାହା ଚାଉଳରୁ ତିଆରି ହୋଇଥାଏ। ୨୦ ବର୍ଷ ତଳେ ସରଳିଆ ଶରତ ବାବୁଙ୍କ ନୂଆଦିଲ୍ଲୀ ବିବୃତିରେ ସରଳତା ଓ ଅଜ୍ଞତା ଥିଲା। କିନ୍ତୁ ଏବେର ରାଜ୍ୟ ମନ୍ତ୍ରୀଙ୍କ ବିବୃତିରେ ଯେ ନିଚ୍ଛକ ଭୋଟ୍‌ ରାଜନୀତି ଅଛି, ଏ କଥା ନିଶ୍ଚୟ କିଛି ତଥ୍ୟାଭିଜ୍ଞ ଓ ବୁଦ୍ଧିବାଦୀ ଚର୍ଚା କରିବେ।

ଓଡ଼ିଶାରେ ପୁଷ୍ଟିହୀନତା ଜାତୀୟ ହାର ଠାରୁ ମଧ୍ୟ ଅଧିକ। ସେଥିପାଇଁ ଅଜୀମ୍‌ ପ୍ରେମ୍‌ଜୀ ଫାଉଣ୍ଡେସନ୍‌ ୩୦୦ କୋଟି ଟଙ୍କାର ଏକ ପୁଷ୍ଟି ପରିଚାଳନା କାର୍ଯ୍ୟକ୍ରମ ପାଇଁ ୨୦୧୫ ଶେଷ ସପ୍ତାହରେ ରାଜ୍ୟ ସରକାରଙ୍କ ସହ ଏକ ବୁଝାମଣା ସ୍ଵାକ୍ଷର କରିଛନ୍ତି। ଅବଶ୍ୟ ଓଡ଼ିଶାର ମନ୍ତ୍ରୀମାନଙ୍କୁ ଓ ସଚିବମାନଙ୍କୁ ଖାଦ୍ୟ ଓ ପୁଷ୍ଟି ମଧ୍ୟରେ ସଂପର୍କ କେତେ ଓ ନିବିଡ଼ତା କେତେ, ସେହି ପାଠ ପଢ଼ାଇବାକୁ ପଡ଼ିବ ନାହିଁ। ବରଂ ଆମ୍ଭେ ଏତିକି କହିବାକୁ ଚାହୁ ଯେ ମାଣ୍ଡିଆ ପେଜ ବଦଳରେ ଭାତ ନୁହେଁ, ବରଂ ଭାତ ବଦଳରେ ରୁଟି ଖାଇବା ରୁଚିକୁ ପ୍ରସାର କରିବାର ଜରୁରୀ ଆବଶ୍ୟକତା ରହିଛି।

ମହାଭାରତର ସଂଜୟଙ୍କୁ କୁହାଯାଏ ବିଶ୍ଵର ପ୍ରଥମ ବ୍ରଡ଼୍‌କାଷ୍ଟ୍‌ ସାମ୍ବାଦିକ। ମନ୍ତ୍ରୀ ସଂଜୟ ସାମ୍ବାଦିକ ନହେଲେ ବି ଏକ ଗଣମାଧ୍ୟମ ସଂସ୍ଥାର ପ୍ରତିଷ୍ଠାତା। ତେଣୁ ଖାଦ୍ୟ-ପୁଷ୍ଟି-ସ୍ଵାସ୍ଥ୍ୟ, ସେହି ଭଳି ଅଟା ଓ ଅଣ୍ଡା ଆଦିର ଗୁରୁତ୍ଵ ଓ ମହତ୍ତ୍ଵ ବୁଝିବା ନିହାତି ଦରକାର।

ବିମଳ ପ୍ରସାଦ, ୯୯୩୭୩୫୩୨୯୩

02 जनवरी 2016

କେମିତି ହଜାଉ ଓଡ଼ିଆ ଅସ୍ମିତା

ଓଡ଼ିଆ ଅସ୍ମିତା (Odia Identity) ଆମେ କେମିତି ହରାଇ ବସୁ, ତାହାର ଏକ କଞ୍ଚା ଉଦାହରଣ ଦେଉଛି। ଗତକାଲି ଅର୍ଥାତ୍‌ ୧ ଜାନୁଆରି ୨୦୧୬ରେ କେନ୍ଦ୍ର ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ବିଭିନ୍ନ ଖବରକାଗଜରେ ବିଜ୍ଞପ୍ତି ଛାଡ଼ିଛନ୍ତିଯେ 1906 ନମ୍ବରକୁ ଡାଏଲ୍‌ କରି ଆପଣମାନେ LPG ବା ରନ୍ଧନ ଗ୍ୟାସ୍‌ ସଂକ୍ରାନ୍ତ ଆପାତକାଳୀନ ସାହାଯ୍ୟ ପାଇପାରିବେ। ଏହି ନମ୍ବରକୁ ଯଦିଓ ବର୍ତ୍ତମାନ ନିଷ୍କ୍ରିୟ କରି ଦିଆଯାଇଛି। ୧ତାରିଖରେ ଯେତିକି ସମୟ କାମକରୁଥିଲା, ସେଥିରେ ଓଡ଼ିଆ ଭାଷା ଚୟନ ପାଇଁ କୌଣସି ପସନ୍ଦ ବତାଉ ନଥିଲା। 

