18 अगस्त 2018

ସୀମା ସେପଟେ ଟାକିଛି ଷଢ଼େଇକଳା-ଖରସୁଆଁ

ଇତିହାସ କହେ ଓଡ଼ିଶାର ପୁରାତନ ନାମ ଥିଲା ଉତ୍କଳ, କଳିଙ୍ଗ, ଉଡ଼୍ର ବା ଉଡ଼୍ରଦେଶ  । ସମୟର ଗଡ୍‌ଡାଳିକା ପ୍ରବାହରେ ଏହି ନାମର ପରିବର୍ତ୍ତନ ବା କ୍ରମ ବିବର୍ତ୍ତନ ହୋଇ ଏହା ଏବେ ଓଡ଼ିଶାନାମରେ ହିଁ ପରିଚିତ । ବୈଦିକ ସଭ୍ୟତାରେ କୃଷ୍ଣ ଯଜୁର୍ବେଦ ବୌଧାୟନ କଳ୍ପସୂତ୍ରମତାନୁସାରେ ପ୍ରାୟ ଖ୍ରୀ.ପୂ. ୬ଷ୍ଠ ଶତାବ୍ଦୀ ବେଳକୁ ଏହା ସ୍ୱତନ୍ତ୍ର ଏକ ସଭ୍ୟତା ନାମରେ ପରିଚିତ ଥିଲା, ଅର୍ଥାତ୍ ଆର୍ଯ୍ୟ ବା ଦ୍ରାବିଡ଼ ଭିନ୍ନ ଏକ ସ୍ୱତନ୍ତ୍ର ସଭ୍ୟତା ଥିଲା । ଖ୍ରୀ.ପୂ. ପ୍ରଥମ ଶତାବ୍ଦୀ ବେଳକୁ ଚେଦୀରାଜ ବଂଶର ସମ୍ରାଟ ମହାମେଘବାହନ ଐର ଖାରବେଳଙ୍କ ରାଜତ୍ୱ ସମୟରେ କଳିଙ୍ଗ ସାମ୍ରାଜ୍ୟର ଭୌଗୋଳିକ ପରିସୀମା ଉତ୍ତରରେ ଗଙ୍ଗା ଠାରୁ ଦକ୍ଷିଣରେ କାବେରୀ ପର୍ଯ୍ୟନ୍ତ ଏବଂ ପୂର୍ବରେ କଳିଙ୍ଗ ସାଗର (ଅଧୁନା ବଙ୍ଗୋପସାଗର) ଠାରୁ ପଶ୍ଚିମରେ ମଧ୍ୟ ଭାରତପର୍ଯ୍ୟନ୍ତ ବିସ୍ତାରିତ ହୋଇଥିଲା । ତେବେ ତୃତୀୟ ଶତାବ୍ଦୀରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଗୁପ୍ତରାଜବଂଶ, ହର୍ଷବର୍ଦ୍ଧନ, ଦ୍ୱିତୀୟ ପୁଲକେଶୀ, ମାଠର, ଭୌମକର ଶାସକ ମାନଙ୍କ ରାଜତ୍ୱରେ ଏହି ବିଶାଳ ଭୂଖଣ୍ଡ କଳିଙ୍ଗ ନାମରେ ପରିଚିତ ଥିଲା ।

କେଶରୀ ରାଜବଂଶର ଦ୍ୱିତୀୟ ଯଯାତି କେଶରୀ(ମହାଶିବଗୁପ୍ତ)ଙ୍କ ଠାରୁ ଗଙ୍ଗବଂଶର ଅନନ୍ତ ବର୍ମା ଚୋଳଗଙ୍ଗଦେବ, ଚୋଡ଼ଗଙ୍ଗ ଦେବ, ଦ୍ୱିତୀୟ ଅନଙ୍ଗଭୀମଦେବ, ତୃତୀୟ ଅନଙ୍ଗଭୀମ ଦେବ, ଲାଙ୍ଗୁଳା ନରସିଂହଦେବ, ଗଜପତି ରାଜବଂଶର କପିଳେନ୍ଦ୍ର ଦେବ, ପୁରୁଷୋତ୍ତମଦେବ, ପ୍ରତାପରୁଦ୍ର ଦେବ, ମୁକୁନ୍ଦ ଦେବଙ୍କ ପର୍ଯ୍ୟନ୍ତ ସପ୍ତମ-ଅଷ୍ଟମ ଶତାବ୍ଦୀ ଠାରୁ ଷୋଡ଼ଶ ଶତାବ୍ଦୀ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହି କଳିଙ୍ଗ ଉତ୍କଳ - ଓଡ଼ିଶା ଇତିହାସର ଅନେକ ଉତ୍‌ଥାନ ପତନ ଦେଖିଛି 

୧୫୬୮ ଖ୍ରୀଷ୍ଟାବ୍ଦରେ ବଙ୍ଗର ମୁସ୍‌ଲିମ୍‌ ଶାସକ ସୁଲେମାନ କରାଣୀ ଏବଂ ତାଙ୍କ ସେନାପତି କଳାପାହାଡ଼ ଦ୍ୱାରା ଓଡ଼ିଶାର ଶେଷ ସ୍ୱାଧୀନ ହିନ୍ଦୁ ଶାସକ ମୁକୁନ୍ଦ ଦେବ ପରାସ୍ତ ହେବା ପରେ ଓଡ଼ିଶା ପରାଧୀନ ହୋଇଯାଏ। ୧୫୭୬ରେ ମୋଗଲ, ୧୭୫୧ରେ ମରହଟ୍ଟା ଏବଂ ଶେଷରେ ୧୮୦୩ ଅକ୍ଟୋବର ୧୪ରେ ଇଂରେଜମାନେ ଓଡ଼ିଶା ଅଧିକାର କରନ୍ତି । ଏହା ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ତାର ଦୁର୍ଦ୍ଦର୍ଷ, ପରାକ୍ରମୀ, ଅଦସ୍ୟ ସାହସୀ ଶାସକ ଓ ସୈନ୍ୟ ବାହିନୀ ଦ୍ୱାରା ଇଂରେଜମାନଙ୍କ ଲୋଲୁପ ଦୃଷ୍ଟିରୁ ନିଜକୁ ବଞ୍ଚାଇ ରଖି ଆସିଥିଲା ୧୮୦୩ ପର୍ଯ୍ୟନ୍ତ, ଅର୍ଥାତ୍ ଓଡ଼ିଶା ହେଉଛି ଇଂରେଜମାନଙ୍କ ଦ୍ୱାରା ଅଧିକୃତ ଶେଷ ଭାରତୀୟ ରାଜ୍ୟ ।

୧୮୦୩ ଠାରୁ ଏହା ବଙ୍ଗଦେଶ ସହିତ ମିଶି ରହି ଇଂରେଜ ମାନଙ୍କ ଦ୍ୱାରା ଶାସିତ ହେଉଥିଲା। ୧୯୧୨ରେ ଏହା ବଙ୍ଗରୁ ଅଲଗା ପ୍ରାନ୍ତ ଭାବେ ବିହାର ସହ ମିଶି ରହିଥିଲା । ଏ ଭିତରେ ଓଡ଼ିଶା ଭୂଖଣ୍ଡ ତାର ନିଜର ଭୌଗୋଳିକ, ରାଜନୈତିକ ଶାସନାଧିନ ସାମ୍ରାଜ୍ୟର ସୀମାରେଖା ହରେଇ ସାରିଥିଲା, ମାତ୍ର ଓଡ଼ିଆ ଭାଷାର ମୌଳିକ ପରିଚୟ ପୂର୍ବପରି ପରିବ୍ୟାପ୍ତ ରହିଥିଲା। ଅର୍ଥାତ୍ ଖ୍ରୀଷ୍ଟପୂର୍ବ ସମୟ ଠାରୁ ଅଷ୍ଟାଦଶ - ଊନବିଂଶ ଶତାବ୍ଦୀ ସୁଦ୍ଧା ଓଡ଼ିଆ ଭାଷା ଭାଷୀମାନଙ୍କର ଅଞ୍ଚଳ ପୂର୍ବବତ୍ ଆଗଙ୍ଗା-ଗୋଦାବରୀ, ପୂର୍ବତଟରୁ ମଧ୍ୟ ଭାରତ ପର୍ଯ୍ୟନ୍ତ ପରିବ୍ୟାପ୍ତ ହୋଇ ରହିଥିଲା। ଏହା ହିଁ ଥିଲା ଓଡ଼ିଆ ଜାତିକୁ ଚିହ୍ନିବା, ଏକାଠି କରିବାର ଏକମାତ୍ର ପନ୍ଥା। ତେଣୁ ଏହି ଭାଷା ଆଧାରରେ ତତ୍କାଳୀନ ଓଡ଼ିଶାର ଜନନାୟକ, ବରପୁତ୍ରମାନେ ଯଥା- ଉତ୍କଳ ଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, କର୍ମବୀର ଗୌରୀଶଙ୍କର, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ପାରଳା ମହାରାଜା ଗଜପତି କୃଷ୍ଣଚନ୍ଦ୍ର ଦେବ ପ୍ରଭୃତି ଇଂରେଜ ସରକାରଙ୍କ ପାଖରେ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଦାବି ରଖିଥିଲେ । ଫଳସ୍ୱରୂପ ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାରତର ସର୍ବପ୍ରଥମ ସ୍ୱତନ୍ତ୍ର ରାଜ୍ୟ ଭାବରେ ପ୍ରତିଷ୍ଠା ଲାଭ କରିଥିଲା। ବିଶେଷ ଗୁରୁତ୍ୱପୂର୍ଣ୍ଣ ଯେ ଏହା କେବଳ ଭାଷା ଆଧାରରେ ହିଁ ସମ୍ଭବ ହୋଇପାରିଥିଲା । ଏହାର ଏକ ଦଶନ୍ଧି ପରେ ୧୯୪୬ ମସିହାରେ ଓଡ଼ିଶା ସ୍ୱାୟତ୍ତ ଶାସନ ସୁବିଧା ଲାଭ କଲା। ୧୯୪୭ ମସିହାରେ ଭାରତ ସ୍ୱାଧୀନ ହେବା ପରେ ଓଡ଼ିଶା ମଧ୍ୟ ଏକ ସ୍ୱାଧୀନ ରାଜ୍ୟର ମାନ୍ୟତା ଲାଭ କରିଥିଲା ।

୧୯୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଛଅଟି ଜିଲ୍ଲା ଯଥା- କଟକ, ପୁରୀ, ବାଲେଶ୍ୱର, ଗଞ୍ଜାମ, କୋରାପୁଟ ଓ ସମ୍ବଲପୁରକୁ ନେଇ ଗଠିତ ହୋଇଥିଲା । ଏହି ସବୁ ଜିଲ୍ଲାର ତତ୍କାଳୀନ ସମସ୍ତ ଅଞ୍ଚଳ ଅର୍ଥାତ୍ ଅବିଭକ୍ତ ଅବସ୍ଥାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ଆଧୁନିକ ଓଡ଼ିଶା ରାଜ୍ୟରେ ହିଁ ସମ୍ମିଶ୍ରଣ ହୋଇଥିଲା । ଦେଶ ସ୍ୱାଧୀନତା ପ୍ରାପ୍ତିରେ ୧୯୪୮ ମସିହା ଜାନୁଆରୀ ପହିଲାରେ ଓଡ଼ିଶାର ୨୩ଟି ଗଡ଼ଜାତ ଯଥା (୧) ଆଠଗଡ଼, (୨) ଆଠମଲ୍ଲିକ, (୩) କଳାହାଣ୍ଡି, (୪)କେନ୍ଦୁଝର, (୫) ଖଣ୍ଡପଡ଼ା, (୬) ଗାଙ୍ଗପୁର, (୭) ଢେଙ୍କାନାଳ, (୮) ତାଳଚେର, (୯) ତିଗିରିଆ, (୧୦) ଦଶପଲ୍ଲା, (୧୧) ନରସିଂହପୁର, (୧୨) ନୟାଗଡ଼, (୧୩) ନୀଳଗିରି, (୧୪) ପାଟଣା, (୧୫) ପାଲଲହଡ଼ା, (୧୬) ବଉଦ, (୧୭) ବଡ଼ମ୍ବା, (୧୮) ବଣାଇ, (୧୯) ବାମଣ୍ଡା, (୨୦) ରଣପୁର, (୨୧) ରେଢ଼ାଖୋଲ, (୨୨) ସୋନପୁର, (୨୩) ହିନ୍ଦୋଳ ଇତ୍ୟାଦି ଓଡ଼ିଶା ପ୍ରଦେଶରେ ସମ୍ମିଶ୍ରଣ ହେଲା ଏବଂ ମୟୂରଭଞ୍ଜ ଗଡ଼ଜାତଟି ୧୯୪୯ ଜାନୁଆରୀ ପହିଲାରେ ଓଡ଼ିଶାରେ ମିଶ୍ରଣ ହେଲା। ଗଡ଼ଜାତ ମିଶ୍ରଣରେ ଏହାକୁ ୭ଟି ଜିଲ୍ଲାରେ ପରିଣତ କରି ୧୯୫୦ ଜାନୁଆରୀ ୨୬ରେ ଓଡ଼ିଶାରେ ମୋଟ ୧୩ଟି ଜିଲ୍ଲା ହେଲା

