29 अप्रैल 2016

ଦାସଙ୍କ ଦେହ ଭଲ ନାହିଁ!

୨୮ ଏପ୍ରିଲ୍ ୨୦୧୬। ମଧୁବାବୁ ଜୟନ୍ତୀ। ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳିତ ହେଲା। ସ୍ୱାଭାବିକ ଭାବେ ମଧୁବାବୁଙ୍କ କର୍ମଭୂମି କଟକରେ ବି ବହୁ ସ୍ଥାନରେ ପାଳିତ ହେଲା। ହେଲେ ଇତିହାସକୁ କଳଙ୍କିତ କଲା ରାଜ୍ୟ ଶାସକ ଦଳ ବିଜୁ ଜନତା ଦଳ ଲିଗାଲ ଫ୍ରଣ୍ଟ୍‌ର କାର୍ଯ୍ୟକ୍ରମ। ଯେଉଁଠି ଚିଟଫଣ୍ଡ‌୍ ତଦନ୍ତ କମିଶନ ଅଧ୍ୟକ୍ଷ ନ୍ୟାୟମୂର୍ତି ମଦନମୋହନ ଦାସଙ୍କ ବିବୃତି କେବଳ ଗଣମାଧ୍ୟମ ପ୍ରତିନିଧି ନୁହେଁ, ସାରା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଛି। ସେ କହିଥିଲେ, ‘‘ଲୋଭଗ୍ରସ୍ତ ହୋଇ ଚିଟଫଣ୍ଡ‌ ଜମାକାରୀମାନେ ଠକେଇର ଶିକାର ହୋଇଛନ୍ତି। ଏତେଦିନ ଯାଏଁ ମୁଁ ବୁଝିପାରୁନି ଏଥିରେ ସରକାରଙ୍କର ଭୂମିକା କ’ଣ? ଜଣେ ଲୋକ  ଆର ଲୋକକୁ ବିଶ୍ୱାସ କରି ପଇସା ଦେଲା, ଚୁକ୍ତି କଲା, ଚୁକ୍ତିରେ ଯଦି ଗୋଟିଏ ପାର୍ଟି ଫେଲ‌୍ କଲା, ତେବେ ଅନ୍ୟ ପକ୍ଷ ଆଇନର ପରିସର ଭିତରେ ଆସି ତାର ଅର୍ଥ ଆଦାୟ କରିବ। ଏଥିରେ ସରକାରଙ୍କର କି ଦାୟିତ୍ୱ ରହିଲା ଲୋକମାନଙ୍କୁ ନ୍ୟାୟ ଦେବା ପାଇଁ? କିଛି ଲୋକଙ୍କ ଦ୍ୱାରା ଏତେ ସଂଖ୍ୟକ ଲୋକ ପ୍ରତାରଣାର ଶିକାର ହୋଇଛନ୍ତି, ସେଥିପାଇଁ ସରକାର ଏହାକୁ ଦୁର୍ବିପାକ ଭଳି ଗ୍ରହଣ କରି ସେମାନଙ୍କୁ କିଛି ପରିମାଣର କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ  ନେଇପାରିବେ। ବାତ୍ୟା କ୍ଷତିପୂରଣ ଭଳି ସରକାର କାହାକୁ ୫ହଜାର  କି ୧୦ ହଜାର ଟଙ୍କା ଦେଇ ପାରିବେ। ସେମାନେ ନିବେଶ କରିଥିବା ଟଙ୍କା କାହିଁକି ସରକାର ଫେରସ୍ତ କରିବେ? ଏଥିରେ ବହୁ ସମସ୍ୟା ଉପୁଜିବ।...’’ ଏଭଳି ଅପରିପକ୍ୱ ମନ୍ତବ୍ୟ ଯୋଗୁ ଲକ୍ଷଲକ୍ଷ ଜମାକାରୀଙ୍କ ମଧ୍ୟରେ ବିରକ୍ତି ଓ କ୍ରୋଧ ସୃଷ୍ଟି ହୋଇଛି।

ଓଡ଼ିଅାରେ ଏକ ଆପ୍ତବାକ୍ୟ ଅଛି - ‘‘୭ଖଣ୍ଡ ରାମାୟଣ ସରିଲାଣି, ଅଥଚ ସୀତା ପୁରୁଷ କି ନାରୀ ଜଣା ନାହିଁ!’’ ଏମ‌୍.ଏମ୍. ଦାସଙ୍କ କ୍ଷେତ୍ରରେ ସେୟା ହିଁ ହୋଇଛି। ଓଡ଼ିଶାର ସଂସ୍କୃତି ବୋଇଲେ ଜଗନ୍ନାଥ ସଂସ୍କୃତି। ଏଥିରେ ମଦନମୋହନ ଶବ୍ଦର ଏକ ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ସିଏ ହେଉଛନ୍ତି ଜଗନ୍ନାଥଙ୍କ ଚଳନ୍ତି ପ୍ରତିମା। କିନ୍ତୁ ଇଏ ମଦନମୋହନ ପୂରା ଅଚଳି ଟଙ୍କା। ଇଏ ବିଜ୍ଞାନର ଛାତ୍ର ହୋଇଥିବାରୁ କିଛି ବୈଜ୍ଞାନିକ ଉପାୟରେ ସମସ୍ୟା ସମାଧାନର ବାଟ ବାହାର କରିବେ ବୋଲି ଯାହା ଅନୁମାନ କରାଯାଉଥିଲା, ସବୁ ବ୍ୟର୍ଥ ଯାଇଛି। 

କଟକୀ କଥାବାର୍ତାର ଏକ ସାଧାରଣ ଉକ୍ତି ହେଉଛି, ‘‘ତମ ଦିହ ଭଲ ନାଇଁକି?’’  କୌଣସି ଅାଚରଣରେ ବ୍ୟତିକ୍ରମ ଲକ୍ଷ୍ୟ କଲେ ଖାଣ୍ଟି କଟକିଆମାନେ ଏଭଳି କହିଥାଆନ୍ତି। ଏହା ପ୍ରଶ୍ନ ଭଳି ପଚାରା ଯାଉଥିଲେ ବି ଏହାର ଉତ୍ତର ଜରୁରୀ ନାହିଁ। କାରଣ ପ୍ରଶ୍ନକର୍ତା ଜାଣିଥାଅାନ୍ତି ଯେ ସାମନାରେ ଥିବା ବ୍ୟକ୍ତିଙ୍କର କିଛି ଗଡ଼୍‌ବଡ଼୍‌ ଅଛି, ତେଣୁ ସେ ଅସ୍ୱାଭାବିକ ଆଚରଣ କରୁଛନ୍ତି। ଏପ୍ରିଲ୍‌ ୨୮ ତାରିଖ ଘଟଣାରେ ମେ ମେ ଦାସଙ୍କର ଦିହ ଭଲ ନାହିଁ ବୋଲି ଜଣାପଡ଼ିଯାଉଛି। ସାଧାରଣତଃ ୬୦ ପୂରିଲା ପରେ ଅଥବା ଚାକିରିରୁ ଅବସର ନେବା ପରେ ଅନେକ ଲୋକଙ୍କର ଏକାଧିକ ବିକୃତି ଦେଖାଯାଇଥାଏ। ଯେମିତିକି ଟିକେ ଟିକେ କଥାରେ ଚିଡ଼ିଯିବା, ରସଗୋଲା-ଛେନାପୋଡ଼-ଛେନାଗଜା ଇତ୍ୟାଦି ଖାଇବାକୁ ଇଚ୍ଛା ହେବା, ଦୁନିଅାଯାକ ଲୋକ ଖରାପ ବୋଲି ଅନୁଭବ ହେବା ଇତ୍ୟାଦି। ତେଣୁ ଅବସରପ୍ରାପ୍ତ ଲୋକଙ୍କୁ କୌଣସି ପଦପଦବୀରେ ବସାଇବା ବେଳେ ଏହି ମନଃସ୍ଥିତି ପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ଅବଶ୍ୟ ୮୦ ଟପିଗଲା ପରେ ଗୁଣ ଓ ଆଚରଣରେ ପୁଣି ସୁଧାର ଆସିବା ଲକ୍ଷ୍ୟ କରାଯାଇଥାଏ। ରାଜ୍ୟ ସରକାର ହୁଏତ ଜାଣିଜାଣି ଏଭଳି ଜଣେ ଅଯୋଗ୍ୟ ବ୍ୟକ୍ତିଙ୍କୁ କମିଶନ-ଅଧ୍ୟକ୍ଷ ନିଯୁକ୍ତ କରିଥିବା ଏବେ ଧରା ପଡ଼ିଯାଇଛି। କର୍ପସ‌ ପାଣ୍ଠି ନାମରେ ଫାଙ୍କି ମାରିଥିବା ସରକାର ଯେ ଗୋଟାପଣେ କମିଶନଟାକୁ ମଧ୍ୟ ଫାଙ୍କି ମାରିଛନ୍ତି, ତାହା ବୁଝିହେଉଛି।

ମଞ୍ଚକୁ ଯିବା ପୂର୍ବରୁ ହୁଏତ ମିଜାଜ ରଙ୍ଗୀନ କରିବାକୁ ଟିକେ ରଙ୍ଗପାଣି ପକେଇ ଦେଇଥାଇପାରନ୍ତି। ତେଣୁ ବିଚାରପତି ମେ ମେ ଦାସଙ୍କ ବିବୃତି କ୍ଷମଣୀୟ କି ନୁହେଁ ତାହା ଏବେ ରାଜ୍ୟବାସୀ ବିଚାର କରିବେ। ରାଜ୍ୟରେ ବୋଧହୁଏ ଏହା ପ୍ରଥମ ଘଟଣା ହେବାକୁ ଯାଉଛି, ଯେଉଁଠି ଜଣେ ପୂର୍ବତନ ବିଚାରପତିଙ୍କ ବିରୋଧରେ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶିତ ହେବ ଏବଂ ସେ ନିଜ ପଦବୀରୁ ବିଦା ହେବେ। ଏହି ଖବର ଯଦି ଇଂଲିଶ୍ ଓ ହିନ୍ଦୀ ଗଣମାଧ୍ୟମରେ ସ୍ପଷ୍ଟ ଭାବେ ପ୍ରକାଶ ପାଇଯାଇଥିବ, ତେବେ ଓଡ଼ିଶା ଓ ଓଡ଼ିଆଙ୍କୁ ସର୍ବଭାରତୀୟ ସ୍ତରରେ ହୀନ କରି ଦେଖିବାର ଧାରା ଜାରି ରହିବାର ବାଟ ଫିଟିଯିବ। 

ମଧୁବାବୁଙ୍କ ଜୟନ୍ତୀକୁ ‘ସ୍ୱାଭିମାନ ଦିବସ’ ରୂପେ ପାଳନ କରାଯାଉଥିବା ବେଳେ ଓଡ଼ିଶା ଓ ଓଡ଼ିଅାଙ୍କ ସ୍ୱାଭିମାନ ହାନି କଲେ ଜଣେ ଆଇନ ପଢୁଆ ବ୍ୟକ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ କଥା। ମଧୁବାବୁ ସ୍ୱର୍ଗରେ ଥାଇ ନିଶ୍ଚୟ ବ୍ୟଥିତ ହେଉଥିବେ। 

25 अप्रैल 2016

ଓକିଲ ନା ଐକିକ ଧାରା: ପ୍ରାସଙ୍ଗିକ କେଉଁଟି?

୨୪ ଏପ୍ରିଲ୍‌ ୨୦୧୬। ନୂଆଦିଲ୍ଲୀରେ ଆୟୋଜିତ ହୋଇଥିଲା ମୁଖ୍ୟମନ୍ତ୍ରୀ ଓ ମୁଖ୍ୟବିଚାରପତି ସମ୍ମିଳନୀ। ନିଜର ଅଭିଭାଷଣ ରଖିବା ବେଳେ ଭାରତର ମୁଖ୍ୟବିଚାରପତି ନ୍ୟାୟମୂର୍ତି ତୀର୍ଥସିଂହ ଠାକୁର କାନ୍ଦି ପକାଇଲେ; ହଜାର ହଜାର ବିଚାରାଧୀନ ବନ୍ଦୀ, କାରାଗାରରେ ଶଢୁଥିବା ବେଳେ ଶୁଣାଣି ପ୍ରକ୍ରିୟାରେ ବିଳମ୍ବ ପାଇଁ ବିଚାର ବ୍ୟବସ୍ଥାକୁ ଦାୟୀ କରାଯାଉଛି ବୋଲି। ନ୍ୟାୟମୂର୍ତି ଠାକୁର ଭାବପ୍ରବଣ ହୋଇ ଗଣିତର ଐକିକ ଧାରାର ଉଦାହରଣ ଦେଇଥିଲେ। ଗୋଟିଏ ସଡ଼କର ନିର୍ମାଣକୁ ୫ଜଣ ଶ୍ରମିକ ୧୦ ଦିନରେ ସାରିଲେ, ତାହାକୁ ଗୋଟିଏ ଦିନରେ କେତେ ଜଣ ଶ୍ରମିକ ସାରିବେ ? ଏହାର ଉତ୍ତର ହେବ ୫୦ ଜଣ ଶ୍ରମିକ। ତୁରନ୍ତ ବିଚାରପତିଙ୍କ ଖାଲି ପଦଗୁଡ଼ିକ ପୂରଣ କରିବା ଦିଗରେ ସରକାରଙ୍କୁ ପ୍ରରୋଚିତ କରିବାକୁ ଏହି ଉଦାହରଣ ବେଶ୍‌ ବଳିଷ୍ଠ। କିନ୍ତୁ ଏହି ଐକିକଧାରା ଗଣିତ ସବୁ କ୍ଷେତ୍ରରେ କାର୍ଯ୍ୟକ୍ଷମ ନୁହେଁ। ଭାରତର ନ୍ୟାୟପାଳିକା Fast Track Court ଭଳି ପ୍ରକଳ୍ପର ପରୀକ୍ଷା ନିରୀକ୍ଷା କରିସାରିଛି। ସଫଳ ହୋଇଛି କି? ଏହାର ଉତ୍ତର ଆପଣମାନେ ଜାଣନ୍ତି। ଗଣିତ ସବୁ କ୍ଷେତ୍ରରେ ସଠିକ୍‌ ନୁହେଁ, କେତେକ କ୍ଷେତ୍ରରେ କାଣ୍ଡଜ୍ଞାନ (Common Sense) ମଧ୍ୟ ଗାଣିତିକ ଉତ୍ତରକୁ ପ୍ରଭାବିତ କରିବା ଆବଶ୍ୟକ ହୋଇଥାଏ। ଉଦାହରଣ, ଗୋଟିଏ ବରଗଛର ଗୋଟିଏ ବଡ଼ ଡାଳରେ ୧୭ଟି ଶୁଆ ବସିଥିଲେ। ଜଣେ ବାଣୁଆ ଆସି ଢୋ କରି ଗୁଳିଟିଏ ମାରିବାରୁ ଶୁଆଟିଏ ସଟ୍‌କିନି ତଳେ ପଡ଼ିଗଲା। ତେବେ ଡାଳରେ ଆଉ କେତେଟି ଶୁଆ ରହିଲେ। ଗଣିତ ପାଠ ଅନୁସାରେ ଡାଳରେ ୧୬ଟି ଶୁଆ ରହିଲେ। କିନ୍ତୁ ଏହା ଭୁଲ୍‌ ଉତ୍ତର। କାରଣ ସେହି ଡାଳରେ ବାସ୍ତବରେ ଗୋଟିଏ ବି ଶୁଆ ଆଉ ରହିବେ ନାହିଁ। ବନ୍ଧୁକର ଗୁଳି ଶବ୍ଦ ଶୁଣି ଶୁଆମାନେ ଦୂରକୁ ଉଡି ପଳାଇଯାଇଥିବେ।

ଏହି ଉଦାହରଣ ଦେବାର ଉଦ୍ଦେଶ୍ୟ ହେଲା, ଦେଶ ଯେତେବେଳେ ଆଇନଜୀବୀ (ଓକିଲ) ଓ ଚାଟାର୍ଡ଼ ଆକାଉଣ୍ଟାଣ୍ଟ୍‌ମାନଙ୍କ ନିୟନ୍ତ୍ରଣରେ ଅଛି, ସେତେବେଳେ କୌଣସି ବଡ଼ କଥା ଚିନ୍ତା କରିବା ବେଳେ ଏମାନଙ୍କ ସଂପୃକ୍ତି ଓ ପ୍ରଭାବକୁ ବିଶ୍ଳେଷଣ କରିବା ଜରୁରୀ। ଲଣ୍ଡନଗାମୀ Art of Leavingର ସଦ୍ୟତମ ଓସ୍ତାଦ୍‌ ବିଜୟ ମାଲ୍ୟାଙ୍କ ସାଂପ୍ରତିକ ଠକେଇ ଦିନକର କଥା ନୁହେଁ ବା ସେ ଏକାଏକା ଏତେ ବାଟ ଆସି ନାହାନ୍ତି। ଏହା ପଛରେ ଉପରୋକ୍ତ ଦୁଇ ବର୍ଗର ବ୍ୟକ୍ତିମାନେ ଅବଶ୍ୟ ଅଛନ୍ତି। ସରକାର କେବଳ ପାସ୍‌ପୋର୍ଟ ରଦ୍ଦ କରି ଦେଇ ବସିଛନ୍ତି। କିନ୍ତୁ ତାଙ୍କର ଆଇନ ଉପଦେଷ୍ଟା ଓ ଚାର୍ଟାର୍ଡ଼ ଆକାଉଣ୍ଟାଣ୍ଟ୍‌ ମାନଙ୍କୁ ଆଜି ସୁଦ୍ଧା ଧରି ନାହାନ୍ତି। ଏବେ ଫେରିବା ମୂଳ ପ୍ରସଙ୍ଗକୁ। ବିଚାରପତି ସଂଖ୍ୟା ସମାନୁପାତିକ ହେଲେ ମଧ୍ୟ ମାମଲା ସଂଖ୍ୟା କମିବ ନାହିଁ। କାରଣ ଓକିଲମାନେ ହିଁ ବିଚାରାଳୟର ପ୍ରକ୍ରିୟାକୁ ନିୟନ୍ତ୍ରିତ କରିଥାଆନ୍ତି। ଦେଖାଯାଏ ଯେ ଅନେକ ବିଚାରପତିଙ୍କ ବାହ୍ୟଜ୍ଞାନ, ବାସ୍ତବତା ଜଡ଼ିତ ଜ୍ଞାନ ବହୁତ୍‌ କମ୍‌। ସେମାନେ ନିଜ ପରିସରରେ କାର୍ଯ୍ୟରତ କିଛି ଓକିଲଙ୍କ ଠାରୁ ମଧ୍ୟ ଅନଭିଜ୍ଞ ଓ ଅପରିପକ୍ଵ। ତେଣୁ ସେମାନେ ଓକିଲଙ୍କ ଇସାରାରେ ନିଷ୍ପତ୍ତି ନେବାକୁ ବାଧ୍ୟ ହୁଅନ୍ତି। ତେଣୁ ବିଚାରପତି ଚୟନ ପ୍ରକ୍ରିୟାରେ ଦୋଷ ରହିଛି। କିଛି ଦିନ ତଳେ କଲେଜିୟମ୍‌ ଉଚ୍ଛେଦ ପ୍ରସଙ୍ଗରେ ବରିଷ୍ଠ ବିଚାରପତିମାନେ ସେମାନଙ୍କ ଅହଂକାରର କସରତ କରି ସାରିଛନ୍ତି। ଏବେ ଭାବପ୍ରବଣ ହୋଇ ପ୍ରଧାନବିଚାରପତି ଯାହା ବାର୍ତା ଦେବାକୁ ଚେଷ୍ଟା କଲେ ବି ଅନ୍ୟ ଅନାଲୋଚିତ ଦିଗଗୁଡ଼ିକୁ ଧ୍ୟାନ ଦେବାର ଜରୁରୀ ଆବଶ୍ୟକତା ରହିଛି। ପ୍ରଥମତଃ ବିଚାରପତି ଚୟନ ଆମ୍ଭ ମତରେ କାର୍ଯ୍ୟରତ ଓକିଲ (Practicing Lawyer) ଙ୍କ ମଧ୍ୟରୁ କରାଯିବା ବିଧେୟ। ଏ ଚୟନ ପ୍ରକ୍ରିୟା ଗାଣିତିକ ଫଳାଫଳ ଭଳି ନହୋଇ ଏଥିରେ ସଂପୃକ୍ତ ପ୍ରାର୍ଥୀଙ୍କ ବିଗତ ଦିନର ମାମଲା ପରିଚାଳନା ଦକ୍ଷତା, ହାସଲ କରିଥିବା ଚୂଡ଼ାନ୍ତ ରାୟ ଆଦିକୁ ବିବେଚନା କରାଯାଉ। ଅବଶ୍ୟ ଏ କାମ ପାଇଁ କିଛି ସଚ୍ଚୋଟ ଓ ଦଣ୍ଠା ନ୍ୟାୟମୂର୍ତିଙ୍କର ସମନ୍ୱୟ ମଣ୍ଡଳୀ ଲୋଡ଼ା ହେବେ। ଅନ୍ୟ ପ୍ରସଙ୍ଗଟି ହେଲା ମାମଲା ଫୈସଲାର ମନୋବୃତ୍ତି ଓ ଇଚ୍ଛାଶକ୍ତି। ଯାହାକି ଏକ ରାଷ୍ଟ୍ରୀୟ ଚରିତ୍ରକୁ ପ୍ରତିନିଧିତ୍ଵ କରିଥାଏ। Mark fetching ଶିକ୍ଷା ବ୍ୟବସ୍ଥାରେ ଏହାର ଭିତ୍ତିଭୂମି ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ଦେଶର ନ୍ୟାୟପାଳିକା ମୁଣ୍ଡେଇଥିବା ବ୍ୟକ୍ତିମାନେ ଇଂଲିଶ୍‌ ମାଧ୍ୟମ ଶିକ୍ଷାରୁ ଆସି ନାହାନ୍ତି ତ? ଏହି ପ୍ରଶ୍ନର ଉତ୍ତରରେ ହିଁ ରହିଛି ସମଗ୍ର ସଂକଟର ସିଂହଭାଗ ସମାଧାନ। କାରଣ ସେମାନେ ହୁଏତ ଜାଣିବାରେ ବିଳମ୍ବ ହେବ ଯେ ବରଗଛ ଡାଳରେ ଅବଶିଷ୍ଟ ଶୁଆ ସଂଖ୍ୟା ଷୋହଳ କି ଶୂନ!

ସିଙ୍ଗାପୁର ଓ ସାଉଦୀଆରବ ଗୋଟିଏ ଗୋଟିଏ ବିକଶିତ ରାଷ୍ଟ୍ରରେ ପରିଣତ ହେବା ପଛରେ ରହିଛି ଏକ ବଳିଷ୍ଠ ନ୍ୟାୟପାଳିକାର ଅବଦାନ। ଏଠାରେ ‘ଅବଦାନ’ ଶବ୍ଦକୁ ଆପଣ ‘ଭୂମିକା’ ରୂପେ ମଧ୍ୟ ଅର୍ଥ କରି ପାରନ୍ତି। କଠୋର ଦଣ୍ଡ ବ୍ୟବସ୍ଥାକୁ ଭାରତରେ ବିରୋଧ କରାଯିବାଟା ଏକ ଭାବପ୍ରବଣତାର ନମୁନା। ଭାବପ୍ରବଣତାରେ ଦେଶ ଚାଲି ପାରିବନି। ଉଦାହରଣ:- ୫ ଜୁଲାଇ ୨୦୧୪ରେ ଉତ୍ତର ୨୪-ପ୍ରଗଣା ଜିଲ୍ଲା ବାମୁନଗାଚ୍ଛିର ଜଣେ କଲେଜ ଛାତ୍ର ସୌରଭ ଚୌଧୁରୀଙ୍କ ହତ୍ୟା ମାମଲାରେ କୋଲକାତାର ଏକ ଅଦାଲତ ୧୯ ଏପ୍ରିଲ୍‌ ୨୦୧୬ରେ ରାୟ ପ୍ରକାଶ କଲେ। ହତ୍ୟା ଘଟଣାର ମାତ୍ର ୨୨ ମାସ ମଧ୍ୟରେ କୌଣସି ଅଦାଲତ ରାୟ ଦେବାଟା ଦେଶ ପାଇଁ ଆଶାଉଦ୍ଦୀପକ ହୋଇଥିବା ବେଳେ ରାୟରେ ପ୍ରକାଶ ପାଇଥିବା ଦଣ୍ଡାଦେଶ ଅନେକଙ୍କୁ ଅଡ଼ୁଆ ଲାଗିପାରେ। କାରଣ ସେଥିରେ ହତ୍ୟାକାରୀ ଶ୍ୟାମଲ କର୍ମକାର ଗ୍ୟାଙ୍ଗ୍‌ର ୮ ଜଣଙ୍କୁ ଫାଶୀଦଣ୍ଡାଦେଶ ଶୁଣାଇ ଦିଆଯାଇଛି।  ଆମ୍ଭ ମତରେ ସେହି ୮ଜଣଙ୍କୁ ଆଦୌ ଫାଶୀ ହେବ ନାହିଁ, ବରଂ ଏକ ଉଚ୍ଚତର ଅଦାଲତ ସେହି ଦଣ୍ଡକୁ କୋହଳ କରିବା ଯାଏଁ କଥା ଯିବ। ଓଡ଼ିଶାରେ ମଧ୍ୟ ୨୦୧୪-୧୫ରେ ଏକାଧିକ ଅପରାଧୀଙ୍କୁ ଫାଶୀ ଦଣ୍ଡାଦେଶ ହୋଇଛି। କିନ୍ତୁ କାହାରିକୁ ଫାଶୀରେ ଝୁଲାଯାଇ ନାହିଁ। ତେବେ ସଦ୍ୟ ପ୍ରକାଶିତ କୋଲକାତା ଅଦାଲତଙ୍କ ରାୟ ପଛରେ ବିଜେପି ଓ ତୃଣମୂଳ କଂଗ୍ରେସ୍‌ର ରାଜନୀତିକ ସଂପର୍କ ରହିଥିବାରୁ ନିର୍ବାଚନ ପରେ ଏହି ମାମଲାକୁ ନେଇ ନୂଆ ଖେଳ ଆରମ୍ଭ ହେବ। ଆଶ୍ଚର୍ଯ୍ୟର କଥା ଯେ ସାଧାରଣ ନାଗରିକେ ବି ରାଜରାସ୍ତାରେ ପ୍ଲାକାର୍ଡ଼ ଧରି ଫାଶୀଦଣ୍ଡକୁ ବିରୋଧ କରିବେ! ସୋସିଆଲ ମିଡ଼ିଆରେ ଶହଶହ ପୋଷ୍ଟ୍‌ ଛାଡ଼ିବେ! କିଛି ପାଷାଣ୍ଡ ବି ମତ ଦେବେ ଫାଶୀଦଣ୍ଡ ଉଠିଯାଉ ଇତ୍ୟାଦି ଇତ୍ୟାଦି...। 

