ଇତିହାସ କହେ ଓଡ଼ିଶାର ପୁରାତନ ନାମ
ଥିଲା ଉତ୍କଳ, କଳିଙ୍ଗ, ଉଡ଼୍ର ବା ଉଡ଼୍ରଦେଶ । ସମୟର ଗଡ୍ଡାଳିକା
ପ୍ରବାହରେ ଏହି ନାମର ପରିବର୍ତ୍ତନ ବା କ୍ରମ ବିବର୍ତ୍ତନ ହୋଇ ଏହା ଏବେ ‘ଓଡ଼ିଶା’ ନାମରେ
ହିଁ ପରିଚିତ । ବୈଦିକ ସଭ୍ୟତାରେ ‘କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ର’ ମତାନୁସାରେ
ପ୍ରାୟ ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀ ବେଳକୁ ଏହା ସ୍ୱତନ୍ତ୍ର ଏକ ସଭ୍ୟତା ନାମରେ ପରିଚିତ ଥିଲା, ଅର୍ଥାତ୍
ଆର୍ଯ୍ୟ ବା ଦ୍ରାବିଡ଼ ଭିନ୍ନ ଏକ ସ୍ୱତନ୍ତ୍ର ସଭ୍ୟତା ଥିଲା । ଖ୍ରୀ.ପୂ. ପ୍ରଥମ ଶତାବ୍ଦୀ ବେଳକୁ
ଚେଦୀରାଜ ବଂଶର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ରାଜତ୍ୱ ସମୟରେ କଳିଙ୍ଗ ସାମ୍ରାଜ୍ୟର
ଭୌଗୋଳିକ ପରିସୀମା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ କଳିଙ୍ଗ
ସାଗର (ଅଧୁନା ବଙ୍ଗୋପସାଗର) ଠାରୁ ପଶ୍ଚିମରେ ‘ମଧ୍ୟ ଭାରତ’ ପର୍ଯ୍ୟନ୍ତ
ବିସ୍ତାରିତ ହୋଇଥିଲା । ତେବେ ତୃତୀୟ ଶତାବ୍ଦୀରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଗୁପ୍ତରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ
ପୁଲକେଶୀ, ମାଠର, ଭୌମକର ଶାସକ ମାନଙ୍କ ରାଜତ୍ୱରେ ଏହି ବିଶାଳ ଭୂଖଣ୍ଡ କଳିଙ୍ଗ ନାମରେ ପରିଚିତ ଥିଲା ।
କେଶରୀ ରାଜବଂଶର ଦ୍ୱିତୀୟ ଯଯାତି
କେଶରୀ(ମହାଶିବଗୁପ୍ତ)ଙ୍କ ଠାରୁ ଗଙ୍ଗବଂଶର ଅନନ୍ତ ବର୍ମା ଚୋଳଗଙ୍ଗଦେବ, ଚୋଡ଼ଗଙ୍ଗ
ଦେବ, ଦ୍ୱିତୀୟ ଅନଙ୍ଗଭୀମଦେବ, ତୃତୀୟ ଅନଙ୍ଗଭୀମ ଦେବ, ଲାଙ୍ଗୁଳା ନରସିଂହଦେବ, ଗଜପତି
ରାଜବଂଶର କପିଳେନ୍ଦ୍ର ଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ର ଦେବ, ମୁକୁନ୍ଦ
ଦେବଙ୍କ ପର୍ଯ୍ୟନ୍ତ ସପ୍ତମ-ଅଷ୍ଟମ ଶତାବ୍ଦୀ ଠାରୁ ଷୋଡ଼ଶ ଶତାବ୍ଦୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହି
କଳିଙ୍ଗ ଉତ୍କଳ - ଓଡ଼ିଶା ଇତିହାସର ଅନେକ ଉତ୍ଥାନ ପତନ ଦେଖିଛି ।
୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ମୁସ୍ଲିମ୍
ଶାସକ ସୁଲେମାନ କରାଣୀ ଏବଂ ତାଙ୍କ ସେନାପତି କଳାପାହାଡ଼ ଦ୍ୱାରା ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ
ଶାସକ ମୁକୁନ୍ଦ ଦେବ ପରାସ୍ତ ହେବା ପରେ ଓଡ଼ିଶା ପରାଧୀନ ହୋଇଯାଏ। ୧୫୭୬ରେ ମୋଗଲ, ୧୭୫୧ରେ
ମରହଟ୍ଟା ଏବଂ ଶେଷରେ ୧୮୦୩ ଅକ୍ଟୋବର ୧୪ରେ ଇଂରେଜମାନେ ଓଡ଼ିଶା ଅଧିକାର କରନ୍ତି । ଏହା
ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ତାର ଦୁର୍ଦ୍ଦର୍ଷ, ପରାକ୍ରମୀ, ଅଦସ୍ୟ
ସାହସୀ ଶାସକ ଓ ସୈନ୍ୟ ବାହିନୀ ଦ୍ୱାରା ଇଂରେଜମାନଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇ ରଖି
