17 जून 2015

ଡିଜିଟାଲ ଲକରରେ ଓଡ଼ିଶା ପଛୁଆ

ଭୁବନେଶ୍ୱର, ୧୭.୦୬.୧୫: (ବିମଳ ପ୍ରସାଦ) ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ କାଗଜହୀନ ପ୍ରଶାସନ ଉଦ୍ଦେଶ୍ୟରେ ପ୍ରଚଳିତ ଡିଜିଟାଲ ଲକର ସ୍କିମ୍‍ରେ ଓଡ଼ିଶା ପଛରେ ପଡ଼ିଯାଇଛି । ଓଡ଼ିଶାରେ ଆକାଉଣ୍ଟ୍‍ ଖୋଲିଥିବା ବ୍ୟବହାରକାରୀଙ୍କ ସଂଖ୍ୟା ପ୍ରାୟ ୧ ହଜାର ରହିଥିବା ବେଳେ ମଧ୍ୟପ୍ରଦେଶରେ ୨୯୨୦୦ରୁ ବେଶି ଆକାଉଣ୍ଟ୍‌ ଖୋଲିଛନ୍ତି। ସେହିଭଳି ଉତ୍ତରପ୍ରଦେଶରେ ଏହି ସଂଖ୍ୟା ୨୧୪୦୦ରୁ ବେଶି ଏବଂ ମହାରାଷ୍ଟ୍ରରେ ୧୮୨୦୦ରୁ ବେଶି। ଗୁଜୁରାଟ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କର୍ଣାଟକ, ହରିଆନା, ଦିଲ୍ଲୀ, ତାମିଲନାଡୁ, ବିହାର, ଓ କେରଳ ଆଦି ରାଜ୍ୟରେ ୫ହଜାରରୁ ୧୮ହଜାର ପର୍ଯନ୍ତ ଆକାଉଣ୍ଟ୍‍ ଖୋଲା ସରିଛି । ଏହା ସହ ଦେଢ଼ଲକ୍ଷରୁ ଅଧିକ ଦଲିଲ ମଧ୍ୟ ଅପ୍‍ଲୋଡ଼୍‍ ହୋଇସାରିଛି। 

ଡିଜିଟାଲ ଲକର ହେଉଛି ଭାରତ ସରକାରଙ୍କ ଏକ ଉତ୍ସର୍ଗୀକୃତ ଦଲିଲ୍‍ ଭଣ୍ଡାରଣ ବ୍ୟବସ୍ଥା। ଏହାର ଲକ୍ଷ୍ୟ ହେଉଛି କାଗଜ ଦଲିଲ ବ୍ୟବହାରକୁ ବନ୍ଦ କରିବା ଏବଂ ଯାଞ୍ଚ କରା ହୋଇଥିବା ଇ-ଦଲିଲଗୁଡ଼ିକୁ ବିଭିନ୍ନ ସରକାରୀ ଦପ୍ତରରେ ଗ୍ରହଣୀୟ କରାଇବା । ଦେଶର ନାଗରିକମାନେ ନିଜର ଇଲେକ୍ଟ୍ରୋନିକ୍‍ ଦଲିଲ୍‍ଗୁଡ଼ିକୁ ଅପ୍‍ଲୋଡ଼୍‍ କରି, ଇ-ସାଇନ୍‍ ସୁବିଧା ଜରିଆରେ ସେଗୁଡ଼ିକୁ ଡିଜିଟାଲି ସାଇନ୍‍ କରାଇପାରିବେ।
କେଉଁଠି ପ୍ରମାଣପତ୍ର ଦାଖଲ କରିବାକୁ ହେଲେ ଆମେ ଜେରକ୍ସ କରି ଅଥବା ସ୍କାନ୍‍ କରି ତାହାକୁ ପୁଣି ପ୍ରିଣ୍ଟ୍‍ କରୁଥିଲେ। ଏପରିକି ତାହାକୁ ଆଟେଷ୍ଟେଡ଼୍‍ ମଧ୍ୟ କରିବାକୁ ପଡୁଥିଲା। କିନ୍ତୁ ନୂଆ ବ୍ୟବସ୍ଥା ଦ୍ୱାରା ଏସବୁ ଇତିହାସ ପାଲଟିବ। ଏପରିକି ପେନ୍‍ଡ୍ରାଇଭ୍‍, ବାହ୍ୟ ହାର୍ଡ଼ ଡ୍ରାଇଭ୍‍ ବା କମ୍ପ୍ୟୁଟରର ହାର୍ଡ଼ଡିସ୍କରେ ବା ୱେବ୍‍ କମ୍ପାନୀର ଗୁଗୁଲ୍‍ ଡ୍ରାଇଭ୍‍, ୱାନ୍‍ ଡ୍ରାଇଭ୍‍ ଇତ୍ୟାଦିରେ ଆମର ଡିଜିଟାଲ ଦଲିଲ୍‍ ରଖିବା ଲୋଡ଼ା ହେବ ନାହିଁ ।

