15 अगस्त 2018

ଆଧାର ତଥ୍ୟ ଅଚିହ୍ନା ଶବ ଓ ଡିଜିଟାଲ ଇଣ୍ଡିଆ


ଡାଇରେକ୍ଟର୍ସ ଅଫ୍‌ ଫିଙ୍ଗର୍‌ପ୍ରିଣ୍ଟସ୍‌ ବ୍ୟୁରୋର ୧୯ତମ ଅଖିଳ ଭାରତୀୟ ସମ୍ମିଳନୀ ଅବସରରେ ୧୯ ଜୁନ୍‌ ୨୦୧୮ ଗୁରୁବାର ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (NCRB) ନିର୍ଦେଶକ ଈଶ କୁମାର ପ୍ରସ୍ତାବ ଦେଲେ ଯେ ପ୍ରଥମ ଥର ଅପରାଧ କରୁଥିବା ବ୍ୟକ୍ତି ଓ ଅଚିହ୍ନା ଶବ ଚିହ୍ନଟ କରିବା ପାଇଁ ପୁଲିସକୁ ସୀମିତ ଆଧାର ତଥ୍ୟ ହାସଲ କରିବାକୁ ଅନୁମତି ମିଳୁ। କାରଣ ପ୍ରତିବର୍ଷ ଦେଶରେ ୫୦ ଲକ୍ଷ ମାମଲା ରୁଜୁ କରାଯାଉଛି, ଯହିଁରୁ ୮୦-୮୫% ହେଉଛନ୍ତି କୌଣସି ପୁଲିସ ରେକର୍ଡ ନ ଥିବା ପ୍ରଥମ ଥର ଅପରାଧୀ। ଆହୁରି ମଧ୍ୟ ବର୍ଷକୁ ୪୦ ହଜାର ଅଚିହ୍ନା ଶବ ମିଳୁଛି। ଆଧାର ତଥ୍ୟ ହାସଲ କରିହେଲେ ଏହି ଶବଗୁଡ଼ିକୁ ଚିହ୍ନଟ କରି ସେମାନଙ୍କର ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଯାଇପାରନ୍ତା। ଗୃହ ବିଭାଗର କନିଷ୍ଠ ମନ୍ତ୍ରୀ ହଂସରାଜ ଅହିର କହିଲେ ଯେ ଆଇଡେଣ୍ଟିଫିକେସନ୍‌ ଅଫ୍‌ ପ୍ରିଜ୍‌ନର୍ସ ଆକ୍ଟ୍‌ ସହ କୁମାରଙ୍କ ପ୍ରସ୍ତାବ ମନ୍ତ୍ରାଳୟରେ ଆଲୋଚନା ହେବ। କିନ୍ତୁ ଠିକ୍‌ ଦିନଟିଏ ପରେ ୨୧ ଜୁଲାଇ ୨୦୧୮ରେ ଦେଶ ବ୍ୟାପୀ ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ଅପରାଧର ତଦନ୍ତ ପାଇଁ ଲୋକଙ୍କ ଆଧାର ତଥ୍ୟ ପୁଲିସକୁ ଦିଆଯିବ ନାହିଁ। ଭାରତୀୟ ବିଶିଷ୍ଟ  ପରିଚୟ କର୍ତ୍ତୃପକ୍ଷ (UIDAI) ପକ୍ଷରୁ ଆହୁରି ମଧ୍ୟ କୁହାଗଲା ଯେ ଅପରାଧର ତଦନ୍ତ ପାଇଁ ଲୋକଙ୍କ ଆଙ୍ଗୁଠି କିମ୍ବା ଆଖି ଡୋଳା ଆଦିର ତଥ୍ୟ ବା ବାୟୋମେଟ୍ରିକ ଡାଟାକୁ ତଦନ୍ତକାରୀ ସଂସ୍ଥାଙ୍କ ବ୍ୟବହାର ପାଇଁ ଦିଆଯିବାର ବ୍ୟବସ୍ଥା ଆଇନରେ ନାହିଁ ଏବଂ ଅତୀତରେ କୌଣସି ଅପରାଧ ତଦନ୍ତକାରୀ ସଂସ୍ଥାକୁ ଆଧାର ତଥ୍ୟ ପ୍ରଦାନ କରାଯାଇ ନାହିଁ। ତେବେ ଆଧାର ଆଇନର ଧାରା ୩୩ରେ ଅନ୍ୟକୁ ତଥ୍ୟ ପ୍ରଦାନ ସଂକ୍ରାନ୍ତରେ କିଛିଟା ବ୍ୟତିକ୍ରମ ରହିଛି। ଜାତୀୟ ସୁରକ୍ଷା ସଂକ୍ରାନ୍ତରେ ଜଡ଼ିତ ମାମଲାରେ ଆଧାର ତଥ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ବ୍ୟତିକ୍ରମ ମଧ୍ୟରେ ଆସୁଛି। 

କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ନିରୀକ୍ଷଣ କମିଟିର ପ୍ରାକ୍‌ ସ୍ୱୀକୃତି ଏଥିପାଇଁ ଆବଶ୍ୟକ। ଉକ୍ତ କମିଟିର ପ୍ରାକ୍‌ ସ୍ୱୀକୃତି ମିଳିବା ପରେ ହିଁ ଏହି ତଥ୍ୟ ପ୍ରଦାନର ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟରେ ଚାଲିଥିବା ଆଧାର ମାମଲାରେ କେନ୍ଦ୍ର ସରକାରଙ୍କ ମତ ବି ଏୟା ରହିଛି।  ଆଧାର ଆଇନରେ ଅଛି ଯେ, ବାୟୋମେଟ୍ରିକ ଡାଟାକୁ କେବଳ ଆଧାର ତିଆରି ପାଇଁ ଏବଂ ଆଧାରକାର୍ଡଧାରୀଙ୍କୁ ପରିଚୟର ପ୍ରମାଣୀକରଣ ଲାଗି ବ୍ୟବହାର କରାଯାଇ ପାରିବ; ଏହାଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଏହି ଆଇନକୁ ଆଧାର କରି ଲୋକଙ୍କ ଆଧାର ତଥ୍ୟ କୌଣସି ଅପରାଧ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇ ନାହିଁ। ଏପରିକି, ଏକ ନିର୍ଦ୍ଦିଷ୍ଟ ମାମଲାରେ ଆଧାର ତଥ୍ୟକୁ ତଦନ୍ତକାରୀ ସଂସ୍ଥାକୁ ଦେବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେହି ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ।