ଆସିଥିଲା ୧୮୦୩ ପର୍ଯ୍ୟନ୍ତ, ଅର୍ଥାତ୍ ଓଡ଼ିଶା ହେଉଛି ଇଂରେଜମାନଙ୍କ ଦ୍ୱାରା ଅଧିକୃତ ଶେଷ
ଭାରତୀୟ ରାଜ୍ୟ ।
୧୮୦୩ ଠାରୁ ଏହା ବଙ୍ଗଦେଶ ସହିତ
ମିଶି ରହି ଇଂରେଜ ମାନଙ୍କ ଦ୍ୱାରା ଶାସିତ ହେଉଥିଲା। ୧୯୧୨ରେ ଏହା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ
ବିହାର ସହ ମିଶି ରହିଥିଲା । ଏ ଭିତରେ ଓଡ଼ିଶା ଭୂଖଣ୍ଡ ତା’ର ନିଜର ଭୌଗୋଳିକ, ରାଜନୈତିକ
ଶାସନାଧିନ ସାମ୍ରାଜ୍ୟର ସୀମାରେଖା ହରେଇ ସାରିଥିଲା, ମାତ୍ର ଓଡ଼ିଆ ଭାଷାର ମୌଳିକ ପରିଚୟ
ପୂର୍ବପରି ପରିବ୍ୟାପ୍ତ ରହିଥିଲା। ଅର୍ଥାତ୍ ଖ୍ରୀଷ୍ଟପୂର୍ବ ସମୟ ଠାରୁ ଅଷ୍ଟାଦଶ - ଊନବିଂଶ
ଶତାବ୍ଦୀ ସୁଦ୍ଧା ଓଡ଼ିଆ ଭାଷା ଭାଷୀମାନଙ୍କର ଅଞ୍ଚଳ ପୂର୍ବବତ୍ ଆଗଙ୍ଗା-ଗୋଦାବରୀ, ପୂର୍ବତଟରୁ
ମଧ୍ୟ ଭାରତ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିଲା। ଏହା ହିଁ ଥିଲା ଓଡ଼ିଆ ଜାତିକୁ ଚିହ୍ନିବା, ଏକାଠି
କରିବାର ଏକମାତ୍ର ପନ୍ଥା। ତେଣୁ ଏହି ଭାଷା ଆଧାରରେ ତତ୍କାଳୀନ ଓଡ଼ିଶାର ଜନନାୟକ, ବରପୁତ୍ରମାନେ
ଯଥା- ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, କର୍ମବୀର ଗୌରୀଶଙ୍କର, ମହାରାଜା
ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ ପ୍ରଭୃତି ଇଂରେଜ
ସରକାରଙ୍କ ପାଖରେ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଦାବି ରଖିଥିଲେ । ଫଳସ୍ୱରୂପ ୧୯୩୬
ମସିହା ଏପ୍ରିଲ ୧ ତାରିଖରେ ଭାରତର ସର୍ବପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଭାବରେ ପ୍ରତିଷ୍ଠା ଲାଭ
କରିଥିଲା। ବିଶେଷ ଗୁରୁତ୍ୱପୂର୍ଣ୍ଣ ଯେ ଏହା କେବଳ ଭାଷା ଆଧାରରେ ହିଁ ସମ୍ଭବ ହୋଇପାରିଥିଲା ।
ଏହାର ଏକ ଦଶନ୍ଧି ପରେ ୧୯୪୬ ମସିହାରେ ଓଡ଼ିଶା ସ୍ୱାୟତ୍ତ ଶାସନ ସୁବିଧା ଲାଭ କଲା। ୧୯୪୭
ମସିହାରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶା ମଧ୍ୟ ଏକ ସ୍ୱାଧୀନ ରାଜ୍ୟର ମାନ୍ୟତା ଲାଭ କରିଥିଲା
।
୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ
ପ୍ରଦେଶ ଛଅଟି ଜିଲ୍ଲା ଯଥା- କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, କୋରାପୁଟ
ଓ ସମ୍ବଲପୁରକୁ ନେଇ ଗଠିତ ହୋଇଥିଲା । ଏହି ସବୁ ଜିଲ୍ଲାର ତତ୍କାଳୀନ ସମସ୍ତ ଅଞ୍ଚଳ ଅର୍ଥାତ୍
ଅବିଭକ୍ତ ଅବସ୍ଥାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ଆଧୁନିକ ଓଡ଼ିଶା ରାଜ୍ୟରେ ହିଁ ସମ୍ମିଶ୍ରଣ
ହୋଇଥିଲା । ଦେଶ ସ୍ୱାଧୀନତା ପ୍ରାପ୍ତିରେ ୧୯୪୮ ମସିହା ଜାନୁଆରୀ ପହିଲାରେ ଓଡ଼ିଶାର ୨୩ଟି ଗଡ଼ଜାତ
ଯଥା (୧) ଆଠଗଡ଼,
(୨) ଆଠମଲ୍ଲିକ, (୩) କଳାହାଣ୍ଡି, (୪)କେନ୍ଦୁଝର, (୫)
