15 जून 2015

ଓଡ଼ିଶା କଂଗ୍ରେସର ଗତି କୁଆଡ଼େ?


[ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କାଙ୍କ ‘‘ରାଜନୀତିରେ ଅପ୍ରିୟ ସତ୍ୟ’’(ଓଡ଼ିଶା ଭାସ୍କର, ୧୫ ଜୁନ୍‌ ୨୦୧୫) ପ୍ରବନ୍ଧର ଶଂସିତ ସାରାଂଶ]

କେତେକ ଆଦର୍ଶବାଦୀ ଯୁବକ କଂଗ୍ରେସ ଦଳରେ ଯୋଗ ଦେଇ କଂଗ୍ରେସର ସ୍ଥାଣୁ ଅବସ୍ଥାକୁ ଭାଙ୍ଗିବା ପାଇଁ ଆସ୍ତେ ଆସ୍ତେ ଚେଷ୍ଟା କରୁଛନ୍ତି। ସେମାନଙ୍କ ମତରେ କଂଗ୍ରେସ ପୂର୍ବ ଅବସ୍ଥା ଭାଙ୍ଗି ଅଚଳ ହୋଇ ପଡ଼ିଲାଣି। ତେଣୁ ଦଳର ପ୍ରଚଳିତ ବ୍ୟବସ୍ଥାରେ ଆମୂଳଚୂଳ ପରିବର୍ତନ ଦରକାର। xxx କିନ୍ତୁ ଯାହା ଦେଖାଯାଉଛି ଆମ୍ଭେ କଂଗ୍ରେସ ଦ୍ଵାରକୁ ଉନ୍ମୁକ୍ତ କରି ଯୁବକଙ୍କୁ ବାଟ ଛାଡ଼ି ଦେବାକୁ ନାରାଜ। xxx କେବଳ ଦ୍ଵାର ଖୋଲିଦେଲେ ହେବ ନାହିଁ, କେଉଁ କେଉଁ କାରଣ ଯୋଗୁଁ ଆମ୍ଭେ ଏଭଳି ଶୋଚନୀୟ ଦଶା ଭୋଗିଲୁ, ସେହି କାରଣଗୁଡ଼ିକ ସମୀକ୍ଷା ଓ ତର୍ଜମା କରି ଜନସାଧାରଣଙ୍କ ସାମ୍ନାରେ ତ୍ରୁଟି ସ୍ଵୀକାର ନକଲା ପର୍ଯ୍ୟନ୍ତ ଯୁବପିଢ଼ିଙ୍କ ମଧ୍ୟରେ ନୂତନ ଉନ୍ମାଦନା ଆସିବ ନାହିଁ। xxx ୨୦୧୪ ନିର୍ବାଚନରେ...ଓଡ଼ିଶାର ନିର୍ବାଚନ କମିଟି ଓଡ଼ିଶାରେ ନବସି ଦିଲ୍ଲୀରେ ବସି ପ୍ରାର୍ଥୀ ବାଛିଲେ।...ପ୍ରାୟ ୧୦୦୦ରୁ ବେଶି ଯୁବକ ଟିକେଟ୍‌ ପାଇବା ଆଶାରେ ଦିଲ୍ଲୀରେ ପହଞ୍ଚି ସେଠାରେ ୧୨ ଦୁଆର ୧୩ ପିଣ୍ଡା ହୋଇ ଓଡ଼ିଶାକୁ ଫେରିଲେ। ମୋର ୫୦ ବର୍ଷର କଂଗ୍ରେସ ଜୀବନ ଭିତରେ ଏକଳି ନିର୍ବାଚନ କମିଟି ବସିବାର ଦୃଶ୍ୟ କେବେ ଦେଖି ନଥିଲି। ଦିଲ୍ଲୀରେ ଯୁବକମାନଙ୍କ ବ୍ୟାକୁଳତା ଏବଂ ଭୋକ ଉପାସରେ ଏଣେତେଣେ ବୁଲୁଥିବାର ଦୃଶ୍ୟ ଯେଉଁମାନେ ଦେଖିଛନ୍ତି, ସେହିମାନେ ଅନୁଭବ କରିଛନ୍ତି ଯେ ଓଡ଼ିଶାରେ ନିର୍ବାଚନର ଫଳାଫଳ କ’ଣ ହେବାକୁ ଯାଉଛି। xxxx