ହତ୍ୟା, ମହାଠକେଇ ବା ଅନ୍ୟ କୌଣସି ବଡ଼ଧରଣର ଦର୍ଶନୀୟ ଅପରାଧରେ ଧରାନପଡ଼ି ସୁଦ୍ଧା ଯେଉଁ ବିଚାରାଧୀନ କଏଦୀମାନେ ୬ ମାସ କି ବର୍ଷେ ନୁହେଁ, ବରଂ ୫ ବର୍ଷରୁ ୨୦ ବର୍ଷ ପର୍ଯ୍ୟନ୍ତ କାରାଗାରରେ ଶଢୁଛନ୍ତି, ତାହା ଯେକୌଣସି ମାନବବାଦୀ ନାଗରିକ ପାଇଁ ଅସହ୍ୟ। କିନ୍ତୁ ଯେଉଁ ରାଷ୍ଟ୍ରରେ ଦେଶପ୍ରେମର ସଂଜ୍ଞା ଧାର୍ଯ୍ୟ ହୋଇନାହିଁ, ଯେଉଁଠି କହ୍ନେୟା କୁମାର ଭଳି ଚରିତ୍ରଙ୍କୁ ଲକ୍ଷଲକ୍ଷ  ଦେଶବାସୀ ସମର୍ଥନ କରନ୍ତି, ସେଠାରେ ତୀର୍ଥସିଂହ ଠାକୁରଙ୍କ କାନ୍ଦଣାର କିଛି ମୂଲ୍ୟ ନାହିଁ। କାରଣ ଭାବପ୍ରବଣତାର ‘ତୀର୍ଥ’ ଓ ‘ଠାକୁର’ଙ୍କ ମଝିରେ ‘ସିଂହ’ ଆଉ ସିଂହ ହୋଇ ରହି ନାହିଁ। ଅନ୍ୟ ପକ୍ଷରେ ଯେଉଁଠି ଓକିଲ ହିଁ ସର୍ବେସର୍ବା, ସେଠାରେ ଐକିକଧାରା ଗଣିତ ବି କେଉଁ କାମକୁ?

ବିମଳ ପ୍ରସାଦ, ଭୁବନେଶ୍ଵର, ଓଡ଼ିଶା, bimal.odisha@yahoo.in

21 अप्रैल 2016

ଚମ୍ପୁଆରେ ସନା ସାମ୍ରାଜ୍ୟର ଉଚ୍ଛେଦ

୨୨ ଏପ୍ରିଲ୍‌ ୨୦୧୬, ଶୁକ୍ରବାର। ଓଡ଼ିଶା ଇତିହାସରେ ଯୋଡ଼ିପାରେ ଏକ ନୂଆ ଅଧ୍ୟାୟ। କାରଣ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ ମୁତାବକ ବିଶିଷ୍ଟ ଖଣିଜ ବ୍ୟବସାୟୀ, ବିତ୍ତଶାଳୀ ବ୍ୟକ୍ତି ତଥା ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କ ଜବରଦଖଲ ଜମିକୁ ଦଖଲକୁ ନେବ ଓଡ଼ିଶା ପ୍ରଶାସନ। ସତରେ ଦଖଲକୁ ନେବ କି ଧର୍ମକୁ ଆଖିଠାର ଭଳି ସବୁ ଦେଣନେଣ ମୁତାବକ ହେବ, ତାହା ଦେଖିବାକୁ ଜନସାଧାରଣ ଯେତିକି ଉତ୍ସୁକ, ଟିଭି ଚ୍ୟାନେଲବାଲା ନିଜ କ୍ୟାମେରାରେ ତୋଳି ନେବାକୁ ସେତିକି ବ୍ୟଗ୍ର। ସନାତନ ବାବୁଙ୍କ ପାଖରେ ଟଙ୍କାର ଅଭାବ ନାହିଁ। ଯଦି ସେ ଏହି ବିଶ୍ଵାସରେ ଜବରଦଖଲ ଉଚ୍ଛେଦକୁ ସହଯୋଗ କରନ୍ତି। ଅର୍ଥାତ୍‌ ସମର୍ଥନ କରନ୍ତି। ତେବେ ଓଡ଼ିଶାରେ ଆଧ୍ୟାତ୍ମିକତାର ଅଭ୍ୟୁଦୟ ହେଲା ବୋଲି ବିବେଚନା କରାଯିବ ଏବଂ ସନାତନଙ୍କ ଲୋକପ୍ରିୟତା କେବଳ ଚମ୍ପୁଆରେ ନୁହେଁ, ସାରା ରାଜ୍ୟରେ ବଢ଼ିଯିବ। କିନ୍ତୁ ତାଙ୍କ ପାଖଲୋକମାନେ, ତୋଷାମଦିଆମାନେ, ଆଇନ ଉପଦେଷ୍ଟାମାନେ, ଚାମଚାମାନେ ଯେମିତି ଉପଦେଶ ଦେଇଥିବେ, ଖେଳ ସେମିତି ହେବ।

ପୂରା ଫିଲ୍ମଶୈଳୀରେ ଏକ ନୂଆ ଘଟଣା ଘଟିବାକୁ ଯାଉଛି ଓଡ଼ିଶାର ଉତ୍ତର ସୀମାନ୍ତ ସହର ଚମ୍ପୁଆରେ। ଝାଡ଼ଖଣ୍ଡ ସୀମାକୁ ଲାଗିଛି। ଝାଡ଼ଖଣ୍ଡ ଏକଦା ଥିଲା ବିହାରରେ। ବିହାରରେ ବାହୁବଳ ଓ ବିତ୍ତବଳର ଶାସନ ଉପରେ ଅଧିକ ଆଲୋଚନା ଅନାବଶ୍ୟକ। ତେବେ ଯଦି ଠାକୁର ସାହାବଙ୍କ ଭଳି ହୁକୁମ ଚାଲେ, ତେବେ ଓଡ଼ିଶାରେ ବିହାରୀ ଢାଞ୍ଚାର ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ। ସନାତନଙ୍କ ସୁପୁତ୍ର ଏକ ଦାମ୍ପତ୍ୟ ଜୀବନ ଭୋଗ କରି ଗୋଟିଏ ଝିଅର ବାପା ହେବା ନେଇ ଜଣେ ମହିଳା ଦାବି କରୁଥିବା ବେଳେ ପୁଲିସଥାନାକୁ ସୁପୁତ୍ର ମହାକୁଡ଼ ଗଲେ ନାହିଁ। ବରଂ ତାଙ୍କ ପାଖକୁ ଆସିଲେ ଭୁବନେଶ୍ଵରରୁ ପୁଲିସ ଅଧିକାରିଣୀ। ଏହା ହିଁ ଠାକୁରଙ୍କ ହୁକୁମର ଏକ ପ୍ରାକ୍‌ ସୂଚନା। ସେହି ଭୁଲ୍‌ ପାଇଁ ସଂପୃକ୍ତ ପୁଲିସ୍‌ ଅଧିକାରିଣୀ ନିଲମ୍ବିତ ହେବେ ନାହିଁ। ଏଣେ ପୁଲିସ୍‌ ଅଧି୍କାରିଣୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବିଭାଗ ଘଣ୍ଟ ଘୋଡ଼ାଉଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଖୋଦ୍‌ ପ୍ରାଇଭେଟ୍‌ ଅଧିକାରୀ, ସନାତନଙ୍କୁ ଅଭୟ ଦେଉଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ସୁପୁତ୍ରଙ୍କ ପ୍ରଥମ ଦାମ୍ପତ୍ୟ କ’ଣ ଟାଇମ୍‌ ପାସ୍‌ ଥିଲା କି ଆଇନଗତ ଥିଲା? ଏଥିନେଇ ରାଜ୍ୟର ମହିଳା ସଂଗଠନମାନେ ବା ମହିଳା କମିଶନ କେହି ବି ମୁହଁ ଖୋଲୁ ନାହାନ୍ତି। କଥାରେ ଅଛି: ପୁଳାଟଙ୍କା ଯାହାର, ସବୁ ବଳ ତାହାର। ତେଣୁ ଡିଏନ୍‌ଏ ଟେଷ୍ଟ ଭଳି ବିଜ୍ଞାନକୁ ବି ବେଖାତିର କରି ବେଫିକର ହୋଇ ବୁଲୁଛି ମହାକୁଡ଼ ପରିବାର। ଏହି ସବୁ ଦୃଶ୍ୟ ହେଉଛି ଅରାଜକତାର ନଗ୍ନ ଉଦାହରଣ।

ବର୍ଷେ ପରେ ସମସ୍ତେ ଭୁଲିଯାଇଥିବେ, ଏହି ଐତିହାସିକ ତାରିଖକୁ। ହେଲେ ଇଣ୍ଟରନେଟ୍‌ରେ ଅନୁସନ୍ଧାନଯୋଗ୍ୟ ହୋଇ ରହିଯିବ, ଏଇ କେତେ ଧାଡ଼ି ବିବୃତି ଓ ସୂଚନା।

ବନ୍ଦେ ଉତ୍କଳ ଜନନୀ।

ନଗରବିକାଶର ନେତା ଜାନକୀବଲ୍ଲଭ

୨୧ ଏପ୍ରିଲ୍‌ ୨୦୧୫, ଗୁରୁବାର। ନିଜର ପୂର୍ବତନ କର୍ମକ୍ଷେତ୍ରରେ ଶେଷନିଃଶ୍ଵାସ ତ୍ୟାଗ କରିଥିଲେ ଜାନକୀବଲ୍ଲଭ ପଟ୍ଟନାୟକ। ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ ହୋଇଥିବା ଜାନକୀବଲ୍ଲଭ ଓରଫ ଜେବିଙ୍କ ବିୟୋଗ ହତବାକ୍‌ କରିଦେଇଥିଲା ତାଙ୍କ ପ୍ରଶଂସକମାନଙ୍କୁ ଓ ନିନ୍ଦୁକମାନଙ୍କୁ। କାରଣ ତାଙ୍କ ଜୀବନର ଶେଷ ମୁହୂର୍ତ୍ତ ମଧ୍ୟ ଥିଲା ଏକ ଆନୁଷ୍ଠାନିକ ମୁହୂର୍ତ୍ତ, ଯେଉଁଠି ସେ ତିରୁପତିସ୍ଥ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ଵବିଦ୍ୟାଳୟ’ର ସମାବର୍ତନ ଉତ୍ସବରେ ମୁଖ୍ୟଅତିଥି ଥିଲେ। ଲାଗୁଥିଲା ଏହି ସାରସ୍ଵତ ସାଧକ ନିଜ ଜୀବନ ଓ ପ୍ରାଣ ଉପରେ ବି ନିୟନ୍ତ୍ରଣ ରଖିଥିଲେ। ଜୀବନର ଗୋଟିଏ ବି ମୁହୂର୍ତ୍ତ ଅବସର ନଥିଲା କି ରୋଗବ୍ୟାଧିରେ ଛଟପଟ ହୋଇ ନଥିଲେ। ସବୁ ଶାସ୍ତ୍ର ଓ ଲୋକବିଶ୍ଵାସକୁ ମିଛ କରି ଓ ପଛ କରି ସେ ପ୍ରମାଣ କରି ଦେଇଗଲେ ଯେ ସେ ହିଁ ସତ୍ୟ ଓ ସେ ହିଁ ଯୁଗପୁରୁଷ। ଆଜି ୨୧ ଏପ୍ରିଲ ୨୦୧୬ରେ ତାଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୋର ମନେ ପଡ଼ୁଛି, ତାଙ୍କର ମୁଖ୍ୟମନ୍ତ୍ରୀ ଜୀବନର ଏକ ଅନାଲୋଚିତ ଅଧ୍ୟାୟ।