ଖଣ୍ଡପଡ଼ା, (୬) ଗାଙ୍ଗପୁର,
(୭) ଢେଙ୍କାନାଳ, (୮) ତାଳଚେର, (୯)
ତିଗିରିଆ, (୧୦) ଦଶପଲ୍ଲା,
(୧୧) ନରସିଂହପୁର, (୧୨) ନୟାଗଡ଼, (୧୩)
ନୀଳଗିରି, (୧୪) ପାଟଣା,
(୧୫) ପାଲଲହଡ଼ା, (୧୬) ବଉଦ, (୧୭)
ବଡ଼ମ୍ବା, (୧୮) ବଣାଇ,
(୧୯) ବାମଣ୍ଡା, (୨୦) ରଣପୁର, (୨୧)
ରେଢ଼ାଖୋଲ, (୨୨) ସୋନପୁର,
(୨୩) ହିନ୍ଦୋଳ ଇତ୍ୟାଦି ଓଡ଼ିଶା ପ୍ରଦେଶରେ ସମ୍ମିଶ୍ରଣ ହେଲା ଏବଂ
ମୟୂରଭଞ୍ଜ ଗଡ଼ଜାତଟି ୧୯୪୯ ଜାନୁଆରୀ ପହିଲାରେ ଓଡ଼ିଶାରେ ମିଶ୍ରଣ ହେଲା। ଗଡ଼ଜାତ ମିଶ୍ରଣରେ ଏହାକୁ
୭ଟି ଜିଲ୍ଲାରେ ପରିଣତ କରି ୧୯୫୦ ଜାନୁଆରୀ ୨୬ରେ ଓଡ଼ିଶାରେ ମୋଟ ୧୩ଟି ଜିଲ୍ଲା ହେଲା।
ଓଡ଼ିଶା ରାଜ୍ୟରେ ଏହି ଗଡ଼ଜାତ
ମିଶ୍ରଣକୁ ଐତିହାସିକ ଓ ଭୌଗୋଳିକ ଦୃଷ୍ଟିରୁ ବ୍ୟାଖ୍ୟା କଲେ ଜଣାଯାଏ ତତ୍କାଳୀନ ଓଡ଼ିଶା ଷ୍ଟେଟ୍
ଏଜେନସି ଅନ୍ତର୍ଗତ ଗଡ଼ଜାତ ଯଥା: ଆଠଗଡ଼, ଆଠମଲ୍ଲିକ, ବାମଣ୍ଡା, ବଉଦ, ବଣାଇ, ଦଶପଲ୍ଲା, ଢେଙ୍କାନାଳ, ଗାଙ୍ଗପୁର, ହିନ୍ଦୋଳ, କେନ୍ଦୁଝର, ଖଣ୍ଡପଡ଼ା, ଖରସୁଆଁ, ନରସିଂହପୁର, ନୟାଗଡ଼, ନୀଳଗିରି, ପାଲଲହଡ଼ା, ରେଢ଼ାଖୋଲ, ରଣପୁର, ଷଢ଼େଇକଳା, ସୋନପୁର, ତାଳଚେର, ତିଗିରିଆ, ବିଜୟନଗରମ
ମଧ୍ୟରୁ ଖରସୁଆଁ,
ଷଢ଼େଇକଳା, ବିଜୟନଗରମ୍ ଏହି ତିନୋଟି ଓଡ଼ିଶାରେ ମିଶ୍ରଣ ହୋଇପାରିଲା
ନାହିଁ। ଅର୍ଥାତ୍ ଓଡ଼ିଶା ଷ୍ଟେଟ ଏଜେନ୍ସି ଅନ୍ତର୍ଗତ ମୋଟ ୨୩ ଗୋଟି ମଧ୍ୟରୁ ଖରସୁଆଁ, ଷଢ଼େଇକଳା, ବିଜୟନଗରମ୍କୁ
ଛାଡ଼ି ଅବଶିଷ୍ଟ ୨୦ଟି ଗଡ଼ଜାତ ରାଜ୍ୟର ଓଡ଼ିଶା ସହ ମିଶ୍ରଣ ହେଲା ।
ସେହିପରି ଛତିଶଗଡ଼ ଷ୍ଟେଟ୍
ଏଜେନସି ଅନ୍ତର୍ଗତ ବସ୍ତର, ଚଙ୍ଗଭାକର, ଛୁଇକଣ୍ଡନ, ଯଶପୁର, କଳାହାଣ୍ଡି
(କରୋଣ୍ଡ), କଙ୍କର କାୱାର୍ଧା, ଖଇରଗଡ଼, କୋରିୟା, ନନ୍ଦଗାଁ, ପାଟଣା
(ବଲାଙ୍ଗିର) ରାଇଗଡ଼,
ଶକ୍ତି ସାରଙ୍ଗଗଡ଼, ସୁରଗୁଜା, ଉଦୟପୁର
(ଧର୍ମଜୟଗଡ଼) ଆଦି ମଧ୍ୟରୁ କେବଳ କଳାହାଣ୍ଡି ଓ ପାଟଣା ଓଡ଼ିଶାରେ ମିଶ୍ରଣ ହେଲା । ବାଉଣ୍ଡରୀ
କମିଶନଙ୍କ ବିବରଣୀ ଅନୁସାରେ ଏହି ଛତିଶଗଡ଼ ଷ୍ଟେଟ ଏଜେନସି ଅନ୍ତର୍ଗତ ଆହୁରି ଅନେକ ଅଞ୍ଚଳ ଓଡ଼ିଆ
ଭାଷାଭାଷୀ ହେଲେୟେ କେତେକ ରାଜନୈତିକ ଛଳନା ବା ଷଡ଼ଯନ୍ତ୍ର କାରଣରୁ ସେ ଗୁଡ଼ିକୁ ଓଡ଼ିଶା ରାଜ୍ୟ ସହ
ମିଶ୍ରଣରୁ ବଞ୍ଚିତ ରଖାଗଲା ।
ବେଙ୍ଗଲ ଷ୍ଟେଟ ଏଜେନ୍ସି
ଅନ୍ତର୍ଗତ କୁଚବିହାର, ମୟୂରଭଞ୍ଜ, ତ୍ରିପୁରା, ଆଦି
ମଧ୍ୟରୁ ମୟୂରଭଞ୍ଜ ଶେଷରେ ୧୯୪୯ ଜାନୁଆରୀ ୧ରେ ଓଡ଼ିଶାରେ ମିଶ୍ରଣ ହେଲା। ଏହି ତିନି ଷ୍ଟେଟ ଏଜେନ୍ସି
ମଧ୍ୟରେ ନଥିବା ନୀଳଗିରି ସର୍ବପ୍ରଥମେ ଏକ ସ୍ୱାଧୀନ ଗଡ଼ଜାତ ରାଜ୍ୟ ଭାବରେ ଓଡ଼ିଶାରେ ତାହାର
ମିଶ୍ରଣ ହୋଇଥିଲା ।
ମିଶ୍ରଣର ପୃଷ୍ଠଭୂମି ଓ
ଐତିହାସିକ ବିବରଣୀ :
ମୌଳିକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ
ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିରେ ତତ୍କାଳୀନ ଉତ୍କଳ ୟୁନିଅନ କମିଟି, ଦିଗ୍ରେଟ୍
ଉତ୍କଳ ଲିଗ୍, ସିଂହଭୂମ ଓଡ଼ିଆ ସମାଜ, ସମ୍ବଲପୁର, ମେଦିନୀପୁର, ଗଞ୍ଜାମ, ବିଶାଖାପାଟଣା
ଆଦି ଅଞ୍ଚଳର ଓଡ଼ିଆ ସଂଗଠନ ସବୁ ୧୯୩୩ ନଭେମ୍ବର ୭ରେ ତତ୍କାଳୀନ ବାଉଣ୍ଡରୀ କମିଶନ ପାଖରେ
ନିମ୍ନଲିଖିତ ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ ପାଇଁ ଦାବି କରିଥିଲେ। ସେଗୁଡ଼ିକ ହେଲା - (୧) ମୂଳ
ଓଡ଼ିଶା, (୨)ଅନୁଗୁଳ,
(୩) ମେଦିନୀପୁର ଜିଲ୍ଲା ଅନ୍ତର୍ଗତ କଣ୍ଟାଇ, ଖଡ଼ଗପୁର, ନାରାୟଣଗଡ଼, ଦାନ୍ତୋନ, ମୋହନପୁର, କେଶିୟାରୀ
(୪) ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ସିମିଳିପାଳ, ରାୟପୁର, ଖାତରା
(୫) ସିଂହଭୂମ,
(୬) ମାନଭୂମ ଜିଲ୍ଲା ଅନ୍ତର୍ଗତ ବୀରଭୂମ, ମାନବଜାର, ଚାନ୍ଦିଲି
(୭) ରାଞ୍ଚି ଜିଲ୍ଲା (୮) ଖଡ଼ିଆଳ ଜମିଦାରୀ, ରାୟପୁର ଜିଲ୍ଲା ଅନ୍ତର୍ଗତ
ମହାସମୁଦ ତହସିଲର ଫୁଲଝର, ବିନ୍ଦ୍ରା ନୱାଗଡ଼, (୯) ଚନ୍ଦ୍ରୁର ଜମିଦାରୀ, ପଦ୍ମପୁର, ମାଲଖର୍ଦ୍ଦା
ଏବଂ ବିଳାସପୁର ଜିଲ୍ଲା ଅନ୍ତର୍ଗତ ୯ଗୋଟି ଗ୍ରାମ ମଣ୍ଡଳ (୧୦) ଗଞ୍ଜାମ ଜିଲ୍ଲା (୧୧)
ବିଶାଖାପାଟଣା । ତେବେ ଓଡ଼ିଶା ରାଜ୍ୟର ପୂର୍ଣ୍ଣାଙ୍ଗ
ଗଠନରେ ଦୁଇଟି ପ୍ରଧାନ ଅନ୍ତରାୟ ସୃଷ୍ଟି ହେଲା । ପ୍ରଥମଟି ଓଡ଼ିଶାର ଭାଷା ଓ ଭୌଗୋଳିକ
ସମୃଦ୍ଧିକୁ ସର୍ବଦା ଈର୍ଷା କରି ଆସୁଥିବା ବଙ୍ଗଳାଭାଷୀ ମାନଙ୍କ ଦ୍ୱାରା ପ୍ରରୋଚିତ ମେଦିନୀପୁରର
ବିଭକ୍ତ ବିରୋଧୀ ସଂଘ (Anti Partition Committee)
ଧଳଭୂମ ରାଜ୍ୟ ପ୍ରଶାସନ, ଜାମସେଦପୁର ବଙ୍ଗାଳୀ ସଂଘ; ସେଣ୍ଟ୍ରାଲ
ପ୍ରୋଭିନସର କୋହ୍ଲଣ,
ପଦମପୁର ଆଞ୍ଚଳିକ ଗୋଷ୍ଠୀ, ଗଞ୍ଜାମ ପ୍ରତିରକ୍ଷା ମଞ୍ଚ (Ganjam Defence League) ତଥା ମାଡ଼୍ରାସ ସରକାର ପକ୍ଷରୁ
ସି.ଏ. ହିଣ୍ଡରସନ (C.A. Hinderson)
ପ୍ରଭୃତି ପୂର୍ଣ୍ଣାଙ୍ଗ ଓଡ଼ିଶାକୁ ବିରୋଧ କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ବାଉଣ୍ଡରୀ
କମିଶନଙ୍କୁ ସିଂହଭୂମ ଠାରେ ସାକ୍ଷାତ କରିବାକୁ ଦ୍ୱିତୀୟତଃ ଓଡ଼ିଶା କଂଗ୍ରେସ ପ୍ରତିନିଧି ଭାବରେ
ନୀଳକଣ୍ଠ ଦାସଙ୍କୁ ପ୍ରେରଣ କରିବାକୁ ଚିନ୍ତା କରିଥିଲା । ମାତ୍ର ଜାତୀୟ କଂଗ୍ରେସ ସହିତ
ବ୍ରିଟିଶ ସରକାରର ତିକ୍ତତା ଥିବାରୁ ୧୯୩୨ରେ କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା। ତେଣୁ ଜାତୀୟ
କଂଗ୍ରେସର ନିର୍ଦ୍ଦେଶ କିମ୍ବା ଓଡ଼ିଶା କଂଗ୍ରେସର ଜାତୀୟ କଂଗ୍ରେସ ପ୍ରତି ଆନୁଗତ୍ୟ ପ୍ରଦର୍ଶନ
ସ୍ୱରୂପ ନୀଳକଣ୍ଠ ଦାସଙ୍କ ସିଂହଭୂମଠାରେ ବାଉଣ୍ଡରୀ କମିଶନକୁ ସାକ୍ଷାତ କାର୍ଯ୍ୟକ୍ରମକୁ ବାତିଲ
କରି ଦିଆଗଲା । ଏହା ହିଁ ଥିଲା ଓଡ଼ିଶା ଓ ଓଡ଼ିଶାରେ କଂଗ୍ରେସ ପାଇଁ ଏକ ଦୁର୍ଭାଗ୍ୟ ପରିସ୍ଥିତି !