ଓଡ଼ିଶା ରାଜ୍ୟରେ ଏହି ଗଡ଼ଜାତ ମିଶ୍ରଣକୁ ଐତିହାସିକ ଓ ଭୌଗୋଳିକ ଦୃଷ୍ଟିରୁ ବ୍ୟାଖ୍ୟା କଲେ ଜଣାଯାଏ ତତ୍କାଳୀନ ଓଡ଼ିଶା ଷ୍ଟେଟ୍ ଏଜେନସି ଅନ୍ତର୍ଗତ ଗଡ଼ଜାତ ଯଥା: ଆଠଗଡ଼, ଆଠମଲ୍ଲିକ, ବାମଣ୍ଡା, ବଉଦ, ବଣାଇ, ଦଶପଲ୍ଲା, ଢେଙ୍କାନାଳ, ଗାଙ୍ଗପୁର, ହିନ୍ଦୋଳ, କେନ୍ଦୁଝର, ଖଣ୍ଡପଡ଼ା, ଖରସୁଆଁ, ନରସିଂହପୁର, ନୟାଗଡ଼, ନୀଳଗିରି, ପାଲଲହଡ଼ା, ରେଢ଼ାଖୋଲ, ରଣପୁର, ଷଢ଼େଇକଳା, ସୋନପୁର, ତାଳଚେର, ତିଗିରିଆ, ବିଜୟନଗରମ ମଧ୍ୟରୁ ଖରସୁଆଁ, ଷଢ଼େଇକଳା, ବିଜୟନଗରମ୍ ଏହି ତିନୋଟି ଓଡ଼ିଶାରେ ମିଶ୍ରଣ ହୋଇପାରିଲା ନାହିଁ। ଅର୍ଥାତ୍ ଓଡ଼ିଶା ଷ୍ଟେଟ ଏଜେନ୍ସି ଅନ୍ତର୍ଗତ ମୋଟ ୨୩ ଗୋଟି ମଧ୍ୟରୁ ଖରସୁଆଁ, ଷଢ଼େଇକଳା, ବିଜୟନଗରମ୍‌କୁ ଛାଡ଼ି ଅବଶିଷ୍ଟ ୨୦ଟି ଗଡ଼ଜାତ ରାଜ୍ୟର ଓଡ଼ିଶା ସହ ମିଶ୍ରଣ ହେଲା 

ସେହିପରି ଛତିଶଗଡ଼ ଷ୍ଟେଟ୍‌ ଏଜେନସି ଅନ୍ତର୍ଗତ ବସ୍ତର, ଚଙ୍ଗଭାକର, ଛୁଇକଣ୍ଡନ, ଯଶପୁର, କଳାହାଣ୍ଡି (କରୋଣ୍ଡ), କଙ୍କର କାୱାର୍ଧା, ଖଇରଗଡ଼, କୋରିୟା, ନନ୍ଦଗାଁ, ପାଟଣା (ବଲାଙ୍ଗିର) ରାଇଗଡ଼, ଶକ୍ତି ସାରଙ୍ଗଗଡ଼, ସୁରଗୁଜା, ଉଦୟପୁର (ଧର୍ମଜୟଗଡ଼) ଆଦି ମଧ୍ୟରୁ କେବଳ କଳାହାଣ୍ଡି ଓ ପାଟଣା ଓଡ଼ିଶାରେ ମିଶ୍ରଣ ହେଲା । ବାଉଣ୍ଡରୀ କମିଶନଙ୍କ ବିବରଣୀ ଅନୁସାରେ ଏହି ଛତିଶଗଡ଼ ଷ୍ଟେଟ ଏଜେନସି ଅନ୍ତର୍ଗତ ଆହୁରି ଅନେକ ଅଞ୍ଚଳ ଓଡ଼ିଆ ଭାଷାଭାଷୀ ହେଲେୟେ କେତେକ ରାଜନୈତିକ ଛଳନା ବା ଷଡ଼ଯନ୍ତ୍ର କାରଣରୁ ସେ ଗୁଡ଼ିକୁ ଓଡ଼ିଶା ରାଜ୍ୟ ସହ ମିଶ୍ରଣରୁ ବଞ୍ଚିତ ରଖାଗଲା 

ବେଙ୍ଗଲ ଷ୍ଟେଟ ଏଜେନ୍ସି ଅନ୍ତର୍ଗତ କୁଚବିହାର, ମୟୂରଭଞ୍ଜ, ତ୍ରିପୁରା, ଆଦି ମଧ୍ୟରୁ ମୟୂରଭଞ୍ଜ ଶେଷରେ ୧୯୪୯ ଜାନୁଆରୀ ୧ରେ ଓଡ଼ିଶାରେ ମିଶ୍ରଣ ହେଲା। ଏହି ତିନି ଷ୍ଟେଟ ଏଜେନ୍ସି ମଧ୍ୟରେ ନଥିବା ନୀଳଗିରି ସର୍ବପ୍ରଥମେ ଏକ ସ୍ୱାଧୀନ ଗଡ଼ଜାତ ରାଜ୍ୟ ଭାବରେ ଓଡ଼ିଶାରେ ତାହାର ମିଶ୍ରଣ ହୋଇଥିଲା

ମିଶ୍ରଣର ପୃଷ୍ଠଭୂମି ଓ ଐତିହାସିକ ବିବରଣୀ :
ମୌଳିକ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବିରେ ତତ୍କାଳୀନ ଉତ୍କଳ ୟୁନିଅନ କମିଟି, ଦିଗ୍ରେଟ୍ ଉତ୍କଳ ଲିଗ୍, ସିଂହଭୂମ ଓଡ଼ିଆ ସମାଜ, ସମ୍ବଲପୁର, ମେଦିନୀପୁର, ଗଞ୍ଜାମ, ବିଶାଖାପାଟଣା ଆଦି ଅଞ୍ଚଳର ଓଡ଼ିଆ ସଂଗଠନ ସବୁ ୧୯୩୩ ନଭେମ୍ବର ୭ରେ ତତ୍କାଳୀନ ବାଉଣ୍ଡରୀ କମିଶନ ପାଖରେ ନିମ୍ନଲିଖିତ ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ ପାଇଁ ଦାବି କରିଥିଲେ। ସେଗୁଡ଼ିକ ହେଲା - (୧) ମୂଳ ଓଡ଼ିଶା, (୨)ଅନୁଗୁଳ, (୩) ମେଦିନୀପୁର ଜିଲ୍ଲା ଅନ୍ତର୍ଗତ କଣ୍ଟାଇ, ଖଡ଼ଗପୁର, ନାରାୟଣଗଡ଼, ଦାନ୍ତୋନ, ମୋହନପୁର, କେଶିୟାରୀ (୪) ବାଙ୍କୁରା ଜିଲ୍ଲା ଅନ୍ତର୍ଗତ ସିମିଳିପାଳ, ରାୟପୁର, ଖାତରା (୫) ସିଂହଭୂମ, (୬) ମାନଭୂମ ଜିଲ୍ଲା ଅନ୍ତର୍ଗତ ବୀରଭୂମ, ମାନବଜାର, ଚାନ୍ଦିଲି (୭) ରାଞ୍ଚି ଜିଲ୍ଲା (୮) ଖଡ଼ିଆଳ ଜମିଦାରୀ, ରାୟପୁର ଜିଲ୍ଲା ଅନ୍ତର୍ଗତ ମହାସମୁଦ ତହସିଲର ଫୁଲଝର, ବିନ୍ଦ୍ରା ନୱାଗଡ଼, (୯) ଚନ୍ଦ୍ରୁର ଜମିଦାରୀ, ପଦ୍ମପୁର, ମାଲଖର୍ଦ୍ଦା ଏବଂ ବିଳାସପୁର ଜିଲ୍ଲା ଅନ୍ତର୍ଗତ ୯ଗୋଟି ଗ୍ରାମ ମଣ୍ଡଳ (୧୦) ଗଞ୍ଜାମ ଜିଲ୍ଲା (୧୧) ବିଶାଖାପାଟଣା । ତେବେ ଓଡ଼ିଶା ରାଜ୍ୟର ପୂର୍ଣ୍ଣାଙ୍ଗ ଗଠନରେ ଦୁଇଟି ପ୍ରଧାନ ଅନ୍ତରାୟ ସୃଷ୍ଟି ହେଲା । ପ୍ରଥମଟି ଓଡ଼ିଶାର ଭାଷା ଓ ଭୌଗୋଳିକ ସମୃଦ୍ଧିକୁ ସର୍ବଦା ଈର୍ଷା କରି ଆସୁଥିବା ବଙ୍ଗଳାଭାଷୀ ମାନଙ୍କ ଦ୍ୱାରା ପ୍ରରୋଚିତ ମେଦିନୀପୁରର ବିଭକ୍ତ ବିରୋଧୀ ସଂଘ (Anti Partition Committee) ଧଳଭୂମ ରାଜ୍ୟ ପ୍ରଶାସନ, ଜାମସେଦପୁର ବଙ୍ଗାଳୀ ସଂଘ; ସେଣ୍ଟ୍ରାଲ ପ୍ରୋଭିନସର କୋହ୍ଲଣ, ପଦମପୁର ଆଞ୍ଚଳିକ ଗୋଷ୍ଠୀ, ଗଞ୍ଜାମ ପ୍ରତିରକ୍ଷା ମଞ୍ଚ (Ganjam Defence League) ତଥା ମାଡ଼୍ରାସ ସରକାର ପକ୍ଷରୁ ସି.ଏ. ହିଣ୍ଡରସନ (C.A. Hinderson) ପ୍ରଭୃତି ପୂର୍ଣ୍ଣାଙ୍ଗ ଓଡ଼ିଶାକୁ ବିରୋଧ କରି ସ୍ମାରକପତ୍ର ପ୍ରଦାନ କରିଥିଲେ। ବାଉଣ୍ଡରୀ କମିଶନଙ୍କୁ ସିଂହଭୂମ ଠାରେ ସାକ୍ଷାତ କରିବାକୁ ଦ୍ୱିତୀୟତଃ ଓଡ଼ିଶା କଂଗ୍ରେସ ପ୍ରତିନିଧି ଭାବରେ ନୀଳକଣ୍ଠ ଦାସଙ୍କୁ ପ୍ରେରଣ କରିବାକୁ ଚିନ୍ତା କରିଥିଲା । ମାତ୍ର ଜାତୀୟ କଂଗ୍ରେସ ସହିତ ବ୍ରିଟିଶ ସରକାରର ତିକ୍ତତା ଥିବାରୁ ୧୯୩୨ରେ କଂଗ୍ରେସକୁ ବେଆଇନ ଘୋଷଣା କରିଥିଲା। ତେଣୁ ଜାତୀୟ କଂଗ୍ରେସର ନିର୍ଦ୍ଦେଶ କିମ୍ବା ଓଡ଼ିଶା କଂଗ୍ରେସର ଜାତୀୟ କଂଗ୍ରେସ ପ୍ରତି ଆନୁଗତ୍ୟ ପ୍ରଦର୍ଶନ ସ୍ୱରୂପ ନୀଳକଣ୍ଠ ଦାସଙ୍କ ସିଂହଭୂମଠାରେ ବାଉଣ୍ଡରୀ କମିଶନକୁ ସାକ୍ଷାତ କାର୍ଯ୍ୟକ୍ରମକୁ ବାତିଲ କରି ଦିଆଗଲା । ଏହା ହିଁ ଥିଲା ଓଡ଼ିଶା ଓ ଓଡ଼ିଶାରେ କଂଗ୍ରେସ ପାଇଁ ଏକ ଦୁର୍ଭାଗ୍ୟ ପରିସ୍ଥିତି ! ଏହି କାରଣରୁ ଓଡ଼ିଶାର ଜନସାଧାରଣ କଂଗ୍ରେସକୁ ଏକ ଘୃଣା ଦୃଷ୍ଟିରେ ଦେଖିବା ଆରମ୍ଭ କଲେ। ତେଣୁ ସେହି ବର୍ଷ ପୁରୀ ଠାରେ ହେବାକୁ ଥିବା ଅଧିବେଶନକୁ କଂଗ୍ରେସ ବାତିଲ କରିବାକୁ ବାଧ୍ୟ ହୋଇଥିଲା 

୧୯୩୨ ଏପ୍ରିଲ ମାସରେ ଏହାର ଚୂଡ଼ାନ୍ତ ବିବରଣୀରେ ଅନୁଗୁଳ, ପଦ୍ମପୁର, ଖଡ଼ିଆଳ ରାଜ୍ୟ, ଗଞ୍ଜାମ ଜିଲ୍ଲାର ଏକ ପ୍ରମୁଖ ଅଂଶ (ବିଶାଖାପାଟଣା ଅନ୍ତର୍ଗତ)କୁ ଓଡ଼ିଶାରେ ମିଶ୍ରଣକୁ ସୁପାରିଶ କରିଥିଲେ। ମାତ୍ର ମେଦିନୀପୁରକୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳ, ଓଡ଼ିଶାର ପୂର୍ବ ମୌଳିକ ଅଂଶ, ଭାଷା, ବଂଶ ଇତିହାସ ଆଧାରରେ ଓଡ଼ିଶାରେ ମିଶିଯିବା ଉଚିତ ବୋଲି କମିଶନ ସ୍ୱୀକାର କରିଥିଲେ ମଧ୍ୟ ଓଡ଼ିଶା ସହ ମିଶ୍ରଣକୁ ସ୍ୱୀକୃତି ଦେଲେ ନାହିଁ। ସେହିପରି ଭାଷା ଓ ବଂଶଗତ କାରଣରୁ ବାଙ୍କୁରା ମଧ୍ୟ ଓଡ଼ିଶାରେ ମିଶ୍ରଣରୁ ବଞ୍ଚିତ ହେଲା । ସିଂହଭୂମ କ୍ଷେତ୍ରରେ ଭାଷା’, ‘ବଂଶାନୁକ୍ରମଦୃଷ୍ଟିରୁ ଏହା ଏକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ହୋଇଥିଲେ ହେଁ ଅନ୍ୟ ଭାଷାଭାଷୀ ମାନଙ୍କ ଛଳନା ପୂର୍ଣ୍ଣ ବିରୋଧ ହେତୁ ଓଡ଼ିଶାରେ ମିଶ୍ରଣ ହେବା ଅନ୍ତରାୟ ଥିଲା। ସେହିପରି ମାନଭୂମ, ରାଞ୍ଚି, ଛୋଟନାଗପୁର ମଧ୍ୟ ଓଡ଼ିଶାରୁ ବିଛିନ୍ନ ହୋଇଗଲା 