ଆପଣଙ୍କର ମନେ ଥାଇପାରେ ଜମ୍ମୁ କଶ୍ଜୀର ଓ ଆସାମ ଭଳି ଉଗ୍ରବାଦ ଓ ଆତଙ୍କବାଦ ବହୁଳ ରାଜ୍ୟରେ ପରିଚୟ ସଂକଟ ଅଧିକ ହେବାରୁ ପ୍ରକୃତ ଭାରତୀୟ ତଥା ଭାରତୀୟଙ୍କୁ ଚିହ୍ନଟ କରିବା ଜରୁରୀ ହୋଇଥିଲା। ସେଥିପାଇଁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍‌. ଶେଷାନ୍‌ଙ୍କ ଅମଳରେ ୧୯୯୩ ମସିହାରେ ଆରମ୍ଭ ହୋଇଥିଲା ଭୋଟର ପରିଚୟପତ୍ର। ଯାହାକୁ ଫଟୋ ପରିଚୟ ପତ୍ର ବୋଲି ମଧ୍ୟ କୁହାଯାଏ। ତେବେ ତାହାକୁ ରାଜ୍ୟ ସ୍ତରରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ପରିଚାଳନା କରୁଥିଲେ। ସେହି କାର୍ଡ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ ସୁଦ୍ଧା ତାହା ନାଗରିକ ପରିଚୟ ପତ୍ରର ମର୍ଯ୍ୟାଦା ପାଇ ନଥିଲା କି ନକଲ ପ୍ରତିରୋଧୀ ବ୍ୟବସ୍ଥା ନଥିଲା। ପରବର୍ତ୍ତୀ ସମୟରେ ବିପୁଳ ସଂସ୍କାର ଆଣିବାକୁ ବିପୁଳ ଅର୍ଥ ଶ୍ରାଦ୍ଧ କରାଯାଇଥିଲେ ସୁଦ୍ଧା ତାହା ଆବଶ୍ୟକତା ପୂରଣରେ ସମର୍ଥ ହୋଇ ନଥିଲା। ତେଣୁ ଜାନୁଆରି ୨୦୦୯ରେ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ବିଶ୍ୱର ବୃହତ୍ତମ ପରିଚୟ ପତ୍ର ପ୍ରକଳ୍ପ ‘ଆଧାର’। ଏହି ୧୨ ଅଙ୍କ ବିଶିଷ୍ଟ ନମ୍ବର ସୃଷ୍ଟି କରିବା ପାଇଁ ଦେଶର ପ୍ରତ୍ୟେକ ୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା, ମୋବାଇଲ୍‌ ନମ୍ବର ସମେତ ଆଖିର ଫଟୋ ଓ ଆଙ୍ଗୁଠି ଚିହ୍ନ ଆଦି ବାୟୋମେଟ୍ରିକ୍‌ ତଥ୍ୟ ନିଆଯାଉଛି। ତଥାପି ସରକାର ଏହାକୁ ନାଗରିକ ପରିଚୟପତ୍ରର ମାନ୍ୟତା ଦେଇପାରି ନାହାନ୍ତି। 

୨୦୧୩ ଓ ୨୦୧୪ ମସିହାରେ ଭୁବନେଶ୍ୱର (ଓଡ଼ିଶା) ଓ ଇଟାନଗର (ଅରୁଣାଚଳ ପ୍ରଦେଶ)ରେ ଅନୁଷ୍ଠିତ National eGovernance Consultation Workshopରେ ଆମ୍ଭେ ଏହି କଥା ଉପରେ ଜୋର୍‌ ଦେଇଛୁ ଯେ ଆଧାର ତଥ୍ୟ ଜରିଆରେ ଏତେ ବଡ଼ ଦେଶକୁ ପୁଲିସ୍‌ର ସେବା ଯୋଗାଇବା ସମ୍ଭବ ଓ ସହଜ ହୋଇପାରିବ। ଏପରିକି ଏହା ଉପରେ ବିଭିନ୍ନ ମଞ୍ଚରେ ସ୍ୱର ଉତ୍ତୋଳନ କରିବା ସହ ସାମାଜିକ ଗଣମାଧ୍ୟମରେ ବ୍ଲଗ୍‌ ଜରିଆରେ ଦାବି କରିଆସିଛୁ। ବିଶେଷତଃ ୨୦୧୬ ଅକ୍ଟୋବର ୨୪ ତାରିଖରେ ପୁଲିସ୍‌ ଗୁଳିରେ ନିହତ ୨୮ ଜଣ ନକ୍ସଲବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କର ପରିଚୟ ମିଳି ନପାରିବା ଏବଂ ସପ୍ତାହଟେ ପରେ ପୁଲିସ୍‌ ସେହି ଶବଗୁଡ଼ିକୁ ପୋତି ଦେବାଟା ସଭ୍ୟ ମାନବସମାଜ ପ୍ରତି ଏକ ଲଜ୍ଜାକର ଘଟଣା ଥିଲା। ବିଳମ୍ବରେ ହେଲେ ସୁଦ୍ଧା ଜାତୀୟ ଅପରାଧ ଅଭିଲେଖ ବ୍ୟୁରୋର ନିର୍ଦେଶକଙ୍କ ପ୍ରସ୍ତାବକୁ ‘‘ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ’’ ପ୍ରତ୍ୟାଖ୍ୟାନ କରିବାଟା ଏକ ପଛୁଆ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଖାଣ୍ଟି ଓଡ଼ିଆରେ ଯାହାକୁ କହନ୍ତି ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ ଭଳି କଥା ଇଏ।