ଏହି କାରଣରୁ ଓଡ଼ିଶାର ଜନସାଧାରଣ କଂଗ୍ରେସକୁ ଏକ ଘୃଣା ଦୃଷ୍ଟିରେ ଦେଖିବା ଆରମ୍ଭ କଲେ। ତେଣୁ
ସେହି ବର୍ଷ ପୁରୀ ଠାରେ ହେବାକୁ ଥିବା ଅଧିବେଶନକୁ କଂଗ୍ରେସ ବାତିଲ କରିବାକୁ ବାଧ୍ୟ
ହୋଇଥିଲା ।
୧୯୩୨ ଏପ୍ରିଲ ମାସରେ ଏହାର
ଚୂଡ଼ାନ୍ତ ବିବରଣୀରେ ଅନୁଗୁଳ, ପଦ୍ମପୁର, ଖଡ଼ିଆଳ ରାଜ୍ୟ, ଗଞ୍ଜାମ
ଜିଲ୍ଲାର ଏକ ପ୍ରମୁଖ ଅଂଶ (ବିଶାଖାପାଟଣା ଅନ୍ତର୍ଗତ)କୁ ଓଡ଼ିଶାରେ ମିଶ୍ରଣକୁ ସୁପାରିଶ କରିଥିଲେ।
ମାତ୍ର ମେଦିନୀପୁରକୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ଓଡ଼ିଶାର ପୂର୍ବ ମୌଳିକ ଅଂଶ, ଭାଷା, ବଂଶ
ଇତିହାସ ଆଧାରରେ ଓଡ଼ିଶାରେ ମିଶିଯିବା ଉଚିତ ବୋଲି କମିଶନ ସ୍ୱୀକାର କରିଥିଲେ ମଧ୍ୟ ଓଡ଼ିଶା ସହ
ମିଶ୍ରଣକୁ ସ୍ୱୀକୃତି ଦେଲେ ନାହିଁ। ସେହିପରି ଭାଷା ଓ ବଂଶଗତ କାରଣରୁ ବାଙ୍କୁରା ମଧ୍ୟ ଓଡ଼ିଶାରେ
ମିଶ୍ରଣରୁ ବଞ୍ଚିତ ହେଲା । ସିଂହଭୂମ କ୍ଷେତ୍ରରେ ‘ଭାଷା’, ‘ବଂଶାନୁକ୍ରମ’ ଦୃଷ୍ଟିରୁ
ଏହା ଏକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହୋଇଥିଲେ ହେଁ ଅନ୍ୟ ଭାଷାଭାଷୀ ମାନଙ୍କ ଛଳନା ପୂର୍ଣ୍ଣ ବିରୋଧ
ହେତୁ ଓଡ଼ିଶାରେ ମିଶ୍ରଣ ହେବା ଅନ୍ତରାୟ ଥିଲା। ସେହିପରି ମାନଭୂମ, ରାଞ୍ଚି, ଛୋଟନାଗପୁର
ମଧ୍ୟ ଓଡ଼ିଶାରୁ ବିଛିନ୍ନ ହୋଇଗଲା ।
ଗଞ୍ଜାମ ନିକଟବର୍ତ୍ତୀ ଇଚ୍ଛାପୁର, ମଞ୍ଜୁଷା, ବୁଦାରସିଂହ, ଜଳନ୍ତର, ଟିକ୍କାଲି, ତରଲା
ଆଦି ଅଞ୍ଚଳ ଏହି ବାଉଣ୍ଡରୀ କମିଶନ ଦ୍ୱାରା ଓଡ଼ିଶା ମିଶ୍ରଣରୁ ବଞ୍ଚିତ ହୋଇଥିଲେ ମଧ୍ୟ ‘ଫିଲିଫଡଫ
କମିଟି’ ଏହି ସବୁ ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ ପାଇଁ ସୁପାରିଶ କରିଥିଲେ। ଏହି କମିଟି ମଧ୍ୟ
ବିଶାଖାପାଟଣାକୁ ଓଡ଼ିଶାରେ ମିଶ୍ରଣ ପାଇଁ ସୁପାରିଶ କରିଥିଲା । ଏହି ଫିଲିଡଫ କମିଟିର ସୁପାରିଶ
ଥାଇ ମଧ୍ୟ ବାଉଣ୍ଡରୀ କମିଶନ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା। ତତ୍କାଳୀନ ବ୍ରିଟଶ ସରକାରଙ୍କ ଭାଗ
କର ଓ ଶାସନ କର (divide & rule)
ନୀତି ପ୍ରତ୍ୟେକ ବ୍ରିଟିଶ ଅଧିକାରୀଙ୍କ ରକ୍ତ ମଜ୍ଜାରେ ଯେପରି ରହିଯାଇଥିଲା ! ତେଣୁ କେଉଁ
ଅଞ୍ଚଳର ଭାଷା,
ଭାବନା, ଭାବପ୍ରବଣତାକୁ ସେମାନେ ଆନ୍ତରିକତା ସହିତ କେମିତି ଗ୍ରହଣ
କରିପାରନ୍ତେ ?