ଗଞ୍ଜାମ ନିକଟବର୍ତ୍ତୀ ଇଚ୍ଛାପୁର, ମଞ୍ଜୁଷା, ବୁଦାରସିଂହ, ଜଳନ୍ତର, ଟିକ୍କାଲି, ତରଲା ଆଦି ଅଞ୍ଚଳ ଏହି ବାଉଣ୍ଡରୀ କମିଶନ ଦ୍ୱାରା ଓଡ଼ିଶା ମିଶ୍ରଣରୁ ବଞ୍ଚିତ ହୋଇଥିଲେ ମଧ୍ୟ ଫିଲିଫଡଫ କମିଟିଏହି ସବୁ ଅଞ୍ଚଳକୁ ଓଡ଼ିଶାରେ ମିଶ୍ରଣ ପାଇଁ ସୁପାରିଶ କରିଥିଲେ। ଏହି କମିଟି ମଧ୍ୟ ବିଶାଖାପାଟଣାକୁ ଓଡ଼ିଶାରେ ମିଶ୍ରଣ ପାଇଁ ସୁପାରିଶ କରିଥିଲା । ଏହି ଫିଲିଡଫ କମିଟିର ସୁପାରିଶ ଥାଇ ମଧ୍ୟ ବାଉଣ୍ଡରୀ କମିଶନ ଉପରେ କୌଣସି ପ୍ରଭାବ ପଡ଼ି ନଥିଲା। ତତ୍କାଳୀନ ବ୍ରିଟଶ ସରକାରଙ୍କ ଭାଗ କର ଓ ଶାସନ କର (divide & rule) ନୀତି ପ୍ରତ୍ୟେକ ବ୍ରିଟିଶ ଅଧିକାରୀଙ୍କ ରକ୍ତ ମଜ୍ଜାରେ ଯେପରି ରହିଯାଇଥିଲା ! ତେଣୁ କେଉଁ ଅଞ୍ଚଳର ଭାଷା, ଭାବନା, ଭାବପ୍ରବଣତାକୁ ସେମାନେ ଆନ୍ତରିକତା ସହିତ କେମିତି ଗ୍ରହଣ କରିପାରନ୍ତେ ? ତେଣୁ ଓଡ଼ିଶା ଏହି ସବୁ ଅଞ୍ଚଳକୁ ତାର ରାଜନୈତିକ ମାନଚିତ୍ରରୁ ସବୁଦିନ ପାଇଁ ହରାଇ ବସିଲା । ଓଡ଼ନେଲ କମିଟି ବା ଓଡ଼ିଶା କମିଟି ଓଡ଼ିଶା ପାଇଁ ଏକ ନୈରାଶ୍ୟବାଦୀ ନିଷ୍ଠୁର ପ୍ରଶାସନ ସାବ୍ୟସ୍ତ ହେଲା ।

ଷଢ଼େଇକଳା ଓ ଖରସୁଆଁ : ଓଡ଼ିଶା ପାଇଁ ଏକ ଐତିହାସିକ ଆହ୍ୱାନ

ମୌଳିକ ଓଡ଼ିଶା ଭୂଖଣ୍ଡ ବା ସ୍ୱାଧୀନ ଓଡ଼ିଶା ରାଜ୍ୟ ପରାଧୀନ ହୋଇଯିବା ପରେ ଇଂରେଜ ସରକାରଙ୍କ ବିଭକ୍ତ କର ଓ ଶାସନ କର (Divide and Rule) ନୀତିରେ ଓଡ଼ିଶାକୁ ଏକତା ସୂତ୍ରରେ ବାନ୍ଧିରଖିଥିବା ସମସ୍ତ ଦେଶୀୟ ବା ଗଡ଼ଜାତ ରାଜ୍ୟ ଗୁଡ଼ିକୁ ପରସ୍ପର ଠାରୁ ଅଲଗା କରି ଦେବା ପାଇଁ ଏହି ସବୁ ରାଜ୍ୟ ଗୁଡ଼ିକୁ ୪ ଭାଗରେ ବିଭକ୍ତ କରି ପକାଇଲେ । ସେହି ହିସାବରେ ମୂଳ ଓଡ଼ିଶାର ଅନ୍ୟତମ ଗୌରବଶାଳୀ ସମ୍ଭ୍ରାନ୍ତ ରାଜ୍ୟ ଷଢ଼େଇକଳା ଏବଂ ଖରସୁଆଁ ଦୁଇଟି ତତ୍କାଳୀନ ବେଙ୍ଗଲ ପ୍ରେସିଡେନ୍ସିରେ ରହିଥିଲା । ଖ୍ରୀଷ୍ଟାବ୍ଦ ୧୬୨୦ରେ ରାଜା ବିକ୍ରମ ସିଂହ କୁଅଁର ଷଢ଼େଇକଳା ପ୍ରତିଷ୍ଠା କରିଥିଲେ ଏବଂ ତାଙ୍କ ଦ୍ୱିତୀୟ ପୁତ୍ର ପଦମସିଂହ କୁଅଁର ୧୬୫୦ରେ ଖରସୁଆଁ ରାଜ୍ୟ ପ୍ରତିଷ୍ଠା କରିଥିଲେ 

ଦେଶ ସ୍ୱାଧୀନତା ଲାଭ କରିବା ପରେ ଏହି ଦୁଇ ରାଜ୍ୟ ଓଡ଼ିଶାରେ ମିଶ୍ରଣ ହେବା ପାଇଁ ମିଶ୍ରଣ ଇଚ୍ଛାପତ୍ର (merge will) ରେ ସ୍ୱାକ୍ଷର କରିଥିଲେ। ଫଳରେ ୧୯୪୮ ଜାନୁଆରୀ ୧ ତାରିଖରେ ଏହି ଦୁଇ ଗଡ଼ଜାତ ଓଡ଼ିଶାରେ ମିଶ୍ରଣ ହେଲା । ମାତ୍ର ଏହି ଦୁଇ ରାଜ୍ୟ ଅନ୍ତର୍ଗତ ଖଣିଜ ସମ୍ବଳ, ପ୍ରାକୃତିକ ସମ୍ପଦ ତଥା ତତ୍କାଳୀନ ଇଂରେଜ ସରକାରଙ୍କ ଦ୍ୱାରା କରାଯାଇଥିବା ନାନାଦି ବିକାଶ ମୂଳକ କାର୍ଯ୍ୟରେ ଲୋଭାନ୍ୱିତ ହୋଇ ପଡ଼ୋଶୀ ବିହାର ରାଜ୍ୟର କେତେକ ଖଳ ପ୍ରକୃତିର ଲୋକ ଏକ ମିଥ୍ୟା ବିଦ୍ରୋହର ଷଡ଼ଯନ୍ତ୍ର କଲେ । ଏହି ଛଳନାପୂର୍ଣ୍ଣ ମିଥ୍ୟା ବିଦ୍ରୋହର ସୁଯୋଗ ନେଇ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦ ବିହାରର ହୋଇଥିବାରୁ ବିହାର ପ୍ରତି ଦରଦ ଦେଖାଇ ଏକ ରାଜନୈତିକ ସ୍ଥିରତା ଆଣିବା ବାହାନା କରି ସାମୟିକ ଭାବେ ଓଡ଼ିଶାରୁ ବିଚ୍ଛିନ୍ନ କରାଯାଉ ବୋଲି ସୁପାରିଶ କରିଥିଲେ  । ଫଳରେ ସେହି ବର୍ଷ ୧୯୪୮ ମେ ୧୮ ତାରିଖରେ ଷଢ଼େଇକଳା - ଖରସୁଆଁ ଓଡ଼ିଶାରୁ ବିଚ୍ଛିନ୍ନ ହୋଇଗଲେ 

ଓଡ଼ିଆ ଜାତି ଚିର ସରଳ ନିରୀହ ହୋଇ ଇତିହାସର ଏତେବଡ଼ ବିଡ଼ମ୍ବନାକୁ ବିନା ବାଧା
, କାଣିଚାଏ ପ୍ରତିବାଦ ବିନା ସହଜରେ ଗ୍ରହଣ କରିନେଲା। ପ୍ରକୃତରେ ଷଢ଼େଇକଳା-ଖରସୁଆଁର ଆଦିବାସୀ ଏ ବିଦ୍ରୋହର ମୁଖ୍ୟ ଥିଲେ କି ନା ପରେ ଜଣାପଡ଼ିଗଲା, ଯେତେବେଳେ ୧୯୪୮ ଡିସେମ୍ବର ୧୫ରେ ସର୍ଦ୍ଦାର ପଟେଲଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ପ୍ରତିନିଧିଙ୍କ ସହ ମିଶ୍ରଣ ଚୁକ୍ତି କରିଥିବା ଷଢ଼େଇକଳା ଖରସୁଆଁର ରାଜା କୁମାର ଆଦିତ୍ୟ ନାରାୟଣ ସିଂହଦେଓ ଓ ତାଙ୍କ ପିତା ମହାରାଜା କୁମାର ରୁଦ୍ରପ୍ରତାପ ସିଂହଦେଓ ଏହି ଚୁକ୍ତିର ବିରୋଧ ହୋଇଛି ବୋଲି ତତ୍କାଳୀନ ଫେଡ଼େରାଲ କୋର୍ଟରେ ଏକ ଅଭିଯୋଗ ଦାୟର କରିଥିଲେ। ଷଢ଼େଇକଳା-ଖରସୁଆଁ କେବଳ ଓଡ଼ିଶା ସହିତ ମିଶ୍ରଣ ହେଉ ବୋଲି ଇଚ୍ଛାବ୍ୟକ୍ତ କରି ରାଜା, ଭାରତ ସରକାରଙ୍କ ସହିତ ଚୁକ୍ତି କରିଥିଲେ। ମାତ୍ର ସେହି ଇଚ୍ଛାପତ୍ର ଓ ଚୁକ୍ତିନାମାର ଉଲଙ୍ଘନ କରି ଯେତେବେଳେ ବିହାର ସହିତ ମିଶାଇ ଦିଆଗଲା ଏହାର ନ୍ୟାୟ ସେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଠାରୁ ଚାହିଁଥିଲେ।

ଇତିହାସର ପୁଣି ଏକ ବିଡ଼ମ୍ବନା ଯେ ତତ୍କାଳୀନ ଫେଡ଼େରାଲ କୋର୍ଟ ଭାରତ ଗଣତନ୍ତ୍ର ରାଷ୍ଟ୍ର ଘୋଷିତ ହେବା ପରେ ସୁପ୍ରିମ କୋର୍ଟକୁ ପରିବର୍ତ୍ତିତ ହୋଇଗଲା। ସୁପ୍ରିମ୍‌ କୋର୍ଟର ପ୍ରଥମ ବିଚାର ଭାବେ ଏହି ଷଢ଼େଇକଳା ପ୍ରସଙ୍ଗକୁ ନିଆଗଲା ମାତ୍ର ଅତି ଅନ୍ୟାୟ ଏବଂ ପକ୍ଷପାତିତା ପ୍ରତୀୟମାନ ହେଉଥିବା ନ୍ୟାୟ ଦିଆଗଲା ଯେ ପକ୍ଷଭୁକ୍ତ ରାଜା ଆଉ କ୍ଷମତାସୀନ ନୁହନ୍ତି ତେଣୁ ଏହି ଆବେଦନକୁ ଖାରଜ କରାଗଲା ! ସୁପ୍ରିମ୍‌ କୋର୍ଟ ପରି ନ୍ୟାୟର ମନ୍ଦିରର ଭିତ୍ତି ପଡ଼ିଲା ଏଇପରି ଏକ ଅନ୍ୟାୟ ରାୟରେ !! ଇତିହାସ ଏହିପରି ବାରମ୍ବାର ଆହ୍ୱାନ ଦେଇଛି ଓଡ଼ିଆ ଜାତି ଆଗରେ । ଏହି ପରି ଏକ ଅନ୍ୟାୟର ପ୍ରତିବାଦ କରି ସେତେବେଳେ ଓଡ଼ିଶାରେ ପ୍ରବଳ ଜନଆନ୍ଦୋଳନ ମୁଣ୍ଡ ଟେକିଥିଲା ।

ପୁରୀ ଓ କଟକ ଆଦି ସ୍ଥାନରେ ଭୟଙ୍କର ଜନଆନ୍ଦୋଳନ ଦେଖି ତତ୍କାଳୀନ ଓଡ଼ିଶା ସରକାର କାହିଁକି ଓ କାହା ପ୍ରରୋଚନାରେ ଏହି ଆନ୍ଦୋଳନକୁ ପ୍ରତିହତ କରିବାକୁ ଗୁଳି ଚାଳନା କରିବା ନିର୍ଦ୍ଦେଶ ଦେଲେ ତାହା ମଧ୍ୟ ଓଡ଼ିଶା ଜାତି ଆଗରେ ଏକ ଅସମାହିତ ଐତିହାସିକ ପ୍ରଶ୍ନବାଚୀ ହୋଇ ରହିଯାଇଛି । ଏହି ଗୁଳି ଚାଳନା ହେତୁ ପୁରୀର ବେଙ୍ଗ ପାଣିଆ ବଡ଼ଦାଣ୍ଡ ଉପରେ ଏବଂ କଟକ ଠାରେ ପୁରୁଣା ଆକାଶବାଣୀ, ମଧୁପୁର କୋଠି ପାଖରେ ସୁନୀଲ ଦେ ହିଁ ଓଡ଼ିଆ ଭାଷା ଜନନୀଙ୍କ ପାଇଁ ଶହୀଦ ହୋଇଯାଇଥିଲେ 

ତତ୍କାଳୀନ ବିହାରୀ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପ୍ରତ୍ୟକ୍ଷ ଇଙ୍ଗିତରେ ଓଡ଼ିଶା ସରକାର ବାଧ୍ୟହୋଇ ନିଜ ମାଟି, ଭାଷା, ଜାତିର ସ୍ୱାର୍ଥ ସାଧନରେ ଆତ୍ମଘାତୀ କାର୍ଯ୍ୟ କରିଲେ ବୋଲି ଓଡ଼ିଆ ଜନଗଣଙ୍କ ମଧ୍ୟରେ ଚାପା ଗୁଞ୍ଜରଣ ଶୁଣାଗଲେ ମଧ୍ୟ ତାହା ଦିନ କେଇଟାରେ ନିରବି ଯାଇଥିଲା। ଇତିହାସ ସେଇ ଦିନୁ ମୌନ ହୋଇଯାଇଛି ସିନା ଏବେ ବି ଷଢ଼େଇକଳା-ଖରସୁଆଁ ବାସୀଙ୍କ ମନ, ପ୍ରାଣ, ହୃଦୟରେ ଓଡ଼ିଆତ୍ୱ ଅମର ହୋଇ ରହିଛି । ବିହାରୀ-ଝାଡ଼ଖଣ୍ଡୀ ପରିଚୟ ସେମାନଙ୍କୁ ଆତ୍ମ ସନ୍ତୋଷ ଦେଇ ପାରୁନାହିଁ। ଆଜି ବି ସେଠାରେ ମାଣବସା ଲକ୍ଷ୍ମୀପୂଜା, ଭାଗବତ ପାଠ, ରଥଯାତ୍ରା, ଜଗନ୍ନାଥ ପୂଜା, ସତ୍ୟନାରାୟଣ ପାଲା, ଓଡ଼ିଶୀ ସଂକୀର୍ତ୍ତନ, ରଜପର୍ବ ଆଦି ଓଡ଼ିଆ ସଂସ୍କୃତିର ମହନୀୟ ସମ୍ଭାର ସମାଦୃତ ହେଉଛି। ସାମୟିକ ବିଚ୍ଛିନ୍ନତାର ବାହାନାରେ ସେମାନେ ୭୦ ବର୍ଷ ଧରି ନାନାଦି ଅକଥନୀୟ ଦୁର୍ଦ୍ଦଶାରେ ସଢ଼ୁଛନ୍ତି। ଭାଷାଗତ, ସାଂସ୍କୃତିକ, ସାମାଜିକ, ଅର୍ଥନୈତିକ ତଥା ଜାତି-ଆବେଗିକ ତାଡ଼ନା, ଅତ୍ୟାଚାର ର ଶିକାର ହୋଇ ଚାଲିଛନ୍ତି। ଆଉ ମନରେ ଆଶା, ବିଶ୍ୱାସ, ଭରସା ଧରି ବସିଛନ୍ତି ଯେ ଓଡ଼ିଶାର ଜନଗଣ ଏକ ମହା ଜନଜାଗରଣ ସୃଷ୍ଟି କରି ସେମାନଙ୍କୁ ତାଙ୍କ ମୂଳ ରାଇଜକୁ, ଜଗନ୍ନାଥ ଦେଶକୁ ଫେରାଇ ନେବେ। ଏଇଭଳି ଏକ ସ୍ପର୍ଶକାତର ଐତିହାସିକ ଆହ୍ୱାନ ଆଜି ଓଡ଼ିଆ ଜାତି ପାଖରେ!!