କଂଗ୍ରେସର ଏକମାତ୍ର ଉପାୟ ହେଉଛି କଂଗ୍ରେସର ପ୍ରଚଳିତ ଧାରାକୁ ବଦଳାଇବାକୁ ପଡ଼ିବ। ଓଡ଼ିଶା କଂଗ୍ରେସରେ ଆମ୍ଭ ନେତାମାନଙ୍କର ଆଉ ସେପରି ବଡ଼ିମା ରହିନାହିଁ ବୋଲି ସ୍ଵୀକାର କରି ରାଜନୈତିକ ସ୍ତରରେ ନୂତନ ଢଙ୍ଗରେ କଂଗ୍ରେସ ସ୍ରୋତକୁ ଓଡ଼ିଶାରେ ବଢ଼ାଇବାକୁ ପଡ଼ିବ।....ନୂତନ ପିଢ଼ିକୁ ଖାପଖୁଆଇଲା ଭଳି କାର୍ଯ୍ୟ କରିବାକୁ ପଡ଼ିବ। ଗତ ନିର୍ବାଚନରେ ଯାବତୀୟ ଦୁଷ୍କର୍ମ କରିଥିବା ନେତୃବୃନ୍ଦ ଆଜି ପ୍ରତି କ୍ଷେତ୍ରରେ ପ୍ରତି ସଭାରେ ଆଗ ଧାଡ଼ିରେ ବସି ଭାଷଣବାଜି ଚଳାଇ ରଖିଲେ ନୂତନ ପିଢ଼ି କେହି କଂଗ୍ରେସକୁ ଆସିବେ ତ?xxxx

...ଯେତେବେଳେ କଂଗ୍ରେସ ବିପଥଗାମୀ ହୋଇଛି ଓ ପଥଭ୍ରଷ୍ଟ ନୈତିକତା ମୂଲ୍ୟବୋଧ ହରାଇ କଂଗ୍ରେସ ସମ୍ମାନକୁ କ୍ଷୁନ୍ନ କରିଛି, ସେତେବେଳେ ଭାରତୀୟ ଜନଗଣ କଂଗ୍ରେସକୁ କ୍ଷମତାଚ୍ୟୁତ କରିଛନ୍ତି। xxx କ୍ଷମତାଚ୍ୟୁତ ଅର୍ଥ ନୁହେଁ, କୌଣସି ଅନ୍ୟ ଦଳକୁ ଶାସନ ଗାଦିରେ ବସାଇ ସେ ଦଳ ଦ୍ଵାରା ଚୀରଦିନ ଶାସିତ ହେବା। ସେମାନେ ଜାଣନ୍ତି, କଂଗ୍ରେସ ଏକ ଦଳ ନୁହେଁ, ଏହା ଭାରତୀୟ ଜନଗଣଙ୍କ ପାଇଁ ଏକ ଆନ୍ଦୋଳନ। xxx ଦେଶରେ ଏକ ବିରାଟ ସାମାଜିକ, ଆର୍ଥନୀତିକ ଓ ରାଜନୀତିକ ବିଘଟନର ସୂଚନା ମିଳିଲାଣି। କଂଗ୍ରେସ ଏହି ବିଘଟନର ମୁକାବିଲା ପାଇଁ ନିଜକୁ ପ୍ରସ୍ତୁତ କରୁଛି ତ?

ଆଜି ମଧ୍ୟମ ବୟସ ଲୋକମାନଙ୍କ ଦ୍ଵାରା ଓଡ଼ିଶା କଂଗ୍ରେସ ପ୍ରାୟ ପରିଚାଳିତ। ଗତ ନିର୍ବାଚନରେ ସେଇମାନଙ୍କ ମଧ୍ୟରୁ ଅନେକ ଟିକେଟ୍‌ ନେଇଛନ୍ତି ଏବଂ ଆଜି କଂଗ୍ରେସକୁ ପରୋକ୍ଷରେ ନିୟନ୍ତ୍ରିତ କରୁଛନ୍ତି। ସେମାନଙ୍କୁ ସତର୍କତାର ସହ କଂଗ୍ରେସକୁ ସଂଗଠିତ କରିବାକୁ ପଡ଼ିବ। ସେମାନେ ଜାଣିବା ଉଚିତ ଯେ ଯେଉଁମାନେ କଂଗ୍ରେସରେ ନିନ୍ଦିତ, ଅର୍ଥ ବଳରେ ଗତ ନିର୍ବାଚନରେ ଟିକେଟ୍‌ ହାସଲ କରି କଂଗ୍ରେସକୁ ତଳିତଳାନ୍ତ କରିଛନ୍ତି, ସେମାନଙ୍କ ମୁହଁ ଆଉ ଲୋକେ ଦେଖିବାକୁ ଚାହାନ୍ତି ନାହିଁ। xxxx କଂଗ୍ରେସରେ ଜ୍ଞାନୀ, ଗୁଣୀ, କୁଶଳୀ ଓ ଦକ୍ଷ ଲୋକଙ୍କର ଅଭାବ ନାହିଁ, ଅଭାବ ରହିଛି, ଏହାକୁ ସଂଗଠିତ ଏବଂ ବିନିଯୋଗ କଲା ଭଳି ପରିଚାଳନା ଓ ସଂହତି।

कोई टिप्पणी नहीं:

एक टिप्पणी भेजें