ତେଣୁ ଓଡ଼ିଶା ଏହି ସବୁ ଅଞ୍ଚଳକୁ ତା’ର
ରାଜନୈତିକ ମାନଚିତ୍ରରୁ ସବୁଦିନ ପାଇଁ ହରାଇ ବସିଲା । ଓଡ଼ନେଲ କମିଟି ବା ଓଡ଼ିଶା କମିଟି ଓଡ଼ିଶା
ପାଇଁ ଏକ ନୈରାଶ୍ୟବାଦୀ ନିଷ୍ଠୁର ପ୍ରଶାସନ ସାବ୍ୟସ୍ତ ହେଲା ।
ଷଢ଼େଇକଳା ଓ ଖରସୁଆଁ :
ଓଡ଼ିଶା ପାଇଁ ଏକ ଐତିହାସିକ ଆହ୍ୱାନ
ମୌଳିକ ଓଡ଼ିଶା ଭୂଖଣ୍ଡ ବା
ସ୍ୱାଧୀନ ଓଡ଼ିଶା ରାଜ୍ୟ ପରାଧୀନ ହୋଇଯିବା ପରେ ଇଂରେଜ ସରକାରଙ୍କ ବିଭକ୍ତ କର ଓ ଶାସନ କର (Divide
and Rule) ନୀତିରେ ଓଡ଼ିଶାକୁ ଏକତା ସୂତ୍ରରେ ବାନ୍ଧିରଖିଥିବା ସମସ୍ତ ଦେଶୀୟ
ବା ଗଡ଼ଜାତ ରାଜ୍ୟ ଗୁଡ଼ିକୁ ପରସ୍ପର ଠାରୁ ଅଲଗା କରି ଦେବା ପାଇଁ ଏହି ସବୁ ରାଜ୍ୟ ଗୁଡ଼ିକୁ ୪
ଭାଗରେ ବିଭକ୍ତ କରି ପକାଇଲେ । ସେହି ହିସାବରେ
ମୂଳ ଓଡ଼ିଶାର ଅନ୍ୟତମ ଗୌରବଶାଳୀ ସମ୍ଭ୍ରାନ୍ତ ରାଜ୍ୟ ଷଢ଼େଇକଳା ଏବଂ ଖରସୁଆଁ ଦୁଇଟି ତତ୍କାଳୀନ
ବେଙ୍ଗଲ ପ୍ରେସିଡେନ୍ସିରେ ରହିଥିଲା । ଖ୍ରୀଷ୍ଟାବ୍ଦ ୧୬୨୦ରେ ରାଜା ବିକ୍ରମ ସିଂହ କୁଅଁର
ଷଢ଼େଇକଳା ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ
ଦ୍ୱିତୀୟ ପୁତ୍ର ପଦମସିଂହ କୁଅଁର ୧୬୫୦ରେ ଖରସୁଆଁ ରାଜ୍ୟ ପ୍ରତିଷ୍ଠା କରିଥିଲେ ।
ଦେଶ ସ୍ୱାଧୀନତା ଲାଭ କରିବା ପରେ
ଏହି ଦୁଇ ରାଜ୍ୟ ଓଡ଼ିଶାରେ ମିଶ୍ରଣ ହେବା ପାଇଁ ମିଶ୍ରଣ ଇଚ୍ଛାପତ୍ର (merge will) ରେ ସ୍ୱାକ୍ଷର କରିଥିଲେ। ଫଳରେ ୧୯୪୮ ଜାନୁଆରୀ ୧ ତାରିଖରେ ଏହି ଦୁଇ ଗଡ଼ଜାତ
ଓଡ଼ିଶାରେ ମିଶ୍ରଣ ହେଲା । ମାତ୍ର ଏହି ଦୁଇ
ରାଜ୍ୟ ଅନ୍ତର୍ଗତ ଖଣିଜ ସମ୍ବଳ, ପ୍ରାକୃତିକ ସମ୍ପଦ ତଥା ତତ୍କାଳୀନ ଇଂରେଜ ସରକାରଙ୍କ
ଦ୍ୱାରା କରାଯାଇଥିବା ନାନାଦି ବିକାଶ ମୂଳକ କାର୍ଯ୍ୟରେ ଲୋଭାନ୍ୱିତ ହୋଇ ପଡ଼ୋଶୀ ବିହାର ରାଜ୍ୟର
କେତେକ ଖଳ ପ୍ରକୃତିର ଲୋକ ଏକ ମିଥ୍ୟା ବିଦ୍ରୋହର ଷଡ଼ଯନ୍ତ୍ର କଲେ । ଏହି ଛଳନାପୂର୍ଣ୍ଣ ମିଥ୍ୟା ବିଦ୍ରୋହର ସୁଯୋଗ ନେଇ
ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବିହାରର ହୋଇଥିବାରୁ ବିହାର ପ୍ରତି ଦରଦ ଦେଖାଇ ଏକ
ରାଜନୈତିକ ସ୍ଥିରତା ଆଣିବା ବାହାନା କରି ସାମୟିକ ଭାବେ ଓଡ଼ିଶାରୁ ବିଚ୍ଛିନ୍ନ କରାଯାଉ ବୋଲି
ସୁପାରିଶ କରିଥିଲେ । ଫଳରେ ସେହି ବର୍ଷ ୧୯୪୮ ମେ
