01 अगस्त 2018

ଓଡ଼ିଆ ଖବରକାଗଜର ଇ-ପେପର ପରମ୍ପରା

ଛାପାଖାନାରୁ ବାହାରୁଥିବା ଖବରକାଗଜଗୁଡ଼ିକର ଅକ୍ଷର ସଜ୍ଜା, ଅଙ୍ଗସଜ୍ଜା ଓ ପରିପାଟୀ ଆଜିକାଲି କମ୍ପ୍ୟୁଟରରେ ହେଉଛି। ସେହି କମ୍ପ୍ୟୁଟରରୁ ହିଁ ବାହାରୁଛି ଛାପାଖାନାକୁ ଯିବା ପାଇଁ ଚୂଡ଼ାନ୍ତ ମାଷ୍ଟର ବା ପ୍ଲେଟ୍‌ ବା ଫିଲ୍ମ। ଆଜି ତାରିଖ ବେଳକୁ ମାଷ୍ଟରରେ ପ୍ରିଣ୍ଟ୍‌ କରିବାଟା ପୁରୁଣାକାଳିଆ ହୋଇଗଲାଣି। ତାହା ହୁଏତ ପ୍ଲେଟ୍‌ ବା ଫିଲ୍ମରୁ ଛାପା ହେଉଛି। ଏପରିକି କମ୍ପ୍ୟୁଟରରୁ ଆଦେଶ ଦେଲେ ମଧ୍ୟ ଅତ୍ୟାଧୁନିକ ଛାପାଖାନା ସେତିକି ସଂଖ୍ୟକ ସମ୍ବାଦପତ୍ର ଛାପିବାର ଜ୍ଞାନକୌଶଳ ଓଡ଼ିଶାକୁ ଆସିଗଲାଣି। ୨ ଅକ୍ଟୋବର ୧୯୯୬ରେ ବିଶିଷ୍ଟ ଜନନେତା ବସନ୍ତ ବିଶ୍ୱାଳଙ୍କ ମାଲିକାନାରେ ଆରମ୍ଭ ହୋଇଥିଲା ପ୍ରଥମ ରଙ୍ଗୀନ୍‌ ଓଡ଼ିଆ ଖବରକାଗଜ ‘ସମୟ’। ତେବେ ୧୯୯୭-୯୮ ବେଳକୁ ଅଗ୍ରଣୀ ଖବରକାଗଜଗୁଡ଼ିକ ମଧ୍ୟ ରଙ୍ଗୀନ ହୋଇ ବାହାରିଲା। ଆଜିକାଲି ୧୫ଟିରୁ ଅଧିକ ଓଡ଼ିଆ ଖବରକାଗଜ ପ୍ରତିଦିନ ରଙ୍ଗୀନ ହୋଇ ବାହାରୁଛି। କେଉଁଟା ହଜାରେ କିତା ଛାପା ହେଉଛି ତ କେଉଁଟା ଲକ୍ଷେ। ହେଲେ ଏ ରଙ୍ଗ ରହିଲେ ହେଲା! କାରଣ ସବୁ ତ କାଗଜ। ଏସବୁକୁ କ’ଣ ବର୍ଷ ବର୍ଷ ଧରି ସାଇତି ରଖିହେବ? ୧୯୯୯ ମହାବାତ୍ୟା ବେଳେ ବର୍ଷା ବିତ୍ପାତରେ ଓଡ଼ିଶାର ସର୍ବ ପୁରାତନ ଖବରକାଗଜ ‘ସମାଜ’ର ପ୍ରାୟ ୧୦ ବର୍ଷର ଗଚ୍ଛିତ କିତାଗୁଡ଼ିକ ନଷ୍ଟ ହୋଇଯାଇଛି। ସେହିଭଳି ଅନ୍ୟ ଖବରକାଗଜର ସଂରକ୍ଷଣର କାହାଣୀ ଓ ଇତିହାସ ମଧ୍ୟ ବେଶ୍‌ ରୋଚକ ଓ ଦୁଃଖଦାୟକ। ଏକାଧିକ ସଂସ୍କରଣ ଓ ବିପୁଳ ପୃଷ୍ଠାର ଦୈନିକ ଖବରକାଗଜ ସାଇତି ରଖିବାକୁ କୌଣସି ମାଲିକଙ୍କର ସଂରକ୍ଷଣଗୃହ ନାହିଁ। ତେବେ ଏହାର ସରଳ ସମାଧାନ ହିଁ ସେଇ କମ୍ପ୍ୟୁଟର। ଆଜିର କମ୍ପ୍ୟୁଟର ଯୁଗରେ ସେଇ କମ୍ପ୍ୟୁଟର ହାର୍ଡ଼ଡିସ୍କ୍‌ରେ ହିଁ ଖବରକାଗଜର ଚୂଡ଼ାନ୍ତ ଅଙ୍ଗସଜ୍ଜା ହୋଇଥିବା ରୂପକୁ ସାଇତି ରଖିହେବ। ମାତ୍ର ଅଙ୍ଗସଜ୍ଜା ହୋଇସାରିବା ପରେ ଖବରକାଗଜର କମ୍ପ୍ୟୁଟର ଫାଇଲ୍‌ ଏତେ ବଡ଼ ହୋଇଯାଏ ଯେ ସେଗୁଡ଼ିକୁ ନିଷ୍ଠାର ସହ ତଥା ଦୂରଦୃଷ୍ଟି ସମ୍ପନ୍ନ ଭାବରେ ରଖିବାକୁ କୌଣସି ଖବରକାଗଜ ମାଲିକଙ୍କର କୌଣସି ତାଗ୍‌ଡ଼ା ଯୋଜନା ନାହିଁ। ତେଣେ କମ୍ପ୍ୟୁଟର ହାର୍ଡ଼ଡିସ୍କର ସ୍ଥାନାଭାବ ସମସ୍ୟା ସମାଧାନ ପାଇଁ କେହି କେହି ସିଡି/ଡିଭିଡ଼ି ଇତ୍ୟାଦି ବ୍ୟବହାର କରିଥିବା ବେଳେ ତାହା ମଧ୍ୟ ସମୟଚକ୍ରରେ ଅବାଞ୍ଛିତ ହୋଇଯାଇଛି। ତେଣୁ ବାହ୍ୟ ହାର୍ଡ଼ଡିସ୍କର ମଧ୍ୟ ପ୍ରୟୋଗ କରୁଛନ୍ତି। ତଥାପି ସ୍ଥାନାଭାବ ଦେଖାଦେଉଥିବାରୁ କେତେକ ଖବରକାଗଜର ପରିଚାଳନା କର୍ତ୍ତୃପକ୍ଷ ବା ମାଲିକ ଏହି ସଂରକ୍ଷଣ ପ୍ରସଙ୍ଗଟିକୁ ଗୋଟାପଣେ ମୁଣ୍ଡରୁ ବାହାର କରିଦେଇଛନ୍ତି।

