04 अगस्त 2018

ଓଡ଼ିଶା ରାଜନୀତିରେ ବହିଲା କି ଅଣଚାଶ ପବନ

ଓଡ଼ିଶାକୁ ଭଲ ଲାଗିଛି ତେଲେଙ୍ଗାନା ବିଧାନ ପରିଷଦର ସଦସ୍ୟତା ଢାଞ୍ଚା
ବିଧାନ ପରିଷଦ ଗଠନ କଥା ଶୁଣି ଭୋଟ୍‌ ରାଜନୀତିରେ ରୁଚି ରଖୁଥିବା କିଛି ପୁରୁଖା ନାଗରିକ ଟୁପୁରଟାପୁରୁ ହେଲେଣି ଯେ ଏବେ ସମ୍ଭବତଃ ରାଜ୍ୟ ଶାସକ ଦଳର ଅଣଚାଶ ପବନ ବହିଲାଣି। କାରଣ ୪୯-ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଢ଼ି କିଛି ଟିକଟ ଆଶାୟୀଙ୍କୁ ଥଇଥାନ କରି ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ବିଜଦ ସୁପ୍ରିମୋ ନବୀନ ବାବୁ ଫିକର କରିଛନ୍ତି। 

ପୁରାଣ କଥାବସ୍ତୁ ଅନୁଯାୟୀ ପବନଙ୍କୁ କାଶ୍ୟପଙ୍କ ପତ୍ନୀ ଅଦିତି ଗର୍ଭରେ ଧରିଥିବା ବେଳେ ତାଙ୍କ ଶତ୍ରୁ ଆସି ଗର୍ଭରେ ପ୍ରବେଶ କରି ଭୃଣକୁ ୪୯ ଖଣ୍ଡ କରି କାଟିଲେ ମଧ୍ୟ ଭୃଣର ପ୍ରାଣ ଗଲା ନାହିଁ। ପରେ ୪୯ ରୂପରେ ପବନ ଜନ୍ମ ନେଲେ। ଲୋକ ବିଶ୍ୱାସ ରହିଛି ମଲା ବେଳକୁ ମଣିଷ ଦେହରୁ ପବନଙ୍କର ଏହି ୪୯ ମୂର୍ତି ବାହାରିଯାଏ। ଆଉ ସେଇଥି ପାଇଁ ମଣିଷ ହାଇଁପାଇଁ ହେଉଥାଏ। ଏହା ମଧ୍ୟରୁ ୧୧ ପବନ ମର୍ତ୍ତ୍ୟରେ, ୧୬ ପବନ ପାତାଳରେ, ୧୮ ପବନ ସ୍ୱର୍ଗରେ ଏବଂ ଶେଷ ୪ ପବନ ଦେହରେ ରହିଥାଏ।

