27 अगस्त 2018

ବଢ଼ିବ କି ଭାରତର ରାଜ୍ୟସଂଖ୍ୟା!


ଉତ୍ତରପ୍ରଦେଶରେ ୧୮ ବର୍ଷ ମଧ୍ୟରେ ତିନି ଥର ମୁଖ୍ୟମନ୍ତ୍ରୀ ହୋଇଥିବା ସୁଶ୍ରୀ ମାୟାବତୀଙ୍କ ଶେଷ ଅବଧିରେ ଉଲ୍ଲେଖନୀୟ ଘଟଣା ଥିଲା ଉତ୍ତରପ୍ରଦେଶକୁ ୪ ଖଣ୍ଡ କରିବାର ପରିକଳ୍ପନା । ୨୩ ନଭେମ୍ବର ୨୦୧୧ରେ ବହୁଜନ ସମାଜ ପାର୍ଟିର ମୁଖ୍ୟମନ୍ତ୍ରୀ ସୁଶ୍ରୀ ମାୟାବତୀ ଏହି ପ୍ରସ୍ତାବ ଦେଇଥିଲେ କେନ୍ଦ୍ରରେ ଥିବା ୟୁ.ପି.ଏ. ସରକାରଙ୍କୁ । ସେତେବେଳେ ଅନ୍ୟ ରାଜନୀତିକ ଦଳ ଓ ଗଣମାଧ୍ୟମ ଏଥିପାଇଁ ତାଙ୍କୁ ଅତ୍ୟଧିକ ନିନ୍ଦା ବି କରିଥିଲେ । ଶହଶହ କୋଟି ଟଙ୍କାରେ ପଥରର ‘ହାତୀ’ (ତାଙ୍କ ଦଳୀୟ ସଂକେତ) ଏବଂ ନିଜର ଓ ଦଳୀୟ ନେତାଙ୍କ ପ୍ରତିମୂର୍ତ୍ତି ସ୍ଥାପନକୁ ନେଇ ଚର୍ଚାରେ ଥିବା ମାୟାବତୀ ଯେ ଏଭଳି ପରିକଳ୍ପନା କରିପାରିବେ, ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନଥିଲେ । ଖୋଦ୍‍ ଉତ୍ତରପ୍ରଦେଶବାସୀ ମଧ୍ୟ ଏହି ପରିକଳ୍ପନାରେ ଚକିତ ହୋଇଯାଇଥିଲେ । କାରଣ ଏଥିପାଇଁ କୌଣସି ବିମର୍ଶ ହୋଇ ନଥିଲା କି ଜନମତ ଲୋଡ଼ା ଯାଇ ନଥିଲା । ତେଣୁ ୨୦୧୨ରେ ସେ କ୍ଷମତାଚ୍ୟୁତ ହେଲେ ଏବଂ ଅଖଣ୍ଡ ଉତ୍ତରପ୍ରଦେଶବାସୀ କ୍ଷମତାକୁ ଆଣିଲେ ସମାଜବାଦୀ ପାର୍ଟିକୁ । କିନ୍ତୁ ଉତ୍ତରପ୍ରଦେଶ ତଥା ବଡ଼ ରାଜ୍ୟଗୁଡ଼ିକର ପୁନର୍ଗଠନ ପ୍ରସ୍ତାବ ଭଲ ଲାଗିଥିଲା, ଭାରତୀୟ ଜନତା ପାର୍ଟି (ଭା.ଜ.ପା.)କୁ । ଆନ୍ଧ୍ରପ୍ରଦେଶ ବିଭାଜନକୁ ନୈତିକ ସମର୍ଥନ କରି ଭା.ଜ.ପା. ଏହାର ପ୍ରମାଣ ଦେଇସାରିଛି । 