ଗବେଷଣା ଓ ପ୍ରସ୍ତୁତି: ମନୋଜ କୁମାର ସାହୁ ମନ୍ମୟ’, ସମ୍ପାଦକ, ବିଶ୍ୱ ଓଡ଼ିଶା
ଗ୍ରାମ/ଡାକ: କୋତ୍ତମ ୭୫୯୦୧୫, ଜିଲ୍ଲା: ଢେଙ୍କାନାଳ, 
ଭ୍ରାମ୍ୟଭାଷ: ୯୭୭୭୦୦୦୩୦୪ 
globalodisha@gmail.com

15 अगस्त 2018

ଆଧାର ତଥ୍ୟ ଅଚିହ୍ନା ଶବ ଓ ଡିଜିଟାଲ ଇଣ୍ଡିଆ


ଡାଇରେକ୍ଟର୍ସ ଅଫ୍‌ ଫିଙ୍ଗର୍‌ପ୍ରିଣ୍ଟସ୍‌ ବ୍ୟୁରୋର ୧୯ତମ ଅଖିଳ ଭାରତୀୟ ସମ୍ମିଳନୀ ଅବସରରେ ୧୯ ଜୁନ୍‌ ୨୦୧୮ ଗୁରୁବାର ନ୍ୟାସ୍‌ନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (NCRB) ନିର୍ଦେଶକ ଈଶ କୁମାର ପ୍ରସ୍ତାବ ଦେଲେ ଯେ ପ୍ରଥମ ଥର ଅପରାଧ କରୁଥିବା ବ୍ୟକ୍ତି ଓ ଅଚିହ୍ନା ଶବ ଚିହ୍ନଟ କରିବା ପାଇଁ ପୁଲିସକୁ ସୀମିତ ଆଧାର ତଥ୍ୟ ହାସଲ କରିବାକୁ ଅନୁମତି ମିଳୁ। କାରଣ ପ୍ରତିବର୍ଷ ଦେଶରେ ୫୦ ଲକ୍ଷ ମାମଲା ରୁଜୁ କରାଯାଉଛି, ଯହିଁରୁ ୮୦-୮୫% ହେଉଛନ୍ତି କୌଣସି ପୁଲିସ ରେକର୍ଡ ନ ଥିବା ପ୍ରଥମ ଥର ଅପରାଧୀ। ଆହୁରି ମଧ୍ୟ ବର୍ଷକୁ ୪୦ ହଜାର ଅଚିହ୍ନା ଶବ ମିଳୁଛି। ଆଧାର ତଥ୍ୟ ହାସଲ କରିହେଲେ ଏହି ଶବଗୁଡ଼ିକୁ ଚିହ୍ନଟ କରି ସେମାନଙ୍କର ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଯାଇପାରନ୍ତା। ଗୃହ ବିଭାଗର କନିଷ୍ଠ ମନ୍ତ୍ରୀ ହଂସରାଜ ଅହିର କହିଲେ ଯେ ଆଇଡେଣ୍ଟିଫିକେସନ୍‌ ଅଫ୍‌ ପ୍ରିଜ୍‌ନର୍ସ ଆକ୍ଟ୍‌ ସହ କୁମାରଙ୍କ ପ୍ରସ୍ତାବ ମନ୍ତ୍ରାଳୟରେ ଆଲୋଚନା ହେବ। କିନ୍ତୁ ଠିକ୍‌ ଦିନଟିଏ ପରେ ୨୧ ଜୁଲାଇ ୨୦୧୮ରେ ଦେଶ ବ୍ୟାପୀ ଗଣମାଧ୍ୟମରେ ପ୍ରକାଶ ପାଇଲା ଯେ ଅପରାଧର ତଦନ୍ତ ପାଇଁ ଲୋକଙ୍କ ଆଧାର ତଥ୍ୟ ପୁଲିସକୁ ଦିଆଯିବ ନାହିଁ। ଭାରତୀୟ ବିଶିଷ୍ଟ  ପରିଚୟ କର୍ତ୍ତୃପକ୍ଷ (UIDAI) ପକ୍ଷରୁ ଆହୁରି ମଧ୍ୟ କୁହାଗଲା ଯେ ଅପରାଧର ତଦନ୍ତ ପାଇଁ ଲୋକଙ୍କ ଆଙ୍ଗୁଠି କିମ୍ବା ଆଖି ଡୋଳା ଆଦିର ତଥ୍ୟ ବା ବାୟୋମେଟ୍ରିକ ଡାଟାକୁ ତଦନ୍ତକାରୀ ସଂସ୍ଥାଙ୍କ ବ୍ୟବହାର ପାଇଁ ଦିଆଯିବାର ବ୍ୟବସ୍ଥା ଆଇନରେ ନାହିଁ ଏବଂ ଅତୀତରେ କୌଣସି ଅପରାଧ ତଦନ୍ତକାରୀ ସଂସ୍ଥାକୁ ଆଧାର ତଥ୍ୟ ପ୍ରଦାନ କରାଯାଇ ନାହିଁ। ତେବେ ଆଧାର ଆଇନର ଧାରା ୩୩ରେ ଅନ୍ୟକୁ ତଥ୍ୟ ପ୍ରଦାନ ସଂକ୍ରାନ୍ତରେ କିଛିଟା ବ୍ୟତିକ୍ରମ ରହିଛି। ଜାତୀୟ ସୁରକ୍ଷା ସଂକ୍ରାନ୍ତରେ ଜଡ଼ିତ ମାମଲାରେ ଆଧାର ତଥ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ଏହି ବ୍ୟତିକ୍ରମ ମଧ୍ୟରେ ଆସୁଛି। 

କ୍ୟାବିନେଟ୍‌ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ନିରୀକ୍ଷଣ କମିଟିର ପ୍ରାକ୍‌ ସ୍ୱୀକୃତି ଏଥିପାଇଁ ଆବଶ୍ୟକ। ଉକ୍ତ କମିଟିର ପ୍ରାକ୍‌ ସ୍ୱୀକୃତି ମିଳିବା ପରେ ହିଁ ଏହି ତଥ୍ୟ ପ୍ରଦାନର ବ୍ୟବସ୍ଥା ରହିଛି। ସୁପ୍ରିମକୋର୍ଟରେ ଚାଲିଥିବା ଆଧାର ମାମଲାରେ କେନ୍ଦ୍ର ସରକାରଙ୍କ ମତ ବି ଏୟା ରହିଛି।  ଆଧାର ଆଇନରେ ଅଛି ଯେ, ବାୟୋମେଟ୍ରିକ ଡାଟାକୁ କେବଳ ଆଧାର ତିଆରି ପାଇଁ ଏବଂ ଆଧାରକାର୍ଡଧାରୀଙ୍କୁ ପରିଚୟର ପ୍ରମାଣୀକରଣ ଲାଗି ବ୍ୟବହାର କରାଯାଇ ପାରିବ; ଏହାଛଡ଼ା ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ। ଏହି ଆଇନକୁ ଆଧାର କରି ଲୋକଙ୍କ ଆଧାର ତଥ୍ୟ କୌଣସି ଅପରାଧ ତଦନ୍ତକାରୀ ସଂସ୍ଥାକୁ ଦିଆଯାଇ ନାହିଁ। ଏପରିକି, ଏକ ନିର୍ଦ୍ଦିଷ୍ଟ ମାମଲାରେ ଆଧାର ତଥ୍ୟକୁ ତଦନ୍ତକାରୀ ସଂସ୍ଥାକୁ ଦେବା ଲାଗି ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେହି ଆଦେଶ ଉପରେ ସୁପ୍ରିମକୋର୍ଟ ରହିତାଦେଶ ଜାରି କରିଥିଲେ।

ଆପଣଙ୍କର ମନେ ଥାଇପାରେ ଜମ୍ମୁ କଶ୍ଜୀର ଓ ଆସାମ ଭଳି ଉଗ୍ରବାଦ ଓ ଆତଙ୍କବାଦ ବହୁଳ ରାଜ୍ୟରେ ପରିଚୟ ସଂକଟ ଅଧିକ ହେବାରୁ ପ୍ରକୃତ ଭାରତୀୟ ତଥା ଭାରତୀୟଙ୍କୁ ଚିହ୍ନଟ କରିବା ଜରୁରୀ ହୋଇଥିଲା। ସେଥିପାଇଁ ଭାରତର ମୁଖ୍ୟ ନିର୍ବାଚନ ଆୟୁକ୍ତ ଟି.ଏନ୍‌. ଶେଷାନ୍‌ଙ୍କ ଅମଳରେ ୧୯୯୩ ମସିହାରେ ଆରମ୍ଭ ହୋଇଥିଲା ଭୋଟର ପରିଚୟପତ୍ର। ଯାହାକୁ ଫଟୋ ପରିଚୟ ପତ୍ର ବୋଲି ମଧ୍ୟ କୁହାଯାଏ। ତେବେ ତାହାକୁ ରାଜ୍ୟ ସ୍ତରରେ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀମାନେ ପରିଚାଳନା କରୁଥିଲେ। ସେହି କାର୍ଡ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲେ ସୁଦ୍ଧା ତାହା ନାଗରିକ ପରିଚୟ ପତ୍ରର ମର୍ଯ୍ୟାଦା ପାଇ ନଥିଲା କି ନକଲ ପ୍ରତିରୋଧୀ ବ୍ୟବସ୍ଥା ନଥିଲା। ପରବର୍ତ୍ତୀ ସମୟରେ ବିପୁଳ ସଂସ୍କାର ଆଣିବାକୁ ବିପୁଳ ଅର୍ଥ ଶ୍ରାଦ୍ଧ କରାଯାଇଥିଲେ ସୁଦ୍ଧା ତାହା ଆବଶ୍ୟକତା ପୂରଣରେ ସମର୍ଥ ହୋଇ ନଥିଲା। ତେଣୁ ଜାନୁଆରି ୨୦୦୯ରେ ଦେଶବ୍ୟାପୀ ଆରମ୍ଭ ହୋଇଥିଲା ବିଶ୍ୱର ବୃହତ୍ତମ ପରିଚୟ ପତ୍ର ପ୍ରକଳ୍ପ ‘ଆଧାର’। ଏହି ୧୨ ଅଙ୍କ ବିଶିଷ୍ଟ ନମ୍ବର ସୃଷ୍ଟି କରିବା ପାଇଁ ଦେଶର ପ୍ରତ୍ୟେକ ୫ ବର୍ଷରୁ ଅଧିକ ବୟସର ନାଗରିକଙ୍କ ନାମ, ଲିଙ୍ଗ, ଜନ୍ମ ତାରିଖ, ଠିକଣା, ମୋବାଇଲ୍‌ ନମ୍ବର ସମେତ ଆଖିର ଫଟୋ ଓ ଆଙ୍ଗୁଠି ଚିହ୍ନ ଆଦି ବାୟୋମେଟ୍ରିକ୍‌ ତଥ୍ୟ ନିଆଯାଉଛି। ତଥାପି ସରକାର ଏହାକୁ ନାଗରିକ ପରିଚୟପତ୍ରର ମାନ୍ୟତା ଦେଇପାରି ନାହାନ୍ତି। 

୨୦୧୩ ଓ ୨୦୧୪ ମସିହାରେ ଭୁବନେଶ୍ୱର (ଓଡ଼ିଶା) ଓ ଇଟାନଗର (ଅରୁଣାଚଳ ପ୍ରଦେଶ)ରେ ଅନୁଷ୍ଠିତ National eGovernance Consultation Workshopରେ ଆମ୍ଭେ ଏହି କଥା ଉପରେ ଜୋର୍‌ ଦେଇଛୁ ଯେ ଆଧାର ତଥ୍ୟ ଜରିଆରେ ଏତେ ବଡ଼ ଦେଶକୁ ପୁଲିସ୍‌ର ସେବା ଯୋଗାଇବା ସମ୍ଭବ ଓ ସହଜ ହୋଇପାରିବ। ଏପରିକି ଏହା ଉପରେ ବିଭିନ୍ନ ମଞ୍ଚରେ ସ୍ୱର ଉତ୍ତୋଳନ କରିବା ସହ ସାମାଜିକ ଗଣମାଧ୍ୟମରେ ବ୍ଲଗ୍‌ ଜରିଆରେ ଦାବି କରିଆସିଛୁ। ବିଶେଷତଃ ୨୦୧୬ ଅକ୍ଟୋବର ୨୪ ତାରିଖରେ ପୁଲିସ୍‌ ଗୁଳିରେ ନିହତ ୨୮ ଜଣ ନକ୍ସଲବାଦୀଙ୍କ ମଧ୍ୟରୁ ୧୨ ଜଣଙ୍କର ପରିଚୟ ମିଳି ନପାରିବା ଏବଂ ସପ୍ତାହଟେ ପରେ ପୁଲିସ୍‌ ସେହି ଶବଗୁଡ଼ିକୁ ପୋତି ଦେବାଟା ସଭ୍ୟ ମାନବସମାଜ ପ୍ରତି ଏକ ଲଜ୍ଜାକର ଘଟଣା ଥିଲା। ବିଳମ୍ବରେ ହେଲେ ସୁଦ୍ଧା ଜାତୀୟ ଅପରାଧ ଅଭିଲେଖ ବ୍ୟୁରୋର ନିର୍ଦେଶକଙ୍କ ପ୍ରସ୍ତାବକୁ ‘‘ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ’’ ପ୍ରତ୍ୟାଖ୍ୟାନ କରିବାଟା ଏକ ପଛୁଆ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଖାଣ୍ଟି ଓଡ଼ିଆରେ ଯାହାକୁ କହନ୍ତି ଅବୁଝା ରାଜାକୁ ପାଳବିଣ୍ଡା ମନ୍ତ୍ରୀ ଭଳି କଥା ଇଏ।