ଡିଜିଟାଲ ଲକରର ପ୍ରଥମ ସୁବିଧାଟି ହେଲା, ସରକାରୀ ଇ-ଡକୁମେଣ୍ଟ୍‍ ପାଇବା ପାଇଁ କୌଣସି ଭାରତୀୟ ନାଗରିକ ଗୋଟିଏ ଲେଖାଏଁ ବ୍ୟକ୍ତିଗତ ଆକାଉଣ୍ଟ୍‍ ଖୋଲିବାର ସୁଯୋଗ ପାଇବେ ।
ନିଜ ଆଧାରକାର୍ଡ଼ ନମ୍ବର ଓ ତତ୍‍ସଂଲଗ୍ନ ମୋବାଇଲ୍‍ ନମ୍ବର ଦେଇ www.digitallocker.gov.in ବା www.digilocker.gov.in ରେ ନିଜର ଆକାଉଣ୍ଟ୍‍ ଖୋଲି ପାରିବେ । ଅର୍ଥାତ୍‍ କୌଣସି ନାଗରିକଙ୍କୁ ତାଙ୍କ ଆଧାର ବାୟୋମେଟ୍ରିକ୍‍ ତଥ୍ୟରୁ ହିଁ ଡିଜିଟାଲ ଲକର୍‌ ଚିହ୍ନିବ। ଦ୍ୱିତୀୟ ସୁବିଧାଟି ହେଲା, ଦେଶର ଅଧିବାସୀ ସଂକ୍ରାନ୍ତ ଦଲିଲଗୁଡ଼ିକ ଇ-ସ୍ୱାକ୍ଷରିତ ହେବା ସହ ସେଗୁଡ଼ିକ ଡିଜିଟାଲ ରୂପରେ ଉପଲବ୍ଧ ହେବ । ତୃତୀୟ ସୁବିଧାଟି ହେଲା, ସରକାରୀ ବିଭାଗମାନେ ବିଭିନ୍ନ ଉଦ୍ଦେଶ୍ୟରେ ସେହି ନାଗରିକଙ୍କ ଅନୁମତି କ୍ରମେ ତାଙ୍କର ବାସସ୍ଥାନ ପ୍ରମାଣପତ୍ର, ଅନ୍ୟ ସରକାରୀ ସଂସ୍ଥା ଦେଇଥିବା ପ୍ରମାଣପତ୍ର ଦେଖି ପାରିବେ; ଏବଂ ସଂପୃକ୍ତ ନାଗରିକଙ୍କ ଡିଜିଟାଲ ସ୍ୱାକ୍ଷରିତ ପ୍ରମାଣପତ୍ର ବା ଇ-ଦଲିଲ୍‍କୁ ବିଭିନ୍ନ ପ୍ରମାଣପତ୍ର ପ୍ରଦାନକାରୀ ଦପ୍ତର ସେହି ଆକାଉଣ୍ଟ୍‍ରେ ରଖିବେ । ଫଳରେ ପ୍ରାଶାସନିକ ବ୍ୟୟ କମିବା ସହ ସମୟ ଓ ପରିଶ୍ରମ ମଧ୍ୟ କମିଯିବ। ଚତୁର୍ଥ ସୁବିଧାଟି ହେଲା ଯେ ସଂପୃକ୍ତ ନାଗରିକ ଯୁଆଡ଼େ ଖାଲି ହାତରେ ଗଲେ ବି ଯେକୌଣସି ସମୟରେ ନିଜର ପ୍ରମାଣଯୋଗ୍ୟ କାଗଜାତ ସବୁକୁ ଅନ୍‍ଲାଇନରେ ଥିବା ଏକ ମାନକ ଫର୍ମାଟ୍‍ରେ ଦେଖାଇପାରିବେ ଏବଂ ବିଭିନ୍ନ କ୍ଷମତାସଂପନ୍ନ ଦପ୍ତର ସହ ବିନିମୟ କରିପାରିବେ ।  ଏହି ସେବା ସରକାରୀ କ୍ଲାଉଡ଼୍‍ରେ ପ୍ରତ୍ୟେକ ନାଗରିକଙ୍କ ପାଇଁ ମିଳୁଅଛି।

ଓଡ଼ିଶାରେ ଆଧାର ପଂଜୀକରଣ ଶତ ପ୍ରତିଶତ ସରିନାହିଁ। ଏଣେ ରାଜ୍ୟବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ମଧ୍ୟ ଏହି ଡିଜିଟାଲ୍‌ ଲକର୍‌ ସ୍କିମ୍‍କୁ ଆଗକୁ ନେବାକୁ କୌଣସି ପଦକ୍ଷେପ ନେଇ ନାହାନ୍ତି। ଏ ପ୍ରସଙ୍ଗରେ ରାଜ୍ୟ ସୂଚନାପ୍ରଯୁକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀ RN ପଲାଇ କହିଛନ୍ତି, ‘‘କିଛି ସପ୍ତାହ ତଳେ ଆମେ ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ବିଭାଗୀୟ ଚିଠି ପାଇଛୁ । ଆଉ କିଛି ଦିନ ଭିତରେ ଏହା ଉପରେ ପଦକ୍ଷେପ ନେବୁ ’’

कोई टिप्पणी नहीं:

एक टिप्पणी भेजें