ସେହି ବିଜ୍ଞପ୍ତିରେ ଉଲ୍ଲେଖ ଅଛି ଯେ ‘‘କେବଳ ଗୋଟିଏ କଲ୍‌ ଆପଣଙ୍କୁ ଏଲ୍‌ପିଜି ଲିକେଜ୍‌ ସମସ୍ୟାର ସମାଧାନ ପ୍ରଦାନ କରାଇବ।’’ ଏହାକୁ ଉପସ୍ଥାପନ କରିଛନ୍ତି ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମାନନୀୟ ରାଜ୍ୟମନ୍ତ୍ରୀ (ସ୍ଵତନ୍ତ୍ର ପ୍ରଭାର), ପେଟ୍ରୋଲିୟମ୍‌ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରାଳୟ, ଭାରତ ସରକାର।

1906ର ବୈଶିଷ୍ଟ୍ୟ ହେଉଛି: 
  • ଏଲ୍‌.ପି.ଜି. ସମସ୍ୟା ନିବାରଣ ପାଇଁ ସଂପୂର୍ଣ ଭାରତରେ ସପ୍ତାହର ୭ ଦିନ ଓ୨୪ ଘଣ୍ଟା ଉପଲବ୍‌ଧ 
  • ଏଲ୍‌.ପି.ଜି. ଲିକେଜ୍‌ ସମସ୍ୟାର ସମାଧାନ ପାଇଁ ଏହି ନମ୍ବର ହିନ୍ଦୀ ସହିତ ୧୦ଟି ଆଞ୍ଚଳିକ ଭାଷାରେ ଉବଲବ୍‌ଧ 
  • ତତ୍କାଳ ଏଲ୍‌.ପି.ଜି. ଲିକେଜ୍‌ ସମ୍ବନ୍ଧିତ ସୁରକ୍ଷା ଉପାୟ 
  • କୁଶଳ ପ୍ରଶିକ୍ଷିତ ମେକାନିକ୍‌ର ବ୍ୟବସ୍ଥା

ଏବେ ଆସିବା ପ୍ରସଙ୍ଗକୁ। ଆପଣମାନେ ଜାଣିଥିବେ ଯେ ସବୁଠୁ ବେଶି ଏଲ୍‌.ପି.ଜି. ଦୁର୍ଘଟଣା ଓଡ଼ିଶାରେ ହୁଏ। National Crime Records Bureau (NCRB) ତଥ୍ୟ ଅନୁସାରେ ୨୦୧୪ରେ ୮୩ ଜଣଙ୍କର ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଓ ଷ୍ଟୋଭ୍‌ ବିସ୍ଫୋରଣ ଯୋଗୁ ମୃତ୍ୟୁ ହୋଇଛି। ୨୦୧୫ ମସିହାରେ ୨୦ରୁ ବେଶି ଲୋକଙ୍କର ମୃତ୍ୟୁ ହୋଇଥିବା ଖବରକାଗଜ ତଥ୍ୟରୁ ଜଣାପଡୁଛି। ଆହତ, ଗୁରୁତର ଆହତ, ଅଙ୍ଗହାନି ଓ ପଙ୍ଗୁ ହୋଇଥିବା ଲୋକଙ୍କ ହିସାବ କାହିଁରେ କେତେ।