ଏହାର ସମାଧାନ ପନ୍ଥା ଅଛି। ପ୍ରଥମତଃ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ ଭାରତର ବିଭିନ୍ନ ରାଜ୍ୟରେ ଜିଲ୍ଲାୱାରୀ କିମ୍ବା କେତୋଟି ଜିଲ୍ଲାକୁ ନେଇ ନିଜର ନିର୍ବାହୀ ଅଧିକାରୀ ନିଯୁକ୍ତ କରୁ ଏବଂ ସେ ହିଁ ବିଭିନ୍ନ ସ୍ଥାନକୁ ଗସ୍ତ କରି ବାୟୋମେଟ୍ରିକ୍‌ ମେସିନ୍‌ ପ୍ରୟୋଗ କରି ମୃତଦେହର ଓ ଅପରାଧୀର ଉପଲବ୍ଧ ତଥ୍ୟ ପୁଲିସ୍‌କୁ ଓ ପ୍ରଶାସନକୁ ଯୋଗାଇ ଦିଅନ୍ତୁ। ବ୍ୟାପକ ଜନହାନି ହୋଇଥିବା ପ୍ରାକୃତିକ ବିପର୍ଯ୍ୟୟ ଅବା ପରମାଣୁ ଆକ୍ରମଣ ପରେ ଦେଶବାସୀଙ୍କୁ ଚିହ୍ନଟ କରିବାରେ ପୁଲିସ୍‌ ଓ ପ୍ରଶାସନ  ନାକେଦମ୍‌ ହେବ; ଅଥଚ ଭାରତର ବିଶିଷ୍ଟ ପରିଚୟ ପ୍ରାଧିକରଣ  ସବୁ ତଥ୍ୟ ତା’ର କମ୍ପ୍ୟୁଟରରେ ଧରିକି ବସିଥିବ! ବିଶ୍ୱ ଦରବାରରେ ଇଏ କେଡ଼େ ଲୋକହସା କଥା କହିଲେ?

ପ୍ରଧାନସେବକ ନରେନ୍ଦ୍ର ଦାମୋଦର ଦାସ ମୋଦୀଙ୍କ Digital India ସ୍ୱପ୍ନର ମହତ୍ତ୍ୱ ରହିବ, ଯଦି ଆଧାର ଅନ୍‌ଲାଇନ୍‌ ତଥ୍ୟାବଳୀରୁ ଭାରତର କୌଣସି ନାଗରିକଙ୍କ ଶବକୁ ଚିହ୍ନଟ କରି ମର୍ଯ୍ୟାଦାର ସହ ତାଙ୍କ ଘରଲୋକଙ୍କୁ ଖବର ଦେଇହେବ ଏବଂ ତାଙ୍କର ଶେଷକୃତ୍ୟ କରାଯାଇପାରିବ। ବିଜ୍ଞାନ ଓ ପ୍ରଯୁକ୍ତିକୁ ବୁଝିଥିବା ଦେଶର ନିୟୁତ ନିୟୁତ ବ୍ୟକ୍ତି ଯଦି ଏହାକୁ ସାକାର କରିବାକୁ କଚେରୀ ପର୍ଯ୍ୟନ୍ତ ନଯିବେ, ଏତେ ବଡ଼ ଦେଶର ଏତେ ନିରୀହ ମଣିଷଙ୍କୁ ପରିଚାଳନା କରିବା କେତେ କଷ୍ଟ କହିଲେ? ଭାରତର ନାଗରିକ ଯଦି ଦେଶ ଭିତରେ ନିଜ ଠିକଣାରୁ ଦୂର ସ୍ଥାନରେ ମୃତ୍ୟୁ ମୁଖରେ ପଡ଼ିଲେ କୁକୁର ଭଳି ବ୍ୟବହାର ପାଇବ, ତାହା କେଉଁ ସଭ୍ୟ ସମାଜର ଲକ୍ଷଣ?

ବିମଳ ପ୍ରସାଦ, ଭ୍ରାମ୍ୟଭାଷ- ୯୯୩୭୩୫୩୨୯୩

04 अगस्त 2018

ଓଡ଼ିଶା ରାଜନୀତିରେ ବହିଲା କି ଅଣଚାଶ ପବନ

ଓଡ଼ିଶାକୁ ଭଲ ଲାଗିଛି ତେଲେଙ୍ଗାନା ବିଧାନ ପରିଷଦର ସଦସ୍ୟତା ଢାଞ୍ଚା
ବିଧାନ ପରିଷଦ ଗଠନ କଥା ଶୁଣି ଭୋଟ୍‌ ରାଜନୀତିରେ ରୁଚି ରଖୁଥିବା କିଛି ପୁରୁଖା ନାଗରିକ ଟୁପୁରଟାପୁରୁ ହେଲେଣି ଯେ ଏବେ ସମ୍ଭବତଃ ରାଜ୍ୟ ଶାସକ ଦଳର ଅଣଚାଶ ପବନ ବହିଲାଣି। କାରଣ ୪୯-ସଦସ୍ୟ ବିଶିଷ୍ଟ ବିଧାନ ପରିଷଦ ଗଢ଼ି କିଛି ଟିକଟ ଆଶାୟୀଙ୍କୁ ଥଇଥାନ କରି ୨୦୧୯ ନିର୍ବାଚନ ବୈତରଣୀ ପାର ହେବାକୁ ବିଜଦ ସୁପ୍ରିମୋ ନବୀନ ବାବୁ ଫିକର କରିଛନ୍ତି। 

ପୁରାଣ କଥାବସ୍ତୁ ଅନୁଯାୟୀ ପବନଙ୍କୁ କାଶ୍ୟପଙ୍କ ପତ୍ନୀ ଅଦିତି ଗର୍ଭରେ ଧରିଥିବା ବେଳେ ତାଙ୍କ ଶତ୍ରୁ ଆସି ଗର୍ଭରେ ପ୍ରବେଶ କରି ଭୃଣକୁ ୪୯ ଖଣ୍ଡ କରି କାଟିଲେ ମଧ୍ୟ ଭୃଣର ପ୍ରାଣ ଗଲା ନାହିଁ। ପରେ ୪୯ ରୂପରେ ପବନ ଜନ୍ମ ନେଲେ। ଲୋକ ବିଶ୍ୱାସ ରହିଛି ମଲା ବେଳକୁ ମଣିଷ ଦେହରୁ ପବନଙ୍କର ଏହି ୪୯ ମୂର୍ତି ବାହାରିଯାଏ। ଆଉ ସେଇଥି ପାଇଁ ମଣିଷ ହାଇଁପାଇଁ ହେଉଥାଏ। ଏହା ମଧ୍ୟରୁ ୧୧ ପବନ ମର୍ତ୍ତ୍ୟରେ, ୧୬ ପବନ ପାତାଳରେ, ୧୮ ପବନ ସ୍ୱର୍ଗରେ ଏବଂ ଶେଷ ୪ ପବନ ଦେହରେ ରହିଥାଏ।

ଏହି ଭଳି ୪ଟି ବର୍ଗର ଲୋକ ହିଁ ସଦସ୍ୟ ରୂପେ ବଛା ହେବେ ପରିକଳ୍ପିତ ଓଡ଼ିଶା ବିଧାନ ପରିଷଦକୁ। ୧୧ ଜଣ ହୋଇପାରନ୍ତି ସେବାନିବୃତ୍ତ ପ୍ରାଶାସନିକ ଅଧିକାରୀ ଯେଉଁମାନେ ଚାକିରିରେ ଥିବା ବେଳେ ଶାସକଙ୍କୁ ଉପାଦେୟ ସହାୟତା କରିଥିଲେ। ସେମାନେ କ୍ୟାରିଅର ପଲିଟିସିଆନ୍‌ ହୋଇ ନଥିବାରୁ ବିଧାନସଭା ଟିକଟ ଆଶାରେ ପୂର୍ଣଛେଦ ନଟାଣି ଏହି ପରିଷଦରେ ସେମିକୋଲନ ଟଣାଯିବ। ଏହି ତାଲିକାରେ କେହି କେହି ପ୍ରଭାବଶାଳୀ ପୂର୍ବତନ ସାମରିକ ଅଧିକାରୀ ବି ସାମିଲ ହୋଇପାରନ୍ତି। ୧୬ ଜଣଙ୍କ ମଧ୍ୟରେ ରହିବେ ୭୦ ଟପିସାରିଥିବା କିଛି ବିଧାନସଭା ଟିକଟ ବିକଳିଆ ବୟୋଜ୍ୟେଷ୍ଠ ରାଜନେତା। ୧୮ ମଧ୍ୟରେ ରହିବେ ଉଭୟ ଯୁବକ, ମଧ୍ୟବୟସ୍କ ଓ ବରିଷ୍ଠ ରାଜନେତା - ଯେଉଁମାନେ ଶେଷ ମୁହୂର୍ତ୍ତରେ ଟିକଟ ଯୁଦ୍ଧରେ ହାରିଯାଇଥିବେ କିମ୍ବା ଅନ୍ୟ ଦଳରୁ ନିକଟରେ ଅଣାଯାଇଥିବାରୁ ବହୁଦିନରୁ ଦଳରେ ରହି ରାଜନୀତି କରୁଥିବା ନେତାଏ ସେମାନଙ୍କୁ ସହି ପାରୁନଥିବେ, ଫଳରେ ସେମାନେ ବି ଟିକଟ ପାଉ ନଥିବେ। ଶେଷ ୪ ଜଣ ତ ଆପଣ ଜାଣିପାରୁଥିବେ, ସେମାନେ ଚର୍ଚିତ ମହିଳା। କେନ୍ଦ୍ର ସରକାରଙ୍କ ଭଳି ରାଜ୍ୟ ସରକାର ମହିଳାଙ୍କୁ ଗୁରୁତ୍ୱ ଦେଉ ନଥିବାରୁ ମାତ୍ର ୪ଜଣ ମହିଳା ହୁଏତ ବିଧାନ ପରିଷଦରେ ସ୍ଥାନ ପାଇବେ। ଏପରିକି ରାଜ୍ୟସଭା ଟିକଟ ଆଶାୟୀଙ୍କୁ ମଧ୍ୟ ଏହି ବିଧାନ ପରିଷଦରେ ଥଇଥାନ କରାଯିବ।

୨୦୧୪ ବିଧାନସଭା ନିର୍ବାଚନରେ ବ୍ରହ୍ମପୁରର ବୟୋଜ୍ୟେଷ୍ଠ ରାଜନେତା ରମେଶଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଟିକଟ ବଣ୍ଟନର ଶେଷ ତାରିଖରେ ହସପିଟାଲ ଶଯ୍ୟାରୁ ଡିସ୍‌ଚାର୍ଜ ହୋଇ ଯେପରି ଟିକଟ ପାଇଁ ଅଡ଼ିବସିଲେ, ତାହା ଓଡ଼ିଶା ରାଜନୀତିରେ ଏକ କଳା ଅଧ୍ୟାୟ ଯୋଡ଼ିଛି। କିନ୍ତୁ ଯୁବକଯୁବତୀମାନଙ୍କ ହୋସ୍‌ଲା ଓ ହିମ୍ମତ ଉପରେ ଭରସା ରଖି ବିଭିନ୍ନ ମଞ୍ଚରେ ଭାଷଣ ମାରୁଥିବା ନେତାଏ ଯେ ବାସ୍ତବରେ ବାଟ ଛେକି ବସିଥାଆନ୍ତି, ତାହାର ଏହି ଉଦାହରଣ ପ୍ରତି ବିଜଦ ଟିକଟ ବଣ୍ଟନ ଟିମ୍‌ ବେଶ୍‌ ସଚେତନ ଥିବା ହୃଦ୍‌ବୋଧ ହେଉଛି।

