11 जून 2015

ବାଟ ହୁଡୁଛି ଚିଟ୍‌ଫଣ୍ଡ୍‌ ତଦନ୍ତ ଆୟୋଗ !

୧. ସଂଲଗ୍ନ ଖବରରେ ପ୍ରକାଶ ପାଇଛି ଯେ ଆଉ ଦେଢ଼ମାସ ମଧ୍ୟରେ ଚିଟ୍‌ ଫଣ୍ଡ୍‌ ତଦନ୍ତ ଆୟୋଗ ରିପୋର୍ଟ ଦାଖଲ କରିବେ। ଜୁନ୍‌ ୧୦ ତାରିଖରୁ ଦେଢ଼ମାସ ବା ୪୫ ଦିନ ଗଣିଲେ ତାହା ଜୁଲାଇ ୨୪ ତାରିଖରେ ପଡୁଛି। ଯଦି ଆଗପଛ ଭଲମନ୍ଦକୁ ବିଚାର କରି ଏହାକୁ ୨୦୧୫ ଜୁଲାଇ ୩୦ ତାରିଖ ରୂପେ ଆମ୍ଭେ ଧରିନେଉ, ତେବେ ସେହି ତାରିଖ ସୁଦ୍ଧା ସତରେ କ’ଣ ରିପୋର୍ଟ ଆସିଥିବ?

୨. ଯଦି ରିପୋର୍ଟ ଆସିବ, ତାହା କେଉଁ ଭାଷାରେ ହୋଇଥିବ?

୩. କହିବା ବାହୁଲ୍ୟ, ଜଣେ ପୂର୍ବତନ ବିଚାରପତି ନିଶ୍ଚିତ ରୂପେ ଇଂଲିଶ୍‌ରେ ପାଣ୍ଡିତ୍ୟ ପ୍ରଦର୍ଶନ ପାଇଁ ପସନ୍ଦ କରିବେ ଏବଂ ରିପୋର୍ଟଟି ଇଂଲିଶ୍‌ରେ ଦେବେ। ହେଲେ ଇଂଲିଶ୍‌ରେ କାହିଁକି?

୪. ସ୍ଵାଧୀନ ରାଷ୍ଟ୍ର ଭାରତରେ ଓଡ଼ିଶା ରାଜ୍ୟର ଭାଷା, ବା ସରକାରୀ ଭାଷା ଯଦି ଇଂଲିଶ୍‌ ନୁହେଁ, ସେହି ଭାଷାରେ ରିପୋର୍ଟ କାହିଁକି ବାହାରିବ?

୫. ଯଦି ଏହି ବ୍ଲଗ୍‌ର ପ୍ରଭାବରେ ମାନ୍ୟବର ତଦନ୍ତ ଆୟୋଗ ଦ୍ଵିଭାଷୀ ରିପୋର୍ଟ ଦିଅନ୍ତି, ତେବେ ଓଡ଼ିଆ ରିପୋର୍ଟଟି ମୂଳ ଇଂଲିଶ୍‌ ରିପୋର୍ଟର ଏକ ଅନୁଦିତ ରୂପ କାହିଁକି ହେବ?

୬. ଓଡ଼ିଶାର କ୍ଷତିଗ୍ରସ୍ତ ଜମାକାରୀମାନଙ୍କୁ ନ୍ୟାୟ ଦେବା ପାଇଁ ଏକ ମୌଳିକ ଓଡ଼ିଆ ରିପୋର୍ଟ ପ୍ରସ୍ତୁତିରେ ସମସ୍ୟା କେଉଁଠି?


୭. ଅବଶ୍ୟ ଏହା ସମସ୍ତଙ୍କୁ ଜଣା ଯେ ଆମ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟବିଚାରପତି ଓଡ଼ିଆ ପଢ଼ିପାରିବେ ନାହିଁ କି ବୁଝି ପାରିବେନାହିଁ। ଆଉ ସେଇମାନଙ୍କ ପାଇଁ କ’ଣ ମୂଳ ରିପୋର୍ଟଟି ଇଂଲିଶ୍‌ରେ ହେବ?

୮. ରିପୋର୍ଟଟି ରାଜ୍ୟ ସରକାର ପାଇଲେ କ’ଣ ସର୍ବସାଧାରଣରେ ପ୍ରକାଶ କରିବେ, କି ଗତାନୁଗତିକ ଭାବେ ଚାପି ରଖିବେ?

୯. କିଛି ଦିନ ଆଗରୁ ତଦନ୍ତ ଆୟୋଗ ନିଜର ୱେବ୍‌ସାଇଟ୍‌ କରିବେ ବୋଲି ଘୋଷଣା କରିଥିଲେ। ତେଣୁ ଏଭଳି ରିପୋର୍ଟ ସେହି ୱେବ୍‌ସାଇଟ୍‌ରେ ପ୍ରକାଶ ପାଇବ କି?

୧୦. ୱେବ୍‌ସାଇଟ୍‌ କରିବା ପାଇଁ ଦେଢ଼ ମାସ ସମୟ ଲାଗିବ ନାହିଁ। କିନ୍ତୁ ତାହା କେବଳ ଇଂଲିଶ୍‌ରେ କାହିଁକି ହେବ ଏବଂ ରିପୋର୍ଟଟି ସେହି ୱେବ୍‌ସାଇଟ୍‌ରେ କାହିଁକି ପ୍ରକାଶ ନପାଇବ?

ଏତେ ମୌଳିକ ଭାବେ ଓ ନିଠେଇ କରି ପ୍ରଶ୍ନ କରିବା ମିଡ଼ିଆ (ଗଣମାଧ୍ୟମ)ର କାମ। ହେଲେ ଏହି କାମଟି ମିଡ଼ିଆ କାହିଁକି କରୁ ନାହିଁ - ଏହାର ଉତ୍ତର ମୁଁ ପାଉ ନାହିଁ।

ବିମଳ ପ୍ରସାଦ, ୯୯୩୭୩୫୩୨୯୩

कोई टिप्पणी नहीं:

एक टिप्पणी भेजें