୧୯୯୫ରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ଓଡ଼ିଶାର ପୂର୍ବତନ ରାଜଧାନୀ କଟକ ଓ ସାଂପ୍ରତିକ ରାଜଧାନୀ ଭୁବନେଶ୍ଵରର ବିକାଶ ପାଇଁ କଠୋର ପଦକ୍ଷେପ ନେଇଥିଲେ। କଟକରେ ଗଢ଼ିଥିଲେ ଅଭିନବ ବିଡ଼ାନାସୀ/ନୂଆ କଟକ ବା ମର୍କତନଗର। ଭୁବନେଶ୍ଵରରେ ଶାନ୍ତି ଫେରାଇ ଆଣିଥିଲେ ସତ୍ୟନଗରରେ। ଆଉ ଗଢ଼ାଇଥିଲେ ଶିଖରଚଣ୍ଡିନଗର। ଯାହାକି ପଟିଆ-କଳାରାହାଙ୍ଗ ଅଞ୍ଚଳରେ ଏକ ବିଶାଳ ଟାଉନ୍‌ସିପ୍‌ ନିର୍ମାଣର ମୂଳଦୁଆ ଭଳି କାମ କରିଛି। ଏକଦା ସତ୍ୟନଗର ଭଳି ଏକ ସଂକୁଚିତ ଅଞ୍ଚଳରେ ଅସହ୍ୟ ହୋଇପଡ଼ିଥିଲା ବସ୍ତିବାସୀଙ୍କ ଦୌରାତ୍ମ୍ୟ ଓ ଉତ୍ପାତ। କୌଣସି ସଭ୍ୟ ମଣିଷ ପାଇଁ ବଞ୍ଚିବା କଷ୍ଟକର ହେଉଥିବା ବେଳେ ଜାନକୀବଲ୍ଲଭ କଡ଼ା ପଦକ୍ଷେପ ନେଇ ବସ୍ତି ଉଚ୍ଛେଦ କଲେ। ବସ୍ତିବାସୀଙ୍କୁ ନ୍ୟାୟ ମଧ୍ୟ ଦେଲେ। ପ୍ରତ୍ୟେକ ଗୃହମୁଖ୍ୟଙ୍କୁ ପ୍ଲଟ୍‌ ଯୋଗାଇବାର ବ୍ୟବସ୍ଥା କଲେ ଶିଖରଚଣ୍ଡୀ ପାହାଡ଼ ପାଖରେ। ସେଥିପାଇଁ ସେହି ଆବାସିକ ଅଞ୍ଚଳର ନାମ ହେଲା ଶିଖରଚଣ୍ଡିନଗର। ଭୁବନେଶ୍ଵରକୁ ଏକ ବସ୍ତିମୁକ୍ତ ସମ୍ପନ୍ନସହର ନିର୍ମାଣ ଦିଗରେ ଉତ୍କଳକେଶରୀ ହରେକୃଷ୍ଣ ମହତାବଙ୍କ ସ୍ଵପ୍ନକୁ ସମ୍ମାନ ଦେବାର ବ୍ୟଗ୍ରତା ଯେଉଁଭଳି ଭାବରେ ପଛକୁ ପଛ ପ୍ରତ୍ୟେକ ମୁଖ୍ୟମନ୍ତ୍ରୀଙ୍କ ଭିତରେ ଥିଲା। ସେଥିରୁ ଜାନକୀବଲ୍ଲଭ ବି ବାଦ୍‌ ଯାଇ ନଥିଲେ। ତେବେ ଆଜି ତାରିଖରେ ସମୀକ୍ଷା କଲେ ଏହା ଜଳଜଳ ଜଣାପଡ଼ିଯାଉଛି ଯେ ସେ ହିଁ ଥିଲେ ପୂର୍ବସୂରୀଙ୍କ ପରିକଳ୍ପନାକୁ ସମ୍ମାନ ଦେଉଥିବା ଶେଷ ମୁଖ୍ୟମନ୍ତ୍ରୀ।

ପରମ୍ପରା-ଭାଇଚାରା-ଦହିବରାଙ୍କ ସହର କଟକରେ ୫୨ବଜାର ଓ ୫୩ଗଳି ଭିତରେ ଅଣନିଃଶ୍ଵାସୀ ହୋଇପଡ଼ିଥିବା କଟକିଆମାନଙ୍କ ପାଇଁ ଏକ ନୂଆକଟକ ପରିକଳ୍ପନାର ସାକାର ରୂପକାର ଥିଲେ ଜାନକୀବଲ୍ଲଭ। କଂକ୍ରିଟ୍‌ ଘରର ମାୟାରେ ପଡ଼ିଥିବା ପ୍ରତ୍ୟେକ କଟକିଆଙ୍କ ଭିତରେ ଆଶାର ସଂଚାର କରିଥିଲେ ଅଭିନବ ବିଡ଼ାନାସୀ ବା ନୂଆକଟକ ବା ମର୍କତନଗର ପ୍ରତିଷ୍ଠା କରି। ୧୯୯୫ ମସିହା ବେଳକୁ ଅଧିକାଂଶ କଟକିଆ ଘରମାଲିକ ହୋଇସାରିଥିଲେ ଭୁବନେଶ୍ଵରରେ। କେହି କେହି ସ୍ଥାୟୀ ଭାବେ ଭୁବନେଶ୍ଵରକୁ ବି ଆସିସାରିଥିଲେ। ଅନ୍ୟମାନେ ନିଜ ଘରକୁ ଭଡ଼ାରେ ଲଗାଇଥିବା ବେଳେ କଟକର ସଂକୁଚିତ ଘର ଭିତରେ ରହିବାର ମାୟାକୁ ଛାଡ଼ି ପାରୁନଥିଲେ। ଏସବୁ ଭାବନା ଇତିହାସ ପାଲଟିଯାଇଥିଲା ନୂଆକଟକର ପ୍ରଶସ୍ତ ସିଧାସଳଖ ଚଉଡ଼ା ରାସ୍ତା। ମନଲାଖି ଘରଡିହ ସହ ନଈକୂଳିଆ ଧୀର ପବନ। ଏସବୁକୁ ଛାଡ଼ିକି କାହାର ବା ଯିବାକୁ ମନ ହେବ! କଟକିଆଙ୍କ ପାଇଁ ଏକ ନୂଆ ଆଭିଜାତ୍ୟର ସନ୍ତକ ପାଲଟିଗଲା ମର୍କତନଗରର ବିଭିନ୍ନ ସେକ୍ଟରରୁ କୌଣସିଥିରେ ଗୋଟିଏ ଘରଡିହ ବାଛି କିଣିବାର ଓ ତାହା ଉପରେ କଂକ୍ରିଟ୍‌ ଘର ବନାଇବାର। ଭାରତୀୟ ପରମ୍ପରାରେ ଘରଟା ଜାପାନ ଭଳି ତୁଚ୍ଛ ନୁହଁ। ଏଠି ଘରର ଏକାଧିକ ଭାବାର୍ଥ ଏବଂ ଘର ହିଁ ଭାରତୀୟଙ୍କ ପାଇଁ, ଏପରିକି ସମୁଦ୍ରକୂଳିଆ ରାଜ୍ୟ ଓଡ଼ିଶା ପାଇଁ ଏକ ଗୁରୁତ୍ଵପୂର୍ଣ ସମ୍ପତ୍ତି। ମର୍କତନଗରରେ ଘରଡିହ ପାଇବା ସବୁ କଟକିଆଙ୍କର ସ୍ଵପ୍ନ। ଏବେ ସେ ସ୍ଵପ୍ନର ରୂପରେଖ ବଦଳିଛି। ଅନ୍ତତଃ କୌଣସି ମହଲାରେ ଘରଖଣ୍ଡେ କିଣିବାକୁ ବା ଭଡ଼ାରେ ରହିବାକୁ କଟକିଆଙ୍କ ଭିତରେ ବ୍ୟଗ୍ରତା ରହିଛି। ଏଭଳି ଏକ ଅଭିନବ ବାସୋପଯୋଗୀ ସ୍ଥାନ ଯଦି ମୁମ୍ବାଇରେ ହୋଇଥାଆନ୍ତା, ଏହାର ନାମ ବୋଧହୁଏ ହୋଇଥାଆନ୍ତା Kathjori Reclamation। ଦୁଃଖର କଥା ଯେ ଏହି ବିସ୍ତୃତ ଆବାସିକ ଅଞ୍ଚଳକୁ ଲୋକମାନେ ସିଡ଼ିଏ (CDA) କହୁଛନ୍ତି ଓ ଲେଖୁଛନ୍ତି। ଏପରିକି CDA Phase-2 ନାମରେ ଏକ ଥାନା ମଧ୍ୟ ପ୍ରତିଷ୍ଠା ହୋଇଛି। ନୂଆ ପିଢ଼ିର ମଣିଷମାନଙ୍କର ଭାବିବାକୁ ସମୟ ନାହିଁ। ଯଦି ବି କେହି କେବେ ଭାବିଲା, ସେ ନିଶ୍ଚୟ ପୁରୁଣା ପିଢ଼ିକୁ ଗାଳି ଦେବ, ଗୋଟିଏ ଅଞ୍ଚଳର ନାମ CDA କିପରି ହେଲା କହି। ଆଉ ସ୍ଵର୍ଗରେ ଥାଇ ଜାନକୀବଲ୍ଲଭ ବି ମନଊଣା କରୁଥିବେ ଯେ ତିନି ତିନିଟି ନାମ କ’ଣ ପାଇଁ କଟକିଆଙ୍କୁ ଊଣା ହେଲା ଯେ ଏକ ସଂକ୍ଷିପ୍ତନାମକୁ ଅଞ୍ଚଳର ନାମ କରିଦେଲେ! CDA ଅର୍ଥ Cuttack Development Authority, ଯାହାକି ଏକ ସରକାରୀ ସଂସ୍ଥା। ସେହି ସଂସ୍ଥା ସମଗ୍ର କଟକ ନଗର ପାଇଁ କାର୍ଯ୍ୟ କରୁଛି, କେବଳ ନୂଆକଟକ ପାଇଁ ନୁହେଁ। ଯାହାବି ହେଉ ଓଡ଼ିଶାର ପୁରୁଣା ରାଜଧାନୀ କଟକର ଏହି କାଳଜୟୀ ଅବଦାନରୁ ଏହା ସ୍ଵଷ୍ଟ ଯେ ଜାନକୀବଲ୍ଲଭ ପ୍ରକୃତରେ ମାଟିର ମୂର୍ତ୍ତିକାର।

ଆଉ ଭୁବନେଶ୍ଵରକୁ ଯଦି ବସ୍ତିମୁକ୍ତ କରିବାରେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀମାନେ ମନ ଦେଇଥାଆନ୍ତେ, ତେବେ ଆଜି ଭୁବନେଶ୍ଵର ଏକ Sex Racketର ସହର ରୂପେ ଅପବାଦ ମୁଣ୍ଡାଇନଥାଆନ୍ତା। ଭୋଟ୍‌ ବ୍ୟାଙ୍କ୍‌ ଲାଳସାରେ ରାଜଧାନୀ ଭୁବନେଶ୍ଵରକୁ ବସ୍ତିବହୁଳ ସହର କରି ଗଢ଼ିତୋଳିଥିବା ରାଜନେତାମାନେ ଇତିହାସକୁ ଧୋକା ଦେଇ ଚାଲିଛନ୍ତି। ଏହାର ସମାଧାନ ପାଇଁ ଜାନକୀବଲ୍ଲଭମାନେ ବାରମ୍ବାର ଜନ୍ମ ହୁଅନ୍ତୁ। ଆଜି ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ଦେବାକୁ ଯାଇ ତାଙ୍କ ଅମରାତ୍ମା ପାଖରେ ଏତିକି କାମନା।

20 अप्रैल 2016

ବିଦ୍ୟୁତ୍‌ ସଂସ୍କାର କ’ଣ ସତରେ ସକାରାତ୍ମକ?

