08 जून 2015

ବିଜୁଳି ଯୁଗରେ ଡିଜେଲ୍‌ ରେଳଗାଡ଼ି


ପ୍ରତି ସପ୍ତାହରେ ସୋମବାର ଠାରୁ ଶନିବାର ପର୍ଯ୍ୟନ୍ତ ଚାଲିବ ୭୮୧୦୩/୭୮୧୦୪ ରାଉରକେଲା-ସମ୍ବଲପୁର-ରାଉରକେଲା ଡି.ଏମ୍‌.ୟୁ. ସବାରି ଗାଡ଼ି। ହେଲେ ୭ ଜୁନ୍‌ ୨୦୧୫ ରବିବାର ସକାଳେ ଏହି ଗାଡ଼ିର ଉଦ୍‌ଘାଟନୀ ତଥା ପରୀକ୍ଷାମୂଳକ ପ୍ରଚଳନ  ହୋଇଛି। ଏହା ଗତ ରେଳ ବଜେଟ୍‌ର ପ୍ରତିଶୃତି ଥିଲା। ବର୍ଷେ ବିଳମ୍ବରେ ଏହି ଗାଡ଼ିର ଶୁଭାରମ୍ଭ ହୋଇଛି ଏବଂ ହାଟିଆ ଷ୍ଟେସନରେ ଥାଇ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ସୁରେଶ ପ୍ରଭାକର ପ୍ରଭୁ । ପରେ ରାଉରକେଲା ଷ୍ଟେସନରେ ଚକ୍ରଧରପୁର ରେଳମଣ୍ଡଳର ପ୍ରବନ୍ଧକ ରାଜେନ୍ଦ୍ର ପ୍ରସାଦ ମଧ୍ୟ ଏହାକୁ ସବୁଜପତାକା ଦେଖାଇଛନ୍ତି। 

୮ଟି ବଗି ବିଶିଷ୍ଟ ଏହି ସବାରିଗାଡ଼ିରେ ଯାତ୍ରୀଙ୍କ ପାଇଁ ବାୟୋ-ଟଏଲେଟ୍‌ ବ୍ୟବସ୍ଥା ରହିଥିବା କୁହାଯାଉଛି। ଏହି ଗାଡ଼ି ପ୍ରତିଦିନ(ରବିବାର ବ୍ୟତୀତ) ସକାଳ ୭ଟା ୨୫ ମିନିଟ୍‌ରେ ରାଉରକେଲା ଛାଡ଼ି ୧୦ଟା ୫୫ରେ ସମ୍ବଲପୁରରେ ପହଞ୍ଚିବ ଏବଂ ଫେରନ୍ତା ଯାତ୍ରାରେ ୧୧ଟା ୪୦ରେ ସମ୍ବଲପୁରରୁ ବାହାରି ବେଳବୁଡ଼ା ୪ଟା ୫୦ରେ ରାଉରକେଲାରେ ପହଞ୍ଚିବ। ଏହି ଗାଡ଼ିର ଷ୍ଟପେଜ୍‌ଗୁଡ଼ିକ ହେଉଛି ପାନପୋଷ, କଲୁଙ୍ଗା, କାଂଶବାହାଲ, ରାଜଗାଙ୍ଗପୁର, ସୋନାଖାନ୍‌, ସଗରା, ଗଡ଼୍‌ପୋଷ୍‌, ଟାଙ୍ଗରମୁଣ୍ଡା, ବାମରା, ଧରୁଆଡିହି, ବାଗ୍‌ଡିହି, ପାନପାଲି, ଧୁତୁରା, ଝାରସୁଗୁଡ଼ା, ବୃଂଦାମାଲ, ଲପଙ୍ଗା, ରେଙ୍ଗାଲି ଓ ଶାସନ। ତେବେ ଏହି ଗାଡ଼ିରେ ଚକ୍ରଧରପୁର-ରାଉରକେଲା-ସମ୍ବଲପୁର ଲେଖାଥିବାରୁ ସର୍ବସାଧାରଣରେ ଏହା ଚର୍ଚା ହେଉଛି ଯେ ଖୁବ୍‌ ଶୀଘ୍ର ଏହା ଚକ୍ରଧରପୁର ପର୍ଯ୍ୟନ୍ତ ସଂପ୍ରସାରିତ ହେବ ଏବଂ ରାଉରକେଲା-ଚକ୍ରଧରପୁର ସରଣ୍ଡା ସବାରିଗାଡ଼ି ବନ୍ଦ ହୋଇଯିବ।