କେନ୍ଦ୍ର ସରକାରଙ୍କ ପାଖରେ ଏବେ ୧୦ଟି ନୂଆ ରାଜ୍ୟ ଗଠନର ପ୍ରସ୍ତାବ ରହିଛି । ୨୦୧୪ ମସିହାରେ ସଂସଦରେ ଗୃହ ରାଷ୍ଟ୍ରମନ୍ତ୍ରୀ ହରିଭାଇ ଚୌଧୁରୀ ଦେଇଥିବା ସୂଚନା ଅନୁସାରେ ସେହି ପ୍ରସ୍ତାବିତ ରାଜ୍ୟଗୁଡ଼ିକ ହେଉଛି:- ୧. ପୂର୍ବାଞ୍ଚଳ (ଉ.ପ୍ର.), ୨. ବୁନ୍ଦେଲଖଣ୍ଡ (ଉ.ପ୍ର.), ୩. ଅବଧପ୍ରଦେଶ (ଉ.ପ୍ର.), ୪. ପଶ୍ଚିମ ପ୍ରଦେଶ (ଉ.ପ୍ର.), ୫. ବିଦର୍ଭ (ମହାରାଷ୍ଟ୍ର), ୬. ସୌରାଷ୍ଟ୍ର (ଗୁଜରାତ), ୭. କୁର୍ଗ (କର୍ନାଟକ), ୮. କୋଶଳାଞ୍ଚଳ (ଓଡ଼ିଶା), ୯. ଗୋର୍ଖାଲ୍ୟାଣ୍ଡ୍‍ (ପ. ବଂଗ), ୧୦. ମିଥିଳାଞ୍ଚଳ (ବିହାର) । ଏହି କ୍ରିକେଟ୍‍ ପାଗଳ ଦେଶରେ ରାଜ୍ୟ-ରାଜ୍ୟ ମଧ୍ୟରେ ପ୍ରତି ବର୍ଷ ହେଉଥିବା ରଣଜୀ ଟ୍ରଫି ଓ ଅନ୍ୟ ଟୁର୍ନାମେଣ୍ଟ୍‍ରେ ଭାଗ ନେଉଥିବା ରାଜ୍ୟ ଦଳଗୁଡ଼ିକ ମଧ୍ୟରେ ରହିଛି ବିଦର୍ଭ ଓ ସୌରାଷ୍ଟ୍ର । ଅର୍ଥାତ୍‍ ସାଂବିଧାନିକ ବିଧି ବ୍ୟବସ୍ଥା ବାହାରେ କ୍ରିକେଟ୍‍ ଜରିଆରେ ଦେଶର ବିଭାଜନ ହୋଇ ସାରିଛି  । ଯଦିଓ ରାଜନୀତି ଓ ଧର୍ମ ଠାରୁ କ୍ରିକେଟ୍‍କୁ ଅଲଗା ରଖିବା ପାଇଁ ସବୁବେଳେ ସ୍ୱର ଉଠିଛି ଏବଂ କ୍ରିକେଟ୍‍ ନିଜେ ଏକ ଧର୍ମ ବୋଲି ବିବେଚନା କରାଯାଉଛି । ତେବେ ଯୁକ୍ତରାଷ୍ଟ୍ର ଆମେରିକା ଭଳି ସୁଷମ ରାଜ୍ୟ ଗଠନ କରି ବିକାଶକୁ ତ୍ୱରାନ୍ୱିତ କରିବା ହେଉଛି ଭା.ଜ.ପା.ର ଆଭିମୁଖ୍ୟ ।