ଏହି ଭଳି ୪ଟି ବର୍ଗର ଲୋକ ହିଁ ସଦସ୍ୟ ରୂପେ ବଛା ହେବେ ପରିକଳ୍ପିତ ଓଡ଼ିଶା ବିଧାନ ପରିଷଦକୁ। ୧୧ ଜଣ ହୋଇପାରନ୍ତି ସେବାନିବୃତ୍ତ ପ୍ରାଶାସନିକ ଅଧିକାରୀ ଯେଉଁମାନେ ଚାକିରିରେ ଥିବା ବେଳେ ଶାସକଙ୍କୁ ଉପାଦେୟ ସହାୟତା କରିଥିଲେ। ସେମାନେ କ୍ୟାରିଅର ପଲିଟିସିଆନ୍‌ ହୋଇ ନଥିବାରୁ ବିଧାନସଭା ଟିକଟ ଆଶାରେ ପୂର୍ଣଛେଦ ନଟାଣି ଏହି ପରିଷଦରେ ସେମିକୋଲନ ଟଣାଯିବ। ଏହି ତାଲିକାରେ କେହି କେହି ପ୍ରଭାବଶାଳୀ ପୂର୍ବତନ ସାମରିକ ଅଧିକାରୀ ବି ସାମିଲ ହୋଇପାରନ୍ତି। ୧୬ ଜଣଙ୍କ ମଧ୍ୟରେ ରହିବେ ୭୦ ଟପିସାରିଥିବା କିଛି ବିଧାନସଭା ଟିକଟ ବିକଳିଆ ବୟୋଜ୍ୟେଷ୍ଠ ରାଜନେତା। ୧୮ ମଧ୍ୟରେ ରହିବେ ଉଭୟ ଯୁବକ, ମଧ୍ୟବୟସ୍କ ଓ ବରିଷ୍ଠ ରାଜନେତା - ଯେଉଁମାନେ ଶେଷ ମୁହୂର୍ତ୍ତରେ ଟିକଟ ଯୁଦ୍ଧରେ ହାରିଯାଇଥିବେ କିମ୍ବା ଅନ୍ୟ ଦଳରୁ ନିକଟରେ ଅଣାଯାଇଥିବାରୁ ବହୁଦିନରୁ ଦଳରେ ରହି ରାଜନୀତି କରୁଥିବା ନେତାଏ ସେମାନଙ୍କୁ ସହି ପାରୁନଥିବେ, ଫଳରେ ସେମାନେ ବି ଟିକଟ ପାଉ ନଥିବେ। ଶେଷ ୪ ଜଣ ତ ଆପଣ ଜାଣିପାରୁଥିବେ, ସେମାନେ ଚର୍ଚିତ ମହିଳା। କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଉ ନଥିବାରୁ ମାତ୍ର ୪ଜଣ ମହିଳା ହୁଏତ ବିଧାନ ପରିଷଦରେ ସ୍ଥାନ ପାଇବେ। ଏପରିକି ରାଜ୍ୟସଭା ଟିକଟ ଆଶାୟୀଙ୍କୁ ମଧ୍ୟ ଏହି ବିଧାନ ପରିଷଦରେ ଥଇଥାନ କରାଯିବ।

୨୦୧୪ ବିଧାନସଭା ନିର୍ବାଚନରେ ବ୍ରହ୍ମପୁରର ବୟୋଜ୍ୟେଷ୍ଠ ରାଜନେତା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଟିକଟ ବଣ୍ଟନର ଶେଷ ତାରିଖରେ ହସପିଟାଲ ଶଯ୍ୟାରୁ ଡିସ୍‌ଚାର୍ଜ ହୋଇ ଯେପରି ଟିକଟ ପାଇଁ ଅଡ଼ିବସିଲେ, ତାହା ଓଡ଼ିଶା ରାଜନୀତିରେ ଏକ କଳା ଅଧ୍ୟାୟ ଯୋଡ଼ିଛି। କିନ୍ତୁ ଯୁବକଯୁବତୀମାନଙ୍କ ହୋସ୍‌ଲା ଓ ହିମ୍ମତ ଉପରେ ଭରସା ରଖି ବିଭିନ୍ନ ମଞ୍ଚରେ ଭାଷଣ ମାରୁଥିବା ନେତାଏ ଯେ ବାସ୍ତବରେ ବାଟ ଛେକି ବସିଥାଆନ୍ତି, ତାହାର ଏହି ଉଦାହରଣ ପ୍ରତି ବିଜଦ ଟିକଟ ବଣ୍ଟନ ଟିମ୍‌ ବେଶ୍‌ ସଚେତନ ଥିବା ହୃଦ୍‌ବୋଧ ହେଉଛି।