ଆଜି(୨୦ ଏପ୍ରିଲ ୨୦୧୬) ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ବିଦ୍ୟୁତ୍‌ ସଂସ୍କାରର ସକାରାତ୍ମକ ଦିଗ ପ୍ରକାଶ ପାଇଛି। ଅର୍ଥବିଭାଗର ଅବସରପ୍ରାପ୍ତ ସ୍ଵତନ୍ତ୍ର ଶାସନସଚିବ ଓ ବିଦ୍ୟୁତ୍‌ ନିୟାମକ ଆୟୋଗର ପୂର୍ବତନ ସଦସ୍ୟ ରୂପେ ପରିଚୟ ଦେଇଥିବା ଲେଖକଙ୍କ ବିଚାର କେତେ ଅଦୂରଦର୍ଶୀ ଓ ଅପରିପକ୍ଵ, ତାହା ହିଁ ଏଠାରେ ଆଲୋଚନା କରାଯାଇଛି। ଯେଉଁମାନେ ଖବରକାଗଜରୁ ଏହାକୁ ପଢ଼ି ନାହାନ୍ତି ବା ପଢ଼ିବାକୁ ଚାହୁଛନ୍ତି। ସେମାନେ ଉପରେ ଥିବା ନାଲି ରଙ୍ଗର ବିଷୟ ଉପରେ କ୍ଲିକ୍‌ କରି ମଧ୍ୟ ଇପେପରକୁ ପଢ଼ିପାରିବେ।

ସେହି ନିବନ୍ଧରେ ରହିଛି ସମୁଦାୟ ୧୦ଟି ଅନୁଛେଦ। ପ୍ରତି ଅନୁଛେଦରେ କେତେ ପରିମାଣରେ ବିକାରାତ୍ମକ ଦିଗର ଛାପ ଛାଡ଼ିଛନ୍ତି ସଂପୃକ୍ତ ଲେଖକ, ତାହା ଏଠାରେ ଆମ୍ଭେ ବର୍ଣନା କରିଛୁ।

ଅନୁଚ୍ଛେଦ-୧: ସେ ଲେଖିଛନ୍ତି, ‘‘...ବିଜୁଳି ଦରବୃଦ୍ଧି କଥା ଉଠିଲେ, ଏ କ୍ଷେତ୍ରରେ ଆସିଥିବା ସଂସ୍କାରକୁ ନେଇ ତର୍କବିତର୍କ ଚାଲେ।...’’ ଏକ ଗାଣତନ୍ତ୍ରିକ ରାଷ୍ଟ୍ରରେ ତର୍କବିତର୍କ ହେବ ନାହିଁ ତ କ’ଣ ଏକ କମ୍ୟୁନିଷ୍ଟ ଶାସିତ ରାଷ୍ଟ୍ରରେ ତର୍କବିତର୍କ ହେବ? ଓଡ଼ିଶାରେ ବିଦ୍ୟୁତ୍‌ ଉପଭୋକ୍ତା ମହାସଂଘ ନାମରେ ରାଜ୍ୟର ବାମପନ୍ଥୀ ଓ ଦକ୍ଷିଣପନ୍ଥୀ ଦଳମାନେ ବ୍ୟକ୍ତିସ୍ଵାର୍ଥ ଠାରୁ ଉପରେ ରହି ଏକଜୁଟ ହେବା ଏବଂ ତଥ୍ୟ ପ୍ରମାଣ ସହ ଏଭଳି ସ୍ତମ୍ଭରେ ଯାହା ଯାହା ଲେଖିଛନ୍ତି, ସେଗୁଡ଼ିକୁ ପୂର୍ବତନ ସଦସ୍ୟ ମହାଶୟ ସମ୍ଭବତଃ ଆଦୌ ପଢ଼ିନାହାନ୍ତି; ଅଥବା ପଢ଼ିବାକୁ ତାଙ୍କ ଅହଂ ଅନୁମତି ଦେଇନାହିଁ। ଅଧିକ ମନ୍ତବ୍ୟ ନଦେଇ ଏତିକି କୁହାଯିବା ଉଚିତ ଯେ ସେହି ଲେଖକ ଗଣତନ୍ତ୍ରକୁ ସମ୍ମାନ ଦେବା ଶିଖି ନାହାନ୍ତି।

ଅନୁଚ୍ଛେଦ-୨: ପୂର୍ବତନ ସଦସ୍ୟ ମହାଶୟ୧୯୭୦ ମସିହା ସହ ୩୧ ମାର୍ଚ ୨୦୧୫ର ବିଦ୍ୟୁତ୍‌ ଗ୍ରାହକ ସଂଖ୍ୟାକୁ ତୁଳନା କରିଛନ୍ତି। ଗ୍ରାହକ ସଂଖ୍ୟା ୧.୭୦ ଲକ୍ଷରୁ ୫୫ ଲକ୍ଷ ହୋଇଥିବା ବେଳେ ୩୧ ମାର୍ଚ ୨୦୧୬ ସୁଦ୍ଧା ଗ୍ରାହକ ସଂଖ୍ୟା ୬୭ଲକ୍ଷରୁ ଅଧିକ ହେବ ବୋଲି କଳନା କରିଛନ୍ତି। ଏଥିରୁ ଅନୁମିତ ହେଉଛି ଯେ ବିଦ୍ୟୁତ୍‌ ଉତ୍ପାଦକ ଓ ବିଦ୍ୟୁତ୍‌ ବିତରକମାନଙ୍କ ପ୍ରତି ସେ ବେଶ୍‌ ଦରଦୀ ଅଛନ୍ତି। ଯାହାକି ଜଣେ ଉତ୍ତରଦାୟୀ ପ୍ରଶାସକ ତଥା ନିୟାମକ ସଦସ୍ୟଙ୍କର ଏକ ଅଶୋଭନୀୟ ଆଚରଣ। ବିଦ୍ୟୁତ୍‌ ଗ୍ରାହକ ସଂଖ୍ୟା ବଢ଼ିବା ଅନୁସାରେ ଯୋଜନା ହୋଇଥାଏ, ବଜେଟ୍‌ ହୋଇଥାଏ, ପୁଞ୍ଜିନିବେଶ ହେବା ସହ ବର୍ଧିଷ୍ଣୁ ବିଦ୍ୟୁତ୍‌ ଉତ୍ପାଦନକୁ ସୁନିଶ୍ଚିତ କରାଯାଇଥାଏ। ଯଦି ଏହା ହୋଇପାରି ନାହିଁ, ସେଥିପାଇଁ ବଜେଟ୍‌କୁ ଦାୟୀ କରାଯାଇପାରିବ। ମଜା କଥା ହେଉଛି ବଜେଟ୍‌ ଓ ଯୋଜନାକୁ ତର୍ଜମା କରେ ଅର୍ଥ ବିଭାଗ। ସେ ନିଜେ ଅର୍ଥ ବିଭାଗର ସ୍ଵତନ୍ତ୍ର ଶାସନ ସଚିବ ପରିଚୟ ଦେଇ ନିଜର ଦୁର୍ବଳତାକୁ ପଦାରେ ପକାଇଛନ୍ତି। ଏହା ପ୍ରତି ହୁଏତ ସେ ଆଦୌ ସଚେତନ ନାହାନ୍ତି।

ଅନୁଚ୍ଛେଦ-୩: ସେ ଲେଖିଛନ୍ତି, ‘‘...ଯେଉଁ ସମୟରେ ଅଧିକ ବିଦ୍ୟୁତ୍‌ ବ୍ୟବହାର କରାଯାଏ ସେହି ସମୟରେ ଚାହିଦା ଓ ଯୋଗାଣ ମଧ୍ୟରେ ବ୍ୟବଧାନ ୧୯୯୧-୯୨ ମସିହାରେ ୨୪% ଥିଲା ବେଳେ ୧୯୯୩-୯୪ ମସିହାରେ ଏହା ୩୭%ରେ ପହଁଚିଥିଲା।...’’ ଏକଥା ସେ ସଚିବ ଥିବା ବେଳେ ଜାଣିଥିଲେ କି ସଦସ୍ୟ ହେବା ପରେ ଶିଖିଲେ? ଏହି ପ୍ରଶ୍ନର ଉତ୍ତର ସେ ବ୍ୟକ୍ତ କରି ନାହାନ୍ତି। ନିଜର ଅସ୍ପଷ୍ଟ ଅଭିବ୍ୟକ୍ତି ଜରିଆରେ ଏକ ଲୋକପ୍ରିୟ ସମ୍ବାଦପତ୍ରରେ ଲେଖା ବାହାର କରି ସେ କ’ଣ ସାବ୍ୟସ୍ତ କରିବାକୁ ଚାହୁଛନ୍ତି, ତାହା ଆପଣମାନେ ନିଶ୍ଚୟ ବୁଝିପାରୁଥିବେ। ଅନୁଚ୍ଛେଦ ୨ର ମନ୍ତବ୍ୟଗୁଡ଼ିକ ମଧ୍ୟ ଏହି ଅନୁଛେଦ ପ୍ରତି ପ୍ରଯୁଜ୍ୟ। ଚର୍ଚିତ ଅନୁଚ୍ଛେଦାଂଶର ବୈଷୟିକ ଦିଗ ପ୍ରତି ଧ୍ୟାନ ଦେଲେ, ପ୍ରଶ୍ନ ଆସୁଛି ଯେ ସେହି ଅନୁସାରେ କ’ଣ ସରକାର ଯୋଜନା ଓ ବଜେଟ୍‌ କରିନଥିଲେ? ନୂତନ ଜ୍ଞାନକୌଶଳ ପ୍ରୟୋଗର ପରିକଳ୍ପନା କରିନଥିଲେ? ବିଦ୍ୟୁଚ୍‌ ସଂଚୟ ପାଇଁ ଚୀନ୍‌ରୁ ଆସିଥିବା CFL ଜ୍ଞାନକୌଶଳ ଓ ପରବର୍ତ୍ତୀ ସମୟରେ ଆସିଥିବା LED ଜ୍ଞାନକୌଶଳକୁ ତୁରନ୍ତ ଅନୁସରଣ କରିବା ପାଇଁ ପୂର୍ବତନ ସଦସ୍ୟ ମହାଶୟ BIS (Bureau of Indian Standards)କୁ ବା କେନ୍ଦ୍ର ସରକାରଙ୍କୁ କୌଣସି ସ୍ମାରକପତ୍ର ଦେଇଥିଲେ କି? କେତେ ମସିହାରେ ଭାରତରେ CFL ଓ LED ବତୀ ମାନକ ସାମଗ୍ରୀ ରୂପେ ବିବେଚିତ ହେଲା ଜାଣନ୍ତି କି? ଛାଡ଼ନ୍ତୁ ଆଉ ଗଭୀରକୁ ଯିବା ନାହିଁ।

ଅନୁଚ୍ଛେଦ-୪: ସେ ଲେଖିଛନ୍ତି, ଘରୋଇକରଣ ହେଲା ପରେ ସାମଗ୍ରିକ ଯାନ୍ତ୍ରିକ ଓ ବ୍ୟାବସାୟିକ କ୍ଷତି (AT&C Loss) କମିଛି। ତେବେ ଏହା ତ ଅତ୍ୟନ୍ତ ଖୁସୀର କଥା। ବିଦ୍ୟୁତ୍‌ ଶୁଳ୍କବୃଦ୍ଧି ପାଇଁ ନିୟାମକ ଆୟୋଗ ଏତେ ବ୍ୟାକୁଳ କାହିଁକି? ଏଭଳି ଛେନାରୁ ଚୋପାଛଡ଼ା ସମୀକ୍ଷା ସେତେବେଳେ କେହି କରିନଥିଲେ ବୋଲି ଆଜି ରାଜ୍ୟ ବାହାରର ଏକ କମ୍ପାନୀ ଓଡ଼ିଶାକୁ ପଟିମାରି ଚାଲିଗଲା। ସେ କଥା ବି ସ୍ପଷ୍ଟ ଭାବରେ କହିବାକୁ ପୂର୍ବତନ ସଦସ୍ୟ ବୋଧହୁଏ ସାହସ କରି ନାହାନ୍ତି।

ଅନୁଚ୍ଛେଦ-୫: ଏଠାରେ ସେ ଅନୁଛେଦ ୩ ଓ ୪ର କଥାକୁ ଦୋହରାଇ ଘରୋଇକରଣ ସପକ୍ଷରେ ମତ ବାଢ଼ି ‘‘ବିଦ୍ୟୁତ୍‌ ସଂସ୍କାର’’ ଆଲୋଚନା ପ୍ରତି ଆଗ୍ରହ ଦେଖାଇଛନ୍ତି। ଆମ୍ଭର ପ୍ରଶ୍ନ ହେଲା, ବିଦ୍ୟୁତ୍‌ ସଂସ୍କାର ଓ ଘରୋଇକରଣ ନାମରେ କ’ଣ କେବଳ ଗୋଟିଏ କମ୍ପାନୀ ହାତରେ ରାଜ୍ୟର ସମସ୍ତ ବିତରଣ ଭାର ଟେକିଦେବାଟା ଏକ ବିଚକ୍ଷଣ ନିଷ୍ପତ୍ତି ଥିଲା? ଏ ସଂପର୍କରେ ପୂର୍ବତନ ସଦସ୍ୟଙ୍କ କଲମ ନିରବ ରହିଛି! ରାଜ୍ୟର ଗୋଟିଏ ସ୍ଵାର୍ଥ ବା ବିଷୟ ଉପରେ କାମ କରୁଥିବାରୁ ସଂପୃକ୍ତ କମ୍ପାନୀ ସହ ମଧୁର ସଂପର୍କ ହୋଇଥାଇପାରେ, ତେଣୁ ଅଧିକ କିଛି ମନ୍ତବ୍ୟ ଅନାବଶ୍ୟକ...