୧୮ ତାରିଖରେ ଷଢ଼େଇକଳା - ଖରସୁଆଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲେ ।
ଓଡ଼ିଆ ଜାତି ଚିର ସରଳ ନିରୀହ ହୋଇ ଇତିହାସର ଏତେବଡ଼ ବିଡ଼ମ୍ବନାକୁ ବିନା ବାଧା, କାଣିଚାଏ
ପ୍ରତିବାଦ ବିନା ସହଜରେ ଗ୍ରହଣ କରିନେଲା। ପ୍ରକୃତରେ ଷଢ଼େଇକଳା-ଖରସୁଆଁର ଆଦିବାସୀ ଏ ବିଦ୍ରୋହର
ମୁଖ୍ୟ ଥିଲେ କି ନା ପରେ ଜଣାପଡ଼ିଗଲା, ଯେତେବେଳେ ୧୯୪୮ ଡିସେମ୍ବର ୧୫ରେ ସର୍ଦ୍ଦାର ପଟେଲଙ୍କ
ନେତୃତ୍ୱରେ ଭାରତ ସରକାରଙ୍କ ପ୍ରତିନିଧିଙ୍କ ସହ ମିଶ୍ରଣ ଚୁକ୍ତି କରିଥିବା ଷଢ଼େଇକଳା ଖରସୁଆଁର
ରାଜା କୁମାର ଆଦିତ୍ୟ ନାରାୟଣ ସିଂହଦେଓ ଓ ତାଙ୍କ ପିତା ମହାରାଜା କୁମାର ରୁଦ୍ରପ୍ରତାପ ସିଂହଦେଓ
ଏହି ଚୁକ୍ତିର ବିରୋଧ ହୋଇଛି ବୋଲି ତତ୍କାଳୀନ ଫେଡ଼େରାଲ କୋର୍ଟରେ ଏକ ଅଭିଯୋଗ ଦାୟର କରିଥିଲେ।
ଷଢ଼େଇକଳା-ଖରସୁଆଁ କେବଳ ଓଡ଼ିଶା ସହିତ ମିଶ୍ରଣ ହେଉ ବୋଲି ଇଚ୍ଛାବ୍ୟକ୍ତ କରି ରାଜା, ଭାରତ
ସରକାରଙ୍କ ସହିତ ଚୁକ୍ତି କରିଥିଲେ। ମାତ୍ର ସେହି ଇଚ୍ଛାପତ୍ର ଓ ଚୁକ୍ତିନାମାର ଉଲଙ୍ଘନ କରି
ଯେତେବେଳେ ବିହାର ସହିତ ମିଶାଇ ଦିଆଗଲା ଏହାର ନ୍ୟାୟ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଠାରୁ
ଚାହିଁଥିଲେ।
ଇତିହାସର ପୁଣି ଏକ ବିଡ଼ମ୍ବନା ଯେ
ତତ୍କାଳୀନ ଫେଡ଼େରାଲ କୋର୍ଟ ଭାରତ ଗଣତନ୍ତ୍ର ରାଷ୍ଟ୍ର ଘୋଷିତ ହେବା ପରେ ‘ସୁପ୍ରିମ
କୋର୍ଟ’କୁ ପରିବର୍ତ୍ତିତ ହୋଇଗଲା। ସୁପ୍ରିମ୍ କୋର୍ଟର ପ୍ରଥମ ବିଚାର ଭାବେ ଏହି ଷଢ଼େଇକଳା
ପ୍ରସଙ୍ଗକୁ ନିଆଗଲା ମାତ୍ର ଅତି ଅନ୍ୟାୟ ଏବଂ ପକ୍ଷପାତିତା ପ୍ରତୀୟମାନ ହେଉଥିବା ନ୍ୟାୟ ଦିଆଗଲା
ଯେ ପକ୍ଷଭୁକ୍ତ ରାଜା ଆଉ କ୍ଷମତାସୀନ ନୁହନ୍ତି ତେଣୁ ଏହି ଆବେଦନକୁ ଖାରଜ କରାଗଲା ! ସୁପ୍ରିମ୍
କୋର୍ଟ ପରି ନ୍ୟାୟର ମନ୍ଦିରର ଭିତ୍ତି ପଡ଼ିଲା ଏଇପରି ଏକ ଅନ୍ୟାୟ ରାୟରେ !! ଇତିହାସ ଏହିପରି
ବାରମ୍ବାର ଆହ୍ୱାନ ଦେଇଛି ଓଡ଼ିଆ ଜାତି ଆଗରେ । ଏହି ପରି ଏକ ଅନ୍ୟାୟର ପ୍ରତିବାଦ କରି ସେତେବେଳେ
ଓଡ଼ିଶାରେ ପ୍ରବଳ ଜନଆନ୍ଦୋଳନ ମୁଣ୍ଡ ଟେକିଥିଲା ।
ପୁରୀ ଓ କଟକ ଆଦି ସ୍ଥାନରେ
ଭୟଙ୍କର ଜନଆନ୍ଦୋଳନ ଦେଖି ତତ୍କାଳୀନ ଓଡ଼ିଶା ସରକାର କାହିଁକି ଓ କାହା ପ୍ରରୋଚନାରେ ଏହି