କେହି ନା କେହି ସାଇତି ରଖିବା ପାଇଁ ଅନ୍ୟ ଏକ ବିକଳ୍ପ ହେଲା ଇ-ପେପର। ୧ ଜାନୁଆରି ୨୦୦୯ରେ ପ୍ରଥମେ ‘ଧରିତ୍ରୀ’ ଖବରକାଗଜ ଇ-ପେପର ଛାଡ଼ିଲା। ଯାହା ଇଣ୍ଟରନେଟ୍‌ରେ ଉପଲବ୍ଧ ହେଲା ଏବଂ ଦେଶ ବିଦେଶରେ ଥିବା ଓଡ଼ିଆ ଲୋକମାନେ ଅବିକଳ ଖବରକାଗଜଟିର ଛବି ଖୋଲିକି ଖବର ପଢ଼ିପାରିଲେ। ୨୦୧୦-୧୧ ମସିହା ଠାରୁ ଇ-ପେପର ବାହାର କରିବା ଏକ ପରମ୍ପରା ପାଲଟିଗଲା ସବୁ ଓଡ଼ିଆ ଖବରକାଗଜ ପାଇଁ। ତାହାକୁ ଡାଉନ୍‌ଲୋଡ଼୍‌ କରି ସାଇତି ରଖିବାର ସୁଯୋଗ ସୃଷ୍ଟି ହେଲା। ବିଭିନ୍ନ ସରକାରୀ ବେସରକାରୀ ଗ୍ରନ୍ଥାଗାର ଓ ଅଭିଲେଖାଗାର ମାନେ ଖବରକାଗଜର ସେହି ସ୍ପର୍ଶହୀନ କାୟାକୁ ସାଇତି ରଖିବାର ସମ୍ଭାବନା ସୃଷ୍ଟି ହେଲା। ମାତ୍ର ଆଶ୍ଚର୍ଯ୍ୟର କଥା ଯେ କୌଣସି ବି ଗ୍ରନ୍ଥାଗାର ବା ଅଭିଲେଖାଗାର ସେହି ଇପେପରକୁ ସାଇତିବା ଆରମ୍ଭ କରି ନାହାନ୍ତି ଆଜି ତାରିଖ ସୁଦ୍ଧା। ଏବେ ‘ସମ୍ବାଦ’, ‘ଧରିତ୍ରୀ’, ‘ପ୍ରମେୟ’, ‘ସମାଜ’ର ଇ-ପେପର ବିପୁଳ ଲୋକପ୍ରିୟ ହୋଇଥିବା ବେଳେ ଏସବୁ ପ୍ରକାଶନ ସଂସ୍ଥାମାନଙ୍କର ଇ-ସଂରକ୍ଷଣ ଗନ୍ତାଘର ମଧ୍ୟ ନାହିଁ। ୨୦୧୫ ମସିହାର କୌଣସି ଇ-ପେପର ଆପଣ ଇଣ୍ଟରନେଟ୍‌ ଦରାଣ୍ଡିଲେ ପାଇବେ ନାହିଁ। ଏପରିକି ୨୦୧୬ ମସିହାର ମଧ୍ୟ। କେଉଁଠି ନା କେଉଁଠି କିଛି କେଁ ଥିବ, ତହିଁର ଉପଲବ୍ଧତା ନେଇ!