ଅନୁଚ୍ଛେଦ-୬: ଏହି ଅନୁଚ୍ଛେଦରେ ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧି ଉପରେ ମତାମତ ଦେଇ ସେ ଲେଖିଛନ୍ତି ଯେ ୨୦୦୧-୦୨ରୁ ୨୦୦୯-୧୦ ପର୍ଯ୍ୟନ୍ତ ବିଦ୍ୟୁତ୍‌ ଶୁଳ୍କରେ ହାରାହାରି କୌଣସି ବୃଦ୍ଧି ଘଟି ନାହିଁ। ଏହି ମତାମତ ହିଁ ପୂର୍ବତନ ସଦସ୍ୟଙ୍କ ଚରମ ଅପରିପକ୍ଵତାର ନମୁନା। କାରଣ ବିପୁଳ ପରିମାଣର ଗ୍ରାହକଙ୍କ ଉପରେ ଯଦି ୟୁନିଟ୍‌ ପିଛା ୨୫ ପଇସା ବଢ଼େ, ତେବେ ସର୍ବମୋଟ ରାଜସ୍ଵ କେତେ ହଜାର କୋଟି ବଢ଼ିଯିବ, ତାହା ବୋଧହୁଏ ସେ ଅର୍ଥବିଭାଗର ଅଧିକାରୀ ଥିବା ବେଳେ ଆକଳନ କରି ପାରି ନାହାନ୍ତି। ପେଟ୍ରୋଲ୍‌ ଲିଟର ପିଛା ୭୬ ପଇସା ବଢ଼ିଲେ, କ’ଣ ହେବ, ଟିକେ ହିସାବ କରି ଦେଖନ୍ତୁ। ଅନ୍ୟ ପକ୍ଷରେ ପ୍ରଥମ ୧୦୦ ୟୁନିଟ୍‌କୁ ୧ଟଙ୍କା, ଦ୍ଵିତୀୟ ୧୦୦ ୟୁନିଟ୍‌କୁ ୨ଟଙ୍କା ୫୦, ତୃତୀୟ ୧୦୦ ୟୁନିଟ୍‌କୁ ୪ଟଙ୍କା ହିସାବରେ ଯେଉଁ ଦର ଧାର୍ଯ୍ୟ ହେଲା, ତାହାର ପରିଣତି ଉପରେ କିଛି ଲେଖିନାହାନ୍ତି। ସବୁଠୁ ବିସ୍ମୟକର କଥା ହେଲା, ଶୁଳ୍କ ଆଦାୟରେ ସ୍ଵଚ୍ଛତାର ଅଭାବ ଯେ ରାଜସ୍ଵ ହାନିର ଏକ ବଡ଼ କାରଣ, ତାହା ସେ ‘ଅବସରପ୍ରାପ୍ତ’ ହେବା ପରେ ମଧ୍ୟ ବୁଝିନାହାନ୍ତି। କାରଣ ଏ ପ୍ରସଙ୍ଗରେ ସେ ପଦେ ବି କେଉଁଠି ଲେଖିନାହାନ୍ତି।

ଅନୁଚ୍ଛେଦ-୭: ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିର ମୁଖ୍ୟ କାରଣ ବିଷୟରେ ଏଠାରେ କିଛି ସତ ସୂଚନା ଦେବାକୁ ପ୍ରୟାସ କରିଛନ୍ତି। ଯାହାକି ସମଗ୍ର ନିବନ୍ଧର ମୂଳପିଣ୍ଡ ହେବା କଥା। କିନ୍ତୁ ଦେଖିଲେ ଅନୁଭବ କରି ହେଉଛି ଯେ ଏକ ବିଶାଳ ଲେଖାକୁ କଟାକଟି କରି ଛୋଟ କରିବାକୁ ଯାଇ ଲେଖାର ମୂଳପିଣ୍ଡ ପ୍ରତି ଧ୍ୟାନକେନ୍ଦ୍ରିତ (Focus) କରାଯାଇପାରି ନାହିଁ। ୨୦୦୯-୧୦ରୁ ୨୦୧୬-୧୭ ପର୍ଯ୍ୟନ୍ତ ଗ୍ରୀଡ଼୍‌କୋର ରାଜସ୍ଵ ନିଅଣ୍ଟର ଯେଉଁ ତାଲିକା ଦେଇଛନ୍ତି, ତାହା ହିଁ ଶାସନ ଓ ପ୍ରଶାସନ ତଥା ବିଦ୍ୟୁତ୍‌ ନିୟାମକ ଆୟୋଗ ପାଇଁ ବଡ଼ ଆହ୍ୱାନ। ତେବେ ରାଜସ୍ଵ ନିଅଣ୍ଟର ସମାଧାନ କେବଳ ଶୁଳ୍ପ ବୃଦ୍ଧି ଏବଂ ବିଦ୍ୟୁତ୍‌ ନିୟାମକ ଆୟୋଗର ଦାୟିତ୍ଵ କେବଳ ବର୍ଧିଷ୍ଣୁ ଦର ନିର୍ଧାରଣ ନୁହେଁ - ଏହା ମଧ୍ୟ ପୂର୍ବତନ ସଦସ୍ୟ ମହାଶୟ ଜାଣିବା ଦରକାର।

ଅନୁଚ୍ଛେଦ-୮: ଏହି ଅନୁଛେଦରେ ସେ ବିଦ୍ୟୁତ୍‌ ନିୟାମକ ଆୟୋଗର କଳଙ୍କ ଛଡ଼ାଇବାକୁ ଚେଷ୍ଟା କରିଛନ୍ତି। ‘‘ଯାହାର ଲୁଣ ଖାଇବ, ତାହାର ଗୁଣ ଗାଇବ’’ ଏହି ଓଡ଼ିଆ ଆପ୍ତବାକ୍ୟକୁ ସମ୍ମାନ ଦେଇ ମତାମତ ଦେଇଛନ୍ତି ଏବଂ ଇଲେକ୍ଟ୍ରିସିଟି ଅପିଲେଟ୍‌ ଟ୍ରିବ୍ୟୁନାଲର ରାୟ ଦୃଷ୍ଟିରୁ ଓଡ଼ିଶାର ବିଦ୍ୟୁତ୍‌ ନିୟାମକ ଆଯୋଗ(OERC) ଏକ ମାନବ ଦରଦୀ ଆଯୋଗ ବୋଲି ସୂଚନା ଦେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ବୋଧହୁଏ ସେ ସଚେତନ ଅଛନ୍ତି ଯେ OERC ଡାହାଣୀ ହୋଇ ଲାଗୁଥିଲା ଆଉ ଶେଷରେ ଗୁଣିଆ ହୋଇ ଝାଡ଼ିବାକୁ ଚେଷ୍ଟା କରି ଧରାପଡ଼ିଛି।

ଅନୁଚ୍ଛେଦ-୯: ସେ ଲେଖିଛନ୍ତି, ‘‘ବିଜୁଳି ଦର ଓ ଗ୍ରାହକ ସଚେତନତା ଉପରେ ୧୩ଶ ଅର୍ଥ କମିଶନ ମଧ୍ୟ ସୁପାରିଶ କରିଛନ୍ତି ଯେ ନିୟମିତ ବିଦ୍ୟୁତ୍‌ ଶୁଳ୍ପ ବୃଦ୍ଧି କରିବା ନିହାତି ଜରୁରୀ......ଗ୍ରାହକମାନଙ୍କୁ ବିଜୁଳି ଦର ବୃଦ୍ଧିର ଆବଶ୍ୟକତା ନେଇ ସଚେତନ କରାଯିବା ଜରୁରୀ। କିନ୍ତୁ ଏହା ସହିତ ଉନ୍ନତମାନର ବିଦ୍ୟୁତ୍‌ ସେବା ଯୋଗାଇ ଦେବାକୁ ପଡ଼ିବ....’’। ୧୩ଶ ଅର୍ଥ ଆୟୋଗଙ୍କ ବିବୃତି ଉଦ୍ଧାର କରି ପୂର୍ବତନ ସଦସ୍ୟ ମହାଶୟ ‘‘ହନୁ ମଲା ବେଳେ ସତ କହେ’’ ପ୍ରବାଦକୁ ସତ ସାବ୍ୟସ୍ତ କରିଛନ୍ତି। କ୍ଷମତାରେ ନଥାଇ ସୁଦ୍ଧା ଶୁଳ୍କବୃଦ୍ଧି ସପକ୍ଷରେ ଯୁକ୍ତି କରି ନିଜେ ଜଣେ କର୍ପୋରେଟ୍‌ ଦଲାଲ୍ ବୋଲି ଧରା ପକାଇ ଦେଇଛନ୍ତି। (ଆମ୍ଭର ଏହି ମନ୍ତବ୍ୟ ଟିକେ କଡ଼ା ହୋଇଯାଇଛି ବୋଲି ଆମ୍ଭେ ବିନମ୍ରତାର ସହ ସ୍ଵୀକାର କରୁଛୁ। ଜଣାଇ ଦେଉଛୁ କି ତାଙ୍କ ସହିତ ଆମ୍ଭର ବ୍ୟକ୍ତିଗତ ପରିଚିତି ନାହିଁ କି କୌଣସି ବ୍ୟକ୍ତିଗତ ଆକ୍ରୋଶ ନାହିଁ।) କାରଣ ଗ୍ରାହକ ସଚେତନତା କିପରି ହେବ ଏବଂ ଉନ୍ନତମାନର ବିଦ୍ୟୁତ୍‌ ସେବାର ପରିଭାଷା କ’ଣ ତାହା ଉପରେ ପୂର୍ବତନ ସଦସ୍ୟଙ୍କ କଲମ ନିରବ ଅଛି। ଗ୍ରାହକ ସଚେତନତା ହେଉଛି ‘‘ସୂଚନା ଓ ଲୋକସଂପର୍କ ବିଭାଗ’’ର କାମ। କିନ୍ତୁ ଏହି ବିଭାଗ ଆଜି ସୁଦ୍ଧା ରାଜ୍ୟର ଟେଲିଭିଜନ ଚ୍ୟାନେଲଗୁଡ଼ିକୁ ମାନ୍ୟତା ଦେଇ ନାହିଁ କି ଏହାର କୌଣସି ଟିଭି ବିଜ୍ଞାପନ ନୀତି ନାହିଁ। କାରଣ ଟେଲିଭିଜନକୁ ଶିକ୍ଷିତ ଅଶିକ୍ଷିତ, ଧନୀ ଗରିବ, ପାହାଡ଼ିଆ ସମତଳ, ସହର ମଫସଲ ସବୁ ବର୍ଗର ଲୋକ ଦେଖୁଛନ୍ତି। କିନ୍ତୁ ଖବରକାଗଜକୁ କେବଳ ସହର-ସମତଳ ଅଞ୍ଚଳର ଶିକ୍ଷିତ-ଧନୀ ବ୍ୟକ୍ତିମାନେ ପଢୁଛନ୍ତି। ଜନସାଧାରଣଙ୍କ ଭିତରେ ଟେଲିଭିଜନ ହିଁ ଚାଞ୍ଚଲ୍ୟ ସୃଷ୍ଟି କରୁଥିବା ବେଳେ ଖବରକାଗଜ କେବଳ ବିଧାନସଭା ଅଧିବେଶନ ବେଳେ କିଛି ହଇଚଇ କରିବାରେ ସହାୟକ ହେଉଛି। ପୂର୍ବତନ ସଦସ୍ୟ ମହାଶୟ ଜଣେ ସଂଚାର ବିଶେଷଜ୍ଞ (Communication Expert) ନୁହନ୍ତି। ତେଣୁ ସେ ଏହି ଅନୁଚ୍ଛେଦରେ ଯାହା ଲେଖିଛନ୍ତି, ତାହା ଯେ ଏକ ବଡ଼ଧରଣର ସଂଚାର ମୁଦ୍ଦା (Communication issue), ସେ ବିଷୟରେ କୌଣସି ସ୍ଵୀକାରୋକ୍ତି ଦେଇ ପାରିନାହାନ୍ତି।