ଆନ୍ଦୋଳନକୁ ପ୍ରତିହତ କରିବାକୁ ଗୁଳି ଚାଳନା କରିବା ନିର୍ଦ୍ଦେଶ ଦେଲେ ତାହା ମଧ୍ୟ ଓଡ଼ିଶା ଜାତି
ଆଗରେ ଏକ ଅସମାହିତ ଐତିହାସିକ ପ୍ରଶ୍ନବାଚୀ ହୋଇ ରହିଯାଇଛି । ଏହି ଗୁଳି ଚାଳନା ହେତୁ ପୁରୀର
ବେଙ୍ଗ ପାଣିଆ ବଡ଼ଦାଣ୍ଡ ଉପରେ ଏବଂ କଟକ ଠାରେ ପୁରୁଣା ଆକାଶବାଣୀ, ମଧୁପୁର
କୋଠି ପାଖରେ ସୁନୀଲ ଦେ ହିଁ ଓଡ଼ିଆ ଭାଷା ଜନନୀଙ୍କ ପାଇଁ ଶହୀଦ ହୋଇଯାଇଥିଲେ ।
ତତ୍କାଳୀନ ବିହାରୀ ରାଷ୍ଟ୍ରପତି
ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଓଡ଼ିଶା ସରକାର ବାଧ୍ୟହୋଇ ନିଜ ମାଟି, ଭାଷା, ଜାତିର
ସ୍ୱାର୍ଥ ସାଧନରେ ଆତ୍ମଘାତୀ କାର୍ଯ୍ୟ କରିଲେ ବୋଲି ଓଡ଼ିଆ ଜନଗଣଙ୍କ ମଧ୍ୟରେ ଚାପା ଗୁଞ୍ଜରଣ
ଶୁଣାଗଲେ ମଧ୍ୟ ତାହା ଦିନ କେଇଟାରେ ନିରବି ଯାଇଥିଲା। ଇତିହାସ ସେଇ ଦିନୁ ମୌନ ହୋଇଯାଇଛି ସିନା
ଏବେ ବି ଷଢ଼େଇକଳା-ଖରସୁଆଁ ବାସୀଙ୍କ ମନ, ପ୍ରାଣ, ହୃଦୟରେ
ଓଡ଼ିଆତ୍ୱ ଅମର ହୋଇ ରହିଛି । ବିହାରୀ-ଝାଡ଼ଖଣ୍ଡୀ ପରିଚୟ ସେମାନଙ୍କୁ ଆତ୍ମ ସନ୍ତୋଷ ଦେଇ
ପାରୁନାହିଁ। ଆଜି ବି ସେଠାରେ ମାଣବସା ଲକ୍ଷ୍ମୀପୂଜା, ଭାଗବତ ପାଠ, ରଥଯାତ୍ରା, ଜଗନ୍ନାଥ
ପୂଜା, ସତ୍ୟନାରାୟଣ ପାଲା, ଓଡ଼ିଶୀ ସଂକୀର୍ତ୍ତନ, ରଜପର୍ବ ଆଦି ଓଡ଼ିଆ
ସଂସ୍କୃତିର ମହନୀୟ ସମ୍ଭାର ସମାଦୃତ ହେଉଛି। ସାମୟିକ ବିଚ୍ଛିନ୍ନତାର ବାହାନାରେ ସେମାନେ ୭୦
ବର୍ଷ ଧରି ନାନାଦି ଅକଥନୀୟ ଦୁର୍ଦ୍ଦଶାରେ ସଢ଼ୁଛନ୍ତି। ଭାଷାଗତ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ
ତଥା ଜାତି-ଆବେଗିକ ତାଡ଼ନା, ଅତ୍ୟାଚାର ର ଶିକାର ହୋଇ ଚାଲିଛନ୍ତି। ଆଉ ମନରେ ଆଶା, ବିଶ୍ୱାସ, ଭରସା
ଧରି ବସିଛନ୍ତି ଯେ ଓଡ଼ିଶାର ଜନଗଣ ଏକ ମହା ଜନଜାଗରଣ ସୃଷ୍ଟି କରି ସେମାନଙ୍କୁ ତାଙ୍କ ମୂଳ
ରାଇଜକୁ, ଜଗନ୍ନାଥ ଦେଶକୁ ଫେରାଇ ନେବେ। ଏଇଭଳି ଏକ ସ୍ପର୍ଶକାତର ଐତିହାସିକ ଆହ୍ୱାନ ଆଜି ଓଡ଼ିଆ ଜାତି
ପାଖରେ!!
ଗବେଷଣା ଓ ପ୍ରସ୍ତୁତି: ମନୋଜ କୁମାର ସାହୁ ‘ମନ୍ମୟ’, ସମ୍ପାଦକ, ବିଶ୍ୱ ଓଡ଼ିଶା
ଗ୍ରାମ/ଡାକ: କୋତ୍ତମ – ୭୫୯୦୧୫, ଜିଲ୍ଲା:
ଢେଙ୍କାନାଳ,
ଭ୍ରାମ୍ୟଭାଷ: ୯୭୭୭୦୦୦୩୦୪
globalodisha@gmail.com