ଏବେ ସୁଦ୍ଧା ଯେଉଁ ଇ-ପେପର ବାହାରୁଛି, କେଉଁଟି ଛବି (image) ରୂପରେ ବାହାରୁଛି ତ ଆଉ କେଉଁଟି ବାହାରୁଛି ଅକ୍ଷର (text) ରୂପରେ। ଯଦି କେହି ଅକ୍ଷର ରୂପରେ ଖବରଗୁଡ଼ିକୁ ତାରିଖୱାରୀ ସାଇତି ରଖିବାକୁ ଚାହିବେ, ତେବେ ବହୁ ବର୍ଷର ଖବରକାଗଜର ପାଠ୍ୟକୁ ଅଳ୍ପ କ୍ଷମତାସମ୍ପନ୍ନ ହାର୍ଡ଼ ଡିସ୍କରେ ବି ରଖାଯାଇପାରିବ। କିନ୍ତୁ ଛବି ଆକାରେ ସାଇତିଲେ ତାହାର ୫ ଶହ ଗୁଣ ଅଧିକ କ୍ଷମତାସମ୍ପନ୍ନ ହାର୍ଡ଼ଡିସ୍କ ଲୋଡ଼ା ହେବ ଠିକ୍‌ ସେତିକି ବର୍ଷର ଖବରକାଗଜ ସାଇତିବା ପାଇଁ। ମଜା କଥା ହେଲା ଯେ ଜାଣତରେ ହେଉ ଅବା ଅଜାଣତରେ, ସଚେତନ ଭାବରେ ହେଉ ବା ଅନୁକରଣ କରି ହେଉ, ବିଭିନ୍ନ ଓଡ଼ିଆ ଖବରକାଗଜର ଇ-ପ୍ରତିକୃତି ବା ଇ-ପେପର ଗୁଡ଼ିକ ଛବି/ଅକ୍ଷର ରୂପରେ ପ୍ରକାଶ ପାଉଛି। ୨୮ଟି ଓଡ଼ିଆ ଖବରକାଗଜର ଇ-ପେପର ଉପରେ ଆମ୍ଭେ ଏକ ଅନୁଧ୍ୟାନ କରି ଜାଣିବାକୁ ପାଇଛୁ ଯେ ୧୬ଟି ଇ-ପେପର ଅକ୍ଷରସମ୍ପନ୍ନ (text) ହୋଇଥିଲା ବେଳେ ୧୨ଟି ଇ-ପେପର ସୁଦୁ ଛବି (image)। ଜ୍ଞାନକୌଶଳ ପ୍ରୟୋଗ କରି ଅକ୍ଷରସମ୍ପନ୍ନ ଇ-ପେପରର ଭବିଷ୍ୟତ ଭଣ୍ଡାରଣ ସୁଲଭ ବ୍ୟୟରେ କରାଯାଇପାରିବ। କିନ୍ତୁ ଛବି ଭିତ୍ତିକ ଇ-ପେପରର ଭବିଷ୍ୟତ ସଂରକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ ଓ ଅବାନ୍ତର। ଇ-ପେପର ସାଧାରଣତଃ PDF (Portable Document Format) ବା ବହନକ୍ଷମ ଦସ୍ତାବିଜ୍‌ ପ୍ରାରୂପ ଆକାରେ ପ୍ରକାଶ ପାଇଥାଏ। ଏଥିପାଇଁ ଭଳିକି ଭଳି ପିଡିଏଫ୍‌ କାରକ ସଫ୍ଟୱେର ଥିବାରୁ ତହିଁରେ ଅକ୍ଷରସମ୍ପନ୍ନ ଇ-ପେପର ବନାଇବା ଅଧିକ ସୁବିଧାଜନକ।