ରାଜ୍ୟ ବିଧାନମଣ୍ଡଳର ଉଚ୍ଚସଦନ ଏହି ‘ବିଧାନ ପରିଷଦ’ ଠିକ୍‌ ନୂଆଦିଲ୍ଲୀର ରାଜ୍ୟସଭା ଭଳି। ସଦସ୍ୟମାନଙ୍କର କାର୍ଯ୍ୟକାଳ ୬ ବର୍ଷ ହେବ। ତେବେ ସାପ କାତି ଛଡ଼ାଇଲା ଭଳି ପ୍ରତି ଦୁଇ ବର୍ଷରେ ଏକ ତୃତୀୟାଂଶ ସଦସ୍ୟଙ୍କ କାର୍ଯ୍ୟକାଳ ପୂରିବ ଏବଂ ନୂଆ ବ୍ୟକ୍ତି ସେଠାରେ ସଦସ୍ୟ ରୂପେ ସାମିଲ ହେବେ। ଏକ ତୃତୀୟାଂଶ ବୋଇଲେ ନିହାତି ୧୬ ଜଣ ସଦସ୍ୟ ବଦଳିବେ। ତେଣୁ ପହିଲି କରି ଗଢ଼ା ହେଉଥିବା ଏହି ବିଧାନପରିଷଦରେ କିଛି ସଦସ୍ୟଙ୍କୁ ଦ୍ୱିତୀୟ ଶ୍ରେଣୀର ସଦସ୍ୟ ରୂପେ ୪ ବର୍ଷ ଓ ୨ ବର୍ଷର କାର୍ଯ୍ୟକାଳକୁ ବରଦାସ୍ତ କରି ତ୍ୟାଗ ସ୍ୱୀକାର କରିବାକୁ ହେବ। ତଥାପି ଏମ୍‌ଏଲ୍‌ସି (Member of Legislative Council) ହେବାର ଫୁଟାଣି କସରତ ପାଇଁ ନିଜ ନିଜ ୪ ଚକିଆ ଗାଡ଼ିରେ ନାଲି ରଙ୍ଗର ଗାର ଟାଣି ସେଇ ସମସ୍ତେ MLCର ପୂରା ନାମ ଲେଖି ବୁଲିବେ। ଓଡ଼ିଶାର ଗଣମାଧ୍ୟମ ପାଇଁ ଏହି ନୂଆ ଘଟଣା, ଖବର ତିଆରି କରିବାକୁ ବହୁତ ଖୋରାକ ଯୋଗାଇବ। ତେବେ ରୋଚକ କଥାଟି ହେଉଛି MLA ବା ଏମେଲେ ଶବ୍ଦଟି ଓଡ଼ିଶାରେ ପରିଚିତ ହୋଇଥିବା ବେଳେ MLA MLC, ଉଭୟ ଶବ୍ଦର ଓଡ଼ିଆ ପ୍ରତିଶବ୍ଦ ‘ବିଧାୟକ’ ଲେଖିବାକୁ ଏମାନେ ଭଲ ପାଇବେ। ତେବେ ସବୁଠୁ ଚମକେଇଲା ଭଳି କଥାଟି ହେଉଛି, କେନ୍ଦ୍ରରେ ରାଜ୍ୟସଭାରେ ଶାସକ ଏନ୍‌.ଡି.ଏ. ମେଣ୍ଟର ସଂଖ୍ୟାଗରିଷ୍ଠତା ଅଭାବରୁ ଯେମିତି କିଲିବିଲି ହେଉଛି, ରାଜ୍ୟରେ ଶାସକ ଦଳ ଆଗାମୀ ନିର୍ବାଚନରେ ହାରିଲେ ବି ଏହି ୪୯ ପବନ, ନୂଆ ଶାସକ ଦଳର ୪୯ ପବନ ବୁହାଇ ନାକେଦମ୍‌ କରିବେ। ମାନେ ପୂରା ତ ଘାଣ୍ଟି ଦେବେ! ଦହି ବସାଇବା ପାଇଁ ପୁଣି ପୁରୁଣା ଦହିର କିଛି ଅଂଶକୁ ଜୁଆ ରଖିଲା ଭଳି ଏହି ୪୯ ସଦସ୍ୟରୁ କିଛି, ପୁଣି ଏକ ବିଧାନସଭା ନିର୍ବାଚନ ଆସିବା ବେଳକୁ ରାଜନୀତିକୁ ଜୀବନ୍ତ କରି ରଖିଥିବେ। କ’ଣ? କେମିତି ଲାଗୁଛି ରାଜ୍ୟ ଶାସକ ଦଳର ଚାଣକ୍ୟମାନଙ୍କ ଏ ଚୋଖା ଆଇଡିଆ?

ଆଜି ପ୍ରଭାତୀ ପଦଚାରଣ ବେଳେ ପାଖ ପ୍ରମୋଦଉଦ୍ୟାନରେ ପାଞ୍ଚ ଜଣ ପାଚିଲା ବୟସର ମଉସାଙ୍କ ଟୁପୁରୁଟାପୁରୁରୁ ଯେଉଁ ଜ୍ଞାନ ମିଳିଲା, ଫଟାଫଟ୍‌ ଲେଖି ପକାଇଥିଲି। ମୋର କିଛି ଦୋଷ ନାଇଁ।

ବିମଳ ପ୍ରସାଦ, ମଠକରଗୋଳା, ଢେଙ୍କାନାଳ | ଭ୍ରାମ୍ୟଭାଷ- ୯୯୩୭୩୫୩୨୯୩ |

01 अगस्त 2018

ଓଡ଼ିଆ ଖବରକାଗଜର ଇ-ପେପର ପରମ୍ପରା

ଛାପାଖାନାରୁ ବାହାରୁଥିବା ଖବରକାଗଜଗୁଡ଼ିକର ଅକ୍ଷର ସଜ୍ଜା, ଅଙ୍ଗସଜ୍ଜା ଓ ପରିପାଟୀ ଆଜିକାଲି କମ୍ପ୍ୟୁଟରରେ ହେଉଛି। ସେହି କମ୍ପ୍ୟୁଟରରୁ ହିଁ ବାହାରୁଛି ଛାପାଖାନାକୁ ଯିବା ପାଇଁ ଚୂଡ଼ାନ୍ତ ମାଷ୍ଟର ବା ପ୍ଲେଟ୍‌ ବା ଫିଲ୍ମ। ଆଜି ତାରିଖ ବେଳକୁ ମାଷ୍ଟରରେ ପ୍ରିଣ୍ଟ୍‌ କରିବାଟା ପୁରୁଣାକାଳିଆ ହୋଇଗଲାଣି। ତାହା ହୁଏତ ପ୍ଲେଟ୍‌ ବା ଫିଲ୍ମରୁ ଛାପା ହେଉଛି। ଏପରିକି କମ୍ପ୍ୟୁଟରରୁ ଆଦେଶ ଦେଲେ ମଧ୍ୟ ଅତ୍ୟାଧୁନିକ ଛାପାଖାନା ସେତିକି ସଂଖ୍ୟକ ସମ୍ବାଦପତ୍ର ଛାପିବାର ଜ୍ଞାନକୌଶଳ ଓଡ଼ିଶାକୁ ଆସିଗଲାଣି। ୨ ଅକ୍ଟୋବର ୧୯୯୬ରେ ବିଶିଷ୍ଟ ଜନନେତା ବସନ୍ତ ବିଶ୍ୱାଳଙ୍କ ମାଲିକାନାରେ ଆରମ୍ଭ ହୋଇଥିଲା ପ୍ରଥମ ରଙ୍ଗୀନ୍‌ ଓଡ଼ିଆ ଖବରକାଗଜ ‘ସମୟ’। ତେବେ ୧୯୯୭-୯୮ ବେଳକୁ ଅଗ୍ରଣୀ ଖବରକାଗଜଗୁଡ଼ିକ ମଧ୍ୟ ରଙ୍ଗୀନ ହୋଇ ବାହାରିଲା। ଆଜିକାଲି ୧୫ଟିରୁ ଅଧିକ ଓଡ଼ିଆ ଖବରକାଗଜ ପ୍ରତିଦିନ ରଙ୍ଗୀନ ହୋଇ ବାହାରୁଛି। କେଉଁଟା ହଜାରେ କିତା ଛାପା ହେଉଛି ତ କେଉଁଟା ଲକ୍ଷେ। ହେଲେ ଏ ରଙ୍ଗ ରହିଲେ ହେଲା! କାରଣ ସବୁ ତ କାଗଜ। ଏସବୁକୁ କ’ଣ ବର୍ଷ ବର୍ଷ ଧରି ସାଇତି ରଖିହେବ? ୧୯୯୯ ମହାବାତ୍ୟା ବେଳେ ବର୍ଷା ବିତ୍ପାତରେ ଓଡ଼ିଶାର ସର୍ବ ପୁରାତନ ଖବରକାଗଜ ‘ସମାଜ’ର ପ୍ରାୟ ୧୦ ବର୍ଷର ଗଚ୍ଛିତ କିତାଗୁଡ଼ିକ ନଷ୍ଟ ହୋଇଯାଇଛି। ସେହିଭଳି ଅନ୍ୟ ଖବରକାଗଜର ସଂରକ୍ଷଣର କାହାଣୀ ଓ ଇତିହାସ ମଧ୍ୟ ବେଶ୍‌ ରୋଚକ ଓ ଦୁଃଖଦାୟକ। ଏକାଧିକ ସଂସ୍କରଣ ଓ ବିପୁଳ ପୃଷ୍ଠାର ଦୈନିକ ଖବରକାଗଜ ସାଇତି ରଖିବାକୁ କୌଣସି ମାଲିକଙ୍କର ସଂରକ୍ଷଣଗୃହ ନାହିଁ। ତେବେ ଏହାର ସରଳ ସମାଧାନ ହିଁ ସେଇ କମ୍ପ୍ୟୁଟର। ଆଜିର କମ୍ପ୍ୟୁଟର ଯୁଗରେ ସେଇ କମ୍ପ୍ୟୁଟର ହାର୍ଡ଼ଡିସ୍କ୍‌ରେ ହିଁ ଖବରକାଗଜର ଚୂଡ଼ାନ୍ତ ଅଙ୍ଗସଜ୍ଜା ହୋଇଥିବା ରୂପକୁ ସାଇତି ରଖିହେବ। ମାତ୍ର ଅଙ୍ଗସଜ୍ଜା ହୋଇସାରିବା ପରେ ଖବରକାଗଜର କମ୍ପ୍ୟୁଟର ଫାଇଲ୍‌ ଏତେ ବଡ଼ ହୋଇଯାଏ ଯେ ସେଗୁଡ଼ିକୁ ନିଷ୍ଠାର ସହ ତଥା ଦୂରଦୃଷ୍ଟି ସମ୍ପନ୍ନ ଭାବରେ ରଖିବାକୁ କୌଣସି ଖବରକାଗଜ ମାଲିକଙ୍କର କୌଣସି ତାଗ୍‌ଡ଼ା ଯୋଜନା ନାହିଁ। ତେଣେ କମ୍ପ୍ୟୁଟର ହାର୍ଡ଼ଡିସ୍କର ସ୍ଥାନାଭାବ ସମସ୍ୟା ସମାଧାନ ପାଇଁ କେହି କେହି ସିଡି/ଡିଭିଡ଼ି ଇତ୍ୟାଦି ବ୍ୟବହାର କରିଥିବା ବେଳେ ତାହା ମଧ୍ୟ ସମୟଚକ୍ରରେ ଅବାଞ୍ଛିତ ହୋଇଯାଇଛି। ତେଣୁ ବାହ୍ୟ ହାର୍ଡ଼ଡିସ୍କର ମଧ୍ୟ ପ୍ରୟୋଗ କରୁଛନ୍ତି। ତଥାପି ସ୍ଥାନାଭାବ ଦେଖାଦେଉଥିବାରୁ କେତେକ ଖବରକାଗଜର ପରିଚାଳନା କର୍ତ୍ତୃପକ୍ଷ ବା ମାଲିକ ଏହି ସଂରକ୍ଷଣ ପ୍ରସଙ୍ଗଟିକୁ ଗୋଟାପଣେ ମୁଣ୍ଡରୁ ବାହାର କରିଦେଇଛନ୍ତି।

କେହି ନା କେହି ସାଇତି ରଖିବା ପାଇଁ ଅନ୍ୟ ଏକ ବିକଳ୍ପ ହେଲା ଇ-ପେପର। ୧ ଜାନୁଆରି ୨୦୦୯ରେ ପ୍ରଥମେ ‘ଧରିତ୍ରୀ’ ଖବରକାଗଜ ଇ-ପେପର ଛାଡ଼ିଲା। ଯାହା ଇଣ୍ଟରନେଟ୍‌ରେ ଉପଲବ୍ଧ ହେଲା ଏବଂ ଦେଶ ବିଦେଶରେ ଥିବା ଓଡ଼ିଆ ଲୋକମାନେ ଅବିକଳ ଖବରକାଗଜଟିର ଛବି ଖୋଲିକି ଖବର ପଢ଼ିପାରିଲେ। ୨୦୧୦-୧୧ ମସିହା ଠାରୁ ଇ-ପେପର ବାହାର କରିବା ଏକ ପରମ୍ପରା ପାଲଟିଗଲା ସବୁ ଓଡ଼ିଆ ଖବରକାଗଜ ପାଇଁ। ତାହାକୁ ଡାଉନ୍‌ଲୋଡ଼୍‌ କରି ସାଇତି ରଖିବାର ସୁଯୋଗ ସୃଷ୍ଟି ହେଲା। ବିଭିନ୍ନ ସରକାରୀ ବେସରକାରୀ ଗ୍ରନ୍ଥାଗାର ଓ ଅଭିଲେଖାଗାର ମାନେ ଖବରକାଗଜର ସେହି ସ୍ପର୍ଶହୀନ କାୟାକୁ ସାଇତି ରଖିବାର ସମ୍ଭାବନା ସୃଷ୍ଟି ହେଲା। ମାତ୍ର ଆଶ୍ଚର୍ଯ୍ୟର କଥା ଯେ କୌଣସି ବି ଗ୍ରନ୍ଥାଗାର ବା ଅଭିଲେଖାଗାର ସେହି ଇପେପରକୁ ସାଇତିବା ଆରମ୍ଭ କରି ନାହାନ୍ତି ଆଜି ତାରିଖ ସୁଦ୍ଧା। ଏବେ ‘ସମ୍ବାଦ’, ‘ଧରିତ୍ରୀ’, ‘ପ୍ରମେୟ’, ‘ସମାଜ’ର ଇ-ପେପର ବିପୁଳ ଲୋକପ୍ରିୟ ହୋଇଥିବା ବେଳେ ଏସବୁ ପ୍ରକାଶନ ସଂସ୍ଥାମାନଙ୍କର ଇ-ସଂରକ୍ଷଣ ଗନ୍ତାଘର ମଧ୍ୟ ନାହିଁ। ୨୦୧୫ ମସିହାର କୌଣସି ଇ-ପେପର ଆପଣ ଇଣ୍ଟରନେଟ୍‌ ଦରାଣ୍ଡିଲେ ପାଇବେ ନାହିଁ। ଏପରିକି ୨୦୧୬ ମସିହାର ମଧ୍ୟ। କେଉଁଠି ନା କେଉଁଠି କିଛି କେଁ ଥିବ, ତହିଁର ଉପଲବ୍ଧତା ନେଇ!