ଅନୁଚ୍ଛେଦ-୧୦: ଏହା ତାଙ୍କ ନିବନ୍ଧର ଶେଷ ଓ ସୁଦୀର୍ଘ ଅନୁଚ୍ଛେଦ। ଏଥିରେ ଠାଏ ସେ ଲେଖିଛନ୍ତି, ‘‘...ବ୍ୟାପକ ବିଦ୍ୟୁତ୍‌ ଚୋରି ବିଭିନ୍ନ ସ୍ତରରେ ବନ୍ଦ ନହେଲେ, ଯେତେ ଶସ୍ତାରେ ବିଦ୍ୟୁତ୍‌ ଶକ୍ତି ମିଳିଲେ ମଧ୍ୟ ଗ୍ରୀଡ଼୍‌କୋକୁ ଅଧିକ ଦରରେ କେନ୍ଦ୍ରୀୟ ତାପଜ ବିଦ୍ୟୁତ୍‌ କେନ୍ଦ୍ରରୁ କିଣିବାକୁ ପଡ଼ିବ ଏବଂ ଏହା ବିଜୁଳି ଦରରେ ପ୍ରତିଫଳିତ ହେବାକୁ ବାଧ୍ୟ।...’’ ଏତେ ଗୁରୁତର ମନ୍ତବ୍ୟ ଦେଇଛନ୍ତି, ଅଥଚ ଚୋରମାନେ କିଏ, ତାହା ଲେଖି ନାହାନ୍ତି। ପ୍ରଶାସକମାନେ କ୍ଷମତାରେ ଥାଆନ୍ତୁ ବା ନଥାଆନ୍ତୁ, ସେମାନେ ଯେ ଛଳନା କରନ୍ତି, ତାହାର ପ୍ରମାଣ ଦେଇଛନ୍ତି ପୂର୍ବତନ ସଦସ୍ୟ ମହାଶୟ। ଓଡ଼ିଆରେ ଗୋଟିଏ ଆପ୍ତବାକ୍ୟ ଅଛି, ‘‘ଆରେ ଢ଼ମଣା ବୁଲିବାଲିକିରି ସେଇ ଅଗଣା’’। ଅର୍ଥାତ୍‌ ଶୁଳ୍କବୃଦ୍ଧି ଯେ ଅନିବାର୍ଯ୍ୟ, ଏଇ କଥା ଟିକକ ସାବ୍ୟସ୍ତ କରିବା ପାଇଁ ସେ ଏକ ଲୋକପ୍ରିୟ ସମ୍ବାଦପତ୍ରରେ ଏତେ ବଡ଼ ଲେଖା ଲେଖିଛନ୍ତି। ଏପରିକି ଏହି ଉପସଂହାର ଅନୁଚ୍ଛେଦର ଶେଷ ଭାଗରେ ଗ୍ରାହକ ସଚେତନତା କଥାକୁ ପୁଣି ଦୋହରାଇଛନ୍ତି। ଅଥଚ ଗ୍ରାହକ ସଚେତନତାର ଉପାୟ, କର୍ତ୍ତା, କାରକ, କାର୍ଯ୍ୟକ୍ରମ ଓ ବଜେଟ୍‌ ବିଷୟରେ କିଛି ବି ଲେଖି ନାହାନ୍ତି। ବୋଧହୁଏ ଅର୍ଥ ବିଭାଗରେ ବଜେଟ୍‌ ସମୀକ୍ଷା ବେଳେ ଜନସଚେତନତା କାର୍ଯ୍ୟକ୍ରମଗୁଡ଼ିକୁ ସେ କାଟିକି ଉଡ଼େଇଛନ୍ତି, ତେଣୁ ଏବେ ଲେଖିବାକୁ ସାହସ କରି ନାହାନ୍ତି। ସେ ଲେଖିଛନ୍ତିି ‘‘ବିଦ୍ୟୁତ୍‌ ସଂସ୍କାରର ସୁଫଳ ସ୍ଥାୟୀ ଭାବରେ ଉପଲବ୍ଧ କରିବାକୁ ହେଲେ, ଗ୍ରାହକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ପଡ଼ିବ।...’’ ଅର୍ଥାତ୍‌ ରିଲାଏନ୍‌ସ୍‌ ଏନେର୍ଜୀର ବେଇମାନୀକୁ ବି ପୂର୍ବତନ ସଦସ୍ୟ ମହାଶୟ ବିଦ୍ୟୁତ୍‌ ସଂସ୍କାରର ଅଂଶବିଶେଷ ବୋଲି ସ୍ଵୀକାର କରନ୍ତି। ଆଶ୍ଚର୍ଯ୍ୟର କଥା ଯେ ବିଦ୍ୟୁତ୍‌ ସଂସ୍କାର ଓ ଘରୋଇକରଣ ସମେତ ବ୍ୟବସାୟ ଶବ୍ଦ ବ୍ୟବହାର କରିଥିଲେ ସୁଦ୍ଧା କୌଣସି ସ୍ଥାନରେ ପ୍ରତିଦ୍ଵନ୍ଦ୍ଵିତା (Competition) ଉଲ୍ଲେଖ କରି ନାହାନ୍ତି। କାରଣ ଏକଚାଟିଆ (Monopoly) ବେପାର ସବୁବେଳେ କ୍ଷତିକାରକ। ସେ ଗଣତନ୍ତ୍ର ସଚେତନ ନୁହନ୍ତି ବୋଲି ଆଦ୍ୟରୁ ନିଜକୁ ଚିହ୍ନା ପକାଇଥିବାରୁ, ଗଣତନ୍ତ୍ରରେ ଏକଚାଟିଆ ବେପାରର ସ୍ଥାନ ନାହିଁ ବୋଲି ତାଙ୍କୁ ଉପଦେଶ ଦେବାରେ କିଛି ମୂଲ୍ୟ ନାହିଁ। ନିଜେ ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ପଦବୀରେ କାର୍ଯ୍ୟ କରି ସୁଦ୍ଧା ‘ପ୍ରତିଦ୍ଵନ୍ଦ୍ଵିତା ଭଳି ସାଧାରଣ ଚିନ୍ତନ (Concept)କୁ ପାଶୋରି ପକାଇଛନ୍ତି। ଯାହାକି ପ୍ରତିଟି ସ୍ଵାଭିମାନୀ ଓଡ଼ିଶାବାସୀଙ୍କୁ  ଲଜ୍ଜିତ କରୁଥିବ। ଏହା ସହ ଗ୍ରାହକ ସଚେତନତା କଥାରେ ନିଜର ନିବନ୍ଧକୁ ଶେଷ କରି ସମଗ୍ର ନିବନ୍ଧର ତଥ୍ୟଗୁଡ଼ିକ ନିରର୍ଥକ ବୋଲି ପ୍ରମାଣିତ କରିଛନ୍ତି। କାରଣ ଗ୍ରାହକ ସଚେତନତା କ’ଣ ଓ କିପରି ହେବ, ତାହା ଉପରେ ଜଣେ ନିୟାମକ ସଦସ୍ୟ ରୂପେ ସେ ଆଦୌ ଚିନ୍ତା କରିନାହାନ୍ତି। ଜଣେ ପୂର୍ବତନ ସଦସ୍ୟଙ୍କ ବିବୃତିରେ ଏଭଳି ଅଭାବବୋଧ କ’ଣ ଏକ ସକାରାତ୍ମକ ଦିଗ?

ଅବଶ୍ୟ ପଠନୀୟ (ତଳ ଧାଡ଼ି ଉପରେ କ୍ଲିକ୍‌ କରନ୍ତୁ):
ଓଡ଼ିଶାର ବିଜୁଳି ସଂକଟ ଓ ସମାଧାନ
ପୁଣି ରିଲାଏନ୍‌ସ୍‌ ବେଇମାନ୍‌ 

19 अप्रैल 2016

ଧନ୍ୟବାଦ ଦକ୍ଷପ୍ରସାଦ

ଓଡ଼ିଶା ହାଇସ୍କୁଲ ବୋର୍ଡ଼ ପରୀକ୍ଷା ୨୦୧୬କୁ ସାମ୍ନା କରିଛନ୍ତି ୬,୦୧,୩୪୮ ଜଣ ପରୀକ୍ଷାର୍ଥୀ। ଅର୍ଥାତ୍ ୬ ଲକ୍ଷ ବିଦ୍ୟାର୍ଥୀ ଏବେ ବି ରାଜ୍ୟର ଓଡ଼ିଆ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ପ୍ରତି ଶ୍ରେଣୀରେ ଅଛନ୍ତି। ଏତେ ସଂଖ୍ୟକ ବିଦ୍ୟାର୍ଥୀଙ୍କର ପରୀକ୍ଷା ଆୟୋଜନ କରାଇବା ଏବଂ ସମସ୍ତଙ୍କ ପରୀକ୍ଷାଫଳ ମେ ୨୦୧୬ ଦ୍ୱିତୀୟ ସପ୍ତାହ ସୁଦ୍ଧା ପ୍ରକାଶ କରିବାର ନିର୍ଭର ପ୍ରତିଶ୍ରୁତି ଦେବା ଏକ ବିରଳ ସଫଳତା। ଏଥ‌ିପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (Board of Secondary Education, Odisha)ର ସଭାପତି ପ୍ରଫେସର ଡକ୍ଟର ଦକ୍ଷପ୍ରସାଦ ନନ୍ଦ ଧନ୍ୟବାଦର ପାତ୍ର। ୨୦୧୫ରେ ବି ସେ ନିଜ ଜବାବ ମୁତାବକ ଫଳ ପ୍ରକାଶ କରାଇଥିଲେ। ଯାହାକିଛି ତ୍ରୁଟିବିଚ୍ୟୁତି ହୋଇଥିଲା, ତହିଁରୁ ଶିକ୍ଷା ଲାଭ କରି ୨୦୧୫-୧୬ ଶିକ୍ଷାବର୍ଷରେ ଅନ୍‌ଲାଇନ୍ ଫର୍ମପୂରଣ ସମେତ ନବମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କର Online Registration ମଧ୍ୟ କରାଇଛନ୍ତି। ଶିକ୍ଷକ, ପ୍ରଧାନଶିକ୍ଷକମାନଙ୍କୁ ଏ ଅନ୍‌ଲାଇନ୍ ମାୟା ସହ ଅଭ୍ୟସ୍ତ କରାଇବା ଏବଂ ବାରମ୍ବାର ସଂଶୋଧନ କରାଇ ସେହି ପ୍ରକ୍ରିୟାକୁ ସମାପନ କରାଇବାରେ ପ୍ରତ୍ୟକ୍ଷ ଭୂମିକା ନିର୍ବାହ କରିଛନ୍ତି। ଏଭଳି କାମ କରି ସେ ନିଜ ମାଆବାପାଙ୍କ ପ୍ରଦତ୍ତ ନାମକୁ ସାର୍ଥକ କରିଛନ୍ତି। ଅଥଚ ଉଚ୍ଚତର ମାଧ୍ୟମିକ ଶିକ୍ଷା ପରିଷଦ (Council of Higher Secondary Education, Odisha) ଅଥବା ଓଡ଼ିଶାର ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଉତ୍କଳ ବିଶ୍ୱବିଦ୍ୟାଳୟ (Utkal University) ମଧ୍ୟ ଆଜି ସୁଦ୍ଧା Online Registration, Online Form Fill-up ବ୍ୟବସ୍ଥା ଲାଗୁ କରିବାରେ ସଫଳ ହୋଇନାହାନ୍ତି। ଅବଶ୍ୟ ପ୍ରଭାବିତ ହୋଇ CHSE, +୨ କଳା, ବାଣିଜ୍ୟ, ବିଜ୍ଞାନ ବିଦ୍ୟାର୍ଥୀଙ୍କର  ଅନ୍ ଲାଇନ୍ ଫର୍ମପୂରଣ କରିଥିବା ଦାବି କରୁଛି। କିନ୍ତୁ ଦକ୍ଷପ୍ରସାଦଙ୍କ ସମକକ୍ଷ ହୋଇନାହିଁ ବୁଦ୍ଧିରେ ଓ ପ୍ରୟୋଗରେ।

ଏଣେ ଉତ୍କଳ ବିଶ୍ୱବିଦ୍ୟାଳୟ କଥା ନକହିବା ଭଲ। କାରଣ ଏହି ଅନୁଷ୍ଠାନ, ପ୍ରାୟ କେଇ ଲକ୍ଷ ବିଦ୍ୟାର୍ଥୀଙ୍କର ପ୍ରମାଣପତ୍ର ଦେଇ ନାହିଁ, ୧୯୭୦ ମସିହାରୁ। ୧୯୭୦ ରୁ ୨୦୦୦ ମସିହା ମଧ୍ୟରେ ଯଦି ଆପଣ ଏ ବିଶ୍ୱବିଦ୍ୟାଳୟରୁ ଉତ୍ତୀର୍ଣ ହୋଇଥାଆନ୍ତି, ତେବେ ନିଜକୁ ପଚାରନ୍ତୁ Provisionalରେ କାମ ଚଳାଉଛନ୍ତି କି  Original Certificate ପାଇଲେଣି? ଏହି ଅନୁଷ୍ଠାନର ବଡ଼ ବଡ଼ ପଦବୀ ଅଳଙ୍କୃତ କରୁଥିବା ବ୍ୟକ୍ତିମାନେ କ’ଣ କରନ୍ତି ସେମାନଙ୍କ କାର୍ଯ୍ୟକାଳ ମଧ୍ୟରେ, ତାହା ଆମ୍ଭଙ୍କୁ ବିସ୍ମିତ କରେ। ପ୍ରତିବର୍ଷ କୋଟିକୋଟି ଟଙ୍କା ସୂଚନା ପ୍ରଯୁକ୍ତି ପ୍ରୟୋଗ ନାମରେ ଉତ୍କଳ ବିଶ୍ୱବିଦ୍ୟାଳୟର ଉଡୁଥିଲେ ସୁଦ୍ଧା ଫଳ ଶୂନ। ଶହଶହ କଂପ୍ୟୁଟର ଅଶିକ୍ଷିତ କିରାଣୀ ପୋଷା ହେବା ସହ ବାଣିବିହାର ହତାର ଦପ୍ତର ପ୍ରକୋଷ୍ଠଗୁଡ଼ିକରେ ହଜାର ହଜାର କାଗଜବିଡ଼ା ଗଡ଼ୁଛି। ଲଜ୍ଜା ଲାଗିବ, ଏହାକୁ ଏକବିଂଶ ଶତାବ୍ଦୀର ଏକ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ବୋଲି ଦାବି କରିବାକୁ।