ରାଜ୍ୟ ବିଧାନମଣ୍ଡଳର ଉଚ୍ଚସଦନ ଏହି ‘ବିଧାନ ପରିଷଦ’ ଠିକ୍‌ ନୂଆଦିଲ୍ଲୀର ରାଜ୍ୟସଭା ଭଳି। ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହେବ। ତେବେ ସାପ କାତି ଛଡ଼ାଇଲା ଭଳି ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ପୂରିବ ଏବଂ ନୂଆ ବ୍ୟକ୍ତି ସେଠାରେ ସଦସ୍ୟ ରୂପେ ସାମିଲ ହେବେ। ଏକ ତୃତୀୟାଂଶ ବୋଇଲେ ନିହାତି ୧୬ ଜଣ ସଦସ୍ୟ ବଦଳିବେ। ତେଣୁ ପହିଲି କରି ଗଢ଼ା ହେଉଥିବା ଏହି ବିଧାନପରିଷଦରେ କିଛି ସଦସ୍ୟଙ୍କୁ ଦ୍ୱିତୀୟ ଶ୍ରେଣୀର ସଦସ୍ୟ ରୂପେ ୪ ବର୍ଷ ଓ ୨ ବର୍ଷର କାର୍ଯ୍ୟକାଳକୁ ବରଦାସ୍ତ କରି ତ୍ୟାଗ ସ୍ୱୀକାର କରିବାକୁ ହେବ। ତଥାପି ଏମ୍‌ଏଲ୍‌ସି (Member of Legislative Council) ହେବାର ଫୁଟାଣି କସରତ ପାଇଁ ନିଜ ନିଜ ୪ ଚକିଆ ଗାଡ଼ିରେ ନାଲି ରଙ୍ଗର ଗାର ଟାଣି ସେଇ ସମସ୍ତେ MLCର ପୂରା ନାମ ଲେଖି ବୁଲିବେ। ଓଡ଼ିଶାର ଗଣମାଧ୍ୟମ ପାଇଁ ଏହି ନୂଆ ଘଟଣା, ଖବର ତିଆରି କରିବାକୁ ବହୁତ ଖୋରାକ ଯୋଗାଇବ। ତେବେ ରୋଚକ କଥାଟି ହେଉଛି MLA ବା ଏମେଲେ ଶବ୍ଦଟି ଓଡ଼ିଶାରେ ପରିଚିତ ହୋଇଥିବା ବେଳେ MLA MLC, ଉଭୟ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ‘ବିଧାୟକ’ ଲେଖିବାକୁ ଏମାନେ ଭଲ ପାଇବେ। ତେବେ ସବୁଠୁ ଚମକେଇଲା ଭଳି କଥାଟି ହେଉଛି, କେନ୍ଦ୍ରରେ ରାଜ୍ୟସଭାରେ ଶାସକ ଏନ୍‌.ଡି.ଏ. ମେଣ୍ଟର ସଂଖ୍ୟାଗରିଷ୍ଠତା ଅଭାବରୁ ଯେମିତି କିଲିବିଲି ହେଉଛି, ରାଜ୍ୟରେ ଶାସକ ଦଳ ଆଗାମୀ ନିର୍ବାଚନରେ ହାରିଲେ ବି ଏହି ୪୯ ପବନ, ନୂଆ ଶାସକ ଦଳର ୪୯ ପବନ ବୁହାଇ ନାକେଦମ୍‌ କରିବେ। ମାନେ ପୂରା ତ ଘାଣ୍ଟି ଦେବେ! ଦହି ବସାଇବା ପାଇଁ ପୁଣି ପୁରୁଣା ଦହିର କିଛି ଅଂଶକୁ ଜୁଆ ରଖିଲା ଭଳି ଏହି ୪୯ ସଦସ୍ୟରୁ କିଛି, ପୁଣି ଏକ ବିଧାନସଭା ନିର୍ବାଚନ ଆସିବା ବେଳକୁ ରାଜନୀତିକୁ ଜୀବନ୍ତ କରି ରଖିଥିବେ। କ’ଣ? କେମିତି ଲାଗୁଛି ରାଜ୍ୟ ଶାସକ ଦଳର ଚାଣକ୍ୟମାନଙ୍କ ଏ ଚୋଖା ଆଇଡିଆ?

ଆଜି ପ୍ରଭାତୀ ପଦଚାରଣ ବେଳେ ପାଖ ପ୍ରମୋଦଉଦ୍ୟାନରେ ପାଞ୍ଚ ଜଣ ପାଚିଲା ବୟସର ମଉସାଙ୍କ ଟୁପୁରୁଟାପୁରୁରୁ ଯେଉଁ ଜ୍ଞାନ ମିଳିଲା, ଫଟାଫଟ୍‌ ଲେଖି ପକାଇଥିଲି। ମୋର କିଛି ଦୋଷ ନାଇଁ।

ବିମଳ ପ୍ରସାଦ, ମଠକରଗୋଳା, ଢେଙ୍କାନାଳ | ଭ୍ରାମ୍ୟଭାଷ- ୯୯୩୭୩୫୩୨୯୩ |

कोई टिप्पणी नहीं:

एक टिप्पणी भेजें