ତଥ୍ୟାଭିଜ୍ଞ ନାଗରିକଗଣ ବେଶ୍‌ ଭଲ ଭାବେ ଜାଣନ୍ତି ଯେ ଏହି ଗାଡ଼ି ଚକ୍ରଧରପୁରକୁ ସଂପ୍ରସାରିତ ହେବା ପରେ ଆଦୌ ସମୟ ରକ୍ଷା କରି ପାରିବ ନାହିଁ। ତେଣୁ ଭୁବନେଶ୍ଵର-ବଲାଙ୍ଗିର ଇଣ୍ଟରସିଟି ସୁପରଫାଷ୍ଟ୍‌ରେ ଯାତ୍ରୀମାନେ ଆସି ରାଉରକେଲାକୁ ଯାଇପାରିବେ ଏବଂ ରାଉରକେଲାରୁ ଯାତ୍ରୀମାନେ ଏହି ସବାରିଗାଡ଼ିରେ ଆସି ବଲାଙ୍ଗିରକୁ ଯାଇପାରିବେ ବୋଲି ଯାହା ଅନୁମାନ କରାଯାଉଛି, ତାହା ଏକ ଦିବାସ୍ଵପ୍ନ ପାଲଟିଯିବ। ଅନ୍ୟ ପକ୍ଷରେ ଓଡ଼ିଶାରେ କୌଣସି ସବାରିଗାଡ଼ି ଠିକ୍‌ ସମୟରେ ଚାଲେ ନାହିଁ। କେବଳ କଟକ-ପୁରୀ ସଟଲ ବ୍ୟତୀତ। ଅବଶ୍ୟ ଏ ସଟଲ ଗାଡ଼ିର ସମୟ ରକ୍ଷା ପାଇଁ ବହୁ ସଂଖ୍ୟକ ଏକ୍ସପ୍ରେସ୍‌, ସୁପରଫାଷ୍ଟ୍‌, ରାଜଧାନୀ, ଶତାବ୍ଦୀ, ଓ ଜନଶତାବ୍ଦୀ ଗାଡ଼ିକୁ ବିଶେଷ ଭାବେ ତ୍ୟାଗ କରିବାକୁ ପଡ଼ିଥାଏ। କିନ୍ତୁ ଗୁରୁତ୍ଵପୂର୍ଣ ରାଉରକେଲା-ଝାରସୁଗୁଡ଼ା ରୁଟ୍‌ରେ ଏପରି ହୋଇପାରିବ ନାହିଁ। ବରଂ ସବୁ ଗଂଜଣା ସହିବାକୁ ପଡ଼ିବ ଏହି ଡିଏମ୍‌ୟୁ ଗାଡ଼ିକୁ। ଫଳରେ ସମୟ ରକ୍ଷା କଷ୍ଟକର ହୋଇପଡ଼ିବ।

ସବୁଠୁ ଲଜ୍ଜାଜନକ କଥା ହେଉଛି, ଆଜିର ବିଦ୍ୟୁତ୍‌ ଚାଳିତ ଯୁଗ​‌ରେ ଡିଜେଲ ଇଂଜିନ୍‌ଯୁକ୍ତ ସବାରିଗାଡ଼ି ପ୍ରଚଳନ। DMU(Diesel Multiple Unit) ଇଂଜିନ୍‌ ନହୋଇ ବରଂ ଏହା ଇ.ଏମ୍‌.ୟୁ. ହେବା କଥା। ଯାହାର ପୂରା ନାମ ହେଉଛି Electrical Multiple Unit(EMU) । ଅବଶ୍ୟ ବିଦେଶୀ ପର୍ଯ୍ୟଟକମାନଙ୍କୁ ଏହାଦ୍ଵାରା ଆକର୍ଷିତ କରାଯାଇପାରିବ। ସେମାନେ ଓ ସେମାନଙ୍କ ପରିବାର ସଦସ୍ୟମାନେ ଦେଖିବେ, ଡିଜେଲରେ କିମିତି ରେଳଗାଡ଼ି ଚାଲୁଛି। ବିଶେଷତଃ ବିଦେଶୀ ଶିଶୁମାନଙ୍କ ପାଇଁ ଏହା ଏକ ରୋଚକ ଅନୁଭୂତି ହେବ। କାରଣ କୌଣସି ସଭ୍ୟଦେଶରେ (ବିଦେଶରେ) ଡିଜେଲ୍‌ ଇଂଜିନ୍‌ରେ ରେଳଗାଡ଼ି ଚାଲେ ନାହିଁ। କାରଣ ଡିଜେଲ୍‌ ଇଂଜିନ୍‌ ଏକ ପୁରୁଣାକାଳିଆ ତଥା ପ୍ରଦୂଷଣକାରୀ, ଶକ୍ତି ଅପଚୟକାରୀ ଓ ସମୟଅପଚୟକାରୀ ଜ୍ଞାନକୌଶଳ।

ଝାରସୁଗୁଡ଼ା-ସମ୍ବଲପୁର-ଟିଟିଲାଗଡ଼-ବିଜୟନଗରମ୍‌ ରୁଟ୍‌ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍‌ ଚାଳିତ ରେଳରୁଟ୍‌ ହୋଇ ନପାରିବାଟା ଉଭୟ ରାଜ୍ୟ ସରକାର ଓ ରାଜ୍ୟର ତଥାକଥିତ ନେତାମାନଙ୍କ ପାଇଁ ଏକ ଅପମାନଜନକ ସ୍ଥିତି। କାରଣ ବର୍ଷ ଯାକରେ ଥରେ କେବଳ ଜାନୁଆରି-ଫେବୃଆରିରେ ରେଳ ବଜେଟ୍‌ ପାଇଁ ହାଉ ହାଉ ହେବାଟା କେତେକଙ୍କର ଅଭ୍ୟାସରେ ପରିଣତ ହୋଇଗଲାଣି। ଅଥଚ ସେତେ କୋଟି ଟଙ୍କାର ଟେଣ୍ଡର ହେଉଛି କି? କେଉଁ ଠିକାଦାରୀ କଂପାନୀ କାମ ଧରିଛି? କେଉଁଠି କି କାମ ଚାଲିଛି? କେଉଁ ଆର୍ଥିକ ବର୍ଷର ବ୍ୟୟ ଅଟକଳରୁ କାମ ହେଉଛି? ଏସବୁ ପ୍ରଶ୍ନ ସେହି ନେତାମାନଙ୍କ ମନରେ ଆସୁ ନାହିଁ!


ବିମଳ ପ୍ରସାଦ, ୯୯୩୭୩୫୩୨୯୩,  ଫଟୋ ସୌଜନ୍ୟ: ଦେବ ପଟ୍ଟନାୟକ, ରାଉରକେଲା

कोई टिप्पणी नहीं:

एक टिप्पणी भेजें