ଓଡ଼ିଶାରେ ଯୋଗ୍ୟ ବ୍ୟକ୍ତିମାନଙ୍କର ଅଭାବ ଥିବା ବେଳେ ପ୍ରଫେସର ଦକ୍ଷପ୍ରସାଦଙ୍କ ଭଳି ଦକ୍ଷ ଓ ଅଙ୍ଗୀକାରବଦ୍ଧ ବ୍ୟକ୍ତିଙ୍କୁ ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଅଫର୍ କରିବାରେ ଗୌରବ ଅଛି। ସ୍ୱାଧୀନତା ପୂର୍ବର ନୁହେଁ, ବରଂ ସ୍ୱାଧୀନ ଭାରତର ଓଡ଼ିଶା ପ୍ରଦେଶରେ ଯେ ସଂପ୍ରତି ଅଙ୍ଗୀକାରବଦ୍ଧ ପୁରୁଷମାନେ ଅଛନ୍ତି,  ତାହାର ନମୁନା ହେଉଛନ୍ତି ଦକ୍ଷପ୍ରସାଦ। ମେ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ, ତାହା ପରେ ଯାଇ ଏ ବିଷୟରେ କୌଣସି ମତାମତ ଦେବେ।

15 अप्रैल 2016

ବାରବାଟୀରେ ଆଇପିଏଲ୍‌-୯ର ମ୍ୟାଚ୍‌

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ - ୨୦୧୬ର ୧୦ଟି ମ୍ୟାଚ୍‌ ମହାରାଷ୍ଟ୍ରରେ ହେବ ନାହିଁ। ମୁଖ୍ୟତଃ ମହାରାଷ୍ଟ୍ରରେ ଗୁରୁତର ମରୁଡ଼ି ସମସ୍ୟା ଲାଗି ରହିଥିବା ବେଳେ ଜଳସଂକଟ ଉତ୍କଟ ହେବାରେ ଲାଗିଛି। ଏଣୁ ଚଳିତ ଏପ୍ରିଲ୍‌ ମାସ ପରେ ମହାରାଷ୍ଟ୍ରରେ ହେବାକୁ ଥିବା ମ୍ୟାଚ୍‌ଗୁଡ଼ିକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର କରିବାକୁ ମହାରାଷ୍ଟ୍ର ସରକାର ନିର୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରବାସୀ ବା ମରାଠୀମାନେ ଅସ୍ଥିରମନା ହୋଇନଥିବାରୁ ଏହି ନିଷ୍ପତ୍ତି ବଦଳିବାର ପ୍ରଶ୍ନ ଉଠୁ ନାହିଁ। ଏଣେ ଓଡ଼ିଶାରେ ମରୁଡ଼ି ହୋଇଥିଲେ ସୁଦ୍ଧା ଓଡ଼ିଶାର ଏକମାତ୍ର କ୍ରିକେଟ୍‌ ଷ୍ଟାଡ଼ିଅମ୍‌ ବାରବାଟୀରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ କରାଇବାର ଆବଶ୍ୟକତା ରହିଛି। କାରଣ କଟକରେ ଜଳସଂକଟ ନାହିଁ କି କଟକ ସହରରେ ମରୁଡ଼ି ହୋଇ ନାହିଁ। ଅନ୍ୟ ପକ୍ଷରେ ଯେଉଁ ଜଳ (ବୋତଲ ଫିଙ୍ଗା) ପାଇଁ ବାରବାଟୀ ଷ୍ଟାଡ଼ିଅମ୍‌ ତଥା ଓଡ଼ିଶା ନିନ୍ଦିତ ହୋଇଥିଲା, ସେହି ଜଳକୁ କେନ୍ଦ୍ର କରି ଏବେ ଓଡ଼ିଶା ନିଜର ହୃତ ସମ୍ମାନ ଫେରାଇ ଆଣିବାର ସୁଯୋଗ ଆସିଛି। ଭାରତ ଭଳି ଏକ କ୍ରିକେଟ୍‌ ପାଗଳ ଦେଶରେ ଓଡ଼ିଶାର ସ୍ଥାନ ବହୁତ ତଳକୁ ଚାଲିଯାଇଛି। ଏହାକୁ ଧ୍ୟାନ ଦେଇ ଅନ୍ୟୂନ ୪ଟି ମ୍ୟାଚ୍‌ ବାରବାଟୀ ଷ୍ଟାଡ଼ିଅମ୍‌ରେ କରିବା ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ତଥା ଓଡ଼ିଶା ସରକାର ତତ୍ପର ହେବା ଜରୁରୀ ହେଉଛି। ଓସିଏ ସଂପାଦକ ଆଶୀର୍ବାଦ ବେହେରା ବିବାଦୀୟ ହୋଇପଡ଼ିଥିଲେ ସୁଦ୍ଧା ବୋର୍ଡ଼ ଅଫ୍‌ କ୍ରିକେଟ୍‌ କଣ୍ଟ୍ରୋଲ ଇନ୍‌ ଇଣ୍ଡିଆ (ବିସିସିଆଇ)ର ସଦସ୍ୟ ତଥା ଓଡ଼ିଶାର ରାଜ୍ୟସଭା ସାଂସଦ ରଂଜୀବ ବିଶ୍ଵାଳଙ୍କ ପାଇଁ ଏହା ମର୍ଯ୍ୟାଦାର ପ୍ରସଙ୍ଗ। କାରଣ ବିସିସିଆଇର ସଦସ୍ୟତାକୁ ରଂଜୀବ ବିଶ୍ଵାଳ ଆଜି ସୁଦ୍ଧା ଏକ ଚାକିରି ଭଳି ଉପଭୋଗ କରି ଆସିଛନ୍ତି। ତାଙ୍କ ଦ୍ଵାରା ଓଡ଼ିଶାରେ କ୍ରିକେଟ୍‌ର କୌଣସି ବିକାଶ ହୋଇ ନାହିଁ କି କୌଣସି ଓଡ଼ିଆ କ୍ରିକେଟର୍‌ ଜାତୀୟ ଦଳରେ ସାମିଲ ହେବାର ସମ୍ଭାବନା ମଧ୍ୟ ନାହିଁ। ଓଡ଼ିଶାର ବିଚକ୍ଷଣ ନାଗରିକମାନେ ଏହି ମତ ଦେଇଛନ୍ତି/ ଦେଉଛନ୍ତି। ତେଣୁ ଏହାକୁ ଉଲ୍ଲେଖ କରିବାରେ ଆମ୍ଭର ଅଧଲାକର ସୁଦ୍ଧା ବାହାଦୂରୀ ନାହିଁ। ତେଣୁ ରଂଜୀବ ଯଦି ଅନ୍ୟୂନ ୪ଟି ମ୍ୟାଚ୍‌ ବାରବାଟୀରେ ଆୟୋଜନ କରାଇପାରିବେ, ତେବେ ସେ ନିଜର ସମ୍ମାନ ରକ୍ଷା ସହିତ ଉତ୍କଳ ଜନନୀର ସମ୍ମାନ ମଧ୍ୟ ରକ୍ଷା କରି ପାରିବେ।

ସର୍ବଭାରତୀୟ ସ୍ତରରେ ଓଡ଼ିଶା ଏବେ ବି ‘‘କୋଲକାତା ପାଖରେ’’। ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ଏହା ଏକ ଲଜ୍ଜାଜନକ ପରିସ୍ଥିତି। ଏଥିରୁ ମୁକୁଳିବା ପାଇଁ ମହାରାଷ୍ଟ୍ର ଭଳି ଏକ ମହାରାଜ୍ୟର ମ୍ୟାଚ୍‌କୁ ଓଡ଼ିଶାରେ କରାଇ ଓଡ଼ିଶା କିଛିଟା ସୁନାମ ଆଣିବା ସହ ଅନ୍ୟ ରାଜ୍ୟବାସୀଙ୍କ ମନରେ ଓଡ଼ିଶା ପ୍ରତି ରହିଥିବା ଧାରଣାକୁ ବଦଳାଇପାରିବ। ଅବଶ୍ୟ ଓଡ଼ିଶାରେ ୪୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏକ ନଗର ଗଢ଼ି ନପାରିବା ଏକ ପ୍ରଶାସକୀୟ ଲଜ୍ଜା। ଯାହାକି କୌଣସି ବଡ଼ ଧରଣର ମ୍ୟାଚ୍‌ ଆୟୋଜନ ବା ବଡ଼ କମ୍ପାନୀମାନଙ୍କର ଦପ୍ତର ଖୋଲିବା ଦିଗରେ ଆକର୍ଷଣ ହୋଇ ପାରୁ ନାହିଁ। ତାହା ସତ୍ତ୍ଵେ ବି ୫ ଅକ୍ଟୋବର ୨୦୧୫ର ‘ବାରବାଟୀ ଲଜ୍ଜା’ (ଭାରତ-ଦକ୍ଷିଣ ଆଫ୍ରିକା ୨୦-୨୦)କୁ ଦୂର କରିବା ପାଇଁ ଏହା ଏକ ପ୍ରକୃଷ୍ଟ ମୌକା। ପ୍ରତିଟି ଆଇପିଏଲ୍‌ ଦଳରେ ବିଦେଶୀ ଖେଳାଳି ଥିବାରୁ ବିଶ୍ଵସ୍ତରରେ ମଧ୍ୟ ‘‘ବାରବାଟୀ ଲଜ୍ଜା’’ରୁ ମୁକ୍ତି ମିଳିବାର ନିଶ୍ଚିତ ସମ୍ଭାବନା ରହିଛି। 

ନିଜନିଜ ଭିତରେ ଓଡ଼ିଆମାନେ ଝଗଡ଼ାଝାଟିରେ ବ୍ୟସ୍ତ ରହୁଥିଲେ ସୁଦ୍ଧା ରାଜ୍ୟ ବାହାରେ ବା ଦେଶ ବାହାରେ ଉଦ୍ଧତ ହେବାର କୌଣସି ସାଂପ୍ରତିକ ବା ଐତିହାସିକ ପ୍ରମାଣ ନାହିଁ। ଏକ ସ୍ଵାଭିମାନୀ ଜାତି ଭାବରେ ଓଡ଼ିଆମାନଙ୍କର ନିର୍ମଳ ଭାବମୂର୍ତିର ପୁନଃପ୍ରତିଷ୍ଠାରେ ଆଇପିଏଲ୍‌ ମ୍ୟାଚ୍‌ ଆୟୋଜନ ଅବଶ୍ୟ ଦେବଦୂତ ଭଳି କାମ କରିବ। ଅନ୍ୟ ପକ୍ଷରେ ଓଡ଼ିଶାବାସୀଙ୍କ ସାଂସ୍କୃତିକ ଜୀବନକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ ମନସ୍ତାପରୁ ମୁକ୍ତି ପାଇଁ ଏମାନେ ମନୋରଂଜନକୁ ମାଧ୍ୟମ କରିଥାଆନ୍ତି। ଏଣୁ ମରୁଡ଼ି-ମନସ୍ତାପରେ ଜର୍ଜରିତ ଓଡ଼ିଶାବାସୀଙ୍କ ପାଇଁ ମ୍ୟାଚ୍‌ ଦର୍ଶନ ନିଶ୍ଚୟ ସାନ୍ତ୍ଵନା ଆଣିଦେବ; ତାହା ଗ୍ୟାଲେରିରେ ହେଉ ଅବା ଗୃହରେ।

ଅନ୍ୟ ପକ୍ଷରେ ରାଜ୍ୟର ପ୍ରାଦେଶିକ ଦଳ (ବିଜେଡ଼ି) ଶାସିତ ସରକାର, କେତେ ପାରିବାର, ତାହା ମଧ୍ୟ  ପ୍ରମାଣିତ ହୋଇଯିବ ଅନ୍ୟୂନ ୪ଟି ମ୍ୟାଚ୍‌ ଆୟୋଜନ ଦ୍ଵାରା। ଏପରିକି ବିଭିନ୍ନ କାରଣରୁ ରାଜ୍ୟ ସରକାରଙ୍କର ବିଗିଡ଼ା ଭାବମୂର୍ତିକୁ ସଜାଡ଼ିବାର ଏକ ପ୍ରକୃଷ୍ଟ ସୁଯୋଗ ଆସିଛି ଓଡ଼ିଆ ନୂଆବର୍ଷରେ। ଆପଣ କ’ଣ ଭାବୁଛନ୍ତି ଟିକେ କୁହନ୍ତୁନା?