ଅକ୍ଷରସମ୍ପନ୍ନ ୧୬ଟି ଇ-ପେପରଗୁଡ଼ିକ ହେଉଛି:- ୧.ସମାଜ, ୨.ସମ୍ବାଦ, ୩.ପ୍ରମେୟ, ୪.ନିତିଦିନ, ୫.ସର୍ବସାଧାରଣ, ୬.ସମ୍ବାଦକଳିକା, ୭.ପର୍ଯ୍ୟବେକ୍ଷକ, ୮.ମନ୍ଥନ, ୯.ସକାଳ, ୧୦.ଶ୍ରୁତି, ୧୧.ଓଡ଼ିଶା ଭାସ୍କର, ୧୨.ଓଡ଼ିଶା ଏକ୍ସପ୍ରେସ୍‌, ୧୩.ବଜ୍ରକୀଳା, ୧୪.ଓଡ଼ିଆର ସମ୍ମାନ, ୧୫.ବରଦାସ୍ତ, ଓ ୧୬.ଖୋଲାଫର୍ଦ୍ଦ।


ଛବି ଭିତ୍ତିକ ୧୨ଟି ଇ-ପେପର ହେଉଛି:
- ୧.ଧରିତ୍ରୀ, ୨.ପ୍ରଜାତନ୍ତ୍ର, ୩.ପ୍ରଗତିବାଦୀ, ୪.ସମୟ, ୫.ଅନୁପମ ଭାରତ, ୬.ଦିନଲିପି, ୭.ସୂର୍ଯ୍ୟପ୍ରଭା, ୮.ସଂଚାର, ୯.ମାତୃଭାଷା, ୧୦.ଦର୍ଶନ, ୧୧.ସ୍ୱାଧିକାର, ଓ ୧୨.ନ୍ୟାୟବତୀ ।
ଊନବିଂଶ ଶତାବ୍ଦୀରୁ ପୃଥିବୀର ୯୫% ଅଞ୍ଚଳରେ ଶିକ୍ଷା ଓ ସଚେତନତାର ଆଲୋକ ପହଞ୍ଚିସାରିଛି। ଏବେ ଏକବିଂଶ ଶତାବ୍ଦୀର ସାଢ଼େ ୧୭ ବର୍ଷ ଅତିକ୍ରାନ୍ତ। ଶିକ୍ଷା-ସଚେତନତାର ଆଲୋକମୟ ତୃତୀୟତମ ଶତାବ୍ଦୀରେ କ’ଣ ଓଡ଼ିଆମାନେ ସେଇ ୫% ବଣମଣିଷଙ୍କ ମେଳରେ ରହିଯିବେ? ଏଠି ତ ଆମେ ଇ-ପେପର କଥା ଗପୁଛେ।
ଆପଣ ଭାବିଛନ୍ତି କି ୧୯୮୨ ମସିହାର କୌଣସି ମାସର ବା ସପ୍ତାହର ଘଟଣା ପ୍ରବାହକୁ ଆପଣ ଓଡ଼ିଆ ଭାଷାରେ କେଉଁ ଭରସାଯୋଗ୍ୟ ଉତ୍ସରୁ ଚଟ୍‌କିନା ପାଇପାରିବେ? ଏଥିପାଇଁ କ’ଣ ଇଂଲିଶ୍‌ ମାଧ୍ୟମକୁ ଆଶ୍ରା କରିବେ? ଏଥିପାଇଁ କ’ଣ କଷ୍ଟ ସ୍ୱୀକାର କରି ତଥ୍ୟାୟନ କରି ପୁସ୍ତକ ପ୍ରକାଶ କରିଥିବା କୌଣସି ପ୍ରକାଶକ ବା ଲେଖକଙ୍କ ଦୟାର ପାତ୍ର ହେବେ? ଅଥବା ସମାଜ, ପ୍ରଜାତନ୍ତ୍ର, ଧରିତ୍ରୀ ବା ମାତୃଭୂମି ଗ୍ରନ୍ଥାଗାରକୁ ନିଜେ ଯାଇ ସେବେର ଖବରକାଗଜକୁ ଦରାଣ୍ଡିବେ? ଏବେ ସବୁ ଛାପା କାଗଜରୁ ଅକ୍ଷର ବାହାର କରିବାର କୌଶଳ ବାହାରିଲାଣି। ଯାହାକୁ OCR (Optical Character Recognition) ଜ୍ଞାନକୌଶଳ କୁହାଯାଉଛି। ତାହାକୁ ପ୍ରୟୋଗ କରି ୟୁନିକୋଡ଼୍‌ ଅକ୍ଷରରେ ଇତିହାସକୁ ମୌଳିକ ରୂପରେ ସାଉଁଟିବାର ସମ୍ଭାବନା ଆସି ସାରିଛି। କେବଳ ଆବଶ୍ୟକତା ରହିଛି ମାନସିକତାର ଓ ମାନସିକ ପ୍ରସ୍ତୁତିର। ପ୍ରସ୍ତୁତ ହେଲେ ପଇସା ଅଭାବ ହେବ ନାହିଁ। ବରଂ ଇଣ୍ଟରନେଟ୍‌ ମନସ୍କ ଦୁନିଆ ସହ ଓଡ଼ିଆ ସମୁଦାୟଙ୍କୁ ମଧ୍ୟ ସାମିଲ କରିହେବ।

ଆପଣ କ’ଣ କହିବେ କହନ୍ତୁ!

ବିମଳ ପ୍ରସାଦ, ୯୯୩୭୩୫୩୨୯୩

कोई टिप्पणी नहीं:

एक टिप्पणी भेजें