ଏବେ ସୁଦ୍ଧା ଯେଉଁ ଇ-ପେପର ବାହାରୁଛି, କେଉଁଟି ଛବି (image) ରୂପରେ ବାହାରୁଛି ତ ଆଉ କେଉଁଟି ବାହାରୁଛି ଅକ୍ଷର (text) ରୂପରେ। ଯଦି କେହି ଅକ୍ଷର ରୂପରେ ଖବରଗୁଡ଼ିକୁ ତାରିଖୱାରୀ ସାଇତି ରଖିବାକୁ ଚାହିବେ, ତେବେ ବହୁ ବର୍ଷର ଖବରକାଗଜର ପାଠ୍ୟକୁ ଅଳ୍ପ କ୍ଷମତାସମ୍ପନ୍ନ ହାର୍ଡ଼ ଡିସ୍କରେ ବି ରଖାଯାଇପାରିବ। କିନ୍ତୁ ଛବି ଆକାରେ ସାଇତିଲେ ତାହାର ୫ ଶହ ଗୁଣ ଅଧିକ କ୍ଷମତାସମ୍ପନ୍ନ ହାର୍ଡ଼ଡିସ୍କ ଲୋଡ଼ା ହେବ ଠିକ୍‌ ସେତିକି ବର୍ଷର ଖବରକାଗଜ ସାଇତିବା ପାଇଁ। ମଜା କଥା ହେଲା ଯେ ଜାଣତରେ ହେଉ ଅବା ଅଜାଣତରେ, ସଚେତନ ଭାବରେ ହେଉ ବା ଅନୁକରଣ କରି ହେଉ, ବିଭିନ୍ନ ଓଡ଼ିଆ ଖବରକାଗଜର ଇ-ପ୍ରତିକୃତି ବା ଇ-ପେପର ଗୁଡ଼ିକ ଛବି/ଅକ୍ଷର ରୂପରେ ପ୍ରକାଶ ପାଉଛି। ୨୮ଟି ଓଡ଼ିଆ ଖବରକାଗଜର ଇ-ପେପର ଉପରେ ଆମ୍ଭେ ଏକ ଅନୁଧ୍ୟାନ କରି ଜାଣିବାକୁ ପାଇଛୁ ଯେ ୧୬ଟି ଇ-ପେପର ଅକ୍ଷରସମ୍ପନ୍ନ (text) ହୋଇଥିଲା ବେଳେ ୧୨ଟି ଇ-ପେପର ସୁଦୁ ଛବି (image)। ଜ୍ଞାନକୌଶଳ ପ୍ରୟୋଗ କରି ଅକ୍ଷରସମ୍ପନ୍ନ ଇ-ପେପରର ଭବିଷ୍ୟତ ଭଣ୍ଡାରଣ ସୁଲଭ ବ୍ୟୟରେ କରାଯାଇପାରିବ। କିନ୍ତୁ ଛବି ଭିତ୍ତିକ ଇ-ପେପରର ଭବିଷ୍ୟତ ସଂରକ୍ଷଣ ଅତ୍ୟନ୍ତ ବ୍ୟୟବହୁଳ ଓ ଅବାନ୍ତର। ଇ-ପେପର ସାଧାରଣତଃ PDF (Portable Document Format) ବା ବହନକ୍ଷମ ଦସ୍ତାବିଜ୍‌ ପ୍ରାରୂପ ଆକାରେ ପ୍ରକାଶ ପାଇଥାଏ। ଏଥିପାଇଁ ଭଳିକି ଭଳି ପିଡିଏଫ୍‌ କାରକ ସଫ୍ଟୱେର ଥିବାରୁ ତହିଁରେ ଅକ୍ଷରସମ୍ପନ୍ନ ଇ-ପେପର ବନାଇବା ଅଧିକ ସୁବିଧାଜନକ।

ଅକ୍ଷରସମ୍ପନ୍ନ ୧୬ଟି ଇ-ପେପରଗୁଡ଼ିକ ହେଉଛି:- ୧.ସମାଜ, ୨.ସମ୍ବାଦ, ୩.ପ୍ରମେୟ, ୪.ନିତିଦିନ, ୫.ସର୍ବସାଧାରଣ, ୬.ସମ୍ବାଦକଳିକା, ୭.ପର୍ଯ୍ୟବେକ୍ଷକ, ୮.ମନ୍ଥନ, ୯.ସକାଳ, ୧୦.ଶ୍ରୁତି, ୧୧.ଓଡ଼ିଶା ଭାସ୍କର, ୧୨.ଓଡ଼ିଶା ଏକ୍ସପ୍ରେସ୍‌, ୧୩.ବଜ୍ରକୀଳା, ୧୪.ଓଡ଼ିଆର ସମ୍ମାନ, ୧୫.ବରଦାସ୍ତ, ଓ ୧୬.ଖୋଲାଫର୍ଦ୍ଦ।


ଛବି ଭିତ୍ତିକ ୧୨ଟି ଇ-ପେପର ହେଉଛି:
- ୧.ଧରିତ୍ରୀ, ୨.ପ୍ରଜାତନ୍ତ୍ର, ୩.ପ୍ରଗତିବାଦୀ, ୪.ସମୟ, ୫.ଅନୁପମ ଭାରତ, ୬.ଦିନଲିପି, ୭.ସୂର୍ଯ୍ୟପ୍ରଭା, ୮.ସଂଚାର, ୯.ମାତୃଭାଷା, ୧୦.ଦର୍ଶନ, ୧୧.ସ୍ୱାଧିକାର, ଓ ୧୨.ନ୍ୟାୟବତୀ ।
ଊନବିଂଶ ଶତାବ୍ଦୀରୁ ପୃଥିବୀର ୯୫% ଅଞ୍ଚଳରେ ଶିକ୍ଷା ଓ ସଚେତନତାର ଆଲୋକ ପହଞ୍ଚିସାରିଛି। ଏବେ ଏକବିଂଶ ଶତାବ୍ଦୀର ସାଢ଼େ ୧୭ ବର୍ଷ ଅତିକ୍ରାନ୍ତ। ଶିକ୍ଷା-ସଚେତନତାର ଆଲୋକମୟ ତୃତୀୟତମ ଶତାବ୍ଦୀରେ କ’ଣ ଓଡ଼ିଆମାନେ ସେଇ ୫% ବଣମଣିଷଙ୍କ ମେଳରେ ରହିଯିବେ? ଏଠି ତ ଆମେ ଇ-ପେପର କଥା ଗପୁଛେ।
ଆପଣ ଭାବିଛନ୍ତି କି ୧୯୮୨ ମସିହାର କୌଣସି ମାସର ବା ସପ୍ତାହର ଘଟଣା ପ୍ରବାହକୁ ଆପଣ ଓଡ଼ିଆ ଭାଷାରେ କେଉଁ ଭରସାଯୋଗ୍ୟ ଉତ୍ସରୁ ଚଟ୍‌କିନା ପାଇପାରିବେ? ଏଥିପାଇଁ କ’ଣ ଇଂଲିଶ୍‌ ମାଧ୍ୟମକୁ ଆଶ୍ରା କରିବେ? ଏଥିପାଇଁ କ’ଣ କଷ୍ଟ ସ୍ୱୀକାର କରି ତଥ୍ୟାୟନ କରି ପୁସ୍ତକ ପ୍ରକାଶ କରିଥିବା କୌଣସି ପ୍ରକାଶକ ବା ଲେଖକଙ୍କ ଦୟାର ପାତ୍ର ହେବେ? ଅଥବା ସମାଜ, ପ୍ରଜାତନ୍ତ୍ର, ଧରିତ୍ରୀ ବା ମାତୃଭୂମି ଗ୍ରନ୍ଥାଗାରକୁ ନିଜେ ଯାଇ ସେବେର ଖବରକାଗଜକୁ ଦରାଣ୍ଡିବେ? ଏବେ ସବୁ ଛାପା କାଗଜରୁ ଅକ୍ଷର ବାହାର କରିବାର କୌଶଳ ବାହାରିଲାଣି। ଯାହାକୁ OCR (Optical Character Recognition) ଜ୍ଞାନକୌଶଳ କୁହାଯାଉଛି। ତାହାକୁ ପ୍ରୟୋଗ କରି ୟୁନିକୋଡ଼୍‌ ଅକ୍ଷରରେ ଇତିହାସକୁ ମୌଳିକ ରୂପରେ ସାଉଁଟିବାର ସମ୍ଭାବନା ଆସି ସାରିଛି। କେବଳ ଆବଶ୍ୟକତା ରହିଛି ମାନସିକତାର ଓ ମାନସିକ ପ୍ରସ୍ତୁତିର। ପ୍ରସ୍ତୁତ ହେଲେ ପଇସା ଅଭାବ ହେବ ନାହିଁ। ବରଂ ଇଣ୍ଟରନେଟ୍‌ ମନସ୍କ ଦୁନିଆ ସହ ଓଡ଼ିଆ ସମୁଦାୟଙ୍କୁ ମଧ୍ୟ ସାମିଲ କରିହେବ।

ଆପଣ କ’ଣ କହିବେ କହନ୍ତୁ!

ବିମଳ ପ୍ରସାଦ, ୯୯୩୭୩୫୩୨୯୩

27 जून 2018

ଜଳସଂପଦ ରାଜନୀତିର ଖେଳଣା-ମନ୍ତ୍ରୀ ନିରଂଜନ !

ଆପଣଙ୍କର ମନେ ଥାଇପାରେ ଚଳିତ ବର୍ଷ(୨୦୧୮) ଏପ୍ରିଲ ୧୬ ତାରିଖରେ କୋଲକାତା ଠାରେ ହୋଇଥିଲା ପ୍ରଥମ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଆଞ୍ଚଳିକ ଜଳସଂପଦ ସମ୍ମିଳନୀ। ଉଦ୍ଦେଶ୍ୟ ଥିଲା, ଆଭ୍ୟନ୍ତରୀଣ ଓ ଆନ୍ତଃରାଜ୍ୟ ନଦୀ ଉପତ୍ୟକା ସମସ୍ୟାଗୁଡ଼ିକୁ ଆପୋଷ ଆଲୋଚନା ଜରିଆରେ ସମାଧାନ କରିବା। ଏଥିରେ ଭାଗ ନେଇଥିଲେ ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଂଗର ଜଳସଂପଦ ମନ୍ତ୍ରୀ ଓ ସେମାନଙ୍କର ସଚିବମାନେ। ଏଥିରେ କେନ୍ଦ୍ର ଜଳସଂପଦ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନରାମ ମେଘୱାଲ ଏବଂ କେନ୍ଦ୍ର ଜଳ ଆୟୋଗ (Central Water Commission) ଅଧ୍ୟକ୍ଷ ଯୋଗ ଦେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟକର କଥାଟି ହେଲା, ଏହି ସମ୍ମିଳନୀରେ ଓଡ଼ିଶାର ଜଳସମ୍ପଦ ମନ୍ତ୍ରୀ ଯୋଗ ଦେଇ ନଥିଲେ। ବରଂ ସେଠାକୁ ପ୍ରତିନିଧି କରି ପଠାଯାଇଥିଲା ଜଣେ ପୂର୍ବତନ ମନ୍ତ୍ରୀ ତଥା ଏବେର ସମବାୟ ଓ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କୁ। କିନ୍ତୁ ଦେଢ଼ ମାସ ତଳୁ (୩ ମାର୍ଚ ୨୦୧୮) ଜଳସଂପଦ ବିଭାଗର ମନ୍ତ୍ରୀ ପଦ ସମ୍ଭାଳିଥିବା ନିରଂଜନ ପୂଜାରୀଙ୍କୁ ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳି ନଥିଲା। ତେବେ ନିରଂଜନଙ୍କୁ ମନ୍ତ୍ରୀ କରାଯାଇଛି କାହିଁକି? ସେ କ’ଣ ଏକ ଖେଳଣା ମାତ୍ର?

ରାଜ୍ୟର କୌଣସି ସଚେତନ ନାଗରିକଙ୍କୁ ଏହା ଅଡ଼ୁଆ ଲାଗିଲାନି କି କୌଣସି ଗଣମାଧ୍ୟମକୁ ମଧ୍ୟ ଏହା ଆନ୍ଦୋଳିତ କଲା ନାହିଁ। ରାଜ୍ୟର ଶାସକ ଦଳ ସବୁ ଗଣମାଧ୍ୟମକୁ ନିଜ ପକେଟ୍‌ରେ ପୂରାଇ ସାରିଥିବାରୁ ତଥା ସାମ୍ବାଦିକମାନଙ୍କୁ ଆପ୍ୟାୟିତ କରି ରଖିଥିବାରୁ ଏହା କାହାରି ମନରେ ପ୍ରଶ୍ନବାଚୀ ବି ସୃଷ୍ଟି କଲା ନାହିଁ କି ଏବେ ବି କରି ନାହିଁ।

ଓଡ଼ିଶାର ଏବେକାର ବଡ଼ ଜଳସଂପଦ ମୁଦ୍ଦା ହେଉଛି - ମହାନଦୀ ଜଳ। ଆଉ ମହାନଦୀକୂଳିଆ ଯୁବକ ହେଉଛନ୍ତି ସ୍ୱୟଂ ଜଳସଂପଦ ମନ୍ତ୍ରୀ ନିରଂଜନ। ଅଥଚ ତାଙ୍କୁ ସେହି ସମ୍ମିଳନୀକୁ ପଠାନଯାଇ ପଠାଯାଇଥିଲା ସୂର୍ଯ୍ୟନାରାୟଣଙ୍କୁ। ନିରଂଜନଙ୍କ ଉପରେ କ’ଣ ଭରସା ପାଇଲା ନାହିଁ? ନିରଂଜନ ଓକିଲକୁ ସୂର୍ଯ୍ୟନାରାୟଣ ବି ଓକିଲ। ଉଭୟେ ଯୁକ୍ତି କରିବାରେ ଏବଂ ଇଂଲିଶ୍‌ କହିବା ଲେଖିବାରେ ମାହିର। କେଉଁ ବିଶେଷ ଯୋଗ୍ୟତା ପାଇଁ ସୂର୍ଯ୍ୟନାରାୟଣଙ୍କୁ ପ୍ରତିନିଧି କରାଗଲା ସେଇ ଆଞ୍ଚଳିକ ସମ୍ମିଳନୀରେ। ଅନ୍ୟ ରାଜ୍ୟରୁ ସତସତିକା ମନ୍ତ୍ରୀମାନେ ଆସିଥିବା ବେଳେ ଓଡ଼ିଶାରୁ ଯାଇଥିଲେ ଜଣେ ପ୍ରତିନିଧି। ଏହି ଶାସକୀୟ ବିକାର ଉପରେ ଅନ୍ୟ ରାଜ୍ୟର ଧାରଣା କ’ଣ ହୋଇଥିବ ତାହା ଅନୁଧ୍ୟାନ ସାପେକ୍ଷ।

ଆମ୍ଭଙ୍କୁ ସବୁଠୁ ବେଶି ଆନ୍ଦୋଳିତ କରୁଥିବା ପ୍ରଶ୍ନଟି ହେଉଛି. ଯଦି ନିରଂଜନ ପୂଜାରୀ ଜଣେ ଅଯୋଗ୍ୟ ବିଧାୟକ, ତେବେ ତାଙ୍କୁ ଜଳସଂପଦ ଭଳି ଏକ ଓଜନିଆ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ପଦବୀ ଦିଆଯାଇଛି କାହିଁକି? ସେଇ ସମାନ ତାରିଖ (୩ ମାର୍ଚ ୨୦୧୮)ରେ ଅନ୍ୟ ଏକ ଓଜନିଆ ବିଭାଗ ‘‘ପୂର୍ତ ବିଭାଗ’’କୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ଟେକି ଦେଇଛନ୍ତି କ୍ୟାବିନେଟ୍‌ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ କାନ୍ଧରେ। ଆପଣଙ୍କୁ ଲାଗୁନି କି ପଶ୍ଚିମ ଓଡ଼ିଶା ପ୍ରତି ରାଜଧାନୀର ନିକୃଷ୍ଟ ଆଚରଣ?