ଏହାର ସମାଧାନ ପନ୍ଥା ଅଛି। ପ୍ରଥମତଃ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ ଭାରତର ବିଭିନ୍ନ ରାଜ୍ୟରେ ଜିଲ୍ଲାୱାରୀ କିମ୍ବା କେତୋଟି ଜିଲ୍ଲାକୁ ନେଇ ନିଜର ନିର୍ବାହୀ ଅଧିକାରୀ ନିଯୁକ୍ତ କରୁ ଏବଂ ସେ ହିଁ ବିଭିନ୍ନ ସ୍ଥାନକୁ ଗସ୍ତ କରି ବାୟୋମେଟ୍ରିକ୍‌ ମେସିନ୍‌ ପ୍ରୟୋଗ କରି ମୃତଦେହର ଓ ଅପରାଧୀର ଉପଲବ୍ଧ ତଥ୍ୟ ପୁଲିସ୍‌କୁ ଓ ପ୍ରଶାସନକୁ ଯୋଗାଇ ଦିଅନ୍ତୁ। ବ୍ୟାପକ ଜନହାନି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଅବା ପରମାଣୁ ଆକ୍ରମଣ ପରେ ଦେଶବାସୀଙ୍କୁ ଚିହ୍ନଟ କରିବାରେ ପୁଲିସ୍‌ ଓ ପ୍ରଶାସନ  ନାକେଦମ୍‌ ହେବ; ଅଥଚ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ  ସବୁ ତଥ୍ୟ ତା’ର କମ୍ପ୍ୟୁଟରରେ ଧରିକି ବସିଥିବ! ବିଶ୍ୱ ଦରବାରରେ ଇଏ କେଡ଼େ ଲୋକହସା କଥା କହିଲେ?

ପ୍ରଧାନସେବକ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ Digital India ସ୍ୱପ୍ନର ମହତ୍ତ୍ୱ ରହିବ, ଯଦି ଆଧାର ଅନ୍‌ଲାଇନ୍‌ ତଥ୍ୟାବଳୀରୁ ଭାରତର କୌଣସି ନାଗରିକଙ୍କ ଶବକୁ ଚିହ୍ନଟ କରି ମର୍ଯ୍ୟାଦାର ସହ ତାଙ୍କ ଘରଲୋକଙ୍କୁ ଖବର ଦେଇହେବ ଏବଂ ତାଙ୍କର ଶେଷକୃତ୍ୟ କରାଯାଇପାରିବ। ବିଜ୍ଞାନ ଓ ପ୍ରଯୁକ୍ତିକୁ ବୁଝିଥିବା ଦେଶର ନିୟୁତ ନିୟୁତ ବ୍ୟକ୍ତି ଯଦି ଏହାକୁ ସାକାର କରିବାକୁ କଚେରୀ ପର୍ଯ୍ୟନ୍ତ ନଯିବେ, ଏତେ ବଡ଼ ଦେଶର ଏତେ ନିରୀହ ମଣିଷଙ୍କୁ ପରିଚାଳନା କରିବା କେତେ କଷ୍ଟ କହିଲେ? ଭାରତର ନାଗରିକ ଯଦି ଦେଶ ଭିତରେ ନିଜ ଠିକଣାରୁ ଦୂର ସ୍ଥାନରେ ମୃତ୍ୟୁ ମୁଖରେ ପଡ଼ିଲେ କୁକୁର ଭଳି ବ୍ୟବହାର ପାଇବ, ତାହା କେଉଁ ସଭ୍ୟ ସମାଜର ଲକ୍ଷଣ?

ବିମଳ ପ୍ରସାଦ, ଭ୍ରାମ୍ୟଭାଷ- ୯୯୩୭୩୫୩୨୯୩

कोई टिप्पणी नहीं:

एक टिप्पणी भेजें