ଆମ୍ଭେ ଓଡ଼ିଆରେ ଲେଖୁଥିବାରୁ ଓଡ଼ିଶାର ବିଭାଜନ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ୱ ଦେଉଛୁ । ପଶ୍ଚିମ ଓଡ଼ିଶା ଏକ ପଛୁଆ ଅଞ୍ଚଳ ବୋଲି ଯେତେ ଯାହା ଯୋଜନା କଲେ ବି ସେହି ଅଞ୍ଚଳରେ ତାହା ପ୍ରକୃତରେ ବା ଠିକ୍‍ ଭାବରେ କାର୍ଯ୍ୟକାରୀ ହେଉ ନାହିଁ । ଅନ୍ୟ ପକ୍ଷରେ ରାଜଧାନୀର ଅବସ୍ଥିତି ଓ ହାଇକୋର୍ଟର ଅବସ୍ଥିତିକୁ ନେଇ ଯେତେ ଯାହା ସ୍ୱର ଉଠିଛି, ସେଗୁଡ଼ିକର ସମାଧାନ କରାଯିବା ପରିବର୍ତେ ସେଗୁଡ଼ିକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଛି । ତେବେ ସ୍ୱର ଉଠାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ କେବେ ବି ମାନ୍ୟତାପ୍ରାପ୍ତ ରାଜନୀତିକ ଦଳର ସଦସ୍ୟମାନେ ସାମିଲ ହୋଇ ନାହାନ୍ତି । କିନ୍ତୁ ୨୮ ଅଗଷ୍ଟ ୨୦୧୫ରେ ଓଡ଼ିଶା ବିଧାନସଭାରେ ବ୍ରଜରାଜନଗର ବିଧାୟିକା ଏକ ପରିସ୍ଥିତିରେ ପଡ଼ି ରାଜ୍ୟ ବିଭାଜନ ସପକ୍ଷରେ ପାଟି ଖୋଲିଥିଲେ । ଏହାକୁ ରାଜ୍ୟ ଶାସକ ଦଳର ସଭ୍ୟ ନିନ୍ଦା କରିଥିବା ବେଳେ ଭାଜପା ରାଜ୍ୟ ସଭାପତି କହିଥିଲେ ଯେ ତାହା ଦଳୀୟ ନୁହେଁ, ବରଂ ତାଙ୍କ ବ୍ୟକ୍ତିଗତ ବିବୃତି। ହେଲେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି କରୁଥିବା ନେତା ଓ ସମର୍ଥକମାନେ ଏହା ଦ୍ୱାରା ଉଲ୍ଲସିତ ହୋଇ ପଡ଼ିଛନ୍ତି । ଏପରିକି ବରଗଡ଼ ଅଞ୍ଚଳରେ ଚୌହାନ୍‌ ନାମକ ଜଣେ ଭାଜପା ନେତା ମଧ୍ୟ କୋଶଳ ରାଜ୍ୟ ଦାବିକୁ ଖୋଲା ସମର୍ଥନ ଦେଉଥିବା ଚର୍ଚା ହେଉଛି।

ବିଧାନସଭା ବାହାରେ ମଧ୍ୟ ବେଶ୍‍ ପ୍ରତିକ୍ରିୟା ପ୍ରକାଶ ପାଇଛି । କିନ୍ତୁ ସମାଧାନର ପନ୍ଥା କ'ଣ କେହି କହିନାହାନ୍ତି । ଏ ପ୍ରସଙ୍ଗରେ ମୁଖ୍ୟତଃ ନିର୍ବାଚିତ ଲୋକପ୍ରତିନିଧିମାନଙ୍କ ନିରବତା ବେଶି ଘାତକ ହେଉଛି । ବର୍ଷ ପରେ ବର୍ଷ ବିତି ଯାଉଥିବା ବେଳେ ନୂଆ ରାଜ୍ୟ ଦାବିର ସମାଧାନ ପନ୍ଥାକୁ ସମସ୍ତେ ଅଣଦେଖା କରି ଚାଲିଛନ୍ତି । କୋଶଳ ରାଜ୍ୟ ଗଠନ କଥା ଶୁଣିଲେ ଉପକୂଳ ଓଡ଼ିଶାର କିଛି ଚିନ୍ତାନାୟକ ଚିହିଁକି ଉଠୁଛନ୍ତି। ସେଭଳି ଚିହିଁକିବାକୁ ଖାତିର ନକରି କିଛି ନରମପନ୍ଥୀ ବିପ୍ଳବୀ ତେଣେ କୋଶଳ ରାଜ୍ୟ ଗଠନ ପାଇଁ ପ୍ରସ୍ତୁତିକୁ ଜୋର୍‌ଦାର କରିବାରେ ଲାଗିଛନ୍ତି। ଫେସ୍‌ବୁକ୍‌ ଓ ଅନ୍ୟ ସାମାଜିକ ଗଣମାଧ୍ୟମରେ କିଛି ଅସାମାଜିକ ତତ୍ତ୍ୱ ଏବେ ବେଶ୍‌ ସକ୍ରିୟ ଭାବରେ ଜାଲ୍‌ ଆକାଉଣ୍ଟ ଖୋଲି ରାଜ୍ୟ ବିଭାଜନର ବିଷ ବୁଣିବାରେ ଲାଗିଛନ୍ତି। ଏହା ଆନ୍ଧ୍ରରୁ ଆମଦାନୀ ହୋଇଥିବା ଦୁର୍ବୁଦ୍ଧିର ପ୍ରୟୋଗ ବୋଲି କିଛି ଉପକୂଳିଆ ଅଖଣ୍ଡତାବାଦୀ ନାଗରିକ ନିଜ ପ୍ରତିକ୍ରିୟାରେ ପ୍ରକାଶ କରୁଛନ୍ତି। ରାଜ୍ୟ ଗୁଇନ୍ଦା ବିଭାଗ ତଥା ଆଇନଶୃଙ୍ଖଳାର ରକ୍ଷକ ବୋଲି ନାଟକ କରୁଥିବା ବରିଷ୍ଠ ପ୍ରଶାସକମାନେ ଏହାକୁ ବେଖାତିର କରୁଥିଲେ ସୁଦ୍ଧା ବିନା ଆତଙ୍କବାଦରେ ଯେ ଓଡ଼ିଶାରେ ବିଚ୍ଛିନ୍ନତାବାଦ ଖିଅ ଧରିବାରେ ଲାଗିଛି, ଏହାକୁ ଅସ୍ୱୀକାର କରାଯାଇପାରିବ ନାହିଁ। ଠିକ୍‌ ଯେମିତି ବେଖାତିରର ଶିକାର ହୋଇ ଓଡ଼ିଶାର ବଡ଼ ନଦୀ ମହାନଦୀ ଆଜି ଶ୍ରାବଣ ମାସରେ ବି ଶୁଖିଲା ପଡୁଛି !