ରାଜ୍ୟବାସୀ ଏମିତି କଥାକୁ ଭୁଲି ଯାଆନ୍ତି ଏବଂ ଦଶ ବର୍ଷ ପରେ ପୁଣି କେହି ଏହା ଉପରେ ସ୍ତମ୍ଭ ଲେଖିଲେ ବା ପୁସ୍ତକ ଲେଖିଲେ, ସେତେବେଳେ ଶୀତଳଗୃହ ମଧ୍ୟରେ ଗରମ ହେବାରେ ସଭାସଦ୍‌ମାନେ ଆନନ୍ଦ ପାଆନ୍ତି! କ’ଣ ଏମିତି ଚାଲିଥିବ ଏ ରାଜ୍ୟ?

ପାକିସ୍ତାନ ରାଜନୀତିରେ ଯେମିତି କଶ୍ମୀର ଏକ ଭୋଟ୍‌ ବ୍ୟାଙ୍କ୍‌। ଓଡ଼ିଶାର ଶାସକଦଳ ପାଇଁ ସେମିତି ମହାନଦୀ ଜଳ ମୁଦ୍ଦା ଏକ ଭୋଟ୍‌ ବ୍ୟାଙ୍କ୍‌ ହୋଇପଡ଼ିଛି। କାଳେ ନମ୍ର ସ୍ୱଭାବର ଯୁବ ମନ୍ତ୍ରୀ ନିରଂଜନ କୌଣସି ସମାଧାନ ପନ୍ଥାରେ ରାଜି ହୋଇଯିବେ - ସମ୍ଭବତଃ ଏହି ଆଶଙ୍କାରେ ବି ମୁଖ୍ୟମନ୍ତ୍ରୀ ତାଙ୍କୁ ଖେଳଣା ଭଳି ବ୍ୟବହାର କରି ଥାଇପାରନ୍ତି। କାରଣ ମହାନଦୀ ଜଳ ସମସ୍ୟା ସମାଧାନ ହୋଇଗଲେ, ଶସ୍ତା ଭୋଟ୍‌ବ୍ୟାଙ୍କ୍‌ ପାଇଁ ୮ରୁ ୧୦ଟି ଜିଲ୍ଲା ସକାଶେ ଆଉ କିଛି ମୁଦ୍ଦା ରହିବ ନାହିଁ।

ମନ୍ତ୍ରୀଙ୍କ କଥାକୁ ବିଭାଗୀୟ ସଚିବମାନେ ଖାତିର କରୁ ନାହାନ୍ତି - ଏ କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି। ତେବେ କୋଲକାତାରେ ହୋଇଥିବା ପୂର୍ବାଞ୍ଚଳ ରାଜ୍ୟର ଜଳସଂପଦ ସମ୍ମିଳନୀର ବିକୃତିକୁ ଲକ୍ଷ୍ୟ କଲେ, ଓଡ଼ିଶାର ସରକାରୀ ଔଦ୍ଧତ୍ୟର ମାତ୍ରା କେଉଁଠି ପହଞ୍ଚିଲାଣି, ତାହା ଜଳଜଳ ଦେଖାଯାଉଛି। କିନ୍ତୁ ଓଡ଼ିଶା ସରକାର କେବଳ ଗୋଟିଏ କଥା ଧରିଛି ଯେ ସବୁ ଜଳ, ଉପର ମୁଣ୍ଡରେ ଛତିଶଗଡ଼ ଅଟକାଇ ଦେଇଛି। ତେଣୁ ଓଡ଼ିଶାରେ ନଦୀଜଳ ପରିଚାଳନା ପୂରା ଅକାମୀ ହୋଇଯାଇଛି।

20 जून 2018

ଆହେ ନୀଳ ଶୈଳ ବନାମ ଚକାନୟନକୁ ପତିତ କେହି

ପୁଣି ଅଭିଯୋଗ ଉଠିଛି ମୁମ୍ବଇୟା ଗାୟିକା ସୋନା ମହାପାତ୍ରଙ୍କ ନାମରେ। ସେ ଓଡ଼ିଆ ବଂଶୋଦ୍ଭବ ହୋଇ ଓଡ଼ିଆ ଭାଷା, ସଂସ୍କୃତି ଓ ଧାର୍ମିକ ଭାବନାକୁ ଆଘାତ ଦେବା ଅତ୍ୟନ୍ତ ନିନ୍ଦନୀୟ। ବିଶ୍ୱର ଲୋକପ୍ରିୟ ଭିଡ଼ିଓ ମିଡ଼ିଆ ‘ୟୁଟ୍ୟୁବ୍‌’ରେ ସେଇ ଗୀତକୁ ଅପ୍‌ଲୋଡ଼୍‌ କରି ନଥିଲେ ଏତେ ନାଟ ହୋଇ ନଥାଆନ୍ତା। ଆଜିକୁ ଠିକ୍‌ ୩ ବର୍ଷ ତଳେ ମେ ୨୦୧୫ରେ ସେ ଓଡ଼ିଶାର ଲୋକପ୍ରିୟ ଲୋକଗୀତ ‘ରଙ୍ଗବତୀ’କୁ ବିକୃତ କରି ନିନ୍ଦିତ ଓ ଚର୍ଚିତ ହୋଇଥିଲେ। ଏବେ ୩ ବର୍ଷ ପରେ ପୁଣି ବିବାଦୀୟ ହୋଇ ଧ୍ୟାନ ଆକର୍ଷଣ କରିବାକୁ ବ୍ୟଗ୍ର ହୋଇପଡ଼ିଛନ୍ତି ସୋନା।

‘‘ଆହେ ନୀଳ ଶୈଳ...’’ ଭଜନକୁ ବିକୃତ କରି ସେ ପ୍ରତିଟି ଓଡ଼ିଆଙ୍କ ମନରେ ଗୁରୁତର ଆଘାତ ଦେଇଛନ୍ତି। ଯଦିଚ ଆମର ସହନଶୀଳତା କାରଣରୁ ତାଙ୍କୁ ଗୌରୀ ଲଙ୍କେଶଙ୍କ ଭଳି ଅବସ୍ଥା ଭୋଗିବାକୁ ପଡ଼ିବ ନାହିଁ। ତଥାପି ସେ କ୍ଷମା ମାଗିନେବା ସହ ‘ୟୁଟ୍ୟୁବ୍‌’ରୁ ସେହି କ୍ଲିପ୍‌କୁ ହଟାଇଦେବା ଉଚିତ।

ସାଧାରଣତଃ ଉଚ୍ଚାରଣ ଭୁଲ୍‌ କରୁଥିବା କଣ୍ଠଶିଳ୍ପୀମାନଙ୍କୁ ସଂଗୀତକାରମାନେ ନିଜ ପ୍ରକଳ୍ପରେ ନେଇ ନଥାଆନ୍ତି। ଏ କ୍ଷେତ୍ରରେ ଅକ୍ଷୟ ମହାନ୍ତି, ବାଳକୃଷ୍ଣ ଦାଶ, ପ୍ରଫୁଲ୍ଲ କର, ରାଧାକୃଷ୍ଣ ଭଂଜ ପ୍ରଭୃତି ସଂଗୀତକାରଙ୍କୁ ଉଦାହରଣ ରୂପେ ନିଆଯାଇପାରେ। ମୁମ୍ବାଇରେ ମଞ୍ଚ କାର୍ଯ୍ୟକ୍ରମରେ ଗାଉଥିଲେ ବି ରେକର୍ଡ଼ ବା ଫିଲ୍ମରେ ଗାଇବାକୁ ସୋନା ମହାପାତ୍ର ଯଥେଷ୍ଟ ସୁଯୋଗ ନପାଇବାର କାରଣ ତାଙ୍କ ଭୁଲ୍‌ ଉଚ୍ଚାରଣ ହୋଇଥାଇପାରେ। ଅନ୍ୟ ପକ୍ଷରେ, ଗାଉଥିବା କଳାକାରମାନେ ଗୋଟିଏ ଗୀତକୁ ନେଇ ମଞ୍ଚକୁ ଉଠିବା ପୂର୍ବରୁ ଶହେ ଗୀତକୁ ଦୁଇ ଶହ ଥର ଶୁଣିଥାଆନ୍ତି। ଅଣଓଡ଼ିଆ କଣ୍ଠଶିଳ୍ପୀମାନେ ଓଡ଼ିଆ ଗୀତକୁ ଏତେ ଭାବପୂର୍ଣ ଭାବରେ ଗାଇ ପାରୁଥିବା ବେଳେ ସୋନା ଜଣେ ଖନି ଭଳି ଉଚ୍ଚାରଣ କରିବାର ଉଦ୍ଦେଶ୍ୟ କ’ଣ? ଆଶା ଭୋସ୍‌ଲେ, ଲତା ମଙ୍ଗେସକର, ବାଣୀ ଜୟରାମ, ପି. ସୁଶୀଳା, ଏସ୍‌. ଜାନକୀ, କବିତା କ୍ରିଷ୍ଣମୂର୍ତ୍ତି, ହୈମୟନ୍ତୀ ଶୁକ୍ଳା, ଅନୁରାଧା ପୌଡ଼ୱାଲ, ଅଲକା ଯାଜ୍ଞିକ୍‌, ସୁରେଶ ୱାଡ଼କର, ବାବୁଲ ସୁପ୍ରିୟ, ମହମ୍ମଦ ଅଜିଜ୍‌, ସୋନୁ ନିଗମ, କୁମାର ସାନୁ - ଏମିତି ପ୍ରାୟ ଶହେ ଜଣ ଅଣଓଡ଼ିଆ କଣ୍ଠଶିଳ୍ପୀ ରାଶି ରାଶି ମନଛୁଆଁ ଗୀତ ଗାଇସାରିଥିବା ବେଳେ ସେମାନଙ୍କ ଗୀତକୁ ଶୁଣିବାର ଆବଶ୍ୟକତା ଅଛି ଏବେର ସବୁ କଣ୍ଠଶିଳ୍ପୀମାନଙ୍କୁ।
ସୌଜନ୍ୟ: ସମ୍ବାଦ, ୨୦ ଜୁନ୍‌ ୨୦୧୮
ତେବେ ଗୀତକୁ ବିକୃତ କରି ଗାଇବା ଏକ ନୂଆ ଘଟଣା ନୁହେଁ। ରଘୁନାଥ ପାଣିଗ୍ରାହୀ ଓ ଭିକାରୀ ବଳଙ୍କ ଭଳି ଯଶସ୍ୱୀ ସଂଗୀତଜ୍ଞମାନେ ମଧ୍ୟ ଭୁଲ୍‌ ଗାଇଛନ୍ତି। ତାହାର ଏକ ଉଦାହରଣ ହେଲା ଚନ୍ଦନ ହଜୁରୀଙ୍କ ବିରଚିତ ଲୋକପ୍ରିୟ ଭଜନ - ‘‘ଚକାନୟନକୁ ପତିତ କେହି, ତକାଇ ଖର ନିଃଶ୍ୱାସ ପକାଇ‘‘ରେ ଠାଏ ରହିଛି:- କରି ହରଣ ଦ୍ରୌପଦୀ ବିପତ୍ତି... କିନ୍ତୁ ଏହାକୁ ସେମାନେ ହରିଣ ଅବା ହରିଣୀ ବୋଲି ଗାଇଛନ୍ତି। ଫଳରେ ସେମାନଙ୍କ ପଦାଙ୍କ ଅନୁସରଣ କରି ନୂଆ ପିଢ଼ିର ସୁପ୍ରସିଦ୍ଧ ଭଜନଶିଳ୍ପୀ ନମିତା ଅଗ୍ରୱାଲ ବି ଗାଇଛନ୍ତି - ‘‘କରି ହରିଣୀ ଦ୍ରୌପଦୀ ବିପତ୍ତି...’’। ଭଗବାନ ଜଣେ ହରିଣୀକୁ ବିପତ୍ତିରୁ ଉଦ୍ଧାର କରିଥିଲେ। କିନ୍ତୁ ଏଠାରେ ଦ୍ରୌପଦୀଙ୍କ ବସ୍ତ୍ରହରଣ ଲଜ୍ଜା ଜଡ଼ିତ ବିପତ୍ତି ହରଣ କଥା କହିଛନ୍ତି ଭକ୍ତ ଚନ୍ଦନ ହଜୁରୀ (ଓରଫ ଚାଖି ଖୁଣ୍ଟିଆ)। ଯଦିଚ ଶବ୍ଦଟି ହେଉଛି ହରଣ ବା ହରିଣ, ତେବେ ‘କରି’ ଶବ୍ଦ ଲାଗିଥିବାରୁ ତାହା କେବଳ ‘ହରଣ’ ହେବ। ସ୍ୱରରେ ମାଧୁର୍ଯ୍ୟ ଥିବାରୁ ଏଭଳି ତ୍ରୁଟିଗୁଡ଼ିକୁ ବିମୁଗ୍ଧ ଶ୍ରୋତାମାନେ ଅତୀତରେ ଧରି ନାହାନ୍ତି। ଏହାର ଅର୍ଥ ନୁହେଁ ଯେ ଯିଏ ଯେତେବେଳେ ଚାହିବ, ଭୁଲ୍‌ ଗାଇବ, ଆଉ ବେସୁରା ବି!

ବିମଳ ପ୍ରସାଦ, ୯୯୩୭୩୫୩୨୯୩