ଅସଲ ଅଭିଯୋଗଟି ହେଲା ଯେ ୧୦ଟି ଭାରତୀୟ ଭାଷା ଭିତରେ ‘ଓଡ଼ିଆ’ ନାହିଁ। ସମ୍ବିଧାନରେ ୨୨ଟି ଭାଷାକୁ ଅନୁସୂଚୀରେ ସ୍ଥାନ ଦିଆଯାଇଥିବା ବେଳେ ୧୦ଟି ଭାଷାରେ ଏକ Helpline ନମ୍ବର ଜାରି ହେବାର ପ୍ରାସଙ୍ଗିକତା କ’ଣ? ଯେଉଁ ଭାଷାରେ ଅଧିକ କଲ୍‌ ଆସିବ, ସେହି ଭାଷାର ଅଧିକ ନୋଡ଼୍‌ ରହିବ। ଯେଉଁ ଭାଷାରୁ କମ୍‌ କଲ୍‌ ଆସିବ, ସେହି ଭାଷା ପାଇଁ ସେହି ଅନୁପାତରେ ନୋଡ଼୍‌ ରହିବ। ଅର୍ଥାତ୍‌ ସେହି ଅନୁସାରେ କଲ୍‌ ସେଣ୍ଟର କାର୍ଯ୍ୟନିର୍ବାହୀ ନିଯୁକ୍ତ ହେବା କଥା। କିନ୍ତୁ ମନ୍ତ୍ରାଳୟର ପ୍ରାଶାସନିକ ବିଭାଗ ଏପରି କରି ନାହିଁ। ଯେଉଁ ୧୦ଟି ଭାଷା ଅଛି ସେଗୁଡ଼ିକ ହେଲା: ହିନ୍ଦୀ, ଇଂଲିଶ୍‌, ମରାଠୀ, ଗୁଜୁରାଟୀ, କନ୍ନଡ଼, ମଳୟାଲମ୍‌, ତାମିଳ, ତେଲୁଗୁ, ବେଙ୍ଗଲୀ, ପଞ୍ଜାବୀ। ସାରା ଦେଶ ସହ ଯୋଗାଯୋଗ କରିବା ପାଇଁ ଦେଶର ସମ୍ବିଧାନ ଯେତେବେଳେ ୨୨ଟି ଭାଷାକୁ ଚିହ୍ନଟ କରି ସ୍ଵୀକୃତି ଦେଇ ସାରିଛି। ସେତେବେଳେ ୧୨ଟି ଭାଷାକୁ କେନ୍ଦ୍ର ସରକାରଙ୍କ ପଦକ୍ଷେପ ଓ କାର୍ଯ୍ୟକ୍ରମରୁ କାଟି ଦେବାର ଅଧିକାର କିଏ ଦେଲା ପେଟ୍ରୋଲିୟମ୍‌ ମନ୍ତ୍ରାଳୟକୁ? ଏ ପ୍ରଶ୍ନ ମୁଁ ପ୍ରଧାନମନ୍ତ୍ରୀଙ୍କୁ ପଚାରୁ ନାହିଁ, ବରଂ ପଚାରୁଛି ଓଡ଼ିଶା ଜନ୍ମିତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ।

ଓଡ଼ିଆ ଭାଷା ସୁରକ୍ଷା ପାଇଁ ଆମେ ଚିନ୍ତା କରୁଥିବା ବେଳେ ଜଣେ ଓଡ଼ିଆ ମନ୍ତ୍ରୀ ଓଡ଼ିଆ ଭାଷାକୁ କାଟି ଦେଇ ଥିବାରୁ ମୁଁ ତାଙ୍କର ସାହସିକତା ପାଇଁ ଧନ୍ୟବାଦ ଦେଉଛି। କାରଣ ଓଡ଼ିଆ ଏକ ସହିଷ୍ଣୁ ଜାତି। ଏହି ଅପମାନକୁ ସହିବାର ସାମ‌ର୍ଥ୍ୟ ଆମର ଅଛି। ବଡ଼ କଥା ହେଲା ଯେ ଏହି ତଟକା ଉଦାହରଣରୁ ଆପଣ ବୁଝିପାରିଥିବେ, କେମିତି ହଜାଉ ଆମେ ଓଡ଼ିଆ ଅସ୍ମିତା!

ଇଂଲିଶ୍‌ ଓ ହିନ୍ଦୀରେ ବୁଝିହେଲା ଭଳି କଥା ପଦେ କହି ପାରୁ ନଥିବା ଓଡ଼ିଶାର ଓଡ଼ିଆ (ରାଜ୍ୟ ବାହାରେ ରହୁଥିବା ଓଡ଼ିଆଙ୍କ କଥା ଏଠାରେ କହୁନି) ଲୋକମାନେ ଏଲ୍‌.ପି.ଜି. ବିପଦରେ ପଡ଼ିଲେ ସାହାଯ୍ୟ ମାଗିବାକୁ 1906 ଡାଏଲ୍‌ କରି କେଉଁ ଭାଷା ଚୟନ କରିବେ ?

ଆମ୍ଭେ ଏହି ବ୍ଲଗ୍‌ ପ୍ରକାଶ କରିବା ପୂର୍ବରୁ ମୋ’ ଭଳି କିଛି ମାତୃଭାଷାପ୍ରେମୀ ଫୋନ୍‌ରେ ଅବଶ୍ୟ ସଂପୃକ୍ତ ମନ୍ତ୍ରୀଙ୍କୁ ପଦେପଦେ ଶୁଣାଇଦେଲେଣି। ଏବେ ସେହି ନମ୍ବର ଆଉ ଲାଗୁ ନାହିଁ। ବୋଧହୁଏ ମଙ୍ଗଳବାର ଆଡ଼କୁ ନୂଆ ସଫ୍ଟୱେର ଚାଲୁ ହେବ। ଭଲ ହେଉ, ଆମ୍ଭର ସକରାତ୍ମକ ଅନୁମାନ ସତ ହେଉ।

ବିମଳ ପ୍ରସାଦ, 9937353293
(ବ୍ଲଗରଙ୍କ ବିନାଅନୁମତିରେ ମଧ୍ୟ କୌଣସି ଗଣମାଧ୍ୟମ ଏହାକୁ ପୁନଃପ୍ରକାଶ କରିପାରିବେ)