କିଛି ଦିନ ତଳେ ଜଣେ ବନ୍ଧୁ କହିଲେ, ଯଦି ଓଡ଼ିଶାରୁ ଅଲଗା ହୋଇ କୋଶଳ ରାଜ୍ୟ ଗଠନ ହୁଏ, ତେବେ ମାନଚିତ୍ରରେ ଓଡ଼ିଶା ଖୁମ୍ବଆଳୁ ଭଳି ଦିଶିବ, ଯେମିତି ବିଭାଜିତ ଆନ୍ଧ୍ରପ୍ରଦେଶ ଦିଶୁଛି ! ତେବେ ଓଡ଼ିଶା ବିଭାଜନକୁ ଚାହୁନଥିବା ବ୍ୟକ୍ତିମାନଙ୍କ କ୍ରୋଧ ଓ ଆକ୍ରୋଶର କାରଣ ଏଇ ଖୁମ୍ବଆଳୁ ନୁହେଁ। ଏହାର କୌଣସି ସ୍ପଷ୍ଟ ଯୁକ୍ତି ନଥିଲେ ସୁଦ୍ଧା ଯେତେ ଯାହା କମିଟି କମିଶନ ରିପୋର୍ଟ ଦେଇଛନ୍ତି, ସେଗୁଡ଼ିକୁ ଚାପି ଦେବାକୁ ସରକାର ଉଦ୍ୟମ ଜାରି ରଖିଛନ୍ତି। ସବୁଠୁ ବିସ୍ମୟକର କଥା ହେଲା, ଯଦି ପଶ୍ଚିମ ଓଡ଼ିଶା ପଛୁଆ ରହିଯାଉଛି, ତେବେ ନିର୍ବାଚିତ ଲୋକପ୍ରତିନିଧିମାନେ କରୁଛନ୍ତି କ'ଣ? ସେହି ଲୋକପ୍ରତିନିଧିମାନେ କାହିଁକି ଉତ୍ତରଦାୟୀ ହେଉନାହାନ୍ତି? ଏହି ମୌଳିକ ପ୍ରଶ୍ନ ଉପରେ ରାଜନେତା, ଚିନ୍ତାନାୟକ ବା ସମାଜସେବୀ କେହି ବି ଧ୍ୟାନ ଦେଉ ନାହାନ୍ତି । ତେଣୁ ନେଡିଗୁଡ଼ି କହୁଣୀକୁ ବହିଯିବା ପୂର୍ବରୁ କି ବ୍ୟବସ୍ଥା କରାଯିବ, ତାହା ରାଜ୍ୟର ଶାସକ ଦଳ ବିଜୁ ଜନତା ଦଳ ପାଇଁ ଏକ ସର୍ବକାଳୀନ ପ୍ରଶ୍ନବାଚୀ ହୋଇ ଠିଆ ହୋଇଛି।

ବିମଳ ପ୍ରସାଦ, ଗ୍ରାମ: ମଠକରଗୋଳା, ଜିଲ୍ଲା: ଢେଙ୍କାନାଳ , ଭ୍ରାମ୍ୟଭାଷ - ୯୯୩୭୩୫୩୨୯୩

कोई टिप्पणी नहीं:

एक टिप्पणी भेजें